‘ମୁଁ ଏକ ସ୍ୱେଟର ପିନ୍ଧିଥିଲି ଏବଂ ନିଜକୁ ଏକ କମ୍ବଳ ଦ୍ୱାରା ଆବୃତ୍ତ କରିଥିଲି। କିନ୍ତୁ ତଥାପି ମୋତେ ବହୁତ ଥଣ୍ଡା ଲାଗୁଥିଲା। ସେହି ଥଣ୍ଡାରାତିମାନଙ୍କରେ ଅଧିକାଂଶ ସମୟରେ ମୁଁ ଶୀତରେ ଥରୁଥିଲି। ’

ଡିସେମ୍ବର, ଜାନୁଆରୀ ଏବଂ ଫେବୃଆରୀ ମାସରେ ଶୀତଋତୁରେ ମାତ୍ର ବାର ବର୍ଷ ବୟସର ଜଣେ ବାଳକ ପ୍ରତିଦିନ କାମ କରିବାକୁ ଯାଉଥିଲେ। ଆଜି ମଧ୍ୟ କାମ କରୁଥିବା ଭାରତର ଅନ୍ୟ ହଜାର ହଜାର ପିଲାଙ୍କ ତୁଳନାରେ ତାଙ୍କ ପାଇଁ କ’ଣ ଭିନ୍ନ ଥିଲା?

‘ଶୀତଋତୁରେ ଚାଷଜମିକୁ କାମ କରିବାକୁ ଯିବା ଆରମ୍ଭ କରିବା ସମୟରେ ମୁଁ ଗାଁ ସ୍କୁଲରେ ୭ମ ବା ୮ମ ଶ୍ରେଣୀରେ ପଢୁଥିଲି। ରାତିରେ ଗହମକ୍ଷେତରେ ପାଣି ମଡ଼ାଇବାକୁ ପଡୁଥିଲା। ସେହି ମାସଗୁଡ଼ିକରେ ଖୁବ୍ ଶୀତ ପଡୁଥିଲା। ’

ଗୁରଗାଓଁ ସହର ନିକଟରେ ଥିବା ଏକ ଜମି ବିକାଶସ୍ଥଳରୁ ଫେରିବା ରାସ୍ତାରେ ବଜିରଚାନ୍ଦ ମଞ୍ଜୋଙ୍କା ଯିଏକି ତାଙ୍କ ସ୍କୁଲ ଜୀବନରେ ଜଣେ ଭୂମିହୀନ କୃଷିଶ୍ରମିକ ଭାବେ କାମ କରିଥିଲେ, ନିଜ କାହାଣୀ କହନ୍ତି।

PHOTO • Namita Waikar

ସ୍କୁଲରେ ପଢୁଥିବା ସମୟରେ ବଜିର ହରିଆନାର ଫତେହାବାଦ ଜିଲ୍ଲା ଅନ୍ତର୍ଗତ ତାଙ୍କ ଗାଁ ଭଟ୍ଟୁର ଗହମକ୍ଷେତରେ କାମ କରୁଥିଲେ। ସେହି ଚାଷ ଜମି ଗାଁର ଜମିଦାରମାନଙ୍କର ଥିଲା। ସନ୍ଧ୍ୟା ୮ଟାରୁ ସକାଳ ୫ଟା ଯାଏ ସେ ଚାଷଜମିରେ ପାଣି ଦେଉଥିଲେ। ନଅ ଘଣ୍ଟାର ଏହି କାମ ପରେ ତାଙ୍କୁ ରାତି ପିଛା ୩୫ ଟଙ୍କା ମିଳୁଥିଲା। ଛଅଜଣିଆ ପରିବାରର ରୋଜଗାର ବୃଦ୍ଧି କରିବାରେ ତାହା କିଛି ପରିମାଣରେ ସହାୟକ ହେଉଥିଲା। ବଜିରଙ୍କ ବାପା ଦିନରେ ଚାଷଜମିରେ ଜଣେ ଶ୍ରମିକ ଭାବେ କାମ କରୁଥିଲେ।

ବଜିରଙ୍କ ଗାଁରେ ୫ ଜଣ ଜମିଦାର ଥିଲେ। ୩ ଜଣ ଜାଠ୍ ଏବଂ ୨ ଜଣ ସର୍ଦ୍ଦାର। ସେମାନଙ୍କ ମଧ୍ୟରୁ କିଛିଜଣଙ୍କ ନିକଟରେ ପ୍ରାୟ ୧୦୦ ଏକର ଚାଷଜମି ଥିଲା।  ରବି ଫସଲ ସମୟରେ ୧୨ ବର୍ଷ ବୟସରୁ ବଜିର ଶୀତ ରାତିରେ ନାଇଟ ଡ୍ୟୁଟି କରୁଥିଲେ।

PHOTO • Namita Waikar

‘ମୋ ପରି ଆଉ ୫ ଜଣ ପିଲା ରାତିରେ ଫସଲକୁ ପାଣି ଦେଉଥିଲେ। ତାହା ଗୋଟିଏ ବଡ଼ ଚାଷ ଜମି ଥିଲା ତେଣୁ ଆମ ସମସ୍ତଙ୍କର କାମ ରହୁଥିଲା। ସବୁ ପିଲାମାନେ କାମ କରୁଥିଲେ। ଗାଁରେ କିଛି ପିଲା ଥିଲେ ଯେଉଁମାନଙ୍କ ବାପା ବାରିକ ଥିଲେ। ସ୍କୁଲରୁ ଅଳ୍ପ ଯେତିକି ସମୟ ପାଇଲେ ସେମାନେ ସେମାନଙ୍କର ବାପାଙ୍କ ଦୋକାନକୁ ସାହାଯ୍ୟ କରିବାକୁ ଯାଉଥିଲେ। ଯେମିତିକି ଆମେ ଆମ ବାପାଙ୍କ ପରି ଚାଷଜମିରେ କାମ କରୁଥିଲୁ।’

ବଜିର ୧୦ମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି  ବଜିର କହିଲେ ‘ମୁଁ ବୋର୍ଡ ପରୀକ୍ଷା ଦେଲି, କିନ୍ତୁ ପାସ୍ କଲିନାହିଁ। ଏଣୁ ମୋ ପାଇଁ ସମୟ ଥିଲା କିଛି କାମ କରି ରୋଜଗାର କରିବା। କିନ୍ତୁ ଗାଁରେ ସେମିତି କିଛି କାମ ନ ଥିଲା। ଏହା ପ୍ରାୟ ୧୯୯୪ ବା ୧୯୯୫ ମସିହାର କଥା। ’

‘ତେଣୁ ମୁଁ ଦିଲ୍ଲୀକୁ ଜଣେ ଭାଇଙ୍କ ଘରକୁ ଗଲି। ମୋ ରକ୍ତ ସମ୍ପର୍କର ଭାଇ ନୁହେଁ, ଜଣେ ଦୂର ସମ୍ପର୍କୀୟା ଖୁଡ଼ିଙ୍କ ପୁଅ। ସେ ଜଣେ ଆଇଏଏସ୍‌ ଅଫିସର ଥିଲେ’।

ସେ ଆଇଏଏସ୍‌ ଅଫିସର ଭାଇ ବୋଧହୁଏ ବଜିରଙ୍କୁ କେଉଁଠାରେ ଗୋଟିଏ ଚାକିରି ଯୋଗାଡ କରିଦେଲେ ?

‘ନା ନା, ମୁଁ ମୋ ଭାଇଙ୍କ ଘରେ କାମ କଲି। କିଛିବି ରୋଷେଇ, ଘର ସଫେଇ, ଝାଡୁକରିବା, ଚଟାଣ ପୋଛିବା, ବାସନ ମାଜିବା, ଲୁଗା ସଫା କରିବା ଏମିତିକି ବେଳେବେଳେ କାର୍ ଧୋଇବା। ମୁଁ ସବୁକିଛି କଲି।

ପାଉଣା ଭଲ ଥିଲା କି ? ବଜିର କେତେ ଆୟ କରୁଥିଲା ?

‘ସେତେ ନୁହେଁ। ପ୍ରାୟ ସେତିକି ମୁଁ ଯେତିକି ଗାଁରେ ଆୟ କରୁଥିଲି। କିନ୍ତୁ ସୌଭାଗ୍ୟବଶତଃ ଭାଇ ଖୁବ୍ ଭଲ ଥିଲେ। ମୋର ରହିବା ପାଇଁ ଗୋଟିଏ ଘର ଥିଲା, ପ୍ରତିଦିନ ଖାଇବାର ବ୍ୟବସ୍ଥା ଥିଲା। ତେଣୁ ମାସକୁ ପାଞ୍ଚ ଶହ ଟଙ୍କା କିଛି ଖରାପ ନ ଥିଲା। ମୁଁ କିଛି ଟଙ୍କା ମୋ ବାପାଙ୍କ ପାଖକୁ ପଠାଉଥିଲି।

‘କିନ୍ତୁ ଏହି କାମର ବର୍ଷକ ପରେ, ମୁଁ ଅନୁଭବ କଲି ଯେ ଏହା ସାରା ଜୀବନ ପାଇଁ ନୁହେଁ। ମୁଁ ଏହିପରି ହିଁ ସାରା ଜୀବନ ରହିଯିବି। ମୁଁ ସାରା ଜୀବନ ଏହିପରି ରହିପାରିବି ନାହିଁ। ତେଣୁ ମୁଁ ଭାଇଙ୍କ କାର୍ ଚଳାଇବା ଶିଖିଲି। ସେ ମୋ ସମ୍ପର୍କୀୟ ହୋଇଥିବାରୁ ମୋତେ ଗାଡ଼ି ଶିଖିବାକୁ ଦେଲେ।

PHOTO • Namita Waikar

ଏମିତି ଗୋଟିଏ ବର୍ଷ ଧରି ଘରୋଇ ସହାୟକ ଭାବେ କାମ କରିବା ପରେ ବଜିର ଜଣେ କାର୍ ଡ୍ରାଇଭର ହୋଇଗଲେ। ପ୍ରାୟ ୨୦ ବର୍ଷ ହେଲା ସେ ଜଣେ ଡ୍ରାଇଭର ରହିଆସିଛନ୍ତି। ବାର ବର୍ଷ ତଳେ ସେ ଅଞ୍ଜୁଙ୍କୁ ବିବାହ କରିଥିଲେ, ଯିଏ ଅଷ୍ଟମ ଶ୍ରେଣୀ ଯାଏଁ ପଢ଼ିଛନ୍ତି। ସେମାନଙ୍କର ଏବେ ତିନି ଜଣ ସ୍କୁଲ ଯାଉଥିବା ପିଲା ଅଛନ୍ତି, ଯେଉଁମାନେ ଆମେ ଯେତେବେଳେ ବଜିରଙ୍କ ଘରେ ପହଞ୍ଚିଲୁ ହସ ହସ ମୁହଁରେ  ଆମକୁ ସ୍ୱାଗତ କଲେ।

ଏହି ପରିବାର କହୁଥିବା ଭାଷା ହରିୟାଣୀ ଭଳି ଲାଗୁ ନ ଥିଲା। ବଜିର କହିଲେ, ‘ଆମେ ରାଜପୁତାନା ନାମକ ଗୋଟିଏ ରାଜସ୍ଥାନୀ ଭାଷା କହୁ। ଆମେ ରାଜପୁତ, ଆମ ପରିବାର ମୂଳତଃ ହରିୟାଣାର ନୁହେଁ ।’

ଦେଶ ବିଭାଜନ ସମୟରେ, ବଜିରଙ୍କ ଜେଜେ ବାପା ଏବଂ ତାଙ୍କ ପରିବାର ଯେଉଁମାନେ ଭାରତ-ପାକିସ୍ତାନ ସୀମାରେ ବିକାନେର ଜିଲ୍ଲାରେ ରହୁଥିଲେ, ହରିୟାଣାକୁ ସ୍ଥାନାନ୍ତର ହେଲେ ଏବଂ ଫତେହାବାଦ ଜିଲ୍ଲାର ଭାଟୁ ଗାଁରେ ରହିଲେ। ଅଞ୍ଜୁଙ୍କ ପରିବାରର କାହାଣୀ ମଧ୍ୟ ସମାନ । ସେମାନଙ୍କ ପୂର୍ବପୁରୁଷମାନେ ରାଜସ୍ଥାନ ସୀମାବର୍ତ୍ତୀ ଗାଁରେ ରହୁଥିଲେ û

ବଜିରଙ୍କ ସ୍ତ୍ରୀ ଅଞ୍ଜୁ ମୋତେ ସେମାନଙ୍କ ଦୁଇ କୋଠରୀ ବିଶିଷ୍ଟ ଘର ଭିତରକୁ ନେଲେ। ପିଲାମାନେ ହସୁ ଥିଲେ।

PHOTO • Namita Waikar

ସବୁଠାରୁ ବଡ଼ ଏଗାର ବର୍ଷର ଝିଅ ଅଞ୍ଜଳି ଶାନ୍ତ ଓ ନିରବ ଥିଲା, ସବୁଠାରୁ ସାନ ପୁଅ ମୟାଙ୍କକୁ ପାଞ୍ଚ ବର୍ଷ ଏବଂ ସେ ଲାଜୁଆ ଥିଲା। ତମନ୍ନା ଗୋଟିଏ ଜୀବନ୍ତ ତାର ଥିଲା। ସେ ହିଁ ସବୁଠାରୁ ଅଧିକ କଥା କହୁଥିଲା, ହିନ୍ଦୀରେ କବିତା ଆବୃତ୍ତି କରୁଥିଲା ଏବଂ ସେ ଉପରେ ପ୍ରଦର୍ଶନ ବି କରୁଥିଲା। ତମନ୍ନା ହେଉଛି ମଝିଆ ଝିଅ, ଯାହାର ବୟସ ଛଅ।

ଅଞ୍ଜଳି ଏକ ପ୍ରମୁଖ ପବ୍ଲିକ୍ ସ୍କୁଲରେ ପଢୁଛି। ଶିକ୍ଷା ଅଧିକାର ଆଇନରେ ଆର୍ଥିକ ଅନଗ୍ରସରଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ଥିବା ସତ୍ତ୍ୱେ ସ୍କୁଲରେ ଆଡମିସନ ପାଇବା କଷ୍ଟକର କାମ। ଅଞ୍ଜଳି କହିଲା, ‘ମୁଁ ବଡ ହୋଇ ଡାକ୍ତର ହେବାକୁ ଚାହୁଁଛି। ସେ କଣ ତାର ନୂଆ ସ୍କୁଲ ଓ ସହପାଠୀମାନଙ୍କୁ ଭଲ ପାଉଛି। ଅଞ୍ଜଳି ସାଙ୍ଗେ ସାଙ୍ଗେ ବୁଝିଗଲା, ଅନ୍ୟ ପିଲାର ଅର୍ଥ କ’ଣ, ସମ୍ଭ୍ରାନ୍ତ ଓ ଉଚ୍ଚ ଶ୍ରେଣୀର ପରିବାରର ପିଲା। ସେ କହିଲା, ‘ସତ କହିବାକୁ ଗଲେ ଆମେ ସେ ପିଲାମାନଙ୍କୁ ଭେଟୁ ନାହିଁ। ସେମାନଙ୍କର ସ୍କୁଲ ସକାଳେ ଥାଏ। ଆମର କ୍ଲାସ୍ ସେମାନେ ଯିବା ପରେ ଅପରାହ୍ନରେ ହୁଏ। ଆମ ଶିକ୍ଷକ ମାନେ ମଧ୍ୟ ଅଲଗା। ସେମାନଙ୍କ ଭଳି ଆମ ଶିକ୍ଷକ ନୁହନ୍ତି û’ ତେଣୁ ଅପରାହ୍ନରେ କେତେ ଜଣ ପିଲା ସ୍କୁଲକୁ ଆସନ୍ତି?

‘ବହୁତ, ଆମର ଦୁଇଟି ଡିଭିଜନ ଅଛି। କିନ୍ତୁ ସମସ୍ତେ ମୋ ଭଳି, ଗରିବ ପରିବାରର।

PHOTO • Namita Waikar

ଏହି ଛୋଟ ବୟସରେ ଅଞ୍ଜଳି ସାମାଜିକ ଭେଦଭାବର ସାମ୍ନା କରୁଛି ଏବଂ ସେ ବଢ଼ିବା ସଙ୍ଗେ ସଙ୍ଗେ ଜୀବନରେ ଅନ୍ୟ ଧୂମିଳ ଦିଗ ସବୁର ସାମ୍ନା କରିବ। କିନ୍ତୁ ତାହା ଏକ ଭିନ୍ନ କାହାଣୀ, ଆଉ ଦିନେ ପାଇଁ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Namita Waikar is a writer, translator and Managing Editor at PARI. She is the author of the novel 'The Long March', published in 2018.

Other stories by Namita Waikar