“ଏହାର ମୂଲ୍ୟ ହେଉଛି ୩୫୦ଟଙ୍କା । ଏହାର ମୂଲ୍ୟ ହ୍ରାସ କରିବାକୁ କୁହନ୍ତୁ ନାହିଁ କାରଣ କରୋନା କାରଣରୁ ଅନେକ ଦିନ ହେଲାଣି ଆମର କିଛି ଆୟ ହେଉନାହିଁ” ବୋଲି ଜଣେ କ୍ରେତା ମୂଲଚାଲ କରିବାକୁ ଚେଷ୍ଟା କରିବାରୁ ପ୍ରକାଶ କୋକ୍ରେ କହିଲେ । ସେ ଏକ ଧଳା ଅଣ୍ଡିରା ମେଣ୍ଡା ଉଠାଇଲେ ଓ ଏହାକୁ ଏକ ଭୂମି ଉପରେ ରଖା ଯାଇଥିବା ଏକ ତରାଜୁ ଉପରେ ରଖିଦେଲେ । “ତିନ୍ କିଲୋ [ ତିନି କେଜି],’’ ବୋଲି କେଜି ପିଛା ୨୦୦ଟଙ୍କାରେ ଦେବା ପାଇଁ ବାରମ୍ବାର କହୁଥିବା ଗ୍ରାହକମାନଙ୍କ ଉଦ୍ଦେଶ୍ୟରେ ପାଟି କରି କହିଲେ । “ତାହା ଅତି କମ୍ ଅଟେ, ହେଲେ ମୋର ପଇସା ଦରକାର ଅଛି ,” ବୋଲି ପ୍ରକାଶ ଏହାକୁ ଏହାର ନୂଆ ମାଲିକମାନଙ୍କୁ ହସ୍ତାନ୍ତର କରିବା ବେଳେ କହିଲେ ।
“ଏବେ ଏକଥା ଭାବି ଲାଭ ନାହିଁ, ଆମେ କ’ଣ କରିପାରିବୁ? ବୋଲି ଜୁନ୍ ଶେଷ ସପ୍ତାହରେ ଦିନେ ଦ୍ୱିପହର ସମୟରେ ବଦା ତାଲୁକାରେ ଅବସ୍ଥିତ ଦେଶାଇପଡା ଗ୍ରାମରେ ମୋର ତାଙ୍କ ପରିବାର ସହିତ ଭେଟ ହେବାବେଳେ ସେ ମତେ କହିଥିଲେ । ସେତେବେଳକୁ କୋଭିଡ୍- ୧୯ ତାଲାବନ୍ଦକୁ ତିନିମାସ ଚାଲିଥିଲା ।
ପ୍ରକାଶଙ୍କ ପରିବାର, ଅନ୍ୟ ଛଅ ପରିବାର ସହିତ - ସମସ୍ତେ ଧାଙ୍ଗର ସମ୍ପ୍ରଦାୟର ଯାଯାବର ମେଷପାଳକ - ମହାରାଷ୍ଟ୍ରର ପାଳଘର ଜିଲ୍ଲାର ସେହି ଜମିରେ ଦୁଇ ଦିନ ପାଇଁ ଆଶ୍ରୟ ନେଇଥିଲେ । କିଛି ମହିଳା ମେଣ୍ଢା ଛୁଆମାନଙ୍କୁ ଏଣେତେଣେ ବୁଲିବାଠାରୁ ପ୍ରତିବନ୍ଧିତ କରିବା ପାଇଁ ନାଇଲନ୍ ଜାଲଗୁଡିକୁ ସଜାଡୁଥିଲେ । ଶସ୍ୟ ଭର୍ତ୍ତି ଅଖା, ଆଲୁମିନିୟମ୍ ପାତ୍ର, ପ୍ଲାଷ୍ଟିକ ବାଲ୍ଟି ଓ ଅନ୍ୟ ସାମଗ୍ରୀଗୁଡିକ ପଡିଆରେ ଚାରିଆଡେ ବିଛାଡି ହୋଇ ପଡିଥିଲା । କିଛି ପିଲା ମେଣ୍ଡା ଛୁଆଁଙ୍କ ସହିତ ଖେଳୁଥିଲେ ।
ମେଣ୍ଢା ଛୁଆ, ମେଣ୍ଢା ଓ ଛେଳି ବିକ୍ରି କରିବା – ଯେପରି ଏବେ ପ୍ରକାଶ ମୂଲଚାଲ କରି ଦେଲେ – ହେଉଛି ଧାଙ୍ଗେର୍ ସମୁଦାୟର ଜୀବନଧାରଣର ମୁଖ୍ୟ ପନ୍ଥା। ସାତଟି ପରିବାର ପାଖରେ ମୋଟ ୫୦୦ଟି ପଶୁ ଅଛନ୍ତି, ଯାହା ମଧ୍ୟରେ ୨୦ଟି ଘୋଡା ମଧ୍ୟ ଅଛନ୍ତି । ସେମାନେ ମେଣ୍ଡାଗୁଡିକର ଲାଳନପାଳନ କରନ୍ତି ଓ ତାପରେ ନଗଦ ରାଶି ବା ଶସ୍ୟ ବଦଳରେ ବିକ୍ରି କରନ୍ତି । ଛେଳିମାନଙ୍କୁ ସାଧାରଣତଃ ସେମାନଙ୍କ ନିଜ ପରିବାରର ଦୁଧ ଚାହିଦା ପୂରଣ କରିବ ପାଇଁ ରଖିଥାନ୍ତି ଓ ବେଳେବେଳେ ମାଂସ ବ୍ୟବସାୟୀମାନଙ୍କୁ ବିକ୍ରି କରିଥାନ୍ତି । ଅନେକ ସମୟରେ ସେମାନଙ୍କର ପଶୁମାନେ ଚାଷଜମିରେ ଚରିଥାନ୍ତି ଓ ସେହି ପଶୁଗୁଡିକଠାରୁ ମିଳୁଥିବା ଖତ ବଦଳରେ ଜମି ମାଲିକ କିଛି ଦିନ ପାଇଁ ସେମାନଙ୍କ ପରିବାରକୁ ଖାଦ୍ୟ, ପାଣି ଓ ରହିବାକୁ ସ୍ଥାନ ଯୋଗାଇ ଦିଅନ୍ତି ।
“ଆମେ କେବଳ ମେଣ୍ଢା [ଅଣ୍ଡିରା ମେଣ୍ଢା଼ ବିକ୍ରି କରିଥାଉ ଓ [ମାଇ ମେଣ୍ଢା]ଗୁଡିକୁ ଆମ ପାଖରେ ରଖିଦେଉ,’’ ବୋଲି ଏହି ମେଷପାଳକ ଦଳର ମୁଖିଆ ୫୫ବର୍ଷ ବୟସ୍କ ପ୍ରକାଶ କୁହନ୍ତି । “ଚାଷୀମାନେ ଆମ ଠାରୁ ମେଣ୍ଢା କିଣନ୍ତି କାରଣ ସେମାନେ ସେମାନଙ୍କ ଜମିରେ ଚରି ସେମାନଙ୍କ ଉପକାର କରିଥାନ୍ତି । ସେମାନଙ୍କ ଠାରୁ ମିଳୁଥିବା ଖତ ସେମାନଙ୍କ ଜମିକୁ ଉର୍ବର କରିଥାଏ।’’











