ଦେବାହାଲା ଚକମାଙ୍କ ଜନ୍ମ ସମୟରେ କଳା ବାଦଲରେ ଢାଙ୍କି ହୋଇଯାଇଥିଲା ବିଷଣ୍ଣ ଆକାଶ । ତେଣୁ ବାପା-ମାଆ ତାଙ୍କ ପାଇଁ ନାଁଟିଏ ବାଛିଲେ, ସେମାନଙ୍କ ଚକମା ଭାଷାରେ ଯାହାର ଅର୍ଥ ‘ଅନ୍ଧକାରମୟ ଆକାଶ’ । ସାରା ଜୀବନ ପାଇଁ ଦେବାହାଲାଙ୍କ ସହ ରହିଗଲା ସେଇ ଅନ୍ଧକାର – ତିନି ବର୍ଷ ବୟସରେ ହାଡ଼ଫୁଟିରେ ଆକ୍ରାନ୍ତ ହେଲା ପରେ ତାଙ୍କୁ କିଛି ଦିଶିଲା ନାହିଁ ଏବଂ ପରେ ପରେ ପ୍ରବଳ ଝାଡ଼ାବାନ୍ତି ଯୋଗୁଁ ତାଙ୍କୁ ଅନ୍ଧାରକଣା ହୋଇଗଲା ଏବଂ କାଳକ୍ରମେ ସେ ସଂପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଲେ ।

କିନ୍ତୁ ଏଥିରେ ନିରାଶ ହୋଇପଡ଼ିଲେନି ଦେବାହାଲା ଏବଂ ୧୬ ବର୍ଷ ବୟସରେ ନିଜେ ନିଜକୁ ବାଉଁଶ ଟୋକେଇ ତିଆରିର କଳା ଶିଖାଇଲେ । ଏବେ ତାଙ୍କୁ ୬୫ ବର୍ଷ ଏବଂ ସେ କହନ୍ତି, “ବାଉଁଶ ପାତିଆରେ କିପରି ବିଭିନ୍ନ ଆକୃତି ବୁଣିହେବ ତାହା ମୁଁ ନିଜେ ନିଜେ ଶିଖିଲି । ଯୁବାବୟସରେ ମୋର ବାଉଁଶ ଘରଟିଏ ତିଆରି କରିବା ଭଳି ଯଥେଷ୍ଟ ଶକ୍ତି ଥିଲା ।”

ମିଜୋରାମର ମାମିତ ଜିଲ୍ଲା ଅନ୍ତର୍ଗତ ଜଲନୁଆମ୍‌ ବ୍ଲକ୍‌ର ୩,୫୩୦ ଲୋକସଂଖ୍ୟା ବିଶିଷ୍ଟ ଏକ ଗାଁ ରାଜୀବନଗରରେ ଦେବାହାଲା ରହନ୍ତି । ସେ ଅଧିସୂଚିତ ଜନଜାତି ଚକମା ସଂପ୍ରଦାୟର । ସେମାନଙ୍କ ମଧ୍ୟରୁ ବହୁତ ଲୋକ ବୌଦ୍ଧ ଧର୍ମାବଲମ୍ବୀ ଏବଂ ଚାଷବାସ ସେମାନଙ୍କର ମୁଖ୍ୟ ଜୀବିକା । ଜିଲ୍ଲାର ପାହାଡ଼ଗୁଡ଼ିକରେ ଉର୍ବର ମାଟି ରହିଛି, ଯେଉଁଥିରେ ଅନେକ ଲୋକ ଝୁମ୍‌ ବା ବଦଳ ପଦ୍ଧତିରେ ଚାଷ କରି ଏବଂ ମକା, ଧାନ, ରାଶି, ଗୁଆ, ସପୁରୀ ଏବଂ ଅନ୍ୟାନ୍ୟ ଫସଲ ଉପୁଜାନ୍ତି । ଏଥିରେ ମଧ୍ୟ ଘଞ୍ଚ ବାଉଁଶ ଜଙ୍ଗଲ ଏବଂ ଝାଡୁ ତିଆରିରେ ବ୍ୟବହୃତ ଗଛ ରହିଛି ଯାହା କି ସ୍ଥାନୀୟ ଅର୍ଥନୀତିର ମୂଳପିଣ୍ଡ ।

ଭିଡିଓ ଦେଖନ୍ତୁ:‘ମୁଁ ସବୁକିଛି ବୁଣି ପାରିବି- କେବଳ ବୁଣାଯାଇଥିବା ଆକୃତିକୁ ମୁଁ ଛୁଇଁବା ଦରକାର

ଦେବାହାଲା ଜଣେ ପ୍ରବୀଣ କାରିଗର ଏବଂ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ହେଲା ସେ ବାଉଁଶ ଟୋକେଇ ତିଆରି କରି ଜୀବିକା ଅର୍ଜନ କରିଆସୁଛନ୍ତି । ଏବେ ସେ ଅନ୍ୟମାନଙ୍କୁ ବାଉଁଶରେ ବୁଣିବା ଶିଖାଉଛନ୍ତି ଏବଂ ସେ କହନ୍ତି ଯେ ଥରେ ଛୁଇଁ ଦେଲେ ସେ ଯେ କୌଣସି ଆକାର ଅନୁରୂପ ବୁଣିପାରିବେ । “ମୁଁ ବିଭିନ୍ନ ପ୍ରକାରର ବାଉଁଶ ଟୋକେଇ ବୁଣିଥାଏ, ଯେମିତି କି ମାଛଧରିବାକୁ ମୁଗୁରା, କୁକୁଡ଼ା ଲାଗି ପଞ୍ଜୁରି ଭଳି ଟୋକେଇ ଏବଂ ବେତର ଟୁଲ୍‌ । ମୁଁ ମଧ୍ୟ କାଠିଗୁଡ଼ିକୁ ଏକାଠି ବାନ୍ଧି ଝାଡୁ ତିଆରି କରେ । ମୁଁ ପ୍ରାୟ ସବୁ ପ୍ରକାରର ବୁଣା କୌଶଳ ଜାଣିଛି ।”ତୋଲୋଇ ଟୋକେଇରୁ ଆରମ୍ଭ କରି ହୁଲୋ, ହାଲଂ, ଡୁଲୋ ଏବଂ ହାଜା ପର୍ଯ୍ୟନ୍ତ, ସବୁକିଛି ତିଆରି କରିପାରିବେ ଦେବାହାଲା ।

ଦେବାହାଲା କହନ୍ତି, “ମୋର ଚାରିଟି ପୁଅ ଓ ଗୋଟିଏ ଝିଅ । ସେମାନଙ୍କୁ ୧୮ ବର୍ଷ ବୟସ ହେଲା ପୂର୍ବରୁ ସବୁ ପୁଅ ବାହା ହୋଇଯାଇଛନ୍ତି ଏବଂ ଏବେ ଆମଠାରୁ ଅଲଗା ହୋଇ ରହୁଛନ୍ତି । ପରିବାରର ମାମୁଲି ରୋଜଗାର – ସ୍ଥାନୀୟ ବଜାରରେ ଟୋକେଇ ବିକି ଦେବାହାଲା ମାସକୁ ପ୍ରାୟ ୪,୦୦୦ ଟଙ୍କା ଆୟ କରନ୍ତି । ତାଙ୍କ ସ୍ତ୍ରୀ, ୫୯ ବର୍ଷୀୟା ଚନ୍ଦ୍ରମାଳା ପରିବାରର ଛୋଟ ଖଣ୍ଡେ ଚାଷଜମିରେ କାମ କରନ୍ତି ଏବଂ ୨୪ ବର୍ଷୀୟା ଝିଅ ଜୟଲଳିତା ଦୈନିକ ମଜୁରି ଭିତ୍ତିରେ କୃଷି ଶ୍ରମିକ ରୂପେ କାମ କରନ୍ତି ।

ପିଲାବେଳୁ ଦୃଷ୍ଟିଶକ୍ତି ହରାଇଥିଲେ ହେଁ ଦେବାହାଲା ଚଲାବୁଲା ଜାରି ରଖିଛନ୍ତି । ଅନେକ ସମୟରେ ସେ ବାଡ଼ି ଖଣ୍ଡିଏ ଧରି ନିଜେ ନିଜେ ଗାଁ ହାଟକୁ ଏବଂ ପାଖରେ ବା ଦୂରରେ ଥିବା ସ୍ଥାନକୁ ଚାଲି ଚାଲି ଯାଆନ୍ତି । ସେ କହନ୍ତି ଯେ, ଯଦି ତାଙ୍କ ସାଙ୍ଗରେ ପରିବାରର କେହି ଜଣେ ଅଛନ୍ତି, ତେବେ ଦରକାର ପଡ଼ିଲେ ସେ କିଛି ଦୂର ଯାଏଁ ଓଜନିଆ ଚାଉଳ ବସ୍ତା କିମ୍ବା ଜାଳେଣି କାଠବିଡ଼ା ବୋହି ନିଅନ୍ତି । ସେ କହନ୍ତି, “ବୟସ ଥିଲା ବେଳେ ମୁଁ ଆଲୋକକୁ ଅନୁଭବ କରିପାରୁଥିଲି, ଖାସ୍‌ କରି ଦିନରେ ସୂର୍ଯ୍ୟ ଆଲୁଅକୁ’’, “କିନ୍ତୁ ବୟସ ବଢ଼ିବା ସହିତ ମୋର ସେଇ ଅନୁଭବ ଶକ୍ତି କମିବାରେ ଲାଗିଛି ।”

ଏହି ଭିଡିଓରେ ଦେବାହାଲା ବାଉଁଶକୁ ଚିରି ଏବଂ ଖଣ୍ଡ ଖଣ୍ଡ କରି ପାତିଆ କରନ୍ତି, ଦକ୍ଷ ହାତରେ କୁକୁଡ଼ା ରଖିବା ଲାଗି ପଞ୍ଜୁରି ଭଳି ଟୋକେଇଟିଏ ତିଆରି କରୁଥାଆନ୍ତି ଏବଂ ତାଙ୍କ ଜୀବନ ସଂପର୍କରେ କହନ୍ତି । ଅନୌପଚାରିକ ଭାବେ ସେ କହନ୍ତି ଯେ, ବାଉଁଶ କାମରେ ତାଙ୍କର ବିଶେଷ ଦକ୍ଷତା ରହିଥିବା ସତ୍ତ୍ଵେ ତାଙ୍କ ପାଖରେ ଅସାଧାରଣ ପ୍ରତିଭା ରହିଛି ବୋଲି ସେ କେବେ ଅନୁଭବ କରିନାହାନ୍ତି କି ଏଥିପାଇଁ କେହି କେବେ ତାଙ୍କୁ ପ୍ରଶଂସା କରିନାହାନ୍ତି ।

PHOTO • Lokesh Chakma
PHOTO • Lokesh Chakma

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Lokesh Chakma

Lokesh Chakma is a documentary filmmaker in Mizoram and a field officer at The 1947 Partition Archive. He has a degree in Journalism & Mass Communication from Visva-Bharati University, Shantiniketan, and was a PARI intern in 2016.

Other stories by Lokesh Chakma