ବୁଦ୍ଧ ନେପାଳରୁ ଆସିଥିବା ଜଣେ ପ୍ରବାସୀ। ବିହାରଶରିଫରେ ଥିବା ମଦ୍ରାସା ଅଜିଜିୟାରେ ଗତ ଦେଢ଼ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି। “ମୁଁ ଯେତେବେଳେ ସେମାନଙ୍କୁ ରହିଯିବାକୁ ଅନୁରୋଧ କଲି, ସେମାନେ ମୋତେ ଆକ୍ରମଣ ଆରମ୍ଭ କରିଦେଲେ। ସେମାନେ ମୋତେ ମୁଥ ମାରି କହିଲେ, “ସାଲା ନେପାଲୀ, ଭାଗୋ ୟହାଁ ସେ, ନହିଁ ତୋ ମାର୍ ଦେଙ୍ଗେ (ତୁ ଶ... ନେପାଳୀ ପଳା ଏଠୁ ନହେଲେ ଆମେ ତୋତେ ମାରିଦେବୁ)
ସେ ୩୧ ମାର୍ଚ୍ଚ, ୨୦୨୩ର ଘଟଣା ବିଷୟରେ ଉଲ୍ଲେଖ କରୁଛନ୍ତି, ଯେତେବେଳେ ସହରରେ ରାମନବମୀ ଶୋଭାଯାତ୍ରା ସମୟରେ ସାମ୍ପ୍ରଦାୟିକ ଦଙ୍ଗାକାରୀମାନେ ମଦ୍ରାସା (ଇସଲାମୀୟ ଅଧ୍ୟୟନ ବିଦ୍ୟାଳୟ ଏବଂ ପାଠାଗାର)ରେ ନିଆଁ ଲଗାଇ ଦେଇଥିଲେ।
“ପାଠାଗାରରେ କିଛି ସୁରକ୍ଷିତ ନାହିଁ,’’ ବୁଦ୍ଧ କୁହନ୍ତି। “ସେମାନଙ୍କର ଆଉ ସୁରକ୍ଷାକର୍ମୀ ଦରକାର ନାହିଁ। ଏବେ ମୁଁ ବେରୋଜଗାର ହୋଇଯାଇଛି।”
କେବଳ ମଦ୍ରାସା ଅଜିଜିୟା ନୁହେଁ, ବିହାର ନାଳନ୍ଦା ଜିଲ୍ଲାର ମୁଖ୍ୟାଳୟ ବିହାରଶରିଫ ସହରରେ ଥିବା ଅନ୍ୟାନ୍ୟ ଧର୍ମପୀଠକୁ ସାମ୍ପ୍ରଦାୟିକ ଦଙ୍ଗାକାରୀମାନେ ଆକ୍ରମଣ କରିବାର ଗୋଟିଏ ସପ୍ତାହ ପରେ ଏପ୍ରିଲ ୨୦୨୩ର ପ୍ରଥମ ସପ୍ତାହରେ ପରୀ ଏହି ମଦ୍ରସାକୁ ଯାଇଥିଲା। ପ୍ରାରମ୍ଭରେ ପ୍ରଶାସନ ପକ୍ଷରୁ ଅପରାଧିକ କାର୍ଯ୍ୟାନୁଷ୍ଠାନ ସଂହିତା (ସିଆରପିସି) ୧୯୭୩ ଅନୁଯାୟୀ ସହର ସାରା ୧୪୪ ଧାରା ଜାରି କରାଯାଇଥିଲା ଏବଂ ଇଣ୍ଟରନେଟ୍ ବନ୍ଦ କରି ଦିଆଯାଇଥିଲା, କିନ୍ତୁ ଗୋଟିଏ ସପ୍ତାହ ପରେ ଉଭୟକୁ ହଟାଇ ଦିଆଯାଇଥିଲା।
ଆମେ ସେଠାକୁ ଯାଇଥିବା ସମୟରେ ଜଣେ ପୂର୍ବତନ ଛାତ୍ର ସୟଦ ଜମାଲ ହସନ ଏପଟସେପଟ ହେଉଥାନ୍ତି। ସେ କୁହନ୍ତି, “ପାଠାଗାରରେ ଅନେକ ପୁସ୍ତକ ଥିଲା, କିନ୍ତୁ ମୁଁ ସେଥିମଧ୍ୟରୁ ସବୁ ପଢ଼ିପାରିନଥିଲି।” ସେ ଉକ୍ତ ବିଦ୍ୟାଳୟରେ ୧୯୭୦ ମସିହାରେ ଜଣେ ତୃତୀୟ ଶ୍ରେଣୀ ଛାତ୍ର ଭାବେ ନାମ ଲେଖାଇଥିଲେ ଏବଂ ଆଲିମ (ସ୍ନାତକ) ପର୍ଯ୍ୟନ୍ତ ପଢ଼ିଥିଲେ।
“ଆଉ କିଛି ଅଛି କି ନାହିଁ ତାହା ଦେଖିବା ପାଇଁ ମୁଁ ଆସିଛି,” ହସନ କୁହନ୍ତି।