‘‘ବ୍ୟୁଟି ପାର୍ଲର ଯିବା କ’ଣ ଦରକାର? କେବଳ ବଜାରରେ ବୁଲାବୁଲି କରିବା ଏବଂ ଟଙ୍କା ବର୍ବାଦ କରିବା ଲାଗି ଏହା ଏକ ବାହାନା।’’
ମୋନିକା କୁମାରୀ କୁହନ୍ତି ଯେ ତାଙ୍କ, ଶାଶୁ-ଶ୍ୱଶୁର ସେ ବ୍ୟୁଟି ପାର୍ଲର ଯିବାକୁ ସନ୍ଦେହ ଦୃଷ୍ଟିରେ ଦେଖିଥାନ୍ତି । ଚାରି ଜଣ ଲୋକଙ୍କୁ ନେଇ ତାଙ୍କ ପରିବାର ଖୈରମା ଗାଁରେ ରହିଥାଏ, ଯାହାକି ପୂର୍ବ ବିହାରର ଏକ ଛୋଟ ସହର ଜମୁଇଠାରୁ ମାତ୍ର ତିନି କିଲୋମିଟର ଦୂରରେ ରହିଛି। କିନ୍ତୁ ସେମାନଙ୍କ ଆପତ୍ତିକୁ ଅଣଦେଖା କରି ୨୫ ବର୍ଷୀୟା ମୋନିକା ନିଜ ସୁବିଧା ଓ ଆବଶ୍ୟକତା ଅନୁଯାୟୀ ନିଜ ଆଇବ୍ରୋ (ଭ୍ରୂଲତା) ସଜେଇବା, ଉପର ଓଠରେ ଉଠିଥିବା କେଶକୁ ଥ୍ରେଡିଂ କରିବା ଏବଂ ଫେସିଆଲ କରାଇବା ଲାଗି ସବୁବେଳେ ବ୍ୟୁଟି ପାର୍ଲର ଯାଇଥାନ୍ତି। ପଞ୍ଚାୟତ ଅଫିସରେ କାମ କରୁଥିବା ତାଙ୍କ ସ୍ୱାମୀ ମଧ୍ୟ ପୁରୁଣା ପିଢ଼ିର ଏହି ଅବିଶ୍ୱାସକୁ ସେତେଟା ଗୁରୁତ୍ୱ ଦେଇନଥାନ୍ତି ଏବଂ ତାଙ୍କ ପତ୍ନୀକୁ ନିଜେ ନେଇ ପାର୍ଲର ପାଖରେ ଛାଡ଼ି ଦିଅନ୍ତି।
କେବଳ ମୋନିକା ନୁହନ୍ତି, ବରଂ ଜମୁଇ ଜିଲ୍ଲା, ଆଖପାଖ ସହର ଓ ଗାଁର ବହୁସଂଖ୍ୟାରେ ଯୁବତୀ ଓ ମହିଳାଙ୍କ ପାଇଁ ନିଜ ଚେହେରା ଚମକିବା ପାଇଁ ନିକଟସ୍ଥ ପାର୍ଲରକୁ ଯିବା ଏକ ସାଧାରଣ କଥା।
୧୫ ବର୍ଷ ପୂର୍ବର କଥା ଉଦାହରଣ ଦେଇ ପ୍ରମିଳା ଶର୍ମା କୁହନ୍ତି, ‘‘ମୁଁ ପାର୍ଲର ଖୋଲିବା ସମୟରେ ଆଖପାଖ ଅଞ୍ଚଳରେ ପ୍ରାୟ ୧୦ଟି ପାର୍ଲର ପୂର୍ବରୁ ରହିଥିଲା। ଏବେ ତ’ ଏତେ ସଂଖ୍ୟାରେ ପାର୍ଲର ଖୋଲିଲାଣି ଯେ ଗଣିବା ମଧ୍ୟ କଷ୍ଟକର ହୋଇଯିବ।’’ ଏହି ୧୫ ବର୍ଷ ମଧ୍ୟରେ ଜମୁଇ ସହରରେ ସୌନ୍ଦର୍ଯ୍ୟ ବ୍ୟବସାୟ ଖୁବ୍ ଦ୍ରୁତ ଗତିରେ ବିକଶିତ ହୋଇଛି।
ପ୍ରମିଳା ୮୭,୩୫୭ ଜନସଂଖ୍ୟା ବିଶିଷ୍ଟ ଜମୁଇ ସହରର ମେନ୍ ରୋଡରେ ଥିବା ବିବାହ ଲେଡିଜ୍ ବ୍ୟୁଟି ପାର୍ଲର ମାଲିକାଣୀ ଅଟନ୍ତି । ଜମୁଇର ଅଧିକାଂଶ ଲୋକଙ୍କ ଜୀବିକା ଚାଷ ଏବଂ ଚାଷ ସହ ଜଡ଼ିତ ବିଭିନ୍ନ ବ୍ୟବସାୟ ଉପରେ ନିର୍ଭରଶୀଳ।














