“ଆମେ ଯେତେ ଅଧିକ କିଣିବୁ, ଆମ ଉପରେ ଋଣ ବୋଝ ସେତେ ଅଧିକ ବଢିବ।” ସେ ହେଉଛନ୍ତି କୁନାରୀ ଶବରୀ, ୪୦ ବର୍ଷ ବୟସ୍କ ଜଣେ କୃଷକ, ଯିଏ ଆମ ସହିତ ଖଇର ଗ୍ରାମରେ କଥା ହେଉଥିଲେ, ଯେଉଁଠି ମୁଖ୍ୟତଃ ତାଙ୍କ ନିଜ ସଉରା ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି।

“ଗୋବରଖତ ଚାଷ,ହଳ ଚାଷ [ଗାଈ ଗୋବର ଓ ହଳ] ଯାହା ଆମର ନିଜସ୍ୱ, ତାହା ଆଜିକାଲି ଆଉ କେହି କରୁନାହାନ୍ତି,” ବୋଲି ସେ କୁହନ୍ତି। “ବର୍ତ୍ତମାନ ଆମେ ସବୁ ଜିନିଷ ପାଇଁ ବଜାରକୁ ଯାଉଛୁ । ବୀଜ, କୀଟନାଶକ, ସାର । ପୂର୍ବ ସମୟଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆଜି ଆମେ ଯାହା ଖାଉଛୁ ତାହା ମଧ୍ୟ ଆମକୁ କିଣିବାକୁ ପଡ଼ୁଛି।’’

କୁନାରୀଙ୍କ ବର୍ଣ୍ଣନାରେ କପା ଫସଲ ଯୋଗୁଁ ଆସିଥିବା ନିର୍ଭରଶୀଳତାର ଚିତ୍ର ପ୍ରତିଫଳିତ କରିଥାଏ ଯାହା ଓଡିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ପରିବେଶ ଦୃଷ୍ଟିରୁ ସ୍ପର୍ଶକାତର ଉଚ୍ଚଭୂମିରେ ନିଜର ଚେର ବିସ୍ତାର କରିବା ସହିତ ଏହି ସ୍ଥାନର ଉଚ୍ଚକୋଟୀର ଜୈବବିବିଧତା ଭଣ୍ଡାରକୁ ମଧ୍ୟ ପ୍ରଭାବିତ କରୁଛି ( ଓଡିଶାରେ ଜଳବାୟୁ ସଂକଟର ବୀଜରୋପଣ କରୁଛି ରେ ଦେଖନ୍ତୁ ) । ଆମେ ଦକ୍ଷିଣ-ପୂର୍ବରୁ ରାୟଗଡ଼ାର ଗୁଣୁପୁର ବ୍ଲକ୍‌ର ସମତଳ ଅଞ୍ଚଳ, ଯେଉଁଠାରେ କପା ପ୍ରଥମେ ପହଞ୍ଚିଥିଲା, ସେହି ଆଡକୁ ଯିବା ବେଳେ ତାହା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା । ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଥିବା ସ୍ଥାନଗୁଡିକରେ ଯେଉଁଆଡ଼େ ଆଖି ବୁଲେଇଲେ, ସେଇଆଡ଼େ କେବଳ କପା ଫସଲ ଥିବା ଭୂଭାଗ ଦେଖାଯାଉଛି । ଏହାସହିତ ଦୃଶ୍ୟମାନ ହେଉଛି – ସେମାନଙ୍କ ଗଭୀର ଦୁର୍ଦ୍ଦଶା ।

“ଆମେ ୧୦-୧୨ ବର୍ଷ ପୂର୍ବେ କପା ଚାଷ ଆରମ୍ଭ କରିଥିଲୁ । ଆମ ପାଖରେ ବର୍ତ୍ତମାନ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଆମେ ବାଧ୍ୟ ହୋଇ ଏହି ଫସଲ କରୁଛୁ।’’ ଗୁଣୁପୁର ବ୍ଲକ୍‌ର ଖଇରାରେ ରହୁଥିବା ଅଧିକାଂଶ ଲୋକ ଆମକୁ ଏହା କହିଛନ୍ତି। ଏହି ଅଞ୍ଚଳର ଅଧିକାଂଶ କୃଷକ ଆମକୁ ଏହା କହିଛନ୍ତି ଯେ ସେମାନେ ଧିରେ ଧିରେ ଅର୍ଥ ପ୍ରଦାନକାରୀ ଫସଲକୁ ଆପଣେଇବା ପରେ, କାଳକ୍ରମେ ସେମାନେ ସେମାନଙ୍କ ନିଜସ୍ୱ ବୀଜ ଓ ଏକାସଙ୍ଗେ ଏକାଧିକ ଫସଲ ଉତ୍ପାଦନ କରିବାର ପାରମ୍ପରିକ କୌଶଳ ହରେଇ ବସିଛନ୍ତି ।

“ଆମର ନିଜସ୍ୱ ଫସଲ ଓ ଆମର ନିଜସ୍ୱ କୃଷି ପ୍ରଣାଳୀ ଥିଲା” ବୋଲି ଅନୁତପ୍ତ କ୍ଷେତ୍ର ଶବର ନାମକ ଜଣେ ଯୁବ ସଉରା ଚାଷୀ କୁହନ୍ତି । “ଆନ୍ଧ୍ରୱାଲାମାନେ ଆସିଲେ ଓ ଆମକୁ କପା ଉତ୍ପାଦନ କରିବାକୁ କହିଲେ ଓ ଏ ସମ୍ବନ୍ଧୀୟ ସବୁକିଛି ଆମକୁ ଶିଖାଇଲେ”। ସନ୍ତୋଷ କୁମାର ଦଣ୍ଡସେନା ଓ ଏଠାରେ ରହୁଥିବା ଅନ୍ୟଜଣେ କୃଷକ, ଲାଭ ହେବା ଆଶାରେ ଗ୍ରାମବାସୀମାନେ କପା ବା କଟନ୍‌ ଚାଷ ପ୍ରତି ଆକର୍ଷିତ ହେଉଥିବା କଥା ପ୍ରକାଶ କରିଛନ୍ତି। “ପ୍ରାରମ୍ଭରେ ଏହା ଖୁସି ଦେଉଥିଲା, ଆମେ ଟଙ୍କା ରୋଜଗାର କଲୁ । କିନ୍ତୁ ବର୍ତ୍ତମାନ, ଏଥିରୁ କେବଳ ଦୁଃଖ ମିଳୁଛି ଓ ଆମର କ୍ଷତି ହେଉଛି” ବୋଲି ସେ କହିଲା । “ଆମେ ଧ୍ୱଂସ ହୋଇଗଲୁ ଓ ସାହୁକାରମାନେ (ଋଣଦାତାମାନେ) ଖୁସିରେ ଅଛନ୍ତି ।’’

ଆମେ କଥା ହେବା ବେଳେ ଗାଢ ସବୁଜ ରଙ୍ଗର ଜନ୍‌ ଡିର୍‌ ଟ୍ରାକ୍ଟର୍‌ଗୁଡ଼ିକ ଗ୍ରାମ ସଡ଼କରେ ଘଡ଼ ଘଡ଼ ଶବ୍ଦ କରି ଚାଲିଯାଉଥିଲା। ସ୍ଥାନୀୟ ମନ୍ଦିରଗୁଡ଼ିକର କାନ୍ଥରେ ମଞ୍ଜି କମ୍ପାନି ଦ୍ଵାରା ଓଡ଼ିଆ ଭାଷାରେ ବିଟି କଟନ ବିଜ୍ଞାପନ ପୋଷ୍ଟର ସବୁ ଲଗାଯାଇଛି । ଗ୍ରାମ ଛକରେ ସେହି ଫସଲ ପାଇଁ ଉଦ୍ଦିଷ୍ଟ ଜମି କର୍ଷଣ କରିବା ଓ ବୀଜ ବୁଣିବା ଉପକରଣ ରଖା ହୋଇଛି ।

PHOTO • Chitrangada Choudhury

ଶୀର୍ଷରେ ବାମ: ଗୁଣୁପୁର ବ୍ଲକ୍‌ରେ, ଜିଏମ୍‌ କପାର ଏକକ-ଫସଲ ଦିଗ୍‌ବଳୟ ପର୍ଯ୍ୟନ୍ତ ବ୍ୟାପିଛି । ଶୀର୍ଷ ଡାହାଣ: ଖଇରା ଗ୍ରାମରେ କୃଷକମାନେ କହୁଛନ୍ତି ଯେ ସେମାନେ ୧୦-୧୫ ବର୍ଷ ପୂର୍ବେ ଏହି ଫସଲକୁ ଆଦରିନେବା ପରଠାରୁ  ଋଣ ବୋଝ ତଳେ ଦବି ରହିଛନ୍ତି ଓ କପା ନବୁଣିବା ପର୍ଯ୍ୟନ୍ତ ସେମାନେ ଋଣଦାତାଙ୍କଠାରୁ ନୂଆ ଋଣ ପାଇ ପାରୁନାହାନ୍ତି । ନିମ୍ନ ଧାଡି: ଓଡିଆରେ କପା ବୀଜର ବିଜ୍ଞାପନ ଗଛମାନଙ୍କରେ ଲଗାଯାଇଛି ଓ ଗ୍ରାମ ମନ୍ଦିର କାନ୍ଥରେ ଆହୁରି ଅଧିକ ସଂଖ୍ୟକ କପା ବୀଜର ବିଜ୍ଞାପନ ଲଗାଯାଇଛି

“ଅଧିକାଂଶ କପା ଚାଷୀ ଋଣ କରିଛନ୍ତି, କାରଣ ବୀଜ ଓ ଏଥିପାଇଁ ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀ ବାବଦକୁ ବ୍ୟୟ ପରିମାଣ ବଢୁଥିବା ବେଳେ ଉତ୍ପାଦର ବିକ୍ରି ମୂଲ୍ୟ ହ୍ରାସ ବୃଦ୍ଧି ହୋଇଥାଏ; ଓ ଏଥିରୁ ମିଳୁଥିବା ଲାଭ ମଧ୍ୟସ୍ଥିମାନେ ନେଇଯାଆନ୍ତି”, ବୋଲି ଦେବାଲ୍‌ ଦେବ, ଏହି ଅଞ୍ଚଳରେ କାମ କରୁଥିବା ଜଣେ ସମାଜସେବୀ ବର୍ଣ୍ଣନା କରି କୁହନ୍ତି। “ରାୟଗଡ଼ାରେ ଅଧିକାଂଶ ଚାଷୀ ଅତିବେଶୀରେ ବଜାର ଦରର ୨୦ପ୍ରତିଶତ ପାଇଥାନ୍ତି (ସେମାନଙ୍କ ଉତ୍ପାଦ ପାଇଁ) ଯାହା ଅତି ନଗଣ୍ୟ ଅଟେ’’।

କ୍ଷତି ପରିମାଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କେବଳ କପା ଫସଲ କାହିଁକି କରିବା ? “ଆମେମାନେ ଋଣ ନେଇଥିବାରୁ ସାହୁକାରଙ୍କ ପାଖରେ ବନ୍ଧା ପଡିଛୁ,”ବୋଲି ଶବର କୁହନ୍ତି। “ତାଙ୍କ ସ୍ୱରରେ ସ୍ୱର ମିଶାଇ ଦଣ୍ଡସେନା କୁହନ୍ତି ଯେ, “ଯଦି ଆମେମାନେ ଅନ୍ୟ କିଛି ଯେପରିକି ଧାନ କରିବୁ, ତେବେ ଆମକୁ ଋଣ ମିଳିବନି। କେବଳ କପା।’’

“କୃଷକମାନେ ସେମାନଙ୍କ ଫସଲ ବିଷୟରେ କିଛି ଜାଣନ୍ତି ନାହିଁ,” ବୋଲି ଦେବଙ୍କ ସହକର୍ମୀ, ଦେବଦୁଲାଲ୍‌ ଭଟ୍ଟାଚାର୍ଯ୍ୟ, ଆମକୁ କୁହନ୍ତି । “ପ୍ରତି ପର୍ଯ୍ୟାୟରେ ସେମାନେ ବଜାର ଉପରେ ନିର୍ଭରଶୀଳ… ବୁଣିବାଠାରୁ ଆଦାୟ ପର୍ଯ୍ୟନ୍ତ ଓ ସେମାନେ ନିଜ ପାଇଁ ନିଜେ ନିଷ୍ପତି ଗ୍ରହଣ କରିପାରନ୍ତି ନାହିଁ [ଯଦିଓ].. ସେମାନେ ହେଉଛନ୍ତି ଜମି ମାଲିକ । ଆମେ ସେମାନଙ୍କୁ କୃଷକ ବୋଲି କହିବା ନା ନିଜ ଜମିରେ କାର୍ଯ୍ୟ କରୁଥିବା ଶ୍ରମିକ ବୋଲି କହିବା?”

କପାର ଏହିପରି କାୟା ବିସ୍ତାର ଯୋଗୁଁ ଅନୁଭୂତ ହେଉଥିବା ସବୁଠାରୁ ଧ୍ୱଂସକାରୀ ପ୍ରଭାବ, ଯେପରି ଦେବ ଓ ତାଙ୍କ ସହକର୍ମୀ ନିର୍ଦ୍ଦେଶିତ କରନ୍ତି, ହେଉଛି ସ୍ଥାନୀୟ ଜୈବବିବିଧତା ଓ ଏହା ସହିତ ପରିସଂସ୍ଥାନ ଦୃଷ୍ଟିରୁ ସମୃଦ୍ଧ ଏହି ଭୂଭାଗରେ କାମ କରୁଥିବା ଓ ଏହାକୁ ବଞ୍ଚେଇ ରଖିଥିବା ସମ୍ପ୍ରଦାୟର ଜ୍ଞାନର ଅବକ୍ଷୟ। ଜଳବାୟୁ ଦୃଷ୍ଟିରୁ ନମନୀୟ ହୋଇଥିବା କୃଷି ପାଇଁ ଉଭୟର ଭୂମିକା ଗୁରୁତ୍ୱପୂର୍ଣ୍ଣ-ଯାହାର ବୃଦ୍ଧି ପାଉଥିବା ଅନିଶ୍ଚିତତା ଓ ଚରମ ପାଣିପାଗକୁ ସହ୍ୟ କରିବା ସାମର୍ଥ୍ୟ ରହିଛି। ଯାଯାହାର ଯାର

“ଜଳବାୟୁ ପରିବର୍ତ୍ତନ,” ଯୋଗୁଁ ଦେବ କୁହନ୍ତି. “ସ୍ଥାନୀୟ ପାଣିପାଗରେ ଅପ୍ରତ୍ୟାଶିତ ପରିବର୍ତ୍ତନଗୁଡିକ ପରିଲକ୍ଷିତ ହେଉଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ମରୁଡ଼ି ପରିସ୍ଥିତି ଲାଗି ରହିବା, ପ୍ରାୟତଃ ଅସମୟରେ ବର୍ଷା ହେବା ଓ ବାରମ୍ବାର ମରୁଡ଼ି ପଡ଼ିବା ଆଦି ଅନେକ ଦିନ ହେବ ଓଡ଼ିଶାର ଲୋକମାନେ ଦେଖି ଆସୁଛନ୍ତି”। କପା ସହିତ ଆଧୁନିକ କିଷମର ଧାନ ଓ ପନିପରିବା, ଯାହା ପୁରୁଷାନୁକ୍ରମେ ଚାଲି ଆସୁଥିବା କିଷମର ସ୍ଥାନ ଗ୍ରହଣ କରିଛି, “ତାହା ସ୍ଥାନୀୟ ପରିବେଶରେ ଦେଖାଦେଇଥିବା ଏହିପରି ଅପ୍ରତ୍ୟାଶିତ ପରିସ୍ଥିତିରେ ସ୍ୱାଭାବିକ ଭାବେ ବଞ୍ଚି ରହିବା ପାଇଁ ଅସମର୍ଥ । ଏହାର ଅର୍ଥ ହେଉଛି ଫସଲ ବଞ୍ଚିବା, ପରାଗ ସଂଗମ, ଉତ୍ପାଦନ ଓ ଶେଷରେ ଖାଦ୍ୟ ନିରାପତ୍ତା ଆଦି ନେଇ ଦୃଢ ଅନିଶ୍ଚିତତା ଦେଖାଦେବା।’’

ଏହି ଅଞ୍ଚଳର ବୃଷ୍ଟିପାତ ସମ୍ବନ୍ଧିତ ତଥ୍ୟ ଓ କୃଷକମାନଙ୍କ ବ୍ୟାଖ୍ୟା, ସବୁକିଛି କ୍ରମବର୍ଦ୍ଧିଷ୍ଣୁ ବିଶୃଙ୍ଖଳିତ ପାଣିପାଗ ଆଡ଼କୁ ନିର୍ଦ୍ଦେଶିତ କରୁଛି । ୨୦୧୪- ୧୮ରେ ଏହି ଅଞ୍ଚଳରେ ହାରାହାରି ବାର୍ଷିକ ବୃଷ୍ଟିପାତ ୧.୩୮୫ମିମି ହୋଇଥିବା ରେକର୍ଡ କରାଯାଇଥିଲା। ତାହା ୧୯୯୬-୨୦୦୦ ପର୍ଯ୍ୟନ୍ତ ପାଞ୍ଚ ବର୍ଷରେ ହୋଇଥିବା ୧.୦୩୪ମିମି ବୃଷ୍ଟିପାତ ଠାରୁ ୩୪ ପ୍ରତିଶତ ଅଧିକ (ଭାରତୀୟ ପାଣିପାଗ ବିଭାଗ ଓ କେନ୍ଦ୍ରର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟରୁ ପ୍ରକାଶ)। ଏହାସହିତ, ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଗବେଷକଙ୍କ ଦ୍ୱାରା ୨୦୧୯ରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି ଯେ,: “ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ଦିନ ସଂଖ୍ୟା ବୃଦ୍ଧି ପାଇବା ସହିତ ଶୁଷ୍କ ଦିନଗୁଡିକର ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ହାଲ୍‌କାରୁ ମଧ୍ୟମ ବୃଷ୍ଟିପାତ ହେଉଥିବା ଦିନ ସଂଖ୍ୟା ଓ ଆର୍ଦ୍ର ଦିନ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।”

PHOTO • Chitrangada Choudhury
PHOTO • Chitrangada Choudhury
PHOTO • Chitrangada Choudhury

କୁନୁଜି କୁଲୁସିକା(କେନ୍ଦ୍ର)ଙ୍କ ପରି କୃଷକମାନେ ବିଟ୍‌ କପାର ବିସ୍ତାର ଓ ଏହା ସହିତ ଯୋଡ଼ି ହୋଇ ରହିଥିବା ରାସାୟନିକର ଦେଶୀ ବୀଜ କିଷମ (ବାମ) ଓ ସେମାନଙ୍କ ଜମିର ମାଟି ଓ ଏଥିରେ ଥିବା ଅନ୍ୟ ଜୀବନ୍ତ ଉପାଦାନଗୁଡିକ ଉପରେ ଏହାର ପ୍ରଭାବ ନେଇ ଚିନ୍ତା କରୁଛନ୍ତି (ଡାହାଣ)

“ଗତ ତିନିବର୍ଷ ହେବ… ବିଳମ୍ବରେ ବର୍ଷା ଆରମ୍ଭ ହେଉଛି,” ବୋଲି, ପଡୋଶୀ ଜିଲ୍ଲା କୋରାପୁଟର ଜଣେ କୃଷକ ଓ ସମାଜସେବୀ ଶରଣ୍ୟ ନାୟକ ଆମକୁ କୁହନ୍ତି । “ବର୍ଷାଋତୁ ଆରମ୍ଭରେ ମୌସୁମୀ ଜନିତ ବର୍ଷା ହାର କମ୍‌ ରହୁଥିବା ବେଳେ ମଧ୍ୟ ଭାଗରେ ସର୍ବାଧିକ ବୃଷ୍ଟିପାତ ହେଉଛି ଓ ତାପରେ ଋତୁ ସରି ଆସିବା ବେଳକୁ ଭାରି ବର୍ଷା ହେଉଛି’’। ଏହାର ଅର୍ଥ ହେଉଛି ବୁଣିବା କାମ ବିଳମ୍ବରେ ଆରମ୍ଭ ହେବା, ଅତ୍ୟଧିକ ବର୍ଷାର ଅର୍ଥ ହେଉଛି ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀ ସମୟରେ ସୂର୍ଯ୍ୟ କିରଣ ନପଡ଼ିବା ଓ ଶେଷ ଆଡ଼କୁ ପ୍ରବଳ ବୃଷ୍ଟିପାତ ହେବା ଯୋଗୁଁ ଆଦାୟ କ୍ଷତିଗ୍ରସ୍ତ ହୋଇଥାଏ ।

ଲିଭିଂ ଫାର୍ମ ଏନ୍‌ଜିଓ, ଯାହା ଏହି ଅଞ୍ଚଳରେ ଖାଦ୍ୟ ଓ କୃଷି ଉପରେ କାମ କରିଥାଏ, ଦେବଜିତ ଷଡଙ୍ଗୀ ନିଜର ମତାମତ ଦେବାକୁ ଯାଇ କୁହନ୍ତି ଯେ “ଏହି ଅଞ୍ଚଳରେ ବର୍ଷା ଋତୁ ପ୍ରାୟତଃ ଜୁନ୍‌ର ମଧ୍ୟ ଭାଗରୁ ଆରମ୍ଭ ହୋଇ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହୁଥିଲା । ବିଗତ କିଛି ବର୍ଷରେ, କିନ୍ତୁ, ଏହା ବିଶୃଙ୍ଖଳିତ ହୋଇଯାଇଛି ।’’ ଉଭୟ ଷଡଙ୍ଗୀ ଓ ନାୟକଙ୍କ ଯୁକ୍ତି ଏହା ଯେ ଓଡିଶାରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏକାଧିକ ଫସଲ ଆଦାୟ କରିବା ପ୍ରଣାଳୀ, ଯେଉଁଥିରେ ଦେଶୀ ଶସ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଏ, କପା ତୁଳନାରେ ତାହା ଏହି ଅନିୟମିତତାର ଉଚିତ ମୁକାବିଲା କରିପାରିବ। “ଏହା ଆମେ ଅନୁଭବ କରିଛୁ ଯେ ଏକାଧିକ-ଫସଲ କରୁଥିବା କୃଷକମାନେ ଏହିପରି ବିଶୃଙ୍ଖଳିତ ପାଣିପାଗ ଶୈଳୀର ଭଲ ମୁକାବିଲା କରିପାରିବେ” ବୋଲି ଷଡ଼ଙ୍ଗୀ କହିଛନ୍ତି । “ସେହି କୃଷକ ଯେଉଁମାନେ ବିଟ୍‌ କପା ଭଳି ଗୋଟିଏ ମାତ୍ର ଫସଲ ମାଧ୍ୟମରେ ବଜାର ସହିତ ଯୋଡ଼ି ହୋଇଛନ୍ତି ସେମାନେ ଏକ ଟାଇମ୍‌ ବମ୍‌ ଉପରେ ବସିଛନ୍ତି ।

*****

ଅନେକ କୃଷକ ନୂଆ ଜିଏମ୍‌ ଏକକ-ଫସଲ ବଣ୍ଟନ ଯୋଗୁଁ ଖାଦ୍ୟ ନିରାପତ୍ତା ଓ କୃଷି କ୍ଷେତ୍ରର ସ୍ୱାତନ୍ତ୍ରତା ପ୍ରତି ରହିଥିବା ବିପଦ ବିଷୟରେ ଜାଣିପାରିଛନ୍ତି – ଯଦିଓ ସେମାନେ ନୂଆ ପ୍ରଥା ସବୁ ଆପଣାଉଛନ୍ତି । କିନ୍ତୁ ଅନ୍ୟମାନେ, ବିଶେଷକରି ମହିଳାମାନେ, ନିଜର ପାରମ୍ପରିକ କୃଷି ପ୍ରଣାଳୀକୁ ବର୍ଜନ ନକରିବା ଉପରେ ଜୋର୍‌ ଦେଉଛନ୍ତି । ନିୟମଗିରି ପଛରେ ଥିବା କେରାଣ୍ଡିଗୁଡା ଗ୍ରାମରେ, ଆମେ କୁନୁଜି କୁଲୁସିକା ନାମକ ଜଣେ କନ୍ଧ ମହିଳାଙ୍କ ସଂସ୍ପର୍ଶରେ ଆସିଲୁ ଯିଏ ନିଜ ପୁଅକୁ କପା ଚାଷରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଥିଲେ ।

ସେ ପାହାଡ ପାର୍ଶ୍ୱରେ ସ୍ଥାନାନ୍ତରିତ କୃଷି କରୁଥିବା ତାଙ୍କ ଜମିରେ ଖାଲିପାଦରେ କାମ କରିବାରେ ବ୍ୟସ୍ତ ଥିଲେ । ତାଙ୍କ ଶାଢୀ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥିଲା ଓ ସେ ବ୍ଲାଉଜ୍‌ ପିନ୍ଧି ନଥିଲେ ଓ ତାଙ୍କର କେଶଗୁଡିକୁ ପଛକୁ ଟାଣି ନେଇ ଗୋଟିଏ ପାଖ କରି ଏକ ଖୋସା କରିଥିଲେ- ଏହିପରି ବେଶଭୂଷାରେ କୁନୁଜି ସରକାର, କର୍ପୋରେସନ୍‌, ଏନ୍‌ଜିଓଗୁଡିକ ଦ୍ୱାରା ଆଦିବାସୀ ବା “ପଛୁଆଜାତି’’ଙ୍କ ଉନ୍ନତି ପାଇଁ ପ୍ରସ୍ତୁତ କରାଯାଉଥିବା ବିଜ୍ଞାପନଗୁଡିକରେ ପ୍ରଦର୍ଶିତ ଆଦିବାସୀ ମହିଳାଙ୍କ ନମୂନା ପରି ମନେ ହେଉଥିଲେ । ତଥାପି, ଯେପରି ଦେବ କୁହନ୍ତି, କୁନୁଜିଙ୍କ ପରି ଲୋକମାନଙ୍କ ପାଖରେ ଥିବା ଜ୍ଞାନ ଓ କୌଶଳର କ୍ରମକ୍ଷୟ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ ଖୋଜୁଥିବା ପୃଥିବୀ ପାଇଁ ଧ୍ୱଂସକାରୀ ପ୍ରମାଣିତ ହେବ ।

“ଯଦି ଆମେ ଆମର [ନିଜସ୍ୱ] ଫସଲ ଗୋଟିଏ ବର୍ଷ ମଧ୍ୟ ନକରି ରହିଯିବୁ,” ତେବେ ଆମେ କିଭଳି ଭାବେ ସେହି ବୀଜଗୁଡିକୁ ପୁଣି ପାଇପାରିବୁ? ବୋଲି କୁନୁଜି ପାରମ୍ପରିକ ଚାଷ ବଦଳରେ କପା ଚାଷ ଆପଣେଇବାକୁ କାହିଁକି ଡରୁଛନ୍ତି, ତାହା ବର୍ଣ୍ଣନା କରିବାକୁ ଯାଇ କହିଲେ । ଗତ ବର୍ଷ, ସୁରେନ୍ଦ୍ର କିଛି କପା ଚାଷ କରିଥିଲା, ଯେଉଁଠାରେ ଆମକୁ ମକା ଲଗେଇବାର ଥିଲା । ଯଦି ଆମେ ଏହିପରି କରିବା ଜାରି ରଖିବୁ, ତେବେ ଭବିଷ୍ୟତରେ ବୁଣିବା ପାଇଁ ଆମ ପାଖରେ ଆଉ ମକା ବୀଜ ନଥିବ’’।

‘ଯଦି ଆମେ ଆମର [ନିଜସ୍ୱ] ଫସଲ ଗୋଟିଏ ବର୍ଷ ମଧ୍ୟ ନକରି ରହିଯିବୁ,” ତେବେ ଆମେ କିଭଳି ଭାବେ ସେହି ବୀଜଗୁଡିକୁ ପୁଣି ପାଇପାରୁବୁ? ବୋଲି କୁନୁଜି ପାରମ୍ପରିକ ଚାଷ ବଦଳରେ କପା ଚାଷ ଆପଣେଇବାକୁ କାହିଁକି ଡରୁଛନ୍ତି, ତାହା ବର୍ଣ୍ଣନା କରିବାକୁ ଯାଇ କହିଲେ । ଆମେ ସେଗୁଡିକୁ ସବୁଦିନ ପାଇଁ ହରେଇଦେବାର ଭୟ ରହିଛି’

ଭିଡ଼ିଓ ଦେଖନ୍ତୁ: ‘କପା ବୀଜଗୁଡିକ ମୋ ପାଇଁ ଉଦ୍ଦିଷ୍ଟ ନୁହେଁ’, ବୋଲି କୁନୁଜି କୁଲୁସିକା ନାମକ ଜଣେ କନ୍ଧ କୃଷକ କୁହନ୍ତି ଓ ସେ ନିଜ ପାଖରେ ଥିବା ଦେଶୀ ଖାଦ୍ୟ ଶସ୍ୟଗୁଡ଼ିକ ଦେଖାନ୍ତି

ଆମେ ଯେତେବେଳେ କୁନୁଜିଙ୍କୁ ପୁରୁଷାନୁକ୍ରମେ ସେ ଚାଷ କରି ଆସୁଥିବା ଶସ୍ୟର ବୀଜଗୁଡ଼ିକ ଦେଖେଇବା ପାଇଁ ତାଙ୍କୁ କହିଲୁ ସେତେବେଳେ ତାଙ୍କ ମୁଁହରେ ପ୍ରଫୁଲ୍ଲତା ଦୃଶ୍ୟମାନ ହୋଇପାରୁଥିଲା । ସେ ତାଙ୍କ ଘରଭିତରକୁ ଦଉଡ଼ି ଗଲେ ଓ ତାଙ୍କ ପରିବାର ଦ୍ୱାରା କରାଯାଉଥିବା ବିଭିନ୍ନ ଫସଲର ବୀଜ, ଯାହାକୁ ସେ ବାଉଁଶ ଝୁଡ଼ି, ପ୍ଲାଷ୍ଟିକ ଜାର୍‌ ବା କନା ଥଳିରେ ସାଇତି ରଖିଛନ୍ତି, ତାହା ସହିତ ଆମ ସମ୍ମୁଖରେ ଆସି ପ୍ରତୀୟମାନ ହେଲେ । ପ୍ରଥମ: ହରଡ଼ର ଦୁଇଟି କିଷମ, “ଯାହାକୁ ଭୂମିର ଢାଲୁ ଆଧାରରେ ବୁଣାଯିବ,” ପରବର୍ତ୍ତୀ: ଉଚ୍ଚ ଭୂମିରେ ହେଉଥିବା ଏକ ପ୍ରକାରର ଧାନ, ସୋରିଷ, ମୁଗ, ବିରି  ଓ ଦୁଇ ପ୍ରକାରର ବିନ୍‌ସ । ତା’ପରେ ମାଣ୍ଡିଆ, ମକା, ନାଇଜର୍‌ ବୀଜର ଦୁଇଟି ଲେଖା କିଷମ । ଶେଷରେ ସିଆଳି ବୀଜରେ ଭର୍ତ୍ତି ହୋଇ ରହିଥିବା ଏକ ବସ୍ତା (ବଣରେ ମିଳୁଥିବା ଏକ ଖାଦ୍ୟ)। “ଯଦି ବର୍ଷା ଅଧିକ ହୁଏ ଓ ଆମକୁ ଘର ଭିତରେ ବହୁଦିନ ପର୍ଯ୍ୟନ୍ତ ରହିବାକୁ ପଡେ, ସେତେବେଳେ ଆମେ ଏହି ବୀଜଗୁଡ଼ିକୁ କଡ଼ା ଭାଜି ଦେଉ ଓ ଖାଇଥାଉ,” ବୋଲି ସେ କହିଲେ ଓ ଆମମାନଙ୍କ ପାଇଁ ସେଥିରୁ ମୁଠାଏ ଭାଜିଲେ।

“କନ୍ଧ ଓ ଅନ୍ୟ ଜନଜାତିମାନଙ୍କ ପାଖରେ ଥିବା କୃଷି-ପରିସଂସ୍ଥାନ ସମ୍ବନ୍ଧୀୟ ଜ୍ଞାନ ଏତେ ସମ୍ପନ୍ନ ଯେ ଗୋଟିଏ ଗୋଟିଏ ପରିବାର ନିଜ ପାଖରେ ଥିବା ଗୋଟିଏ ପ୍ଲଟ୍‌ରେ ବର୍ଷକୁ ପ୍ରାୟ ୭୦ – ୮୦ ଫସଲ କରିବା ପାଇଁ ସମର୍ଥ ହୋଇପାରନ୍ତି – ଯେପରିକି ଶସ୍ୟ, ଡାଲି ଜାତୀୟ, ଚେର ଜାତୀୟ, କନ୍ଦା, ମାଣ୍ଡିଆ ଜାତୀୟ,” ଆଦି ବୋଲି ଲିଭିଂ ଫାର୍ମର ପ୍ରଦୀପ ପାତ୍ର କୁହନ୍ତି । “ଏହା ଆଜି ମଧ୍ୟ କେତେକ ସ୍ଥାନରେ ପ୍ରଚଳନରେ ଅଛି, କିନ୍ତୁ ମୋଟାମୋଟି ଦେଖିଲେ, କପାର ଆଗମନ ଓ ଗତ ୨୦ବର୍ଷରେ ଏହା ଯେପରି ଚାରିଆଡେ ବ୍ୟାପିଛି, ତାହା ଏହି ବୀଜର ବିବିଧତା ପ୍ରତି ଧ୍ୱଂସକାରୀ ପ୍ରମାଣିତ ହୋଇଛି ।

କୁନୁଜି ଏଥିରେ ବ୍ୟବହାର କରାଯାଉଥିବା ରାସାୟନିକର ପ୍ରଭାବକୁ ଭୟ କରନ୍ତି । କପା ଫସଲ କରିବା ପାଇଁ ଏହା ଅପରିହାର୍ଯ୍ୟ ହୋଇଥିବା ବେଳେ ଆଦିବାସୀ ପରିବାରଗୁଡିକ ନିଜର ପାରମ୍ପରିକ ଫସଲରେ କ୍ୱଚିତ୍‌ ଏହାର ପ୍ରୟୋଗ କରିଥାଇ ପାରନ୍ତି। “ସେହି ସମସ୍ତ କୀଟନାଶକ, ସେହି ସାରଗୁଡିକ-  ସୁରେନ୍ଦ୍ର କପା [ଗଛ] ଉପରେ ପ୍ରୟୋଗ କରିବ । ତାହା କ’ଣ ଆମର ଜମିର ଉର୍ବରତା ନଷ୍ଟ କରିବନି, ଏଥିରେ ମହଜୁଦ ଥିବା ସବୁକିଛି ମାରି ଦେବନି? ମୁଁ ମୋ ଚାଷ ଜମି ପାଖରେ ଥିବା ଅନ୍ୟ ଏକ ଜମିରେ ଏପରି ଘଟିଥିବା ନିଜ ଆଖିରେ ଦେଖିଛି- ଯେତେବେଳେ ସେମାନେ ସେଥିରେ ପୁଣି ମାଣ୍ଡିଆ  [ଫିଙ୍ଗର ମିଲେଟ] ଚାଷ କରିବାକୁ ଚାହିଁଲେ, ସେତେବେଳେ ଭଲ ଫସଲ ହେଲାନାହିଁ, ଗଛର ଆକାର ଛୋଟ ହୋଇଗଲା’’।

ତୃଣନାଶକ-ସହନଶୀଳ କପା ବୀଜଗୁଡ଼ିକୁ ଭାରତରେ ବ୍ୟବହାର କରିବା ପାଇଁ ଅନୁମତି ନାହିଁ, କିନ୍ତୁ ଏହି ଫସଲରେ ବ୍ୟବହାର ହେଉଥିବା ଗ୍ଲାଇଫୋସେଟ୍‌ ପରି ରାସାୟନିକ ଯାହା ଏକ ତୃଣନାଶକ, “ ଯାହାର ବ୍ୟବହାର ଯୋଗୁଁ କର୍କଟ ହେବା ସମ୍ଭାବନା ରହିଛି ” ସେଗୁଡିକ ଜଙ୍ଗଲ ନିଆଁ ପରି ସମ୍ପୂର୍ଣ୍ଣ ରାୟଗଡ଼ାରେ ବ୍ୟାପିବାରେ ଲାଗିଛି । “ନିୟମିତ ଭାବେ ଏହି ତୃଣନାଶକ ବ୍ୟବହାର କରାଯିବା ଯୋଗୁଁ,” ଦେବଲ ଦେବ କୁହନ୍ତି, “ଜମିରେ ରହିଥିବା ବିଭିନ୍ନ ଉଦ୍ଭିଦ, ଯାହା ଭିତରେ ରହିଛି ବିଭିନ୍ନ ପ୍ରକାରର ଛୋଟ ବୁଦା ଓ ଘାସଗଛ ଜମିରୁ ଉଭେଇ ଗଲାଣି। ଯାହା ଯୋଗୁଁ ପ୍ରଜାପତି ଓ ପତଙ୍ଗ ଯାହା ଅଣ-ଫସଲ ଗଛ ଉପରେ ନିର୍ଭର କରି ବଞ୍ଚିଥାଏ, ସେଗୁଡ଼ିକର ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

“ଏହି ଅଞ୍ଚଳର ପରିସଂସ୍ଥାନ ସମ୍ବନ୍ଧୀୟ ଜ୍ଞାନର ଆଧାର ଦ୍ରୁତ ଗତିରେ ବିପଜ୍ଜନକ ଭାବେ କ୍ଷୟ ହେବାରେ ଲାଗିଛି [ଓ ଏହାର ଜୈବବିବିଧତା]।ଅଧିକରୁ ଅଧିକ କୃଷକ ସେମାନଙ୍କ ପାରମ୍ପରିକ ଏକାଧିକ-ଫସଲ କରିବା ପ୍ରଣାଳୀ ଓ କୃଷି-ବନୀକରଣ ପଦ୍ଧତିକୁ ଅତ୍ୟଧିକ ମାତ୍ରାରେ କୀଟନାଶକ ଆବଶ୍ୟକ କରୁଥିବା କପା ପରି ଏକକ-ଫସଲ କରିବା ପାଇଁ ତ୍ୟାଗ କରୁଛନ୍ତି । କପା କୃଷକମାନେ ତୃଣନାଶକ ମଧ୍ୟ ବ୍ୟବହାର କରିଥାନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ… କେଉଁ କୀଟଗୁଡ଼ିକ ପ୍ରକୃତରେ ଅନିଷ୍ଟକାରୀ ଓ କେଉଁଗୁଡିକ ନୁହଁନ୍ତି ତାହା ମଧ୍ୟ ଜାଣନ୍ତି ନାହିଁ । ଏଣୁ ସେମାନେ ସମସ୍ତ କୀଟଗୁଡ଼ିକୁ ବିତାଡ଼ିତ କରିବା ପାଇଁ କୀଟନାଶକ ସିଞ୍ଚନ କରିଥାନ୍ତି ।”

କପା ଚାଷକୁ ଆପଣେଇବା ପରେ, ଶରଣ୍ୟ ନାୟକ କୁହନ୍ତି ଯେ , “ପ୍ରତ୍ୟେକ କୀଟ, ପକ୍ଷୀ, ପଶୁଙ୍କୁ କେବଳ ଗୋଟିଏ ଦୃଷ୍ଟିରେ ଦେଖାଯାଏ –କେବଳ ଫସଲର ଶତ୍ରୁ ଭାବେ। ଏହି ଆଳରେ କୃଷି-ରାସାୟନିକ ସାମଗ୍ରୀଗୁଡିକୁ ବିଚାରଶୂନ୍ୟ ଭାବେ ବ୍ୟବହାର କରାଯାଉଛି ।’’

କୁନୁଜି ଜାଣନ୍ତି ଯେ ଲୋକମାନେ ଏହାର କୁପ୍ରଭାବଗୁଡ଼ିକ ଦେଖିପାରୁଛନ୍ତି, ତଥାପି କପାକୁ ଆପଣାଉଛନ୍ତି । “ଏଥିରୁ ଥରକୁ କେତେ ଟଙ୍କା ସେମାନେ ପାଇପାରିବେ ତାହା ଦେଖନ୍ତି,” ବୋଲି ନିଜ ହାତ ଦ୍ୱୟ ବାହାର ଆଡକୁ ପ୍ରସାରିତ କରି ସେ କହିଲେ । “ଏହି କାରଣରୁ ସେମାନେ ଲୋଭାସକ୍ତ ହୋଇପଡ଼ନ୍ତି।’’

PHOTO • Chitrangada Choudhury

ବିଟି କପା ଏକକ-ଫସଲ (ଉପର ଧାଡି) ଓ ଏହା ସହିତ ଜଡିତ କୃଷି-ରାସାୟନ (ନିମ୍ନ ଧାଡି), ଉଭୟ ରାୟଗଡ଼ାରେ ନିଜ କାୟା ବିସ୍ତାର କରୁଛି, ଯାହା ଦ୍ୱାରା ସେହି ଅଞ୍ଚଳର ସମ୍ପନ୍ନ ଜୈବବିବିଧତା ପ୍ରତି ଅପରିବର୍ତ୍ତନୀୟ ବିପଦ ସୃଷ୍ଟି ହୋଇଛି

କପା ଫସଲ ଆମର ପାରମ୍ପରିକ ଫସଲକୁ ଏଡ଼ାଇ, ତାର ସ୍ଥାନ ଗ୍ରହଣ କରିଥିବାରୁ “ବୀଜ ବାଣ୍ଟିବା ଓ ବିନିମୟ କରିବା, ଚାଷ ଜମିରେ କାମ କରିବା ପାଇଁ ପଶୁ ସମ୍ପଦ ଓ ପରିଶ୍ରମ ମିଳିତ ଭାବେ ବ୍ୟବହାର କରିବା ଭଳି ସମ୍ପ୍ରଦାୟର ବ୍ୟବସ୍ଥା,” ଆଜି ଲୋପ ପାଇବାକୁ ବସିଲାଣି । “ବର୍ତ୍ତମାନ କୃଷକମାନେ ଋଣଦାତା ଓ ବ୍ୟାପାରୀଙ୍କୁ ଚାହିଁ ରହୁଛନ୍ତି” ବୋଲି ପାତ୍ର କୁହନ୍ତି ।

ଜିଲ୍ଲାର ଜଣେ କୃଷି ଅଧିକାରୀ (ଯିଏ ନିଜ ପରିଚୟ ପ୍ରକାଶ କରିବାକୁ ଚାହୁଁନାହାନ୍ତି) ପାତ୍ରଙ୍କ ସହିତ ଏକମତ ଅଟନ୍ତି । ସେ ଏହା ଗ୍ରହଣ କରିଛନ୍ତି ଯେ ୧୯୯୦ରେ ରାଜ୍ୟ ସରକାର ବିଭିନ୍ନ ଗ୍ରାମରେ କପା ଚାଷ ଆରମ୍ଭ କରିଥିଲେ ଓ ଏହାକୁ ପ୍ରୋତ୍ସାହିତ ମଧ୍ୟ କରିଥିଲେ। ତାପରେ ପଡୋଶୀ ଆନ୍ଧ୍ରର ଘରୋଇ ବୀଜ ଓ କୃଷି-ରାସାୟନିକ ସାମଗ୍ରୀ ଡିଲର୍‌ମାନେ ଆକ୍ରାମକ ଢଙ୍ଗରେ ଏହାକୁ ବଢାଇ ଥିଲେ । ଏନେଇ ସରକାର ଚିନ୍ତିତ ଥିବା ବେଳେ, ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିବା ନକଲି ଓ ବେଆଇନ୍‌ ବୀଜ ବିକ୍ରି ଓ ଅତ୍ୟଧିକ କୃଷି-ରାସାୟନିକ ପ୍ରୟୋଗ ବନ୍ଦ କରିବା ପାଇଁ କୌଣସି ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି । “କପା ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ହୋଇଛି,” ବୋଲି ସେ କହିଛନ୍ତି ।

ଏସବୁ ସତ୍ତ୍ୱେ, ଟଙ୍କାର ଲୋଭ କ୍ଷମତାଶାଳୀ ପ୍ରମାଣିତ ହେଉଛି, ବିଶେଷକରି ଯୁବ କୃଷକମାନଙ୍କ ପାଇଁ । ସେମାନଙ୍କ ପିଲାମାନଙ୍କୁ ଇଂରାଜୀ ଶିକ୍ଷା ପ୍ରଦାନ କରିବା, ସ୍ମାର୍ଟଫୋନ ଓ ମୋଟର୍‌ବାଇକ୍‌ କିଣିବାର ଉଚ୍ଚାଭିଳାଷ ଓ ସେମାନଙ୍କ ବାପାମା’ଙ୍କ ଶୈଳୀରେ ଚାଷ କାର୍ଯ୍ୟ କରିବା ପାଇଁ ଧୈର୍ଯ୍ୟ ନରହିବା ଯୋଗୁ ସେମାନେ କପା ଭଳି ବିପଦ ମୁଣ୍ଡେଇବାକୁ ଉଚିତ ମନେ କରୁଛନ୍ତି । ଯଦି ଗୋଟିଏ ବର୍ଷ ବଜାର ମାନ୍ଦା ରହୁଛି, ତେବେ ତାହା ଅପର ବର୍ଷ ଉଠିବା ସମ୍ଭାବନା ରହିଛି ।

ପରିସଂସ୍ଥାନ, ଯାହା ହେଲେ ମଧ୍ୟ, କ୍ଷମା କରିବ ନାହିଁ ।

“ଲିପିବଦ୍ଧ ହେଉନଥିଲେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ଓ ବେମାରୀଗୁଡ଼ିକର ପ୍ରକାର ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ପ୍ରକାର ସ୍ନାୟବିକ ଓ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ଯଥେଷ୍ଟ ଅଧିକ ବୃଦ୍ଧି ପାଇଛି” ବୋଲି ଦେବ କୁହନ୍ତି । “ଅର୍ଗାନୋଫସ୍‌ଫେଟ୍‌ ଭଳି କୀଟନାଶକ ଓ ଗ୍ଲାଇଫୋସେଟ୍‌ ଭଳି ତୃଣନାଶକ, ଯାହା ଜିଲ୍ଲାରେ ବହୁଳ ପରିମାଣରେ ବ୍ୟବହାର କରାଯାଉଛି, ସେଗୁଡିକର ସଂସ୍ପର୍ଶରେ ଆସିବା ଯୋଗୁଁ ଏହିସବୁ ରୋଗ ଜାତ ହେଉଥିବା ମୁଁ ସନ୍ଦେହ କରୁଛି’’।

“ଡ. ଜନ୍‌ ଉମ୍ମେନ, ଯିଏ ବିଷମକଟକରେ ଥିବା ୪୫ ବର୍ଷ ପୁରୁଣା ଖ୍ରୀଷ୍ଟିଆନ୍‌ ଡାକ୍ତରଖାନାରେ କାର୍ଯ୍ୟ କରନ୍ତି, କୁହନ୍ତି ଯେ କୌଣସି ପ୍ରକାରର ଉଚ୍ଚସ୍ତରୀୟ ଅନୁସନ୍ଧାନ ନକରି ରୋଗ ଓ ଏହାର ସମ୍ଭାବ୍ୟ କାରଣ ମଧ୍ୟରେ ଏଭଳି ସମ୍ପର୍କ ସ୍ଥାପନ କରିବା କଷ୍ଟକର । “ଏବେ ମଧ୍ୟ ରାଜ୍ୟ ସରକାରଙ୍କ ଧ୍ୟାନ କେବଳ ମ୍ୟାଲେରିଆ ଭଳି ସଂକ୍ରାମକ ରୋଗ ଉପରେ କେନ୍ଦ୍ରିତ ହୋଇ ରହିଛି । କିନ୍ତୁ ଏଠାରେ ଆଦିବାସୀମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପୁଥିବା ରୋଗଗୁଡ଼ିକ ହେଉଛି  ହୃଦୟ ଓ କିଡ୍‌ନୀର ସମସ୍ୟା……ପ୍ରକୃତରେ କହିବାକୁ ଗଲେ ସାଂଘାତିକ କିଡ୍‌ନୀ ରୋଗ ଓ ଏହାର ସଂଖ୍ୟା ମଧ୍ୟ ଖୁବ୍‌ ଅଧିକ’’।

ସେ ସୂଚୀତ କରିଛନ୍ତି ଯେ, “ଏହି ଅଞ୍ଚଳରେ ଥିବା ସମସ୍ତ ଡାକ୍ତରଖାନାରେ ଏବେ ଡାୟାଲିସିସ୍‌ କେନ୍ଦ୍ରଗୁଡ଼ିକ ଖୋଲା ଯାଇଛି ଓ ଏହା ଏକ ଭଲ ବ୍ୟବସାୟ ମଧ୍ୟ । ଆମକୁ ଏହି ପ୍ରଶ୍ନର ଉତ୍ତର ଖୋଜି ବାହାର କରିବାକୁ ହେବ-  କେଉଁ କାରଣରୁ ଏତେ ମାତ୍ରାରେ କିଡ୍‌ନି ଅଚଳ ହେଉଛି ? ଉମ୍ମେନ ଏନେଇ ନିଜର ଚିନ୍ତା ବ୍ୟକ୍ତ କରିବାକୁ ଯାଇ କହିଛନ୍ତି ଯେ ଏକ ସମ୍ପ୍ରଦାୟ ଯାହା ଶହ ଶହ ବର୍ଷ ଧରି ନିଜକୁ ନିଜେ ସବୁ ପରିସ୍ଥିତିରେ ବଞ୍ଚାଇ ରଖିଆସିଛି ଆଜି ସେମାନେ ସେହି ସବୁ ପରିବର୍ତ୍ତନ ସଂସ୍ପର୍ଶରେ ଆସୁଛନ୍ତି ବା ବଳପୂର୍ବକ ପରିବର୍ତ୍ତନକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି, ଯେଉଁଥିପାଇଁ ସେମାନେ ଭଲଭାବେ ନିଜକୁ ପ୍ରସ୍ତୁତ ମଧ୍ୟ କରିନାହାନ୍ତି ।

*****

ନିୟମଗିରି ପାହାଡରେ ସେହି ସପ୍ତାହକୁ ଫେରିଯିବା, ଏକ ଉଷ୍ମ ସକାଳରେ, ଓବି ନାଗଙ୍କ ସହିତ ଆମର ଦେଖା ହୋଇଥିଲା।ସେ ମଧ୍ୟ ଜଣେ ବୟସ୍କ କନ୍ଧ ଆଦିବାସୀ କୃଷକ ଯିଏ ଏକ ଧାତୁ ପାତ୍ର ଓ ମହାରାଷ୍ଚ୍ରର ଏକ୍ସେଲ୍‌ କ୍ରପ୍‌ କେୟାର୍‌ ଲିମିଟେଡ୍‌ ଦ୍ୱାରା ନିର୍ମିତ ହୋଇଥିବା ତରଳ ଫର୍ମୁଲେସନ ଗ୍ଲାଇଫୋସେଟ୍‌ର ଏକ—ଲିଟର ବୋତଲ ସହିତ ନିଜ ପ୍ଲଟ୍‌ ଆଡକୁ ଯାଉଥିଲେ ।

ନାଗ ତାଙ୍କ ପିଠିରେ ଏକ ନୀଳ ରଙ୍ଗର ହସ୍ତଚାଳିତ ସ୍ପ୍ରେୟର୍‌ ବୋହୁଥିଲେ। ସେ ତାଙ୍କ ପ୍ଲଟ୍‌ ପାର୍ଶ୍ୱରେ ଥିବା ଏକ ଛୋଟ ପାହାଡ଼ି ଝରଣା ପାଖରେ ଅଟକିଗଲେ ଓ ନିଜ ପିଠିରେ ଥିବା ଭାରକୁ ତଳକୁ ଓହ୍ଲାଇଲେ । ସେହି ପାତ୍ର ବ୍ୟବହାର କରି ସେ ସେହି ସ୍ପ୍ରେୟର୍‌ରେ ପାଣି ଭର୍ତ୍ତି କଲେ । “ତା’ପରେ ସେ ଦୋକାନୀଙ୍କ ନିର୍ଦ୍ଦେଶ ଅନୁସାରେ ସେଥିରେ ଦୁଇ ଠିପି ଗ୍ଲାଇଫୋସେଟ୍‌ ମିଶାଇଲେ ।" ଏହାକୁ ସେ ଭଲଭାବେ ଝାଙ୍କି ମିଶାଇଲେ, ତା’ପରେ ପୁଣି ଥରେ ସ୍ପ୍ରେୟର୍‌କୁ ପିଠିରେ ଲଦିଲେ ଓ ତାଙ୍କ ପ୍ଲଟ୍‌ରେ ଥିବା ଉଦ୍ଭିଦଗୁଡିକ ଉପରେ ତାହା ସିଞ୍ଚିବାକୁ ଆରମ୍ଭ କଲେ । “ଏହି ସବୁ ଆସନ୍ତା ତିନି ଦିନ ମଧ୍ୟରେ ମରିଯିବେ ଓ ଜମି କପା ଚାଷ କରିବା ପାଇଁ ପ୍ରସ୍ତୁତ ହୋଇଯିବ,” ବୋଲି ସେ କହିଲେ ।

PHOTO • Chitrangada Choudhury

ଜୁଲାଇ ମାସର ଏକ ସକାଳରେ, ନିୟମଗିରି ପାହାଡ଼ରେ, ଖୋଲା ଦେହରେ ଥିବା ଓବି ନାଗ୍‌ ଗ୍ଲାଇଫୋସେଟ୍‌ର ଏକ ବୋତଲ୍‌ ଖୋଲିଲେ, ଯାହା ଏକ ତୃଣନାଶକ ଅଟେ ଓ  ସମ୍ଭାବ୍ୟ କର୍କଟ ରୋଗ ସୃଷ୍ଟି କରୁଥିବା ଏକ କାରକ ମଧ୍ୟ । ସେ ତାଙ୍କ ଚାଷଜମି ପାଖରେ ବହିଯାଉଥିବା ଝରଣାରୁ ପାଣି ଆଣି ସେଥିରେ ମିଶେଇଲେ ଓ ମିଶ୍ରଣକୁ ନିଜ ଜମିରେ ସିଞ୍ଚନ କରି ଏଥିରେ ବିଟ୍‌ କପା ଚାଷ କରିବା ପାଇଁ ଏହାକୁ ପ୍ରସ୍ତୁତ କଲେ (ବାମ ଓ ମଧ୍ୟ) । ତିନିଦିନ ପରେ, ସେହି ଭୂମି ଉପରେ ଥିବା ଅଧିକାଂଶ ଉଦ୍ଭିଦ ଝାଉଁଳି ଯାଇଥିଲେ। (ଡାହାଣ)

ଗ୍ଲାଇଫୋସେଟ୍‌ ବୋତଲ୍‌ ଉପରେ ଇଂରାଜୀ, ହିନ୍ଦି ଓ ଗୁଜୁରାତି ଭାଷାରେ ଉଲ୍ଲେଖ କରାଯାଇଥିବା ସତର୍କ ସୂଚନାଗୁଡ଼ିକ ମଧ୍ୟରେ ରହିଛି: ଖାଦ୍ୟ ପଦାର୍ଥଠାରୁ ଦୂରେଇ ରଖନ୍ତୁ, ଖାଦ୍ୟ ପଦାର୍ଥ ପାତ୍ର ଓ ପଶୁ ଖାଦ୍ୟ ଥିବା ପାତ୍ରଗୁଡିକୁ ଖାଲି କରନ୍ତୁ; ଆଖି,ପାଟି ଓ ଚର୍ମ ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ । ସ୍ପ୍ରେରୁ ଜାତ ହେଉଥିବା ଘନ କୁହୁଡିକୁ ଆଘ୍ରାଣ କରିବାଠାରୁ ବଞ୍ଚନ୍ତୁ । ପବନ ବହିବା ଦିଗରେ ସ୍ପ୍ରେ କରନ୍ତୁ; ସ୍ପ୍ରେ କରି ସାରିବା ପରେ ସଂକ୍ରମିତ ପୋଷାକ ଓ ଶରୀରର ବିଭିନ୍ନ ଅଂଶକୁ ପରିଷ୍କାର କରି ଧୁଅନ୍ତୁ; ମିଶ୍ରଣ ବେଳେ ଓ ସ୍ପ୍ରେ କରିବା ବେଳେ ପୂରା ଶରୀରରେ ସୁରକ୍ଷା ପ୍ରଦାନକାରୀ ପୋଷାକ ପିନ୍ଧନ୍ତୁ ।

କେବଳ ନାଗଙ୍କ ଅଣ୍ଚା ଚାରିପାଖରେ ଖଣ୍ଡିଏ ଛୋଟ ପୋଷାକକୁ ବାଦ ଦେଲେ ତାଙ୍କର ସମ୍ପୂର୍ଣ୍ଣ ଶରୀର ଅନାବୃତ ଥିଲା । ସେ ସ୍ପ୍ରେ କରିବା ବେଳେ ତାଙ୍କ ପାଦ ଓ ଗୋଡ଼ରେ ତାହା ବୁନ୍ଦା ବୁନ୍ଦା ହୋଇ ପଡୁଥିଲା ଯେତେବେଳେ କି ପବନରେ ସେହି ତୃଣନାଶକର କୁହୁଡ଼ି ସବୁ ଆମ ପାଖକୁ ଆସୁଥିଲା, ଆମେ ପ୍ଲଟ୍‌ ମଝିରେ ଯେଉଁ ଗଛ ପାଖରେ ଠିଆ ହୋଇଥିଲୁ, ସେଠାକୁ ଓ ଆଖପାଖ ଜମିଗୁଡ଼ିକୁ । ଏହା ସହିତ ଜମି ପାଖ ଦେଇ ପ୍ରବାହିତ ହେଉଥିବା ଝରଣାକୁ ମଧ୍ୟ, ଯାହା କୁଳୁକୁଳୁ ନାଦ କରି ଅନ୍ୟ ଜମିକୁ ଯାଇଛି ଓ ଯାହାର ସୀମାରେ ୧୦ଟି ଘର ଓ ସେଗୁଡ଼ିକର ହ୍ୟାଣ୍ଡ ପମ୍ପ ରହିଛି ।

ତିନି ଦିନ ପରେ, ଆମେ ପୁଣି ନାଗଙ୍କ ପ୍ଲଟ୍‌କୁ ଯାଇଥିଲୁ ଓ ସେ ପାଖରେ ଗୋଟିଏ ଗାଈ ଚରୁଥିବା ଦେଖିବାକୁ ପାଇଲୁ । ଆମେ ନାଗଙ୍କୁ ପଚାରିଲୁ ଯେ ସେ ସେଠାରେ ଯେଉଁ ଗ୍ଲାଇଫୋସେଟ୍‌ ସ୍ପ୍ରେ କରିଛନ୍ତି ତାହା ଖାଇଲେ ଗାଇଟି ବିପଦଗ୍ରସ୍ତ ହେବା ସମ୍ଭାବନା ରହିଛି ଓ ସେ ଆତ୍ମବିଶ୍ୱାସର ସହିତ କହିଲେ ଯେ; “ନା, ତିନି ଦିନ ବିତି ଗଲାଣି । ଯଦି ମୁଁ ଯେଉଁଦିନ ପକେଇଥିଲି, ସେହିଦିନ ସେ ଚରିଥାନ୍ତା ତେବେ ସେ ବେମାର ହୋଇଯାଇଥାନ୍ତା ଓ ସମ୍ଭବତଃ ମରିଯାଇଥାନ୍ତା’’।

ଆମେ ଗୋଟିଏ ବାଳକକୁ ପଚାରିଲୁ ଯେ ସେ ଯେତେବେଳେ ପଶୁସମ୍ପଦକୁ ଚରାଇବାକୁ ନେଇଥାଏ, ସେତେବେଳେ ସେ କିଭଳି କେଉଁଥିରେ ଗ୍ଲାଇଫୋସେଟ୍‌ ଏବେ ସ୍ପ୍ରେ କରାଯାଇଛି ବୋଲି ଜାଣିପାରେ ଓ ନିଜ ପଶୁସମ୍ପଦକୁ ସେଠାରୁ ଦୂରେଇ ରଖେ ଓ ଉତ୍ତରରେ ସେ କହିଲା “କୃଷକମାନେ ତୃଣନାଶକ ସ୍ପ୍ରେ କରିଥିବା ବିଷୟରେ ଆମକୁ ସୂଚୀତ କରିଦିଅନ୍ତି । “ସେହି ବାଳକର ବାପା ଆମକୁ ଜଣାଇଲେ ଯେ ଗତ ବର୍ଷ ପଡୋଶୀ ଗ୍ରାମରେ କେତେକ ଗାଈ ସଦ୍ୟ ସ୍ପ୍ରେ କରାଯାଇଥିବା ପ୍ଲଟ୍‌ରେ ଚରିବା ଯୋଗୁଁ ମରିଯାଇଥିବା ସେ ଦେଖିଛନ୍ତି ।

ଯେତେବେଳେକି ନାଗଙ୍କ ପ୍ଲଟ୍‌ରେ ଥିବା ଅଧିକାଂଶ ଘାସ ଝାଉଁଳି ଯାଇଛି । ଏହା ବର୍ତ୍ତମାନ କପା ବୁଣିବା ପାଇଁ ପ୍ରସ୍ତୁତ ହୋଇଯାଇଛି ।

ପ୍ରଚ୍ଛଦ ଫଟୋ : ମୋହିନୀ ଶବର, ରାୟଗଡ଼ା ଜିଲ୍ଲାର ଗୁଣୁପୁର ବ୍ଲକ୍‌ର ଜଣେ ସଉରା ଆଦିବାସୀ ରଇତ, କୁହନ୍ତି ଯେ ସେମାନେ କିଛି ବର୍ଷ ତଳେ ଖାତ୍ୟ ଶସ୍ୟ ଉତ୍ପାଦନ କରୁଥିଲେ ଓ ବର୍ତ୍ତମାନ କେବଳ ବିଟ୍‌ କପା କରୁଛନ୍ତି । (ଫଟୋ :ଚିତ୍ରାଙ୍ଗଦା ଚୌଧୁରୀ)

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ UNDPର ମିଳିତ ସହଯୋଗରେ ଚାଲିଥିବା ପରୀର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ସାଧାରଣ ଜନତାଙ୍କ ସ୍ୱର ଓ ଅଙ୍ଗେନିଭା କଥା ମାଧ୍ୟମରେ ଏହାର ସତ୍ୟତାକୁ ତୋଳିବା ।

ଆପଣ କଣ ଏହି ଆଲେଖ୍ୟକୁ ପୁଣି ପ୍ରକାଶ କରିବାକୁ ଚାହୁଁଛନ୍ତି? ତେବେ, ଦୟାକରି [email protected]କୁ ଲେଖନ୍ତୁ ଓ [email protected]କୁ acc କରନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Chitrangada Choudhury

Chitrangada Choudhury is an independent journalist, and a member of the core group of the People’s Archive of Rural India.

Other stories by Chitrangada Choudhury

Aniket Aga is an anthropologist. He teaches Environmental Studies at Ashoka University, Sonepat.

Other stories by Aniket Aga