html ଉଦୟରାମପୁରରେ ମୋଲ୍ଲୀର ଲାଳନପାଳନ

ଏଞ୍ଜେଲ୍‌ ମାଛ ଓ ପିକକ୍‌ ମାଛ, ଗପ୍ପି, ମୋଲ୍ଲି ଓ ଅନ୍ୟାନ୍ୟ ମାଛ ସବୁ କନ୍ଦୋନ ଘୋରାଙ୍କ ଘରେ ଥିବା ଆକ୍ୱାରିଅମ୍‌, ଟାଙ୍କି ଓ ପାତ୍ରରେ ଚାରିଆଡେ ପହଁରି ବୁଲୁଛନ୍ତି ।  “ଏହି କାମ ପୁଙ୍ଖାନୁପୁଙ୍ଖ ଭାବେ କରିବାକୁ ହୋଇଥାଏ । ସେମାନଙ୍କୁ ନିଜ ସନ୍ତାନଙ୍କ ପରି ଲାଳନପାଳନ କରିବାକୁ ହୋଇଥାଏ,” ବୋଲି ସେ କୁହନ୍ତି । 

କନ୍ଦୋନ୍‌ ହେଉଛନ୍ତି ଜଣେ ମାଛ ଚାଷୀ ଯିଏ ପଶ୍ଚିମବଙ୍ଗରେ କୋଲ୍‌କାତାଠାରୁ ୩୦ କିମି ଦୂରରେ ଅବସ୍ଥିତ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଉଦୟରାମପୁର ଗ୍ରାମରେ ବାସ କରନ୍ତି । ତାଙ୍କର ସମ୍ପୂର୍ଣ୍ଣ ପରିବାର ଏହି ମାଛ ଚାଷ ସହିତ ଜଡିତ ଅଛନ୍ତି । ତାଙ୍କ ପରି, ୫୪୦ ପରିବାର ବିଶିଷ୍ଟ ଏହି ଗ୍ରାମର ଘୋରପଡା, ମଣ୍ଡଳପଡା ଓ ମିସ୍ତ୍ରୀପଡା ପରି ପଲ୍ଲୀରେ ପ୍ରାୟ ୫୦-୬୦ ପରିବାର ମଧ୍ୟ ଏହି କାମ କରୁଥିବା ସେ ଆକଳନ କରି କୁହନ୍ତି । 

ପଶ୍ଚିମବଙ୍ଗର ଅନ୍ୟ ପ୍ରାନ୍ତ, ତାମିଲନାଡୁ ଓ କେରଳର ମାଛଚାଷୀଙ୍କ ପରି, ସେମାନେ ମଧ୍ୟ ସମଗ୍ର ଦେଶରେ ଶୋଭାବର୍ଦ୍ଧକ ମାଛ ପ୍ରେମୀମାନଙ୍କୁ ମାଛ ବିକ୍ରି କରିବା ପାଇଁ ପ୍ରାୟ ୨୦୦ ରୁ ଅଧିକ କିଷମର ରଙ୍ଗବିରଙ୍ଗ, ଦେଶୀ ତଥା ବିଦେଶୀ ପ୍ରଜାତିର ମାଛ ଲାଳନପାଳନ କରିଥାନ୍ତି । 

PHOTO • Barnamala Roy

କନ୍ଦୋନ ଘୋରାଙ୍କ ପରିବାର, ଗତ ୨୫ ବର୍ଷ ମଧ୍ୟରେ , ଛୋଟ ଛୋଟ ମାଟି ପାତ୍ରରେ ମାଛ ଲାଳନପାଳ କରିବା ଆରମ୍ଭ କରି ଆଜି ପୋଖରୀରେ ବିଭିନ୍ନ କିଷମର ଶୋଭାବର୍ଦ୍ଧକ ମାଛ ଚାଷ କରୁଛନ୍ତି । 

ଏହି ପଲ୍ଲୀଗୁଡିକରେ ସବୁଜ ଜଳର ବିସ୍ତୃତ ଅଞ୍ଚଳଗୁଡିକର ପାର୍ଶ୍ୱଦେଶରେ ନଡିଆ ଓ ଗୁଆ ଗଛସବୁ ରହିଛି । ବିଭିନ୍ନ ଘରୁ କୁକୁଡାମାନେ ଆସି ଏଠାରେ ଏଣେତେଣେ ବୁଲନ୍ତି ଓ ପିଲାମାନେ ମଧ୍ୟ-ସକାଳ ସମୟରେ ସାଇକେଲ୍‌ରେ ବିଦ୍ୟାଳୟରୁ ଘରକୁ ଫେରୁଛନ୍ତି । ବେଳେବେଳେ, ସମ୍ଭାବ୍ୟ ଗ୍ରାହକମାନେ କୋଲ୍‌କାତାର ଗଲିଫ୍‌ ରାସ୍ତାର ପୋଷା ଜନ୍ତୁ ବିକ୍ରି କରାଯାଉଥିବା ବଜାରରେ, ଯେଉଁଠାରେ ପ୍ରତି ରବିବାର ଦିନ ଖୁଚୁରା ବ୍ୟାପାରୀମାନେ ଏକତ୍ରୀତ ହୋଇଥାନ୍ତି, ସେଠାକୁ ଏହି ଶୋଭାବର୍ଦ୍ଧକ ମାଛ କିଣିବାକୁ ଯିବା ପୂର୍ବରୁ, ମାଛଗୁଡିକ ବିଷୟରେ ଜାଣିବା ପାଇଁ, ଏଠାକୁ ଆସିଥାନ୍ତି ।

କନ୍ଦୋନଙ୍କ ଘର ପଛରେ, ତାଙ୍କ ପରିବାରର ନିଜସ୍ୱ ପୋଖରୀକୁ ଜାଲରେ ଘୋଡାଇ ଦିଆଯାଇଛି, ସେହିପରି ଅନ୍ୟ ମତ୍ସ୍ୟଚାଷୀମାନଙ୍କ ପୋଖରୀଗୁଡିକୁ ମଧ୍ୟ ସେଭଳି ଢାଙ୍କି ଦିଆଯାଇଛି। “ବର୍ଷା ଋୁତୁ, ଯେତେବେଳେ ମାଛ ଚାଷ ଏହାର ଚରମରେ ଥାଏ, ସେତେବେଳେ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ପୋଖରୀଗୁଡିକୁ ପ୍ରସ୍ତୁତ କରି ରଖିବାକୁ ହୁଏ,” ବୋଲି ସେ କୁହନ୍ତି । ତାଙ୍କ ଘରେ ଥିବା ଏକ ଛୋଟ ବଖରାରେ, ବିଭିନ୍ନ କିଷମର ମାଛ ଅଛନ୍ତି ଯାହାର ଲାଳନପାଳନ ଘର ଭିତରେ କରିବାକୁ ହୋଇଥାଏ । ପ୍ରାୟତଃ, ଅଣ୍ଡାଗୁଡିକ ନଷ୍ଟ ହୋଇଯାଏ, ବୋଲି ସେ କୁହନ୍ତି, ଏଣୁ ବଜାରରେ ବିକ୍ରି କରାଯାଉଥିବା ମାଛର ପରିମାଣ ସବୁବେଳେ ଭିନ୍ନ ଭିନ୍ନ ହୋଇଥାଏ: ହାରାହାରି ସପ୍ତାହରେ ୧,୫୦୦ । “ଏହି ବେପାରରୁ ସ୍ଥିର ଉପାର୍ଜନ ହୁଏ ନୁହେଁ, ଏହାର ପରିମାଣ କେବେ ମଧ୍ୟ ମାସକୁ ୬୦୦୦-୭୦୦୦ରୁ ଅଧିକ ହେଉନଥିବା” କନ୍ଦୋନ କୁହନ୍ତି ।

ମାଛଗୁଡିକର ଲାଳନପାଳନ କରିବା ଓ ସେଗୁଡିକୁ ବଜାର ପାଇଁ ପ୍ରସ୍ତୁତ କରିବା ହେଉଛି ଏକ ଦକ୍ଷତା ଯାହା ଉଦୟରାମପୁରରେ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ହସ୍ତାନ୍ତରିତ ହୋଇ ଆସୁଛି ଓ ସେମାନଙ୍କ ଯତ୍ନ କିଭଳି ଭାବେ ନିଆଯିବ, ଏକଥା ପରିବାରର ସମସ୍ତେ ଜାଣନ୍ତି। ଏପରିକି ପ୍ରତ୍ୟେକ ସଦସ୍ୟ ମାଛମାନେ ବେମାର ପଡିଲେ ତାହା ଜାଣିପାରନ୍ତି ଓ ତାହାର ଲକ୍ଷଣଗୁଡିକ ମଧ୍ୟ ଚିହ୍ନଟ କରିପାରନ୍ତି । “ସେମାନେ ଯେତେବେଳେ ବେମାର ହୁଅନ୍ତି ବା ଆଘାତ ପ୍ରାପ୍ତ ହୁଅନ୍ତି, ସେମାନେ ସାଧାରଣତଃ ଜଳ ପୃଷ୍ଠ ପାଖାପାଖି ଭାସିବାକୁ ଆରମ୍ଭ କରନ୍ତି,’’ ବୋଲି କନ୍ଦୋନ କୁହନ୍ତି ଓ ‘‘ସେମାନେ ଖାଦ୍ୟ ଖାଇବା ମଧ୍ୟ ବନ୍ଦ କରିଦିଅନ୍ତି । ଅନେକ ସେଠାରେ ପଡି ଯାଆନ୍ତି ଓ ସେମାନଙ୍କ ଲାଞ୍ଜରେ ଧଳା ଛିଟ ଦାଗ ଦେଖାଯାଏ ।’’ ଆମ୍‌ତାଲାରେ ଥିବା ସ୍ଥାନୀୟ ଦୋକାନରେ  ଏହି ମାଛଗୁଡିକ ପାଇଁ ଆବଶ୍ୟକ ଔଷଧ ସବୁ ଉପଲବ୍ଧ ଅଛି । “ସେମାନଙ୍କୁ ସୁସ୍ଥ କରିବା ପାଇଁ ଆମେ ସେମାନଙ୍କୁ ଏକ ଅଲଗା ପାତ୍ରରେ ରଖିଥାଉ ଓ ପ୍ରାୟତଃ ସେମାନେ ନିୟମିତ ଖାଉଥିବା ଖାଦ୍ୟ ବଦଳରେ କେବଳ ଔଷଧ ଖାଇବାକୁ ଦେଇଥାଉ’’।

PHOTO • Barnamala Roy

କନ୍ଦୋନ ଘୋରା ତାଙ୍କ ପତ୍ନୀ ପୁତୁଲ (ବାମ) ଓ ଝିଅ ଦିଶା (ଡାହାଣ)ଙ୍କ ସହିତ : ‘ମୁଁ ସମ୍ଭବତଃ ଘରେ ପାଠ ପଢେଇବା ଜାରି ରଖିବି ଓ ଏହା ସହିତ ମାଛମାନଙ୍କ ଯତ୍ନ ନେବି ବୋଲି’ ଦିଶା କୁହନ୍ତି ।

କନ୍ଦୋନଙ୍କ ପରିବାର ୨୫ ବର୍ଷ ପୂର୍ବେ ଏକ ସାଧାରଣ ମାଟି ପାତ୍ରରେ ମାଛ ଚାଷ କରିବାକୁ ଆରମ୍ଭ କରିଥିଲେ, ପରବର୍ତ୍ତୀ ସମୟରେ ସେମାନେ ଏହାକୁ ମାଟି ଓ ପ୍ଲାଷ୍ଟିକ୍‌ ଟବ୍‌କୁ ସ୍ଥାନାନ୍ତରିତ କଲେ ଓ ତା’ପରେ ଏହାକୁ ବଢାଇ ପୋଖରୀ ଓ ଘର ଭିତରେ ଆକ୍ୱାରିଅମ୍‌ରେ କରିବାକୁ ଆରମ୍ଭ କଲେ । କନ୍ଦୋନଙ୍କ ମାଛମାନଙ୍କୁ ଭଲ ପାଇବା ପ୍ରବୃତ୍ତି, ସେ ତାଙ୍କ ବାପାଙ୍କଠାରୁ ପାଇଛନ୍ତି, ବୋଲି କୁହନ୍ତି । “ଏ ଦୁନିଆରେ ଏହା ହେଉଛି ଆମ ପାଇଁ ଅର୍ଥ ଉପାର୍ଜନର ଏକମାତ୍ର ପନ୍ଥା । ଆମେ ଏହାକୁ ଛାଡିପାରିବୁ ନାହିଁ । ଆମର ପିଲାମାନେ ସହରରେ ପଢୁଛନ୍ତି କିନ୍ତୁ ସେମାନେ ମଧ୍ୟ କାଳକ୍ରମେ ଏହି ବେପାରକୁ ଫେରିବେ’’। ତାଙ୍କ ପତ୍ନୀ ମଧ୍ୟ ସହମତି ଦେଲେ; ସେ ମଧ୍ୟ ଏକ ମାଛ ଚାଷୀ ପରିବାରୁ ଆସିଛନ୍ତି ।

ସେମାନଙ୍କ ଝିଅ ଦିଶା, ବିଦ୍ୟାନଗର ମହାବିଦ୍ୟାଳୟରେ ଦର୍ଶନ ଶାସ୍ତ୍ରରେ ସ୍ନାତକ କରୁଛି । ଆମେ ଯେତେବେଳେ ସେଠାକୁ ଯାଉ, ସିଏ ରହୁଥିବା ବଖରା ସାମନାରେ ଥିବା ବାରଣ୍ଡାରେ ବସି କିଛି ପିଲାଙ୍କୁ ପଢାଉଥାଏ । “ମୁଁ ସମ୍ଭବତଃ ଘରେ ରହି ପଢାଇବା କାମ କରିବା ଜାରି ରଖିବି ଓ ଏହା ସହିତ ମାଛମାନଙ୍କ ଯତ୍ନ ମଧ୍ୟ ନେବ,’’ ବୋଲି ସେ କହେ ।

PHOTO • Barnamala Roy

ଉଦୟରାମପୁର୍‌ ନିବାସୀ ତରୁବାଳା ମିସ୍ତ୍ରୀ ମାଛ ଆକାରର ଏକ ସୁନା କାନଫୁଲ ପିନ୍ଧିଛନ୍ତି । ‘ଆମେ ଏଥିରୁ ଯାହା ଉପାର୍ଜନ କରୁ ତାହା ଆମର ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ ।

ଆମେ ଯେତେବେଳେ ଗାଁରେ ଆହୁରି ଭିତରକୁ ଗଲୁ, ସେଠାରେ ଆମେ ପୁରୁଷ ଓ ମହିଳାମାନେ ଆଣ୍ଠୁ ପର୍ଯ୍ୟନ୍ତ ପୋଖରୀ ଜଳରେ ବୁଡି ରହି, ଛୋଟ ମାଛଗୁଡିକୁ ଖାଇବାକୁ ଦେବା ପାଇଁ ଜଳ ପୃଷ୍ଠରୁ ଛୋଟ ଛୋଟ କୀଟଗୁଡିକ ଜାଲ ପକାଇ ଧରୁଥିବା ଦେଖିଲୁ । ମାଛ ବଡ଼ ହୋଇଗଲେ, ସେମାନେ ପଙ୍କରେ ରହୁଥିବା ଏକ ପ୍ରକାରର କେଞ୍ଚୁଆ – ଯାହା ମାଛ ଥିବା ପୋଖରୀରେ ପ୍ରାୟତଃ ଭାସୁଥାଏ, ତାହା ଖାଆନ୍ତି। ରାସ୍ତାରେ ଆମର ସାକ୍ଷାତ ଜାଳେଣି କାଠ ଧରି ଆସୁଥିବା ତରୁବାଳା ମିସ୍ତ୍ରୀଙ୍କ ସହିତ ହେଲା । “ଆମେ ଏହି ବୃତ୍ତିରୁ ଯାହା ଉପାର୍ଜନ  କରୁ ତାହା ଆମର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ହେଉନାହିଁ କିନ୍ତୁ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ମଧ୍ୟ ନାହିଁ,’’ ବୋଲି ସେ କୁହନ୍ତି । ମାଛ ପାଇଁ ତାଙ୍କର (ଓ ତାଙ୍କ ସମ୍ପ୍ରଦାୟର) ଭଲ ପାଇବା ସେହି ମାଛ ଆକୃତିର ସୁନା କାନଫୁଲରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଥିଲା । 

ଅନ୍ୟ ଜଣେ ମାଛ ଚାଷୀ, ଉତ୍ତମ ମିସ୍ତ୍ରୀଙ୍କ ଘରେ, କୂଅରେ ମାଛମାନଙ୍କ ଲାଳନପାଳନ କରାଯାଏ; ସେ ବିଶେଷକରି ଲଢୁଆ ମାଛ ବିକନ୍ତି । ପରସ୍ପର ମଧ୍ୟରେ ସେମାନେ ସଂଘର୍ଷ ନକରିବା ପାଇଁ, ସେମାନଙ୍କୁ ନିଜସ୍ୱ ସ୍ଥାନ ଯୋଗାଇବା ଆବଶ୍ୟକ ହୋଇଥାଏ ; ଛୋଟ ମାଛଗୁଡିକୁ ମାଟି ପାତ୍ରରେ ରଖିହେବ ଯେତେବେଳେ କି ବଡ ମାଛଗୁଡିକୁ ବୋତଲରେ ରଖି ଛାଇରେ ଧାଡିରେ ରଖାଯାଏ। ଆମେ ସେଠାରେ ପହଞ୍ଚିବା ବେଳକୁ ଉତ୍ତମ ବୋତଲରେ ସେମାନଙ୍କ ସାପ୍ତାହିକ ଖାଦ୍ୟ- ପଙ୍କରେ ରହୁଥିବା ଏକ ପ୍ରକାରର କେଞ୍ଚୁଆ ପକାଉଥିଲେ । “ଯଦି ସେମାନେ ବାରମ୍ବାର ଖାଇବେ, ସେମାନେ ମରିଯିବେ,’’ ବୋଲି ସେ କହିଲେ ।

ବାମ : ଉତ୍ତମ ମିସ୍ତ୍ରୀ ଲଢୁଆ ମାଛମାନଙ୍କୁ ପଙ୍କରେ ରହୁଥିବା ଏକ ପ୍ରକାର କେଞ୍ଚୁଆ ଖାଦ୍ୟ ଭାବେ ଦେଉଛନ୍ତି । ଡାହାଣ : ଏକ ଛୋଟ ଲଢୁଆ ମାଛ ଓ ପାଟିରୁ ଝରୁଥିବା ଏକ ପଦାର୍ଥ ବ୍ୟବହାର କରି ସେ ଫୋଟକାର ଏକ ବସା ସୃଷ୍ଟି କରୁଛି

ଆଖପାଖରେ ମାଛ ଚାଷ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କିଏ କେଉଁ ପ୍ରକାରର ମାଛ ପ୍ରଚୁର ପରିମାଣରେ ଚାଷ କରିବ, ସେ ନେଇ ଏକ ଅବ୍ୟକ୍ତ କିନ୍ତୁ ସ୍ପଷ୍ଟ ବୁଝାମଣା ଦେଖିବାକୁ ମିଳେ, ଯାହା ଫଳରେ ବେପାରରେ ସନ୍ତୁଳନ ରକ୍ଷା କରାଯାଇପାରିବ । ମିସ୍ତ୍ରୀ, ଘୋରାଙ୍କ ପରି ମାଛ ବିକ୍ରି କରିବା ପାଇଁ ଗ୍ଲିଫ୍‌ ରାସ୍ତାରେ ଥିବା ବଜାରକୁ ଯାଆନ୍ତି ନାହିଁ; ସେ ସେଗୁଡିକୁ ଖୁଚୁରା ବ୍ୟବସାୟୀମାନଙ୍କୁ ଦେଇଦିଅନ୍ତି ।

ମଣ୍ଡଳ ପଡ଼ା ଆଡ଼କୁ ଯାଇଥିବା ରାସ୍ତାରେ, ଗୋଲକ ମଣ୍ଡଳଙ୍କ ସହିତ ଆମର ଦେଖାହେଲା, ଯିଏ ନିଜ ଆଖପାଖରେ ଥିବା ଅନାବନା ବାଳୁଙ୍ଗା ଗଛଗୁଡିକ ଉପାଡୁଥିଲେ, ପୋଖରୀ ଆଡ଼କୁ ଏକ ଅମୃତଭଣ୍ଡା ଗଛ ନଇଁ ପଡ଼ିଥିବା ଦେଖିଲୁ, ଯେଉଁଠାରେ ମହିଳାମାନେ ଜାଲ ପକାଇ କେଞ୍ଚୁଆ ଧରୁଥିଲେ । ଗୋଲକ ତାଙ୍କ ପାଖରେ ଥିବା ଗପ୍ପି ଓ ମୋଲ୍ଲି ସଂଗ୍ରହ ଆମକୁ ଦେଖାଇଲେ । ସେ ଏକ ଟାଙ୍କି, କିଛି ପାତ୍ର ଓ ପରିବାରର ନିଜସ୍ୱ ଭୂମିରେ ଥିବା ଏକ ପୋଖରୀରେ ମାଛଗୁଡିକୁ ରଖି, ସେମାନଙ୍କ ଲାଳନପାଳନ କରିଥାନ୍ତି । ଲଢୁଆ ମାଛଗୁଡ଼ିକୁ ସେ ତାଙ୍କ ଛୋଟ ଘରର ଛାତରେ ବୋତଲରେ ରଖି ଲାଳନପାଳନ କରନ୍ତି ।

PHOTO • Barnamala Roy

ବପ୍ପା ମଣ୍ଡଳ ବିଭିନ୍ନ କିଷମର ମାଛ ପାଳନ କରନ୍ତି ଯେଉଁଥିରେ ଉଜ୍ଜ୍ୱଳ କମଳା ରଙ୍ଗର ମୋଲ୍ଲୀ ମଧ୍ୟ ରହିଛି (ଡାହାଣ) । ସେ ଅଧିକ ଭୂମି କିଣି ମାଛ ଚାଷର ପରିସର ବୃଦ୍ଧି କରିବାକୁ ଆଶା ରଖିଛନ୍ତି

ମଣ୍ଡଳଙ୍କ ଗୋଲ୍ଡ ଓ ଏଞ୍ଜେଲ୍‌ ମାଛର ମୂଲ୍ୟ ଯଥାକ୍ରମେ ୫ ଓ ୨ ଟଙ୍କା । ସେ ଗୋଟିଏ ଲଢୁଆ ମାଛ ୧୫୦ ଟଙ୍କାରେ ବିକ୍ରି କରନ୍ତି ଓ ୧୦୦ ଗପ୍ପି ଥିବା ଏକ ପ୍ୟାକେଟ୍‌ର ମୂଲ୍ୟ ମଧ୍ୟ ସେତିକି ରଖିଛନ୍ତି । "ନିଶ୍ଚିତ ଭାବେ କେତେ ଲାଭ ହେବ ତାହା କହିହୁଏ ନାହିଁ ଓ ଏହାର ପରିମାଣ ସପ୍ତାହରେ ୧,୦୦୦ ଟଙ୍କାରୁ ଅଧିକ ହୁଏ ନାହିଁ, ବୋଲି ସେ କୁହନ୍ତି । “ଏବଂ ବେଳେବେଳେ, କ୍ଷତିରେ ମଧ୍ୟ ମାଛ ବିକ୍ରି କରିବାକୁ ପଡିଥାଏ’’ । ମଣ୍ଡଳଙ୍କ ସ୍ୱପ୍ନ ହେଉଛି ତାଙ୍କ କୌଳିକ ବ୍ୟାପାରକୁ ସଂପ୍ରସାରିତ କରିବା ଓ ସେ ମାଛ ଚାଷକୁ ବଢେଇବା ପାଇଁ ଆଖପାଖରେ ଅଧିକ ଜମି କିଣିବାକୁ ଚାହୁଁଛନ୍ତି ।

ତାଙ୍କ ପୁଅ ବପ୍ପା, ୨୭, ଏକ ଅଟୋମୋବାଇଲ୍‌ କମ୍ପାନିରେ ପାର୍ଟ ଟାଇମ୍‌ କାମ କରନ୍ତି ଓ ସେ ମାଛ ଚାଷକୁ ଗମ୍ଭୀରତା ସହିତ ଗ୍ରହଣ କରିବାକୁ ଚାହୁଛନ୍ତି । “ସହରର ଶିକ୍ଷିତ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଯେତେବେଳେ ଚାକିରି କରିବା ପାଇଁ ସୁଯୋଗ ମିଳୁନାହିଁ, ସେଠାରେ ଆମେ କାହିଁକି ଉଚ୍ଚ ଆଶା କରିବୁ,’’ ବୋଲି ସେ କୁହନ୍ତି । ‘‘ଆମେ ସେମାନଙ୍କଠାରୁ ଭଲରେ ଅଛୁ, କିଛି ନ ହେଲେ, ଆମ ପାଖରେ ବ୍ୟାପାର କରିବା ପାଇଁ ସୁଯୋଗ ତ ଅଛି ।’’ 

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Barnamala Roy

Barnamala Roy has a postgraduate degree in English from Presidency University, Kolkata; she has worked as a sub-editor at ‘Kindle’ magazine, and is a translator and freelance writer.

Other stories by Barnamala Roy