“ଗାଁ ବାହାରେ ଥିବା କୂଅରୁ ପାଣି ଆଣିବାକୁ ପ୍ରତିଦିନ ମୁଁ ଦେଢ଼ କିଲୋମିଟର ଚାଲେ । ଦିନକୁ ମୁଁ ଏହା ଚାରି ଥର କରେ । ଆମ ଗାଁରେ ପାଣି ନାହିଁ । ଖରାଦିନ ଏଥର ଆହୁରି କଷ୍ଟଦାୟକ ହେବ । କୂଅର ପାଣି ଏବେଠାରୁ ଖସିଲାଣି....”। କ୍ଷୋଭର ସହ ଏହା କହନ୍ତି ଭୀମାବାଇ ଡାମ୍ବାଲେ । ଏ ସପ୍ତାହରେ ହେଉଥିବା ନାସିକ୍‌-ମୁମ୍ବାଇ କୃଷକ ପଦଯାତ୍ରାରେ ଭାଗ ନେବାକୁ ସେ ଆସିଛନ୍ତି । ଠିକ୍‌ ଯେମିତି ଗତ ବର୍ଷ ଆସିଥିଲେ ।

“ବର୍ଷା ଅଭାବରୁ ଗତ ବର୍ଷ  ମୋର ଧାନ ଫସଲ ହରାଇଲି । ଆମର ପାଞ୍ଚ ଏକର ଜମିରୁ ପ୍ରତି ବର୍ଷ ୮-୧୦ କୁଇଣ୍ଟାଲ ଧାନ ମିଳିଯାଉଥିଲା । କିନ୍ତୁ ଏ ଋତୁରେ ଦୁଇ କୁଇଣ୍ଟାଲ ବି ମିଳିଲାନି । ଏହି କ୍ଷତି ପାଇଁ ଆମେ କ୍ଷତିପୂରଣ ବି ପାଇ ପାରିଲୁନି, କାରଣ ଜମି ଆମ ନାଁରେ ନାହିଁ । ଏହା ବନ ବିଭାଗର।” ଏହା କହନ୍ତି, ନାସିକ ଜିଲ୍ଲା ପିଣ୍ଟ୍‌ ତାଲୁକାର ନିର୍‌ଗୁଡ଼ା କାରଞ୍ଜାଇ ଗାଁରେ ରହୁଥିବା ୬୨ ବର୍ଷୀୟା ଭୀମାବାଇ ।

ଧାନ ଅମଳ ପରେ ମାଣ୍ଡିଆ, ବିରି ଓ ହରଡ଼ ଚାଷ କରନ୍ତି ଭୀମାବାଇ। ଏଥର କୃଷି ଋତୁରେ ସେ ସବୁ ବନ୍ଦ ହୋଇଯାଇଛି। ତେଣୁ ଭୀମାବାଇ ସବୁଦିନ ୩୦-୪୦ କିଲୋମିଟର ଦୂର ଦେଓଲାଲି ଏବଂ ସୋନଗିରି ଭଳି ଗାଁକୁ ଯାଇ ଅଙ୍ଗୁର, ଟମାଟୋ ଓ ପିଆଜ ତୋଳିବା କାମ ଆରମ୍ଭ କରିଦେଇଛନ୍ତି । ଦୀର୍ଘଶ୍ୱାସ ସହ ସେ କହନ୍ତି, “ଦିନକୁ ମୁଁ ୧୫୦ ଟଙ୍କା ରୋଜଗାର କରେ ଏବଂ ଅଟୋ ଭଡ଼ା ବାବଦରେ ୪୦ ଟଙ୍କା ଖର୍ଚ୍ଚ କରେ । ପ୍ରତିଦିନ ମୁଁ ରୋଜଗାର କରେ, ପ୍ରତିଦିନ ମୁଁ ଖର୍ଚ୍ଚ କରେ ।”

Two women farmer
PHOTO • Jyoti Shinoli

ମରୁଡ଼ି ଏବଂ ଜଳସେଚନ ସୁବିଧାର ଅଭାବ ଯୋଗୁଁ କୃଷକରୁ କୃଷି ଶ୍ରମିକ ସାଜିଛନ୍ତି ଭୀମାବାଇ (ବାମ) ଏବଂ ଇନ୍ଦୁବାଇ (ଡାହାଣ)

ଇନ୍ଦୁବାଇପୱାର, ବୟସ ୫୫। ଏ ବର୍ଷ କୃଷକମାନଙ୍କ ପଦଯାତ୍ରାରେ ଭାଗ ନେବାକୁ ଆସିଛନ୍ତି। ଠିକ୍‌ ଯେମିତି ଗତ ବର୍ଷ ଆସିଥିଲେ। ସେ କହନ୍ତି, “ପାଣି ଖୋଜିବା ପାଇଁ ଆମକୁ ୨-୩ କିଲୋମିଟର ଚାଲିବାକୁ ପଡ଼େ। ଗତ ବର୍ଷ ବର୍ଷା ଅଭାବରୁ ମୁଁ ମୋର ମାଣ୍ଡିଆ ଫସଲ ହରାଇଲି।’’ ‘‘ଏବେ କୃଷି ଶ୍ରମିକ ଭାବେ କାମ କରିବା ହିଁ ରୋଜଗାରର ଏକମାତ୍ର ପନ୍ଥା। ଆମେ ପାଣି ଖୋଜି ଖୋଜି ଏଣେତେଣେ ବୁଲିବାରେ ଲାଗିଲେ ଆମେ କେମିତି କାମ କରିବୁ ଆଉ ରୋଜଗାର କରିବୁ ? ଏ ସରକାର କ’ଣ ଆମ କଷ୍ଟ ଦେଖିପାରୁ ନାହିଁ ?”।

ପିଣ୍ଟ୍‌ ତାଲୁକାର ପ୍ରାୟ ୨୦୦ କୃଷକ ଏଇ ସପ୍ତାହର ପୂର୍ବ ଭାଗରେ ଆୟୋଜିତ (ଏବେ ପ୍ରତ୍ୟାହୃତ) ପଦଯାତ୍ରାରେ ଭାଗ ନେଇଥିଲେ। ଭୀମାବାଇ ଏବଂ ଇନ୍ଦୁବାଇଙ୍କ ଭଳି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଧିସୂଚିତ ଜନଜାତି ମହାଦେବ କୋଲି ସଂପ୍ରଦାୟର। ସେମାନେ ସମସ୍ତେ ସେମାନଙ୍କ ଗାଁଗୁଡ଼ିକରେ ସ୍ୱଳ୍ପ ବର୍ଷା ଏବଂ ଜଳାଭାବ ସମସ୍ୟା ସଂପର୍କରେ କହିଲେ ।

ମହାରାଷ୍ଟ୍ରରେ ୨୬ଟି ଜିଲ୍ଲାର ୧୫୧ଟି ବ୍ଲକ୍‌ ମରୁଡ଼ି ପ୍ରପୀଡ଼ିତ ବୋଲି ଅକ୍ଟୋବରରେ ମହାରାଷ୍ଟ୍ର ସରକାର ଘୋଷଣା କରିଥିଲେ । ସେଥିରୁ ୧୧୨ଟି ଗୁରୁତର ମରୁଡ଼ିର ସମ୍ମୁଖୀନ ହେଉଛନ୍ତି ।

Framers getting in truck.
PHOTO • Jyoti Shinoli

ଗତ ବର୍ଷ ମଧ୍ୟ ଦୀର୍ଘ ପଦଯାତ୍ରାରେ ଭାଗ ନେଇଥିଲେ ବିଠଲ ଚୌଧରୀ । ସେ କହନ୍ତି, ‘ବର୍ଷେ ପୂରିଗଲା । ଆମେ କ’ଣ ପାଇଲୁ ? ଏବେ ପୁଣି ଆଗକୁ ମରୁଡ଼ି ପଡ଼ିବ

ଭେଡ଼ାମାଲ ଗାଁର ୬୨ ବର୍ଷୀୟ ସାହାଡୁ ଜୋଗରେ କହନ୍ତି, “ଯଦିଓ ଗତ ବର୍ଷଠାରୁ ଏ ବର୍ଷର ସ୍ଥିତି ଆହୁରି ଖରାପ, ତଥାପି ଆମ ଗାଁକୁ ମରୁଡ଼ି ପ୍ରପୀଡ଼ିତ ବୋଲି ଘୋଷଣା କରାଯାଇନାହିଁ। ପାଣି ପାଇବା ଖୁବ କଷ୍ଟକର। ପାଣି ପାଇଁ ଆମେ ବହୁ କିଲୋମିଟର ଚାଲୁ । ତଥାପି, ସରକାର ଆମ ଉପରେ ନଜର ପକାଉନାହାନ୍ତି ।”

ଗୃହପାଳିତ ପଶୁମାନଙ୍କ ପାଇଁ ଖାଦ୍ୟ ଓ ପାଣି ପାଇଁ ମଧ୍ୟ ତାଙ୍କ ଗାଁର ଚାଷୀମାନେ ସଂଘର୍ଷ କରୁଛନ୍ତି । ସେ କହନ୍ତି, “ପଶୁମାନେ କଥା କହିପାରିବେ ନାହିଁ। ସେମାନେ ସେମାନଙ୍କ ଅଧିକାର ପାଇଁ ଲଢ଼ି ପାରିବେ ନାହିଁ। ଆମ ଗାଁ ଆଖପାଖରେ କୌଣସି ପଶୁଖାଦ୍ୟ ଶିବିର ନାହିଁ। ଗାଈ, ମଇଁଷି, ଛେଳି, ସମସ୍ତେ ପାଣି ଦରକାର କରନ୍ତି। ଆମେ ଏହା କେଉଁଠୁ ପାଇବୁ ?”

ତିଭାତ ଗାଁର ୭୦ ବର୍ଷୀୟ ବିଠଲ ଚୌଧରୀ ମଧ୍ୟ ମରୁଡ଼ି ସଂପର୍କରେ କହିଲେ। “କିଛି ଆଉ ବାକି ନାହିଁ। ସବୁ ଫସଲ ମରିଯାଇଛି। ଏବେ ପିଇବାକୁ ପାଣି ବି ନାହିଁ ।” ବିଗତ ବର୍ଷଗୁଡ଼ିକରେ ବିଠଲ ତାଙ୍କ ପାଞ୍ଚ ଏକର ଜମିରେ ଧାନ, ବିରିଡ଼ାଲି ଏବଂ କୋଳଥ ଚାଷ କରୁଥିଲେ ।

ସେ କହିଲେ, “ମୁଁ ମଧ୍ୟ ଏଠାକୁ ଗତ ବର୍ଷ ଆସିଥିଲି। ଆମ ଦାବିଗୁଡ଼ିକ ଛଅ ମାସ ଭିତରେ ପୂରଣ ହେବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ବର୍ଷେ ପୂରିଗଲା। ଆମେ କ’ଣ ପାଇଲୁ ? ଏବେ ଆଗକୁ ପୁଣି ମରୁଡ଼ି ପଡ଼ିବ ।”

ଘରଠାରୁ ୨୦୦ କିଲୋମିଟରରୁ ଅଧିକ ଦୂର ମୁମ୍ବାଇ ପର୍ଯ୍ୟନ୍ତ ଚାଲିବାକୁ ପ୍ରସ୍ତୁତ ହୋଇ ଫେବ୍ରୁଆରୀ ୨୦ରେ ବିଠଲ ତିଭତ ଗାଁ ଛାଡ଼ିଥିଲେ। ନାସିକ୍‌ରେ ଯେଉଁ ପଡ଼ିଆରେ କୃଷକମାନେ ରାତିରେ ରହିଥିଲେ ସେଠାରେ ସେ ତାଙ୍କ ଚଷମା ହଜାଇଦେଲେ। “ବିନା ଚଷମାରେ ମୁଁ ଦିନରେ କିଛି କିଛି ଦେଖିପାରେ, କିନ୍ତୁ ଅନ୍ଧାରରେ କୁଆଡ଼େ ଯିବା ପାଇଁ ମୋ ସହିତ କେହି ଜଣେ ଯିବା ଦରକାର ହୁଏ। କିନ୍ତୁ ସରକାର କ’ଣ ମୋ ଭଳି ଦେଖିପାରନ୍ତିନି? ସେମାନେ କ’ଣ ଅନ୍ଧ ଯେ ଆମେ କେମିତି ସଂଘର୍ଷ କରୁଛୁ ତାହା ଦେଖିପାରୁନାହାନ୍ତି ।”


ପରିଶିଷ୍ଟ : ସରକାରଙ୍କ ପ୍ରତିନିଧିମାନଙ୍କ ସହ ଦୀର୍ଘ ପାଞ୍ଚ ଘଣ୍ଟା ଧରି ଆଲୋଚନା କରିବା ପରେ ଏବଂ ସରକାର କୃଷକମାନଙ୍କର ସମସ୍ତ ଦାବି ପୂରଣ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଫେବ୍ରୁଆରୀ ୨୧ ତାରିଖ ବିଳମ୍ବିତ ରାତିରେ ପଦଯାତ୍ରାର ଆୟୋଜକ ଅଖିଳ ଭାରତ କିଷାନ ସଭା ଆନ୍ଦୋଳନ ପ୍ରତ୍ୟାହାର କରିନେଲା। ସଭାସ୍ଥଳରେ ରାଜ୍ୟ ଜଳସଂପଦ ମନ୍ତ୍ରୀ ଗିରୀଶ ମହାଜନ ଘୋଷଣା କଲେ “ପ୍ରତିଟି ସମସ୍ୟାର ସମାଧାନ ଆମେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କରିବୁ ଏବଂ ପ୍ରତି ଦୁଇ ମାସରେ ଥରେ ସମୀକ୍ଷା ବୈଠକ କରିବୁ। ଆପଣମାନେ (କୃଷକ ଓ କୃଷି ଶ୍ରମିକମାନେ) କଷ୍ଟ କରି ମୁମ୍ବାଇ ପର୍ଯ୍ୟନ୍ତ ଚାଲି ଚାଲି ଯିବା ଉଚିତ ନୁହେଁ। ଏ ସରକାର ଲୋକଙ୍କ କଥା ଶୁଣେ। ଏବେ ଆମେ ଏସବୁ ପ୍ରତିଶ୍ରୁତି ଏମିତି ପୂରଣ କରିବୁ ଯେ ଆପଣମାନଙ୍କୁ ଆଉ ଏକ ପଦଯାତ୍ରା କରିବା ଦରକାର ହେବନି । ”

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Jyoti Shinoli is a senior reporter at the People’s Archive of Rural India; she has previously worked with news channels like ‘Mi Marathi’ and ‘Maharashtra1’.

Other stories by Jyoti Shinoli