କମଲି ଗର୍ବର ସହ କହନ୍ତି, ‘ସମସ୍ତ ଯୁବକ ଅସୁସ୍ଥ ହୋଇପଡ଼ିଲେ ଏବଂ ଔଷଧ ଖାଇଲେ। ମୁଁ କିନ୍ତୁ ଅସୁସ୍ଥ ହୋଇନଥିଲି। ମୁଁ ଚାଲିବା ଜାରି ରଖିଥିଲି।’

ଓର୍ଲି ଜାତିର ଆଦିବାସୀ କମଲି ମାର୍ଚ୍ଚ ୨୦୧୮ରେ ନାସିକରୁ ମୁମ୍ବାଇ ପର୍ଯ୍ୟନ୍ତ ୧୮୦ କିମି ଦୂର ଯାଏ ଚାଲିଥିବା ୪୦ ହଜାର କୃଷକଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ତାଙ୍କ ଭଳି ଚାଷୀମାନଙ୍କର ଅସୀମ ଧୈର୍ଯ୍ୟ ଓ ବିଦ୍ରୋହ ଯୋଗୁ ରାଜ୍ୟ ସରକାର ସେମାନଙ୍କର ସମସ୍ତ ପ୍ରମୁଖ ଦାବିକୁ ମାନିବାକୁ ବାଧ୍ୟ ହେଲେ।

ଦୁଇ ମାସ ପରେ ମେ ୩ ତାରିଖରେ କମଲି ପୁଣି ରାସ୍ତାକୁ ଓହ୍ଲାଇଥିଲେ। ଏଥରକ ଦହାନୁରେ ହେଉଥିବା ନିର୍ଧାର(ସଂକଳ୍ପ) ଆନ୍ଦୋଳନ ପାଇଁ। ମାର୍ଚ୍ଚ ମାସର ମୋର୍ଚ୍ଚା ଭଳି ଏହି ର୍ୟାଲି ମଧ୍ୟ ଅଲ ଇଣ୍ଡିଆ କିଷାନ୍ ସଭା(ଏଆଇକେଏସ) ପକ୍ଷରୁ ଡକାଯାଇଥିଲା। ସରକାର ଯେମିତି ତାଙ୍କର ପ୍ରତିଶ୍ରୁତି ରକ୍ଷା କରିବେ ସେହି ଦାବିରେ ସେମାନେ ଦୃଢ ଥାଆନ୍ତି। ସେହି ର୍ୟାଲିରେ ପ୍ରାୟ ୩୫ ହଜାର ଆଦିବାସୀ କୃଷକ ସାମିଲ ହୋଇଥିଲେ। ଡହ ଡହ ଖରାରେ ମଧ୍ୟାହ୍ନ ସମୟରେ କମଲି ଅନ୍ୟମାନଙ୍କ ସହିତ ଅଭିଯାନରେ ସାମିଲ ହୋଇଥିଲେ। ଏହି ଦୀର୍ଘ ଆନ୍ଦୋଳନ ଯୋଗୁ ସେମାନେ କ’ଣ ଜିତିଲେ ଏବଂ କିପରି ସଂଘର୍ଷକୁ ଆଗକୁ ଜାରି ରଖିବାକୁ ଯୋଜନା କରୁଛନ୍ତି ଇତ୍ୟାଦି ସଂପର୍କରେ କିଷାନସଭା ନେତାଙ୍କର କଥାକୁ ସେ ଗଭୀର ମନଯୋଗର ସହିତ ଶୁଣିଥାନ୍ତି।

କମଲି ବାବୁ ବାହୋତା ହେଉଛନ୍ତି ଜଣେ ବରିଷ୍ଠ ସଂଗ୍ରାମୀ। ସେ ଥାନେର ପାଲଘର ଜିଲ୍ଳା ସ୍ଥିତ ଅଲ ଇଣ୍ଡିଆ ଡେମୋକ୍ରାଟିକ୍ ୱିମେନ୍ସ ଆସୋସିଏସନ୍(ଏଆଇଡିଡବ୍ଲୁଏ)ର ସଦସ୍ୟ ହୋଇଥିବାବେଳେ ପାଲଘରର ଦହାନୁ ତାଲୁକର ଚାରୋଟି ନାକା ନିକଟରେ ଆଭାଲଭେଦାରେ ରୁହନ୍ତି। ବହୁ ଦଶନ୍ଧି ଧରି ସେ ଅନେକଗୁଡ଼ିଏ କୃଷକ ଆନ୍ଦୋଳନରେ ଭାଗ ନେଇଛନ୍ତି। ଏପରିକି ନୂଆଦିଲ୍ଲୀରେ ଅନୁଷ୍ଠିତ କିଷାନ ସଭା [୨୦୧୨ ଏବଂ ୨୦୧୫ରେ]ର ଦୁଇଟି ବଡ଼ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ।

A woman sitting on a beach holding the All India Kisan Sabha flag
PHOTO • Himanshu Chutia Saikia

ଦହାନୁ ରାଲିରେ କମଲି ଏବଂ ତାଙ୍କ କମ୍ରେଡମାନେ କିଷାନସଭା ନେତାଙ୍କ କଥା ଶୁଣୁଛନ୍ତି

କମଲିଙ୍କ ସ୍ୱାମୀ ମଧ୍ୟ ତାଙ୍କ ଜେଜେବାପାଙ୍କ ପରି କୃଷକଙ୍କ ଆନ୍ଦୋଳନରେ ସାମିଲ ଥିଲେ। କମଲି ଏବେ ବିଧବା। ତାଙ୍କ ପରିବାର ୧୯୪୮ର ବମ୍ବେ ଟେନାନ୍ସି ଆଣ୍ଡ ଏଗ୍ରିକଲଚରାଲ ଜମି ଆଇନ ଅନୁସାରେ ମିଳିଥିବା ପାଞ୍ଚ ଏକର ଜମି ସହିତ ଦୁଇ ଏକର ଜଙ୍ଗଲ ଜମିକୁ ଚାଷ କରୁଛନ୍ତି।  ଥାନେ-ପାଲଘର ପାଇଁ ଏଆଇଡିଡବ୍ଲୁଏର ଜିଲ୍ଲା ସଂପାଦକ ଥିବା ଲାହନି ଦୌଡ଼ କହନ୍ତି, ‘ପ୍ରାୟ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ହେଲା ଆମେ ଏକାଠି କାମ କରୁଛୁ। ନିଜ ଜମି ପାଇଁ ସେ ଗତ ୪୦ ବର୍ଷରୁ ଅଧିକ ସମୟ ହେଲା ଲଢେଇ କରୁଛନ୍ତି। ’

୨୦୦୬ର ଜଙ୍ଗଲ ଅଧିକାର ଆଇନ ଅନୁସାରେ ସେମାନଙ୍କୁ ମିଳିବାକୁ ଥିବା ଜଙ୍ଗଲଜମି ପାଇଁ ରାଜ୍ୟର ଆଦିବାସୀ ଚାଷୀମାନେ ଦୀର୍ଘ ଦିନ ହେଲା ସଂଗ୍ରାମ କରି ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜିକୃତ ଜମି ପାଇନାହାନ୍ତି; ଆଉ କିଛି ସର୍ଭେରେ ଅବହେଳିତ ଜମିର ମାଲିକାନା ପାଇଛନ୍ତି। ଦୌଡ଼ କହନ୍ତି, ‘ଅନ୍ୟମାନଙ୍କ ପରି କମଲି ତାଙ୍କ ଜମିର ସର୍ଭେ ପାଇଁ ନିବେଦନ କରିଥିଲେ। କିନ୍ତୁ ଉପଯୁକ୍ତ କାଗଜପତ୍ର ନ ମିଳିବାରୁ ହୁଏତ ଆବେଦନ ଖାରଜ ହୋଇଗଲା କିମ୍ବା ଆବେଦନକାରୀ ସେହି ଫର୍ମକୁ ଗ୍ରହଣ କରିନଥିଲେ(ରେଜିଷ୍ଟ୍ରାରଙ୍କ ନିକଟରେ ଜମି ପଞ୍ଜିକରଣ ପାଇଁ)।

ତାଙ୍କୁ କେତେ ବର୍ଷ? କମଲି ହସି ଦିଅନ୍ତି। ଏହି ପ୍ରଶ୍ନର ଉତ୍ତର ଦେବାକୁ ସେ ଚାହାନ୍ତି ନାହିଁ। ଦୌଡ଼ ଅନୁମାନ କରନ୍ତି ତାଙ୍କ ବୟସ ୬୫ରୁ ଉର୍ଦ୍ଧ୍ୱ ହେବ। ତାଙ୍କ ପୁଅ ଜଣେ କୃଷକ ହୋଇଥିବାବେଳେ ତାଙ୍କୁ ସମର୍ଥନ କରନ୍ତି। ଏକଦା କମଲି ତାଙ୍କ ଉତ୍ପାଦିତ ଧାନକୁ ବିକ୍ରି କରି ସେଥିରୁ କିଛି ଅର୍ଥ କୃଷକ ଆନ୍ଦୋଳନ ପାଇଁ ବ୍ୟବହାର କରିଥିଲେ।

ଆପଣ ଭୟ କରନ୍ତି ନାହିଁ? ‘ ଏମିତି ବି ମରିବାକୁ ତ ହେବ’, ସେ କହନ୍ତି। ଯେକୌଣସି ଉପାୟରେ ହେଲେ ମଧ୍ୟ ମୃତ୍ୟୁ ସୁନିଶ୍ଚିତ।

ଯଦି ଆପଣଙ୍କର ଦାବି ପୂରଣ ନ ହୁଏ ତା’ ହେଲେ ଆପଣ କ’ଣ କରିବେ? ପୁଣି ଥରେ ଅଭିଯାନ ଆରମ୍ଭ କରିବେ କି?

‘ହଁ, ନିଶ୍ଚିତ ଭାବେ! ଆବଶ୍ୟକ ପଡ଼ିଲେ ମୁଁ ଦିଲ୍ଲୀକୁ ଯିବି।’ ତାଙ୍କର ସ୍ୱଭାବସୁଲଭ ହସ ହସ ମୁହଁର ବିପରୀତ ଭାବେ ଗମ୍ଭୀର ସ୍ୱରରେ ସେ କହନ୍ତି। ହାତରେ ଲାଲ ରଙ୍ଗର ପତାକା ଧରି ସେ ଏଭଳି ଅଙ୍ଗଭଙ୍ଗୀ ଦେଖାନ୍ତି ଯେପରିକି ସେ ମୁଣ୍ଡ ଉପରେ ଥିବା ଏକ କାଳ୍ପନିକ ଜିନିଷକୁ ତା’ ଦ୍ୱାରା ଆଘାତ କରିବାକୁ ଯାଉଛନ୍ତି ଏବଂ ନିରବରେ ହସି ଦିଅନ୍ତି।

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Siddharth Adelkar

Siddharth Adelkar is tech editor, People’s Archive of Rural India

Other stories by Siddharth Adelkar