୨୦୦୭ ମସିହାରେ ବିବାହ ସମୟରେ ପୋଲାମର ସେଟ୍ଟୀ, ଯାହାକି ପଦ୍ମଜାଙ୍କ ପରିବାର ତାଙ୍କୁ ୨୫ ଭରି (୨୫୦ଗ୍ରାମ ) ସୁନା ଅଳଙ୍କାର ଯୌତୁକ ବାବଦରେ ଦେଇଥିଲେ। ୩୧ ବର୍ଷ ବୟସ୍କା ପଦ୍ମଜା, ଯିଏକି ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟେଇବା ପାଇଁ ଘଡି ମରାମତି କରନ୍ତି କୁହନ୍ତି “ମୋ ସ୍ଵାମୀ ସବୁ ଯୌତୁକରେ ମିଳିଥିବା ସୁନା ଅଳଙ୍କାର ବିକ୍ରି କରି ଖର୍ଚ୍ଚ କରି ସାରିଲା ପରେ, ମୋ ଠାରୁ ମଧ୍ୟ ତାଙ୍କ ମନ ଭରିଗଲା’’।
ପଦ୍ମଜାଙ୍କର ମଦ୍ୟପ ସ୍ୱାମୀ ଯୌତୁକରେ ପାଇଥିବା ଅଳଙ୍କାର ସବୁକୁ ଗୋଟେ ଗୋଟେ କରି ବିକି ମଦ ପିଇବାରେ ଉଡାଇ ଦେଇଥିଲେ। ପଦ୍ମଜା କୁହନ୍ତି, "ମୋ ଉପରେ ମୋ ପରିବାରର, ବିଶେଷ କରି ମୋ ପିଲାମାନଙ୍କର ଭରଣପୋଷଣ କରିବାର ଦାୟିତ୍ଵ ଥିଲା”। ୨୦୧୮ ମସିହାରେ ତାଙ୍କ ସ୍ଵାମୀ ପରିବାରକୁ ଛାଡି ଚାଲିଯିବା ପରେ ସେ ଘଡି ମରାମତି କରିବାର ରାସ୍ତା ଆପଣେଇଲେ- ଏବଂ ବୋଧହୁଏ ପଦ୍ମଜା ଏକମାତ୍ର ମହିଳା ଯିଏକି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଘଡି ମରାମତି କରନ୍ତି ।
ସେବେଠାରୁ ସେ ମାସିକ ୬୦୦୦ ଟଙ୍କା ଦରମାରେ ଏକ ଛୋଟିଆ ଘଡି ମରାମତି ଦୋକାନରେ କାମ କରନ୍ତି କିନ୍ତୁ ମାର୍ଚ୍ଚରେ କୋଭିଡ-୧୯ ପାଇଁ ଲକଡାଉନ ଆରମ୍ଭ ହେବା ଯୋଗୁଁ ତାଙ୍କର ରୋଜଗାରରେ ବାଧା ପହଞ୍ଚିଲା। ତେଣୁ ମାର୍ଚ୍ଚ ମାସରେ ସେ ନିଜ ଦରମାର କେବଳ ଅଧା ଟଙ୍କା ହିଁ ଦରମା ଭାବରେ ପାଇଥିଲେ ଆଉ ଏପ୍ରିଲ ଓ ମେ ମାସରେ ବିଲକୁଲ ଦରମା ପାଇନଥିଲେ।
ପଦ୍ମଜା କୁହନ୍ତି “ଯେମିତି ହଉ ପଛେ ମୁଁ ମୋର ସଞ୍ଚୟରୁ ମେ ମାସ ଯାଏ ଭଡା ଦେବାକୁ ସକ୍ଷମ ହୋଇଥିଲି”, ଯିଏକି ନିଜର ଦୁଇ ପୁଅ ଅମନ (୧୩) ଓ ରାଜେଶ (୧୦) ସହିତ ସହରର କଞ୍ଚାରପଲେମ ଅଞ୍ଚଳରେ ରୁହନ୍ତି । ଆହୁରି ମଧ୍ୟ କୁହନ୍ତି “ମୋର ବିଶ୍ଵାସ ଅଛି ଯେ ମୁଁ ମୋର ପିଲାମାନଙ୍କୁ ଆଗକୁ ମଧ୍ୟ ସ୍କୁଲ ପଠାଇବାରେ ସକ୍ଷମ ହେବି, ମୁଁ ତ (ଦଶମ ଯାଏ) ପଢିଛି କିନ୍ତୁ ସେମାନଙ୍କୁ ନିଶ୍ଚିତ ଭାବରେ ଅଧିକ ପାଠ ପଢେଇବି”।
ପୁରା ଘର ଖର୍ଚ୍ଚ ସହ ପଦ୍ମଜାଙ୍କର ବାପା ମା’ଙ୍କର ଖର୍ଚ୍ଚ ଉଠାଇବା ପାଇଁ ପଦ୍ମଜାଙ୍କ ରୋଜଗାର ହିଁ ଭରଷା। ତାଙ୍କର ବେରୋଜଗାରିଆ ସ୍ଵାମୀ ଘରକୁ କୌଣସି ଆର୍ଥିକ ସହାୟତା କରନ୍ତି ନାହିଁ। ପଦ୍ମଜା କୁହନ୍ତି “ତାଙ୍କ ସ୍ଵାମୀ ଏବେ ମଧ୍ୟ ଘରକୁ ଆସନ୍ତି କିନ୍ତୁ ଠିକ୍ ସେତେବେଳେ ଯେବେ ତାଙ୍କ ପାଖରେ ପଇସା ସରିଯାଇଥାଏ”। ମଣିଷପଣିଆ ଦୃଷ୍ଟିକୋଣରୁ ତାଙ୍କ ସ୍ଵାମୀ ଘରକୁ ଆସିଲେ ସେ ତାଙ୍କୁ ଘରେ ରହିବାକୁ ଦିଅନ୍ତି ।
ସେ ମନେପକେଇ କୁହନ୍ତି ‘‘ଘଡି ମରାମତି କରି ଶିଖିବା ନିଷ୍ପତ୍ତି ଅଚାନକ ଥିଲା’’ । ସେ ଆହୁରି ମଧ୍ୟ କୁହନ୍ତି , “ଯେତେବେଳେ ମୋ ସ୍ଵାମୀ ମତେ ଛାଡି ଚାଲିଗଲେ ମୁଁ କ’ଣ କରିବି କିଛି ଜାଣି ପାରୁନଥିଲି, ଏବଂ ମୁଁ ସ୍ଵଭାବରେ ବହୁତ ନମ୍ର ଥିଲି ତେଣୁ ମୋର ବହୁତ କମ୍ ସାଙ୍ଗ ସାଥି ଥିଲେ। ମୁଁ ସେ ଯାଏ କିଛି ଜାଣିନଥିଲି ଯେ ମତେ ଘର, ପରିବାର ଚଳାଇବାକୁ କ’ଣ କରିବାକୁ ହେବ, କିନ୍ତୁ ମତେ ମୋର ଜଣେ ସାଙ୍ଗ ଏଇ ଘଡି ମରାମତି କାମ କରିବାକୁ କହିଲେ”। ଏମ ଡି ମୁସ୍ତାଫା, ଯିଏକି ପଦ୍ମଜାଙ୍କର ସାଙ୍ଗଙ୍କର ଭାଇ ତାଙ୍କୁ ଏହି କାମ ଶିଖାଇଛନ୍ତି । ମୁସ୍ତାଫାଙ୍କର ବିଶାଖାପାଟଣାର ବ୍ୟସ୍ତବହୁଳ ଜଗଦମ୍ବା ଜଙ୍କସନରେ ଘଡି ଦୋକାନଟିଏ ଅଛି ଯେଉଁଠାରେ ପଦ୍ମଜା କାମ କରନ୍ତି। ନିଜର କର୍ତ୍ତବ୍ୟନିଷ୍ଠା ଓ ପରିଶ୍ରମ ବଳରେ ଛ’ମାସ ମଧ୍ୟରେ ପଦ୍ମଜା ଏହି ଘଡି ମରାମତି କାମର କୌଶଳ ସବୁ ଶିଖି ଯାଇଥିଲେ।










