‘‘ସେମାନଙ୍କୁ ବିଦ୍ୟାଳୟକୁ ଆଣିବା ଲାଗି ରାଜି କରାଇବା ମଧ୍ୟ ଏକ ଆହ୍ୱାନ।’’

ପ୍ରଧାନ ଶିକ୍ଷକ ଶିବଜୀ ସିଂ ଯାଦବଙ୍କ ଏହି ଉକ୍ତି ତାଙ୍କ ୩୪ ବର୍ଷର ଅଭିଜ୍ଞତା ସମ୍ପର୍କରେ ସୂଚନା ଦେଇଥାଏ। ଯାଦବଙ୍କୁ ତାଙ୍କର ଛାତ୍ରଛାତ୍ରୀମାନେ ‘ମାଷ୍ଟରଜୀ’ ବୋଲି ସମ୍ବୋଧନ କରିଥାନ୍ତି। ସେ ଡାବଲି ସାପୋରିରେ ଏକମାତ୍ର ବିଦ୍ୟାଳୟ ଚଳାଉଛନ୍ତି। ଆସାମର ମାଜୋଲି ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁତ୍ର ନଦୀର ଏହି ଦ୍ୱୀପରେ ବସବାସ କରୁଥିବା ୬୩ଟି ପରିବାରର ଅଧିକାଂଶ ପିଲାମାନେ ଏ ବିଦ୍ୟାଳୟକୁ ଆସିଥାନ୍ତି।

ଧୋନେଖୋନା ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଥିବା ଏକମାତ୍ର ଶ୍ରେଣୀଗୃହର ଡେସ୍କରେ ବସି ଶିବଜୀ ନିଜ ଚାରିପାଖକୁ ଦେଖିଥାନ୍ତି ଓ ନିଜ ପିଲାମାନଙ୍କୁ ଚାହିଁ ହସୁ ଥାଆନ୍ତି। ୪୧ଟି ଉଜ୍ଜ୍ୱଳ ମୁଖମଣ୍ଡଳ ତାଙ୍କ ଆଡ଼କୁ ଚାହିଁଥାନ୍ତି। ସମସ୍ତଙ୍କ ବୟସ ୬ରୁ ୧୨ ବର୍ଷ ମଧ୍ୟରେ ଏବଂ ସେମାନେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ। ‘‘ଛୋଟ ପିଲାଙ୍କୁ ପଢ଼ାଇବା, ପାଠ ବୁଝାଇବା – ତାହା ହିଁ ହେଉଛି ବାସ୍ତବ ଆହ୍ୱାନ,’’ ସେ କୁହନ୍ତି। ଆହୁରି ସେ କହିଥାନ୍ତି, ‘‘ଅନ୍ୟଥା ସେମାନେ ଦୌଡ଼ି ପଳାଇଯାଆନ୍ତି!’’

ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ଅଧିକ ସମୀକ୍ଷା କରିବା ପୂର୍ବରୁ, ଟିକିଏ ରହିଯାଇ ସେ ତାଙ୍କ ବିଦ୍ୟାଳୟର କିଛି ବଡ଼ ଛାତ୍ରଛାତ୍ରୀଙ୍କୁ ଡାକନ୍ତି। ସେମାନଙ୍କୁ ସେ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ଅହମୀୟା ଏବଂ ଇଂରାଜୀର କାହାଣୀ ପୁସ୍ତକ ପ୍ୟାକେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତି। ସେ ଜାଣିଛନ୍ତି ଯେ, ନୂଆ ପୁସ୍ତକର ଉତ୍ସାହ ତାଙ୍କ ଛାତ୍ରଛାତ୍ରୀଙ୍କୁ ବ୍ୟସ୍ତ ରଖିବ ଏବଂ ସେ ଆମ ସହିତ କଥା ହେବାର ସୁଯୋଗ ପାଇବେ।

‘‘ସରକାର ମହାବିଦ୍ୟାଳୟର ପ୍ରାଧ୍ୟାପକମାନଙ୍କୁ ଯେତିକି ପାରିଶ୍ରମିକ ଦେଉଛନ୍ତି ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ମଧ୍ୟ ସେତିକି ମିଳିବା ଉଚିତ୍‌; ଆମେ ହିଁ ପାଠର ମୂଳଦୁଆ ପ୍ରତିଷ୍ଠା କରିଥାଉ,’’ ପ୍ରାଥମିକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ସେ କୁହନ୍ତି। କିନ୍ତୁ, ସେ କୁହନ୍ତି ଯେ, ମାତାପିତା ପ୍ରାଥମିକ ବିଦ୍ୟାଳୟର ପାଠପଢ଼ାକୁ ସେତେଟା ଗୁରୁତ୍ୱ ଦେଇନଥାନ୍ତି। ସେମାନଙ୍କ ଧାରଣା ହେଉଛି କେବଳ ଉଚ୍ଚ ବିଦ୍ୟାଳୟ ଶିକ୍ଷା ଅଧିକ ଜରୁରି। ଏହି ଭ୍ରାନ୍ତଧାରଣା ଦୂର କରିବା ଲାଗି ସେ କଠିନ ପରିଶ୍ରମ କରିଥାନ୍ତି।

Siwjee Singh Yadav taking a lesson in the only classroom of Dhane Khana Mazdur Lower Primary School on Dabli Chapori.
PHOTO • Riya Behl
PHOTO • Riya Behl

ବାମ: ଡାବଲି ସାପୋରିରେ ଥିବା ଧୋନେଖୋନା ନିମ୍ନ ପ୍ରାଥମିକ ବିଦ୍ୟାଳୟର ଏକମାତ୍ର ଶ୍ରେଣୀଗୃହରେ ଶିବଜୀ ସିଂ ଯାଦବ ପାଠ ପଢ଼ାଉଛନ୍ତି ଡାହାଣ: ଶିକ୍ଷା ନିର୍ଦ୍ଦେଶାଳୟ ପଠାଇଥିବା କାହାଣୀ ପୁସ୍ତକ ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ

Siwjee (seated on the chair) with his students Gita Devi, Srirekha Yadav and Rajeev Yadav (left to right) on the school premises
PHOTO • Riya Behl

ବିଦ୍ୟାଳୟ ପରିସରରେ ନିଜର ଛାତ୍ରଛାତ୍ରୀ ଗୀତା ଦେବୀ, ଶ୍ରୀରେଖା ଯାଦବ ଓ ରାଜୀବ ଯାଦବ (ବାମରୁ ଡାହାଣ)ଙ୍କ ସହିତ ବସିଛନ୍ତି ଶିବଜୀ (ଚେୟାରରେ ବସିଛନ୍ତି)

ଡାବଲି ସାପୋରି ଏନସି ଏକ ବାଲୁକା ତଟ ଦ୍ୱୀପ ଏବଂ ଏଠାକାର ଜନସଂଖ୍ୟା ପ୍ରାୟ ୩୫୦ ହେବ। ଏହାର କ୍ଷେତ୍ରଫଳ ପ୍ରାୟ ୪୦୦ ବର୍ଗକିଲୋମିଟର ବୋଲି ଶିବଜୀ ଆକଳନ କରିଥାନ୍ତି। ସାପୋରି ଏକ ଅଣ-ଭୂକର ସମ୍ବନ୍ଧୀୟ କ୍ଷେତ୍ର ଭାବେ ବର୍ଗୀକୃତ ହୋଇଛି। ଅର୍ଥାତ, ଏଠାରେ ଥିବା ଜମିର ଆଜି ଯାଏଁ ସର୍ବେକ୍ଷଣ ହୋଇନାହିଁ। ୨୦୧୬ରେ ଜୋରାହାଟ ଜିଲ୍ଲାର ଉତ୍ତର ଭାଗକୁ ନେଇ ନୂଆ ମାଜୋଲି ଜିଲ୍ଲା ଗଠନ ହେବା ପୂର୍ବରୁ ଏହି ଅଞ୍ଚଳ ଜୋରାହାଟ ଅଧୀନରେ ଆସୁଥିଲା।

ଦ୍ୱୀପରେ ଯଦି ବିଦ୍ୟାଳୟ ନଥାନ୍ତା, ୬-୧୨ ବର୍ଷର ପିଲାମାନଙ୍କୁ ଶିବସାଗର ସହର ନିକଟରେ ଥିବା ମୂଳଭୂଖଣ୍ଡ ଦିସାଙ୍ଗମୁଖରେ ପହଞ୍ଚିବା ଲାଗି ୧ ଘଣ୍ଟା ସମୟ ବିତାଇବାକୁ ପଡ଼ିଥାନ୍ତା। ଏଥିପାଇଁ ସେମାନଙ୍କୁ ଦ୍ୱୀପର ଜେଟ୍ଟୀ ପର୍ଯ୍ୟନ୍ତ ୨୦ ମିନିଟ୍‌ ସାଇକେଲରେ ଓ ଏହାପରେ ସେଠାରୁ ୫୦ ମିନିଟ୍‌ ପର୍ଯ୍ୟନ୍ତ ଡଙ୍ଗାରେ ନଦୀ ପାର ହେବାକୁ ପଡ଼ିଥାନ୍ତା।

ବାଲୁକାତଟରେ ଥିବା ସବୁ ଘର ବିଦ୍ୟାଳୟର ୨-୩ କିଲୋମିଟର ପରିଧି ମଧ୍ୟରେ ରହିଛି – ୨୦୨୦-୨୧ରେ କୋଭିଡ-୧୯ ମହାମାରୀ କାରଣରୁ ବିଦ୍ୟାଳୟ ବନ୍ଦ ହୋଇଯିବା ସମୟରେ ଏହା ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା।  ଶିବଜୀଙ୍କ ବିଦ୍ୟାଳୟର ଛାତ୍ରଛାତ୍ରୀ ସେମାନଙ୍କ ପାଠପଢ଼ା ଜାରି ରଖିବାରେ ସକ୍ଷମ ହୋଇଥିଲେ କାରଣ ସେ ପ୍ରତି ଘରକୁ ଯାଇ ସେମାନଙ୍କୁ ଭେଟୁଥିଲେ ଏବଂ ସେମାନଙ୍କର ଯାଞ୍ଚ କରୁଥିଲେ। ବିଦ୍ୟାଳୟରେ ନିଯୁକ୍ତ ଅନ୍ୟ ଜଣେ ଶିକ୍ଷକ ଗୌରୀସାଗର (ଶିବସାଗର ଜିଲ୍ଲାରେ)ରେ ରୁହନ୍ତି, ଯାହାକି ନଦୀ ଆରପଟେ ୩୦ କିଲୋମିଟର ଦୂରରେ ଅବସ୍ଥିତ। ‘‘ମୁଁ ପ୍ରତି ପିଲାକୁ ଗୋଟିଏ ସପ୍ତାହରେ ଅତିକମ୍‌ରେ ଦୁଇ ଥର ଦେଖୁଥିଲି, ଏବଂ ସେମାନଙ୍କୁ ଘରେ କରିବା ପାଇଁ ପାଠ ଦେଉଥିଲି। ଏଥିସହିତ ସେମାନଙ୍କର ପାଠପଢ଼ା ଯାଞ୍ଚ କରୁଥିଲି,’’ ଶିବଜୀ କହିଥିଲେ।

ତଥାପି, ସେ ଅନୁଭବ କରନ୍ତି ଯେ ଲକ୍‌ଡାଉନ୍‌ କାରଣରୁ ପାଠପଢ଼ା କ୍ଷତି ହୋଇଥିଲା। ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ପ୍ରତି ଧ୍ୟାନ ନଦେଇ, ସେମାନଙ୍କର ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଇବା ଲାଗି ସରକାରଙ୍କ ନିଷ୍ପତ୍ତିରେ ସେ ଅସନ୍ତୁଷ୍ଟ ହୋଇଥିଲେ। ଏଥିପାଇଁ ସେ ଶିକ୍ଷା ନିର୍ଦ୍ଦେଶାଳୟ ଅଧିକାରୀମାନଙ୍କୁ ପତ୍ର ଲେଖିଥିଲେ। ‘‘ମୁଁ ସେମାନଙ୍କୁ କହିଥିଲି ଯେ ଏହି ବର୍ଷକୁ ବାଦ ଦିଆଯାଉ ଏବଂ ପିଲାମାନେ [ସମାନ ଶ୍ରେଣୀରେ] ଆଉ ବର୍ଷେ ରହିଗଲେ ସେମାନଙ୍କ ପାଇଁ ଲାଭ ହେବ।’’

*****

ଧୋନେଖୋନା ନିମ୍ନ ପ୍ରାଥମିକ ବିଦ୍ୟାଳୟର ବାହାର କାନ୍ଥରେ ଆସାମର ଏକ ବଡ଼ ରଙ୍ଗୀନ ମାନଚିତ୍ର ଅଙ୍କା ହୋଇଛି। ସେହି ଆଡ଼କୁ ଆମ ଧ୍ୟାନ ଆକର୍ଷଣ କରି, ପ୍ରଧାନ ଶିକ୍ଷକ ଶିବଜୀ ବ୍ରହ୍ମପୁତ୍ର ନଦୀରେ ଥିବା ଦ୍ୱୀପର ଚିତ୍ର ଦେଖାଇଥିଲେ। ‘‘ମାନଚିତ୍ରରେ ଆମ ସାପୋରି [ବାଲୁକାତଟ]କୁ କେଉଁଠି ଦର୍ଶାଯାଇଛି ଦେଖନ୍ତୁ ? ସେ ହସିହସି କହିଥିଲେ। ‘‘ଏହାର କୌଣସି ସମ୍ପର୍କ ନାହିଁ!’’

ମାନଚିତ୍ରରେ ଏହି ତ୍ରୁଟି ଶିବଜୀଙ୍କୁ ଅଧିକ ବ୍ୟଥିତ କରିଥାଏ କାରଣ ସେ ତାଙ୍କର ସ୍ନାତକ ଡିଗ୍ରୀରେ ଭୂଗୋଳ ପଢ଼ିଥିଲେ।

ସର୍ବଦା ଗତିଶୀଳ ସାପୋରି ଚାର୍‌, ବ୍ରହ୍ମପୁତ୍ରର ନଦୀତଟ ଓ ଦ୍ୱୀପରେ ଜନ୍ମ ନେବା ସହ ବଢ଼ିଥିବା ଶିବଜୀ ଏକ ସ୍ଥାନାନ୍ତରିତ ଭୂଖଣ୍ଡରେ ରହିବାର ସମସ୍ୟା ଅନ୍ୟମାନଙ୍କଠାରୁ ଅଧିକ ଜାଣନ୍ତି, କାରଣ ଏଠାରେ ବାରମ୍ବାର ନିଜର ଠିକଣା ବଦଳାଇବାକୁ ପଡ଼ିଥାଏ।

A boat from the mainland preparing to set off for Dabli Chapori.
PHOTO • Riya Behl
Headmaster Siwjee pointing out where the sandbank island is marked on the map of Assam
PHOTO • Riya Behl

ବାମ: ମୂଳ ଭୂଖଣ୍ଡରୁ ବାହାରିଥିବା ଏକ ନୌକା ଡାବଲି ସାପୋରି ଅଭିମୁଖେ ବାହାରୁଛି (ଡାହାଣ) ଆସାମ ମାନଚିତ୍ରରେ ସେହି ବାଲୁକାତଟକୁ କେଉଁ ସ୍ଥାନରେ ଚିତ୍ରିତ କରାଯାଇଛି ତାହା ଆଙ୍ଗୁଠିରେ ଦେଖାଇ ଦେଉଛନ୍ତି ପ୍ରଧାଶିକ୍ଷକ ଶିବଜୀ

The Brahmaputra riverine system, one of the largest in the world, has a catchment area of 194,413 square kilometres in India
PHOTO • Riya Behl

ବିଶ୍ଵର ଅନ୍ୟତମ ସର୍ବବୃହତ ନଦୀ ବ୍ରହ୍ମପୁତ୍ରର କେବଳ ଭାରତରେ ୧୯୪,୪୧୩ ବର୍ଗ କିଲୋମିଟର ଅବବାହିକା ରହିଛି

‘‘ଖୁବ୍‌ ଜୋରରେ ବର୍ଷା ହେଲେ, ପ୍ରବଳ ସ୍ରୋତ ସହ ବନ୍ୟା ଆସିବା ନେଇ ଆମେ ଆଶଙ୍କା କରିଥାଉ। ଲୋକମାନେ ସେମାନଙ୍କର ମୂଲ୍ୟବାନ ଜିନିଷପତ୍ର ଏବଂ ଗୃହପାଳିତ ପ୍ରାଣୀଙ୍କୁ ଧରି ଦ୍ୱୀପର ଉଚ୍ଚ ସ୍ଥାନକୁ ଚାଲି ଯାଆନ୍ତି, ଯେଉଁଠିକୁ ପାଣି ପହଞ୍ଚିପାରିବ ନାହିଁ,’’ ଶିବଜୀ କୁହନ୍ତି। ପ୍ରତିବର୍ଷ ସେମାନଙ୍କୁ ଏହି କାମ କରିବାକୁ ପଡ଼ିଥାଏ। ‘‘ପାଣି ନଛାଡ଼ିଲା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠ ପଢ଼ାଇବା ସମ୍ଭବ ହୋଇନଥାଏ’’, ସେ ଆହୁରି କହିଥାନ୍ତି।

ଭାରତରେ ବ୍ରହ୍ମପୁତ୍ର ନଦୀ ଶଯ୍ୟା ୧୯୪,୪୧୩ ବର୍ଗ କିଲୋମିଟର ସ୍ଥାନ ଅକ୍ତିଆର କରିଛି। ଏଥିରେ ବାରମ୍ବାର ଗଠିତ ଓ ପୁନର୍ଗଠିତ ହେଉଥିବା ଏବଂ ଅଦୃଶ୍ୟ ହୋଇ ପୁଣି ଦୃଶ୍ୟମାନ ହେଉଥିବା ବାଲୁକା ତଟ ଦ୍ୱୀପକୁ ମାନଚିତ୍ରରେ ସଠିକ ଭାବେ ଦର୍ଶାଇବା ସମ୍ଭବ ନୁହେଁ।

ଡାବଲି ବାଲୁକା ତଟରେ ଥିବା ସବୁ ଘର ଷ୍ଟିଲଟ୍‌ ବା ଖମ୍ବ ଉପରେ ତିଆରି ହୋଇଥାଏ କାରଣ ବିଶ୍ଵର ଅନ୍ୟତମ ସର୍ବବୃହତ ନଦୀ ବ୍ରହ୍ମପୁତ୍ରରେ ବାରମ୍ବାର, ବିଶେଷ କରି ଗ୍ରୀଷ୍ମ-ବର୍ଷା ମାସଗୁଡ଼ିକରେ ବନ୍ୟା ଆସିଥାଏ। ଏହି ଅବଧିରେ, ହିମାଳୟ ଗ୍ଲାସିୟରରେ ଥିବା ବରଫ ତରଳି ନଦୀ ଜଳସ୍ତରକୁ ଆହୁରି ବଢ଼ାଇ ଦେଇଥାଏ। ଆହୁରି ମାଜୋଲି ଚାରିପାଖରେ ଥିବା କ୍ଷେତ୍ରରେ ବାର୍ଷିକ ୧,୮୭୦ ସେଣ୍ଟିମିଟର ବର୍ଷା ହୋଇଥାଏ; ଏହାର ପ୍ରାୟ ୬୪ ପ୍ରତିଶତ ବର୍ଷା ଦକ୍ଷିଣପଶ୍ଚିମ ମୌସୁମୀ (ଜୁନ-ସେପ୍ଟେମ୍ବର) ବାୟୁ ସମୟରେ ହୋଇଥାଏ।

ଏହି ସାପୋରି ରେ ରହୁଥିବା ଲୋକମାନେ ଉତ୍ତରପ୍ରଦେଶରୁ ଆସିଥିବା ଯାଦବ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି। ସେମାନଙ୍କ ମତ ଅନୁଯାୟୀ, ୧୯୩୨ ମସିହାରେ ସେମାନେ ଗାଜିପୁର ଜିଲ୍ଲାରୁ ଆସି ବ୍ରହ୍ମପୁତ୍ର ଦ୍ୱୀପପୁଞ୍ଜରେ ବସତି ସ୍ଥାପନ କରିଥିଲେ। ସେମାନେ ଉର୍ବର, ଅନଧିକୃତ ଜମି ଖୋଜୁଥିଲେ ଏବଂ ବ୍ରହ୍ମପୁତ୍ର ନଦୀର ବାଲୁକାତଟରେ ସେମାନଙ୍କୁ ଏଭଳି ହଜାର ହଜାର କିଲୋମିଟର ଜମି ମିଳିଗଲା। ‘‘ପାରମ୍ପରିକ ଭାବେ ଆମେ ଗୋପାଳକ ଏବଂ ଆମର ପୂର୍ବଜମାନେ ଚାରଣ ଭୂମି ଖୋଜି ଖୋଜି ଆସି ଏଠାରେ ପହଞ୍ଚିଥିଲେ,’’ ଶିବଜୀ କୁହନ୍ତି ।

‘‘ମୋର ଜେଜେବାପା ଓ ମା’ ପ୍ରଥମେ ୧୫-୨୦ ପରିବାରକୁ ନେଇ ଲଖି ସାପୋରିରେ ପହଞ୍ଚିଥିଲେ,’’ ଶିବଜୀ କୁହନ୍ତି। ୧୯୬୦ରେ ଯାଦବ ପରିବାର ଧନେ ଖାନୋ ସାପୋରିକୁ ଚାଲି ଆସିଥିଲେ, ସେଠାରେ ତାଙ୍କର ଜନ୍ମ ହୋଇଥିଲା। ‘‘ତାହା ଏବେ ବି ରହିଛି,’’ ସେ କୁହନ୍ତି, ‘‘କିନ୍ତୁ ଧନେ ଖାନୋରେ ଏବେ କେହି ରହୁନାହାନ୍ତି।’’ ବନ୍ୟା ସମୟରେ ତାଙ୍କର ଘର ଓ ଅନ୍ୟାନ୍ୟ ଆସବାବପତ୍ର କିଭଳି ପାଣିରେ ବୁଡ଼ିଯାଉଥିଲା ତାହା ତାଙ୍କର ମନେ ଅଛି।

Siwjee outside his home in Dabli Chapori.
PHOTO • Riya Behl
Almost everyone on the sandbank island earns their livelihood rearing cattle and growing vegetables
PHOTO • Riya Behl

ବାମ: ଡାବଲି ସାପୋରି ରେ ନିଜ ଘର ବାହାରେ ଶିବଜୀ ଡାହାଣ: ବାଲୁକାତଟ ଦ୍ୱୀପପୁଞ୍ଜ ର ଅଧିକାଂଶ ଲୋକ ଗୋପାଳନ ଏବଂ ପନିପରିବା ଚାଷ କରି ସେମାନଙ୍କ ଜୀବିକା ନିର୍ବାହ କରିଥାନ୍ତି

Dabli Chapori, seen in the distance, is one of many river islands – called chapori or char – on the Brahmaputra
PHOTO • Riya Behl

ଦୂରରୁ ଦେଖାଯାଉଥିବା ଡାବଲି ସାପୋରି , ବ୍ରହ୍ମପୁତ୍ର ନଦୀ ମଝିରେ ଥିବା ଅନେକ ନଦୀ ଦ୍ୱୀପପୁଞ୍ଜ ମଧ୍ୟରୁ ଅନ୍ୟତମ

୯୦ ବର୍ଷ ପୂର୍ବରୁ ଆସାମରେ ପହଞ୍ଚିବା ପରଠାରୁ, ଯାଦବ ପରିବାରମାନଙ୍କୁ କେବଳ ବ୍ରହ୍ମପୁତ୍ର ନଦୀ ନିକଟରେ ରହିବା ଲାଗି ଚାରି ଥର ସ୍ଥାନାନ୍ତର ହେବାକୁ ପଡ଼ିଛି। ଶେଷ ଥର ପାଇଁ ୧୯୮୮ ମସିହାରେ, ସେମାନଙ୍କୁ ଡାବଲି ସାପୋରିକୁ ସ୍ଥାନାନ୍ତର ହୋଇ ଆସିବାକୁ ପଡ଼ିଥିଲା। ଯାଦବ ପରିବାରମାନେ ରହିଥିବା ଚାରିଟି ବାଲୁକା ତଟ ପରସ୍ପରଠାରୁ ବେଶୀ ଦୂରରେ ନୁହେଁ – ୨-୩ କିଲୋମିଟର ବ୍ୟବଧାନରେ ଅବସ୍ଥିତ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେମାନେ ବର୍ତ୍ତମାନ ରହୁଥିବା ସ୍ଥାନର ନାମ ‘ଦୁଇ’ ବା ‘ଡବଲ’ରୁ ଡାବଲି ହୋଇଛି। ଏହା ବାଲୁକାତଟରେ ଥିବା ଅନ୍ୟ ସ୍ଥାନ ଅପେକ୍ଷା ତୁଳନାତ୍ମକ ଭାବେ ବଡ଼ କ୍ଷେତ୍ରଫଳ ବିଶିଷ୍ଟ।

ଡାବଲିରେ ଥିବା ସବୁ ପରିବାର ନିକଟରେ ନିଜର ଜମି ରହିଛି, ଯେଉଁଠି ସେମାନେ ଧାନ, ଗହମ ଓ ପନିପରିବା ଚାଷ କରିଥାନ୍ତି। ଏହାବ୍ୟତୀତ ପୂର୍ବଜମାନଙ୍କ ପଦାଙ୍କ ଅନୁସରଣ କରି ସେମାନେ ଗୋପାଳନ କରିଥାନ୍ତି। ଏଠାରେ ସମସ୍ତେ ଅହମୀୟା ଭାଷାରେ କଥା ହୋଇଥାନ୍ତି, କିନ୍ତୁ ଘରେ ନିଜ ଭିତରେ ଯାଦବ ପରିବାରମାନେ ହିନ୍ଦୀ ଭାଷାରେ କଥା ହୋଇଥାନ୍ତି। ‘‘ଆମ ଖାଦ୍ୟ ଅଭ୍ୟାସ ବଦଳି ନାହିଁ,’’ ଶିବଜୀ କୁହନ୍ତି, ‘‘କିନ୍ତୁ ହଁ ଉତ୍ତର ପ୍ରଦେଶରେ ଥିବା ଆମ ପରିବାର ତୁଳନାରେ ଆମେ ଅଧିକ ଭାତ ଖାଇଥାଉ।’’

ଶିବଜୀଙ୍କ ଛାତ୍ରଛାତ୍ରୀ ଏବେ ବି ତାଙ୍କର ନୂଆ ବହି ଭିତରେ ବୁଡ଼ି ରହିଛନ୍ତି, ତିଳେ ହେଲେ ବିଶୃଙ୍ଖଳିତ ହୋଇନାହାନ୍ତି। ‘‘ମୁଁ ଅହମୀୟା ପୁସ୍ତକକୁ ବେଶୀ ଭଲ ପାଏ,’’ ୧୧ ବର୍ଷ ବୟସ୍କ ରାଜୀବ ଯାଦବ ଆମକୁ କହିଥିଲେ। ତାଙ୍କର ମାତାପିତା ଚାଷୀ ଓ ଗୋପାଳକ। ଉଭୟଙ୍କୁ ସପ୍ତମ ଶ୍ରେଣୀରୁ ଆଗକୁ ପଢ଼ି ପାରିନାହାନ୍ତି। ‘‘ମୁଁ ସେମାନଙ୍କଠାରୁ ଅଧିକ ପାଠ ପଢ଼ିବି,’’ ସେ କୁହନ୍ତି। ଏହାପରେ ସେ କିମ୍ବଦନ୍ତୀ ଅହମୀୟା ସଙ୍ଗୀତଜ୍ଞ ଭୂପେନ ହଜାରିକାଙ୍କ ଏକ ସଙ୍ଗୀତ ‘ଅଖୋମ ଆମାର ରୂପହି ଡେହ୍’ ଗାଇବା ଆରମ୍ଭ କରନ୍ତି, ଶିକ୍ଷକ ତାଙ୍କ ଆଡ଼କୁ ଗର୍ବର ସହିତ ଚାହିଁବା ଦେଖି ତାଙ୍କର କଣ୍ଠସ୍ୱର ଅଧିକ ଦୃଢ଼ ହୁଏ।

*****

ପ୍ରତିବର୍ଷ ବନ୍ୟା ଆସୁଥିବା ଏକ ନଦୀର ମଝିରେ ଅବସ୍ଥିତ କ୍ରମାଗତ ସ୍ଥାନାନ୍ତର ହେଉଥିବା ବାଲୁକାତଟ ଭୂଖଣ୍ଡରେ ରହିବାରେ ଅନେକଗୁଡ଼ିଏ ସମସ୍ୟା ରହିଛି। ଏଠାରେ ପ୍ରତ୍ୟେକ ଲୋକଙ୍କ ଘରେ ଏକ ଡଙ୍ଗା ଅଛି। ଦ୍ୱୀପରେ ଥିବା ଦୁଇଟି ମୋଟର ଚାଳିତ ଡଙ୍ଗା କେବଳ ଜରୁରି ପରିସ୍ଥିତି ପାଇଁ ବ୍ୟବହାର କରାଯାଇଥାଏ। କେତେଗୁଡ଼ିଏ ଘରକୁ ନେଇ ଏକ ସ୍ଥାନରେ ବସିଥିବା ନଳକୂପରୁ ଲୋକମାନେ ନିଜର ଦୈନନ୍ଦିନ ଆବଶ୍ୟକତା ପାଇଁ ପାଣି ଆଣିଥାନ୍ତି। ବନ୍ୟା ସମୟରେ, ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ବିଭାଗ ଏବଂ ଏନଜିଓମାନେ ପିଇବା ପାଣି ଯୋଗାଇ ଦେଇଥାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଘରୁ ସୌର ପ୍ୟାନେଲ ଯୋଗାଇ ଦିଆଯାଇଛି ଏବଂ ଏଥିରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇଥାଏ। ପଡ଼ୋଶୀ ମାଜୋଲି ଦ୍ୱୀପର ଗେଜେରା ଗ୍ରାମରେ ଏକ ସରକାରୀ ରାସନ ଦୋକାନ ରହିଛି। ସେଠାରେ ପହଞ୍ଚିବା ଲାଗି ଚାରିଘଣ୍ଟା ସମୟ ଲାଗିଥାଏ – ପ୍ରଥମେ ସେମାନେ ଏକ ଡଙ୍ଗାରେ ଡିସାଙ୍ଗମୁଖ ଯାଇଥାନ୍ତି, ସେଠାରୁ ମୋଟର ଚାଳିତ ଡଙ୍ଗା ମାଜୋଲିରେ ପହଞ୍ଚନ୍ତି ଓ ପୁଣି ସେଠାରୁ ଗାଁ ଭିତରକୁ ଯିବାକୁ ହୋଇଥାଏ।

ନିକଟତମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାଜୋଲି ଦ୍ୱୀପର ରତନପୁର ମିରି ଗାଁରେ ରହିଛି, ଯାହାକି ଏଠାରୁ ୩-୪ ଘଣ୍ଟାର ବାଟ। ‘‘ଚିକିତ୍ସା ପାଇଁ ବଡ଼ ସମସ୍ୟା ଦେଖାଦିଏ,’’ ଶିବଜୀ କୁହନ୍ତି। ‘‘କେହି ଅସୁସ୍ଥ ହେଲେ, ଆମେ ତାଙ୍କୁ ମୋଟର ଚାଳିତ ଡଙ୍ଗାରେ ହିଁ ଡାକ୍ତରଖାନା ନେଇପାରିବୁ, କିନ୍ତୁ ମୌସୁମୀ ଋତୁରେ ନଈ ପାର ହୋଇଯିବା କଷ୍ଟକର ହୋଇପଡ଼େ।’’ ଡାବଲିକୁ ଆମ୍ବୁଲାନ୍ସ ସେବା ନାହିଁ ଏବଂ ଯେଉଁଠି ନଈ ପାଣି କମ୍‌ ଥାଏ ସେଠାରେ ଲୋକମାନେ ଟ୍ରାକ୍ଟର ସହାୟତାରେ ନଦୀ ପାର ହୋଇଥାନ୍ତି।

Ranjeet Yadav and his family, outside their home: wife Chinta (right), son Manish, and sister-in-law Parvati (behind).
PHOTO • Riya Behl
Parvati Yadav with her son Rajeev
PHOTO • Riya Behl

ବାମ: ରଞ୍ଜିତ ଯାଦବ ଓ ତାଙ୍କ ପରିବାର, ସେମାନଙ୍କ ଘର ବାହାରେ ଛିଡ଼ା ହୋଇଛନ୍ତି: ପତ୍ନୀ ଚିନ୍ତା (ଡାହାଣ), ପୁଅ ମନୀଷ ଏବଂ ବୋହୂ ପାର୍ବତୀ (ପଛ) ଡାହାଣ: ପାର୍ବତୀ ଯାଦବ ତାଙ୍କ ପୁଅ ରାଜୀବ ସହ

Ramvachan Yadav and his daughter, Puja, inside their house.
PHOTO • Riya Behl
Puja and her brother, Dipanjay (left)
PHOTO • Riya Behl

ବାମ: ରାମବଚ୍ଚନ ଯାଦବ ଏବଂ ତାଙ୍କ ଝିଅ ପୂଜା, ସେମାନଙ୍କ ଘରେ ଅଛନ୍ତି ଡାହାଣ: ପୂଜା ଓ ତାଙ୍କ ଭାଇ, ଦୀପଞ୍ଜୟ (ବାମ)

‘‘ଏଠାରେ ଆମର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ) ଦରକାର, କାରଣ ଏଠାରୁ ପାଠପଢ଼ା ଶେଷ ହେବା ପରେ ଛୋଟ ଛୋଟ ପିଲାମାନଙ୍କୁ ନଈ ପାର ହୋଇ ଡିସାଙ୍ଗମୁଖ ଯିବାକୁ ପଡ଼ୁଛି,’’ ଶିବଜୀ କୁହନ୍ତି। ‘‘ବନ୍ୟା ନଥିବା ସମୟରେ ଭଲ, କିନ୍ତୁ ବନ୍ୟା ଋତୁ (ଜୁଲାଇରୁ ସେପ୍ଟେମ୍ବର), ସେମାନଙ୍କ ସ୍କୁଲ ଯିବା ବନ୍ଦ ହୋଇଥାଏ,’’ ଶିବଜୀ କହିଥାନ୍ତି। ତାଙ୍କ ବିଦ୍ୟାଳୟରେ ପାଠ ପଢ଼ାଇବା ଲାଗି ସ୍ଥାୟୀ ଶିକ୍ଷକ ମିଳନ୍ତି ନାହିଁ। ‘‘ଏଠାରେ ନିଯୁକ୍ତ ହୋଇଥିବା ଶିକ୍ଷକମାନେ ରହିବାକୁ ଚାହାନ୍ତି ନାହିଁ। ସେମାନେ ମାତ୍ର କିଛି ଦିନ ପାଇଁ ଆସନ୍ତି [ଏବଂ ଫେରି ଆସିବାକୁ ଚାହାନ୍ତି ନାହିଁ]। ଏହି କାରଣରୁ ଆମ ପିଲାମାନଙ୍କର ପ୍ରଗତି ବାଧାପ୍ରାପ୍ତ ହୋଇଥାଏ।’’

୪ରୁ ୧୧ ବର୍ଷ ବୟସ୍କ ତିନି ପିଲାଙ୍କ ବାପା ୪୦ ବର୍ଷ ବୟସ୍କ ରାମବଚ୍ଚନ ଯାଦବ କୁହନ୍ତି, ‘‘ମୁଁ ମୋ ପିଲାମାନଙ୍କୁ ପାଠ ପଢ଼ିବା ଲାଗି [ନଈ ଆରପାରିକୁ] ପଠାଇବି। ସେମାନେ ଶିକ୍ଷିତ ହେଲେ ଯାଇ କାମ ପାଇପାରିବେ।’’ ରାମବଚ୍ଚନ, ଗୋଟିଏ ଏକରରୁ ସାମାନ୍ୟ ଅଧିକ ପରିମାଣର ଜମିରେ ଲାଉ, ମୂଳା, ବାଇଗଣ, ଲଙ୍କା ଓ ପୁଦିନା ଚାଷ କରି ବିକ୍ରି କରିଥାନ୍ତି। ସେ ମଧ୍ୟ ୨୦ଟି ଗାଈ ରଖିଛନ୍ତି ଏବଂ ସେମାନଙ୍କ କ୍ଷୀର ବିକ୍ରି କରିଥାନ୍ତି। ତାଙ୍କ ପତ୍ନୀ କୁସୁମ (୩୫) ମଧ୍ୟ ଏହି ଦ୍ୱୀପରେ ବଡ଼ ହୋଇଛନ୍ତି। ସେ କୁହନ୍ତି, ତାଙ୍କୁ ଚତୁର୍ଥ ଶ୍ରେଣୀରୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା, କାରଣ ସେତେବେଳେ ଛୋଟ ଝିଅମାନଙ୍କୁ ଅଧିକ ପଢ଼ିବା ଲାଗି ଦ୍ୱୀପ ଛାଡ଼ି ବାହାରକୁ ଯିବାର ସୁଯୋଗ ମିଳୁନଥିଲା।

ରଞ୍ଜିତ ଯାଦବ ତାଙ୍କର ଛଅ ବର୍ଷର ପୁଅକୁ ଏକ ଘରୋଇ ବିଦ୍ୟାଳୟରେ ପାଠ ପଢ଼ାଇଥାନ୍ତି। ଏଥିପାଇଁ ତାଙ୍କୁ ଦିନରେ ଦୁଇଟି ନଦୀ ପାର୍‌ ହେବାକୁ ପଡ଼ିଥାଏ। ‘‘ମୁଁ ମୋ ପୁଅକୁ ବାଇକରେ ନେଇ ଛାଡ଼ିଥାଏ ଓ ଆଣିଥାଏ। ବେଳେ ବେଳେ ଶିବସାଗର (ସହର)ରେ ଥିବା କଲେଜକୁ ଯାଉଥିବା ମୋ ଭାଇ ତା’କୁ ସାଙ୍ଗରେ ନେଇଯାଏ,’’ ସେ କୁହନ୍ତି।

ତାଙ୍କ ଭାଇଙ୍କ ପତ୍ନୀ ପାର୍ବତୀ ଯାଦବ କେବେ ବିଦ୍ୟାଳୟରେ ପାଠ ପଢ଼ିପାରିନାହାନ୍ତି, କିନ୍ତୁ ତାଙ୍କ ଝିଅ ୧୬ ବର୍ଷ ବୟସ୍କା ଚିନ୍ତାମଣି ଡିସାଙ୍ଗମୁଖରେ ଥିବା ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିବାରୁ ସେ ଖୁସି ବ୍ୟକ୍ତ କରିଥାନ୍ତି। ବିଦ୍ୟାଳୟରେ ପହଞ୍ଚିବା ଲାଗି ତାଙ୍କୁ ଦୁଇ ଘଣ୍ଟା ରାସ୍ତା ଚାଲି ଚାଲି ଯିବାକୁ ପଡ଼ିଥାଏ, ବାଟରେ ତାଙ୍କୁ ନଦୀ ମଧ୍ୟ ପାର ହେବାକୁ ପଡ଼େ। ‘‘ବାଟରେ ହାତୀ ସହ ମୁହାଁମୁହିଁ ହେବାର ଆଶଙ୍କା ରହିଛି, ସେଥିପାଇଁ ମୁଁ ଚିନ୍ତିତ ଥାଏ,’’ ପାର୍ବତୀ କୁହନ୍ତି। ଏହାପରେ ତାଙ୍କ ପିଲା ସୁମନ (୧୨) ଓ ରାଜୀବ (୧୧)ଙ୍କୁ ମୁଖ୍ୟ ଭୂଖଣ୍ଡକୁ ପାଠପଢ଼ିବା ଲାଗି ଯିବାକୁ ହେବ।

Students lined up in front of the school at the end of day and singing the national anthem.
PHOTO • Riya Behl
Walking out of the school, towards home
PHOTO • Priti David

ବାମ: ଛୁଟି ବେଳକୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆଗରେ ଧାଡ଼ି ହୋଇ ଛିଡ଼ା ହୋଇଛନ୍ତି ଏବଂ ଜାତୀୟ ସଙ୍ଗୀତ ଗାନ କରୁଛନ୍ତି ଡାହାଣ: ସ୍କୁଲରୁ ବାହାରି ଘରକୁ ଯାଉଛନ୍ତି

କିନ୍ତୁ ନିକଟରେ ଜିଲ୍ଲା ଆୟୁକ୍ତ ଡାବଲି ସାପୋରିର ଲୋକମାନଙ୍କୁ ଶିବସାଗର ସହରକୁ ଯିବା ଲାଗି ପ୍ରସ୍ତାବ ଦେଇଥିଲେ, କିନ୍ତୁ ଏଥିରେ କେହି ରାଜି ହେଲେ ନାହିଁ। ‘‘ଏଠି ଆମ ଘର; ଆମେ ଏହାକୁ ଛାଡ଼ି ଯାଇପାରିବୁ ନାହିଁ,’’ ଶିବଜୀ କୁହନ୍ତି।

ପ୍ରଧାନଶିକ୍ଷକ ଓ ତାଙ୍କ ପତ୍ନୀ ଫୁଲମତୀ ସେମାନଙ୍କ ପିଲାମାନଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ ଗର୍ବ କରିଥାନ୍ତି। ସେମାନଙ୍କ ବଡ଼ ପୁଅ ସୀମା ସୁରକ୍ଷା ବାହିନୀରେ ଚାକିରି କରୁଛି, ଝିଅ ରୀତା (୨୬) ଜଣେ ସ୍ନାତକ ଏବଂ ଗୀତା (୨୫) ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି। ସବା ସାନ ପୁଅ ରାଜେଶ (୨୩) ବାରଣାସୀରେ ଥିବା ଭାରତୀୟ ପ୍ରାଦ୍ୟୋଗିକୀ ପ୍ରତିଷ୍ଠାନ (ବିଏଚୟୁ)ରେ ପାଠ ପଢ଼ୁଛନ୍ତି।

ବିଦ୍ୟାଳୟର ଘଣ୍ଟି ବାଜି ଉଠିଲା ଏବଂ ପିଲାମାନେ ଜାତୀୟ ସଙ୍ଗୀତ ଗାଇବା ଲାଗି ଧାଡ଼ି ହୋଇ ଛିଡ଼ା ହେଲେ। ଏହାପରେ ଯାଦବ ଗେଟ୍‌ ଖୋଲିଦେଲେ ଏବଂ ସେମାନେ ଧାଡ଼ି ହୋଇ ବାହାରିଲେ, ପ୍ରଥମେ ଧିରେ ଧିରେ ଆଉ ତା’ପରେ ଛିନଛତ୍ର ହୋଇ ଦୌଡ଼ିଲେ। ସେଦିନ ସ୍କୁଲ ଛୁଟି ହୋଇ ସାରିଥିଲା, ସାମାନ୍ୟ ଥକି ଯାଇଥିବା ପ୍ରଧାନ ଶିକ୍ଷକ ତାଲା ପକାଉଥିଲେ। ନୂଆ କାହାଣୀ ପୁସ୍ତିକାକୁ ଚାହିଁ ସେ କହିଥିଲେ, ‘‘ପାଠ ପଢ଼ାଇ ଅନ୍ୟମାନେ ହୁଏତ’ ମୋ ଠାରୁ ଅଧିକ ଟଙ୍କା ରୋଜଗାର କରୁଥାଇ ପାରନ୍ତି। କିନ୍ତୁ ମୁଁ ମୋ ପରିବାର ଚଳାଇ ପାରିବି। ତା’ଠାରୁ ଅଧିକ ମୁଁ ଏ କାମ, ଏହି ସେବାକୁ ଉପଭୋଗ କରିଥାଏ… ଏଥିରେ ମୋ ଗାଁ, ମୋ ଜିଲ୍ଲା ଆଗକୁ ବଢ଼ିପାରିବ। ଆସାମ ପ୍ରଗତି ହାସଲ କରିବ।’’

ଏହି କାହାଣୀ ପାଇଁ ଖବର ସଂଗ୍ରହରେ ସହାୟତା ନିମନ୍ତେ ଲେଖିକା ଅୟଙ୍ଗ ଟ୍ରଷ୍ଟର ବିପିନ ଧନେ ଏବଂ କ୍ରିଷ୍ଣ କାନ୍ତ ପେଗୋଙ୍କୁ ଧନ୍ୟବାଦ ଜଣାଇବା ଲାଗି ଚାହୁଁଛନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Priti David

Priti David is a Journalist with the People’s Archive of Rural India, and Editor, PARI Education. She works with educators to bring rural issues into the classroom and curriculum, and with young people to document the issues of our times.

Other stories by Priti David
Photographs : Riya Behl

Riya Behl is a journalist and photographer with the People’s Archive of Rural India (PARI). As Content Editor at PARI Education, she works with students to document the lives of people from marginalised communities.

Other stories by Riya Behl
Editor : Vinutha Mallya

Vinutha Mallya is Editorial Chief at the People’s Archive of Rural India. She has been a journalist and editor for more than two decades, writing and editing news, features and books.

Other stories by Vinutha Mallya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE