‘‘ବ୍ୟୁଟି ପାର୍ଲର ଯିବା କ’ଣ ଦରକାର? କେବଳ ବଜାରରେ ବୁଲାବୁଲି କରିବା ଏବଂ ଟଙ୍କା ବର୍ବାଦ କରିବା ଲାଗି ଏହା ଏକ ବାହାନା।’’

ମୋନିକା କୁମାରୀ କୁହନ୍ତି ଯେ ତାଙ୍କ, ଶାଶୁ-ଶ୍ୱଶୁର ସେ ବ୍ୟୁଟି ପାର୍ଲର ଯିବାକୁ ସନ୍ଦେହ ଦୃଷ୍ଟିରେ ଦେଖିଥାନ୍ତି । ଚାରି ଜଣ ଲୋକଙ୍କୁ ନେଇ ତାଙ୍କ ପରିବାର ଖୈରମା ଗାଁରେ ରହିଥାଏ, ଯାହାକି ପୂର୍ବ ବିହାରର ଏକ ଛୋଟ ସହର ଜମୁଇଠାରୁ ମାତ୍ର ତିନି କିଲୋମିଟର ଦୂରରେ ରହିଛି। କିନ୍ତୁ ସେମାନଙ୍କ ଆପତ୍ତିକୁ ଅଣଦେଖା କରି ୨୫ ବର୍ଷୀୟା ମୋନିକା ନିଜ ସୁବିଧା ଓ ଆବଶ୍ୟକତା ଅନୁଯାୟୀ ନିଜ ଆଇବ୍ରୋ (ଭ୍ରୂଲତା) ସଜେଇବା, ଉପର ଓଠରେ ଉଠିଥିବା କେଶକୁ ଥ୍ରେଡିଂ କରିବା ଏବଂ ଫେସିଆଲ କରାଇବା ଲାଗି ସବୁବେଳେ ବ୍ୟୁଟି ପାର୍ଲର ଯାଇଥାନ୍ତି। ପଞ୍ଚାୟତ ଅଫିସରେ କାମ କରୁଥିବା ତାଙ୍କ ସ୍ୱାମୀ ମଧ୍ୟ ପୁରୁଣା ପିଢ଼ିର ଏହି ଅବିଶ୍ୱାସକୁ ସେତେଟା ଗୁରୁତ୍ୱ ଦେଇନଥାନ୍ତି ଏବଂ ତାଙ୍କ ପତ୍ନୀକୁ ନିଜେ ନେଇ ପାର୍ଲର ପାଖରେ ଛାଡ଼ି ଦିଅନ୍ତି।

କେବଳ ମୋନିକା ନୁହନ୍ତି, ବରଂ ଜମୁଇ ଜିଲ୍ଲା, ଆଖପାଖ ସହର ଓ ଗାଁର ବହୁସଂଖ୍ୟାରେ ଯୁବତୀ ଓ ମହିଳାଙ୍କ ପାଇଁ ନିଜ ଚେହେରା ଚମକିବା ପାଇଁ ନିକଟସ୍ଥ ପାର୍ଲରକୁ ଯିବା ଏକ ସାଧାରଣ କଥା।

୧୫ ବର୍ଷ ପୂର୍ବର କଥା ଉଦାହରଣ ଦେଇ ପ୍ରମିଳା ଶର୍ମା କୁହନ୍ତି, ‘‘ମୁଁ ପାର୍ଲର ଖୋଲିବା ସମୟରେ ଆଖପାଖ ଅଞ୍ଚଳରେ ପ୍ରାୟ ୧୦ଟି ପାର୍ଲର ପୂର୍ବରୁ ରହିଥିଲା। ଏବେ ତ’ ଏତେ ସଂଖ୍ୟାରେ ପାର୍ଲର ଖୋଲିଲାଣି ଯେ ଗଣିବା ମଧ୍ୟ କଷ୍ଟକର ହୋଇଯିବ।’’ ଏହି ୧୫ ବର୍ଷ ମଧ୍ୟରେ ଜମୁଇ ସହରରେ ସୌନ୍ଦର୍ଯ୍ୟ ବ୍ୟବସାୟ ଖୁବ୍‌ ଦ୍ରୁତ ଗତିରେ ବିକଶିତ ହୋଇଛି।

ପ୍ରମିଳା ୮୭,୩୫୭ ଜନସଂଖ୍ୟା ବିଶିଷ୍ଟ ଜମୁଇ ସହରର ମେନ୍‌ ରୋଡରେ ଥିବା ବିବାହ ଲେଡିଜ୍‌ ବ୍ୟୁଟି ପାର୍ଲର ମାଲିକାଣୀ ଅଟନ୍ତି । ଜମୁଇର ଅଧିକାଂଶ ଲୋକଙ୍କ ଜୀବିକା ଚାଷ ଏବଂ ଚାଷ ସହ ଜଡ଼ିତ ବିଭିନ୍ନ ବ୍ୟବସାୟ ଉପରେ ନିର୍ଭରଶୀଳ।

Pramila Sharma owns and runs the Vivah Ladies Beauty Parlour in Jamui town.
PHOTO • Riya Behl
There is a notice pinned outside stating ‘only for women’
PHOTO • Riya Behl

ବାମ : ପ୍ରମିଳା ଶର୍ମା ଜମୁଇ ସହରର ବିବାହ ଲେଡିଜ୍‌ ବ୍ୟୁଟି ପାର୍ଲର ମାଲିକାଣୀ ଏବଂ ପରିଚାଳିକା ଅଟନ୍ତି। ଡାହାଣ : ସହର ବାହାରେ ଏକ ଭିନ୍ନ ପୋଷ୍ଟର ଲାଗିଛି ଯେଉଁଥିରେ ଲେଖା ହୋଇଛି ‘କେବଳ ମହିଳାଙ୍କ ପାଇଁ ଉର୍ଦ୍ଦିଷ୍ଟ’

ଗୋଟିଏ ସାଇକେଲ ଦୋକାନ, ସେଲୁନ ଓ ଟେଲର ଦୋକାନ ମଝିରେ ତାଙ୍କ ପାର୍ଲର ରହିଛି । ପାର୍ଲରରେ କେଶ କାଟିବା ଠାରୁ ଆରମ୍ଭ କରି ମେହନ୍ଦୀ, ୱାକ୍ସିଂ, ଫେସିଆଲ ଏବଂ ମେକଅପର ସବୁ ବ୍ୟବସ୍ଥା ରହିଛି, ଏହି କାରଣରୁ ଏଠାରୁ ପାଖାପାଖି ୩୦ କିଲୋମିଟର ଦୂର ଅଲିଗଞ୍ଜ ବ୍ଲକ ଲକ୍ଷ୍ମୀପୁର ଏବଂ ଇସଲାମପୁର ଭଳି ଗାଁରୁ ମହିଳା ଗ୍ରାହକ ଆସିଥାନ୍ତି।

ପ୍ରମିଳା କୁହନ୍ତି ଯେ, ସହର ଓ ଆଖପାଖ ଅଞ୍ଚଳର ଲୋକମାନେ କଥା ହେଉଥିବା ଅଙ୍ଗିକା, ମୈଥିଳୀ ଓ ମଗହୀ ଭଳି ଭାଷାରେ କାମଚଳା ଜ୍ଞାନ ରହିଥିବା କାରଣରୁ ଗ୍ରାହକମାନେ ତାଙ୍କ ସହିତ ସହଜରେ ମିଶି ଯାଇଥାନ୍ତି।

ବିହାରର ଏହି ଅଞ୍ଚଳରେ ବ୍ୟୁଟି ପାର୍ଲର ଚଳାଇବା ଦିଗରେ ଅନେକ ସମସ୍ୟା ରହିଛି, ସେଥିମଧ୍ୟରୁ ଗୋଟିଏ ହେଉଛି ପୁରୁଷ ପ୍ରଧାନ ସମାଜର ମୁକାବିଲା କରିବା। ପ୍ରମିଳା କୁହନ୍ତି, ‘‘ବାହାଘର ପୂର୍ବରୁ (ଏଠାକାର) ଝିଅମାନଙ୍କୁ ନିଜ ମାତା-ପିତାଙ୍କ ଇଚ୍ଛା ମୁତାବକ ରହିବାକୁ ପଡ଼ିଥାଏ, ଏବଂ ବାହାଘର ପରେ ନିଜ ସ୍ୱାମୀର କଥା ମାନିବାକୁ ପଡ଼େ।’’ ସେଥିପାଇଁ, ତାଙ୍କ ପାର୍ଲରରେ କୌଣସି ପ୍ରକାରରେ ପୁରୁଷଙ୍କ ଉପସ୍ଥିତି ରହିପାରିବ ନାହିଁ। ବାହାରେ ଲାଗିଥିବା ‘କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ’ ପୋଷ୍ଟର କେବଳ ଏହି କାରଣ ପାଇଁ ଲଗାଯାଇଛି। ଥରେ ପାର୍ଲରରେ ପ୍ରବେଶ କରିବା ପରେ କେବଳ ମହିଳାଙ୍କ ଉପସ୍ଥିତି ଥିଲେ, ମହିଳା ଗ୍ରାହକମାନେ ଏକ ପ୍ରକାର ସୁନିଶ୍ଚିତତା ଅନୁଭବ କରିଥାନ୍ତି। ପିଲା ଓ ଖାଇବା-ପିଇବା ଭଳି ଦୈନନ୍ଦିନ କଥାକୁ ନେଇ ଗପସପ ହୋଇଥାଏ, ବୈବାହିକ ପ୍ରସ୍ତାବ ଉପରେ ସରଗରମ ବିତର୍କ ହୁଏ ଏବଂ ବୈବାହିକ ଜୀବନରେ ଅସହମତିକୁ ନେଇ ମଧ୍ୟ ଆଲୋଚନା ହୋଇଥାଏ। ‘‘ମହିଳାମାନେ ଘରେ ସାଧାରଣତଃ ସେମାନଙ୍କ ମନର ଭାବନା ପ୍ରକାଶ କରିପାରିନଥାନ୍ତି, କିନ୍ତୁ ଏଠାରେ ସେମାନେ ସବୁ କଥା ମନ ଖୋଲି କହିପାରନ୍ତି।’’

ଏହି ବୈଶିଷ୍ଟ୍ୟ ଏବଂ ଭାବଗତ ସମ୍ପର୍କ ଗ୍ରାହକମାନଙ୍କୁ ବିଶ୍ୱସ୍ତ କରି ରଖିଥାଏ। ‘‘ଆମେ ଯେତେବେଳେ ଜମୁଇର କୌଣସି ପାର୍ଲରକୁ ଆସିବାକୁ ଚାହିଁଥାଉ, ଆମେ ସେହି ପାର୍ଲରକୁ ହିଁ ଆସିବାକୁ ପସନ୍ଦ କରିଥାଉ,’’ ପ୍ରିୟା କୁମାରୀ କୁହନ୍ତି। ପୁରୁଣା ପାର୍ଲରର ପରିଚିତ ପରିବେଶ କାରଣରୁ ସେ ଏହା କରିଥାନ୍ତି। ପାର୍ଲର ପରିଚାଳିକାଙ୍କ ମିଠା ଗାଳି ଏବଂ ରାଗରୁଷା ଏହି ପରିବେଶରେ ଏକ ଭିନ୍ନ ଆପଣାପଣ ଭରି ଦେଇଥାଏ। ଜମୁଇ ବ୍ଲକ ଖେରମା ଗାଁର ବାସିନ୍ଦା ୨୨ ବର୍ଷୀୟା  ପ୍ରିୟା ଆହୁରି କହିଥାନ୍ତି, ‘‘ସେ ଆମ ପରିବାର ବିଷୟରେ ଜାଣନ୍ତି, ସେଥିପାଇଁ ତାଙ୍କର ଥଟ୍ଟାମଜାକୁ ଆମେ ଖରାପ ଭାବିନଥାଉ।’’

Khushboo Singh lives in Jamui town and visits the parlour for a range of beauty services.
PHOTO • Riya Behl
Pramila in her parlour with a customer
PHOTO • Riya Behl

ବାମ : ଖୁସବୁ ସିଂ ଜମୁଇ ସହରରେ ରହିଥାନ୍ତି ଏବଂ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ସେବା ପାଇଁ ସେ ପାର୍ଲର ଆସିଥାନ୍ତି। ଡାହାଣ: ତାଙ୍କ ପାର୍ଲରରେ ଜଣେ ଗ୍ରାହକଙ୍କ ସହ ପ୍ରମିଳା

ପ୍ରମିଳାଙ୍କ ପାର୍ଲର ମହାରାଜଗଞ୍ଜ ମେନ ରୋଡରେ ବ୍ୟବସାୟିକ ଦୃଷ୍ଟିରୁ ଏକ ବ୍ୟସ୍ତବହୁଳ କମ୍ପ୍ଲେକ୍ସର ତଳ ମହଲାରେ ରହିଛି। ଝରକା ନଥିବା ଏହି ଛୋଟିଆ କୋଠରୀ ପାଇଁ ସେ ମାସକୁ ୩,୫୦୦ ଟଙ୍କା ଭଡ଼ା ଦେଇଥାନ୍ତି। ପାର୍ଲର ତିନି ପାର୍ଶ୍ୱ କାନ୍ଥରେ ଆଇନା ଲାଗିଛି। ପିଗି ବ୍ୟାଙ୍କ (କୁମ୍ପି), ନରମ କପଡ଼ାରେ ପ୍ରସ୍ତୁତ ଟେଡି ବିୟର, ସାନିଟାରୀ ପ୍ୟାଡ ପ୍ୟାକେଟ ଏବଂ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ଉତ୍ପାଦ ଆଇନା ଉପରେ ତିଆରି କାଚ କ୍ୟାବିନେଟ ଥାକରେ ରଖାଯାଇଛି। ଗାଢ଼ ହଳଦିଆ ଏବଂ ନାରଙ୍ଗୀ ରଙ୍ଗର କାନ୍ଥରେ ଫ୍ରେମ ହୋଇଥିବା ସାର୍ଟିଫିକେଟ ଟଙ୍ଗା ହୋଇଛି ଯାହାକି ପ୍ରମିଳା ବିଭିନ୍ନ ସୌନ୍ଦର୍ଯ୍ୟ ପାଠ୍ୟକ୍ରମ ସଫଳତାପୂର୍ବକ ସମାପ୍ତ କରିଥିବାର ପ୍ରମାଣ ଦେଇଥାଏ।

ଇତିମଧ୍ୟରେ ସାମ୍ନା ଦ୍ୱାରରେ ଲାଗିଥିବା ହଳଦିଆ ପରଦା ଏଡ଼ାଇ ଜଣେ ମହିଳା ଦୋକାନ ଭିତରକୁ ପ୍ରବେଶ କରନ୍ତି । ଭଲ ପୋଷାକ ପିନ୍ଧିଥିବା ଏହି ୩୦ ବର୍ଷୀୟା ମହିଳା ଜଣକ କୌଣସି ଏକ ସ୍ଥାନକୁ ଡିନର (ନୈଶ ଭୋଜି) ପାଇଁ ଯିବାକୁ ଚାହୁଁଛନ୍ତି ଏବଂ ତା’ପୂର୍ବରୁ ସେ ନିଜ ଉପର ଓଠରେ ଥିବା କେଶ ହଟାଇବା ଏବଂ ଭ୍ରୂଲତା ଥ୍ରେଡିଂ କରିବା ଉଦ୍ଦେଶ୍ୟରେ ପାର୍ଲରକୁ ଆସିଛନ୍ତି। ହେଲେ ପାର୍ଲର ବନ୍ଦ କରିବା ସମୟ ହୋଇଗଲାଣି, କିନ୍ତୁ ସୌନ୍ଦର୍ଯ୍ୟର ଏହି ବେଉସାରେ କେହି ସମୟସୀମା ସହ ଜଡ଼ିତ ବିପଦ ମୁଣ୍ଡାଇବାକୁ ଚାହାନ୍ତି ନାହିଁ, ନଚେତ୍‌ ଗ୍ରାହକ ଅନ୍ୟ ସ୍ଥାନକୁ ଚାଲିଯିବାର ବିପଦ ରହିଥାଏ। ମହିଳା ଜଣକ ଚେୟାରରେ ବସି ସାରିବା ପରେ, ପ୍ରମିଳା ତାଙ୍କୁ ସେହି କାର୍ଯ୍ୟକ୍ରମ ବିଷୟରେ ପଚାରନ୍ତି ଯେଉଁଠିକୁ ସେ ଯିବାକୁ ଚାହୁଁଛନ୍ତି। ଦୁହିଁଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ଆରମ୍ଭ ହୋଇଯାଏ। ପରେ ସେ ଆମକୁ କୁହନ୍ତି, ‘‘ହମ୍‌ ଥୋଡ଼ା ହସି-ମଜାକ୍‌ କରେଙ୍ଗେ କି ସ୍କିନ୍‌ ମେ ଅନ୍ଦର ସେ ନିଖାର ଆୟେ [ଆମେ ଟିକିଏ ମଜା ଗପ କରିଥାଉ ଯାହାଫଳରେ ତ୍ୱଚାରୁ ଭିତରୁ ଉଜ୍ଜ୍ୱଳତା ଆସିବ]।’’

ଏହି ବ୍ୟବସାୟରେ ରହିଥିବା ଅନିଶ୍ଚିତତା ଆଡ଼କୁ ଇସାରା କରି ପ୍ରମିଳା କୁହନ୍ତି, ‘‘ସାଧାରଣତଃ ଗୋଟିଏ ଦିନରେ ପାଖାପାଖି ୨୫ ଜଣ ମହିଳାଙ୍କ ଆଇବ୍ରୋ ସଜାଡ଼ିଥାଏ, କିନ୍ତୁ ମଝି ମଝିରେ ଏମିତି ଦିନ ଆସିଥାଏ ଯେତେବେଳେ ଅତିକଷ୍ଟରେ ମାତ୍ର ପାଞ୍ଚ ଜଣ ଗ୍ରାହକ ଆସିଥାନ୍ତି।’’ ଯେଉଁଦିନ କେହି କନିଆଁଙ୍କୁ ସଜାଇବା ପାଇଁ କୌଣସି ସ୍ଥାନକୁ ଯିବାକୁ ପଡ଼ିଥାଏ, ସେଦିନ ତାଙ୍କର ଦୈନିକ ରୋଜଗାର ୫,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ। ‘‘ପୂର୍ବରୁ ଆମକୁ ଏଭଳି ଗ୍ରାହକ ଠିକ୍‌ ଠାକ୍‌ ମିଳିଯାଉଥିଲେ, କିନ୍ତୁ ଏବେ ଅଧିକାଂଶ ଯୁବତୀ ଭିଡ଼ିଓ ଦେଖି ନିଜେ ଏହି କାମ କରି ନେଉଛନ୍ତି’’ । ସେଥିପାଇଁ ନିଜ ସେବାକୁ ଅଧିକ ଆକର୍ଷଣୀୟ କରିବା ଲାଗି ତାଙ୍କ ପାଖରେ କେତେକ ରିହାତି ଅଫର ମଧ୍ୟ ରହିଥାଏ। ଫଳରେ ମାତ୍ର ୩୦ଟଙ୍କାରେ ସେ ଆଇବ୍ରୋ ସଜେଇବା ସହିତ ଉପର ଓଠରେ ଉଠିଥିବା କେଶକୁ ମଧ୍ୟ ହଟେଇ ଦେଇଥାନ୍ତି।

ପାର୍ଲରକୁ ବୟସ୍କ ମହିଳାମାନଙ୍କୁ ଆଣିବା ଆଜି ବି ଏକ ଆହ୍ୱାନ ହୋଇ ରହିଛି। ପ୍ରିୟା କୁହନ୍ତି ଯେ ସେ ତାଙ୍କ ମା’ଙ୍କ ଭଳି ପୂର୍ବ ପିଢ଼ିର କୌଣସି ମହିଳାଙ୍କୁ ପାର୍ଲର ଆସିବା ସେ କାଁ ଭାଁ ଦେଖିଛନ୍ତି । ‘‘ମୋ ମା’ କେବେ ବି ନିଜ ଆଇବ୍ରୋ ସଜେଇ ନାହାନ୍ତି ଏବଂ କେବେ ବି ନିଜର କେଶ କାଟିନାହାନ୍ତି । ଆମେ ଆମ କାଖରେ ଥିବା କେଶକୁ କାହିଁକି ୱାକ୍ସିଂ କରାଇଥାଉ, ସେ କେବେ ବି ତାହା ବୁଝି ପାରନ୍ତି ନାହିଁ । ସେ କେବଳ କହିଥାନ୍ତି, ‘ମୁଁ ତ’ ଏମିତି, ପ୍ରକୃତି ମୋତେ ଏମିତି ଗଢ଼ିଛି, ତା’ହେଲେ ମୁଁ କାହିଁକି ନିଜକୁ ବଦଳାଇବି?’’

The parlour is centrally located in a busy commercial complex in Jamui town.
PHOTO • Riya Behl
Pramila threading a customer's eyebrows
PHOTO • Riya Behl

ବାମ: ଜମୁଇ ସହରର ବ୍ୟସ୍ତବହୁଳ ବ୍ୟବସାୟିକ ସ୍ଥାନର କେନ୍ଦ୍ରରେ ଏହି ପାର୍ଲର ରହିଛି। ଡାହାଣ: ପ୍ରମିଳା ଜଣେ ଗ୍ରାହକଙ୍କ ଆଇବ୍ରୋ ଥ୍ରେଡିଂ କରୁଛନ୍ତି

ସମୟ ପ୍ରାୟ ଅପରାହ୍ଣ ୫ଟା ହୋଇଥିବ। ଏହି ସମୟରେ ଜଣେ ମହିଳା ତାଙ୍କର ଦୁଇ କିଶୋରୀର ଝିଅଙ୍କ ସହ ପାର୍ଲର ଭିତରକୁ ପ୍ରବେଶ କରନ୍ତି । ତବ୍ବସିମ ମଲ୍ଲିକ ନାମ୍ନୀ ସେହି ମହିଳା ଜଣଙ୍କ ପ୍ରମିଳାଙ୍କ ପାଖରେ ବସି ପଡ଼ନ୍ତି, ଅନ୍ୟପଟେ ତାଙ୍କର ଦୁଇ ଝିଅ ନିଜର ହିଜାବ ଉଠାଇ କଳା ଭିନାଇଲର ଉଚ୍ଚ ଚେୟାରରେ ବସି ପଡ଼ିଛନ୍ତି । ନାରଙ୍ଗୀ ରଙ୍ଗର ଏକ ଟେବୁଲ ଉପରେ ସେସବୁ ସାମଗ୍ରୀ ଭର୍ତ୍ତି ହୋଇ ରହିଛି ଯାହାର ଆବଶ୍ୟକତା ଏହି କାମରେ ରହିଛି – କଇଁଚି, ପାନିଆ, ଏକ ୱାକ୍ସ ହିଟର, ଭିଜିଟିଂ କାର୍ଡର ଦୁଇଟି ବଣ୍ଡଲ, ଆଇବ୍ରୋ ଥ୍ରେଡର ବିଡ଼ା, ପାଉଡର ଏବଂ ଅନ୍ୟ କେତେ ପ୍ରକାରର ଲୋସନର ବୋତଲ ଏବଂ ଡବା। ସବୁ ସାମଗ୍ରୀ ସୁବ୍ୟବସ୍ଥିତ ଭାବେ ରଖାଯାଇଛି ।

‘‘ଆପଣଙ୍କର ତ’ ତିନି ଝିଅ? ଜଣଙ୍କର ବାହାଘର ହୋଇଗଲା କି?’’ ଗ୍ରାହକଙ୍କ ଜୀବନ ସମ୍ପର୍କରେ ନିଜର ସବିଶେଷ ଜ୍ଞାନ ପ୍ରଦର୍ଶନ କରି ପ୍ରମିଳା ପଚାରନ୍ତି ।

‘‘ସେ ଏବେ ପଢ଼ୁଛି। ସ୍କୁଲ ପାଠପଢ଼ା ଶେଷ ହେବା ପରେ, ଆମେ ବାହାଘର ବିଷୟରେ ଚିନ୍ତା କରିବୁ,’’ ତବ୍ବସିମ କୁହନ୍ତି।

ସୋଫାରେ ନିଜ ସ୍ଥାନରେ ବସିଥିବା ପ୍ରମିଳା ମଧ୍ୟ ନିଜ ସହମତି ବ୍ୟକ୍ତ କରି ମୁଣ୍ଡ ହଲାଇଥାନ୍ତି। ତବ୍ବସିମଙ୍କ ସହିତ ଗପସପ କରି ପ୍ରମିଳା ନିଜ ପାଖରେ ଟ୍ରେନିଂ ନେଉଥିବା ଝିଅମାନଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି। ଟୁନି ଓ ରାଣୀ କେଶ କାଟିବାକୁ ଆସିଥିବା ଦୁଇ ଝିଅଙ୍କ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଦୁଇ ଷ୍ଟାଇଲିଷ୍ଟ ୧୨ ବର୍ଷୀୟା ଜସ୍ମିନଙ୍କ ଦୁଇ କଡ଼ରେ ଛିଡ଼ା ହୋଇଛନ୍ତି, ଯିଏକି ‘ୟୁ’ କଟରେ ନିଜ କେଶ କାଟିବା ଲାଗି ଅତି ଉତ୍ସାହିତ ଅଛନ୍ତି। ଏହି ଷ୍ଟାଇଲରେ କେଶ କାଟିବା ପାଇଁ ୮୦ ଟଙ୍କା ଲାଗିଥାଏ। ଟୁନିଙ୍କୁ ପ୍ରମିଳା କୁହନ୍ତି, ‘‘ମନେ ରଖିବ, ‘ୟୁ-ଶେପ’ରେ କେଶ କାଟିବା ଶେଷ ନ ହେବା ପର୍ଯ୍ୟନ୍ତ କଇଁଚିକୁ କେଶ ଉପରୁ ଉଠାଇବା ଉଚିତ୍‌ ନୁହେଁ।’’ ଟୁନି ଧ୍ୟାନର ସହକାରେ ତାଙ୍କର କଥା ଶୁଣନ୍ତି ଏବଂ ଶୀଘ୍ର ଶୀଘ୍ର ନିଜ କାମରେ ଲାଗିଯାଆନ୍ତି।

Pramila also trains young girls like Tuni Singh (yellow kurta) who is learning as she cuts 12-year-old Jasmine’s hair.
PHOTO • Riya Behl
The cut hair will be sold by weight to a wig manufacturer from Kolkata
PHOTO • Riya Behl

ବାମ: ଟୁନି ସିଂହ (ହଳଦିଆ କୁର୍ତ୍ତାରେ)ଙ୍କ ଭଳି ଯୁବତୀଙ୍କୁ ପ୍ରମିଳା ପ୍ରଶିକ୍ଷଣ ମଧ୍ୟ ଦେଇଥାନ୍ତି। ଏଠାରେ ଫଟୋରେ ସେ ୧୨ ବର୍ଷର ଜସ୍ମିନଙ୍କ କେଶ କାଟୁଛନ୍ତି। ଡାହାଣ: କଟା ଯାଇଥିବା କେଶକୁ ପରେ ଓଜନ କରି କୋଲକାତାର ଜଣେ ୱିଗ ନିର୍ମାତାଙ୍କୁ ବିକ୍ରି କରି ଦିଆଯାଏ

ଟ୍ରେନିଂ ନେଉଥିବା ଝିଅମାନେ ଜଣେ ଝିଅର କେଶ କାଟିଥାନ୍ତି, କିନ୍ତୁ ଅନ୍ୟ ଜଣଙ୍କ କେଶ ନିଜେ ପ୍ରମିଳା ହିଁ କାଟିଥାନ୍ତି। ନିଜର ଯୁବ ସହାୟିକାଙ୍କଠାରୁ ଲୁହାର ଏକ ଓଜନିଆ କଇଁଚି ନେଇ ସେ ନିଜ ଗ୍ରାହକଙ୍କ କେଶ ଛୋଟ କରିବା ଆରମ୍ଭ କରିଥାନ୍ତି। ଏହାପରେ ତା’କୁ କାଟି ଏକ ନୂଆ ଷ୍ଟାଇଲ୍‌ ଦେଇଥାନ୍ତି ।

ପ୍ରାୟ ୧୫ ମିନିଟ ପରେ କେଶ କାଟିବା କାମ ଶେଷ ହୋଇଥାଏ ଏବଂ ରାଣୀ ନଇଁ ପଡ଼ି ତଳେ ପଡ଼ିଥିବା କେଶ ଗୁଚ୍ଛକୁ ଏକତ୍ରିତ କରିବା ଆରମ୍ଭ କରନ୍ତି । ସେ ସତର୍କତାର ସହିତ ସେହି କେଶକୁ ରବର ବ୍ୟାଣ୍ଡରେ ବାନ୍ଧନ୍ତି। ପରେ ଏହି କେଶକୁ କୋଲକାତାର ଜଣେ ୱିଗ ନିର୍ମାତାଙ୍କୁ ବିକ୍ରି କରି ଦିଆଯାଏ। ଏଠାରୁ ଅଧାଦିନ ଟ୍ରେନ ଯାତ୍ରା ପରେ କୋଲକାତାରେ ପହଞ୍ଚିବା ସମ୍ଭବ ।

ମା’-ଝିଅଙ୍କୁ ପାର୍ଲରରୁ ବାହାରୁଥିବା ଦେଖି ପ୍ରମିଳା କୁହନ୍ତି, ‘‘ଏବେ ଏମାନଙ୍କୁ ଆସନ୍ତା ବର୍ଷ ହିଁ ଦେଖିବାକୁ ମିଳିବ। ସେମାନେ ବର୍ଷକୁ କେବଳ ଥରେ ଇଦ ପୂର୍ବରୁ କେଶ କାଟିବା ଲାଗି ଆସିଥାନ୍ତି।’’ ନିଜ ଗ୍ରାହକମାନଙ୍କୁ ଜାଣିବା, ସେମାନଙ୍କର ପସନ୍ଦ-ନାପସନ୍ଦର ଧ୍ୟାନ ରଖିବା ଏବଂ ସମସ୍ତଙ୍କ ସହ ମିଶିଯିବା ସ୍ୱଭାବ ପ୍ରମିଳାଙ୍କୁ ଅଧିକ ଲୋକପ୍ରିୟ କରିଛି।

ତେବେ, ଏ ମହିଳା ଉଦ୍ୟୋଗୀଙ୍କ ଜୀବନରେ କେବଳ ମସ୍କାରା ଓ ବ୍ଲସ ନାହିଁ । ତାଙ୍କୁ ପ୍ରତିଦିନ ଭୋର ୪ଟାରୁ ଉଠିବାକୁ ପଡ଼ିଥାଏ, ଯାହାଫଳରେ ସେ ନିଜର କାମ ସାରିବା ସହିତ ନିଜ ପିଲା-ପ୍ରିୟା ଓ ପ୍ରିୟାଂଶୁ-ଙ୍କୁ ସ୍କୁଲ ପଠାଇପାରିବେ । ଘର ଛାଡ଼ିବା ପୂର୍ବରୁ, ତାଙ୍କୁ ଦୈନିକ ପ୍ରାୟ ୧୦ ଲିଟର ପାଣି ଭରି ବ୍ୟୁଟି ପାର୍ଲର ନେବାକୁ ପଡ଼ିଥାଏ, କାରଣ ସେଠାରେ ପାଣିର କୌଣସି ବ୍ୟବସ୍ଥା ନାହିଁ । ସେ ପ୍ରଶ୍ନ କରନ୍ତି, ‘‘ପାଣି ବ୍ୟବସ୍ଥା ବିନା ଆପଣ ଏକ ପାର୍ଲର ଚଲାଇବେ କିପରି?’’

Pramila brings around 10 litres of water with her from home as there is no running water in the shopping complex where the parlour is located.
PHOTO • Riya Behl
Tunni and Pramila relaxing while waiting for their next customer
PHOTO • Riya Behl

ବାମ: ପ୍ରମିଳା ନିଜ ସହ ପାଖାପାଖି ୧୦ ଲିଟର ପାଣି ନେଇ ଆସନ୍ତି, କାରଣ ଯେଉଁ ସପିଂ କମ୍ପ୍ଲେକ୍ସରେ ତାଙ୍କର ପାର୍ଲର ରହିଛି ସେଠାରେ ପାଣିର କୌଣସି ବ୍ୟବସ୍ଥା ନାହିଁ। ସେ ପ୍ରଶ୍ନ କରନ୍ତି, ‘ପାଣି ବ୍ୟବସ୍ଥା ବିନା ଆପଣ ଏକ ପାର୍ଲର ଚଲାଇବେ କିପରି?’ ଡାହାଣ: ଟୁନି ଓ ପ୍ରମିଳା ପରବର୍ତ୍ତୀ ଗ୍ରାହକଙ୍କ ଅପେକ୍ଷାରେ ଟିକିଏ ଆରାମ କରୁଛନ୍ତି

ବିବାହ ଲେଡିଜ୍‌ ବ୍ୟୁଟି ପାର୍ଲର ସକାଳ ୧୦ଟାରେ ଖୋଲିଥାଏ ଏବଂ ପ୍ରାୟ ୧୧ ଘଣ୍ଟା ପରେ ରାତି ପ୍ରାୟ ୯ଟା ସମୟରେ ବନ୍ଦ ହୋଇଥାଏ। ପ୍ରମିଳା ଅସୁସ୍ଥ ହେଲେ କିମ୍ବା ତାଙ୍କ ଘରକୁ କେହି ଅତିଥି ଆସିଥିଲେ, ପାର୍ଲର ବନ୍ଦ କରିବାର ସୌଭାଗ୍ୟ ଜୁଟିଥାଏ।  ପ୍ରତିଦିନ ସକାଳ ପ୍ରାୟ ୧୦ଟା ବେଳେ ସେ ତାଙ୍କ ସ୍ୱାମୀ ରାଜେଶଙ୍କ ସହିତ ଘରୁ ବାହାରିଥାନ୍ତି। ତାଙ୍କୁ ପାର୍ଲର ପାଖରେ ଛାଡ଼ି ଦେଇ ସ୍ୱାମୀ ତାଙ୍କ ଦୋକାନ ଆଡ଼େ ଯାଆନ୍ତି, ଯାହାକି ଏଠାର ଅତିବେଶୀରେ ୧ କିଲୋମିଟର ଦୂରରେ ରହିଛି। ପ୍ରମିଳା ଗର୍ବର ସହ କହିଥାନ୍ତି ଯେ, ‘‘ମୋ ସ୍ୱାମୀ ଜଣେ କଳାକାର।’’ ‘‘ସେ ସାଇନବୋର୍ଡ ଏବଂ ସେତୁ ରଙ୍ଗେଇ ଥାଆନ୍ତି, ଗ୍ରାନାଇଟରେ ଖୋଦେଇ କାମ କରନ୍ତି ଓ ଡିଜେ ଟେପ୍‌ ଏବଂ ବାହାଘର ଷ୍ଟେଜ ଡିଜାଇନ କାମ କରିଥାନ୍ତି,’’ ସେ ବିସ୍ତାର ପୂର୍ବକ କୁହନ୍ତି ।

ପାର୍ଲରରେ ଯେଉଁଦିନ ପ୍ରମିଳାଙ୍କର ବିଳମ୍ବ ହୋଇଯାଏ, ତାଙ୍କ ସ୍ୱାମୀ ନିଜ ଦୋକାନ ବାହାରେ ଅପେକ୍ଷା କରିଥାନ୍ତି ଏବଂ ସେହି ସମୟରେ ବନ୍ଧୁମାନଙ୍କ ସହିତ ଗପସପ କରିଥାନ୍ତି ।

ପ୍ରମିଳା କୁହନ୍ତି, ‘‘ଏ କାରବାରରେ କୌଣସି ରବିବାର ନାହିଁ। ପଡ଼ୋଶୀମାନେ ମୋ ଘରକୁ ଆସି କିଛି କରାଇଲେ, ସେମାନଙ୍କ ଠାରୁ ମଧ୍ୟ ମୁଁ ଟଙ୍କା ନେଇଥାଏ!’’ ମୂଲଚାଲ କରୁଥିବା କିମ୍ବା ପ୍ରତିଶ୍ରୁତି ପାଳନ କରୁନଥିବା ଗ୍ରାହକଙ୍କ ସହ କଠୋର ହେବାକୁ ପଡ଼ିଥାଏ। ‘‘କେହି ଗ୍ରାହକ ଅହଂକାର ପ୍ରଦର୍ଶନ କଲେ, ଆମେ ତାଙ୍କୁ ଶିକ୍ଷା ଦେବା ଜାଣିଛୁ ।’’

ବିବାହ ଲେଡିଜ୍‌ ବ୍ୟୁଟି ପାର୍ଲରର ପରିଚାଳିକା ପ୍ରମିଳାଙ୍କ ପିଲାଦିନ ପଶ୍ଚିମବଙ୍ଗର କୋଇଲା ନଗରୀରେ ହୋଇଥିଲା, ସେଠାରେ ତାଙ୍କ ପିତା ଇଷ୍ଟର୍ଣ୍ଣ କୋଲଫିଲ୍ଡସ ଲିମିଟେଡରେ ଜଣେ ଫୋରମ୍ୟାନ ଭାବେ କାମ କରୁଥିଲେ। ତାଙ୍କ ମା’ ଆଠ ସଦସ୍ୟ ବିଶିଷ୍ଟ ପରିବାର ଚଳାଇଥାନ୍ତି। ପ୍ରତ୍ୟେକ ବର୍ଷ ପ୍ରମିଳା ଓ ତାଙ୍କର ଅନ୍ୟ ପାଞ୍ଚ ଜଣ ଭାଇ-ଭଉଣୀ (ତିନି ଭାଇ ଓ ଦୁଇ ଭଉଣୀ) ନିଜ ମାମୁଘରକୁ ବୁଲି ଯାଇଥାନ୍ତି ।

୨୦୦୦ ମସିହାରେ ପାଠପଢ଼ା ଶେଷ କରିବା ପରେ ପ୍ରମିଳାଙ୍କର ବାହାଘର ରାଜେଶ କୁମାରଙ୍କ ସହ ହୋଇଥିଲା ଏବଂ ସେ ଜମୁଇରେ ରହିବା ଆରମ୍ଭ କରିଥିଲେ। ସେ କୁହନ୍ତି ଯେ ବାହାଘର ପରେ ସାତ ବର୍ଷ ପର୍ଯ୍ୟନ୍ତ ଏମିତି ଚାଲିଥିଲା । ସ୍ୱାମୀ କାମକୁ ଯାଉଥିଲେ ଏବଂ ପିଲାମାନେ ସ୍କୁଲ ଚାଲି ଯାଉଥିଲେ। ଶେଷରେ ଅନେକ ଦିନ ପର୍ଯ୍ୟନ୍ତ ଘରେ ହାତ ବାନ୍ଧି ବସି ରହିବା ପରେ ସେ ତାଙ୍କ ସ୍ୱାମୀଙ୍କୁ କହିଲେ ଯେ ସେ ବାହାରକୁ ଯାଇ କାମ କରିବା ଲାଗି ଚାହୁଁଛନ୍ତି । ସେହି ସମୟରେ ସେ ବ୍ୟୁଟି ପାର୍ଲର ଖୋଲିବା ପାଇଁ ଚିନ୍ତା କଲେ। ଖୁସୀର କଥା ହେଉଛି ତାଙ୍କ ସ୍ୱାମୀ ଏଥିରେ ଖୁବ ସହଯୋଗ କରିଥିଲେ । ସେ କୁହନ୍ତି, ‘‘ମୋ ଗ୍ରାହକମାନେ ଯେତେବେଳେ ଆସନ୍ତି ଓ ମୁଁ ସେମାନଙ୍କ ସହିତ କଥାବାର୍ତ୍ତା, ଥଟ୍ଟା-ମଜା କରିଥାଏ, ମୋର ସବୁ (ଚାପ) ଦୂର ହୋଇଯାଏ।’’

Pramila posing for the camera.
PHOTO • Riya Behl
Pramila's husband Rajesh paints signboards and designs backdrops for weddings and other functions
PHOTO • Riya Behl

ବାମ: ପ୍ରମିଳା କ୍ୟାମେରା ପାଇଁ ପୋଜ୍‌ ଦେଉଛନ୍ତି । ଡାହାଣ: ପ୍ରମିଳାଙ୍କ ସହିତ ତାଙ୍କର ସ୍ୱାମୀ ରାଜେଶ ସାଇନବୋର୍ଡ ପେଣ୍ଟ କରିଥାନ୍ତି ଏବଂ ବାହାଘର ଓ ଅନ୍ୟ ଆୟୋଜନ ପାଇଁ ମଣ୍ଡପ ଓ ଷ୍ଟେଜ ଡିଜାଇନ କରିଥାନ୍ତି

୨୦୦୭ ମସିହାରେ ପ୍ରମିଳା ବ୍ୟୁଟି ଟ୍ରେନିଂ ନେବା ପାଇଁ ଯେତେବେଳେ ଇଚ୍ଛା ପ୍ରକାଶ କଲେ, ସେତେବେଳେ ଜମୁଇରେ କୌଣସି କୋର୍ସ ସୁବିଧା ନଥିଲା। ପ୍ରମିଳା ସେଥିମଧ୍ୟରୁ ଦୁଇଟି ପାଠ୍ୟକ୍ରମକୁ ନିଜ ପାଇଁ ଉଚିତ୍‌ ମନେ କଲେ। ତାଙ୍କ ପରିବାର ଉଭୟ ପାଇଁ ଶୁଳ୍କ ଦେଲା। ପ୍ରଥମ କୋର୍ସ ଥିଲା ଆକର୍ଷକ ପାର୍ଲର, ଯାହାକି ୬ ମାସର ଅବଧି ବିଶିଷ୍ଟ ଥିଲା ଓ ଏଥିପାଇଁ ଫି’ ଥିଲା ୬,୦୦୦ ଟଙ୍କା ଏବଂ ଅନ୍ୟ କୋର୍ସଟି ଥିଲା ଫ୍ରେସ୍‌ ଲୁକ୍‌, ଏଥିପାଇଁ କୋର୍ସ ଫି’ ଥିଲା ୨,୦୦୦ ଟଙ୍କା।

ପ୍ରମିଳାଙ୍କ ବ୍ୟବସାୟକୁ ଏବେ ୧୫ ବର୍ଷ ପୂରଣ ହୋଇସାରିଲାଣି ଏବଂ ସେ ସାରା ବିହାରରେ ଭିନ୍ନ ଭିନ୍ନ ସୌନ୍ଦର୍ଯ୍ୟ ଉତ୍ପାଦ କମ୍ପାନୀ ଦ୍ୱାରା ଆୟୋଜିତ କର୍ମଶାଳାରେ ନିୟମିତ ଭାବେ ସାମିଲ ହୋଇଥାନ୍ତି। ଫଳରେ, ଯାହା ସେ କୁହନ୍ତି, ‘‘ମୁଁ ୫୦ରୁ ଅଧିକ ମହିଳାଙ୍କୁ ପ୍ରଶିକ୍ଷିତ କରିଛି। ଏମାନଙ୍କ ମଧ୍ୟରୁ ଅନେକ ନିଜର ବ୍ୟୁଟି ପାର୍ଲର ଖୋଲି ସାରିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ନିକଟସ୍ଥ ଗାଁର ବାସିନ୍ଦା।’’

ଆମେ ଯେତେବେଳେ ସାକ୍ଷାତକାର ସମାପ୍ତ କରିବା ଦିଗରେ ଅଗ୍ରସର ହେଉଛୁ, ସେତେବେଳେ ପ୍ରମିଳା ଶର୍ମା ନିଜ ଓଠରେ ଲାଲ ଲିପଷ୍ଟିକ୍‌ ଲଗାଉଛନ୍ତି। ସେ କୋଲ୍‌ର ଏକ କ୍ରେୟନ ଉଠାଇ ନିଜ ଆଖିକୁ ଆହୁରି ଗାଢ଼ ରଙ୍ଗ ଦେବା ପରେ ପୁଣିଥରେ ନିଜର ସିନ୍ଦୁରୀ ଲାଲ ରଙ୍ଗର ସୋଫାରେ ବସି ପଡ଼ୁଛନ୍ତି ।

ସେ ଅଳ୍ପ ହସି କୁହନ୍ତି, ‘‘ମୁଁ ସୁନ୍ଦରୀ ନୁହେଁ, କିନ୍ତୁ ଆପଣ ଚାହିଁଲେ ମୋ ଫଟୋ ଉଠାଇ ପାରିବେ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Riya Behl

Riya Behl is a journalist and photographer with the People’s Archive of Rural India (PARI). As Content Editor at PARI Education, she works with students to document the lives of people from marginalised communities.

Other stories by Riya Behl
Devashree Somani

Devashree Somani is an independent journalist, in the current cohort of the India Fellow program.

Other stories by Devashree Somani
Editor : Priti David

Priti David is a Journalist with the People’s Archive of Rural India, and Education Editor, PARI. She works with educators to bring rural issues into the classroom and curriculum, and with young people to document the issues of our times.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE