ମେ’ ୧, ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସରେ ଆମେ ଗୋଣ୍ଡିଆର ମହିଳା ଶ୍ରମିକମାନଙ୍କ ସମ୍ମାନରେ ଏହି ଲେଖାଟିକୁ ପୁନଃ ପ୍ରକାଶିତ କରୁଛୁ, ଯେଉଁମାନଙ୍କର ପରିସ୍ଥିତି ଜାନୁଆରୀ ୨୭, ୨୦୦୭ରେ ଦି ହିନ୍ଦୁ ଖବରକାଗଜରେ ଏହି କାହାଣୀ ପ୍ରଥମେ ପ୍ରକାଶିତ ହେବା ପରଠାରୁ ଅଧିକ କିଛି ଉନ୍ନତ ହୋଇନାହିଁ ।
ରେବନ୍ତବାଇ କାମ୍ବଲେ କେଇ ମାସ ହେବ ତାଙ୍କ ଛଅ ବର୍ଷର ପୁଅ ସହିତ କଥା ହୋଇନାହାନ୍ତି । ଅବଶ୍ୟ ସେମାନେ ତିରୋରାରେ ସେଇ ଗୋଟିଏ ଘରେ ବାସ କରନ୍ତି । ବୁରିବାଇ ନାଗପୁରେଙ୍କ କ୍ଷେତ୍ରରେ ମଧ୍ୟ ପରିସ୍ଥିତି ସମାନ, ଯଦିଓ ସେ ବେଳେ ବେଳେ ତାଙ୍କ ବଡ଼ ପୁଅ ଯଦି ଚେଇଁଥାଏ ତା’କୁ ଦେଖନ୍ତି । ଉଭୟ ମହିଳା ମହାରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲାର ଏହି ଭାଗରେ ଥିବା ଶହ ଶହ ମହିଳାଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ ଦିନରେ ମାତ୍ର ଚାରି ଘଣ୍ଟା ଘରେ ରୁହନ୍ତି ଏବଂ ପ୍ରତି ସପ୍ତାହରେ ଦୈନିକ ଟ. ୩୦ ଉପାର୍ଜନ କରିବା ପାଇଁ ୧,୦୦୦ କିଲୋମିଟରରୁ ଅଧିକ ଯାତ୍ରା କରନ୍ତି ।
ସକାଳ ୬ଟା ସମୟ ଥିଲା, ଯେତେବେଳେ ଆମେ ଏହି ମହିଳାମାନଙ୍କ ସହିତ ସେମାନଙ୍କ ଘରଠାରୁ ରେଳଷ୍ଟେସନ୍ ପର୍ଯ୍ୟନ୍ତ ଯାଇଥିଲୁ । ଅଧିକାଂଶ ଦୁଇ ଘଣ୍ଟା ହେବ ଉଠି ସାରିଥିଲେ । ବୁରିବାଇ ଖୁସିରେ କୁହନ୍ତି, ‘‘ମୁଁ ରୋଷେଇ, ଲୁଗା ସଫା, ଝାଡ଼ୁ ଏବଂ ପୋଛାପୋଛି ସାରି ଦେଇଛି । ତେଣୁ ବର୍ତ୍ତମାନ ଆମେ କଥା ହୋଇପାରିବା ।’’ ଆମେ ପହଞ୍ଚିବା ସମୟରେ ତାଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟ ଉଠି ନଥିଲେ । ସେ କୁହନ୍ତି, ‘‘ଖରାପ କଥା, ସେମାନେ କ୍ଳାନ୍ତ ହୋଇଯାଇଛନ୍ତି ।’’ ବୁରିବାଇ ନିଜେ ମଧ୍ୟ କ୍ଳାନ୍ତ ନୁହଁନ୍ତି କି? ‘‘ହଁ, କିନ୍ତୁ କ’ଣ କରିହେବ? ଆମର କୌଣସି ବିକଳ୍ପ ନାହିଁ ।’’
ଷ୍ଟେସନ୍ରେ ବିକଳ୍ପ ନଥିବା ଆହୁରି ଅନେକ ମହିଳା ଅଛନ୍ତି । ସେମାନେ ମଧ୍ୟ ଅନ୍ୟ ଗୋଟିଏ କାରଣରୁ ଅସ୍ୱାଭାବିକ: ସେମାନେ ଗ୍ରାମରୁ ସହରକୁ ସ୍ଥାନାନ୍ତରିତ ହୋଇନାହାନ୍ତି । ସେମାନେ ଏକ ସହରାଞ୍ଚଳରୁ ଗ୍ରାମମାନଙ୍କରେ କାମ ଚାହୁଁଥିବା ଅନିଶ୍ଚିତ ଶ୍ରମିକ । ଏହି ସନ୍ଧାନ ସେମାନଙ୍କୁ ଏକ ତହସିଲ୍ ମୁଖ୍ୟାଳୟ ହୋଇଥିବା ତିରୋରା ପରି ମଫସଲ ସହରରୁ ସେମାନଙ୍କୁ ସେମାନଙ୍କ ଜୀବନର ପ୍ରାୟ ପ୍ରତ୍ୟେକ ଦିନ ଗ୍ରାମଗୁଡ଼ିକରେ କୃଷି ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ନେଇଯାଇଥାଏ । ସେମାନେ ପ୍ରତିଦିନ ଘରଠାରୁ ଦୂରରେ ପ୍ରାୟ ୨୦ ଘଣ୍ଟା ପର୍ଯ୍ୟନ୍ତ ସମୟ କାଟନ୍ତି । ସେମାନଙ୍କର କୌଣସି ସପ୍ତାହାନ୍ତ ଛୁଟି ନାହିଁ ଏବଂ ତିରୋରାରେ କୌଣସି କାର୍ଯ୍ୟ ନାହିଁ । ଗୋଣ୍ଡିଆର କିଷାନ ସଭାର ଜିଲ୍ଲା ସଚିବ ମହେନ୍ଦ୍ର ୱାଲ୍ଦେ କୁହନ୍ତି, ‘‘ବିଡ଼ି ଉଦ୍ୟୋଗ ଚାଲିଯିବା ପରେ ଏଠାରେ କାମ ପାଇବା ସେମାନଙ୍କ ପାଇଁ ଅସମ୍ଭବ ।’’








