‘‘ଗୋଟିଏ ବର୍ଷ ମଧ୍ୟରେ ଆମର ଅନେକ ପଶୁଙ୍କୁ ଚିତା ବାଘ ଖାଇ ଦେଇଛନ୍ତି। ସେମାନେ ରାତିରେ ଆସି, ଗୃହପାଳିତ ପଶୁମାନଙ୍କୁ ଝାମ୍ପି ନେଇଥାନ୍ତି,’’ ମେଷପାଳକ ଗୌର ସିଂ ଠାକୁର କହିଥିଲେ। ଏପରିକି ଦେଶୀ ଭୂତିଆ କୁକୁର, ଶେରୁ ମଧ୍ୟ ସେମାନଙ୍କୁ ଘଉଡ଼ାଇ ପାରିନଥାଏ, ସେ ଆହୁରି ସୂଚନା ଦେଇଥିଲେ।
ହିମାଳୟର ଗଙ୍ଗୋତ୍ରୀ ପାର୍ବତ୍ୟାଞ୍ଚଳର ଉଚ୍ଚ ପାହାଡ଼ ଉପରେ ଥାଇ ସେ ଆମ ସହ କଥା ହୋଇଥିଲେ। ଉତ୍ତରକାଶୀ ଜିଲ୍ଲାର ସୌରା ଗାଁ ଭିତରେ ଏବଂ ପାଖରେ ରହୁଥିବା ସାତଟି ପରିବାରର ଗୃହପାଳିତ ପଶୁଙ୍କୁ ସେ ଚରାଇବା ଲାଗି ଆଣିଥିଲେ। ଗୌର ସିଂହ ସେହି ଗାଁର ବାସିନ୍ଦା ଯାହାକି ୨,୦୦୦ ମିଟର ତଳେ ଅବସ୍ଥିତ। ଗୋଟିଏ ବର୍ଷରେ ନଅ ମାସ ପର୍ଯ୍ୟନ୍ତ ଗୃହପାଳିତ ପଶୁଙ୍କୁ ଯତ୍ନ ନେବା ଲାଗି ସେ ଏକ ଚୁକ୍ତିନାମା ଅଧୀନରେ ରହିଛନ୍ତି। ବର୍ଷା ହେଉ ଅବା ବରଫପାତ, ତାଙ୍କୁ ବାହାରକୁ ଯିବାକୁ ହୋଇଥାଏ। ସେ ଗୃହପାଳିତ ପ୍ରାଣୀଙ୍କୁ ଚରାଇଥାନ୍ତି, ଏକତ୍ର କରିଥାନ୍ତି ଏବଂ ସବୁ ଗଣିଥାନ୍ତି।
ପାହାଡ଼ରେ ଏଣେତେଣେ ବୁଲୁଥିବା ପଶୁପଲଙ୍କୁ ଦେଖି ଆଉ ଜଣେ ମେଷପାଳକ ୪୮ ବର୍ଷ ବୟସ୍କ ହରଦେବ ସିଂ ଠାକୁର କହିଥିଲେ, ‘‘ଏଠାରେ ପାଖାପାଖି ୪୦୦ ମେଣ୍ଢା ଏବଂ ୧୦୦ ଛେଳି ଅଛନ୍ତି। ଆହୁରି ବି ଥାଇପାରନ୍ତି।’’ ସଠିକ ସଂଖ୍ୟାକୁ ନେଇ ସେ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ନଥିଲେ। ଗତ ୧୫ ବର୍ଷ ହେବ ହରଦେବ ଏହି କାମ କରି ଆସୁଛନ୍ତି। ‘‘କିଛି ମେଷପାଳକ ଦୁଇ ସପ୍ତାହ ପାଇଁ ଆସିଥାନ୍ତି ଏବଂ ପୁଣି ଚାଲିଯାଆନ୍ତି। ଆଉ କିଛି ମୋ ଭଳି ରହିଯାଆନ୍ତି,’’ ସେ କହିଥିଲେ।
ଅକ୍ଟୋବର ମାସ ଥିଲା, ଉତ୍ତରାଖଣ୍ଡରେ ଗଡ଼ୱାଲ ହିମାଳୟ ପର୍ବତମାଳାର ଗଙ୍ଗୋତ୍ରୀ ପାର୍ବତ୍ୟାଞ୍ଚଳରେ ଥିବା ଏକ ତୃଣଭୂମି ‘ଚୁଲିଟପ’ର ଘାସ ଉପର ଦେଇ ଅତିଶୟ ଥଣ୍ଡା ପବନ ବୋହି ଯାଉଥିଲା। ଗୃହପାଳିତ ପ୍ରାଣୀମାନଙ୍କୁ ଘଉଡ଼େଇ ନେଉଥିବା ପୁରୁଷମାନେ ଦେହରେ କମ୍ବଳ ଘୋଡ଼େଇ ହୋଇଥିଲେ। ମେଷପାଳକମାନେ କହିଥିଲେ, ଏହା ଏକ ଭଲ ଚାରଣଭୂମି। ଉପରେ ବରଫ ଶିଖରରୁ ଛୋଟ ଝରଣାଟିଏ ତଳକୁ ବୋହିଯାଇଛି ଯାହାକି ଗୃହପାଳିତ ପଶୁଙ୍କ ପାଇଁ ଏକ ଭଲ ଜଳ ଉତ୍ସ ଭାବେ କାର୍ଯ୍ୟ କରିଥାଏ। ଝରଣାଟି ସର୍ପିଳ ଗତିରେ ପଥର ଚଟାଣ ମଧ୍ୟ ଦେଇ ୨୦୦୦ ମିଟର ତଳକୁ ବୋହି ଯାଇଛି ଏବଂ ତଳେ ଭାଗିରଥୀ ନଦୀର ଶାଖା ଭିଲାଙ୍ଗନା ନଦୀରେ ମିଶିଛି।









