ଦୀପା ଯେତେବେଳେ ହସ୍ପିଟାଲ ଛାଡ଼ିଲେ, ସେ ଜାଣିନଥିଲେ ଯେ ତାଙ୍କ ଶରୀର ମଧ୍ୟରେ ଏକ କପର-ଟି ଭର୍ତ୍ତି କରାଯାଇଛି।

ସେ ତାଙ୍କର ଦ୍ୱିତୀୟ ପ୍ରସବରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଏବଂ ଏକ ବନ୍ଧ୍ୟାକରଣ କରିବାକୁ ଚାହୁଁଥିଲେ। କିନ୍ତୁ ସି-ସେକ୍ସନ୍ ସର୍ଜରୀ ମାଧ୍ୟମରେ ପ୍ରସବ କରାଯାଇଥିଲା ଏବଂ ଦୀପା କୁହନ୍ତି, “ଡାକ୍ତର ମୋତେ କହିଥିଲେ ଯେ ଉଭୟ ଅପରେସନ୍ ଏକ ସମୟରେ କରାଯାଇପାରିବ ନାହିଁ।”

ଡାକ୍ତର ଏହା ବଦଳରେ ଏକ କପର-ଟି ସୁପାରିଶ କରିଥିଲେ। ଦୀପା ଏବଂ ତାଙ୍କ ସ୍ୱାମୀ ନବୀନ (ସେମାନଙ୍କର ପ୍ରକୃତ ନାମ ନୁହେଁ) ଏହା କେବଳ ଏକ ପରାମର୍ଶ ବୋଲି ବିଶ୍ୱାସ କରିଥିଲେ।

୨୦୧୮ ମସିହା ମଇ ମାସରେ ପ୍ରସବ କରିବାର ପ୍ରାୟ ଚାରି ଦିନ ପରେ, ୨୧ ବର୍ଷୀୟା ଦୀପାଙ୍କୁ ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଦିନ୍‍ଦୟାଲ ଉପାଧ୍ୟାୟ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ନବୀନ କୁହନ୍ତି, "ଡାକ୍ତର ତାଙ୍କର ଶରୀରରେ ଏକ କପର-ଟି ଭର୍ତ୍ତି କରିବା ବିଷୟରେ ଆମେମାନେ ଅବଗତ ନଥିଲୁ।"

ପ୍ରାୟ ଏକ ସପ୍ତାହ ପରେ, ଯେତେବେଳେ ସେମାନଙ୍କ ଅଞ୍ଚଳର ଆଶା କର୍ମୀ ଦୀପାଙ୍କ ହସ୍ପିଟାଲ୍‌ର ଡିସଚାର୍ଜ ରିପୋର୍ଟ ପଢ଼ିଥିଲେ - ଯାହାକି ଦୀପା ଏବଂ ନବୀନ ପଢ଼ିନଥିଲେ - ସେତେବେଳେ ସେମାନେ କ’ଣ ଘଟିଥିଲା ତାହା ବିଷୟରେ ଜାଣିବାକୁ ପାଇଥିଲେ।

କପର-ଟି ହେଉଛି ଏକ ଇଣ୍ଟ୍ରାୟୁଟେରାଇନ୍ ଗର୍ଭନିରୋଧକ ଉପକରଣ (ଆଇୟୁଡି) ଯାହା ଗର୍ଭଧାରଣକୁ ଏଡ଼ାଇବା ପାଇଁ ଗର୍ଭାଶୟରେ ଭର୍ତ୍ତି କରାଯାଇଥାଏ। ୨୦୧୩ ମସିହାରୁ ଦୀପାଙ୍କ ଗାଁରେ ଆଶା (ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା) କର୍ମୀ ଭାବରେ କାର୍ଯ୍ୟ କରୁଥିବା ୩୬ ବର୍ଷୀୟା ସୁଶୀଲା ଦେବୀ ସ୍ପଷ୍ଟ କରିଛନ୍ତି, “ଏହା ଆଡଜଷ୍ଟ ହେବା ପାଇଁ ତିନି ମାସ ପର୍ଯ୍ୟନ୍ତ ସମୟ ନେଇପାରେ, ଏବଂ ବେଳେବେଳେ କେତେକଙ୍କ ପାଇଁ ଅଶ୍ୱସ୍ତିକର ହୋଇଥାଏ। ଏହି କାରଣରୁ ଆମେ ପ୍ରାୟତଃ ରୋଗୀମାନଙ୍କୁ ଡିସପେନସାରିରେ ନିୟମିତ ଯାଞ୍ଚ ପାଇଁ [ଛଅ ମାସ ପର୍ଯ୍ୟନ୍ତ]  ଆସିବାକୁ କହିଥାଉ।

କିନ୍ତୁ ଦୀପା ପ୍ରଥମ ତିନିମାସ ମଧ୍ୟରେ କୌଣସି ଅସୁବିଧା ଅନୁଭବ କଲେ ନାହିଁ, ଏବଂ ବଡ ପୁଅର ଅସୁସ୍ଥତାକୁ ନେଇ ବ୍ୟସ୍ତ ଥିବାରୁ ସେ ଚେକ୍ ଅପ୍ କରିବାକୁ ଯାଇ ନଥିଲେ। ସେ ଟିର ବ୍ୟବହାର ଜାରି ରଖିବାକୁ ସ୍ଥିର କରିଥିଲେ।

Deepa at her house in West Delhi: preoccupied with her son’s illness, she simply decided to continue using the T
PHOTO • Sanskriti Talwar

ପଶ୍ଚିମ ଦିଲ୍ଲୀର ନିଜ ଘରେ ଦୀପା: ନିଜ ପୁଅର ଅସୁସ୍ଥତାକୁ ନେଇ ବ୍ୟସ୍ତ, ସେ ଟିର ବ୍ୟବହାର ଜାରି ରଖିବାକୁ ସ୍ଥିର କରିଥିଲେ

ଠିକ୍ ଦୁଇ ବର୍ଷ ପରେ, ୨୦୨୦ ମସିହା ମଇ ମାସରେ, ଯେତେବେଳେ ଦୀପାଙ୍କର ଋତୁସ୍ରାବ ହୋଇଥିଲା, ଅତ୍ୟଧିକ ଯନ୍ତ୍ରଣା ସହିତ ଶାରୀରିକ ସମସ୍ୟା ଆରମ୍ଭ ହୋଇଥିଲା।

ଯେତେବେଳେ କିଛି ଦିନ ଧରି ଏହି ଯନ୍ତ୍ରଣା ଜାରି ରହିଲା, ସେ ତାଙ୍କ ଘରଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଦିଲ୍ଲୀର ବକ୍କାରୱାଲା ଅଞ୍ଚଳରେ ଥିବା ଏକ ଆମ୍ ଆଦମୀ ମୋହାଲା କ୍ଲିନିକ୍ (ଏଏଏମ୍‍ସି) କୁ ଯାଇଥିଲେ। ଦୀପା କୁହନ୍ତି, “ସେଠାରେ ଥିବା ଡାକ୍ତର ଉପଶମ ପାଇଁ ଔଷଧ ଦେଇଥିଲେ’’। ସେ ଏକ ମାସରୁ ଅଧିକ ସମୟ ତାଙ୍କ ସହିତ ପରାମର୍ଶ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଯେତେବେଳେ ମୋର ଅବସ୍ଥା ସୁଧୁରି ନଥିଲା, ସେତେବେଳେ ସେ ମୋତେ ବକ୍କାରୱାଲାର ଅନ୍ୟ ଏଏଏମ୍‍ସି ରେ ଜଣେ ମହିଳା ଡାକ୍ତରଙ୍କ ନିକଟକୁ ପଠାଇଥିଲେ’’।

ଦୀପା ଯାଇଥିବା ପ୍ରଥମ ବକ୍କାରୱାଲା ଏଏଏମ୍‍ସିର ଡାକ୍ତରଖାନା ଅଧିକାରୀ ଡକ୍ଟର ଅଶୋକ ହାନ୍ସଙ୍କ ସହ ମୁଁ ଯେବେ କଥା ହେଲି ସେ ତାଙ୍କ କଥା ମନେ ପକାଇ ପାରିଲେ ନାହିଁ - ମୁଁ ପ୍ରତିଦିନ ୨୦୦ ରୁ ଅଧିକ ରୋଗୀଙ୍କୁ ଦେଖେ। ସେ ମୋତେ କହିଥିଲେ’ "ଯଦି ଏପରି ମାମଲା ଆମ ପାଖକୁ ଆସେ ତେବେ ଆମେ ଚିକିତ୍ସା କରୁଛୁ।" "ଯଦି ଏହା କେବଳ ଋତୁସ୍ରାବ ସହିତ ଜଡ଼ିତ ତେବେ ଆମେ [ଅନିୟମିତତା] ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁ। ଅନ୍ୟଥା, ଆମେ ଅଲଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଇ ଅନ୍ୟ ସରକାରୀ ଡାକ୍ତରଖାନାଗୁଡ଼ିକୁ  ଯିବାପାଇଁ ସୁପାରିଶ କରୁଛୁ।" କ୍ଲିନିକ୍ ଶେଷରେ ଦୀପାଙ୍କୁ ଅଲଟ୍ରାସାଉଣ୍ଡ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲା।

ବକ୍କାରୱାଲାର ଅନ୍ୟ ଛୋଟ ଏଏଏମ୍‍ସିରେ ଡକ୍ଟର ଅମୃତା ନାଦର କୁହନ୍ତି, "ଯେତେବେଳେ ସେ ଏଠାକୁ ଆସିଥିଲେ, ସେ କେବଳ ମାସିକ ଋତୁସ୍ରାବ ଅନିୟମିତତା ବିଷୟରେ କହିଥିଲେ।’’ ଯାହା ଉପରେ ଆଧାର କରି ମୁଁ ତାଙ୍କର ପ୍ରଥମ ଗସ୍ତରେ ତାଙ୍କୁ ଆଇରନ୍‍ ଏବଂ କ୍ୟାଲସିୟମ୍ ଟାବଲେଟ୍ ଲେଖିଥିଲି। "ସେ କପର-ଟି ବ୍ୟବହାର କରିବା ବିଷୟରେ ଉଲ୍ଲେଖ କରିନଥିଲେ। ଯଦି ସେ କହିଥାଆନ୍ତେ, ଆମେ ହୁଏତ ଏକ ଅଲଟ୍ରାସାଉଣ୍ଡ ମାଧ୍ୟମରେ ଖୋଜିବାକୁ ଚେଷ୍ଟା କରିଥାନ୍ତୁ। କିନ୍ତୁ ସେ ପୂର୍ବ ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖାଇଥିଲେ ଯେଉଁଠାରେ ସବୁକିଛି ସ୍ୱାଭାବିକ ଥିଲା।" ଦୀପା ଯଦିଓ କୁହନ୍ତି ଯେ ସେ ଡାକ୍ତରଙ୍କୁ କପର-ଟି ବିଷୟରେ କହିଥିଲେ।

୨୦୨୦ ମସିହା ମଇ ମାସର ଋତୁସ୍ରାବ ସମୟରେ ପ୍ରବଳ ଯନ୍ତ୍ରଣା ପରେ ତାଙ୍କର ସମସ୍ୟା ବଢିଯାଇଥିଲା। ସେ କୁହନ୍ତି, "ସେହି ଚକ୍ର ପାଞ୍ଚ ଦିନ ମଧ୍ୟରେ ଶେଷ ହୋଇଥିଲା’ ଯାହାକି ମୋ ପାଇଁ ସ୍ୱାଭାବିକ ଥିଲା। "କିନ୍ତୁ ପରବର୍ତ୍ତୀ ମାସରେ, ମୋର ଅସ୍ୱାଭାବିକ ଭାବରେ ରକ୍ତସ୍ରାବ ଆରମ୍ଭ ହୋଇଥିଲା। ଜୁନ୍ ମାସରେ, ମୋର ୧୦ ଦିନ ଋତୁସ୍ରାବ ହୋଇଥିଲା। ପରବର୍ତ୍ତୀ ମାସରେ, ଏହା ୧୫ ଦିନକୁ ବୃଦ୍ଧି ପାଇଥିଲା। ଅଗଷ୍ଟ ୧୨ ଠାରୁ ଏହା ଏକ ମାସ ପର୍ଯ୍ୟନ୍ତ ଚାଲିଥିଲା।"

ପଶ୍ଚିମ ଦିଲ୍ଲୀର ନାଙ୍ଗଲୋଇ-ନାଜାଫଗଡ଼ ରୋଡ଼ରେ ଥିବା ତାଙ୍କ ଦୁଇ କୋଠରୀ ବିଶିଷ୍ଟ ସିମେଣ୍ଟ ଘରରେ ଏକ କାଠ ଶଯ୍ୟା ଉପରେ ବସି ଦୀପା ଆହୁରି ମଧ୍ୟ କହିଛନ୍ତି, "ମୁଁ ସେହି ଦିନଗୁଡ଼ିକରେ ଚଲାବୁଲା କରିବାରେ ଅତ୍ୟଧିକ ଦୁର୍ବଳ ଅନୁଭବ କରୁଥିଲି। ଏପରିକି ଚାଲିବା ମଧ୍ୟ ଏକ ସଂଘର୍ଷ ଥିଲା। ମୋ ମୁଣ୍ଡ ବୁଲାଉଥିଲା, ମୁଁ କେବଳ ଶୋଉଥିଲି, ମୁଁ କୌଣସି କାମ କରିବାକୁ ସକ୍ଷମ ହେଉନଥିଲି। ବେଳେବେଳେ, ତଳିପେଟ ଅଞ୍ଚଳରେ ତୀବ୍ର ଯନ୍ତ୍ରଣା ହେଉଥିଲା। ପ୍ରାୟତଃ, ମୋତେ ଦିନକୁ ଚାରିଥର ମୋର ପୋଷାକ ବଦଳାଇବାକୁ ପଡୁଥିଲା କାରଣ ସେଗୁଡ଼ିକ ପ୍ରବଳ ରକ୍ତସ୍ରାବରୁ ଭିଜି ଯାଇଥିଲା। ବେଡ଼ସିଟଗୁଡ଼ିକ ମଧ୍ୟ ଖରାପ ହୋଇଯାଉଥିଲା।"

Deepa and Naveen with her prescription receipts and reports: 'In five months I have visited over seven hospitals and dispensaries'
PHOTO • Sanskriti Talwar

ଦୀପା ଏବଂ ନବୀନ ତାଙ୍କ ପ୍ରେସ୍‌କ୍ରିପସନ୍ ରସିଦ ଏବଂ ରିପୋର୍ଟ ସହିତ: ‘ପାଞ୍ଚ ମାସ ମଧ୍ୟରେ ମୁଁ ସାତୋଟି ହସ୍ପିଟାଲ ଏବଂ ଡିସପେନସାରିଜକୁ ଯାଇସାରିଛି’

୨୦୨୦ ମସିହା ଜୁଲାଇ ଏବଂ ଅଗଷ୍ଟ ମାସରେ, ଦୀପା ଦୁଇଥର ଛୋଟ ବକ୍କାରୱାଲା କ୍ଲିନିକ୍‌କୁ ଯାଇଥିଲେ। ଉଭୟ ଥର ସେଠାରେ ଥିବା ଡାକ୍ତର ଟାବଲେଟ୍ ଖାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଡାକ୍ତର ଅମୃତା ମୋତେ କହିଲେ, "ଆମେ ପ୍ରାୟତଃ ଋତୁସ୍ରାବ ଅନିୟମିତତା ଥିବା ରୋଗୀଙ୍କୁ ଔଷଧ ଲେଖିବା ପରେ ଏକ ମାସ ପରେ ସେମାନଙ୍କ ଚକ୍ରକୁ ଟ୍ରାକ୍ କରିବାକୁ କହିଥାଉ। ଆମେ କ୍ଲିନିକଗୁଡ଼ିକରେ କେବଳ ମୌଳିକ ଚିକିତ୍ସା ଦେବାରେ ସକ୍ଷମ ଅଟୁ। ଅଧିକ ଚିକିତ୍ସା ପାଇଁ ମୁଁ ସରକାରୀ ଡାକ୍ତରଖାନାରେ ସ୍ତ୍ରୀ ରୋଗ ବିଶେଷଜ୍ଞ ବିଭାଗକୁ ଯିବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲି।

ଏହା ପରେ ଦୀପା ୨୦୨୦ ମସିହା ଅଗଷ୍ଟ ମାସର ମଧ୍ୟଭାଗରେ ରଘୁବୀର ନାଗରର ଗୁରୁ ଗୋବିନ୍ଦ ସିଂ ହସ୍ପିଟାଲକୁ (ତାଙ୍କ ଘରୁ ପ୍ରାୟ ୧୨ କିଲୋମିଟର ଦୂର) ଏକ ବସ୍‌ରେ ଯାଇଥିଲେ। ଏହି ଡାକ୍ତରଖାନାର ଡାକ୍ତର ନିରାକରଣରେ ‘ମେନୋରେଜିଆ’କୁ ଉଲ୍ଲେଖ କରିଥିଲେ - ଋତୁସ୍ରାବ ଯେଉଁଥିରେ ଅସ୍ୱାଭାବିକ ଭାବରେ ଅଧିକ କିମ୍ବା ଦୀର୍ଘ ରକ୍ତସ୍ରାବ ହୋଇଥାଏ।

ଦୀପା କୁହନ୍ତି, "ଦୁଇଥର ମୁଁ ଏହି ଡାକ୍ତରଖାନାର ସ୍ତ୍ରୀ ରୋଗ ବିଶେଷଜ୍ଞ ବିଭାଗକୁ ଯାଇଥିଲି"। "ପ୍ରତ୍ୟେକ ଥର ସେମାନେ ଦୁଇ ସପ୍ତାହ ପାଇଁ ଔଷଧ ଲେଖିଥିଲେ। କିନ୍ତୁ ଯନ୍ତ୍ରଣା ବନ୍ଦ ହୋଇନଥିଲା।"

୨୪ ବର୍ଷୀୟା ଦୀପା ଯିଏକି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତିରେ ବିଏ ଡିଗ୍ରୀ ହାସଲ କରିଛନ୍ତି। ଯେତେବେଳେ ତାଙ୍କ ପିତାମାତା କାମ ସନ୍ଧାନରେ ବିହାରର ମୁଜାଫରପୁରରୁ ଦେଶର ରାଜଧାନୀକୁ ସ୍ଥାନାନ୍ତର ହୋଇଥିଲେ ସେତେବେଳେ ତାଙ୍କୁ ପ୍ରାୟ ତିନିମାସ ହୋଇଥିଲା। ତାଙ୍କ ପିତା ଏକ ପ୍ରିଣ୍ଟିଂ ପ୍ରେସରେ କାମ କରୁଥିଲେ ଏବଂ ବର୍ତ୍ତମାନ ଏକ ଛୋଟ ଷ୍ଟେସନାରୀ ଦୋକାନ ଚଳାଉଛନ୍ତି।

ତାଙ୍କ ସ୍ୱାମୀ ୨୯ ବର୍ଷୀୟ ନବୀନ, ଯିଏ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି, ସେ ରାଜସ୍ଥାନର ଡାଉସା ଜିଲ୍ଲାର ଅଟନ୍ତି ଏବଂ ତାଲାବନ୍ଦ ହେବା ପର୍ଯ୍ୟନ୍ତ ସେ ଦିଲ୍ଲୀରେ ଏକ ସ୍କୁଲ ବସ୍ ସେବକ ଭାବରେ କାର୍ଯ୍ୟ କରୁଥିଲେ।

୨୦୧୫ ମସିହା ଅକ୍ଟୋବରରେ ଏହି ଦମ୍ପତି ବିବାହ କରିଥିଲେ ଏବଂ କିଛି ସମୟ ପରେ ଦୀପା ସେମାନଙ୍କର ପ୍ରଥମ ପୁଅକୁ ଜନ୍ମ ଦେଇଥିଲେ। ପରିବାରର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ସେ କେବଳ ଗୋଟିଏ ସନ୍ତାନ କରିବାକୁ ଚାହୁଁଥିଲେ। ହେଲେ ତାଙ୍କ ପୁଅ ମାତ୍ର ଦୁଇମାସ ବୟସରୁ ଅସୁସ୍ଥ ହୋଇପଡ଼ିଥିଲା।

ତାଙ୍କର [ସ୍ଥାୟୀ] ଡବଲ୍ ନିମୋନିଆ ଅଛି। ସେ କୁହନ୍ତି, "ଏପରି କିଛି ଦିନ ଥିଲା ଯେତେବେଳେ ଆମେ ତାର ଚିକିତ୍ସା ପାଇଁ ଡାକ୍ତରଙ୍କ ମାଗିବା ଅନୁସାରେ, ହଜାର ହଜାର ଟଙ୍କାର ଫିସ୍‍ ଦେଇଥିଲୁ। ଥରେ ହସ୍ପିଟାଲର ଜଣେ ଡାକ୍ତର ତାର ଅବସ୍ଥାକୁ ଦୃଷ୍ଟିରେ ରଖି ଆମକୁ କହିଥିଲେ ଯେ ତାର ବଞ୍ଚିବା କଷ୍ଟକର। ସେତେବେଳେ ଆମର ପରିବାର ସଦସ୍ୟମାନେ ଆମର ଆଉ ଏକ ସନ୍ତାନ ହେଉ ବୋଲି ଜିଦ୍ ଧରିଥିଲେ।"

The couple's room in their joint family home: 'I felt too weak to move during those days. It was a struggle to even walk. I was dizzy, I’d just keep lying down'
PHOTO • Sanskriti Talwar
The couple's room in their joint family home: 'I felt too weak to move during those days. It was a struggle to even walk. I was dizzy, I’d just keep lying down'
PHOTO • Sanskriti Talwar

ଦମ୍ପତିଙ୍କ ରୁମ୍‍ ସେମାନଙ୍କର ଯୌଥ ପରିବାର ମଧ୍ୟରେ: ‘ସେହି ଦିନଗୁଡ଼ିକରେ ମୁଁ ଚଲାବୁଲା କରିବାରେ ଦୁର୍ବଳ ଅନୁଭବ କରୁଥିଲି। ଏପରିକି ଚାଲିବା ମଧ୍ୟ ଏକ ସଂଘର୍ଷ ଥିଲା। ମୋର ମୁଣ୍ଡ ବୁଲାଉଥିଲା, ମୁଁ କେବଳ ଶୋଇ ରହୁଥିଲି’

ତାଙ୍କର ବିବାହ ପୂର୍ବରୁ, କିଛି ମାସ ଧରି ଦୀପା ଏକ ଘରୋଇ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟ କରି ମାସକୁ ୫୦୦୦ ଟଙ୍କା ରୋଜଗାର କରିଥିଲେ। ବଡ ପୁଅର ଅସୁସ୍ଥତା ହେତୁ ଶିକ୍ଷାଦାନ ଜାରି ରଖିବାର ତାଙ୍କର ଯୋଜନା ବନ୍ଦ ହୋଇଗଲା।

ସେ ବର୍ତ୍ତମାନ ପାଞ୍ଚ ବର୍ଷ ବୟସର, ଏବଂ କେନ୍ଦ୍ରୀୟ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ (ଆରଏମଏଲ) ରେ ମାଗଣା ଚିକିତ୍ସା କରାଉଛନ୍ତି, ଯେଉଁଠାକୁ ସେ ତାଙ୍କୁ ପ୍ରତି ତିନି ମାସରେ ଚେକ-ଅପ୍ ପାଇଁ ବସ୍‌ରେ ନେଇଥାନ୍ତି। ବେଳେବେଳେ, ତାଙ୍କ ଭାଇ ସେମାନଙ୍କୁ ମୋଟରସାଇକେଲରେ ନେଇଯାଆନ୍ତି।

୨୦୨୦ ମସିହା ସେପ୍ଟେମ୍ବର ୩ ତାରିଖରେ ଆରଏମଏଲକୁ ଏହିପରି ଏକ ଗସ୍ତରେ ସେ ଡାକ୍ତରଖାନାର ସ୍ତ୍ରୀ ରୋଗ ବିଶେଷଜ୍ଞ ବିଭାଗକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ - ସେହି ସମସ୍ୟାର ସମାଧାନ କରିବା ପାଇଁ ସେ ପୁଣି ଥରେ ଚେଷ୍ଟା କରିଥିଲେ ଯେଉଁ ସମସ୍ୟାଟିକୁ ଅନ୍ୟ ହସ୍ପିଟାଲ ଏବଂ କ୍ଲିନିକ୍‌ଗୁଡ଼ିକର ଡାକ୍ତରମାନେ କରିପାରି ନଥିଲେ।

ଦୀପା କୁହନ୍ତି, "[ବାରମ୍ବାର ଯନ୍ତ୍ରଣାର କାରଣ] ଜାଣିବା ପାଇଁ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ କରାଯାଇଥିଲା, କିନ୍ତୁ କିଛି ମିଳି ନଥିଲା"।  "ଡାକ୍ତର କପର-ଟି ମଧ୍ୟ ଖୋଜିଥିଲେ, କିନ୍ତୁ ତାହାର ମଧ୍ୟ କିଛି ସନ୍ଧାନ ପାଇଲେ ନାହିଁ। ସେ ମଧ୍ୟ ଔଷଧ ଲେଖି ମୋତେ ୨-୩ ମାସ ପରେ ପୁନର୍ବାର ଦେଖା କରିବାକୁ କହିଥିଲେ।"

ଅସ୍ୱାଭାବିକ ରକ୍ତସ୍ରାବ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିଲା, ସେପ୍ଟେମ୍ବର ୪ ତାରିଖରେ ଦୀପା ଏଥର ତାଙ୍କ ଅଞ୍ଚଳର ଏକ ଛୋଟ ଘରୋଇ କ୍ଲିନିକ୍‌ରେ ଆଉ ଜଣେ ଡାକ୍ତରଙ୍କୁ ଦେଖା କରିଥିଲେ। ଦୀପା କୁହନ୍ତି, "ସେଠାରେ ଥିବା ଡାକ୍ତର ମୋତେ ପଚାରିଥିଲେ ଯେ ଏତେ ରକ୍ତସ୍ରାବ ସତ୍ତ୍ୱେ ମୁଁ କିପରି ନିଜକୁ ପରିଚାଳନା କରୁଛି। ସେ ମଧ୍ୟ କପର-ଟି ଖୋଜିବାକୁ ଚେଷ୍ଟା କରିଥିଲେ କିନ୍ତୁ ପାଇ ନଥିଲେ’’। ସେ ସେଠାରେ ଚେକ୍‍ଅପ ପାଇଁ ୨୫୦ ଟଙ୍କା ଦେଇଥିଲେ। ସେହି ଦିନ ପରିବାର ସଦସ୍ୟଙ୍କ ପରାମର୍ଶ କ୍ରମେ ସେ ଏକ ଘରୋଇ ଲ୍ୟାବରେ ୩୦୦ ଟଙ୍କାରେ ପେଲଭିକ୍ ଏକ୍ସ-ରେ କରିଥିଲେ।

ରିପୋର୍ଟରେ ଦର୍ଶାଯାଇଛି: ‘କପର-ଟି ହେମିପେଲଭିସ୍ ଅଞ୍ଚଳରେ ଥିବା ସିତୁରେ ରହିଥିବାର ଦେଖାଯାଉଥିଲା’।

Deepa showing a pelvic region X-ray report to ASHA worker Sushila Devi, which, after months, finally located the copper-T
PHOTO • Sanskriti Talwar
Deepa showing a pelvic region X-ray report to ASHA worker Sushila Devi, which, after months, finally located the copper-T
PHOTO • Sanskriti Talwar

ଦୀପା ଆଶା କର୍ମୀ ସୁଶୀଲା ଦେବୀଙ୍କୁ ଏକ ପେଲଭିକ୍ ଅଞ୍ଚଳର ଏକ୍ସ-ରେ ରିପୋର୍ଟ ଦେଖାଉଥିଲେ, ଯେଉଁଥିରେ କି କିଛି ମାସ ପରେ ଶେଷରେ କପର-ଟି ଥିବାର ଜଣାପଡିଥିଲା

ପଶ୍ଚିମ ଦିଲ୍ଲୀର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋସ୍ନା ଗୁପ୍ତା ବୁଝାଇଛନ୍ତି, "ଡେଲିଭରି କିମ୍ବା ସି-ସେକ୍ସନ୍ ପରେ କପର-ଟି ଶୀଘ୍ର ଭର୍ତ୍ତି କରାଗଲେ ଏହା ଗୋଟିଏ ପାର୍ଶ୍ୱକୁ ଢଳିଯିବାର ବହୁତ ସମ୍ଭାବନା ରହିଥାଏ"। "ଏହାର କାରଣ ହେଉଛି ଯେ ଉଭୟ କ୍ଷେତ୍ରରେ ଗର୍ଭାଶୟ ଗହ୍ୱର ସେତେବେଳେ ବଢିଯାଏ ଏବଂ ନିଜକୁ ସ୍ୱାଭାବିକ କରିବାକୁ ସମୟ ନେଇଥାଏ। ଏହା କରିବା ସମୟରେ, ଭର୍ତ୍ତି ହୋଇଥିବା କପର-ଟି ଏହାର ଅକ୍ଷକୁ ବଦଳାଇ ଢଳିପାରେ। ଏହା ମଧ୍ୟ ହୋଇପାରେ ଯଦି ଋତୁସ୍ରାବ ସମୟରେ ଜଣେ ମହିଳା ଗୁରୁତର କଷ୍ଟ ଅନୁଭବ କରନ୍ତି ତେବେ ଏହା ସ୍ଥାନାନ୍ତର ହୋଇପାରେ କିମ୍ବା ଢଳିପାରେ।"

ଏଭଳି ଅଭିଯୋଗ ସାଧାରଣ, ଆଶା କର୍ମୀ ସୁଶୀଲା ଦେବୀ କରନ୍ତି। ସେ କୁହନ୍ତି, "ଆମେ ଅନେକ ମହିଳା କପର-ଟି ବିଷୟରେ ଅଭିଯୋଗ କରୁଥିବାର ଶୁଣିଛୁ। "ଅନେକ ଥର ସେମାନେ ଆମକୁ କୁହନ୍ତି ଯେ ଏହା ‘ସେମାନଙ୍କ ପେଟରେ ପହଞ୍ଚି ଯାଇଛି’ ଏବଂ ସେମାନେ ଏହାକୁ କାଢିବାକୁ ଚାହୁଁଛନ୍ତି।"

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୪ (୨୦୧୫-୧୬) ଟିପ୍ପଣୀରେ କେବଳ ୧.୫ ପ୍ରତିଶତ ମହିଳା ଆଇୟୁଡିକୁ ଗର୍ଭନିରୋଧକ ଭାବରେ ବ୍ୟବହାର କରିବାକୁ ପସନ୍ଦ କରିଛନ୍ତି। ଯେତେବେଳେ କି ଦେଶରେ ୧୫-୪୯ ବୟସ ମଧ୍ୟରେ ଥିବା ୩୬ ପ୍ରତିଶତ ମହିଳା ବନ୍ଧ୍ୟାକରଣକୁ ପସନ୍ଦ କରିଛନ୍ତି।

ଦୀପା କୁହନ୍ତି, "ମୁଁ ଅନ୍ୟମାନଙ୍କଠାରୁ ଶୁଣିଥିଲି ଯେ କପର-ଟି ସମସ୍ତ ମହିଳାଙ୍କୁ ସୁହାଇ ନଥାଏ ଏବଂ ସମସ୍ୟା ସୃଷ୍ଟି କରିପାରେ"। "କିନ୍ତୁ ଦୁଇ ବର୍ଷ ଧରି ମୋର କୌଣସି ସମସ୍ୟା ନଥିଲା।"

ଯନ୍ତ୍ରଣା ଏବଂ ଅତ୍ୟଧିକ ରକ୍ତସ୍ରାବ ସହିତ ମାସ ମାସ ଧରି ସଂଘର୍ଷ କରିବା ପରେ ଗତ ବର୍ଷ ସେପ୍ଟେମ୍ବରରେ ଦୀପା ଉତ୍ତର ପଶ୍ଚିମ ଦିଲ୍ଲୀର ପିତମ ପୁରାସ୍ଥିତ ସରକାରୀ ଭଗବାନ ମହାବୀର ହସ୍ପିଟାଲ ଯିବାକୁ ନିଷ୍ପତ୍ତି ନେଇଥିଲେ। ହସ୍ପିଟାଲ ସୁରକ୍ଷା ବିଭାଗରେ କାର୍ଯ୍ୟ କରୁଥିବା ଜଣେ ସମ୍ପର୍କୀୟ କୋଭିଡ -୧୯ ପରୀକ୍ଷା କରାଇ ସେଠାରେ ଥିବା ଡାକ୍ତରଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲେ। ତେଣୁ ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସେ ତାଙ୍କ ଘର ନିକଟ ଏକ ଡିସପେନସାରିରେ ପରୀକ୍ଷା କରାଇଥିଲେ।

ସେ ସଂକ୍ରମିତ ଥିବାର ଜଣା ପଡ଼ିଥିଲା ଏବଂ ପରବର୍ତ୍ତୀ ଦୁଇ ସପ୍ତାହ ପାଇଁ ତାଙ୍କୁ ସଂଗରୋଧରେ ରହିବାକୁ ପଡ଼ିଥିଲା। ସେ କୋଭିଡ ମୁକ୍ତ ନହେବା ପର୍ଯ୍ୟନ୍ତ କୌଣସି ହସ୍ପିଟାଲକୁ କପର-ଟି କାଢ଼ିବା ପାଇଁ ଯାଇପାରି ନଥିଲେ।

'We hear many women complaining about copper-T', says ASHA worker Sushila Devi; here she is checking Deepa's oxygen reading weeks after she tested positive for Covid-19 while still enduring the discomfort of the copper-T
PHOTO • Sanskriti Talwar

ଆଶା କର୍ମୀ ସୁଶୀଲା ଦେବୀ କୁହନ୍ତି, ‘ଆମେ ଅନେକ ମହିଳା କପର-ଟି ବିଷୟରେ ଅଭିଯୋଗ କରୁଥିବାର ଶୁଣିଛୁ; କୋଭିଡ -୧୯ ସଂକ୍ରମିତ ହେବା ପରେ ଏଠାରେ ସେ ଦୀପାଙ୍କ ଅମ୍ଳଜାନ ସ୍ତର ପ୍ରତି ସପ୍ତାହରେ ଯାଞ୍ଚ କରୁଛନ୍ତି, ତଥାପି କପର-ଟିର ଯନ୍ତ୍ରଣା ଦୂର କରିପାରୁନାହାନ୍ତି

୨୦୨୦ ମସିହା ମାର୍ଚ୍ଚ ମାସରେ ଯେତେବେଳେ ଭାରତରେ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା କରାଯାଇଥିଲା ଏବଂ ବିଦ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ କରାଯାଇଥିଲା, ସେତେବେଳେ ଏକ ସ୍କୁଲ ବସ୍‌ରେ କଣ୍ଡକ୍ଟର (ସହାୟକ) ଭାବରେ କାମ କରି ମାସକୁ ୭,୦୦୦ ଟଙ୍କା ରୋଜଗାର କରୁଥିବା  ତାଙ୍କ ସ୍ୱାମୀ ନବୀନ ନିଜର ରୋଜଗାର ହରାଇଥିଲେ। ଏବଂ ପାଞ୍ଚ ମାସ ପର୍ଯ୍ୟନ୍ତ କୌଣସି କାମ ପାଇନଥିଲେ। ଏହା ପରେ ସେ ସ୍ଥାନୀୟ କ୍ୟାଟେରରରେ ବେଳେବେଳେ ସହାୟକ ଭାବରେ କାମ କରି ଦିନକୁ ୫୦୦ ଟଙ୍କା ରୋଜଗାର କରୁଥିଲେ (ଏହା କେବଳ ଗତ ମାସ, ଅଗଷ୍ଟ ୨୦୨୧ ରେ, ସେ ବକ୍କାରୱାଲା ଅଞ୍ଚଳରେ ଏକ ପ୍ରତିମା ତିଆରି କାରଖାନାରେ ମାସକୁ ୫୦୦୦ ଟଙ୍କାରେ କାମ ପାଇଛନ୍ତି।)

ସେପ୍ଟେମ୍ବର ୨୫ ତାରିଖରେ, ଦୀପା କୋଭିଡ -୧୯ ମୁକ୍ତ ହୋଇଥିଲେ ଏବଂ ଭଗବାନ୍ ମହାବୀର ହସ୍ପିଟାଲ୍‌କୁ ଯିବାକୁ ଅପେକ୍ଷା କରିଥିଲେ। ଜଣେ ସମ୍ପର୍କୀୟ ସେଠାର ଡାକ୍ତରଙ୍କୁ ଦେଖାଇବା ପାଇଁ ତାଙ୍କର ଏକ୍ସ-ରେ ରିପୋର୍ଟ ନେଇଥିଲେ - ଯିଏ ମଧ୍ୟ କହିଥିଲେ ଯେ ଏହି ହସ୍ପିଟାଲ୍‌ରେ କପର-ଟି ବାହାର କରାଯାଇପାରିବ ନାହିଁ। ଏହା ପରିବର୍ତ୍ତେ, ତାଙ୍କୁ ଦୀନ୍‍ଦୟାଲ ଉପାଧ୍ୟାୟ ହସ୍ପିଟାଲ୍ (ଡିଡିୟୁ) କୁ ଫେରି ଯିବାକୁ କୁହାଯାଇଥିଲା - ଯେଉଁଠାରେ ୨୦୧୮ ମସିହା ମଇ ମାସରେ ଆଇୟୁଡି ଭର୍ତ୍ତି କରାଯାଇଥିଲା।

ଏହା ପରେ ଦୀପା ୨୦୨୦ ମସିହା ଅକ୍ଟୋବର ମାସର ପ୍ରଥମ ସପ୍ତାହ ଡିଡିୟୁ ହସ୍ପିଟାଲରେ ଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ ବିଭାଗକୁ ଯାଇଥିଲେ। ସେ ମନେପକାଇ କୁହନ୍ତି, "ମୁଁ ଡାକ୍ତରଙ୍କୁ କପର-ଟି ବାହାର କରିବାକୁ କହିଲି ଏବଂ ଏହା ବଦଳରେ ଏକ ବନ୍ଧ୍ୟାକରଣ ପାଇଁ ଅନୁରୋଧ କଲି। କିନ୍ତୁ ସେ ମୋତେ କହିଥିଲେ ଯେ କୋଭିଡ -୧୯ କାରଣରୁ ଡାକ୍ତରଖାନାରେ ବନ୍ଧ୍ୟାକରଣ ପ୍ରକ୍ରିୟା କରାଯାଉ ନାହିଁ।

ତାଙ୍କୁ କୁହାଯାଇଥିଲା ଯେ ହସ୍ପିଟାଲରେ ସେବା ଆରମ୍ଭ ହେବାପରେ ଯେତେବେଳେ ସେ ବନ୍ଧ୍ୟାକରଣ କରାଇବେ ସେହି ସମୟରେ କପର-ଟି କଢାଯାଇ ପାରିବ।

ଅଧିକ ଔଷଧ ଦିଆଯାଇଥିଲା। ଗତ ବର୍ଷ ଅକ୍ଟୋବର ମଧ୍ୟଭାଗରେ ଦୀପା ମୋତେ କହିଥିଲେ,"ଯଦି କୌଣସି ଅସୁବିଧା ଅଛି, ତେବେ ଆମେ ଏହାକୁ ନିୟନ୍ତ୍ରଣ କରିବୁ କିନ୍ତୁ ଔଷଧ ଦ୍ୱାରା ଏହାର ସମାଧାନ ହେବା ଉଚିତ୍।

(ଏହି ଖବରଦାତା ୨୦୨୦ ମସିହା ନଭେମ୍ବର ମାସରେ ଡିଡିୟୁ ହସ୍ପିଟାଲ୍‌ରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଓପିଡି ପରିଦର୍ଶନ କରି ଦୀପାଙ୍କ ବିଷୟରେ ବିଭାଗୀୟ ମୁଖ୍ୟଙ୍କ ସହ କଥା ହୋଇଥିଲେ, କିନ୍ତୁ ଡାକ୍ତର ସେଦିନ ଡ୍ୟୁଟିରେ ନଥିଲେ। ଉପସ୍ଥିତ ଅନ୍ୟ ଜଣେ ଡାକ୍ତର ମୋତେ ପ୍ରଥମେ ହସ୍ପିଟାଲର ଡାକ୍ତରୀ ନିର୍ଦ୍ଦେଶକଙ୍କ ଅନୁମତି ନେବାକୁ ପରାମର୍ଶ ଦେଇଥିଲେ। ନିର୍ଦ୍ଦେଶକଙ୍କ ସହ ଫୋନ୍ ଯୋଗେ କଥା ହେବାକୁ ମୁଁ ଏକାଧିକ ଥର ଚେଷ୍ଟା କରିଥିଲି, କିନ୍ତୁ କୌଣସି ଉତ୍ତର ମିଳିନଥିଲା।)

PHOTO • Priyanka Borar

‘ମୁଁ ନିଶ୍ଚିତ ନୁହେଁ ଯେ ସେ କପର-ଟି ବାହାର କରିବା ପାଇଁ କୌଣସି ଔଜାର [ଉପକରଣ ବ୍ୟବହାର କରିଥିଲେ] ....’ ଧାଈ ଜଣକ ମୋତେ କହିଥିଲେ ଯେ ଯଦି ମୁଁ ଏହାକୁ ଆଉ ଦୁଇମାସ ଭିତରେ କାଢି ନ ଥା’ନ୍ତି, ତେବେ ମୁଁ ମୋ ଜୀବନକୁ ବିପଦରେ ପକାଇଥା’ନ୍ତି’

ଦିଲ୍ଲୀର ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କୁହନ୍ତି, "ମହାମାରୀର ପରିଚାଳନା ଦିଗରେ ଧ୍ୟାନ ଦେବା କାରଣରୁ ସମସ୍ତ ସରକାରୀ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଥିଲା। ଯାହା ଏହି ସହରକୁ ପ୍ରବଳ ଆଘାତ ଦେଇଥିଲା।" "ଯେହେତୁ କେତେକ ହସ୍ପିଟାଲ କୋଭିଡ ହସ୍ପିଟାଲରେ ପରିଣତ ହୋଇଥିଲା, ପରିବାର ଯୋଜନା ସମେତ ନିତିଦିନିଆ ସେବା କ୍ଷତିଗ୍ରସ୍ତ ହୋଇଥିଲା। ସ୍ଥାୟୀ ପ୍ରଣାଳୀ ଯେପରିକି ବନ୍ଧ୍ୟାକରଣ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲା। କିନ୍ତୁ ସେହି ସମୟରେ ଅସ୍ଥାୟୀ ପଦ୍ଧତିଗୁଡ଼ିକର ଉପଲବ୍ଧତା ବୃଦ୍ଧି ପାଇଥିଲା। ଏହି ସେବାଗୁଡ଼ିକ ବଜାୟ ରଖିବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରିଥିଲୁ - ଯାହା କିଛିବି ଆମ ଦ୍ୱାରା ସମ୍ଭବ ଥିଲା।"

ଭାରତରେ ପ୍ରଜନନ ସ୍ୱାସ୍ଥ୍ୟ ସେବା ଫାଉଣ୍ଡେସନ୍‌ର କ୍ଲିନିକାଲ୍ ସେବାର ନିର୍ଦ୍ଦେଶକ ଡକ୍ଟର ରଶ୍ମି ଆର୍ଡି କୁହନ୍ତି, "ଗତ ବର୍ଷ ପରିବାର ଯୋଜନା ସେବା ଦୀର୍ଘ ସମୟ ପାଇଁ ସ୍ଥଗିତ ରହିଥିଲା, ଏହି ସମୟ ମଧ୍ୟରେ ଅନେକ ଗ୍ରାହକଙ୍କୁ ସେବା ପାଇଁ ପ୍ରତ୍ୟାଖ୍ୟାନ କରାଯାଇଥିଲା’’। “ବର୍ତ୍ତମାନ, ମୋଟାମୋଟି ଭାବେ, ଏହି ସେବାଗୁଡ଼ିକୁ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ସହିତ ପରିସ୍ଥିତି ନିଶ୍ଚିତ ଭାବରେ ବହୁତ ଭଲ ଅହିଛି। କିନ୍ତୁ ସେବା ଯୋଗାଣ ଏପର୍ଯ୍ୟନ୍ତ ମହାମାରୀ ପୂର୍ବସ୍ତରରେ ପହଞ୍ଚି ନାହିଁ। ଏହା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଉଛି’’।

ପରବର୍ତ୍ତୀ ସମୟରେ ତାଙ୍କ ସମସ୍ୟାର ସମାଧାନ କିପରି କରାଯିବ ସେଥିପାଇଁ ଗତ ବର୍ଷ ଅକ୍ଟୋବର ୧୦ତାରିଖରେ ଦୀପା ତାଙ୍କ ଅଞ୍ଚଳର ଜଣେ ଧାଈଙ୍କୁ ପରାମର୍ଶ କରିଥିଲେ। ସେ ତାଙ୍କୁ ୩୦୦ ଟଙ୍କା ଦେଇଥିଲେ ଏବଂ କପର-ଟି ଅପସାରଣ କରାଇଥିଲେ।

ସେ କୁହନ୍ତି, "ମୁଁ ନିଶ୍ଚିତ ନୁହେଁ ଯେ ସେ କୌଣସି ଔଜାର [ଉପକରଣ, କପର-ଟିକୁ ବାହାର କରିବା ପାଇଁ] ବ୍ୟବହାର କଲେ କି ନାହିଁ। ସେ ଥାଇପାରେ। ମୁଁ ଶୋଇଥିଲି। ସେ ଡାକ୍ତରୀ ପାଠ ପଢୁଥିବା ତାଙ୍କ ଝିଅର ସାହାଯ୍ୟ ନେଇଥିଲେ। ସେମାନଙ୍କୁ ପ୍ରାୟ ୪୫ ମିନିଟ୍ ସମୟ ଲାଗିଥିଲା"। "ଧାଈ ଜଣକ ମୋତେ କହିଥିଲେ ଯେ ଯଦି ମୁଁ ଏହାକୁ ଆଉ ଦୁଇମାସ ମଧ୍ୟରେ ହଟାଇ ନ ଥା’ନ୍ତି, ତେବେ ମୁଁ ମୋ ଜୀବନ ପ୍ରତି ବିପଦ ସୃଷ୍ଟି କରିଥା’ନ୍ତି।"

କପର-ଟି ଅପସାରଣ ପରେ ଦୀପାଙ୍କ ଅନିୟମିତ ଋତୁସ୍ରାବ ଏବଂ ଯନ୍ତ୍ରଣା ବନ୍ଦ ହୋଇଗଲା।

ତାଙ୍କ ଶଯ୍ୟାରେ ଥିବା ବିଭିନ୍ନ ହସ୍ପିଟାଲ ଏବଂ କ୍ଲିନିକଗୁଡ଼ିକର ସମସ୍ତ ପ୍ରେସକ୍ରିପସନ୍ ରସିଦ ଏବଂ ରିପୋର୍ଟର ସଜାଇ କରି ସେ ମୋତେ ୨୦୨୦ ମସିହା ସେପ୍ଟେମ୍ବର ମାସରେ କହିଥିଲେ: "ଏହି ପାଞ୍ଚ ମାସ ମଧ୍ୟରେ ମୁଁ ସାତୋଟି ହସ୍ପିଟାଲ ଏବଂ ଡିସପେନସାରି ଯାଇଥିଲି" ପ୍ରତ୍ୟେକ ଥର ଅତ୍ୟଧିକ ଟଙ୍କା ଖର୍ଚ୍ଚ କରିବା କଷ୍ଟକର ଥିଲା ଯେତେବେଳେ କି ତାଙ୍କର ଏବଂ ନବୀନଙ୍କର ପାଖରେ କୌଣସି କାମ ନଥିଲା।

ଦୀପା ଆଉ ଅଧିକ ସନ୍ତାନ ନ କରିବା ବିଷୟରେ ନିଶ୍ଚିତ ଅଟନ୍ତି ଏବଂ ତଥାପି ଏକ ବନ୍ଧ୍ୟାକରଣ କରିବାକୁ ଯୋଜନା କରିଛନ୍ତି। ଏବଂ ସେ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ଚାହୁଁଛନ୍ତି। ସେ କୁହନ୍ତି,"ମୁଁ [ଆବେଦନ] ଫର୍ମ ଆଣିଛି" ନିଜ ପରିବାରକୁ ସାହାଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ଆଗକୁ ବଢ଼ିବାକୁ ରଖିଛନ୍ତି ଆଶା, ଯାହା କି ସେ କୁହନ୍ତି ମହାମାରୀ ଏବଂ କପର-ଟି କାରଣରୁ ଅଟକି ଯାଇଛି।

ପରୀ  ଓ କାଉଣ୍ଟର ମେଡିଆ ଟ୍ରଷ୍ଟର  ସାରା ଦେଶରେ ଗ୍ରାମୀଣ ଭାରତର କିଶୋର ବାଳିକା ଓ ତରୁଣ ମହିଳାମାନଙ୍କ ଉପରେ ଗବେଷଣା ବିବରଣୀ ପ୍ରସ୍ତୁତ କରିବା ଯାହାକି ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆଙ୍କର ସହାୟତାରେ ଏହି ଗୁରୁତ୍ୱପୂର୍ଣ୍ଣ ତଥା ଅବହେଳିତ ବର୍ଗଙ୍କ ଅବସ୍ଥା ବିଷୟରେ ସେମାନଙ୍କଠାରୁ ଶୁଣି ଓ ସାଧାରଣ ଲୋକଙ୍କ ଜୀବନ୍ତ ଅନୁଭୂତିକୁ ଅନୁଭବ କରି ପରିପ୍ରକାଶ କରିବା ହେଉଛି ଲକ୍ଷ୍ୟ।

ଏହି ଅନୁଚ୍ଛେଦକୁ  ପୁନଃପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected] କୁ cc ସହିତ [email protected] କୁ ଲେଖନ୍ତୁ

ଅନୁବାଦ: ଓଡ଼ିଶାଲାଇଭ୍

Sanskriti Talwar

Sanskriti Talwar is an independent journalist based in New Delhi. She reports on gender issues.

Other stories by Sanskriti Talwar
Illustration : Priyanka Borar

Priyanka Borar is a new media artist experimenting with technology to discover new forms of meaning and expression. She likes to design experiences for learning and play. As much as she enjoys juggling with interactive media she feels at home with the traditional pen and paper.

Other stories by Priyanka Borar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE