ପୂର୍ବଘାଟର ବନ୍ଧୁର ପର୍ବତମାଳା ପଛରେ ସୂର୍ଯ୍ୟ ଛପି ଯାଉଥିବା ବେଳେ, ଅର୍ଦ୍ଧସୈନିକ ବଳ ଯବାନମାନଙ୍କ ଓଜନିଆ ଜୋତାର ଶବ୍ଦ ତଳେ ଦବିଯାଏ ପାଖ ଜଙ୍ଗଲରେ ପାହାଡ଼ି ବଣିମାନଙ୍କର କର୍କଶ ଧ୍ଵନି। ପୁଣି ଥରେ ସେମାନେ ଗାଁ ଗାଁରେ ପଇଁତରା ମାରୁଛନ୍ତି । ଏଥିପାଇଁ ସବୁ ସନ୍ଧ୍ୟାବେଳକୁ ସେ ଖୁବ୍‌ ଡରନ୍ତି ।

ସେ ଜାଣନ୍ତିନି କାହିଁକି ତାଙ୍କ ନାଁ ଦେମତି ଦିଆଯାଇଥିଲା । ଉତ୍ସାହଭରା ସ୍ଵରରେ, ମାଆ ସେହି କାହାଣୀ ଶୁଣାନ୍ତି, “ସେ ଥିଲେ ଆମ ଗାଁର ଜଣେ ନିର୍ଭୀକ ମହିଳା, ଯେ କି ଏକୁଟିଆ ବ୍ରିଟିଶ ସେନାକୁ ଘଉଡ଼ାଇ ଦେଇଥିଲେ ।” କିନ୍ତୁ ସେ ଆଦୌ ଦେମତିଙ୍କ ଭଳି ନଥିଲେ- ସେ ଥିଲେ ଭୟାଳୁ ।

ଆଉ ସେ, ପେଟଯନ୍ତ୍ରଣାରେ, ଭୋକରେ, ପର୍ଯ୍ୟାପ୍ତ ପାଣି ବିନା, ଘରେ ଅନେକ ଦିନ ଯାଏ ପଇସାଟିଏ ନଥିବା ଅବସ୍ଥାରେ, ସନ୍ଦେହଭରା ଆଖି ଆଗରେ, ଧମକପୂର୍ଣ୍ଣ ନଜର ଆଗରେ, ନିତିଦିନିଆ ଗିରଫଦାରି, ନିର୍ଯାତନା, ମରିଯାଉଥିବା ଲୋକଙ୍କସହିତ ବଞ୍ଚି ରହିବାକୁ ଶିଖିଥିଲେ । ହେଲେ ଏସବୁ ଭିତରେ ବି ତାଙ୍କ ସପକ୍ଷରେ ଥିଲା ଜଙ୍ଗଲ, ଗଛ ଏବଂ ଏକ ଝରଣା । ଶାଳ ଫୁଲରୁ ହିଁ ସେ ତାଙ୍କ ମାଆଙ୍କର ବାସ୍ନା ବାରିପାରୁଥିଲେ, ଜଙ୍ଗଲରେ ପ୍ରତିଧ୍ଵନିତ ଜେଜେମାଆଙ୍କ ଗୀତ ଶୁଣିପାରୁଥିଲେ । ଯେଉଁ ପର୍ଯ୍ୟନ୍ତ ସେମାନେ ତାଙ୍କ ସହିତ ଥିଲେ, ସେ ଜାଣିଥିଲେ ଯେ ସବୁ ବାଧାବିଘ୍ନ ସତ୍ତ୍ଵେ ସେ ବଞ୍ଚି ରହିବେ ।

କିନ୍ତୁ ଏବେ ସେମାନେ ତାଙ୍କୁ ବାହାର କରିଦେବାକୁ ଚାହୁଁଥିଲେ, ତାଙ୍କ କୁଡ଼ିଆରୁ, ତାଙ୍କ ଗାଁରୁ ଏବଂ ତାଙ୍କ ଜମିରୁ- ଯଦି ସେ ଏମିତି ଏକ କାଗଜ ଦେଖାଇ ପାରିବେନି, ଯେଉଁଥିରୁ କି ଯାହା ସବୁ ସେ ଜାଣିଛନ୍ତି, ତାହା ପ୍ରମାଣିତ ହେବ । ଏତିକି ଯଥେଷ୍ଟ ନୁହେଁ ଯେ ତାଙ୍କ ବାପା ତାଙ୍କୁ ବିଭିନ୍ନ ଗଛ ଏବଂ ଗୁଳ୍ମର ନାଁ କହିଥିଲେ, କେଉଁ ଗଛର ବକଳ ଏବଂ ପତ୍ରରେ ରୋଗ ଭଲ କରିବାର ଶକ୍ତି ଅଛି ତାହାବି ଶିଖାଇଥିଲେ । ସବୁଥର, ମାଆଙ୍କ ସହିତ ଜଙ୍ଗଲରୁ ଫଳ, କୋଳି ଏବଂ ଜାଳେଣି କାଠ ଆଣିବାକୁ ଯାଇଥିବା ବେଳେ ମାଆ ତାଙ୍କୁ ସେହି ଗଛଟିକୁ ଦେଖାଇ ଦିଅନ୍ତି, ଯାହା ତଳେ ସେ ଜନ୍ମ ନେଇଥିଲେ । ତାଙ୍କ ଜେଜେମାଆ ତାଙ୍କୁ ଜଙ୍ଗଲ ସଂପର୍କରେ ଗୀତ ଶିଖାଇଥିଲେ । ଏଇ ଜାଗାରେ, ପକ୍ଷୀମାନଙ୍କୁ ଦେଖି ଦେଖି, ସେମାନଙ୍କ ସ୍ଵରର ନକଲ କରି ସେ ତାଙ୍କ ଭାଇଙ୍କ ସହ କେତେ ବୁଲିଛନ୍ତି ।

କିନ୍ତୁ ଏଭଳି ଜ୍ଞାନ, ଏଇ ସବୁ କାହାଣୀ, ଗୀତ ଆଉ ପିଲାଦିନର ଖେଳ କ’ଣ କୌଣସି କଥାର ପ୍ରମାଣ ହୋଇପାରିବ? ସେ ସେଠାରେ ବସି ତାଙ୍କ ନାଁର ଅର୍ଥ ଖୋଜିଲେ ଏବଂ ସେଇ ମହିଳାଙ୍କ ସଂପର୍କରେ ଭାବିଲେ ଯାହାଙ୍କର ନାଁ ଅନୁସାରେ ତାଙ୍କୁ ନାଁ ଦିଆଯାଇଥିଲା । ଦେମତି, ଏଇ ନାଁରୁ କେମିତି ପ୍ରମାଣିତ ହୋଇଥିବ ଯେ ସେ ଏହି ଜଙ୍ଗଲର ବୋଲି ?

ସୁଧନ୍ଵା ଦେଶପାଣ୍ଡେଙ୍କ କଣ୍ଠରେ ଗୀତଟି ଶୁଣନ୍ତୁ

ନୂଆପଡ଼ା ଜିଲ୍ଲାର ସାଲିହା ଗାଁରେ ଜନ୍ମ ନେଇଥିବାରୁ ‘ସାଲିହାନ’ ନାଁରେ ପରିଚିତ ଦେମତି ଦେଇ ଶବର । ୨୦୦୨ରେ, ସେ ୯୦ ବର୍ଷ ବୟସରେ ପାଦ ଥାପିବାକୁ ଯାଉଥିବା ସମୟରେ, ପି. ସାଇନାଥ ତାଙ୍କୁ ସାକ୍ଷାତ କରିଥିଲେ । (ସେଇ ଲେଖାର ଲିଙ୍କ୍‌ ତଳେ ଦିଆଯାଇଛି) । ତାଙ୍କର ସେହି ଅବିଶ୍ଵସନୀୟ ସାହସକୁ ପୁରସ୍କାର ମିଳିନାହିଁ, ଏବଂ ତାଙ୍କ ଗାଁ ବାହାରେ ପ୍ରାୟତଃ ଲୋକେ ତାଙ୍କୁ ଭୁଲିଯାଇଛନ୍ତି,, ଏବେ ସେ ନିହାତି ଦରିଦ୍ର ଅବସ୍ଥାରେ ରହିଛନ୍ତି ।

ବିଶ୍ଵରୂପ ଦର୍ଶନ*


ସେ ସେଠି ବସିଥିଲେ, ହସୁଥିଲେ,

ଚିତ୍ର ଭିତରେ

ତାଙ୍କର ସେଇ ଛୋଟ କୁଡ଼ିଆଟିର

କାଦୁଅ ଲିପା ଏରୁଣ୍ଡିବନ୍ଧରେ।

ତାହା ଥିଲା ତାଙ୍କର ସେଇ ହସ

ଯାହା ରଙ୍ଗ ଭରୁଥିଲା

ଅଯତ୍ନରେ ଗୁଡ଼େଇ ହୋଇଥିବା

ତାଙ୍କ କୁଙ୍କୁମ ରଙ୍ଗର ଶାଢ଼ିକୁ

ଆଉ ଟିକେ ଗାଢ଼ କରୁଥିଲା।

ତାହା ଥିଲା ତାଙ୍କର ସେଇ ହସ

ଯାହା ତାଙ୍କ

ଅନାବୃତ କାନ୍ଧ ଉପରର

ପରିଣତ ଚର୍ମ

ଏବଂ ହଂସୁଲି ହାଡ଼କୁ

ଚମକାଉଥିଲା, ରୁପା ଭଳି ଚକମକ ।

ତାହା ଥିଲା ତାଙ୍କର ସେଇ ହସ

ଯାହା ଚିହ୍ନାଇ ଦେଉଥିଲା

ତାଙ୍କ ହାତ ଉପରେ

ଚିତାର ସବୁଜ

ରେଖାବିନ୍ୟାସ ।

ତାହା ଥିଲା ତାଙ୍କର ସେଇ ହସ

ଯାହା ମେଲି ଦେଉଥିଲା

ତାଙ୍କର ସେ ଅସଜଡ଼ା

ପୀତ ଧୂସର କେଶଗୁଚ୍ଛକୁ

ସାଗରର ଢେଉ ଭଳି।

ତାହା ଥିଲା ତାଙ୍କର ସେଇ ହସ

ଯାହା ତାଙ୍କ ଆଖିର

ମୋତିଆବିନ୍ଦୁ ଆଢୁଆଳରେ ଦବିଯାଇଥିବା

ପୁରୁଣା ସ୍ମୃତିରେ ଚମକ ଭରୁଥିଲା।

ବହୁତ ସମୟ ହେଲା

ମୁଁ ତାଙ୍କ ମୁହଁକୁ ଚାହିଁ ରହିଥିଲି

ବୃଦ୍ଧା ଦେମତି ହସୁଥିଲେ

ଦାନ୍ତ ସବୁ ଓହଳି ରହିଥିଲେ

ଖୋଲାମୁହଁର ଆଗପଟେ

ବଡ଼ ବଡ଼ ଦୁଇଟି ଛାମୁଦାନ୍ତ ମଝିରେ

ସେ ମତେ ଟାଣିନେଲେ

ତାଙ୍କ ଭୋକିଲା ପେଟର

ଅତଳ ଗଭୀରତାକୁ


ଏକ ଉତ୍ତପ୍ତ ଅନ୍ଧକାର

ଯେତେ ଦୂର ଯାଏ ଆଖି ଦେଖିପାରୁଥିଲା

ଏବଂ ତା’ଠାରୁ ଆହୁରି ଦୂରରେ।

ନା ଥିଲା ଦିବ୍ୟ ମୁକୁଟ

ନା ଥିଲା କିରୀଟ

ନା ଗଦା,

ନା ଚକ୍ର

ଗୋଟିଏ ଲାଠି ଧରି

ଲକ୍ଷ ଲକ୍ଷ ସୂର୍ଯ୍ୟଙ୍କ ଆଲୋକର ଦୀପ୍ତିରେ

ଆଖି ଝଲସାଇ

ଠିଆ ହୋଇଥାଏ ଏକ ଭଙ୍ଗୁର ଶରୀରର ଢାଞ୍ଚା ଦେମତି

ଆଉ ତାଙ୍କଠାରୁ ବାହାରି

ଅଦୃଶ୍ୟ ହୋଇଯାଉଥାଏ

ଏଗାରଟି ରୁଦ୍ର

ବାରଟି ଅଦିତ୍ୟ

ବାସୁଙ୍କ ଆଠ ପୁଅ

ଦୁଇ ଅଶ୍ଵିନୀ କୁମାର

ଅଣଚାଶ ମାରୁତି

ଗନ୍ଧର୍ବ ଗଣ

ଯକ୍ଷଗଣ

ଅସୁର

ଏବଂ ସମସ୍ତ ବୁଦ୍ଧିଦୀପ୍ତ ମୁନିଋଷି

ତାଙ୍କଠାରୁ ଜନ୍ମ ନେଇଥିଲେ

ଚାଳିଶ ଜଣ ସାଲିହା କନ୍ୟା

ଆଠ ନିୟୁତ ଚାରି ଶହ ହଜାର ଚାରଣ କନ୍ୟା**

ସବୁ ବିଦ୍ରୋହ

ସବୁ ବିପ୍ଲବ

ସବୁ ସ୍ଵପ୍ନାବିଷ୍ଟ ସ୍ଵପ୍ନ ଦେଖାଳି

ସବୁ କ୍ରୋଧ ଓ ପ୍ରତିବାଦର ସ୍ଵର

ସବୁ ଅଦମନୀୟ ପାହାଡ଼

ଆରାବଳୀ

ଗିର୍‌ନାର ପର୍ବତ।

ତାଙ୍କଠାରୁ ଜନ୍ମ ନେଇ

ତାଙ୍କଠାରେ ବିଲୀନ

ମାଆ, ବାପା,

ମୋର ସମଗ୍ର ସଂସାର!

ଲେଖିକାଙ୍କ ଦ୍ଵାରା ତାଙ୍କ ମୂଳ ଗୁଜରାଟି କବିତାରୁ ଅନୁଦିତ

ଦେମତିଙ୍କ ସଂପର୍କିତ ମୂଳ ଲେଖାକୁ ଆପଣ ଏଠାରେ ପଢ଼ିପାରିବେ

ଧ୍ଵନି: ସୁଧନ୍ଵା ଦେଶପାଣ୍ଡେ, ‘ଜନ ନାଟ୍ୟ ମଞ୍ଚ’ର ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶିକା ଏବଂ ‘ଲେଫ୍‌ଟୱାର୍ଡ ବୁକ୍‌ସ’ର ଜଣେ ସଂପାଦିକା

ପ୍ରଚ୍ଛଦ ଅଙ୍କନ: ଲାବଣୀ ଜାଙ୍ଗି, ମୂଳତଃ ପଶ୍ଚିମ ବଙ୍ଗ ନଦିଆ ଜିଲ୍ଲାର ଏକ କ୍ଷୁଦ୍ର ସହର ନିବାସୀ, କୋଲକାତାର ସେଣ୍ଟର ଫର୍‌ ଷ୍ଟଡିଜ୍‌ ଇନ୍‌ ସୋସିଆଲ୍‌ ସାଇନ୍‌ସେସ୍‌ରେ ବଙ୍ଗାଳୀ ଶ୍ରମିକଙ୍କ ପ୍ରବାସନ ଉପେ ପିଏଚ୍‌ଡି ଡିଗ୍ରୀ ପାଇଁ ଅଧ୍ୟୟନରତ । ସେ ଜଣେ ଆତ୍ମଶିକ୍ଷିତ ଚିତ୍ରକର ଏବଂ ଯାତ୍ରା କରିବାକୁ ଭଲ ପାଆନ୍ତି

*ବିଶ୍ଵରୂପ ଦର୍ଶନ- ଭଗବତ ଗୀତାର ଏକାଦଶ ଅଧ୍ୟାୟରେ ଅର୍ଜୁନଙ୍କୁ କୃଷ୍ଣଙ୍କ ବାସ୍ତବ ଓ ଶାଶ୍ଵତ ରୂପ ପ୍ରଦର୍ଶନ । ଏହି ଅଧ୍ୟାୟର ବର୍ଣ୍ଣନା କରାଯାଇଛି ଯେ ଏହି ରୂପ ହିଁ ନିୟୁତ ସଂଖ୍ୟକ ଆଖି, ପାଟି, ହାତରେ ବିଭିନ୍ନ ପ୍ରକାରର ଅସ୍ତ୍ରଧାରଣ ପୂର୍ବକ ଅନନ୍ତ ବିଶ୍ଵର ସବୁ ଦେବଦେବୀଙ୍କ ରୂପ ସମ୍ମିଳିତ ସମସ୍ତ ଜୀବ ଓ ଜଡ଼ର ସବୁ ଆକୃତିର ସମାହାର ।

**ଚାରଣ କନ୍ୟା ଜାଭରଚନ୍ଦ ମେଘନାନୀଙ୍କ ରଚିତ ଅନ୍ୟତମ ବିଶିଷ୍ଟ ଗୁଜରାଟୀ କବିତା, ଯେଉଁଥିରେ ଗୁଜରାଟର ଚାରଣ ଜନଜାତିର ଜଣେ ୧୪ ବର୍ଷୀୟା ବାଳିକା ହାତରେ ବାଡ଼ିଟିଏ ଧରି ତାଙ୍କ ବସ୍ତିରେ ଆକ୍ରମଣ କରିବାକୁ ଆସିଥିବା ଗୋଟିଏ ସିଂହକୁ ଘଉଡ଼ାଇ ଦିଏ ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Pratishtha Pandya

Pratishtha Pandya is a poet and a translator who works across Gujarati and English. She also writes and translates for PARI.

Other stories by Pratishtha Pandya