html ଟ୍ରେନ୍‌ରେ ୩ ଶ୍ରମିକ

ସନ୍ଧ୍ୟା ୬ଟାରେ ମୁଁ ରାୟପୁରର ତେଲିବନ୍ଧ ଷ୍ଟେସନରେ ରାୟପୁର-ଧାମତରୀ ନ୍ୟାରୋ ଗଜ ଟ୍ରେନ୍‌ରେ ଚଢିବା ପରେ କେହି ଜଣେ ମୋତେ ବସିବା ପାଇଁ ଜାଗା ଦେଲେ । ପ୍ରତିଦିନ ଏହି ଜନଗହଳିପୂର୍ଣ୍ଣ ଟ୍ରେନ୍‌ରେ ଯିବାଆସିବା କରୁଥିବା ଲୋକଙ୍କ ସହିତ କଥା ହେବା ଯେହେତୁ ମୋର ଏହି ଯାତ୍ରାର ଉଦ୍ଦେଶ୍ୟ ଥିଲା ତେଣୁ ମୁଁ ତାଙ୍କର ପ୍ରସ୍ତାବକୁ ଗ୍ରହଣ କଲି ଏବଂ କଥାବାର୍ତ୍ତା ଆରମ୍ଭ କଲି । ମୋର ସହଯାତ୍ରୀ କୃଷ୍ଣକୁମାର ତାରକ ନୱାଗାଓଁ(ଥୁହା) ଗାଁରେ ରହନ୍ତି । ସେଠାରୁ ସେ ୧୨ କିମି ସାଇକେଲ ଚାଳନା କରି କୁରୁଦ୍‌ରେ ପହଞ୍ଚିଥାନ୍ତି । କୁରୁଦ୍ ହେଉଛି ଏହି ରାସ୍ତାରେ ପଡୁଥିବା ଏକ ଷ୍ଟେସନ୍।

ଖୁବ୍ ସକାଳୁ ସେ ଏବଂ ଏହି ରୁଟ୍‌ରେ ପଡୁଥିବା ଗାଁମାନଙ୍କରେ ରହୁଥିବା ଅନ୍ୟ ଶ୍ରମିକମାନେ ଏହି ଟ୍ରେନ୍ ଧରି ଛତିଶଗଡ଼ର ରାଜଧାନୀ ରାୟପୁର ଅଭିମୁଖେ ଯାଇଥାନ୍ତି । ସେମାନେ ଦିନମଜୁରି କାମ  ସନ୍ଧାନରେ ଯାଉଥିବାବେଳେ ବିଳମ୍ବିତ ସନ୍ଧ୍ୟାରେ ଫେରିଥାନ୍ତି । ଏହି ଟ୍ରେନ୍ ଏବଂ ଆଉ ଗୋଟିଏ ଟ୍ରେନ୍ ଧାମତରି ସହର ପର୍ଯ୍ୟନ୍ତ ୬୬ କିମି ରାସ୍ତାକୁ ଅତିକ୍ରମ କରିବା ପାଇଁ ପାଖାପାଖି ୩ ଘଣ୍ଟା ସମୟ ନେଇଥାଏ । ଦିନକୁ ଏଗୁଡ଼ିକ ୩ଥର ଚାଲିଥାଏ।

ଯଦିଓ ଧାମତାରି ଜିଲ୍ଲାର କିଛି ଅଞ୍ଚଳରେ ବର୍ଷକୁ ଦୁଇ ପ୍ରକାର ଫସଲ ଅମଳ ହୋଇଥାଏ, ଏହାଯୋଗୁ କୃଷି ଶ୍ରମିକମାନଙ୍କର ଚାହିଦା ରହିଥାଏ, ତେବେ ଏହି ଯାତ୍ରା ସମୟରେ ଶ୍ରମିକମାନେ ମୋତେ କହିଲେ ଯେ, କୃଷି କ୍ଷେତରୁ ମିଳୁଥିବା ମଜୁରୀ ପ୍ରାୟତଃ ଖୁବ୍ କମ୍ ହୋଇଥାଏ । ଦିନକୁ ଏଥିପାଇଁ ସେମାନଙ୍କୁ ମାତ୍ର ୧୦୦ ଟଙ୍କା ମିଳେ ଯେତେବେଳେକି ରାୟପୁରରେ ମଜୁରୀ ବାବଦକୁ ୨୦୦-୨୫୦ ଟଙ୍କା ମିଳିଥାଏ । ମନରେଗା କିମ୍ବା ଗାଁରେ ଅନ୍ୟାନ୍ୟ ପଞ୍ଚାୟତ କାମ କଲେ ସାଧାରଣତଃ କିଛି ମାସ ପରେ ଟଙ୍କା ଆସିଥାଏ । ସହରରେ କାମ କଲେ କିନ୍ତୁ ସେମାନଙ୍କୁ ତୁରନ୍ତ ମଜୁରୀ ମିଳିଥାଏ । ସେଥିପାଇଁ ସେମାନେ ଦିନକୁ ଛଅ ଘଣ୍ଟା ଧରି ଟ୍ରେନ୍‌ରେ ଯାତ୍ରା କରି ରାୟପୁରରେ କାମ କରିବାକୁ ପସନ୍ଦ କରିଥାନ୍ତି ।

୪୦ ବର୍ଷ ପାଖାପାଖି ବୟସର କୃଷ୍ଣକୁମାରଙ୍କୁ ମୁଁ କେଉଁଠାରୁ ଆସୁଛ ବୋଲି ପଚାରିଲି । ସେ କହିଲେ, ‘‘ମୁଁ କାମ ପାଇଁ ରାୟପୁର ଯାଇଥିଲି ଏବଂ ଏବେ ଘରକୁ ଫେରୁଛି । ମୁଁ କୁରୁଦରେ ଏକ ପାନ ଦୋକାନରେ ମୋର ସାଇକେଲ ରଖିଦେଇଆସିଛି । ମୁଁ ଘରେ ପହଞ୍ଚିବାବେଳକୁ ପ୍ରାୟ ରାତି ୧୦ଟା ହୋଇଯିବ । ସେହି ପାନ ଦୋକାନଟି ସାକକେଲ ଷ୍ଟାଣ୍ଡ ଭାବେ ମଧ୍ୟ କାମ କରିଥାଏ । ସେଠାରେ ପ୍ରତିଦିନ ୫୦-୧୦୦ଟି ସାଇକେଲ ରଖାଯାଉଥିବାବେଳେ ସାଇକେଲ ପିଛା ଦିନକୁ ସେ ୫ଟଙ୍କା ଭଡ଼ା ନିଏ ।’’

‘‘ତୁମର କେତେ ଜମି ଅଛି ଏବଂ ଚଳିତ ଥର କିଭଳି ଫସଲ ହୋଇଥିଲା?’’ ସେ କହିଲେ, ‘‘୫ ଏକର ଜମି ଅଛି। ରବି ଫସଲ ଏବେ ମଧ୍ୟ ଜମିରେ ରହିଛି (ଆମେ ଯେତେବେଳେ ସାକ୍ଷାତ କରିଥିଲୁ) । ଆମେ ଅମଳ ହୋଇଥିବା କିଛି ଖରିଫ ଧାନ ବିକ୍ରି କରିଦେଲୁ ଏବଂ କିଛି ମୋର ପରିବାରର ଖାଇବା ପାଇଁ ରଖିଦେଲୁ ।’’ ତାଙ୍କର ଜଳସେଚିତ ଜମିରେ ଦୁଇ ପ୍ରକାର ଫସଲ ହୋଇଥାଏ । ଚାଷ ଋତୁ ସମୟରେ ତାଙ୍କର ପୂରା ପରିବାର ଏକାଠି ହୋଇ କାମ କରିଥାଏ । ‘‘ଆମକୁ ସାର, ଖତ ଓ ଅନ୍ୟାନ୍ୟ ଜିନିଷପତ୍ର ପାଇଁ ୨୫-୩୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଆମ ପରିବାରରେ ୪୫ ଜଣ ସଦସ୍ୟ ଅଛନ୍ତି । ଆମେ ୫ ଭାଇ ବାହାହୋଇସାରିଛୁ ଏବଂ ଆମର ପିଲାମାନେ ଅଛନ୍ତି । ମୋର ପତ୍ନୀ ହେଉଛନ୍ତି ବିମଳା ଏବଂ ମୋର ୫ଜଣ ସନ୍ତାନ ଅଛନ୍ତି।’’

ମୁଁ କଥାବାର୍ତ୍ତା ଜାରି ରଖିଲି: ତୁମେ କେତେ ପର୍ଯ୍ୟନ୍ତ ପାଠ ପଢିଛ? ‘‘ମୁଁ ତୃତୀୟ ଶ୍ରେଣୀ ଯାଏ ପଢିଛି । ମୋର ବାପାମା’ ମୋତେ ଅଧିକ ପଢିବାକୁ ଛାଡ଼ିଲେ ନାହିଁ, ତା’ ପରିବର୍ତ୍ତେ ସେମାନେ ମୋତେ କାମ କରିବାକୁ କହିଲେ। ଆମର ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା । ମୋ ବାପାଙ୍କର ୩ ଜଣ ପତ୍ନୀ ଥିଲେ । ପ୍ରଥମ ପତ୍ନୀଙ୍କ ପକ୍ଷରୁ ୨ ଜଣ ପୁଅ ଓ ୨ ଜଣ ଝିଅ ଥିଲେ- ମୁଁ ସେମାନଙ୍କ ମଧ୍ୟରୁ ଅନ୍ୟତମ ।’’

'If we miss the train, we just go back home,' says Krishna Kumar, because a bus ticket is not affordable and Raipur is too far to reach by his bicycle
PHOTO • Purusottam Thakur

କୃଷ୍ଣକୁମାର କହନ୍ତି, ‘‘ ଯଦି ଆମେ ଟ୍ରେନ୍ ଧରି ନପାରୁ ତା’ ହେଲେ ଘରକୁ ଫେରିଯାଉ କାରଣ ବସ୍‌ରେ ଟିକଟ କରିଯିବା ସମ୍ଭବପର ନୁହେଁ ଏବଂ ରାୟପୁର ବହୁତ ଦୂର ହୋଇଥିବାରୁ ସାଇକେଲ ଚଳାଇ ପହଞ୍ଚିବା ଅସମ୍ଭବ।’’

କୃଷ୍ଣକୁମାର ଓବିସି ଶ୍ରେଣୀଭୁକ୍ତ ଧିମାର ଜାତିର ଲୋକ, ଯେଉଁମାନଙ୍କର ପାରମ୍ପରିକ ବୃତ୍ତି ଥିଲା ମାଛ ଧରିବା । ତାଙ୍କର ବଡ଼ ପରିବାର ଏକ ଛପର ଘରେ ଏକାଠି ରହନ୍ତି । ସେମାନଙ୍କର ମିଳିତ ବିପିଏଲ (ଦାରିଦ୍ର‌୍ୟ ସୀମାରେଖା ତଳେ) ରାସନ୍ କାର୍ଡ ମାଧ୍ୟମରେ ସେମାନେ ମାସକୁ ୩୫ ଟଙ୍କା ବିନିମୟରେ ୩୫ କିଲୋ ଚାଉଳ ପାଇଥାନ୍ତି, ଯାହାକି ୫ ଦିନରୁ ଅଧିକ ଯାଏ ନାହିଁ । ସେମାନଙ୍କର ରାସନ୍ କାର୍ଡରେ ପ୍ରତି ପରିବାର (ସେମାନଙ୍କର ୫ ଭାଇ ବିଶିଷ୍ଟ ଯୌଥ ପରିବାର)କୁ  ରିହାତି ଦରରେ ୨ କିଲୋ କିରୋସିନ୍, ଏକ କିଲୋ ଚିନି, ୨୦୦ ଗ୍ରାମ ମସୁର ଡାଲି ଏବଂ ୨ କିଲୋ ଲୁଣ ମିଳିଥାଏ ।

‘‘ଆମ ଭାଇମାନଙ୍କ ମଧ୍ୟରେ ଭଲ ସଂପର୍କ ଅଛି । ସେମାନେ ଖୁବ୍ ଛୋଟ ଥିବାବେଳୁ ମୁଁ ସେମାନଙ୍କୁ ବଡ଼ କରି ଆସିଛି । ରାଜୀବ ଗାନ୍ଧୀଙ୍କ ମୃତ୍ୟୁର ବର୍ଷକ ପୂର୍ବରୁ ମୋର ମା’ ମରିଗଲେ । ମୋର ବାପା ଚାଲିଯିବା ପରେ ଦୁଇ ସାବତ ମା’ଙ୍କର ମଧ୍ୟ ଦେହାନ୍ତ ହୋଇଗଲା । ମୋର ଭାଇଭଉଣୀମାନେ ଛୋଟ ଥିଲେ ଏବଂ ମୁଁ ପରିବାରର ଦାୟିତ୍ୱ ନେଲି । ମୁଁ ସେମାନଙ୍କୁ ପାଠ ପଢାଇ ପାରିଲି ନାହିଁ । ସାନ ଥିବାବେଳୁ ମୁଁ ଦୁଃଖକଷ୍ଟ ସହ ଅଭ୍ୟସ୍ତ ହୋଇଯାଇଛି । ଖୁସି ହେବା ଏବଂ ଟିକେ ମଉଜମସ୍ତି କରିବାକୁ  ସେତେବେଳେ ସମୟ ନଥିଲା ।’’

ଦିନକୁ ତୁମେ କେତେଟଙ୍କା ରୋଜଗାର କର? ‘‘୨୫୦ ଟଙ୍କା । ଆମେ ତେଲିବନ୍ଧରେ ଧାଡ଼ିବାନ୍ଧି ଛିଡ଼ା ହେଉ ଯେଉଁଠାରୁ କଣ୍ଟ୍ରାକ୍ଟରମାନେ ଆମକୁ ଖୋଜି ନିଅନ୍ତି । ସମୟ ସମୟରେ ଆମକୁ କିଛି କାମ ମିଳେନାହିଁ । ବେଳେବେଳେ ଆମେ  ବିଳମ୍ବିତ ହୋଇଯାଇ ରାୟପୁରରେ ଠିକ୍ ସମୟରେ ପହଞ୍ଚି ପାରୁନା । ଆମେ ସକାଳୁ ୬ଟାରୁ ଘର ଛାଡୁ ଏବଂ ଟ୍ରେନ୍ ସକାଳ ୭.୧୫ ମିନିଟ୍‌ରେ ଛାଡେ । ‘‘ କ’ଣ ପାଇଁ ସେମାନେ ବସ୍ ଧରନ୍ତି ନାହିଁ?’’ ‘‘ ଏହା ଅଧିକ ଦାମ୍ ପଡ଼ିଥାଏ । ତେଲିବନ୍ଧକୁ ଗୋଟିଏ ଟ୍ରେନ୍ ଟିକେଟ୍ ପାଇଁ ୧୫ ଟଙ୍କା ଦେବାକୁ ପଡ଼ିଥାଏ । (କେଉଁ ଷ୍ଟେସନ୍‌ରୁ ଜଣେ ଚଢିବ ତାହା ଉପରେ ମଧ୍ୟ ଟ୍ରେନ୍ ଟିକେଟର ଦାମ୍ ନିର୍ଭର କରେ) ଯେତେବେଳେ କି ବସ୍‌ରେ ଯିବାକୁ ୫୦ ଟଙ୍କା ପଡ଼ିଥାଏ । ତେଣୁ ଯଦି ଆମେ ଟ୍ରେନ୍ ଧରି ପାରୁନା, ତା’ ହେଲେ ଘରକୁ ଫେରିଯାଉ।’’

 ‘‘ତୁମର ଭାଇମାନେ କ’ଣ ପାଇଁ ତୁମ ସହିତ  ଏହି କାମ କରୁନାହାନ୍ତି?’’ ‘‘ମୁଁ ସେମାନଙ୍କୁ ସାଙ୍ଗରେ ଆଣିବାକୁ ଚାହୁଁନାହିଁ । ଯଦି ସେମାନେ ରାୟପୁର ଯିବେ ତା’ ହେଲେ ମଦ୍ୟପାନ କରିବା, ଡ୍ରଗ୍ସ ସହିତ ପରିଚିତ ହୋଇଯିବେ। ଆପଣ ଦେଖିପାରୁଥିବେ କିଛି ଲୋକ ଏଠାରେ (ଟ୍ରେନ୍‌ରେ) ନିଶାଦ୍ରବ୍ୟ ଖାଇ ଜୁଆଖେଳୁଛନ୍ତି । ମୋର ଭାଇମାନେ ଗାଁରେ କାମ କରନ୍ତି ନ ହେଲେ ଖୁରୁଦରେ କାମ କରି ଦିନକୁ ୧୦୦ ଟଙ୍କା ଲେଖାଏଁ ରୋଜଗାର କରିଥାନ୍ତି ।’’

Trains along the Raipur-Dhamtari stretch ply three times a day, 2.5 to 3 hours one way, carrying hundreds of daily wage workers each time
PHOTO • Purusottam Thakur

ରାୟପୁର-ଧମତରି ମଧ୍ୟରେ ଟ୍ରେନ୍ ଦିନକୁ ୩ ଥର ଚାଲିଥାଏ । ଗୋଟିଏ ଥର ଯିବାପାଇଁ ୨.୫ରୁ ୩ ଘଣ୍ଟା ସମୟ ଲାଗିଥାଏ । ପ୍ରତି ଥର ଏଥିରେ ଶହ ଶହ ଦିନମଜୁରିଆ ଯାତ୍ରା କରିଥାନ୍ତò

୫ ପିଲାଙ୍କ ମଧ୍ୟରୁ କୃଷ୍ଣକୁମାରଙ୍କର ବଡ଼ ଝିଅ କୁସୁମ ଯୁକ୍ତ ଦୁଇରେ ପଢୁଛି ଏବଂ ତାଙ୍କର ସବା ସାନପୁଅ ଖିଲେଶ୍ୱର ଷଷ୍ଠ ଶ୍ରେଣୀରେ ପଢୁଛି । ଅନ୍ୟପିଲାମାନେ ତା’ ମଝିର ଶ୍ରେଣୀଗୁଡ଼ିକରେ ପଢୁଛନ୍ତି । କୁସୁମର ଅଧ୍ୟବସାୟ ପାଇଁ କୃଷ୍ଣକୁମାର ଗର୍ବ ଅନୁଭବ କରନ୍ତି । କିନ୍ତୁ କହନ୍ତି ଯେ, ‘‘ସେମାନେ ସମସ୍ତଙ୍କର ବଡ଼ ସ୍ୱପ୍ନ ଅଛି-ଶିକ୍ଷକ, ନର୍ସ, ପୁଲିସ, ଓକିଲ ହେବା ଇତ୍ୟାଦି । ସେଥିପାଇଁ ମୁଁ ଚିନ୍ତିତ ରହୁଛି । ମୁଁ ଜଣେ ଗରିବ ଲୋକ । ମୁଁ ସେମାନଙ୍କୁ କହେ ଯେ ମୁଁ ସେମାନଙ୍କୁ ଠିକ୍ ଭାବେ ପାଠ ପଢାଇ ପାରିବି ନାହିଁ । ପିଲାମାନେ କହନ୍ତି ସେମାନେ ଏହାକୁ ପରୱା କରନ୍ତି ନାହିଁ ଏବଂ କୌଣସି ମତେ ସେମାନଙ୍କର ପାଠପଢା ଜାରି ରଖିବେ ।’’

କୃଷ୍ଣକୁମାରଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ମୁଁ ପ୍ରଦୀପ ସାହୁଙ୍କୁ ଲକ୍ଷ୍ୟ କଲି । ପ୍ରାୟ ୧୮ ବର୍ଷ ବୟସର ପ୍ରଦୀପ ହାତରେ ଏକ ମୋବାଇଲ ଫୋନ୍ ଧରି ଆମର କଥାବାର୍ତ୍ତାକୁ ଶୁଣୁଥିଲେ । ସେ ଏକ ଟି-ସାର୍ଟ ଓ ଜିନ୍ସ ପିନ୍ଧିଥିଲେ । ଟ୍ରେନ୍‌ର କବାଟ ନିକଟରେ ଥିବା ଗୋଟିକିଆ ସିଟ୍‌ରେ ସେ ବସିଥିଲେ ।

ପ୍ରଦୀପ ବ୍ଲକ୍ ମୁଖ୍ୟାଳୟ କୁରୁଦଠାରୁ ପ୍ରାୟ ୮ କିମି ଦୂର ଆଟଙ୍ଗ ଗାଁରେ ରୁହନ୍ତି । ମୁଁ ତାଙ୍କୁ କେଉଁଠାରୁ ଫେରୁଛ ବୋଲି ପଚାରିଲି । ସେ କହିଲେ, ‘‘ମୁଁ ରାୟପୁରକୁ କାମପାଇଁ ଯାଇଥିଲି । ଗତ ୪ ଦିନ ହେଲା ମୁଁ ସେଠାକୁ ଯାଉଛି । ଚଳିତବର୍ଷ ମୁଁ ଯୁକ୍ତ ଦୁଇ ପରୀକ୍ଷା ଦେଇଛି । ପ୍ରଥମ ଥର ପାଇଁ ମୁଁ ଏଥର ଘରଠାରୁ ଦୂରରେ କାମ କରୁଛି ।’’

ସେ ଆହୁରି କହିଲେ,  ‘‘ମୋର ବାପା କୁରୁଦ ମଣ୍ଡିରେ କୁଲି ଭାବେ କାମ କରନ୍ତି । କିନ୍ତୁ ସେ ଏବେ ଅସୁସ୍ଥ ଅଛନ୍ତି ଏବଂ ପରିବାରରେ ଅନ୍ୟ କେହି ରୋଜଗାରିଆ ଲୋକ ନାହାନ୍ତି ।’’ ତାଙ୍କ ବାପାଙ୍କୁ ଜ୍ୱର ହୋଇଥିବା ଯୋଗୁ ପ୍ରଦୀପଙ୍କର ମା’ କାମକୁ ଯାଇପାରୁନାହାନ୍ତି । ସେ ଦିନମଜୁରିଆ ଭାବେ କାମ କରି ଦିନକୁ ୧୦୦ ଟଙ୍କା ରୋଜଗାର କରିଥାନ୍ତି । ତେଣୁ ପରିବାରର ଆର୍ଥିକ ସ୍ଥିତି ଆହୁରି ସଙ୍କଟଜନକ ହୋଇପଡ଼ିଛି ।

ପ୍ରଦୀପ କହନ୍ତି, ‘ମୁଁ ମଧ୍ୟ କାମ କରିବାକୁ ଚାହୁଁଛି ବୋଲି କହିବା ପରେ ମୋର ବାପା ଏବଂ ଭାଇ ଦୁଃଖୀ ହୋଇଗଲେ । ମୁଁ ସେମାନଙ୍କୁ କୌଣସି ମତେ ବୁଝାଇଦେଲି ଯେ, ବାପା ପୁଣିଥରେ ଠିକ୍ ହୋଇଯିବା ଯାଏଁ କେବଳ ମୁଁ କାମ କରିବି । ଆଜି ମୋର ଭାଇ ପଙ୍କଜ ମଧ୍ୟ କାମ କରିବାକୁ ଯାଇଛି । ସେ କଲେଜରେ ପ୍ରଥମ ବର୍ଷରେ ପଢୁଛି ଏବଂ ପରୀକ୍ଷା ମଧ୍ୟରେ ତାରକିଛି ଫାଙ୍କା ଦିନ ଅଛି । ସେ ମଣ୍ଡିରେ କିରାଣୀ ଭାବେ କାମ ପାଇଯାଇଛି । ସେଠାରେ ତାକୁ ଜିନିଷପତ୍ରପୂର୍ଣ୍ଣ ବ୍ୟାଗ୍ ପହଞ୍ଚାଇବା ସହିତ ଏକାଉଣ୍ଟ କାମ ଦେଖିବାକୁ ପଡିବ । ମୁଁ ମଧ୍ୟ କିରାଣୀ ଭାବେ କାମ ପାଇଥିଲି । କିନ୍ତୁ ସେମାନେ ମୋତେ ମାତ୍ର ୩୦୦୦ ଟଙ୍କା ଦେଉଥିଲେ । ତେଣୁ ଗାଁର ଯେଉଁ ଲୋକମାନେ ପ୍ରତିଦିନ ରାୟପୁର ଯାଉଥିଲେ ମୁଁ ସେମାନଙ୍କୁ ମୋତେ ସାଙ୍ଗରେ ନେଇଯିବାକୁ କହିଲି । ସେଠାରେ ମୁଁ ଦିନକୁ ୨୫୦ ଟଙ୍କା ପାଉଛି ।’’

'Usually there is no space in the bogie and people hang outside the doors', says Pradeep Sahu
PHOTO • Purusottam Thakur

ପ୍ରଦୀପ ସାହୁ କହନ୍ତି, ‘ସାଧାରଣତଃ ବଗିରେ ସ୍ଥାନ ନଥାଏ ଏବଂ ଲୋକମାନେ କବାଟରେ ଓହଳି ଯାଇଥାନ୍ତି’

ରାୟପୁରରେ କାମ କରିବା କିପରି ଲାଗୁଛି? ‘‘ କିଛି ଅସୁବିଧା ନାହିଁ, କିନ୍ତୁ ଛାତ୍ରଜୀବନ ସବୁଠୁ ଭଲ । ପ୍ରଥମ ଦିନ ମୋତେ ଏକ ବିପଦପୂର୍ଣ୍ଣ ସିୱରରେ କାମ କରିବାକୁ ପଡ଼ିଲା । ମୋତେ ତାହା ଟିକେ ହେଲେ ଭଲ ଲାଗିଲା ନାହିଁ। ଅନ୍ୟ ଶ୍ରମିକମାନେ ଭଲ ଥିଲେ। କିନ୍ତୁ ପ୍ରତିଦିନ ଯାତ୍ରା କରିବା ଖୁବ୍ କଷ୍ଟ । ଆଜି ରବିବାର ଥିବାରୁ ଟ୍ରେନ୍‌ରେ ସେତେ ଅଧିକ ଗହଳି ନାହିଁ । ସାଧାରଣତଃ ଅନ୍ୟ ଦିନମାନଙ୍କରେ କିନ୍ତୁ ବଗିରେ ସ୍ଥାନ ନଥାଏ ଏବଂ ଲୋକମାନେ ଟ୍ରେନ୍‌ର କବାଟରେ ଓହଳି ହୋଇଯାଇଥାନ୍ତି ।’

ରୋଜଗାର କରିଥିବା ଟଙ୍କାକୁ ସେ କିପରି ଖର୍ଚ୍ଚ କରିବେ? ପ୍ରଦୀପ କହନ୍ତି, ‘‘ସେ ପ୍ରଥମେ ତାଙ୍କ ମା’ଙ୍କ ପାଇଁ ଖଣ୍ଡେ ଶାଢି କିଣିବେ । ତା’ ପରେ ନିଜ ପାଇଁ ଏକ ମୋବାଇଲ ଏବଂ କିଛି ପୋଷାକପତ୍ର ମଧ୍ୟ କିଣିବେ ।  ଏବେ ସେ ଯେଉଁ ମୋବାଇଲ ବ୍ୟବହାର କରୁଛନ୍ତି ତାହା ତାଙ୍କ ବାପାଙ୍କର । ଯାତ୍ରା କରୁଥିବା ସମୟରେ ସେ ଯେପରି ସେମାନଙ୍କ ସହିତ ଯୋଗାଯୋଗ କରିପାରିବେ ସେଥିଲାଗି ବାପା ତାଙ୍କୁ ଏହି ମୋବାଇଲ୍ ଦେଇଛନ୍ତି । ସମୟ ସମୟରେ ମୁଁ ରାତିବେଳା କାମ ପାଇଲେ ସେମାନଙ୍କୁ ଜଣାଇପାରିବି ଯେ, ରାତିରେ ମୁଁ ଘରକୁ ଫେରୁନାହିଁ । ମୁଁ ପଚାରିଲି, ‘‘ତୁମେ ତୁମର ମୋବାଇଲରେ ଇଣ୍ଟରନେଟ୍ ସଂଯୋଗ ନେବାକୁ ଚିନ୍ତା କରିଛ କି?’’ ‘‘ ହଁ, ବର୍ତ୍ତମାନ ଇଣ୍ଟରନେଟ୍ ସଂଯୋଗ ରଖିବା ଆବଶ୍ୟକୀୟ ହୋଇପଡ଼ିଛି । ଆମେ ତାହା ଦ୍ୱାରା ଗୀତଠାରୁ ଆରମ୍ଭ କରି ଖବର ପର୍ଯ୍ୟନ୍ତ କିଛି ବି ଡାଉନଲୋଡ୍ କରିପାରିବୁ ।’’

ଏବେ ରାତି ୯ଟା ବାଜିବାକୁ ଯାଉଛି ଏବଂ ଟ୍ରେନ୍ ଖୁରୁଦ ଷ୍ଟେସନ୍‌ରେ ପହଞ୍ଚୁଛି । ମୁଁ ଦେଖିଲି ଯେ, ଜଣେ ପ୍ରାୟ ୪୦ ବର୍ଷୀୟା ମହିଳା ଯାତ୍ରା କରୁଛନ୍ତି ଏବଂ ସେ ବାହାରକୁ ଦେଖୁଛନ୍ତି । ମୁଁ ତାଙ୍କୁ କେତେବର୍ଷ ହେଲା ଏହି ଟ୍ରେନ୍‌ରେ ଯାତ୍ରା କରୁଛ ବୋଲି ପଚାରିଲି । ସେ କହିଲେ, ‘‘୧୮ ବର୍ଷ ହୋଇଗଲାଣି । ମୁଁ ପ୍ରତିଦିନ ଅଭନପୁର (ରାୟପୁରରୁ ୩୦ କିମି ଦୂର)କୁ ଯାଇଥାଏ । ସେଠାରେ ମୁଁ ପରିବା ବିକ୍ରି କରିଥାଏ ।’’

ଆଜି ତୁମେ କେତେ ଟଙ୍କା ରୋଜଗାର କଲ? ‘‘ମୁଁ ପ୍ରାୟ ୨୫୦ ଟଙ୍କାର ପରିବା ବିକ୍ରି କରି ଆଜି ୧୦୦ ଟଙ୍କା [ଲାଭ] ପାଇଲି । ଆଜି ବ୍ୟବସାୟ ପାଇଁ ଭଲ ଦିନ ନଥିଲା । ସାଧାରଣତଃ ମୁଁ ୨୫୦-୩୦୦ ଟଙ୍କା ରୋଜଗାର କରେ ।’’

ସେ ମୋତେ ତାଙ୍କର ନାମ ପ୍ରକାଶ ନ କରିବାକୁ ଅନୁରୋଧ କଲେ । ସେ କହିଲେ, ‘‘ ମୁଁ ଶିକ୍ଷିତ ନୁହେଁ, କିନ୍ତୁ ମୋର ସଂପର୍କୀୟମାନେ ଶିକ୍ଷିତ ଏବଂ ସେମାନେ ଭଲ ଚାକିରି କରୁଛନ୍ତି । ଯଦି ମୋର ନାଁ କେଉଁଠାରେ ବାହାରେ ତା’ ହେଲେ ସେମାନେ ଭାରତର ଯେକୌଣସି ଅଞ୍ଚଳରେ ଥିଲେ ମଧ୍ୟ ତାହା ପଢିବେ । ଏହା ମୋର ସମ୍ମାନର ପ୍ରସଙ୍ଗ ।’’

Kendri to Dhamtari train
PHOTO • Purusottam Thakur

୨୦୧୮ ମସିହା ଏପ୍ରିଲ ମାସରେ ସରକାର ଏହି ଟ୍ରେନ୍ ରୁଟ୍‌କୁ ୫୨ କିମିକୁ କମାଇ ଦେଇଛନ୍ତି ଏବଂ ରାୟପୁରରେ ରେଳଧାରଣାର କିଛି ଅଂଶକୁ ଏକ ପ୍ରସ୍ତାବିତ ଏକ୍ସପ୍ରେସୱେ ପାଇଁ ଅଧିଗ୍ରହଣ କରିଛନ୍ତି

ମୁଁ ତାଙ୍କୁ ନାଁ ପ୍ରକାଶ ନ କରିବାକୁ ପ୍ରତିଶ୍ରୁତି ଦେଲି । ସେ ଆହୁରି କହିଲେ, ‘‘ପରିବା କିଭଳି ବିକ୍ରି କରିବାକୁ ହୁଏ ତାହା ମୋତେ ଜଣା। ସମସ୍ତେ ଏହା କରିପାରିବେ ନାହିଁ । ଉଦାହରଣସ୍ୱରୂପ ତୁମେ ଏକ ଚାକିରି କରିଛ । ତାକୁ କ’ଣ ଏହି ଶ୍ରମିକମାନେ କରିପାରିବେ?’’ ମୁଁ ତାଙ୍କ କଥାରେ ମୁଣ୍ଡ ହଲାଇଲି ।

ସେ ସ୍କୁଲ ଯାଇଥିଲେ କି? ‘‘ ଜମା ନୁହେଁ । ଆମ ନିକଟରେ ଠିକ୍ ଭାବେ ଖାଇବା ପାଇଁ ବି ସମ୍ବଳ ନଥିଲା । ମୋର ବାପାମା’ ଦିନ ମଜୁରିଆ ଭାବେ କାମ କରୁଥିଲେ । ଯେତେବେଳେ କି ମୁଁ ମୋର ସାନ ଭାଇଭଉଣୀଙ୍କର ଯତ୍ନ ନେଉଥିଲି । ମୁଁ କେବେହେଲେ ଖଣ୍ଡେ ଶହେ ଟଙ୍କିଆ ଦେଖିନଥିଲି!’’

କୁସୁମଙ୍କର ବଡ଼ ପୁଅ ବିବାହ କରିସାରିଛି ଏବଂ ସେ ସେହି ଟ୍ରେନ୍‌ରେ କାମ ପାଇଁ ଯାଇଥାଏ । କିନ୍ତୁ ସେ କହନ୍ତି, ‘‘ଏବେ ଗାଁରେ କିଛି କୃଷିକାମ ଅଛି, ତେଣୁ ସେ ସେଠାରେ କାମ କରୁଛି । ମୋର ସାନ ପୁଅ ନିକଟରେ ଛଅମାସ ଧରି କମ୍ପ୍ୟୁଟର ତାଲିମ ନେବାକୁ ମାସକୁ ୨୦୦-୩୦୦ଟଙ୍କା ଲେଖାଁ ଦେଇଥିଲା । ଏବେ ସେ ସେହି ସେଣ୍ଟରରେ କାମ କରୁଛି ଏବଂ ମାସକୁ ୩୦୦୦-୩୫୦୦ ଟଙ୍କା ପାଉଛି । ସେ ମୋତେ କିଛି ଟଙ୍କା ଦିଏନାହିଁ କିନ୍ତୁ ତାର ଭଉଣୀକୁ ୧୦୦୦ ଟଙ୍କା ଲେଖାଏଁ ଦେଇଥାଏ । ତାର ଭଉଣୀ କମର୍ସ ପାଠ୍ୟକ୍ରମରେ ଚତୁର୍ଥ ବର୍ଷରେ ପଢୁଛି ।’’ ସେ ପୁଣି କହିଲେ, ‘‘କିନ୍ତୁ ମୁଁ କିପରି ନାଁ ଦସ୍ତଖତ କରିବାକୁ ହୁଏ ତାହା ଜାଣିନାହିଁ । ଯେଉଁ ଲୋକ ମୋତେ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାରେ ସାହାଯ୍ୟ କରିଥିଲେ, ତାଙ୍କ ଠାରୁ ମୁଁ ଏହା ଶିଖିଥିଲି ।’’

କୁରୁଦ୍‌ଠାରୁ ପ୍ରାୟ 2 କିଲୋମିଟର ପୂର୍ବରୁ, ବିଜୁଳିବତୀ ଜଳୁଥିବା ଗୋଟିଏ ଘର ଆଡ଼କୁ ସେ ଇଙ୍ଗିତ କଲେ ଏବଂ ମୋତେ କହିଲେ ଯେ ତାହା ତାଙ୍କ ଘର । ଟ୍ରେନ୍‌ ଧୀମା ହେବା ଆରମ୍ଭ କରିବା ପରେ ସେ ତାଙ୍କର ପରିବା ବ୍ୟାଗ୍‌ ଧରି ଟ୍ରେନ୍‌ରୁ ଓହ୍ଲାଇ ଗଲେ ।

ଏପ୍ରିଲ 2018ରେ, ସରକାର ଏହି ଟ୍ରେନ୍‌ ରୁଟ୍‌କୁ 52 କିଲୋମିଟରକୁ କମାଇ ଦେଲେ, ଏବଂ ରାୟପୁର ନିକଟରେ ରେଲୱେ ଟ୍ରାକ୍‌ର କିଛି ଅଂଶ ନେଲେ ପ୍ରସ୍ତାବିତ ଏକ୍ସପ୍ରେସ୍‌ୱେ ନିର୍ମାଣ କରିବା ପାଇଁ ଏବେ ଟ୍ରେନ୍‌ର ଶେଷ ଷ୍ଟେସନ୍‌ ତେଲିବନ୍ଧ ନୁହେଁ କେନ୍ଦ୍ରି, ଶ୍ରମିକମାନେ ଗୁରୁତର ଭାବେ ପ୍ରଭାବିତ ହୋଇଆସୁଛନ୍ତି

ରୁଚି ଶ୍ରୀବାସ୍ତବଙ୍କ ଦ୍ଵାରା ହିନ୍ଦିରେ ଲିଖିତ ଆଲେଖ୍ୟରୁ ଅନୁବାଦ କରାଯାଇଛି


ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Purusottam Thakur
purusottam25@gmail.com

Purusottam Thakur is a 2015 PARI Fellow. He is a journalist and documentary filmmaker. At present, he is working with the Azim Premji Foundation and writing stories for social change.

Other stories by Purusottam Thakur