ଏକ ନିର୍ଦ୍ଦିଷ୍ଟ ଇନ୍କମିଂ ଫୋନ୍ କଲ୍ର ଶବ୍ଦ ଶୁଣିବା ମାତ୍ରେ ଶୀତଳ ୱାଘ୍ମାରେଙ୍କ ମନରେ ଭିତ୍ତି ସଞ୍ଚାର ହେଉଛି । ଅନେକ ଦିନ ପର୍ଯ୍ୟନ୍ତ ସେ ଗ୍ରହଣ କରିବାକୁ ଚାହୁଁନଥିବା ଏକ ଫୋନ୍ ନମ୍ବର – ଯାହା ମାଇକ୍ରୋ ଫାଇନାନ୍ସ ସଂସ୍ଥା (ଏମ୍ଏଫ୍ଆଇ)ର ଜଣେ ରିକୋଭରୀ ଏଜେଣ୍ଟଙ୍କ ନମ୍ବର - ବ୍ୟତୀତ ଅନ୍ୟ ନମ୍ବରରେ ଫୋନ୍ ଆସିଲେ ଆଶ୍ୱସ୍ତ ହେଉଥିଲେ । “ସେମାନେ କରୋନା ଭୂତାଣୁ କଥା ଭାବୁନାହାନ୍ତି’’ ବୋଲି ୩୧ବର୍ଷ ବୟସ୍କ ଶୀତଳ କୁହନ୍ତି । ଦୟାବଶତଃ, ପ୍ରାୟ ଏକ ସପ୍ତାହ ହେବ ଏହି କଲ୍ ଆସିବା ପ୍ରାୟତଃ କମି ଯାଇଛି । ଶୀତଳ ଏହାର କାରଣ ବିଷୟରେ ନିଶ୍ଚିତ ଭାବେ କିଛି ଜାଣନ୍ତିନାହିଁ । ହେଲେ,‘‘ସେମାନେ ଯେକୌଣସି ସମୟରେ ପୁଣି ଆରମ୍ଭ କରିଦେବେ…” ବୋଲି ସେ କୁହନ୍ତି ।
ୱାଘ୍ମାରେଙ୍କ ପରିବାର ସଦସ୍ୟମାନେ ଦିନ ମଜୁରିଆ ଭାବେ କାମ କରନ୍ତି ଓ ମହାରାଷ୍ଟ୍ରର କୃଷିବହୁଳ ଅଞ୍ଚଳ ମରାଠ୍ୱାଡାର ଓସ୍ମାନାବାଦ୍ରେ ରୁହନ୍ତି । ଜୁଲାଇ ୨୦୧୯ରେ ଶୀତଳଙ୍କ ମା’ ମଙ୍ଗଳ ଜନଲକ୍ଷ୍ମୀ ଫାଇନାନ୍ସିଆଲ୍ ସର୍ଭିସ୍ ନାମକ ଏକ ଏମ୍ଏଫ୍ଆଇରୁ ୬୦,୦୦୦ ଟଙ୍କା ଋଣ କରିଥିଲେ । “ ଆମେ ଏକ ସିଲେଇ ମେସିନ୍ କିଣିଲୁ ଓ ବ୍ଲାଉଜ୍ ସିଲେଇ, ଏମ୍ବ୍ରୋଡେରୀ ଓ ଅନ୍ୟାନ୍ୟ କାମ କରିବାକୁ ଆରମ୍ଭ କଲୁ,” ବୋଲି ୫୩ ବର୍ଷ-ବୟସ୍କ ମଙ୍ଗଳ କୁହନ୍ତି । “ମୋର ସ୍ୱାମୀ ଓ ମୋର ପୁଅ କୃଷି ଶ୍ରମିକ ଭାବେ କାମ କରନ୍ତି । ଆମର ନିଜସ୍ୱ ଜମି ନାହିଁ ।“
ସେବେଠାରୁ ୱାଘ୍ମରେଙ୍କ ପରିବାର କେବେହେଲେ ୨୪ପ୍ରତିଶତ ସୁଧରେ ଆଣିଥିବା ଏହି ଲୋନ୍ର ୩,୨୩୦ ଟଙ୍କାର ମାସିକ କିସ୍ତି ପଇଠ କରିବାକୁ ଭୁଲିନି । “କିନ୍ତୁ ତାଲାବନ୍ଦ ହେବା ଦିନଠାରୁ ଆମେ କିଛି ମଧ୍ୟ ଉପାର୍ଜନ କରିବାକୁ ସମର୍ଥ ହୋଇପାରିନାହୁଁ,” ବୋଲି ଶୀତଳ କୁହନ୍ତି । “ଆମ ଆଖପାଖରେ କାହାପାଖରେ ମଧ୍ୟ ପଇସା ନାହିଁ । ତାଲାବନ୍ଦ ଯୋଗୁଁ ସମସ୍ତଙ୍କ କ୍ରୟ କ୍ଷମତା ହ୍ରାସ ପାଇଛି ।[ ଯାହା ମହାରାଷ୍ଟ୍ରରେ ମାର୍ଚ୍ଚ ୨୩ରେ ଆରମ୍ଭ ହୋଇଥିଲା] । କେହି ମଧ୍ୟ ଆମକୁ ଶ୍ରମିକ ଭାବେ ନିୟୋଜିତ କରୁନାହାନ୍ତି ଓ କେହି ମଧ୍ୟ ସେମାନଙ୍କ କପଡା ସିଲେଇ କରାଇବା ପାଇଁ ବ୍ୟୟ କରିବାକୁ ସକ୍ଷମ ନୁହନ୍ତି ।
ପରିସ୍ଥିତି ଯାହା ଥିଲେ ମଧ୍ୟ ଏମ୍ଏଫ୍ଆଇଗୁଡିକ ସେମାନଙ୍କ ଋଣକର୍ତ୍ତାଙ୍କୁ ଫୋନ୍ କରିବା ଓ କିସ୍ତି ପଇଠ କରିବା ପାଇଁ ସେମାନଙ୍କୁ ବାଧ୍ୟ କରିବା ବନ୍ଦ କରିନାହାନ୍ତି । “ଯାହାହେଲେ ମଧ୍ୟ କିସ୍ତି ଜମା କରିବାକୁ ହେବ ବୋଲି ସେମାନେ ଆମକୁ କହୁଛନ୍ତି,” ବୋଲି ଶୀତଳ କୁହନ୍ତି । “ତୁମେ ଯାହା କରିପାରିବ କର, କିନ୍ତୁ ମାସ ଶେଷରେ କିସ୍ତି ଜମା କର ବୋଲି ସେମାନେ କହୁଛନ୍ତି ।’’





