ସେଇ ରାତିରେ ଯେତେବେଳେ ବିକ୍ରମ ଘରକୁ ଫେରିଲା ନାହିଁ, ତା’ର ମାଆ ପ୍ରିୟା ଆଦୌ ଚିନ୍ତା କରି ନଥିଲେ । କମାଠିପୁରାର ଆଉ ଏକ ଗଳିରେ ରହୁଥିବା ଜଣେ ଘରୱାଲିଙ୍କ ଘରେ ସେ କାମ କରୁଥିଲା ଏବଂ ସାଧାରଣତଃ ରାତି ୨ଟା ବେଳକୁ ଘରକୁ ଫେରୁଥିଲା, କିମ୍ବା କେବେକେବେ ରାତିରେ ଯଦି ସେ ତା’ର କାର୍ଯ୍ୟସ୍ଥଳୀରେ ଶୋଇ ପଡୁଥିଲା, ତେବେ ତା ପରଦିନ ସକାଳେ ଘରକୁ ଫେରୁଥିଲା ।

ସେ ତାକୁ ଫୋନ୍‌ କରିବାକୁ ଚେଷ୍ଟା କଲେ, କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ । ତା ପରଦିନ, ଅର୍ଥାତ୍‌ ଅଗଷ୍ଟ ୮ ତାରିଖ ସନ୍ଧ୍ୟା ସୁଦ୍ଧା ସେ ଯେତେବେଳେ ଘରକୁ ଫେରିଲା ନାହିଁ, ସେ ବ୍ୟଗ୍ର ହୋଇ ଉଠିଲେ । କେନ୍ଦ୍ରୀୟ ମୁମ୍ବାଇର ନାଗପଡ଼ା ଥାନାରେ ସେ ନିଖୋଜ ହୋଇଥିବା ସଂପର୍କିତ ଏକ ଅଭିଯୋଗ ଦାୟର କଲେ । ପରଦିନ ସକାଳେ ପୋଲିସ ସିସିଟିଭି ଦୃଶ୍ୟାବଳୀ ଯାଞ୍ଚ କରିବା ଆରମ୍ଭ କଲା । ପ୍ରିୟା କହନ୍ତି, “ମୁମ୍ବାଇ ସେଣ୍ଟ୍ରାଲର ଏକ ମଲ୍‌ ନିକଟ ଫୁଟ୍‌ବ୍ରିଜ୍‌ ପାଖରେ ତାକୁ ଦେଖିବାକୁ ମିଳିଥିଲା ।”

ତାଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଲା । ବିସ୍ମୟରେ ସେ କହିଲେ “ତା’କୁ କେହି ସାଙ୍ଗରେ ନେଇ ଯାଇଥିବ କି ? ତାକୁ କ’ଣ ଏହି ନୟା ବିମାରୀ (କୋଭିଡ୍‌) ହୋଇଯାଇଥିବ କି ?” ସେ କହନ୍ତି, “ଏ ଅଞ୍ଚଳରେ କାହାର କ’ଣ ହୁଏ, କେହି ପଚାରନ୍ତିନି ।”

ଅଥଚ ବିକ୍ରମ ନିଜ ଇଚ୍ଛାରେ ହିଁ ଘରୁ ଚାଲିଯାଇଥିଲା, ଏହି ଯାତ୍ରା ପାଇଁ ସେ ଆଗରୁ ଯୋଜନାକରିଥିଲା । ତା’ର ମାଆ, ବୟସର ୩୦ ଦଶକରେ ଥିବା ଜଣେ ଯୌନକର୍ମୀ, ଲକ୍‌ଡାଉନ୍‌ ସମୟରେ କାମ କରିପାରିଲେନି । ଏବଂ ସେ ଦେଖିଆସୁଥିଲା ଯେ ମାଆଙ୍କ ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି ଏବଂ ଋଣଭାର ବଢ଼ିବାରେ ଲାଗିଛି । ନିକଟସ୍ଥ ମଦନପୁରାର ଏକ ହଷ୍ଟେଲରେ ରହୁଥିବା ତା’ର ନଅ ବର୍ଷୀୟା ଭଉଣୀ ରିଦ୍ଧି ଘରକୁ ଫେରିଆସିଥିଲା ଏବଂ ଏବେ ଏହି ପରିବାର କେବଳ ବିଭିନ୍ନ ବେସରକାରୀ ସଂସ୍ଥା ପକ୍ଷରୁ ବଣ୍ଟାଯାଉଥିବା ଖାଦ୍ୟ ସାମଗ୍ରୀ ଉପରେ ନିର୍ଭର କରି ବଞ୍ଚି ରହିଥିଲା। (ଏହି ଲେଖାରେ ସବୁ ନାଁ ବଦଳାଇ ଦିଆଯାଇଛି)

ଆଉ ମାର୍ଚ୍ଚ ମାସରେ ଲକ୍‌ଡାଉନ୍‌ ଲାଗୁ ହେବା ଯୋଗୁଁ ବାଇକୁଲାର ଯେଉଁ ମ୍ୟୁନିସିପାଲ ସ୍କୁଲରେ ବିକ୍ରମ ପଢୁଥିଲା, ତାହା ମଧ୍ୟ ବନ୍ଦ ହୋଇଗଲା । ତେଣୁ ୧୫ ବର୍ଷୀୟ ବିକ୍ରମ ଏଠିସେଠି ଛୋଟମୋଟ କାମ କରିବା ଆରମ୍ଭ କରିଦେଲା ।

ପରିବାର ପାଇଁ ପ୍ରତି ଦିନ ରାନ୍ଧିବାକୁ କିରୋସିନ କିଣିବା ଲାଗି ୬୦-୮୦ ଟଙ୍କା ଆବଶ୍ୟକ ହେଉଥିଲା । କମାଠିପୁରାର ସେଇ ଛୋଟିଆ ଘରଟିର ଭଡ଼ା ଦେବାକୁ ବି ସେମାନେ ସଂଘର୍ଷ କରୁଥିଲେ । ଔଷଧପତ୍ର ଏବଂ ପୂର୍ବରୁ କରିଥିବା ଋଣ ଶୁଝିବା ପାଇଁ ସେମାନଙ୍କର ଟଙ୍କା ଦରକାର ହେଉଥିଲା । ପ୍ରିୟା ତାଙ୍କ ଗ୍ରାହକମାନଙ୍କ ପାଖରୁ କିମ୍ବା ସ୍ଥାନୀୟ ଲୋକଙ୍କ ପାଖରୁ ଆହୁରି ଋଣ ନେବାରେ ଲାଗିଲେ । କିଛି ବର୍ଷ ଭିତରେ ଜଣେ ସାହୁକାରଙ୍କ ପାଖରୁ ସେ ନେଇଥିବା ଋଣ, ସୁଧମୂଳ ମିଶି ୬୨,୦୦୦ ଟଙ୍କାରେ ପହଞ୍ଚିଗଲା । ଆଉ ଛଅ ମାସରୁ ଅଧିକ ସମୟ ହେଲା ସେ ତାଙ୍କ ଘରୱାଲି (ଘର ମାଲିକାଣୀ ଏବଂ ଗଣିକାଗୃହ ପରିଚାଳିକା)ଙ୍କୁ ମାସିକ ଘରଭଡ଼ା ବାବଦ ୬,୦୦୦ ଟଙ୍କାର ଅଧା ଦେବାରେ ସକ୍ଷମ ହେଉଥିଲେ ଏବଂ ତା ସହିତ ତାଙ୍କଠାରୁ ମଧ୍ୟ ୭,୦୦୦ ଟଙ୍କା ଧାର କରିଥିଲେ ।

PHOTO • Aakanksha

ବିକ୍ରମ ଓ ତା’ର ମାଆ ପ୍ରିୟାଙ୍କ ମଧ୍ୟରେ ଅଗଷ୍ଟ ୭ ତାରିଖ ଦିନ ଝଗଡ଼ା ହୋଇଥିଲା, କାରଣ କାମ ସାରିବା ପରେ ସେ ଘରୱାଲି (ମ୍ୟାଡାମ୍‌)ଙ୍କ ଘରେ ରାତିରେ ଶୋଇପଡୁ ବୋଲି ତା’ର ମାଆ ଚାହୁଁ ନଥିଲେ

ଯୌନ କର୍ମୀ ହିସାବରେ ତାଙ୍କ ରୋଜଗାର ସେ କାମ କରୁଥିବା ଦିନର ସଂଖ୍ୟା ଉପରେ ନିର୍ଭର କରୁଥିଲା ଏବଂ ଲକ୍‌ଡାଉନ୍‌ ପୂର୍ବରୁ ସେ ଦିନକୁ ୫୦୦ରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ । ପ୍ରିୟା କହନ୍ତି, “ଏହା ନିୟମିତ ଭାବେ ମିଳୁ ନଥିଲା । ଯଦି ରିଦ୍ଧି ହଷ୍ଟେଲରୁ ଫେରି ଆସୁଥିଲା କିମ୍ବା ମୁଁ ଅସୁସ୍ଥ ହୋଇ ପଡୁଥିଲି, ତେବେ କାମ କରୁ ନଥିଲି ।” ଏହା ବ୍ୟତୀତ, ତଳିପେଟରେ ଯନ୍ତ୍ରଣାଜନିତ ଅସୁସ୍ଥତା ଲାଗି ରହିଥିବା କାରଣରୁ ବି ସେ ଅନେକ ସମୟରେ କାମ କରିପାରୁନଥିଲେ ।

ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ବିକ୍ରମ କମାଠିପୁରାରେ ସେମାନେ ରହୁଥିବା ଗଳିର ଏକ ନିଛାଟିଆ କୋଣରେ ଏଇ ଆଶାରେ ଠିଆ ହୋଇ ରହୁଥିଲା କି କାଳେ କେହି ଜଣେ ଠିକାଦାର ଆସି ତାକୁ ଦିନ ମଜୁରିଆ ଭାବେ କାମ ଦେବା ଲାଗି କୌଣସି ଏକ ନିର୍ମାଣ ସ୍ଥଳକୁ ନେଇଯିବେ । କେବେକେବେ ସେ ଟାଇଲ ବିଛାଉଥିଲା, ଆଉ କେବେ ବାଉଁଶରେ ଭାଡ଼ି ତିଆରି କରୁଥିଲା କିମ୍ବା ଟ୍ରକ୍‌ରେ ଜିନିଷପତ୍ର ବୋଝେଇ କରୁଥିଲା। ଆଉ ସାଧାରଣତଃ ଦିନକୁ ୨୦୦ ଟଙ୍କା ରୋଜଗାର କରୁଥିଲା । ଥରଟିଏ ସେ ଦୁଇଟି ସିଫ୍‌ଟରେ କାମ କରି ଗୋଟିଏ ଦିନରେ ସର୍ବାଧିକ ୯୦୦ ଟଙ୍କା ଯାହା ରୋଜଗାର କରିଥିଲା । କିନ୍ତୁ ଏଭଳି କାମ ଦିନେ କି ଦୁଇ ଦିନ ପାଇଁ ହିଁ ଚାଲୁଥିଲା ।

ଆଖପାଖ ଅଞ୍ଚଳର ରାସ୍ତାକଡ଼ରେ ଛତା ଓ ମାସ୍କ ବିକିବା ଲାଗି ମଧ୍ୟ ସେ ଚେଷ୍ଟା କରିଥିଲା । ସେଠାରୁ ପ୍ରାୟ ଏକ କିଲୋମିଟର ଦୂର ନଲ୍‌ ବଜାରକୁ ଚାଲି ଚାଲି ଯାଇ ପୂର୍ବରୁ ତା ପାଖରେ ଥିବା ରୋଜଗାର ଟଙ୍କାରେ ସେ ପାଇକାରୀ ଦରରେ ଏହି ସବୁ ସାମଗ୍ରୀକିଣି ଆଣେ । ଯଦି ତା ପାଖରେ ଥିବା ଟଙ୍କା ନିଅଣ୍ଟ ହୁଏ, ତେବେ ସେ ସ୍ଥାନୀୟ ସାହୁକାର କିମ୍ବା ତା ମାଆଙ୍କୁ କହେ । କମିଶନ ଭିତ୍ତିରେ ଇଅରଫୋନ୍‌ ବିକିବା ଲାଗି ଜଣେ ଦୋକାନୀ ତାକୁ ଥରେ କହିଥିଲେ । ବିକ୍ରମ କହେ, “କିନ୍ତୁ ସେଥିରୁ ମୁଁ ଲାଭ କରିପାରିଲିନି ।”

ରାସ୍ତା କଡ଼ରେ ଏଣେତେଣେ ବସୁଥିବା ଟ୍ୟାକ୍‌ସି ଡ୍ରାଇଭରମାନଙ୍କୁ ଚା’ ବିକିବାକୁ ସେ ଚେଷ୍ଟା କରିଥିଲା । “କେଉଁଥିରୁ କିଛି ଲାଭ ମିଳୁ ନଥିବା ବେଳେ ମୋର ଜଣେ ସାଙ୍ଗ ଏହି ଉପାୟ ବତାଇଥିଲା । ସେ ଚା’ ତିଆରି କରୁଥିଲା ଏବଂ ମୁଁ ମିଲ୍‌ଟନ୍‌ ଥର୍ମସ୍‌ ବଟଲ୍‌ରେ ନେଇ ଏଠିସେଠି ବିକିବାକୁ ଯାଉଥିଲି ।” ୫ଟଙ୍କାରେ ଗୋଟିଏ କପ୍‌ ଚା’ ବିକି ସେ ସେଥିରୁ ୨ ଟଙ୍କା ପାଉଥିଲା ଏବଂ ଦିନକୁ ୬୦ରୁ ୧୦୦ ଟଙ୍କା ଯାଏଁ ଲାଭ କରିପାରୁଥିଲା।

ସେ ବି ସେଠାକାର ଏକ ମଦ ଦୋକାନରୁ ବିଅର ବୋତଲ ନେଇ ବିକ୍ରି କରୁଥିଲା ଏବଂ କମାଠିପୁରାର ବାସିନ୍ଦା ଓ ସେଠାକୁ ଆସୁଥିବା ଗ୍ରାହକମାନଙ୍କୁ ଗୁଟ୍‌ଖା (ତମାଖୁ ମିଶ୍ରଣ) ପ୍ୟାକେଟ୍‌ ବିକୁଥିଲା । ଲକ୍‌ଡାଉନ୍‌ ସମୟରେ ଦୋକାନ ବନ୍ଦ ରହିଥିବାରୁ ଏହି ସବୁ ଜିନିଷର ଚାହିଦା ଥିଲା ଏବଂ ଏଥିରୁ ସେ ଭଲ ଲାଭ କରୁଥିଲା । ହେଲେ ଅନେକ ପିଲା ଏହା ବିକିବାକୁ ଚେଷ୍ଟା କରୁଥିବାରୁ ଏଥିରେ ବି ତୀବ୍ର ପ୍ରତିଯୋଗିତା ଲାଗି ରହିଥିଲା । ବିକ୍ରମ ଏଥିରୁ ମଝିରେ ମଝିରେ ଯାହା କିଛି ରୋଜଗାର କରୁଥିଲା ଏବଂ ତା କାମ ସଂପର୍କରେ କାଳେ ତା ମାଆ ଜାଣିଯିବେ ବୋଲି ସେ ଭୟ କରୁଥିଲା ।

ଘଟଣାକ୍ରମରେ, ବିକ୍ରମ ଘରୱାଲିଙ୍କ ପାଇଁ କାମ କରିବା ଆରମ୍ଭ କଲା ଏବଂ ଘରଦ୍ୱାର ସଫା କରିବା ଏବଂ ସେହି କୋଠାରେ ରହୁଥିବା ମହିଳାମାନଙ୍କ ପାଇଁ ତେଜରାତି ଜିନିଷପତ୍ର ଆଣିବା କାମରେ ଲାଗିଲା । ଏଥିରୁ ସେ ପ୍ରତି ଦୁଇ ଦିନରେ ୩୦୦ ଟଙ୍କା ରୋଜଗାର କରୁଥିଲା ସତ, ହେଲେ ଏହି କାମ ବି ମଝିରେ ମଝିରେ ମିଳୁଥିଲା ।

PHOTO • Courtesy: Vikram

ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ବିକ୍ରମ ବିଭିନ୍ନ ଛୋଟମୋଟ କାମ ଆରମ୍ଭ କଲା, ଚା’ କିମ୍ବା ଛତା ଓ ମାସ୍କ ବିକିଲା, ନିର୍ମାଣ ସ୍ଥଳରେଏବଂ ଜଳଖିଆ ଦୋକାନରେ କାମ କଲା

ଏମିତି ସବୁ କାମ କରି, ବିକ୍ରମ ସେହି ସବୁ ଶିଶୁଙ୍କ ଗୋଷ୍ଠୀରେ ସାମିଲ ହୋଇଗଲା ଯେଉଁମାନେକି ଏହି ସର୍ବବ୍ୟାପୀ ମହାମାରୀଯୋଗୁଁ ଶ୍ରମିକ ପାଲଟିବାକୁ ବାଧ୍ୟ ହୋଇଥିଲେ । ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଏବଂ ମିଳିତ ଜାତିସଂଘ ଶିଶୁ କଲ୍ୟାଣ ପାଣ୍ଠି ବା ୟୁନିସେଫ୍‌ ପକ୍ଷରୁ ୨୦୨୦ ଜୁନ୍‌ରେ ପ୍ରକାଶିତ“କୋଭିଡ୍‌- ୧୯ ଏବଂ ଶିଶୁ ଶ୍ରମିକ: ସଂକଟର ବଳୟ, କାର୍ଯ୍ୟର ସମୟ” ଶୀର୍ଷକ ଏକ ଦସ୍ତାବିଜ୍‌ରେ ଭାରତକୁ ସେହି ସବୁ ଦେଶର ତାଲିକାରେ ସ୍ଥାନିତ କରାଯାଇଛି, ଯେଉଁଠି ବିଶ୍ୱ ମହାମାରୀ ଯୋଗୁଁ ପିତାମାତାଙ୍କ ବେକାର ସ୍ଥିତି ଜନିତ ଆର୍ଥିକ ପ୍ରତିଘାତର ମୁକାବିଲା କରିବାରେ ସହାୟତା ଲାଗି ପିଲାମାନେ ହିଁ ବାହାରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି, “ଆଇନାନୁସାରେ ନିର୍ଦ୍ଧାରିତ ନ୍ୟୂନତମ ବୟସରୁ କମ୍‌ ବୟସର ପିଲାମାନେ ହୁଏତ ଅଣଆନୁଷ୍ଠାନିକ କିମ୍ବା ଘରୋଇ କାମ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଖୋଜିପାରନ୍ତି. ଯେଉଁଠାରେ କି ସେମାନେ ସବୁଠାରୁ ଖରାପ ସ୍ଥିତିରେ ରହିଥିବା ଶିଶୁ ଶ୍ରମିକ ଗୋଷ୍ଠୀଭୁକ୍ତ ହେବା ସମେତ ବିପଜ୍ଜନକ ଏବଂ ଶୋଷଣ ଆଶଙ୍କା ଥିବା କାମରେ ନିୟୋଜିତ ହୋଇପାରନ୍ତି ।”

ଲକ୍‌ଡାଉନ ପରେ ପ୍ରିୟା ମଧ୍ୟ କାମ ଖୋଜିଥିଲେ ଏବଂ ଅଗଷ୍ଟ ମାସରେ କମାଠିପୁରାରେ ଘରୋଇ ଚାକରାଣୀ ଭାବେ କାମ କରି ଦିନକୁ ୫୦ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ସେଇ କାମ ବି ମାତ୍ର ମାସେ ଚାଲିଲା ।

ଆଉ ତା’ପରେ ଅଗଷ୍ଟ ୭ ତାରିଖ ଦିନ ବିକ୍ରମ ସହ ତାଙ୍କର ଝଗଡ଼ା ହୁଏ । ପ୍ରିୟା ଚାହୁଁ ନଥିଲେ ଯେ ବିକ୍ରମ ଘରୱାଲିଙ୍କ ଘରେ କାମ ସାରି ରାତିରେ ଶୋଉ ଏବଂ ଏହି କଥାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା । ନିକଟରେ ସେ ଅଞ୍ଚଳରେ ଜଣେ ନାବାଳିକାର ଯୌନ ଶୋଷଣ ଘଟଣା ଯୋଗୁଁ ସେ ଚିନ୍ତିତ ଥିଲେ ଏବଂ ରିଦ୍ଧିକୁ ପୁଣି ହଷ୍ଟେଲକୁ ଶୀଘ୍ର ପଠାଇଦେବେ ବୋଲି ଆଶା କରୁଥିଲେ ।(ଦେଖନ୍ତୁ‘ ‘ସମସ୍ତେ ଜାଣନ୍ତି ଏଠି ଝିଅମାନଙ୍କର କ’ଣ ହୁଏ’ )

ସେଦିନ ଅପରାହ୍ଣରେ, ବିକ୍ରମ ଘର ଛାଡ଼ି ପଳାଇବାକୁ ସ୍ଥିର କଲା । ଏଥିପାଇଁ ସେ ଗଲା କିଛି ଦିନ ହେଲା ଯୋଜନା କରୁଥିଲା, ହେଲେ, ମାଆଙ୍କ ସହ କଥାବାର୍ତ୍ତା କରିବା ପରେ ଯିବ ବୋଲି ଭାବିଥିଲା । ସେ କହେ, “ସେଦିନ ମୁଁ ରାଗିଯାଇଥିଲି ଏବଂ ଖାଲି ପଳାଇ ଯିବାକୁ ଠିକ୍‌ କଲି ।” ଅହମ୍ମଦାବାଦରେ ଭଲ ଚାକିରିର ସୁଯୋଗ ରହିଛି ବୋଲି ସେ ଜଣେ ସାଙ୍ଗ ପାଖରୁ ଶୁଣିଥିଲା ।

ଗୋଟିଏ ଛୋଟ ଜିଓ ଫୋନ୍‌ ଏବଂ ପକେଟ୍‌ରେ ୧୦୦ ଟଙ୍କା ଧରି ଅଗଷ୍ଟ ୭ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ ଗୁଜରାଟ ଅଭିମୁଖେ ବାହାରିଲା ।

ହାଜି ଅଲି ନିକଟରୁ ନିଜ ପାଇଁ ପାଞ୍ଚ ପ୍ୟାକେଟ୍‌ ଗୁଟ୍‌ଖା  ଗୋଟିଏ ଗିଲାସ ଫଳରସ ଏବଂ କିଛି ଖାଦ୍ୟ କିଣିବାରେ ସେ ତା ପାଖରେ ଥିବା ଟଙ୍କାରୁ ଅଧା ଖର୍ଚ୍ଚ କରିଦେଲା । ସେଠାରୁ ଆଗକୁ ବିକ୍ରମ ପାଦରେ ଚାଲି ଚାଲି ଯିବାରେ ଲାଗିଲା । କୌଣସି ଏକ ଗାଡ଼ିକୁ ଅଟକାଇ ସେଥିରେ ବସି ଯିବାକୁ ସେ ଚେଷ୍ଟା କରୁଥିଲା, କିନ୍ତୁ କେହି ଅଟକୁ ନଥିଲେ । ଏହାରି ଭିତରେ, ତାକୁ ଗୋଟିଏ ସ୍ୱଳ୍ପଦୂରଗାମୀ ‘ବେଷ୍ଟ’ ବସ୍‌ ମିଳିଗଲା ଏବଂ ତା’ ପାଖରେ ବଳକା ଥିବା ଟଙ୍କାରୁ ୩୦-୪୦ ଟଙ୍କା ଖର୍ଚ୍ଚ କରି ସେ କିଛି ବାଟ ଯାଏ ବସ୍‌ରେ ଗଲା । ଅଗଷ୍ଟ ୮ତାରିଖ ରାତି ପ୍ରାୟ ୨ଟା ବେଳକୁ କ୍ଳାନ୍ତଶ୍ରାନ୍ତ ଅବସ୍ଥାରେ ଏହି ୧୫ ବର୍ଷର ବାଳକଟି ବିରାର ନିକଟରେ ଥିବା ଏକ ଢାବାରେ ପହଞ୍ଚିଲା ଏବଂ ସେଇଠାରେ ହିଁ ରାତି କାଟିଲା । ସେତେବେଳକୁ ସେ ପ୍ରାୟ ୭୮ କିଲୋମିଟର ଦୂରରେ ପହଞ୍ଚି ସାରିଥିଲା ।

ସେ ଘରୁ ଲୁଚି ପଳାଇ ଆସିଛି କି ବୋଲି ଢାବା ମାଲିକ ପଚାରିଲେ । ବିକ୍ରମ ମିଛରେ କହିଲା ଯେ ସେ ଜଣେ ଅନାଥ ଏବଂ ଚାକିରି ଖୋଜିବାକୁ ଅହମ୍ମଦାବାଦ ଯାଉଛି । ବିକ୍ରମ କହେ, “ଢାବାବାଲା ଭୈୟା  ମୋତେ ଘରକୁ ଫେରିଯିବା ପାଇଁ ବୁଝାଇଲେ ଏବଂ ସେ କହିଲେ ଯେ ମତେ କେହି ଚାକିରି ଦେବେନି, ଏବଂ କରୋନା ସମୟରେ ଅହମ୍ମଦାବାଦରେ ପହଞ୍ଚିବା ବି କଷ୍ଟକର।” ସେ ବିକ୍ରମକୁ କିଛି ଚା’ ଓ ଚୁଡ଼ା ଏବଂ ୭୦ ଟଙ୍କା ଦେଲେ । ବିକ୍ରମ କହେ, “ମୁଁ ଘରକୁ ଫେରି ଆସିବାକୁ ଭାବିଲି, ହେଲେ କିଛି ରୋଜଗାର କରିବା ପରେ ହିଁ ଫେରିବାକୁ ଚାହୁଁଥିଲି ।”

PHOTO • Aakanksha

‘ମୋର ବହୁ ସାଙ୍ଗ [କମାଠିପୁରାର] ସ୍କୁଲ ଛାଡ଼ି କାମ କରୁଛନ୍ତି,’ ବିକ୍ରମ କହେ, ‘ସେମାନଙ୍କୁ ଲାଗେ ଯେ ରୋଜଗାର କରିବା ଭଲ, କାରଣ ଏଥିରୁ ସେମାନେ ଟଙ୍କା ସଞ୍ଚୟ କରି କୌଣସି ବ୍ୟବସାୟ ଆରମ୍ଭ କରିପାରିବେ’

ସେ ଆହୁରି ଆଗକୁ ଚାଲିବାରେ ଲାଗିଲା ଏବଂ ଗୋଟିଏ ପେଟ୍ରୋଲ ପମ୍ପ ପାଖରେ କେତେକ ଟ୍ରକ୍‌ ରହିଥିବା ଦେଖିଲା । ସେ ସେଥିରେ ଯିବାକୁ ଲିଫ୍‌ଟ ମାଗିଲା, କିନ୍ତୁ ମାଗଣାରେ ତାକୁ ନେବା ଲାଗି କେହି ରାଜି ହେଲେନାହିଁ । “ସେଠି କେତେକ ବସ୍‌ ରହିଥିଲା ଏବଂ ସେଥିରେ ଅଳ୍ପ କେତେକ ପରିବାର ବସିଥିଲେ । କିନ୍ତୁ “ମୁଁ ମୁମ୍ବାଇରୁ (ଯେଉଁଠି ବହୁ ଲୋକ କୋଭିଡ୍‌ ସଂକ୍ରମିତ ହୋଇଥିବା ଖବର ମିଳିଥିଲା) ଆସିଥିବା ଜାଣିବା ପରେ କେହି ମତେ ବସ୍‌ ଭିତରକୁ ଛାଡ଼ିଲେନି।” ବିକ୍ରମ ଅନେକଙ୍କ ପାଖରେ ନେହୁରା ହେଲା ଏବଂ ଶେଷରେ ଜଣେ ଟେମ୍ପୋ ଡ୍ରାଇଭର ରାଜିହେଲେ।  “ସେ ଏକୁଟିଆ ଥିଲେ, ମୁଁ ଅସୁସ୍ଥ କି ବୋଲି ସେ ମତେ ପଚାରିଲେ ଏବଂ ମୁଁ ନାହିଁ କହିବା ପରେ ମତେ ଭିତରେ ବସାଇଲେ ।” ଡ୍ରାଇଭର ବି ଏହି କିଶୋର ଜଣକୁ ସତର୍କ କରାଇଦେଲେ ଯେ ତାକୁ କୌଣସି କାମ ମିଳିବାର ସମ୍ଭାବନା ନାହିଁ । “ସେ ବାପି ସହର ପାର ହୋଇ ଆଗକୁ ଯାଉଥିଲେ ଏବଂ ମୋତେ ସେଇଠାରେ ଛାଡ଼ି ଦେବାକୁ ରାଜି ହେଲେ ।”

ଅଗଷ୍ଟ ୯ ତାରିଖ ସକାଳ ପ୍ରାୟ ୭ଟା ବେଳକୁ ସେ - ମୁମ୍ବାଇ ସେଣ୍ଟ୍ରାଲରୁ ପ୍ରାୟ ୧୮୫ କିଲୋମିଟର ଦୂର- ଗୁଜରାଟର ବାଲସାଡ଼ ଜିଲ୍ଲାର ବାପିରେ ପହଞ୍ଚିଲା । ସେଠାରୁ ଅହମ୍ମଦାବାଦ ଯିବାକୁ ବିକ୍ରମ ଯୋଜନା କରିଥିଲା । ସେଦିନ ଅପରାହ୍‌ଣରେ ସେ ଜଣେ ବ୍ୟକ୍ତିଙ୍କ ଫୋନ୍‌ରୁ ତା ମାଆଙ୍କୁ କଲ୍‌ କରିଥିଲା । ତା ନିଜ ଫୋନ୍‌ରେ ବ୍ୟାଟେରୀ ଶେଷ ହୋଇଯାଇଥିଲା ଏବଂ ସେଥିରେ କଲ୍‌ ଟାଇମ୍‌ ବି ନଥିଲା । ସେ ଭଲ ଅଛି ଏବଂ ବାପିରେ ଅଛି ବୋଲି ପ୍ରିୟାଙ୍କୁ କହିଲା ଏବଂ ଫୋନ୍‌ କାଟିଦେଲା ।

ତେଣେ, ମୁମ୍ବାଇରେ, ପ୍ରିୟା ନିୟମିତ ଭାବେ ନାଗପଡ଼ା ଥାନାକୁ ଯାଉଥିଲେ । ସେ ସମୟର କଥା ମନେ ପକାଇ ସେ କହନ୍ତି, “ମୁଁ ବେପରୁଆ ବୋଲି ପୋଲିସ ମୋ ଉପରେ ଦୋଷ ଲଦିଦେଲା, ମୋ କାମକୁ ନେଇ ଆକ୍ଷେପ କଲା ଏବଂ କହିଲା ଯେ ସେ ନିଜ ଇଚ୍ଛାରେ ଯାଇଛି ଏବଂ ଶୀଘ୍ର ଫେରି ଆସିବ ।”

ବିକ୍ରମ ପାଖରୁ ସେଇ କିଛି ସମୟର ଫୋନ୍‌ କଲ୍‌ ପାଇବା ପରେ ସେ ଉଦ୍‌ବିଗ୍ନ ହୋଇ ସେଇ ନମ୍ବରକୁ ପୁଣି ଫୋନ୍‌ କଲେ ଏବଂ ଫୋନ୍‌ ମାଲିକ ଉତ୍ତର ଦେଲେ । “ସେ କହିଲେ କି ସେ ବିକ୍ରମ ସାଙ୍ଗରେ ନଥିଲେ ଏବଂ ସେ କେଉଁଠି ଅଛି ସେ ସଂପର୍କରେ ତାଙ୍କର ଧାରଣା ନାହିଁ । ସେ ବିକ୍ରମକୁ ରାଜପଥର ଏକ ଚା’ ଦୋକାନରେ ଭେଟିଥିଲେ ଏବଂ ତାକୁ ନିଜ ଫୋନ୍‌ ବ୍ୟବହାର କରିବାକୁ ଦେଇଥିଲେ ।”

ଅଗଷ୍ଟ ୯ ତାରିଖ ରାତିରେ ବିକ୍ରମ ବାପିରେ ରହିଲା । “ମୋଠୁ ବୟସରେ ବଡ଼ ଜଣେ ପିଲା ଗୋଟିଏ ଛୋଟ ହୋଟେଲକୁ ଜଗି ରହିଥିଲା । ମୁଁ ତାକୁ କହିଲି ଯେ ମୁଁ କାମ ଖୋଜିବାକୁ ଅହମ୍ମଦାବାଦ ଯାଉଛି ଏବଂ କୋଉଠି ଟିକେ ଶୋଇବାକୁ ଚାହୁଁଛି । ସେ କହିଲା କି ଏଇଠି ଏଇ ହୋଟେଲରେ ରହି କାମ କର, ସେ ମାଲିକ ସାଙ୍ଗରେ କଥା ହେବ।”

'I too ran away [from home] and now I am in this mud,' says Vikram's mother Priya, a sex worker. 'I want him to study'
PHOTO • Aakanksha

‘ମୁଁ ବି (ଘରୁ) ଲୁଚି ପଳାଇ ଆସିଥିଲି ଏବଂ ଏବେ ଏଇ ପଙ୍କକାଦୁଅରେ ପଡ଼ିଛି’, ବିକ୍ରମର ମାଆ ପ୍ରିୟା, ଯିଏକି ଜଣେ ଯୌନକର୍ମୀ, କହନ୍ତି, ‘ମୁଁ ଚାହେଁ ସେ ପାଠ ପଢୁ’

ପ୍ରଥମ ଥର ପାଇଁ ମାଆଙ୍କୁ ଫୋନ୍‌ କରିବାର ଚାରି ଦିନ ପରେ, ଅଗଷ୍ଟ ୧୩ ତାରିଖ ଦିନ ଭୋର ପ୍ରାୟ ୩ଟା ସମୟରେ ବିକ୍ରମ ଆଉ ଥରେ କଲ୍‌ କରିଥିଲା । ସେ ତାଙ୍କୁ କହିଲା ଯେ ତାକୁ ବାପିର ଏକ ହୋଟେଲ୍‌ରେ କାମ ମିଳିଯାଇଛି । ପ୍ଲେଟ୍‌ ଧୋଇବା ଏବଂ ଗ୍ରାହକଙ୍କ ପାଖରୁ ଖାଇବାକୁ ଅର୍ଡର ନେବା କାମ । ସେହିଦିନ ସକାଳେ ପୋଲିସକୁ ଏକଥା ଜଣାଇବା ପାଇଁ ସେ ତରବର ହୋଇ ନାଗପଡ଼ା ଥାନାକୁ ଗଲେ, କିନ୍ତୁ ସେ ନିଜେ ଯାଇ ତାଙ୍କ ପୁଅକୁ ନେଇ ଆସିବାକୁ ସେଠାରେ ତାଙ୍କୁ କୁହାଗଲା ।

ବିକ୍ରମକୁ ଘରକୁ ଫେରାଇ ଆଣିବା ପାଇଁ ସେହିଦିନ ସନ୍ଧ୍ୟାରେ ହିଁ ପ୍ରିୟା ଓ ରିଦ୍ଧି ମୁମ୍ବାଇ ସେଣ୍ଟ୍ରାଲରୁ ଟ୍ରେନ୍‌ରେ ବାପି ଗଲେ । ଏଥିପାଇଁ ପ୍ରିୟା ତାଙ୍କ ଘରୱାଲି ଏବଂ ସେଠାକାର ଜଣେ ସାହୁକାର ପାଖରୁ ୨,୦୦୦ ଟଙ୍କା ଧାର ନେଇଥିଲେ । ଟ୍ରେନ୍‌ ଟିକେଟ୍‌ ବାବଦରେ ଜଣ ପିଛା ୪୦୦ ଟଙ୍କା ଲେଖାଏଁ ଖର୍ଚ୍ଚ ହେଲା ।

ତାଙ୍କ ପୁଅକୁ ଫେରାଇ ଆଣିବା ଲାଗି ପ୍ରିୟା ସଂକଳ୍ପ କରିଥିଲେ । ସେ କହନ୍ତି ଯେ ତାଙ୍କ ଭଳି ସେ ବି ଏକ ଲକ୍ଷ୍ୟହୀନ ଜୀବନ ବିତାଉ ବୋଲି ସେ ଚାହୁଁ ନଥିଲେ । ଏବେ ବିକ୍ରମର ବୟସ ଯେତେ, ପ୍ରାୟ ସେଇ ବୟସରେ, ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ନିଜ ଘରୁ ଲୁଚି ପଳାଇ  ଆସିଥିବା ପ୍ରିୟା କହନ୍ତି, “ମୁଁ ବି ଘରୁ ଲୁଚି ପଳାଇ ଆସିଥିଲି ଏବଂ ଏବେ ଏଇ ପଙ୍କକାଦୁଅରେ ପଡ଼ିଛି । ମୁଁ ଚାହୁଁଛି, ସେ ପାଠ ପଢୁ ।”

କାରଖାନାରେ ଶ୍ରମିକ କାମ କରୁଥିବା ଜଣେ ମଦ୍ୟପ ବାପା, ଯିଏ କି ତାଙ୍କୁ ଆଦୌ ପଚାରୁ ନଥିଲେ (ତାଙ୍କୁ  ଦୁଇ ବର୍ଷ ହୋଇଥିବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା), ତାଙ୍କୁ ମାଡ଼ ମାରୁଥିବା ଏବଂ ୧୨ ବର୍ଷ ବୟସରେ ବାହା କରାଇ ଦେବାକୁ ବସିଥିବା କେତେକ ସଂପର୍କୀୟ ଏବଂ ତାଙ୍କ ପ୍ରତି ଅସଦାଚରଣ କରୁଥିବା ଜଣେ ପୁରୁଷ ସଂପର୍କୀୟ, ଏଇମାନଙ୍କ ପାଖରୁ ଲୁଚି ସେ ଘରୁ ପଳାଇ ଆସିଥିଲେ । ସେ କହନ୍ତି, “ମତେ ମୁମ୍ବାଇରେ କାମ ମିଳିଯିବ ବୋଲି ମୁଁ ଆଗରୁ ଶୁଣିଥିଲି ।”

ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍‌ରେ ଟ୍ରେନ୍‌ରୁ ଓହ୍ଲାଇବା ପରେ, ଅବଶେଷରେ ପ୍ରିୟାଙ୍କୁ ମଦନପୁରାରେ ଘରୋଇ ଚାକରାଣୀ ଭାବରେ କାମ ମିଳିଯାଇଥିଲା ଏବଂ ସେ ମାସକୁ ୪୦୦ ଟଙ୍କା ରୋଜଗାର କରିବା ସହି ସେହି ପରିବାର ସହିତ ରହୁଥିଲେ । ସମୟକ୍ରମେ ସେ ଏକ ତେଜରାତି ଦୋକାନରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସହିତ ଦକ୍ଷିଣ ମୁମ୍ବାଇର ରିଏ ରୋଡ୍‌ର ଏକ ଭଡ଼ାଘରେ ରହିଲେ ଏବଂ ସେ କହନ୍ତି ଯେ, କିଛି ମାସ ପରେ ସେହି ବ୍ୟକ୍ତି ଜଣଙ୍କର ଦେଖା ମିଳିଲା ନାହିଁ । ସେ ରାସ୍ତାକଡ଼ରେ ରହିବା ଆରମ୍ଭ କଲେ ଏବଂ ସେତେବଳକୁ ସେ ଗର୍ଭବତୀ ହୋଇଥିବା କଥା ବୁଝିପାରିଲେ । “ମୁଁ ଭିକ ମାଗୁଥିଲି ଏବଂ ବଞ୍ଚି ରହିଥିଲି।” ଏମିତି କି ବିକ୍ରମ ଜନ୍ମ ହେବା (୨୦୦୫ ମସିହାରେ ଜେଜେ ହସ୍‌ପିଟାଲରେ) ପରେ ବି ସେ ଫୁଟ୍‌ପାଥରେ ହିଁ ରହୁଥିଲେ । “ଦିନେ ରାତିରେ, ଜଣେ ଧନ୍ଦେୱାଲିଙ୍କ ସହ ମୋର ଦେଖା ହେଲା, ଯିଏ କି ମତେ ଖାଇବାକୁ ଦେଲେ । ସେ ମତେ ବୁଝାଇଦେଲେ କି ମୋର ପିଲାଟିଏ ଅଛି ଏବଂ ତାକୁ ତ ଖୁଆଇବାକୁ ପଡ଼ିବ, ଏବଂ ତେଣୁ ମୁଁ ଏହି ବେପାରରେ ଯୋଗ ଦେବା କଥା ।” ମନରେ ବହୁ ସଂଶୟ ଉଙ୍କି ମାରିବା ପରେ, ଶେଷରେ ପ୍ରିୟା ରାଜି ହେଲେ ।

କର୍ଣ୍ଣାଟକର ବିଜାପୁରରୁ ଆସି କମାଠିପୁରାରେ ରହୁଥିବା କେତେକ ମହିଳାଙ୍କ ସହିତ କେବେ କେମିତି ସେ ଯୌନ କାମ ପାଇଁ ବିଜାପୁର ସହରକୁ ଯାଉଥିଲେ। ଏମିତି ଥରେ ସେଠାକୁ ଯାଇଥିବା ବେଳେ ସେହି ମହିଳାମାନେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପରିଚୟ କରାଇ ଦେଲେ । “ସେମାନେ କହିଲେ କି ସେ ମୋତେ ବିବାହ କରିବ ଏବଂ ମୁଁ ଓ ମୋ ପୁଅ ଭଲରେ ଜୀବନ କାଟିବୁ ।” ଘରୋଇ ଭାବରେ ସେମାନଙ୍କର ‘ବିବାହ’ ହେଲା ଏବଂ ୬-୭ ମାସ କାଳ ସେ ସେହି ବ୍ୟକ୍ତିଙ୍କ ସହ ରହିଲେ । କିନ୍ତୁ ଦିନେ ତାଙ୍କ ପରିବାର ଲୋକେ ପ୍ରିୟାଙ୍କୁ ଚାଲିଯିବାକୁ କହିଲେ । ପ୍ରିୟା କହନ୍ତି, “ସେତେବେଳେ ରିଦ୍ଧି ପେଟରେ ଥାଏ ।” ପରେ ସେ ବୁଝିପାରିଲେ ଯେ ସେହି ବ୍ୟକ୍ତି ଜଣକ ବିବାହିତ ଏବଂ ନକଲି ନାଁରେ ରହୁଥିଲା ଏବଂ ଏହି ମହିଳାମାନେ ତାଙ୍କୁ ସେଇ ଲୋକ ହାତରେ ‘ବିକ୍ରି’ କରିଦେଇଥିଲେ ।

୨୦୧୧ରେ ରିଦ୍ଧି ଜନ୍ମ ହେବା ପରେ ବିକ୍ରମକୁ ପ୍ରିୟା ଅମରାବତୀର ଜଣେ ସଂପର୍କୀୟଙ୍କ ଘରକୁ ପଠାଇ ଦେଲେ । “ସେ ବଡ଼ ହେଉଥିଲା ଏବଂ ଏ ଅଞ୍ଚଳର ସବୁ କଥା ଦେଖୁଥିଲା...  ।” କିନ୍ତୁ ବିଶୃଙ୍ଖଳା ଯୋଗୁଁ ସେମାନେ ତାକୁ ମାଡ଼ ମାରୁଛନ୍ତି ବୋଲି କହି ବିକ୍ରମ ସେଠାରୁ ମଧ୍ୟ ପଳାଇ ଗଲା। “ସେତେବେଳେ ବି ଆମେ ନିଖୋଜ ହେବା ସଂପର୍କରେ ଅଭିଯୋଗ ଦାୟର କରିଥିଲୁ । ଦୁଇ ଦିନ ପରେ ସେ ଫେରିଆସିଲା ।” ବିକ୍ରମ ଟ୍ରେନ୍‌ରେ ବସି ଦାଦର ଷ୍ଟେସନରେ ପହଞ୍ଚିଥିଲା ଏବଂ ସେଠାରେ ଖାଲି ପଡ଼ିଥିବା ଟ୍ରେନ୍‌ ଡବାରେ ରହୁଥିଲା ଏବଂ ଭିକାରି ବୋଲି ଭାବି ଅନ୍ୟମାନେ ଯାହା ଦେଉଥିଲେ ତାହା ଖାଉଥିଲା ।

Vikram found it hard to make friends at school: 'They treat me badly and on purpose bring up the topic [of my mother’s profession]'
PHOTO • Aakanksha

ସ୍କୁଲ୍‌ରେ' କାହାରି ସାଙ୍ଗ ହେବା ବିକ୍ରମ ପାଇଁ କଷ୍ଟକର ଥିଲା:‘ ସେମାନେ ମତେ ଖରାପ ବ୍ୟବହାର କରୁଥିଲେ ଏବଂ ଜାଣିଶୁଣି [ମୋ ମାଆଙ୍କ ପେସା ବିଷୟରେ] କଥାବାର୍ତ୍ତା କରୁଥିଲେ’

ସେତେବେଳେ ତାକୁ ୮ କି ୯ ବର୍ଷ ହୋଇଥିଲା ଏବଂ ‘ବାରବୁଲା’ ଭାବରେ ଏଣେତେଣେ ବୁଲୁଥିବାରୁ କେନ୍ଦ୍ରୀୟ ମୁମ୍ବାଇର ଡୋଙ୍ଗରିରେ ଥିବା ଏକ ବାଳ ସୁଧାର ଗୃହରେ ସପ୍ତାହକ ପାଇଁ ଅଟକ ରହିଥିଲା । ତା ପରେ ତାକୁ ପ୍ରିୟା ଏକ ଦାତବ୍ୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଅନ୍ଧେରିର ଏକ ଆବାସିକ ସ୍କୁଲକୁ ପଠାଇ ଦେଲେ । ସେଠାରେ ସେ ୬ଷ୍ଠ ଶ୍ରେଣୀ ଯାଏ ପଢ଼ିଲା ।

ପ୍ରିୟା କହନ୍ତି, “ବିକ୍ରମ ସବୁବେଳେ ଝାମେଲା ଭିତରେ ରହିଆସିଛି । ତା ପାଇଁ ମତେ ଅଧିକ ସାବଧାନ ରହିବାକୁ ପଡ଼େ ।” ଅନ୍ଧେରିର ସେହି ହଷ୍ଟେଲରେ (ଯେଉଁଠାର ଜଣେ କାଉନ୍‌ସେଲରଙ୍କ ପାଖକୁ ତାକୁ କେତେ ଥର ନିଆଯାଇଥିଲା) ସେ ରହୁ ବୋଲି ପ୍ରିୟା ଚାହୁଁଥିଲେ । କିନ୍ତୁ ସେ ଜଣେ ତତ୍ତ୍ୱାବଧାରକଙ୍କୁ ମାଡ଼ ମାରି ସେଠାରୁ ବି ପଳାଇ ଆସିଲା । ୨୦୧୮ରେ ବାଇକୁଲାରେ ଥିବା ମ୍ୟୁନିସିପାଲ ସ୍କୁଲ୍‌ରେ, ୭ମ ଶ୍ରେଣୀରେ ସେ ତା’ର ନାଁ ଲେଖାଇ ଦେଲେ ଏବଂ ସେ ପୁଣି କମାଠିପୁରାକୁ ଫେରି ଆସିଲା ।

ଦୁର୍ବ୍ୟବହାର ଏବଂ ଅନ୍ୟ ପିଲାଙ୍କ ସହ ମାରପିଟ କରିବା କାରଣରୁ ବିକ୍ରମକୁ ବାଇକୁଲା ସ୍କୁଲରୁ ମଧ୍ୟ ଅନେକ ଥର ନିଲମ୍ବିତ କରାଯାଇଥିଲା । ପ୍ରିୟା କହନ୍ତି, “ମୋ କାମ କଥା କହି ଛାତ୍ରମାନେ ଏବଂ ଲୋକମାନେ ତାକୁ ଚିଡ଼ାଇବାକୁ ସେ ପସନ୍ଦ କରେନି । ସେ ଖୁବ୍‌ ଶୀଘ୍ର ରାଗିଯାଏ ।” ସାଧାରଣତଃ ସେ କାହାରିକୁ ନିଜ ପରିବାର ସଂପର୍କରେ କିଛି କହେନାହିଁ ଏବଂ ସ୍କୁଲ୍‌ରେ କାହାରି ସହିତ ସାଙ୍ଗ ହେବା ତା ପାଇଁ କଷ୍ଟକର । ବିକ୍ରମ କହେ, “ସେମାନେ ମୋ ସହ ଖରାପ ବ୍ୟବହାର କରନ୍ତି ଏବଂ ଜାଣିଶୁଣି ସେଇ ବିଷୟ (ମୋ ମାଆଙ୍କ ପେସା) ସଂପର୍କରେ କଥା ହୁଅନ୍ତି ।”

ତଥାପି ସେ ଜଣେ ମେଧାବୀ ଛାତ୍ର ଏବଂ ପ୍ରାୟତଃ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖେ । କିନ୍ତୁ ତା’ର ୭ମ ଶ୍ରେଣୀ ମାର୍କସିଟ୍‌ରୁ ଜଣାଯାଏ ଯେ ସେ ଅତି ବେଶୀରେ ମାସକୁ ତିନି ଦିନ ସ୍କୁଲ୍‌ ଯାଇଥିଲା। ସେ କହେ ଯେ, ଆଗକୁ ସେ ତା’ର ପୁରୁଣା ପାଠକୁ ବୁଝିପାରିବ ଏବଂ ସେ ପଢ଼ିବାକୁ ଚାହେଁ । ୨୦୨୦ ନଭେମ୍ବର ଆରମ୍ଭରେ ତାକୁ ତାର ଅଷ୍ଟମ ଶ୍ରେଣୀର ମାର୍କସିଟ୍‌ (୨୦୧୯-୨୦ ଶିକ୍ଷା ବର୍ଷ ପାଇଁ) ମିଳିଲା ଏବଂ ଏଥିରେ ସେ ସାତଟି ବିଷୟରେ ‘ଏ’ ଗ୍ରେଡ୍‌ ଏବଂ ଅବଶିଷ୍ଟ ଦୁଇଟିରେ ‘ବି’ ଗ୍ରେଡ୍‌ ପାଇଥିଲା ।


ବିକ୍ରମ କହେ, “ମୋର ଅନେକ ସାଙ୍ଗ (କମାଠିପୁରାର) ସ୍କୁଲ୍‌ ଛାଡ଼ି କାମ କରନ୍ତି । କେତେକଙ୍କର ପାଠପଢ଼ା ପ୍ରତି ଆଦୌ ଆଗ୍ରହ ନାହିଁ ଏବଂ ସେମାନଙ୍କୁ ଲାଗେ ଯେ ତା ଅପେକ୍ଷା ରୋଜଗାର କରିବା ଭଲ । କାରଣ ଏଥିରୁ କିଛି ସଞ୍ଚୟ କରି ସେମାନେ ବ୍ୟବସାୟ ଆରମ୍ଭ କରିପାରିବେ ।” (୨୦୧୦ରେ ଏକ ଅନୁଶୀଳନରୁ ଜଣାଯାଏ ଯେ କୋଲକାତାର ରେଡ୍‌ ଲାଇଟ୍‌ ଏରିଆରେ ରହୁଥିବା ପିଲାମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ପିଲା ଅଧାରୁ ପାଠପଢ଼ା ଛାଡ଼ନ୍ତି ଏବଂ ଏଥିରୁ ଏହା ସୂଚିତ ହୁଏ ଯେ,‘ଏହା ଏକ ଦୁର୍ଭାଗ୍ୟଜନକ ବାସ୍ତବିକତା ଯେ ରେଡ୍‌ ଲାଇଟ୍‌ ଏରିଆର ପିଲାମାନଙ୍କ ପାଇଁ ସ୍କୁଲରେ ଉପସ୍ଥାନ ହାର କମିବା ଏକ ସାଧାରଣ ସମସ୍ୟା।’)

ଆମେ କଥାବାର୍ତ୍ତା କରୁଥିବା ବେଳେ ବିକ୍ରମ ଗୋଟିଏ ଗୁଟ୍‌ଖା ପ୍ୟାକେଟ୍‌ ଖୋଲେ । ସେ କହେ, “ମାଆକୁ କହିବେନି ।” ଆଗରୁ କେବେ କେମିତି ସେ ସିଗାରେଟ ଟାଣୁଥିଲା ଏବଂ ମଦ ପିଉଥିଲା, କିନ୍ତୁ ଭଲ ନ ଲାଗିବାରୁ ବନ୍ଦ କରିଦେଲା । ହେଲେ ସେ କହେ, “ମୁଁ ଗୁଟ୍‌ଖା ଅଭ୍ୟାସ ଛାଡ଼ି ପାରିବିନି । ଏହାର ସ୍ୱାଦ ଚାଖିବାକୁ ଯାଇ ମୁଁ ଖାଇବା ଆରମ୍ଭ କରିଥିଲି ଏବଂ କେତେବେଳେ ଅଭ୍ୟାସ ହୋଇଗଲା ଜାଣିପାରିଲିନି ।” ବେଳେବେଳେ, ପ୍ରିୟା ତାକୁ ଗୁଟ୍‌ଖା ଚୋବାଉଥିବା ବେଳେ ଧରି ମାଡ଼ ମାରିଛନ୍ତି ।

ପ୍ରିୟା କହନ୍ତି, “ଏଠାକାର ପିଲାମାନେ ସବୁ ପ୍ରକାର ବଦଭ୍ୟାସ ଆରମ୍ଭ କରନ୍ତି । ସେଇଥିପାଇଁ ମୁଁ ଚାହେଁ ସେମାନେ କୌଣସି ହଷ୍ଟେଲରେ ରହି ପାଠ ପଢ଼ନ୍ତୁ । ରିଦ୍ଧି ବି ସେମାନଙ୍କ ଭଳି ଲିପ୍‌ଷ୍ଟିକ୍‌ ଲଗାଇ ଏବଂ ରାସ୍ତାରେ ଚାଲି ଏଠାକାର ମହିଳାମାନଙ୍କର ନକଲ କରେ । ଆପଣ ଏଠି ସବୁଦିନ ମାରପିଟ ଓ ଝଗଡ଼ା ହେଉଥିବା ଦେଖିବାକୁ ପାଇବେ।”

Vikram found it hard to make friends at school: 'They treat me badly and on purpose bring up the topic [of my mother’s profession]'
PHOTO • Aakanksha

ସ୍କୁଲ୍‌ରେ' କାହାରି ସାଙ୍ଗ ହେବା ବିକ୍ରମ ପାଇଁ କଷ୍ଟକର ଥିଲା:‘ ସେମାନେ ମତେ ଖରାପ ବ୍ୟବହାର କରୁଥିଲେ ଏବଂ ଜାଣିଶୁଣି [ମୋ ମାଆଙ୍କ ପେସା ବିଷୟରେ] କଥାବାର୍ତ୍ତା କରୁଥିଲେ’

ସେତେବେଳେ ତାକୁ ୮ କି ୯ ବର୍ଷ ହୋଇଥିଲା ଏବଂ ‘ବାରବୁଲା’ ଭାବରେ ଏଣେତେଣେ ବୁଲୁଥିବାରୁ କେନ୍ଦ୍ରୀୟ ମୁମ୍ବାଇର ଡୋଙ୍ଗରିରେ ଥିବା ଏକ ବାଳ ସୁଧାର ଗୃହରେ ସପ୍ତାହକ ପାଇଁ ଅଟକ ରହିଥିଲା । ତା ପରେ ତାକୁ ପ୍ରିୟା ଏକ ଦାତବ୍ୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଅନ୍ଧେରିର ଏକ ଆବାସିକ ସ୍କୁଲକୁ ପଠାଇ ଦେଲେ । ସେଠାରେ ସେ ୬ଷ୍ଠ ଶ୍ରେଣୀ ଯାଏ ପଢ଼ିଲା ।

ପ୍ରିୟା କହନ୍ତି, “ବିକ୍ରମ ସବୁବେଳେ ଝାମେଲା ଭିତରେ ରହିଆସିଛି । ତା ପାଇଁ ମତେ ଅଧିକ ସାବଧାନ ରହିବାକୁ ପଡ଼େ ।” ଅନ୍ଧେରିର ସେହି ହଷ୍ଟେଲରେ (ଯେଉଁଠାର ଜଣେ କାଉନ୍‌ସେଲରଙ୍କ ପାଖକୁ ତାକୁ କେତେ ଥର ନିଆଯାଇଥିଲା) ସେ ରହୁ ବୋଲି ପ୍ରିୟା ଚାହୁଁଥିଲେ । କିନ୍ତୁ ସେ ଜଣେ ତତ୍ତ୍ୱାବଧାରକଙ୍କୁ ମାଡ଼ ମାରି ସେଠାରୁ ବି ପଳାଇ ଆସିଲା । ୨୦୧୮ରେ ବାଇକୁଲାରେ ଥିବା ମ୍ୟୁନିସିପାଲ ସ୍କୁଲ୍‌ରେ, ୭ମ ଶ୍ରେଣୀରେ ସେ ତା’ର ନାଁ ଲେଖାଇ ଦେଲେ ଏବଂ ସେ ପୁଣି କମାଠିପୁରାକୁ ଫେରି ଆସିଲା ।

ଦୁର୍ବ୍ୟବହାର ଏବଂ ଅନ୍ୟ ପିଲାଙ୍କ ସହ ମାରପିଟ କରିବା କାରଣରୁ ବିକ୍ରମକୁ ବାଇକୁଲା ସ୍କୁଲରୁ ମଧ୍ୟ ଅନେକ ଥର ନିଲମ୍ବିତ କରାଯାଇଥିଲା । ପ୍ରିୟା କହନ୍ତି, “ମୋ କାମ କଥା କହି ଛାତ୍ରମାନେ ଏବଂ ଲୋକମାନେ ତାକୁ ଚିଡ଼ାଇବାକୁ ସେ ପସନ୍ଦ କରେନି । ସେ ଖୁବ୍‌ ଶୀଘ୍ର ରାଗିଯାଏ ।” ସାଧାରଣତଃ ସେ କାହାରିକୁ ନିଜ ପରିବାର ସଂପର୍କରେ କିଛି କହେନାହିଁ ଏବଂ ସ୍କୁଲ୍‌ରେ କାହାରି ସହିତ ସାଙ୍ଗ ହେବା ତା ପାଇଁ କଷ୍ଟକର । ବିକ୍ରମ କହେ, “ସେମାନେ ମୋ ସହ ଖରାପ ବ୍ୟବହାର କରନ୍ତି ଏବଂ ଜାଣିଶୁଣି ସେଇ ବିଷୟ (ମୋ ମାଆଙ୍କ ପେସା) ସଂପର୍କରେ କଥା ହୁଅନ୍ତି ।”

ତଥାପି ସେ ଜଣେ ମେଧାବୀ ଛାତ୍ର ଏବଂ ପ୍ରାୟତଃ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖେ । କିନ୍ତୁ ତା’ର ୭ମ ଶ୍ରେଣୀ ମାର୍କସିଟ୍‌ରୁ ଜଣାଯାଏ ଯେ ସେ ଅତି ବେଶୀରେ ମାସକୁ ତିନି ଦିନ ସ୍କୁଲ୍‌ ଯାଇଥିଲା। ସେ କହେ ଯେ, ଆଗକୁ ସେ ତା’ର ପୁରୁଣା ପାଠକୁ ବୁଝିପାରିବ ଏବଂ ସେ ପଢ଼ିବାକୁ ଚାହେଁ । ୨୦୨୦ ନଭେମ୍ବର ଆରମ୍ଭରେ ତାକୁ ତାର ଅଷ୍ଟମ ଶ୍ରେଣୀର ମାର୍କସିଟ୍‌ (୨୦୧୯-୨୦ ଶିକ୍ଷା ବର୍ଷ ପାଇଁ) ମିଳିଲା ଏବଂ ଏଥିରେ ସେ ସାତଟି ବିଷୟରେ ‘ଏ’ ଗ୍ରେଡ୍‌ ଏବଂ ଅବଶିଷ୍ଟ ଦୁଇଟିରେ ‘ବି’ ଗ୍ରେଡ୍‌ ପାଇଥିଲା ।

ବିକ୍ରମ କହେ, “ମୋର ଅନେକ ସାଙ୍ଗ (କମାଠିପୁରାର) ସ୍କୁଲ୍‌ ଛାଡ଼ି କାମ କରନ୍ତି । କେତେକଙ୍କର ପାଠପଢ଼ା ପ୍ରତି ଆଦୌ ଆଗ୍ରହ ନାହିଁ ଏବଂ ସେମାନଙ୍କୁ ଲାଗେ ଯେ ତା ଅପେକ୍ଷା ରୋଜଗାର କରିବା ଭଲ । କାରଣ ଏଥିରୁ କିଛି ସଞ୍ଚୟ କରି ସେମାନେ ବ୍ୟବସାୟ ଆରମ୍ଭ କରିପାରିବେ ।” (୨୦୧୦ରେ ଏକ ଅନୁଶୀଳନରୁ ଜଣାଯାଏ ଯେ କୋଲକାତାର ରେଡ୍‌ ଲାଇଟ୍‌ ଏରିଆରେ ରହୁଥିବା ପିଲାମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ପିଲା ଅଧାରୁ ପାଠପଢ଼ା ଛାଡ଼ନ୍ତି ଏବଂ ଏଥିରୁ ଏହା ସୂଚିତ ହୁଏ ଯେ,‘ଏହା ଏକ ଦୁର୍ଭାଗ୍ୟଜନକ ବାସ୍ତବିକତା ଯେ ରେଡ୍‌ ଲାଇଟ୍‌ ଏରିଆର ପିଲାମାନଙ୍କ ପାଇଁ ସ୍କୁଲରେ ଉପସ୍ଥାନ ହାର କମିବା ଏକ ସାଧାରଣ ସମସ୍ୟା।’)

ଆମେ କଥାବାର୍ତ୍ତା କରୁଥିବା ବେଳେ ବିକ୍ରମ ଗୋଟିଏ ଗୁଟ୍‌ଖା ପ୍ୟାକେଟ୍‌ ଖୋଲେ । ସେ କହେ, “ମାଆକୁ କହିବେନି ।” ଆଗରୁ କେବେ କେମିତି ସେ ସିଗାରେଟ ଟାଣୁଥିଲା ଏବଂ ମଦ ପିଉଥିଲା, କିନ୍ତୁ ଭଲ ନ ଲାଗିବାରୁ ବନ୍ଦ କରିଦେଲା । ହେଲେ ସେ କହେ, “ମୁଁ ଗୁଟ୍‌ଖା ଅଭ୍ୟାସ ଛାଡ଼ି ପାରିବିନି । ଏହାର ସ୍ୱାଦ ଚାଖିବାକୁ ଯାଇ ମୁଁ ଖାଇବା ଆରମ୍ଭ କରିଥିଲି ଏବଂ କେତେବେଳେ ଅଭ୍ୟାସ ହୋଇଗଲା ଜାଣିପାରିଲିନି ।” ବେଳେବେଳେ, ପ୍ରିୟା ତାକୁ ଗୁଟ୍‌ଖା ଚୋବାଉଥିବା ବେଳେ ଧରି ମାଡ଼ ମାରିଛନ୍ତି ।

ପ୍ରିୟା କହନ୍ତି, “ଏଠାକାର ପିଲାମାନେ ସବୁ ପ୍ରକାର ବଦଭ୍ୟାସ ଆରମ୍ଭ କରନ୍ତି । ସେଇଥିପାଇଁ ମୁଁ ଚାହେଁ ସେମାନେ କୌଣସି ହଷ୍ଟେଲରେ ରହି ପାଠ ପଢ଼ନ୍ତୁ । ରିଦ୍ଧି ବି ସେମାନଙ୍କ ଭଳି ଲିପ୍‌ଷ୍ଟିକ୍‌ ଲଗାଇ ଏବଂ ରାସ୍ତାରେ ଚାଲି ଏଠାକାର ମହିଳାମାନଙ୍କର ନକଲ କରେ । ଆପଣ ଏଠି ସବୁଦିନ ମାରପିଟ ଓ ଝଗଡ଼ା ହେଉଥିବା ଦେଖିବାକୁ ପାଇବେ।”

The teenager's immediate world: the streets of the city, and the narrow passageway in the brothel building where he sleeps. In future, Vikram (left, with a friend) hopes to help sex workers who want to leave Kamathipura
PHOTO • Aakanksha
The teenager's immediate world: the streets of the city, and the narrow passageway in the brothel building where he sleeps. In future, Vikram (left, with a friend) hopes to help sex workers who want to leave Kamathipura
PHOTO • Aakanksha

କିଶୋର ବୟସର ସମୀପବର୍ତ୍ତୀ ବିଶ୍ୱ: ସହରର ରାସ୍ତା, ଏବଂ ଗଣିକାମାନଙ୍କ କୋଠାର ଅଣଓସାରିଆ ଗଳି, ଯେଉଁଠି ସେ ଶୁଏ । ଭବିଷ୍ୟତରେ, କମାଠିପୁରା ଛାଡ଼ିବାକୁ ଚାହୁଁଥିବା ଯୌନକର୍ମୀମାନଙ୍କୁ ବିକ୍ରମ (ବାମରେ, ଜଣେ ସାଙ୍ଗ ସହିତ) ସାହାଯ୍ୟ କରିବ ବୋଲି ଆଶା ରଖିଛି

ଲକ୍‌ଡାଉନ୍‌ ପୂର୍ବରୁ, ଅପରାହ୍‌ଣ ଗୋଟାଏରୁ ସନ୍ଧ୍ୟା ୬ଟା ଯାଏ ବିକ୍ରମ ସ୍କୁଲରେ ଥାଏ ଏବଂ ସନ୍ଧ୍ୟା ୭ଟା ସୁଦ୍ଧା ସେ ଏକ ବେସରକାରୀ ସଂସ୍ଥା ଦ୍ୱାରା ସେ ଅଞ୍ଚଳରେ ଚାଲୁଥିବା ରାତ୍ରୀକାଳୀନ ଆଶ୍ରୟ ଓ ପାଠପଢ଼ା କେନ୍ଦ୍ରରେ ଥାଏ । ଯେଉଁ ସମୟରେ କି ପିଲାମାନଙ୍କର ମାଆମାନେ କାମରେ ବ୍ୟସ୍ତ ଥାଆନ୍ତି । ପରେ ସେ ହୁଏତ ଘରକୁ ଫେରିଆସେ ଏବଂ ଯେଉଁ କୋଠରିରେ ତାର ମାଆ ଗ୍ରାହକମାନଙ୍କୁ ଭେଟନ୍ତି, ତା ପାଖ ଗଳି ରାସ୍ତାରେ ଶୋଇପଡ଼େ କିମ୍ବା ବେଳେବେଳେ ସେହି ରାତ୍ରୀକାଳୀନ ଆଶ୍ରୟ କେନ୍ଦ୍ରରେ ରହିଯାଏ ।

ଲକ୍‌ଡାଉନ୍‌ ଲାଗୁ ହେବା ଏବଂ ତା’ର ଭଉଣୀ ଘରକୁ ଫେରିଆସିବାରୁ ସେମାନଙ୍କର ସେଇ କୋଠରିଟି, ଯାହାକୁ କି ସେ “ଟ୍ରେନ୍‌ କା ଡବା” ବୋଲି କହେ, ଆହୁରି ଅଧିକ ରୁନ୍ଧି ହେଲା ଭଳି ଲାଗିଲା। ତେଣୁ ସେ ରାତିରେ ରାସ୍ତାରେ ଏଣେତେଣେ ବୁଲିଲା କିମ୍ବା ଯେଉଁ ଜାଗାରେ କାମ କଲା ସେଇଠି ରହିଗଲା । ତାଙ୍କ ପରିବାର ରହୁଥିବା କୋଠରିଟିର ଆକାର ଅତି ବେଶୀରେ ୧୦X୧୦ ବର୍ଗଫୁଟ୍‌ ଏବଂ ଏହା ୪X୬ ବର୍ଗଫୁଟର ତିନିଟି ଆୟତାକାର ବାକ୍‌ସ ଭଳି କ୍ଷୁଦ୍ର କୋଠରିରେ ଭାଗ ଭାଗ ହୋଇଛି, ପ୍ରତିଟିରେ ଜଣେ ଲେଖାଏଁ ଭଡ଼ାଟିଆ-ଏକା ଏକା ବା ପରିବାର ସହ ରହୁଥିବା ଜଣେ ଯୌନକର୍ମୀ- ରହୁଛନ୍ତି । ସାଧାରଣତଃ ଏହି କୋଠରିଗୁଡ଼ିକ ହିଁ ସେହି ମହିଳାମାନଙ୍କର କର୍ମସ୍ଥଳୀ ହୋଇଥାଏ ।

ଅଗଷ୍ଟ ୧୪ ତାରିଖ ଦିନ ମାଆ ଓ ଭଉଣୀଙ୍କ ସହିତ ଟ୍ରେନ୍‌ରେ ବସି ବାପିରୁ ଫେରିବା ପରଦିନ ହିଁ ବିକ୍ରମ କାମ ଖୋଜିବା ପାଇଁ ପାଖ ନାକା  ବା ଗଳିମୁଣ୍ଡରେ ପହଞ୍ଚି ଯାଇଥିଲା। ସେବେଠାରୁ ସେ ପରିବାପତ୍ର ବିକିବାକୁ ଚେଷ୍ଟା କରିବା ସହିତ ନିର୍ମାଣସ୍ଥଳୀରେ କାମ କରିବା ଏବଂ ବସ୍ତା ବୋହିବା ଭଳି କାମ କରିଆସୁଛି ।

ବିକ୍ରମର ସ୍କୁଲରୁ କିଛି ଖବର ଆସିବ ବୋଲି ତା’ର ମାଆ ଅପେକ୍ଷା କରିଥିଲେ ଏବଂ କେତେବେଳେ ଯେ ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ ହୋଇଯାଇଥିଲା ଜାଣି ନଥିଲେ । ବିକ୍ରମ ପାଖରେ ସ୍ମାର୍ଟ୍‌ ଫୋନ୍‌ ନାହିଁ ଏବଂ ଯଦିବା ଥାଆନ୍ତା ତଥାପି ସେ କାମରେ ଏତେ ବ୍ୟସ୍ତ ଯେ ତାକୁ ସମୟ ମିଳି ନଥାଆନ୍ତା ଏବଂ ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଇଣ୍ଟରନେଟ୍‌ ସଂଯୋଗ ନେବାକୁ ସେମାନଙ୍କର ଟଙ୍କା ଦରକାର ହୋଇଥାଆନ୍ତା । ଏହା ବ୍ୟତୀତ, ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବାରୁ ସ୍କୁଲରୁ ତା’ର ନାଁ କାଟି ଦିଆଯାଇଛି ବୋଲି ପ୍ରିୟା କହନ୍ତି ।

ବିକ୍ରମ କାମରେ ଲାଗି ରହିଲେ କାଳେ ପାଠପଢ଼ା ବନ୍ଦ କରିଦେବ ବୋଲି ଚିନ୍ତା କରି ତାକୁ କୌଣସି ଏକ ହଷ୍ଟେଲ ଥିବା ସ୍କୁଲକୁ ପଠାଇବାରେ ସାହାଯ୍ୟ କରିବା ପାଇଁ ସେ ଡୋଙ୍ଗରିର ଶିଶୁ କଲ୍ୟାଣ କମିଟି ସହିତ ଯୋଗାଯୋଗ କରିଥିଲେ । ତାଙ୍କ ଆବେଦନ ଏବେ ବିଚାରାଧୀନ ରହିଛି । ଏହା ଗୃହୀତ ହେଲେ ବି ବିକ୍ରମକୁ ଗୋଟିଏ ଶିକ୍ଷା ବର୍ଷ (୨୦୨୦-୨୧) ହରାଇବାକୁ ପଡ଼ିବ । ପ୍ରିୟା କହନ୍ତି, “ଥରେ ସ୍କୁଲ୍‌ ଆରମ୍ଭ ହୋଇଗଲେ ସେ କାମ ନକରି ପାଠ ପଢୁ ବୋଲି ମୁଁ ଚାହୁଁଛି । ସେ ଜଣେ ଲଫଣ୍ଟର (ବାରବୁଲା) ହୋଇ ନଯାଉ ।”

Vikram has agreed to restart school, but wants to continue working and helping to support his mother
PHOTO • Aakanksha
Vikram has agreed to restart school, but wants to continue working and helping to support his mother
PHOTO • Aakanksha

ବିକ୍ରମ ପୁଣି ଥରେ ସ୍କୁଲ ଯିବାକୁ ରାଜି ହୋଇଛି, କିନ୍ତୁ କାମ ବି ଜାରି ରଖିବାକୁ ଚାହୁଁଛି । ଡାହାଣରେ ତା’ର ସ୍କୁଲ୍‌ ବ୍ୟାଗ୍‌, ଯାହାକୁ କି ସେ ଏବେ କାମ ପାଇଁ ବ୍ୟବହାର କରୁଛି

ଦାଦରର ଏକ ଆବାସିକ ସ୍କୁଲ୍‌ରେ ରିଦ୍ଧିର ନାମଲେଖା ହୋଇଛି ଏବଂ ନଭେମ୍ବର ମଧ୍ୟଭାଗରେ ତାକୁ ସେଠାକୁ ନିଆଯାଇଛି । ଘରୁ ତାଙ୍କ ଝିଅ ଯିବା ପରେ ପ୍ରିୟା ପୁଣି ତାଙ୍କର ଯୌନ କାମ ଆରମ୍ଭ କରିଛନ୍ତି । ତାହା ବି କେବେ କେମିତି ଏବଂ ତାଙ୍କ ପେଟରେ ଯନ୍ତ୍ରଣା ହେଉ ନଥିବା ବେଳେ ।

ବିକ୍ରମ ଜଣେ ବଡ଼ ରୋଷେୟା ବା ସେଫ୍‌ ହେବାକୁ ଚାହେଁ । ସେ ରାନ୍ଧିବାକୁ ପସନ୍ଦ କରେ । “ମୁଁ ଏକଥା କାହାରିକୁ କହିନି । ସେମାନେ କହିବେ “କ୍ୟା ଲଡକିୟାଁ କା କାମ ହୈ”, ସେ କହେ । କମାଠିପୁରାରୁ ମୁକୁଳିବାକୁ ଚାହୁଁଥିବା ଯୌନକର୍ମୀମାନଙ୍କୁ ବାହାରକୁ ପଠାଇବା ହିଁ ତାର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ । ସେ କହେ, “ମୋତେ ବହୁତ ଟଙ୍କା ରୋଜଗାର କରିବାକୁ ପଡ଼ିବ । ଯାହା ଦ୍ୱାରା କି ମୁଁ ସେମାନଙ୍କୁ ଖାଇବାକୁ ଦେଇପାରିବି ଏବଂ ପରେ ପରେ ସେମାନେ ନିଜ ଇଚ୍ଛାନୁସାରେ କାମ କରିପାରିବେ । ଅନେକ ଲୋକ କହନ୍ତି ଯେ, ସେମାନେ ଏଠାକାର ମହିଳାମାନଙ୍କୁ ସାହାଯ୍ୟ କରିବେ । କିନ୍ତୁ ଆପଣ ଦେଖନ୍ତୁ ଏ ଅଞ୍ଚଳକୁ ବହୁ ନୂଆ ନୂଆ ଦିଦି ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ଅନେକଙ୍କ ସହିତ ଜୋରଜବରଦସ୍ତି ଖରାପ କାମ (ଯୌନ ଶୋଷଣ) କରାଯାଇଛି ଏବଂ ପରେ ଏଠାରେ ଫିଙ୍ଗି ଦିଆଯାଇଛି। ନିଜ ଇଚ୍ଛାରେ କିଏ କାହିଁକି ଏଠାକୁ ଆସିବ ? ଏବଂ ସେମାନଙ୍କୁ କିଏ ବା ସୁରକ୍ଷା ଦେବ ।”'

ଅକ୍ଟୋବରରେ ବିକ୍ରମ ବାପିର ସେହି ହୋଟଲ୍‌କୁ ପୁଣି ଯାଇଥିଲା । ସେ ସେଠାରେ ଦୁଇ ସପ୍ତାହ ପାଇଁ ବାସନ ଧୋଇବା, ଘର ଚଟାଣ, ଟେବୁଲ ଓ ଆଉ ଅନ୍ୟାନ୍ୟ ଜିନିଷ ସଫା କରିବା କାମ କରିଥିଲା । ତାକୁ ସେଠାରେ ଦିନକୁ ଦୁଇ ଥର ଖାଇବାକୁ ଓ ସନ୍ଧ୍ୟାରେ ଚା’ ମିଳୁଥିଲା । କାମ କରିବାର ନବମ ଦିନରେ ଜଣେ ସାଥୀ କର୍ମଚାରୀ ସହ ତା’ର ଝଗଡ଼ା ହେଲା ଦୁହେଁ ଦୁହିଁଙ୍କୁ ମାଡ଼ ମାରିଲେ । ପୂର୍ବ ଚୁକ୍ତି ଅନୁସାରେ ଦୁଇ ସପ୍ତାହର ମଜୁରି ବାବଦରେ ତାକୁ ୩,୦୦୦ ଟଙ୍କା ମିଳିବା ବଦଳରେ ୨,୦୦୦ ଟଙ୍କା ମିଳିଥିଲା ଏବଂ ଅକ୍ଟୋବର ଶେଷରେ ସେ ଘରକୁ ଫେରିଆସିଥିଲା ।

ଏବେ ସେ ସେଠାକାର ବିଭିନ୍ନ ରେସ୍ତୋରାଁରୁ ଖାଦ୍ୟ ପଦାର୍ଥ ନେଇ ମୁମ୍ବାଇ ସେଣ୍ଟ୍ରାଲ ଓ ଆଖପାଖ ଅଞ୍ଚଳର ଗ୍ରାହକଙ୍କ ଘରେ ପହଞ୍ଚାଉଛି ଏବଂ ଏହି କାମ ପାଇଁ ଭଡ଼ାରେ ସାଇକେଲଟିଏ ନେଇଛି । କେବେ କେମିତି ସେ କମାଠିପୁରାର ଏକ ଫଟୋ ଷ୍ଟୁଡିଓରେ କାମ କରେ । ସେଠାରୁ ପେନ୍‌ ଡ୍ରାଇଭ୍‌ ଓ ଏସ୍‌ଡି କାର୍ଡ ନେଇ ଗ୍ରାହକଙ୍କ ଘରେ ପହଞ୍ଚାଏ । ଏସବୁଥିରୁ ତାର ଖୁବ୍‌ କମ୍‌ ରୋଜଗାର ହୁଏ ।

କୌଣସି ଏକ ହଷ୍ଟେଲରୁ ଖବର ମିଳିବ ବୋଲି ପ୍ରିୟା ଆଶା ବାନ୍ଧିଛନ୍ତି, ଏବଂ ତାଙ୍କର ଏହି ବଦ୍‌ରାଗୀ ଏବଂ ଅସ୍ଥିରଚିତ୍ତ ପୁଅ ସେଠାରୁ ବି ଲୁଚି ନ ପଳାଉ ବୋଲି ବି ଆଶା କରୁଛନ୍ତି । ପୁଣି ସ୍କୁଲ ଯିବାକୁ ବିକ୍ରମ ବି ରାଜି ହୋଇଛି, କିନ୍ତୁ ତା’ର ମାଆଙ୍କୁ ସାହାଯ୍ୟ କରିବା ଲାଗି କାମ ବି ଜାରି ରଖିବାକୁ ଚାହୁଁଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Aakanksha

Aakanksha (she uses only her first name) is a Reporter and Content Editor at PARI.

Other stories by Aakanksha