୨୦ ବର୍ଷ ବୟସ ପର୍ଯ୍ୟନ୍ତ ଅଙ୍ଗଦ ସାଲୁଙ୍ଖେ ଆଶାବାଦୀ ଥିଲେ। ପରେ ଆଶାରୁ ଉତ୍କଣ୍ଠା ବଢିଥିଲା। କିଛି ବର୍ଷ ପରେ ନିରାଶା ଏବଂ ଉଦାସପଣ ତାଙ୍କୁ ମାଡ଼ି ବସିଥିଲା। ​ଶେଷରେ ବିଫଳତା ସ୍ୱୀକାର କରିବା ସହ ନିଯୁକ୍ତି ଆଶା ଛାଡିଦେଲେ।

୨୦୦୩ରେ ଅଙ୍ଗଦଙ୍କୁ ୧୮ ବର୍ଷର ହୋଇଥିଲା। ବେଦ୍ ଜିଲ୍ଲାର ତାଙ୍କ ଗାଁ ନାଗପୁର ଛାଡି କଲେଜ ପଢିବା ପାଇଁ ବେଦ୍ ସହରକୁ ଗଲେ। ତାଙ୍କ ଘରଠାରୁ ବେଦ ସହର ୧୪ କିଲୋମିଟର ଦୂର। ସେ କହନ୍ତି, “ମୋତେ ପାଠ ପଢାଇବାକୁ ବାପା ମାଆ ଗାଁ ମହାଜନଠାରୁ ଟଙ୍କା କରଜ ଆଣିଥିଲେ ଏବଂ ପରିଶୋଧ କରିବାକୁ ଅଧିକ ସମୟ ପରିଶ୍ରମ କରୁଥିଲେ। ସେଠାରେ ଘରଭଡ଼ା, କଲେଜ ଫି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ତିନ ବର୍ଷରେ ନିହାତି କମ୍ରେ ୨୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥିବ।”

ବିଏ ପଢା ଶେଷ ହେବା ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ୍ କମିଶନ (ଏମପିଏସସି) ପରୀକ୍ଷା ପାଇଁ ପ୍ରସ୍ତୁତି କଲେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ରାଜ୍ୟ ସରକାରଙ୍କ ଅଧିନରେ ପ୍ରାଶାସନିକ ସେବା କ୍ଷେତ୍ରରେ ଉପଜିଲ୍ଲାପାଳ, ଉପ ଆରକ୍ଷୀ ଅଧିକ୍ଷକ, ବିକ୍ରୀ କର ନିରୀକ୍ଷକ ଭଳି ପଦବୀରେ ନିଯୁକ୍ତି ମିଳିଥାନ୍ତା। କିନ୍ତୁ ପଦବୀ ସଂଖ୍ୟାଠାରୁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବହୁ ଗୁଣରେ ଅଧିକ। ଏମପିଏସସି ଅଧ୍ୟକ୍ଷ ଭି.ଏନ୍ ମୋରେ କହନ୍ତି, “ପ୍ରତିବର୍ଷ ୧୨-୧୪ ଲକ୍ଷ ପ୍ରାର୍ଥୀ ଏମ୍ପିଏସ୍ସି ପରୀକ୍ଷା ଦିଅନ୍ତି। କିନ୍ତୁ ପଦବୀ ସଂଖ୍ୟା ମାତ୍ର ୪,୦୦୦-୪,୫୦୦ ଭିତରେ ସୀମିତ। କେବଳ ପ୍ରାଶାସନିକ ସେବା ପାଇଁ ୨-୨.୫ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦିଅନ୍ତି। [ବର୍ଷକୁ ଏମ୍ପିଏସ୍ସି ୧୪ଟି ପରୀକ୍ଷା କରିଥାଏ] ୨୦୧୭-୧୮ରେ ବିଭିନ୍ନ କ୍ଷେତ୍ରରେ ହାରାହାରି ୩୦୦-୩୫୦ଟି ପଦବୀ ଖାଲି ଥିଲା। ପ୍ରାଶାସନିକ ସେବା କ୍ଷେତ୍ରରେ ଖାଲି ଥିବା ପଦବୀ ସଂଖା ମାତ୍ର ୧୪୦ ଥିଲା।”

ଅଙ୍ଗଦଙ୍କୁ ଏବେ ୩୪ ବର୍ଷ। କ୍ଷେତରେ ଶଗଡ଼ ଉପରେ ବସିଥିଲେ। କହିଲେ, “ଅନେକ ପରିଶ୍ରମ କରି ଦିନ ରାତି ପଢୁଥିଲି। ୨୦୦୭ରେ ବେଦ୍ ସରକାରୀ ଡାକ୍ତରଖାନାରେ କିରାଣୀ ପଦବୀରେ ନିଯୁକ୍ତି ପାଇଁ ସର୍ଟଲିଷ୍ଟ ହୋଇଥିଲା। କିନ୍ତୁ ମୋ ପାଇଁ ସୁପାରିସ କରିବାକୁ କେହି ନଥିଲେ। ” ନିଯୁକ୍ତି ପାଇଁ ସୁପାରିଶ ଏକ ଔପଚାରିକ ପ୍ରକ୍ରିୟା ନୁହେଁ। କିନ୍ତୁ ଏହା ବ୍ୟବସ୍ଥାର ଏକ ଅଂଶ ବିଶେଷ ପାଲଟି ଯାଇଛି। ସଂପର୍କ ଏବଂ ପ୍ରଭାବ ନଥିଲେ ନିଯୁକ୍ତି ନାହିଁ।

PHOTO • Parth M.N.

ଏମ୍ପିଏସ୍ସିରେ ଉତ୍ତୀର୍ଣ୍ଣ ହେବା ପରେ ବି ଚାକିରି ଖଣ୍ଡେ ପାଇଁ ଅଙ୍ଗଦ ଅନେକ ଚେଷ୍ଟା କରି ଶେଷରେ ଚାଷକୁ ଫେରିଥିଲେ। କେବଳ ଅଙ୍ଗଦ ନୁହନ୍ତି, ଅଗଣିତ ଲୋକଙ୍କ ଭାଗ୍ୟରେ ଏହା ହିଁ ଘଟିଛି।

ଅଙ୍ଗଦ କହିଲେ, “ବାପା ମା ଆଶା କରିଥିଲେ ମୁଁ ଚାଷ ନକରି ଆଉ କିଛି କରେ।” ୬୦ ବର୍ଷ ବୟଷ୍କା ଅଙ୍ଗଦଙ୍କ ମା’ ସୁଧାମତୀ କହିଲେ, “୨୦୦୦ ମସିହାରୁ ଚାଷ ଉପରୁ ଧୀରେ ଧୀରେ ଭରସା ତୁଟିବାରେ ଲାଗିଛି। ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି। ଆମେ ଦୁଇ ଗୁଣ ପରିଶ୍ରମ କରିବା ସହ ଖୁବ୍ କମ ଖର୍ଚ୍ଚ କରି ତା ପାଠପଢା ପାଇଁ ସଞ୍ଚୟ କରୁଥିଲୁ।” ଅଙ୍ଗଦ ତାଙ୍କର ଏକମାତ୍ର ସନ୍ତାନ।

ମରାଠାୱାଡାର ଗ୍ରାମାଞ୍ଚଳରେ ଏକ ମାସ ବୁଲିବା ଭିତରେ ମୁଁ ଏମତି କୌଣସି ବାପା ମା’ଙ୍କୁ ଭେଟିନି, ଯିଏ ତାଙ୍କ ପିଲା ଚାଷ କରନ୍ତୁ ବୋଲି ଚାହିଁଛନ୍ତି। ଋଣ ପରିଶୋଧ କରିବା ସହଜ ନୁହେଁ ଜାଣି ମଧ୍ୟ ଅନେକ ଲୋକ ପୁଅକୁ ବଡ଼ ସହରରେ ପାଠ ପଢାଇବା ପାଇଁ କରଜ କରନ୍ତି। କିଛି ପରିବାରରେ ଝିଅକୁ ପାଠ ପଢାଇବା ପାଇଁ ମଧ୍ୟ ଲୋକ ଧାର କରଜ କରନ୍ତି। ପିଲା ଗ୍ରଜୁଏଟ୍ ହୋଇଗଲେ ଚାକିରି ଖୋଜା ଆରମ୍ଭ ହୋଇଯାଏ। ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲେ। ଶେଷରେ ସବୁ ଉଦ୍ୟମ ବ୍ୟର୍ଥ ହୁଏ। ସବୁ ଆଶା, ବିଶ୍ୱାସ ଭାଙ୍ଗିରୁଜି ଚୁରମାର ହୋଇଯାଏ।

ବେଦ ଜିଲ୍ଲା ଦେବଦହିଫାଲ ଗାଁର ନାମଦେବ କୋହ୍ଲେ। ଜଣେ କୃଷି ଶ୍ରମିକ। ତାଙ୍କର ଦୈନିକ ମଜୁରୀ ୨୦୦-୨୫୦ ଟଙ୍କା। ମାସିକ ହାରାହାରି ଆୟ ୫,୦୦୦ ଟଙ୍କା। ସେ କହନ୍ତି, “ଆମ ଜୀବନ କ୍ଷେତରେ କଟିଲା। ଆମ ପୁଅ ଗଣେଶର ଜୀବନ ବି ଏମିତି କଟୁ. ଆମେ ଏହା ଚାହୁଁନୁ।” ପାଞ୍ଚ ବର୍ଷ ତଳେ ସେ ୪ ପ୍ରତିଶତ ସୁଧରେ ୩ ଲକ୍ଷ ଟଙ୍କା ହାତ ଉଧାରୀ କରିଥିଲେ। ତାଙ୍କ ନିଜର କୌଣସି ଜମି ନଥିବାରୁ ସେ ଋଣ ପାଇଁ ବ୍ୟାଙ୍କର ଦ୍ୱାରସ୍ଥ ହୋଇପାରି ନଥିଲେ। ୬୦ ବର୍ଷୀୟ ନାମଦେବ କହିଲେ, “ଆମେ ପଛେ ଚୋରି କରୁ, କିନ୍ତୁ ଗଣେଶ ପୁଣି ଗାଁକୁ ଫେରିବାକୁ ବାଧ୍ୟ ନହେଉ। ତା ପଢାରେ ବହୁତ ଖର୍ଚ୍ଚ ହେଉଛି। ପାଖାପାଖି ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି।”

୨୦୧୭ରେ ଗଣେଶ ବିଜ୍ଞାନରେ ଡିଗ୍ରୀ ପାସ୍ କଲେ; ଏହା ପରଠାରୁ ସେ ବେଦ ଟାଉନରେ ରହି ଏମପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ଗାଁଠାରୁ ବେଦ ଟାଉନ ୭୦ କିଲୋମିଟର ଦୂର। ଅନ୍ୟ ପିଲାଙ୍କ ସହ ମିଶି ଭଡ଼ା ଘରେ ରହୁଛନ୍ତି। ଭଡା ବାବଦକୁ ମାସିକ ୭୦୦ ଟଙ୍କା। ସେ କହନ୍ତି, “ବାପା ମା’ଙ୍କର ବୟସ ହୋଇଗଲାଣି। ଖୁବ୍ ଶୀଘ୍ର ଚାକିରୀ ଖଣ୍ଡେ ପାଇଲେ, ତାଙ୍କର ସେବା କରିବି। ସେମାନେ ସବୁବେଳେ ମତେ ଟଙ୍କା ଦିଅନ୍ତୁ ଏକଥା ମୁଁ ଆଶା କରିପାରିବିନି।”

ଅତ୍ୟଧିକ ଖର୍ଚ୍ଚ ଏବଂ ପ୍ରତୀକ୍ଷାର ବାଟ କାହିଁକି ସେ ବାଛିଛନ୍ତି? ‘ଚାଷରୁ କଣ ରୋଜଗାର ହେଉଛି? ଆୟ ନେଇ ଆପଣ ନିଶ୍ଚିତ ହୋଇ ପାରିବେ କି?’ ସେ ଉତ୍ତର ଦେଲେ।

ଭିଡିଓ ଦେଖନ୍ତୁ: ଚାକିରି ପାଇଁ ଗଣେଶ କୋହ୍ଲେଙ୍କ ଦୀର୍ଘ ପ୍ରତୀକ୍ଷା, ଏବଂ ଅଙ୍ଗଦ ସାଲୁଙ୍ଖେଙ୍କ ପରାଜୟ।

କାହିଁକି ଅତ୍ୟଧିକ ଖର୍ଚ୍ଚ କରି ଚାକିରି ପ୍ରତୀକ୍ଷାକୁ ବାଛି ନେଇଛନ୍ତି ବୋଲି ତାଙ୍କୁ ପଚାରିଲି। ସେ ଉତ୍ତର ରଖିଲେ- “କୃଷିରୁ କ’ଣ ଆୟ ହେଉଛି? ରୋଜଗାର ଉପରେ କିଛି ନିଶ୍ଚିତତା ଅଛି କି? ପାଣିପାଗ ଆଉ ଠିକ୍ ରହୁନି, ଅଧିକାଂଶ ସମୟରେ ଚାଷ ଖର୍ଚ୍ଚ ବି ଉଠୁନି। ଚାଷୀର ଜୀବନ ଦୁର୍ଭାଗ୍ୟ ଭିତରକୁ ଠେଲି ହୋଇଯାଉଛି। ଉଭୟ ଚାଷୀ ଏବଂ ଶ୍ରମିକ ଦୁର୍ଦ୍ଦଶାରେ।”

ଅଙ୍ଗଦଙ୍କ ପରି ଗଣେଶ ମଧ୍ୟ ଏମପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ​ସେ କହନ୍ତି, “ପରୀକ୍ଷା ଖୁବ ଆହ୍ୱାନମୂଳକ। ପାର୍ଟ ଟାଇମ୍ କାମ କରି ପଢିବା ସମ୍ଭବ ନୁହେଁ। ତଥାପି ଏବର୍ଷ ପରୀକ୍ଷା ଦେବା ପରେ ସ୍ଥାୟୀ ନିଯୁକ୍ତି ପାଇବା ପୂର୍ବରୁ କିଛି କାମ ଖୋଜିବି।”

ଏମପିଏସ୍ସି ପରୀକ୍ଷାର କୌଣସି ନିର୍ଦ୍ଦିଷ୍ଟତା ନାହିଁ। ପରୀକ୍ଷାର୍ଥୀଙ୍କୁ ଏକ ଅନିଶ୍ଚିତତା ଭିତରେ ଛାଡିଦିଏ। ଉଦାହରଣ ସ୍ୱରୂପ, ୨୦୧୬ ଏବଂ ୨୦୧୭ରେ ପୋଲିସ ସବ-ଇନିସ୍ପେକ୍ଟର ପଦବୀ ପାଇଁ ପରୀକ୍ଷା ଘୋଷଣା ହୋଇ ନଥିଲା। ସେହିଭଳି ତଲାଥି ପଦବୀ (ଭିଲେଜ ଆକାଉଣ୍ଟାଣ୍ଟ) ପାଇଁ ଆବେଦନ ଗ୍ରହଣ ହୋଇ ନଥିଲା।

ସ୍ଥାୟୀ ନିଯୁକ୍ତିର ନିଷ୍ଫଳ ଆଶା ସତ୍ତ୍ୱେ ଅନେକ ଯୁବକ ଉଦ୍ୟମ ଜାରି ରଖିଥିଲେ। ଚାକିରି ଆଶାୟୀ ଯୁବକମାନଙ୍କୁ କୋଚିଂ ଦେବାକୁ ବେଦ ସହରରେ ଅନେକ ଅନୁଷ୍ଠାନ ମଧ୍ୟ ଜନ୍ମ ନେଇଛି।

ପୋଲିସ ଚାକିରି ପାଇଁ ବେଦ ପୋଲିସ ଗ୍ରାଉଣ୍ଡରେ ଶହଶହ ପୁଅ ଝିଅ ମାର୍ଚ୍ଚ ମାସରେ ଅଭ୍ୟାସ କରୁଥଲେ। କିଏ ଦୌଡ଼ୁଥିଲା ତ କିଏ ଲମ୍ବା ଡିଆଁ ଅଭ୍ୟାସ କରୁଥିଲା। ଏସବୁ ଅନୁଷ୍ଠାନର ଟ୍ରେନରମାନଙ୍କ ତତ୍ତ୍ୱାବଧାନରେ ଅଭ୍ୟାସ ଚାଲିଥିଲା। କେବଳ କ୍ରିଷ୍ଣା ପାଠକଙ୍କ ଯୋଦ୍ଧା ଟ୍ରେନିଂ ଏକାଡ଼େମୀରେ ୯୦୦ ଛାତ୍ରଛାତ୍ରୀ। ବେଦ୍ରେ ଏହି ଏକାଡ଼େମୀ ମାଲିକଙ୍କର ପ୍ରାୟ ୨୦ଟି ଏଭଳି ଅନୁଷ୍ଠାନ ରହିଛି। ଏକ ପଶ୍ଚାତାପର ହସହସି ପାଠକ କହିଲେ, “୨୦୧୮ରେ ପୋଲିସ ବାହିନୀ [ବେଦ୍ପୋଲିସ ବିଭାଗରେ] ପାଇଁ ୫୩ଟି ପଦବୀ ବାହାରିଥିଲା। ବର୍ଷବର୍ଷ ଧରି ଏଠି ଉଦ୍ୟମ କରୁଥିବା ପିଲାମାନେ ଖୁବ୍ କମ୍ ବ୍ୟବଧାନରେ କଟିଗଲେ। ଶାରୀରିକ ତାଲିମ ଅଧିକ ଆବଶ୍ୟକ ହେଉଛି। ଯୁବପିଢି ଖୁବ ଉଦ୍ୟମ ଜାରି ରଖିଛନ୍ତି। ଏହା କିନ୍ତୁ ଖୁବ୍ ନୈରାଶ୍ୟଜନକ।”

PHOTO • Parth M.N.

ପୋଲିସ ବିଭାଗରେ ହାତ ଗଣତି କୋତୋଟି ପଦବୀରେ ଶାରିରୀକ ପରୀକ୍ଷା ପାଇଁ ଶହଶହ ପୁଅ ଝିଅ ଅଭ୍ୟାସ କରୁଥିଲେ। ଜଣେ ଟ୍ରେନର କହିଲେ, 'ଏହା କିନ୍ତୁ ଖୁବ ନୈରାଶ୍ୟଜନକ।’

ଏଠି ତାଲିମ ନେଉଥିବା ପିଲାଙ୍କ ଭିତରେ ଥିଲେ ୧୯ ବର୍ଷୀୟା ପୂଜା ଆଚାରୀ। ତାଙ୍କ ଘର ବେଦ ସହରଠାରୁ ୮୦ କିଲୋମିଟର ଦୂର ଅସ୍ତି ସହରରେ। ଏଠି ସେ ହଷ୍ଟେଲରେ ରହନ୍ତି। ମାସିକ ଘରଭଡା ୮୦୦ ଟଙ୍କା ଏବଂ ମେସ୍ ଖର୍ଚ୍ଚ ୧,୫୦୦ ଟଙ୍କା। ସେ କହନ୍ତି, “ଏଠି ତିନିମାସର ଟ୍ରେନିଂ। ତା ପରେ ପୋଲିସ ବିଭାଗରେ ନିଯୁକ୍ତି ପାଇଁ ଉଦ୍ୟମ କରିବି।”

ପୂଜା କୃଷକ ପରିବାରର। ତାଙ୍କର ଆଠ ଏକର ଚାଷ ଜମି ଅଛି। ତାଙ୍କର ସାମର୍ଥ୍ୟ ଅଛି। କିନ୍ତୁ ପୂଜା କହିଲେ, “ ଝିଅମାନଙ୍କୁ ମାତ୍ର ଥରଟିଏ ସୁଯୋଗ ମିଳେ। ଯଦି ଏହି ବର୍ଷ ଚାକିରି ଖଣ୍ଡିଏ ନମିଳେ, ମୋତେ ଘରକୁ ଫେରିବାକୁ ପଡ଼ିବ ଏବଂ ବିବାହ କରିବାକୁ ପଡ଼ିବ। ସେଥିପାଇଁ ଅଧିକାଂଶ ବେରୋଜଗାରୀ ହେଉଛନ୍ତି ପୁଅ।”

ଚଳିତ ବର୍ଷ ଆରମ୍ଭରେ ବେଦ୍ର ଜଣେ ସ୍ଥାନୀୟ କର୍ମକର୍ତ୍ତା ଶିକ୍ଷିତ ବେକାରୀଙ୍କୁ ନେଇ ‘ସୁଶିକ୍ଷିତ ବେରୋଜଗାର’ ନାମରେ ଏକ ନେଟୱର୍କ ଆରମ୍ଭ କରିଥିଲେ। ସେ କହନ୍ତି, “ମୁଁ ଟିଉସନ୍ କ୍ଲାସ ଏବଂ କଲେଜରେ ମଧ୍ୟ ଏକଥା କହିଛି। ଯୋଜନା ହେଉଛି ଏଥିରେ ସମସ୍ତେ ନିଜର ମତାମତ ରଖିପାରିବେ। ଆଉ ଏହା ସରକାରଙ୍କ ପାଖରେ ଉପସ୍ଥାପନ ହେବ। ସ୍ଥିତି କେତେ ଗମ୍ଭୀର, ଏ କଥା ସରକାରଙ୍କୁ ଅବଗତ କରାଯିବ।”

ନେଟୱର୍କ ଗଢିବାର ମାତ୍ର କିଛି ଦିନ ପରେ ଗତ ଫେବ୍ରୁଆରୀ ଶେଷ ସପ୍ତାହରେ ବ​ଢେ ଆୟୋଜନ କରିଥିବା ଏକ କାର୍ଯ୍ୟକ୍ରମରେ ପ୍ରାୟ ୧,୦୦୦ ଯୁବକ ସାମିଲ ହୋଇଥିଲେ। ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ୧୨ଶ ଶ୍ରେଣୀ କିମ୍ବା ତା’ଠାରୁ ଅଧିକ। ଏମାନେ ବେଦ ଟାଉନ ଏବଂ ଏହାର ଆଖପାଖ ଅଂଚଳର ପିଲା ଥିଲେ। ସେ କହନ୍ତି. ଏଥିରୁ ଅନୁମାନ କରି ହେବ ବେଦରେ ଥିବା ୧୧ଟି ତାଲୁକରେ କେତେ ବେକାରୀ ଥିବେ। ପୂରା ମହାରାଷ୍ଟ୍ରରେ ଏହି ସମାନ ସ୍ଥିତି।

PHOTO • Parth M.N.
Portrait of girl
PHOTO • Parth M.N.

ପୂଜା (ଡାହଣ) କହନ୍ତି, ‘ଯଦି ଏହି ବର୍ଷ ଚାକିରି ଖଣ୍ଡିଏ ନମିଳେ, ମୋତେ ଘରକୁ ଫେରିବାକୁ ପଡ଼ିବ ଏବଂ ବିବାହ କରିବାକୁ ପଡ଼ିବ। ସେଥିପାଇଁ ଅଧିକାଂଶ ବେରୋଜଗାରୀ ହେଉଛନ୍ତି ପୁଅ।’

ସାରା ଦେଶରେ ଏହି ସମାନ ସ୍ଥିତି। ମୁମ୍ବାଇ ସ୍ଥିତ ଇଣ୍ଡିଆନ ଇକୋନୋମି ମନିଟରିଂ ର ଆକଳନ ଅନୁସାରେ ଅତିକମ୍ରେ ଭାରତର ୩୦ ମିଲିଅନ ଲୋକ ନିଯୁକ୍ତି ଆଶାୟୀ। କିନ୍ତୁ ଚାକିରି ନାହିଁ, ଏମିତିକି ପଦବୀ ସଂଖ୍ୟା କମିକମି ଚାଲିଛି। ଥିରୁବନନ୍ତପୁରମରେ ଥିବା ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜ୍ର ଅର୍ଥନୀତିଜ୍ଞ ବିନୋଜ ଆବ୍ରାହାମ ଇକୋନୋମିକ ଆଣ୍ଡ ପଲିଟିକାଲ ୱିକଲିରେ ଦେଇଥିବା ତଥ୍ୟ ଅନୁସାରେ ସାରା ଭାରତରେ ନିଯୁକ୍ତି ସୁଯୋଗ ଭୟଙ୍କର ଭାବେ ହ୍ରାସ ପାଇଛି। ଅର୍ଥନୀତିର ପ୍ରାୟ ସବୁ କ୍ଷେତ୍ରରେ ଏହି ସମାନ ସ୍ଥିତି।

କୃଷକମାନେ ସେମାନଙ୍କ ପିଲାଙ୍କୁ ଚାଷରୁ ଦୂରେଇ ରଖିବାକୁ ଚାହୁଁଥିବାବେଳେ ଯୁବପିଢି ପାଖରେ ନିଯୁକ୍ତି ସୁଯୋଗ ନାହିଁ। “ଚାକିରି ନପାଇ କିଏ ବାଧ୍ୟ ଚାଷକୁ ଫେରୁଛି ତ ଆଉ କିଏ ସହରକୁ ଯାଇ ଶ୍ରମିକ, ଡ୍ରାଇଭର କିମ୍ବା ଜଗୁଆଳି କାମ କରୁଛି। ଏହାଦ୍ୱାରା ସହରର ଧନୀ ଲୋକଙ୍କୁ ଶସ୍ତାରେ ଶ୍ରମିକ ମିଳିଯାଉଛନ୍ତି,” କହନ୍ତି ବଢେ।

ଏଭଳି ସମୟରେ ହତାଶା ଭିତରେ ରହୁଥିବା ଯୁବକମାନଙ୍କୁ ଶୋଷଣ କରିବାକୁ ଠକମା​ନେ ପଛାନ୍ତି ନାହିଁ। ୨୦୧୩ରେ ଅଙ୍ଗଦ ତଥାପି ଚାକିରି ଖଣ୍ଡେ ପାଇଁ ଆଶା ରଖିଥିଲେ। ବେଦ୍ରେ ଜଣେ ଲୋକ ସହ ତାଙ୍କର ଭେଟ ହୋଇଥିଲା। ନାନ୍ଦେଦ୍ରେ ଭିଲେଜ ଏକାଉଣ୍ଟାଣ୍ଟ ପଦରେ ନିଯୁକ୍ତି କରାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲା। ସେଥିପାଇଁ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଅଙ୍ଗଦ କହିଲେ, “ଆମ ପାଞ୍ଚ ଏକର ଚାଷ ଜମିରୁ ଗୋଟିଏ ଏକ ବିକି ତାକୁ ସେହି ଟଙ୍କା ଦେଲୁ। କିନ୍ତୁ ଟଙ୍କା ପାଇବା ପରେ ସେ ଅନ୍ତର୍ଦ୍ଧାନ ହୋଇଗଲା। ଏହି ଘଟଣା ପରେ ମୁଁ ନିଶ୍ଚିତ ହେଲି ଯେ ମୋତେ କେବେ ବି ଚାକିରି ମିଳିବନି।” ପ୍ରାୟ ଅଧ ଦଶନ୍ଧି ଧରି ସ୍ଥାୟୀ ସରକାରୀ ଚାକିରି ଖଣ୍ଡେ ମିଳିବ ବୋଲି ଅଙ୍ଗଦ ଆଶା ରଖିଥିଲେ। ସେହି ସମୟରେ ସେ ଚଳିବା ପାଇଁ ଅନ୍ୟ କିଛି କାମ  କରୁଥିଲେ।

ପରବର୍ଷ ଚାଷ ଆରମ୍ଭ କଲେ। କପା, ଜ, ବାଜରା ଆଦି ଚାଷ କଲେ। ତେବେ ତାଙ୍କ ବାପା ମାଆଙ୍କ ଭଳି ସେ ସଂଘର୍ଷ କରୁଛନ୍ତି। ସେ କହନ୍ତି, “ମୋ ବାପାଙ୍କୁ ୬୦ ଟପିଲାଣି। ତଥାପି ସେ ପର ଜମିରେ ମୂଲ କରନ୍ତି। ସେଥିପାଇଁ ମୁଁ ନିଜକୁ ଦାୟୀ ମନେ କରୁଛି। ମୋ ପଢା ଏବଂ ନିଯୁକ୍ତ ପାଇଁ ମୋ ବାପା ମାଆ ବହୁତ ଅଧକ ଖର୍ଚ୍ଚ କରି ନାହାନ୍ତି। କିନ୍ତୁ ମୁଁ ଭାବୁଛି ତାଙ୍କ ସ୍ଥିତି ମୋଠାରୁ ଭଲ ଥିଲା।”

ଅଙ୍ଗଦଙ୍କର ଦୁଇଟି ପୁଅ। ଜଣେ ୧୦ ବର୍ଷର ଆଉ ଜଣେ ୮ ବର୍ଷର, ଆଉ ଗୋଟିଏ ତିନି ବର୍ଷର ଝିଅ। ତାଙ୍କ ବାପା ମାଆଙ୍କର ତାଙ୍କ ପାଇଁ ଯେଉଁ ସ୍ୱପ୍ନ ଥିଲେ ସେ ବି ତାଙ୍କ ପିଲାଙ୍କ ପାଇଁ ସେହି ସ୍ୱପ୍ନ ଦେଖୁଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.