ମଧ୍ୟାହ୍ନ ଭୋଜନ ବିରତିରେ ଘରକୁ ଆସିଥିବା ବେଳେ ଜୋଆକିମ୍ ଫର୍ଣ୍ଣାଣ୍ଡିଜଙ୍କ ମୋବାଇଲ ଫୋନ ଘନଘନ ବାଜୁଥାଏ । କାମକୁ ଯିବା ବେଳେ ସେ ଫୋନ୍ ନେଇ ଯାଆନ୍ତି ନାହିଁ ଏବଂ ତାଙ୍କ ଗ୍ରାହକମାନେ ଏ କଥା ଜାଣିସାରି ଥାଆନ୍ତି ଯେ ତାଙ୍କ ସହ ସଂପର୍କ କରିବାର ଏହା ହିଁ ପ୍ରକୃଷ୍ଟ ସମୟ । ଉତ୍ତର ଗୋଆର ପର୍ରା ଗାଁ ନିବାସୀ ଏହି ୫୩ ବର୍ଷୀୟ ନଡ଼ିଆ ତୋଳାଳିଙ୍କର ଖୁବ୍ ଚାହିଦା ରହିଛି ।
ରାଜ୍ୟର ୨୫,୦୦୦ ହେକ୍ଟର ଜମିରେ ନଡ଼ିଆ ଗଛ ଲଗାଯାଇଛି ଏବଂ ତୋଳାଳିମାନଙ୍କର ଘୋର ଅଭାବ ଲାଗି ରହିଛି । ଏଥିପାଇଁ ଫର୍ଣ୍ଣାଣ୍ଡିଜ୍ଙ୍କ ଭଳି ପ୍ରବୀଣ ବ୍ୟକ୍ତିମାନେ ସପ୍ତାହ ସାରା କାର୍ଯ୍ୟବ୍ୟସ୍ତ ରହନ୍ତି । ପ୍ରତିଦିନ ସକାଳେ ଏବଂ ଅପରାହ୍ଣରେ ସେ ସାଇକେଲ ଚଳାଇ୧୨ କିଲୋମିଟର ପର୍ଯ୍ୟନ୍ତ ଦୂରରେ ଥିବା ନଡ଼ିଆ ବଗିଚାକୁ ଯାଆନ୍ତି ଏବଂ ଦିନକୁ ୫୦ଟି ନଡ଼ିଆ ଗଛରେ ଚଢ଼ନ୍ତି । ପ୍ରତି ମାସରେ ତାଙ୍କ କାର୍ଯ୍ୟ ଦିବସ ସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ । ବର୍ଷା ଋତୁରେ (ଜୁନ୍ରୁ ସେପ୍ଟେମ୍ବର) ସେ କେବଳ ସେହି ସବୁ ଦିନ ଗଛରେ ଚଢ଼ନ୍ତି, ଯେଉଁ ଦିନ ଖରାରେ ଗଛର ଗଣ୍ଡି ଭଲ ଭାବେ ଶୁଖିଯାଇଥାଏ । ବର୍ଷର ବାକି ଦିନଗୁଡ଼ିକରେ, ଗୋଆର ଅଧିକାଂଶ ନଡ଼ିଆ ତୋଳାଳିଙ୍କ ଭଳି, ସେ ସବୁଦିନ ଗଛ ଚଢ଼ନ୍ତି । ଗଛ ପିଛା ସେ ୫୦ ଟଙ୍କା ପାଉଣା ନିଅନ୍ତି ଏବଂ ଏହି ହିସାବରେ ତାଙ୍କର ଦୈନିକ ରୋଜଗାର ୨,୫୦୦ଟଙ୍କା ହୋଇଥାଏ ।










