କାର୍‌ଗିଲର ମୁଖ୍ୟ ବଜାର ରାସ୍ତା ଦେଇ ଯିବା ବେଳେ ଆଖିରେ ପଡ଼େ ଅଙ୍କାବଙ୍କା ହୋଇ ଲମ୍ବି ଯାଇଥିବା ଏକ ଅଣଓସାରିଆ ଗଳି, ଯାହାର ଦୁଇ କଡ଼ରେ ରହିଛି ଅନେକ ଛୋଟ ଛୋଟ ଦୋକାନ। ଏଠାକାର ପ୍ରତି ଦୋକାନ ବାହାରେ ଝୁଲୁଥାଏ ରଙ୍ଗିନ୍‌ ସ୍କାର୍ଫ୍‌ ଏବଂ ଦୁପଟ୍ଟା-ଏବଂ ଭିତରେ ଥାଏ ନାନା ପ୍ରକାରର ସାଲୱାର୍ କାମିଜ୍‌ ସେଟ୍‌, ସ୍ୱେଟର, ପରିଧାନ ସାମଗ୍ରୀ, ଜୋତା-ଚପଲ, ପିଲାମାନଙ୍କର ପୋଷାକପତ୍ର ଏବଂ ଅନ୍ୟାନ୍ୟ ଜିନିଷ ।

ଏହା ହେଉଛି କମାଣ୍ଡର ମାର୍କେଟ୍‌ । ଏଇ ନାଁରେ ହିଁ ଏହା ପରିଚିତ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହାର କାରଣ ହେଲା, ଏଠାକାର ଜମି ଓ ଦୋକାନର ମାଲିକ ଜଣେ ‘କମାଣ୍ଡର’। ଏଠାକାର ସବୁ ଦୋକାନୀ ଶିଆ ମହିଳା ।

ଲଦାଖରେ ସୀମାକୁ ଲାଗି କାର୍‌ଗିଲ ଅବସ୍ଥିତ ଏବଂ ଦୁଇପଟେ ଘେରି ରହିଛି ହିମାଳୟ । ୧୯୪୭ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମା ନିର୍ଦ୍ଧାରଣ ହେଲା ପର୍ଯ୍ୟନ୍ତ, କେନ୍ଦ୍ରୀୟ ଏସିଆର ରେଶମ କାରବାର ପଥରେ ଏହା ଥିଲା ଦକ୍ଷିଣାଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର । ସହରର ଲୋକସଂଖ୍ୟା ପ୍ରାୟ ୧୬,୦୦୦ (୨୦୧୧ ଜନଗଣନା) ଯେଉଁଥିରେ ଅଧିକାଂଶ ମୁସଲିମ୍‌ ତଥା କେତେକ ବୌଦ୍ଧଧର୍ମାବଲମ୍ବୀ ଏବଂ ଅଳ୍ପ କେତେକ ଶିଖ୍‌ ପରିବାର ସମ୍ମିଳିତ । ତିନି ପୁରୁଷ ଧରି ସେମାନେ ତିନିଟି ଯୁଦ୍ଧ ଦେଖିଛନ୍ତି । ସର୍ବଶେଷ ଯୁଦ୍ଧ ହୋଇଥିଲା ୧୯୯୯ ମସିହାରେ ।

ପ୍ରାୟ ତିନି ଦଶନ୍ଧି ତଳେ କମାଣ୍ଡର ମାର୍କେଟ୍‌ରେ ଜଣେ ମହିଳାଙ୍କ ଦ୍ୱାରା ପରିଚାଳିତ ପ୍ରଥମ ଦୋକାନ ଖୋଲିଥିଲା । ପରବର୍ତ୍ତୀ ସମୟରେ ଏହାର ଏପରି ନାମକରଣ ହୋଇଥିଲା । ଏବେକାର ଦୋକାନୀମାନେ କହନ୍ତି ଯେ ସେତେବେଳେ ସେହି ଦୋକାନର ମାଲିକ ଘୋର ବିରୋଧ ଓ ଅପବାଦର ସମ୍ମୁଖୀନ ହୋଇଥିଲେ । ଯେଉଁ କାରଣରୁ ଏବେ ସେମାନେ ତାଙ୍କ ନାଁ ପ୍ରକାଶ କରିବାକୁ ଚାହାଁନ୍ତି ନାହିଁ । ସମୟକ୍ରମେ, ସେହି ମହିଳାଙ୍କ ସଂକଳ୍ପବଦ୍ଧତା ଏବଂ ସଫଳତାରେ ଅନୁପ୍ରେରିତ ହୋଇ ଅନ୍ୟ ୨-୩ ଜଣ ମହିଳା ସେହି ଏକା ସ୍ଥାନରେ ଭଡ଼ାରେ ଦୋକାନ ଘର ନେଇଥିଲେ । ଏବେ ଏହି ବଜାରରେ ପ୍ରାୟ ୩୦ଟି ଦୋକାନ ଅଛି ଏବଂ ତିନିଟିକୁ ବାଦ୍‌ ଦେଲେ ବାକି ସବୁ ମହିଳାମାନେ ଚଳାଉଛନ୍ତି ।

ପ୍ରାୟ ଏକ ଦଶନ୍ଧି ତଳେ କାର୍‌ଗିଲର ସର୍ବସାଧାରଣ ସ୍ଥାନରେ କ୍ୱଚିତ୍‌ ମହିଳା ନଜରରେ ପଡୁଥିଲେ । ହେଲେ ଏବେ କମାଣ୍ଡର ମାର୍କେଟ୍‌ ଏକ ଅଘୋଷିତ ଐତିହାସିକ ସ୍ଥଳୀ। ଯୁବ ପିଢ଼ିର ଦୋକାନୀମାନଙ୍କ ଯୋଗୁଁ ଏଠାକାର ମହିଳା ସାକ୍ଷରତା ହାର ବଦଳିଛି (୨୦୦୧ରେ ପ୍ରାୟ ୪୨ ପ୍ରତିଶତରୁ ୨୦୧୧ରେ ୫୬ ପ୍ରତିଶତ) । ତା ସହିତ, ପୁରୁଣା ଦୋକାନୀମାନେ କହନ୍ତି ଯେ ଆର୍ଥିକ ଆତ୍ମନିର୍ଭରଶୀଳତା କାରଣରୁ ଅଧିକରୁ ଅଧିକ ମହିଳା ବଜାରକୁ ଆସିଲେ । କେତେକ ରୋଜଗାର ପାଇଁ ବାଧ୍ୟ ହୋଇ ଆସିଲେ ତ ଆଉ କେତେକ ସେମାନଙ୍କ ପୂର୍ବରୁ ଥିବା ଦୋକାନୀମାନଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଆସିଲେ। ସେମାନେ କହନ୍ତି, କାର୍‌ଗିଲ୍‌ ଏବେ ଏହି ପରିବର୍ତ୍ତନକୁ ଆପଣେଇ ନେଇଛି ।

ଏହିଚିତ୍ର ନିବନ୍ଧ ପାଇଁ ମୁଁ ଯେତେବେଳେ କମାଣ୍ଡର ମାର୍କେଟ୍‌ରେ ପହଞ୍ଚିଲି, କେତେକ ମହିଳା କ୍ୟାମେରାରୁ ଦୂରେଇ ରହିଲେ, କେତେକ ସେମାନଙ୍କର ଫଟୋ ପ୍ରକାଶ ପାଉ ବୋଲି ଚାହୁଁ ନ ଥିଲେ ଏବଂ ଆଉ କେତେକ ସେମାନଙ୍କର ପୂରା ନାଁ ପ୍ରକାଶ କରିବାକୁ ଚାହୁଁ ନ ଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିବାରେ ଆନନ୍ଦ ଓ ଗୌରବ ଅନୁଭବ କରୁଥିଲେ ।

PHOTO • Stanzin Saldon

ରମଜାନ୍‌ ମାସର ଏକ ଶନିବାର ଅପରାହ୍ନରେ ବ୍ୟସ୍ତବହୁଳ କମାଣ୍ଡର ମାର୍କେଟ୍‌

PHOTO • Stanzin Saldon

୨୮ ବର୍ଷୀୟା ଆବିଦା ଖାନମ୍‌ (ଡାହାଣ) କହନ୍ତି, “ମୁଁ ଦୂରଶିକ୍ଷା ଜରିଆରେ ବିଏ ପଢ଼ିବାକୁ ପସନ୍ଦ କଲି, କାରଣ ମୁଁ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ ହେବାକୁ ମଧ୍ୟ ଚାହୁଁଛି । ଏଇ ଦୋକାନଟି ମୋ ଖୁଡ଼ିଙ୍କର। ଶାହିଦା ଓ ମୁଁ ତାଙ୍କର ସହାୟତା କରୁ। ଖୁଡ଼ି ମୋତେ ମାସକୁ ୭-୮,୦୦୦ ଟଙ୍କା ଦିଅନ୍ତି । ଆମେ ଏକାଠି କାମ କରିବାକୁ ଭଲପାଉ ।”

PHOTO • Stanzin Saldon

“ଦୋକାନରେ ବିକିବା ପାଇଁ ଜିନିଷପତ୍ର କିଣିବାକୁ ଆମେ ଜାମ୍ମୁ ଓ ଶ୍ରୀନଗର, ଲୁଧିଆନା ଓ ଦିଲ୍ଲୀ ଯାଉ,” କହନ୍ତି ଆବିଦା ଖାନମ୍‌ ।  ସେ କହନ୍ତି ଯେ ଶୀତଦିନେ ବେଶୀ କାରବାର ନଥିବା ସମୟରେ ଜିନିଷପତ୍ର କିଣିବାକୁ ମହିଳାମାନେ ପସନ୍ଦ କରନ୍ତି । ଏହି ସମୟରେ କାର୍‌ଗିଲ୍‌ର ଶୀତ ପ୍ରକୋପରୁ ମଧ୍ୟ ସେମାନଙ୍କୁ କିଛିଟା ବିରତି ମିଳିଯାଏ । ମେ ମାସରେ ଶ୍ରୀନଗର-ଲେହ ରାଜପଥ ଖୋଲିବା ପରେ ହିଁ ସେମାନେ ପୂର୍ବରୁ ବରାଦ ଦେଇଥିବା ଜିନିଷପତ୍ର ପାଆନ୍ତି । ନୂଆ ଜିନିଷପତ୍ର ପହଞ୍ଚିଲା ପର୍ଯ୍ୟନ୍ତ, ସେମାନଙ୍କ ପାଖରେ ପୂର୍ବ ବର୍ଷର ସାମଗ୍ରୀ ପ୍ରଚୁର ପରିମାଣରେ ମହଜୁଦ ଥାଏ ।

PHOTO • Stanzin Saldon

ଏବେ ଏହି ଦୋକାନକୁ ମନସୁର ଚଳାଉଛନ୍ତି । ପ୍ରାୟ ୨୦ ବର୍ଷ ତଳେ ତାଙ୍କ ମାଆ ଏହି ଦୋକାନ ଖୋଲିଥିଲେ । ସେ କହନ୍ତି, “ଏହି ବଜାରର ଅଳ୍ପ କେତେକ ପୁରୁଷଙ୍କ ମଧ୍ୟରୁ ଜଣେ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରେ ଏବଂ ପରିବାର ଚଳାଇବାରେ ବୟସ୍କ ବାପାମାଆଙ୍କୁ ସହାୟତା କରି ମୁଁ ଖୁସି ।”

PHOTO • Stanzin Saldon

ଜଣେ ମହିଳା ବ୍ୟବସାୟୀ ରୂପରେ ତାଙ୍କର ନୂତନ ଅଭିଯାନକୁ ନେଇ ବେଶ୍‌ ଖୁସି ୩୨ ବର୍ଷୀୟା ସାରା (ବାମ) ଏବଂ ସାନଭଉଣୀର ସହଯୋଗରେ ଏହି ଦୋକାନ ଚଳାଇବାକୁ ସେ ସ୍ଥିର କରିଛନ୍ତି ।  ସେ କହନ୍ତି, “ଏ କଥା ଆଦୌ ସତ ନୁହେଁ ଯେ ଇସ୍‌ଲାମ୍‌ ଧର୍ମରେ ମହିଳାମାନଙ୍କୁ ନିରୁତ୍ସାହିତ କରାଯାଏ କିମ୍ବା ନ୍ୟୂନ ଦୃଷ୍ଟିରେ ଦେଖାଯାଏ’’ । “ମୋ ପରିବାର ମୋତେ ସମର୍ଥନ କରନ୍ତି , ନିଜ ପାଇଁ ଏବଂ ମୋ ପରିବାର ପାଇଁ ରୋଜଗାର କରିବା ଲାଗି ମୋ ଧର୍ମର ଦୃଢ଼ମନା ଆଦର୍ଶ ସ୍ଥାନୀୟ ମହିଳାମାନେ ମୋତେ ଅନୁପ୍ରାଣିତ କରିଛନ୍ତି । ”

PHOTO • Stanzin Saldon

ଲାଜରେ କ୍ୟାମେରାଠାରୁ ଦୂରେଇ ଯାଇ ବାନୋ କହନ୍ତି, “ମୁଁ ଥକିଗଲା ଭଳି ଅନୁଭବ କରୁଛି ଏବଂ ମୋର ଉପାସ ଭାଙ୍ଗିବା ଲାଗି ଇଫ୍‌ତାର ସମୟକୁ ଅପେକ୍ଷା କରୁଛି ।”

PHOTO • Stanzin Saldon

“ଏହା (ସେ ତାଙ୍କ ବେକରେ ଏକ ସ୍କାର୍ଫ୍‌ ଗୁଡ଼ାଇ ଦେଖାନ୍ତି ) ଉଲ୍‌ରେ ତିଆରି ‘ଇନ୍‌ଫିନିଟି ଲୁପ୍‌’ ଏବଂ ଆଜିକାଲି ବେଶ୍‌ ଚାଲୁଛି । କାର୍‌ଗିଲକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ମଧ୍ୟରେ ଏହା ଖୁବ୍‌ ଲୋକପ୍ରିୟ,” ୩୮ବର୍ଷୀୟ ହାଜି ଅଖତାର କହନ୍ତି,” “ମୁଁ କେତେକ ଗାଁର ମହିଳାମାନଙ୍କୁ ସ୍ଵୟଂସହାୟକ ଗୋଷ୍ଠୀ ମାଧ୍ୟମରେ କାମରେ ଲଗାଇଛି ଏବଂ ଏଇ ସ୍କାର୍ଫ ଭଳି ସେମାନଙ୍କ ହାତତିଆରି ସାମଗ୍ରୀକୁ ମୁଁ ମୋ ଦୋକାନରେ ଏବଂ କାର୍‌ଗିଲର କେତେକ ହୋଟେଲରେ ବିକି ସେମାନଙ୍କର କିଛିଟା ସହାୟତା କରିପାରୁଛି । ଏଠାରେ ବ୍ୟବସାୟ ଭଲ ଚାଲୁଛି, ଖାସ୍‌ କରି ଖରାଦିନରେ, ମାସକୁ ମୋତେ ୪୦,୦୦୦ ଟଙ୍କା ଏବଂ ବେଳେବେଳେ ତା’ଠୁ ଅଧିକ ମିଳିଯାଉଛି ।”

PHOTO • Stanzin Saldon

୨୫ ବର୍ଷୀୟା କନୀଜ୍‌ ଫାତିମା ତାଙ୍କ ମାଆଙ୍କୁ ସାହାଯ୍ୟ କରନ୍ତି । ଦୁଇ ଦଶନ୍ଧି ତଳେ ଏହି ବଜାରରେ ପ୍ରଥମେ ଦୋକାନ ଖୋଲିଥିବା ମହିଳାମାନଙ୍କ ମଧ୍ୟରୁ ତାଙ୍କ ମାଆ ଜଣେ ।

PHOTO • Stanzin Saldon

ପ୍ରାୟ ଛଅ ବର୍ଷ ହେଲା ଫାତିମା ଏହି ଦୋକାନ ଚଳାଇ ଆସୁଛନ୍ତି । ପାଖରେ ବସିଥିବା ତାଙ୍କ ସ୍ଵାମୀ ମହମ୍ମଦ ଇସା, ଏହି କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବାରେ ତାଙ୍କୁ ସାହାଯ୍ୟ କରିଥିଲେ । “ଏବେ ବି ସେ ମୋ ଦୃଢ଼ତାର ସହ ମୋ ପାଖରେ ଅଛନ୍ତି, ତାଙ୍କ ସ୍ତ୍ରୀ ଭାବରେ ମୁଁ ଗର୍ବିତା,” ଫାତିମା କହନ୍ତି, “ମୋ ପାଇଁ ସେ ସବୁଠାରୁ ବଡ଼ ସମର୍ଥନ ଓ ପ୍ରେରଣାର ଉତ୍ସ ।”

PHOTO • Stanzin Saldon

“ଆଚେ (ଭଉଣୀ), ଆପଣ ଆମ ଫଟୋ କାହିଁକି ଉଠାଉନାହାନ୍ତି ?” ଗୋଟିଏ ଦୋକାନକୁ ଆସିଥିବା କେତେକ ଯୁବକ ପଚାରନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Stanzin Saldon

Stanzin Saldon is a 2017 PARI Fellow from Leh, Ladakh. She is the Quality Improvement Manager, State Educational Transformation Project of the Piramal Foundation for Education Leadership. She was a W.J. Clinton Fellow ( 2015-16) of the American India Foundation.

Other stories by Stanzin Saldon