html କାନ୍ଥ ଲେଖା

ଛତିଶଗଡ଼ରେ ବିଦ୍ୟାଳୟଗୁଡ଼ିକ କିପରି ସର୍ବନିମ୍ନ ଆବଶ୍ୟକତା ଭିତରେ ପରିଚାଳିତ ହେଉଛି ଏବଂ କର୍ମଚାରୀମାନେ ନିଜ କାର୍ଯ୍ୟ ସମ୍ପାଦନ କରିବାରେ ଅସମର୍ଥ ହେଉଛନ୍ତି, ତାହା ‘ଶିକ୍ଷା ବିବରଣୀର ବାର୍ଷିକ ସ୍ଥିତି’ ଦର୍ଶାଉଛି।

ଚଳିତ ଦଶନ୍ଧିରେ ଭାରତରେ ପିଲାଙ୍କ ବିଦ୍ୟାଳୟ ତାଲିକାଭୁକ୍ତି ସଂଖ୍ୟା ୩୦ କୋଟିକୁ ବୃଦ୍ଧି ପାଇଛି; କିନ୍ତୁ ଶିକ୍ଷାର ମାନ କିପରି ରହିଛି? ପିଲାମାନେ ବିଦ୍ୟାଳୟରେ କ’ଣ ପଢୁଛନ୍ତି, ସେମାନେ ପଢ଼ିପାରୁଛନ୍ତି କି ନା, ମୌଳିକ ଅକ୍ଷର ପ୍ରତି ସେମାନଙ୍କର ଧାରଣା ରହିଛି କି ଏବଂ ସେମାନେ ସଂଖ୍ୟା ବୁଝିପାରୁଛନ୍ତି କି ନା, ସେନେଇ ପ୍ରତ୍ୟେକ ବର୍ଷ ଜାନୁୟାରୀ ମାସରେ ଜଣେ ନାଗରିକଙ୍କ ରିପୋର୍ଟ କାର୍ଡ (ଏଏସ୍ଇଆର୍ ବା ଶିକ୍ଷା ବିବରଣୀର ବାର୍ଷିକ ସ୍ଥିତି) ଉପସ୍ଥାପନ କରାଯାଏ।

ଏହି ରିପୋର୍ଟର ଗୁଣାତ୍ମକ ଅନୁସନ୍ଧାନ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିସଂଖ୍ୟାନ ପାଇଁ ଏକ ରୋଗ ନିରୋଧକ ଔଷଧ ଭଳି। ବିଦ୍ୟାଳୟକୁ ଯାଉଥିବା ପ୍ରତ୍ୟେକ ପିଲାଙ୍କ ସର୍ବନିମ୍ନ ଶୈକ୍ଷିକ ସ୍ତର, ସେମାନେ ଅକ୍ଷର ପଢ଼ିପାରୁଛନ୍ତି କି ନା ଏବଂ ଦ୍ୱିତୀୟ ଶ୍ରେଣୀର ଗଣିତ ସମାଧାନ କରିପାରୁଛନ୍ତି କି ନା ତାହା ଏଏସ୍ଇଆର୍ ପରୀକ୍ଷା କରେ। ଉଦାହରଣସ୍ୱରୂପ ୨୦୦୮ରେ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪୪ ପ୍ରତିଶତ ୨ୟ ଶ୍ରେଣୀର ଗଣିତ ଭିତରୁ ସାଧାରଣ ଫେଡ଼ାଣ କିମ୍ବା ହରଣ ମଧ୍ୟ କରିପାରୁନାହାନ୍ତି।

ଏନେଇ ତିନିମାସ କାଳ ଯେଉଁ ସର୍ବେକ୍ଷଣ ପ୍ରକ୍ରିୟା ଚାଲିଥିଲା, ତାହାର ନେତୃତ୍ୱ ନେଇଥିଲା ବେସରକାରୀ ସଙ୍ଗଠନ ‘ପ୍ରଥମ’ ଯେଉଁଥିରେ ୩୦ ହଜାର ଆଗ୍ରହୀ ସ୍ୱେଚ୍ଛାସେବୀଙ୍କୁ ଏକାଠି କରାଯାଇଥିଲା। ସେମାନଙ୍କ ମଧ୍ୟରେ ଛାତ୍ର ଓ ଗବେଷକଙ୍କଠାରୁ ଆରମ୍ଭ କରି ପୁଞ୍ଜି ଲଗାଣକାରୀ ବ୍ୟାଙ୍କର୍ସ, ଏପରିକି ଆଚାର ପ୍ରସ୍ତୁତ କରୁଥିବା ଲୋକ ମଧ୍ୟ ରହିଥିଲେ ଯେଉଁମାନେ ପିଲାଙ୍କୁ ପରୀକ୍ଷା କରିବା ଓ ସେମାନଙ୍କ ବିଦ୍ୟାଳୟର ଭିତ୍ତିଭୂମି ଅନୁଧ୍ୟାନ କରିବା ପାଇଁ ଦେଶର ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ଖେଳେଇ ହୋଇଯାଇଥିଲେ। ଚଳିତ ବର୍ଷ ୩ ଲକ୍ଷ ପରିବାରରୁ ପ୍ରାୟ ୭ ଲକ୍ଷ ପିଲାଙ୍କୁ ଏହ ସର୍ବେକ୍ଷଣରେ ସାମିଲ କରାଯାଇଥିଲା।

PHOTO • Chitrangada Choudhury

ବହୁ ସମୟ ଚେଷ୍ଟା କରିବା ପରେ ଗୀତା ଏହି ଉତ୍ତର ପାଇଥିଲା।

‘ପ୍ରଥମ’ର ଶିକ୍ଷକ ସ୍ୱାମୀ ଯେତେବେଳେ ୯ ବର୍ଷୀୟା ଗୀତା ଠାକୁରଙ୍କୁ ପରୀକ୍ଷା କଲେ, କେବଳ ସଂଖ୍ୟାର ପାଠ ହିଁ ଚତୁର୍ଥ ଶ୍ରେଣୀର ପିଲାଙ୍କୁ କନ୍ଦାଇବାକୁ ଯଥେଷ୍ଟ ଥିଲା। ୩୯ରୁ ୨୭ ଫେଡ଼ିବା ମଧ୍ୟ କାଠିକର ପାଠ ଥିଲା। ଶେଷରେ ଗୀତାର ଉତ୍ତର ବାହାରିଥିଲା ୧୧୬। ଏଭଳି ସ୍ଥିତି ପଛରେ ଥିବା ଗୋଟିଏ ସମ୍ଭାବ୍ୟ କାରଣ ହେଉଛି ଯେ ଗୀତାର ବିଦ୍ୟାଳୟରେ ଯେଉଁଠି ୪ ଜଣ ଶିକ୍ଷକ ରହିବା ବାଧ୍ୟତାମୂଳକ, ସେଠାରେ ଜଣେ ମାତ୍ର ହିଁ ଶିକ୍ଷକ ପାଠ ପଢ଼ାଉଥିଲେ।

PHOTO • Chitrangada Choudhury

ବିଗତ ଦଶନ୍ଧିରେ ଯେଉଁ ଶିକ୍ଷକମାନେ ପାଠପଢ଼ାକୁ କେବଳ ଏକ ବୃତ୍ତି ଭାବେ ନେଇଥିଲେ, ସେମାନଙ୍କୁ ଛତିଶଗଡ଼ ସରକାର ବହିଷ୍କାର କରିବା ସହ ୨୧ ବର୍ଷୀୟ ଉପ-ସ୍ନାତକ ନବନ କୁମାରଙ୍କ ଭଳି ଠିକା ଶିକ୍ଷକମାନଙ୍କ ଉପରେ ସର୍ବାଦୌ ଭରସା କରିଛନ୍ତି।

ଛତିଶଗଡ଼ ସରକାର ଗତ ଦଶନ୍ଧିରେ ପାଠପଢ଼ାକୁ ବୃତ୍ତି ଭାବେ ନେଇଥିବା ଶିକ୍ଷକଙ୍କୁ ହଟାଇ ଶିକ୍ଷାଗତ ଯୋଗ୍ୟତା ନଥିବା ସହକାରୀ ଶିକ୍ଷକଙ୍କୁ ଚୁକ୍ତିଭିତ୍ତିରେ କମ୍ ବେତନରେ ନିଯୁକ୍ତି ଦେଇଛନ୍ତି। ୨୧ ବର୍ଷୀୟ ଉପ-ସ୍ନାତକ ନବନ କୁମାର ଠିକା ବିଦ୍ୟାଳୟ ଶିକ୍ଷକ ହେବା ପାଇଁ ଆବେଦନ ପତ୍ର ପୂରଣ କରିଛନ୍ତି। ସର୍ବେକ୍ଷଣକାରୀମାନେ ଯେତେବେଳେ ତାଙ୍କୁ ପରୀକ୍ଷା କଲେ, ସେ ୯୧୯କୁ ୯ରେ ହରଣ ମଧ୍ୟ କରିପାରିଲେ ନାହିଁ। ସର୍ବେକ୍ଷଣକାରୀ କେବଳ ଏତିକି କହିଲେ ଯେ ‘ବହୁ ଗ୍ରାମରେ ଆମେ ଦେଖିଲୁ ସେଠାକାର ଶିକ୍ଷକମାନେ ସାଧାରଣ ଗଣିତ ପାଠ ଜାଣନ୍ତି ନାହିଁ, ତେଣୁ ପିଲାମାନେ ମଧ୍ୟ ଭୁଲ୍ ଶିକ୍ଷା ପାଉଛନ୍ତି।’

PHOTO • Chitrangada Choudhury

ଜାତୀୟ ପ୍ରୌଢ଼ ଶିକ୍ଷା ଅଭିଯାନରେ ତାଲିକାଭୁକ୍ତ ହେବା ପରେ ଧାନ ଚାଷୀ ହୀରାମତି ଠାକୁର ବର୍ତ୍ତମାନ ଧୀରେଧୀରେ ସାଧାରଣ ଅକ୍ଷର ପଢୁଛନ୍ତି।

ଏକ କ୍ଷତିକାରକ ବୈଶିଷ୍ଟ୍ୟ ହେଉଛି ଯେ ବିଶ୍ୱର ସର୍ବାଧିକ ନିରକ୍ଷର ଥିବା ଦେଶ ଭାରତରେ ୩୦ କୋଟି ଲୋକ ପଢ଼ି ଲେଖି ଜାଣନ୍ତି ନାହିଁ କି ସଂଖ୍ୟା ଗଣିପାରନ୍ତି ନାହିଁ। ଚଳିତ ବର୍ଷ ଏଏସ୍ଇଆର୍ ସର୍ବେକ୍ଷଣ ପ୍ରୌଢ଼ ମହିଳାଙ୍କ ଶିକ୍ଷାଗତ ସ୍ତର ମଧ୍ୟ ପରୀକ୍ଷା କରୁଛି ଯେଉଁଥିରେ ମା’ ଓ ତା’ ପିଲାଙ୍କ ଶିକ୍ଷା ଭିତରେ ସକାରାତ୍ମକ କାରଣଗତ ସଂଯୋଗ ରହିଛି କି ନା, ତାହା ମଧ୍ୟ ଅନୁଧ୍ୟାନ କରାଯାଉଛି। ୫୦ ବର୍ଷୀୟ ଧାନଚାଷୀ ହୀରାମତି ଠାକୁର ନିଜ ଶୈଶବରେ ବିବାହ କରିବା ପାଇଁ ପରିବାର ଦ୍ୱାରା ବାଧ୍ୟହୋଇ ବିଦ୍ୟାଳୟ ଛାଡ଼ିଥିଲେ। ତାଙ୍କର ପିଲାମାନେ ଏବେ ବଡ଼ ହୋଇଗଲେଣି, ଯେଉଁମାନେ ମଧ୍ୟ ସ୍କୁଲ ଛାଡ଼ିଥିବା ଡ୍ରପ୍ଆଉଟ୍। ଚଳିତ ବର୍ଷ ଜାତୀୟ ପ୍ରୌଢ଼ ଶିକ୍ଷା ଅଭିଯାନରେ ତାଲିକାଭୁକ୍ତ ହେବା ପରେ ହୀରାମତି ବର୍ତମାନ ଧୀରେଧୀରେ ଅକ୍ଷର ପଢୁଛନ୍ତି। “ଯଦି ଏବେ ଜଣେ ଗରିବ ଲୋକ ପାଠ ପଢ଼ିବ ନାହିଁ, ତେବେ ସେ ଜଣେ କୁଲିର ଜୀବନ ହିଁ ବଂଚିବ। ଯେତେବେଳେ ବି ମୋତେ ଟିକେ ଫୁରସତ ମିଳେ, ମୁଁ ବହି ଖଣ୍ଡେ ଧରି ବସିଯାଏ ଓ ନିଜକୁ ନିଜେ ପଢ଼ାଏ”- ସେ ହସିହସି କହିଥିଲେ। ଏପରିକି ସେ ସର୍ବେକ୍ଷଣକାରୀଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ ଯେ “ବର୍ତ୍ତମାନ ସେ ଚାକିରି ଖଣ୍ଡେ ପାଇବେ ତ?”

PHOTO • Chitrangada Choudhury

ରାମରେ ଥିବା ବିଦ୍ୟାଳୟଟି ତିନି କୋଠରି ବିଶିଷ୍ଟ ଯେଉଁଠି ପିଇବା ପାଣି କି ପାଇଖାନାର ବ୍ୟବସ୍ଥା ନାହିଁ।

ତିନୋଟି କୋଠରି ଥିବା ଏହି ଗାଁ ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି, ଯେଉଁଠି ପାନୀୟ ଜଳ କିମ୍ବା ପାଇଖାନାର ଭଲ ସୁବିଧା ନାହିଁ। “ଏଥିପାଇଁ ପ୍ରସ୍ତାବ ଦିଆଯାଇଛି।” ଏକଥା ବିରକ୍ତ ହୋଇ କହିଥିଲେ ଆଦିବାସୀ କଲ୍ୟାଣ ବିଭାଗର ଜଣେ ଅଧିକାରୀ। ସୋମବାର ସକାଳେ ସେଠାରେ ଜଣେ ହେଲେ ମଧ୍ୟ ଶିକ୍ଷକ ଉପସ୍ଥିତ ନଥିଲେ।

୪ରୁ ୬ ହଜାର ବେତନ ପାଉଥିବା ହଜାର ହଜାର ଠିକା ଶିକ୍ଷକମାନେ ନିଜ ଦରମା ବୃଦ୍ଧି କରିବା ପାଇଁ ରାଜ୍ୟବ୍ୟାପୀ ଧାରଣା ପ୍ରଦର୍ଶନ କରୁଛନ୍ତି। ବିଏଡ୍ ଛାତ୍ର ଥିବା ୨୫ ବର୍ଷୀୟ ମାଧବ ଯାଦବ (ବସିଥିବା) ଏବଂ ସତ୍ୟ ପ୍ରକାଶ ତଥ୍ୟ ଦେଇଛନ୍ତି ଯେ ସେମାନେ ସପ୍ତାହକୁ ତିନିଦିନ ପିଲାଙ୍କୁ ପାଠ ପଢ଼ାନ୍ତି। ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଏକକାଳୀନ ଗୋଟିଏ ସଂକୀର୍ଣ୍ଣ କୋଠରିରେ ପଢ଼ାଯାଉଛି। ଯାଦବ କହିଥିଲେ- “ପିଲାଙ୍କ ଜ୍ଞାନ ବହୁତ କମ୍। ଏପରିକି ସେମାନେ ସାଧାରଣ ଅଙ୍କଟିଏ ମଧ୍ୟ କରିପାରୁନାହାନ୍ତି। ଏଠାରେ ସେମାନଙ୍କୁ ଅନେକ କିଛି ଶିଖାଇବାର ଅଛି।”

PHOTO • Chitrangada Choudhury

ଯେତେବେଳେ ଠିକା ଶିକ୍ଷକମାନେ ଧାରଣା ଦେଉଛନ୍ତି, ବେତନ ବୃଦ୍ଧି ପାଇଁ ଦାବି କରୁଛନ୍ତି, ସେହି ସମୟରେ ହିଁ ବିଏଡ୍ ଛାତ୍ର ଥିବା ମାଧବ ଯାଦବ ଏବଂ ସତ୍ୟ ପ୍ରକାଶ ଏହି ତଥ୍ୟ ଦେଇଥିଲେ। 

ଭାରତର ଦୁର୍ଦ୍ଦଶାପୂର୍ଣ୍ଣ /ବିପର୍ଯ୍ୟସ୍ତ ସରକାରୀ ସ୍କୁଲର ଏହି ସବୁ ଫଟୋ ଆଣିବା ପାଇଁ ସର୍ବେକ୍ଷଣ ସମୟରେ ଛତିଶଗଡ଼ ରାଜଧାନୀ ରାୟପୁରର ଦକ୍ଷିଣକୁ ୨୯୦ କିଲୋମିଟର ଦୂର ବସ୍ତର ଅଂଚଳ ଅଧୀନ ପର୍ଚନପାଲ ଗାଁରେ ଏହି ଲେଖକ ସପ୍ତାହବ୍ୟାପୀ ରହିଥିଲେ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Chitrangada Choudhury
suarukh@gmail.com

Chitrangada Choudhury is an independent journalist, and a member of the core group of the People’s Archive of Rural India.

Other stories by Chitrangada Choudhury