html ଜୈତିର ଶେଷ ବାଉଁଶ କାରିଗର

ଏକ ଶୀତୁଆ ସକାଳରେ ମୁନସିଆରି ତହସିଲର ଜୈତି ଗାଁରେ ଥିବା ନିଜ ଘରର ଛାତ ଉପରେ ବସି ଝୁଡି ବୁଣୁଥିଲେ ନୈନରାମ ବାଜେଲା, ତାଙ୍କ ପଛରେ ଥିଲା ଲୁଗା ଶୁଖାଯାଉଥିବା ତାର, ମୁଣ୍ଡ ଉପରେ ବାଦଲ ଭାସୁଥିଲା ଏବଂ ଅଦୂରରେ ଥିଲା ପଞ୍ଚଚୂଳୀ ପାହାଡ। ସେ ହିମାଳୟ ଅଞ୍ଚଳରେ ଦେଖାଯାଉଥିବା ଏକ ପ୍ରକାର ବାଉଁଶ ରିଙ୍ଗଲକୁ ପତଳା ପାତିଆ କରିବାକୁ ବଙ୍କା ଛୁରୀରେ କାଟୁଥିଲେ। ପାହାଡି ଭାଷାରେ ସେ ତାକୁ ବରାଂଶ ବୋଲି କହୁଥିଲେ। ଭୀଷଣ ଥଣ୍ଡା ସତ୍ୱେ ସେ କୌଣସି ଗ୍ଲୋଭସ୍ ବା ମୋଜା ପିନ୍ଧି ନଥିଲେ। ତାଙ୍କ ଦେହରେ ଥଣ୍ଡା ପବନ ପଶି ଯାଉଥିଲା। କିନ୍ତୁ ତାଙ୍କ କାମ ଜାରି ରଖିଥିଲେ ନୈନରାମ।  

କ୍ୟାମେରା ବା ମୋ ଆଡକୁ ନ ଚାହିଁ ସେ କହିଲେ, ଗତକାଲି ମୁଁ ଏହି ବାଉଁଶ ଜଙ୍ଗଲରୁ ସଂଗ୍ରହ କରିଥିଲି। ଏହି ପାତିଆ ସବୁ ଦୁଇଟି ଝୁଡି କରିବାକୁ ଯଥେଷ୍ଟ। ୧୨ ବର୍ଷ ବୟସରୁ ନୈନରାମ ବାଉଁଶ ସାମଗ୍ରୀ ତିଆରି କରିଆସୁଛନ୍ତି। ସେ ତାଙ୍କ ବାପାଙ୍କଠାରୁ ଏହି କଳା ଶିଖିଥିଲେ। କମ୍ ଆୟ ହେଉଥିବା ଯୋଗୁଁ ତାଙ୍କ ବାପା ତାଙ୍କୁ ଏହି କାମ କରିବାକୁ ଅନୁମତି ଦେବାକୁ ଦ୍ୱିଧାବୋଧ କରୁଥିଲେ। ତେଣୁ ସେ କହନ୍ତି, ପିଲାଦିନରୁ ମୁଁ ଲୋକଙ୍କ ଜମିରୁ ରିଙ୍ଗଲ ଚୋରି କରି ଝୁଡି, ଫୁଲଦାନୀ, ଡଷ୍ଟବିନ୍, ପେନଷ୍ଟାଣ୍ଡ ଏବଂ ଗରମ ରୁଟି ରଖିବା ପାଇଁ ପାତ୍ର ତିଆରି କରୁଥିଲି।

ଏବେ ନୈନରାମଙ୍କୁ ୫୪ ବର୍ଷ। ସେ କେବଳ ଛୁରୀ ଓ ହାତ ବ୍ୟବହାର କରି ବାଉଁଶରୁ ସବୁ ପ୍ରକାରର ସାମଗ୍ରୀ ତିଆରି କରିପାରନ୍ତି। ଝୁଡି ବୁଣୁ ବୁଣୁ ସେ କହିଲେ, ଏହା ମୋ ପାଇଁ କାଦୁଅ ଭଳି, ଏଥିରୁ ଆପଣ ସବୁକିଛି ତିଆରି କରିପାରିବେ। ଏହା ଜଣେ ଶ୍ରମିକର କାମ ନୁହେଁ, ଏହା ଏକ ଦକ୍ଷତା। ଏଥିପାଇଁ ଆପଣଙ୍କୁ ତାଲିମ ନେବାକୁ ପଡିବ, ଅନ୍ୟ କଳା ପରି ଏହା ମଧ୍ୟ ଧୈର୍ଯ୍ୟ ଆବଶ୍ୟକ କରେ।

A man sitting on the terrace of his house and weaving bamboo baskets
PHOTO • Arpita Chakrabarty

ବାଉଁଶ ପାତିଆକୁ ଛନ୍ଦାଛନ୍ଦି କରି ନୈନରାମ ତାଙ୍କ ଝୁଡି ପାଇଁ ଗୋଟିଏ ଶକ୍ତ ମୂଳଦୁଆ ତିଆରି କଲେ, ପରେ ତାକୁ ମୋଡି ଦେଲେ

ହିମାଳୟ ଅଞ୍ଚଳରେ ହେଉଥିବା ଏକପ୍ରକାର ବାଉଁଶ, ରିଙ୍ଗଲ ସମୁଦ୍ର ପତ୍ତନରୁ ୧,୦୦୦-୨,୦୦୦ ମିଟର ଉଚ୍ଚରେ ଦେଖାଯାଏ। ମୁନସିଆରି ସମୁଦ ପତ୍ତନରୁ ୨,୨୦୦ ମିଟର ଉଚ୍ଚତାରେ ଅବସ୍ଥିତ। ସେଠାରୁ ଜୈତି ଗାଁ ଛଅ କିଲୋମିଟର। ତେଣୁ ବାଉଁଶ ସଂଗ୍ରହ କରିବାକୁ ତାଙ୍କୁ ପାହାଡ ଉପରକୁ ବା ତଳକୁ ଯିବାକୁ ପଡିଥାଏ। ରିଙ୍ଗଲର ଉପଲବ୍ଧତାକୁ ଦେଖି ସେ ଏହି କାମ କରିଥାନ୍ତି। ଉତ୍ତରାଖଣ୍ଡ ପିଥୋରଗଡ ଜିଲ୍ଲାର ଏହି ସବୁ ପାହାଡରେ ଜୀବନ ଧାରଣ କରିବା ଖୁବ୍ କଷ୍ଟକର। ଲୋକଙ୍କ ପାଖରେ ରୋଜଗାରର ଉତ୍ସ ମଧ୍ୟ କମ୍। ସେଠାକାର ବାଜେଲା ଜାତିର ପୁରୁଷଙ୍କ ପାଇଁ ବାଉଁଶର ଜିନିଷପତ୍ର ତିଆରି କରିବା  ପାରମ୍ପରିକ ପେଷା। କିନ୍ତୁ ଜୈତି ଗାଁର ୫୮୦ ବାସିନ୍ଦାଙ୍କ ମଧ୍ୟରୁ ନୈନରାମ ହେଉଛନ୍ତି ଶେଷ ବାଉଁଶ କାରିଗର।

ମୁନସିଆରିର ବିଭିନ୍ନ ସ୍ଥାନରୁ ଲୋକମାନେ ନୈନରାମଙ୍କୁ ସେମାନଙ୍କ ଘରକୁ ଡାକନ୍ତି। ନୈନରାମ ଲୋକଙ୍କ ଘରେ ବେଶ୍ କିଛି ସମୟ ଏମିତିକି ରାତିରେ ବି ରହନ୍ତି। ପାହାଡିଆ ଅଞ୍ଚଳରେ ଭାରି ଜିନିଷପତ୍ର ନେଇ ସ୍ଥାନାନ୍ତର ହେବା ଖୁବ୍ କଷ୍ଟକର। ତେଣୁ ସେ ଲୋକମାନଙ୍କର ଘର ପାଖରୁ ବାଉଁଶ ସଂଗ୍ରହ କରନ୍ତି  ଏବଂ ସେହିଠାରେ ହିଁ ଜିନିଷପତ୍ର ତିଆରି କରନ୍ତି। ପ୍ରତିବଦଳରେ ତାଙ୍କୁ କାମ କରିବାକୁ ଗୋଟିଏ ସ୍ଥାନ ଓ ଖାଇବା ମିଳେ। ଦିନକ ମଧ୍ୟରେ ସେ ଗୋଟିଏ ବା ଚାରିଟି ଝୁଡି ବୁଣନ୍ତୁ, ୩୦୦ ଟଙ୍କା ପାଇଁ ଦାବି କରିଥାଆନ୍ତି। ମାସକରେ ତାଙ୍କୁ ଏହିପରି ୧୦ ଦିନ କାମ ମିଳେ। କ୍ୱଚିତ ମାସକୁ ୧୫ଟି କାମ ମିଳେ।

ସୌଭାଗ୍ୟର କଥା ହେଲା ମୁନିସିଆରି ବ୍ଲକରେ ତାଙ୍କ ଉତ୍ପାଦର ଚାହିଦା ରହିଛି। ବିଶେଷ କରି ତାଙ୍କର ହାତତିଆରି ହାଲକା ଓ ଦୀର୍ଘସ୍ଥାୟୀ ଝୁଡ଼ିର ଯାହାକୁ କି ମହିଳାମାନେ ଜାଳେଣି ଓ ଗୋଖାଦ୍ୟ ନେବା ଆଣିବା ପାଇଁ ବ୍ୟବହାର କରିଥାନ୍ତି। ସେଥିମଧ୍ୟରୁ କିଛି ଝୁଡ଼ିର ହ୍ୟାଣ୍ଡେଲ ଓ ଘୋଡ଼ଣି ଥିବାବେଳେ ତାକୁ ଖାଇବା ନେବା ଆଣିବା ପାଇଁ ମଧ୍ୟ ବ୍ୟବହାର କରାଯାଏ। ବିଶେଷ କରି ଯେତେବେଳେ ଝିଅଟିଏ ତାର ଶାଶୂଘରକୁ ଯାଇଥାଏ।

A man is sitting on the floor inside his house and weaving bamboo strips into a basket
PHOTO • Arpita Chakrabarty
The man has finished weaving his basket
PHOTO • Arpita Chakrabarty
Different types of woven bamboo baskets
PHOTO • Arpita Chakrabarty

ନୈନ୍ ରାମ ୧୨ ବର୍ଷ ବୟସରୁ ଝୁଡ଼ି ବୁଣି ଆସୁଛନ୍ତି। ସେ କହନ୍ତି, ‘ଏହା କୌଣସି ଶ୍ରମିକଙ୍କର କାମ ନୁହେଁ- ଏହା ଏକ ଦକ୍ଷତା। ଆପଣଙ୍କୁ ଏଥିପାଇଁ ତାଲିମ ନେବାକୁ ପଡ଼ିବ ଏବଂ ଅନ୍ୟାନ୍ୟ କଳା ପରି ଏଥିପାଇଁ ଧୈର୍ଯ୍ୟ ଆବଶ୍ୟକ।’

ଯେଉଁ ଦିନମାନଙ୍କରେ ନୈନ ରାମ ଜଙ୍ଗଲକୁ ରିଙ୍ଗଲ ସଂଗ୍ରହ ପାଇଁ ଯାଇଥାନ୍ତି, ସେଥିଲାଗି ତାଙ୍କୁ ପାରିଶ୍ରମିକ ମିଳେ ନାହିଁ। ସେ କହନ୍ତି, ‘ ଯେତେବେଳେ ଲୋକମାନେ ମୋତେ ଡାକି ଘରକରଣା ସାମଗ୍ରୀ ବନାଇବାକୁ କହନ୍ତି ସେତେବେଳେ ମୁଁ ଟଙ୍କା ମାଗେ। ’ ଯଦିଓ ବିନା ଅନୁମତିରେ ଜଙ୍ଗଲରୁ ବାଉଁଶ କାଟିବାକୁ ବନ୍ଦ କରାଯାଇଛି (୧୯୮୦ର ଜଙ୍ଗଲ ସୁରକ୍ଷା ଆଇନ ଅନୁସାରେ), ନୈନ୍ ରାମଙ୍କୁ ରିଙ୍ଗଲପାଇଁ ଅନୁମତି ଆବଶ୍ୟକ ହୁଏନାହିଁ। କାରଣ ସେ ବନ ପଞ୍ଚାୟତ ବା ଗୋଷ୍ଠୀ ଜଙ୍ଗଲକୁ ଯାଇଥାନ୍ତି। ତାହା ସ୍ଥାନୀୟ ଲୋକ ଏବଂ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ।

ଜୈତି ଗାଁରେ ଥିବା ଘରର ଛାତ ଉପରେ ନୈନରାମ ଟିକେ ବିରତି ନେଲେ। ନିଜର କୋଟ୍ ପକେଟ୍ରୁ ସେ ଏକ ବିଡ଼ି ବାହାର କଲେ ଏବଂ ମଫଲର ଓ ଜୋତା ଓହ୍ଲାଇଲେ। ବିଡ଼ି ଜଳାଉ ଜଳାଉ ସେ କହିଲେ ଖୁବ୍ ଅଧିକ ଫାଙ୍କା ସମୟ ପାଇବାକୁ ସେ ଚାହାନ୍ତି ନାହିଁ। “ଯଦି ମୋତେ କାମ ପାଇଁ ଡକା ନ ଯାଏ, ତା’ ହେଲେ ମୁଁ ଜଙ୍ଗଲରୁ କିଛି ରିଙ୍ଗଲ ସଂଗ୍ରହ କରି ଘରେ ବସି ବାଉଁଶ ସାମଗ୍ରୀ ତିଆରି କରେ। ସମୟ ସମୟରେ ମୁଁ ତାକୁ ସ୍ଥାନୀୟ ବଜାରରେ ଥିବା ଏକ ଦୋକାନକୁ ଯୋଗାଇଥାଏ ଯେଉଁଠାରୁ ପର୍ଯ୍ୟଟକମାନେ ତାକୁ କିଣନ୍ତି। ମୁଁ ଝୁଡ଼ି ପିଛା ୧୫୦ ଟଙ୍କା ପାଏ କିନ୍ତୁ ଦୋକାନୀ ତାକୁ ୨୦୦-୨୫୦ ଟଙ୍କା ମଧ୍ୟରେ ବିକେ। ଏହାଦ୍ୱାରା ମୁଁ କ୍ଷତିଗ୍ରସ୍ତ ହୁଏ। କିନ୍ତୁ ମୁଁ ଆଉ କିଛି ଜାଣିନାହିଁ। ମୁଁ ଅଧିକ ପାଠ ପଢ଼ିନାହିଁ। କେବଳ ନିଜର ନାଁ ଦସ୍ତଖତ ଶିଖିଛି।”

A man sitting on top of the terrace of his house amidst bamboo strips
PHOTO • Arpita Chakrabarty
A man standing inside a house
PHOTO • Arpita Chakrabarty
A woman standing outside her house holding two woven bamboo vases filled with plastic flowers
PHOTO • Arpita Chakrabarty

ଜୈତି ଗାଁରେ ଥିବା ଘରର ଛାତ ଉପରେ ବସି ନୈନି ରାମ (ବାମ) ଝୁଡ଼ି ବୁଣୁଛନ୍ତି। ତାଙ୍କ ପୁଅ ମନୋଜ (ମଝି) ନିଜ ବାପାଙ୍କ ବୃତ୍ତିଠାରୁ ଦୂରେଇ ଯାଇ ଏକ ଖାଇବା ଦୋକାନ କରିଛି। ଦେବକୀ ଦେବୀ (ଡାହାଣ) ନିଜର ସ୍ୱାମୀଙ୍କ ଦ୍ୱାରା ନିର୍ମିତ ଦୁଇଟି ଫୁଲଦାନୀ ଧରିଛନ୍ତି। ସ୍ୱାମୀଙ୍କର କଳାକୃତିକୁ ନେଇ ସେ ଗର୍ବିତ

ଏକ ସ୍ୱେଚ୍ଛାସେବୀ ସଂଗଠନରେ ନୈନରାମ ଅନ୍ୟମାନଙ୍କୁ ବାଉଁଶ ସାମଗ୍ରୀ ବନାଇବା ସଂପର୍କରେ ତାଲିମ ଦେଇଛନ୍ତି। କିନ୍ତୁ ସରକାର ରିଙ୍ଗଲ ଜାତୀୟ ବାଉଁଶ ସାମଗ୍ରୀର ପ୍ରୋତ୍ସାହନ ପାଇଁ ଅଧିକ କିଛି କରିନାହାନ୍ତି। କାରିଗରମାନେ ନିର୍ଦ୍ଧିଷ୍ଟ ଆୟ ପାଇବା ପାଇଁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିନାହାନ୍ତି। କିମ୍ବା ଏଭଳି ଉତ୍ପାଦର ବିକ୍ରି ପାଇଁ ବଜାର ସୃଷ୍ଟି କରିନାହାନ୍ତି। ଏହା ନୈନରାମଙ୍କ ପିଲାମାନଙ୍କୁ ଏହି କଳା ଶିଖିବାରୁ ବିମୁଖ କରିଛି। ବର୍ତ୍ତମାନ ସେ ତାଙ୍କ ପରିବାରର ସେ ରିଙ୍ଗଲ କାରିଗର। ତାଙ୍କ ପୁଅ ମନୋଜ ଏବଂ ପୁରନ ରାମ ଏହା ବଦଳରେ ମୁନିସିଆରି ତହସିଲର ବିଭିନ୍ନ ନିର୍ମାଣ ପ୍ରକଳ୍ପରେ ଶ୍ରମିକ କାମ କରିଥାନ୍ତି।

ଜୈତି ନିକଟରେ ଢାବା ଚଳାଉଥିବା ମନୋଜ କହନ୍ତି, ‘ଏହି ଉପôାଦର ଗୁରୁତ୍ୱ କ’ଣ? ମୁନସିଆରିର ଲୋକଙ୍କ ଛଡ଼ା ଅନ୍ୟ କେହି ତାକୁ କିଣୁନାହାନ୍ତି। ସମୟ ସମୟରେ ପର୍ଯ୍ୟଟକମାନେ ଏହାକୁ କିଣିଥାନ୍ତି। କିନ୍ତୁ ତା’ ଉପରେ ଜୀବିକା ପାଇଁ ନିର୍ଭର କରି ହେବନାହିଁ। ସେମାନେ ଆମକୁ ଏକ ନିରନ୍ତର ରୋଜଗାର ଦିଅନ୍ତି ନାହିଁ। ସବୁଠୁ ବଡ଼ କଥା ହେଲା ଏହି ଦକ୍ଷତାକୁ ଶିଖିବା ଲାଗି ମୋର ବୟସ ଖୁବ୍ ଅଧିକ ହୋଇଯାଇଛି। ’ ମନୋଜଙ୍କୁ କିନ୍ତୁ ଏବେ ମାତ୍ର ୨୪ ବର୍ଷ ହୋଇଛି। ନୈନରାମଙ୍କ ପତ୍ନୀ ଦେବକୀ ଦେବୀ, ୪୫, ସେମାନଙ୍କ ପରିବାରର ଛୋଟିଆ ଜମିରେ ଆଳୁ ଚାଷ କରନ୍ତି। ସେ କହନ୍ତି, ତାଙ୍କ ସ୍ୱାମୀ ଯେଉଁ ସାମଗ୍ରୀ ତିଆରି କରନ୍ତି ସେଥିମଧ୍ୟରୁ ଅଧିକାଂଶ ବିକ୍ରି ହୋଇଯାଏ। ସେ ଗର୍ବର ସହ କିଛି ଝୁଡ଼ି ଓ ଫୁଲଦାନୀ ଆମକୁ ଦେଖାଇଲେ।

ମଧ୍ୟାହ୍ନବେଳକୁ ଆକାଶ ସାରା ବାଦଲ ଭର୍ତ୍ତି ହୋଇସାରିଥିଲା। ନୈନ ରାମ କିନ୍ତୁ ତାଙ୍କ ଘରର ଛାତ ଉପରେ ବସି ଝୁଡ଼ି ବୁଣିବା ଜାରି ରଖିଥିଲେ। ସେ କହିଲେ, “ହୁଏତ ବର୍ଷା ହୋଇପାରେ”। ତା’ ପରେ ଜୋତା ଓ ଉଲର ଟୋପି ପିନ୍ଧି ସେଦିନର ପ୍ରଥମ ରିଙ୍ଗଲ ଝୁଡ଼ି ଶେଷ କରିବାକୁ ଘର ଭିତରକୁ ଗଲେ। ଦିନ ସରିବାବେଳକୁ ହୁଏତ ଏହି କଳାକାରଙ୍କ ଦକ୍ଷ ହାତରେ ଆଉ ଗୋଟିଏ ବା ତୃତୀୟ ଝୁଡ଼ି ବୁଣା ସରିଥିବ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Arpita Chakrabarty

Arpita Chakrabarty is a Kumaon-based freelance journalist and a 2017 PARI fellow.

Other stories by Arpita Chakrabarty