ଜନ୍ମାଷ୍ଟମୀର ସମୟ ଥିଲା । କୃଷ୍ଣ ଶୁଣିଲେ ଯେ ଆର୍ଯ୍ୟବର୍ତ୍ତର ଲୋକମାନେ ତାଙ୍କ ଜନ୍ମ ଦିନର ଅବସରକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି । ପିଲାମାନେ ପବିତ୍ର ହଳଦିଆ ରଙ୍ଗର ପୋଷାକରେ, ରାସ୍ତାରେ ରଙ୍ଗିନ୍‌ ଶୋଭାଯାତ୍ରା, ଅଗଣାରେ ଝୋଟି, ମନ୍ଦିରମାନଙ୍କରେ କୃଷ୍ଣ ଲୀଳା, ଦହିହାଣ୍ଡି ଭଙ୍ଗା, ଆନନ୍ଦମୁଖର ଭାବରେ ନୃତ୍ୟ ପ୍ରଦର୍ଶନ, ସବୁ ଉତ୍ସବ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ରହୁଛି । ସେହିଦିନ ସେ ଏସବୁର ଏକ ଅଂଶ ହେବାକୁ ଚାହିଁଲେ ।

ସେ ଛଦ୍ମବେଶରେ ପୃଥିବୀକୁ ଓହ୍ଲାଇଲେ ଏବଂ ଜଣାଶୁଣା ସ୍ଥାନଗୁଡ଼ିକରେ ବୁଲିଲେ । ଉତ୍ସବର ଦୃଶ୍ୟ ଏବଂ କୋଳାହଳକୁ ଉପଭୋଗ କଲେ । ହଠାତ୍‌ ଯେତେବେଳେ ଗୋରଖ ସହର ପାଖାପାଖି ପହଞ୍ଚିଲେ ସେ କେହି ଜଣେ ଦୁଃଖରେ ବିଳାପ କରୁଥିବା ଶୁଣିଲେ । ସେହି ଯନ୍ତ୍ରଣାଦାୟକ ଶବ୍ଦ ଆସୁଥିବା ସ୍ଥାନରେ ପହଞ୍ଚି ସେ ଜଣେ ବ୍ୟକ୍ତିଙ୍କୁ ଦେଖିଲେ, ହାତରେ ଏକ ଛୋଟ ମୃତଦେହ ଥିଲା, ଗୋଟିଏ ଡାକ୍ତରଖାନା ପରିସରରେ ସେ ଧୀରେ ଧୀରେ ଚାଲୁଥିଲେ । କୃଷ୍ଣଙ୍କ ହୃଦୟ ଫାଟିଗଲା । ‘‘ହେ ପ୍ରିୟ! ତୁମେ କିଏ, ଏତେ ଯନ୍ତ୍ରଣା କାହିଁକି?’’ ‘‘ଏବଂ ଆପଣଙ୍କ ହାତରେ ଏହି ଛୋଟ ପିଲାଟି କିଏ?’’ ସେ ପଚାରିଲେ । ଏକ ନିର୍ଲିପ୍ତ ଚାହାଁଣୀରେ ବ୍ୟକ୍ତି ଜଣକ ଉତ୍ତର ଦେଲେ, ‘‘ଆପଣ ବିଳମ୍ବରେ ଆସିଲେ, ହେ ଈଶ୍ୱର! ମୋ ପୁଅ ଏଇ ମାତ୍ର ଚାଲିଗଲା ।’’

ନିଜ ଅପରାଧବୋଧରେ କବଳିତ ହୋଇ, କୃଷ୍ଣ ସେହି ଶୋକସନ୍ତପ୍ତ ପିତାଙ୍କ ସହିତ ରହିବା ପାଇଁ ନିଷ୍ପତ୍ତି ନେଲେ ଏବଂ ତାଙ୍କ ସହିତ ଶ୍ମଶାନଘାଟକୁ ଗଲେ । ଏକ ଭୟଙ୍କର ଦୃଶ୍ୟ ସେଠାରେ ତାଙ୍କୁ ଅପେକ୍ଷା କରିଥିଲା । ଘାଟରେ ଶହ ଶହ ଏବଂ ହଜାର ହଜାର ଛୋଟ ପିଲାଙ୍କର ମୃତ ଦେହ ଧଳା କପଡ଼ାରେ ଘୋଡ଼ା ହୋଇ ଗଦା ହୋଇ ରହିଥିଲା । ମାଆମାନଙ୍କର ଅସହନୀୟ ବିଳାପ, କ୍ରୋଧରେ ନିଜର ଛାତିକୁ ପିଟୁଥିବା ପିତାମାନଙ୍କର ଯନ୍ତ୍ରଣା । ସେ ଏଥିପାଇଁ ପ୍ରସ୍ତୁତ ନଥିଲେ ।

ସେହି ଆକର୍ଷକ ହଳଦିଆ ପୋଷାକଗୁଡ଼ିକ କୁଆଡ଼େ ଗଲା? ଏହା କି ପ୍ରକାର ଭୟଙ୍କର ଉତ୍ସବ ଥିଲା? କେଉଁ କଂସ ଏହି ଛୋଟ ପିଲାମାନଙ୍କୁ ଏପରି ଏକ ଦାନବୀୟ ଭାଗ୍ୟକୁ ଦେଲା? ଏହା କାହାର ଅଭିଶାପ ଥିଲା? କାହାର ରାଜ୍ୟ? କିଏ ଲୋକମାନଙ୍କୁ ଅନାଥ କରିଦେଲା?

ଦେବେଶ କବିତାଟିକୁ ହିନ୍ଦୀରେ ଆବୃତ୍ତି କରୁଥିବା ଶୁଣନ୍ତୁ

ପ୍ରତିଷ୍ଠା ପାଣ୍ଡେ କବିତାଟିକୁ ଇଂରାଜୀରେ ପଢ଼ୁଥିବା ଶୁଣନ୍ତୁ

ଏହି ସହରର ଶିଶୁମାନେ ଅନାଥ କି?

1. କ୍ୟାଲେଣ୍ଡର ଉପରେ ନଜର ପକାନ୍ତୁ,
ଅଗଷ୍ଟ ଆସେ ଏବଂ ଚାଲିଯାଏ…

କାହା ପାଇଁ ଏହା ବୋହିଯାଏ, ଆଖିର ଲୁହ ପରି
କାହା ପାଇଁ ଏହା ସେମାନଙ୍କ ଥରୁଥିବା ହାତରୁ ଖସିପଡ଼େ ଓ ଭାଙ୍ଗିଯାଏ
ନାକ ରୁନ୍ଧି ହୋଇଯାଏ,
ଏହା ଅଣନିଶ୍ୱାସୀ କରିଦିଏ ଓ ଜୀବନ ନେଇଯାଏ ।

କାହା ପାଇଁ ଏହା ଏକ ଦୁଃସ୍ୱପ୍ନ,
କାହା ପାଇଁ ଏକ ବେକର ଦଉଡ଼ି,
ଗୋରଖପୁରର ମାଆଙ୍କ ପାଇଁ
ଏହା ଜରାୟୁରେ ଆତଙ୍କ
କାରଣ ଅଗଷ୍ଟ ହେଉଛି ଏକ ଲମ୍ବା ବର୍ଷ
ଯାହାର ଶେଷ ନିକଟରେ ନାହିଁ ।

2. ଏହି ମାଆମାନଙ୍କର ଭୟ ଭୁଲ୍‌, ସେମାନେ କୁହନ୍ତି।
ବାପାମାନେ ହେଉଛନ୍ତି ମିଛୁଆ, ସେମାନେ କୁହନ୍ତି ।

ସେମାନେ କୁହନ୍ତି ଡାକ୍ତରଖାନାରେ ଅକ୍ସିଜେନ୍‌ ନଥିବା
ମୋଗଲମାନଙ୍କର ଚକ୍ରାନ୍ତ ଥିଲା ।
କିନ୍ତୁ ସତ ହେଉଛି ପ୍ରତି ରାସ୍ତାରେ, ପ୍ରତି ଗଳିରେ
ଅକ୍ସିଜେନ୍‌ର ପ୍ରାବଲ୍ୟ ରହିଛି;
ଗୋମାତା ନିଶ୍ୱାସ ନେଉଛି ଏବଂ ଅମ୍ଳଜାନ ତ୍ୟାଗ କରୁଛି ।

ପ୍ରକୃତରେ ଅଧିକ ଥିବା ହିଁ ଜୀବନ ନେଉଛି ।
ପ୍ରତ୍ୟେକଟି ଶବ୍ଦ ଅଣନିଶ୍ୱାସୀ କରିଦେଉଛି ।

3. କାହାର ପିଲାମାନେ ଏମାନେ, ଯେଉଁମାନେ ଅନାଥ ପରି ଲାଗୁଛନ୍ତି?
କାହାର ପିଲାମାନେ ଏମାନେ, ଯାହାଙ୍କୁ ମଶା କାମୁଡ଼ିଛି
ଖୋଲା ନାଳ ନର୍ଦ୍ଦମାରୁ?
କାହାର ପିଲାମାନେ ଏମାନେ
ଯାହାଙ୍କ ହାତରେ ବଂଶୀ ନାହିଁ ?

କାହାର ପିଲାମାନେ ଏମାନେ?
କେଉଁ ଦୁନିଆରୁ ଏମାନେ ଆସିଛନ୍ତି?
କାହାର ବସ୍ତିଗୁଡ଼ିକ ଅନ୍ୟ ଦୁନିଆଁରୁ ଆସୁଥିବା
ଶକ୍ତିରେ ସାମିଲ୍‌ ହୋଇନି?
କାହା ଘରେ କୃଷ୍ଣ ମଧ୍ୟରାତ୍ରିରେ
ଅବତାର ନେଇନାହାନ୍ତି
କେବଳ ପୃଥିବୀକୁ ଆସିଯାଇଛନ୍ତି ।

ଏବଂ ସେମାନେ ଅକ୍ସିଜେନ୍‌ ମାଗନ୍ତି
ଏବଂ ଡାକ୍ତରଖାନାରେ ଶଯ୍ୟାଟିଏ?
କେତେ ବିଚିତ୍ର!

4. ଗୋରଖର ଭୂମି ଫାଟିବାକୁ ଯାଉଛି ।
କବିର୍‌ ଦୁଃଖରେ ଘେରେଇ ହୋଇଯାଇଛନ୍ତି ।
ରାପ୍ତିର କୁଳକୁ ଅଗ୍ନିଶିଖା ଗିଳିନେଇଛି ।
ଯେଉଁ ସହର କୋଳାହଳରେ ଫାଟି ପଡ଼ିଥା’ନ୍ତା
ଆଶ୍ଚର୍ଯ୍ୟଜନକ ଭାବରେ ନିରବୀ ଯାଇଛି

ଏହି ରାଜ୍ୟର ମହନ୍ତ ବିଶ୍ୱାସ କରନ୍ତି
ଏହା ପ୍ରତିମାମାନଙ୍କର ଅଭିଷେକ ଚାହୁଁଛି
ଏହା ଆମ ପିଲାମାନଙ୍କର ରକ୍ତର ବଳି ଚାହୁଁଛି ।


ସାରାଂଶ

ଆର୍ଯ୍ୟବର୍ତ୍ତ: ଏକ ପଦ ଯାହା ଭାରତୀୟ ପରିପ୍ରେକ୍ଷୀରେ ଇତିହାସର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭାବରେ ବ୍ୟବହୃତ ହୋଇଆସିଛି ଏବଂ ଏହା ସମୁଦାୟ ଉପମହାଦେଶକୁ ପରିବ୍ୟାପ୍ତ । ଏହା ବୈଦିକ ସଂସ୍କୃତିର, ରାମାୟଣ ଓ ମହାଭାରତର, ଏଥିସହିତ ବୁଦ୍ଧ ଓ ମହାବୀରଙ୍କ ଭୂମିର ପ୍ରତିନିଧିତ୍ୱ କରୁଛି

କୋଲାମ୍‌: ପାଲିସ୍‌ ଭାବରେ ବଟାଯାଇଥିବା ଚାଉଳ ପିଠଉରେ ତିଆରି ହୋଇଥିବା ସଳଖ ଏବଂ ବକ୍ର ଝୋଟି ଡିଜାଇନ୍‌ ନିମନ୍ତେ ଏକ ତାମିଲ୍‌ ଶବ୍ଦ

ଦହି-ହାଣ୍ଡି: କୃଷ୍ଣଙ୍କ ପ୍ରିୟ ଦହିରେ ଭର୍ତ୍ତି ହୋଇଥିବା ମାଟି ପାତ୍ର କୃଷ୍ଣ ଜନ୍ମାଷ୍ଟମୀ ଦିନ ଏହି ପାତ୍ରଗୁଡ଼ିକ ଖୁବ୍‌ ଉଚ୍ଚରୁ ଓହଳାଯାଏ ଓ କମ୍‌ ବୟସର ପୁଅଝିଅମାନେ ମାନବ ପିରାମିଡ୍‌ ତିଆରି କରନ୍ତି ଏବଂ ଉତ୍ସବର ଏକ ଶୈଳୀ ଭାବରେ ସେଗୁଡ଼ିକୁ ଭାଙ୍ଗନ୍ତି

କଂସ: ଭଗବାନ କୃଷ୍ଣଙ୍କର ମାମୁଁ ଏବଂ ମଥୁରାର ଶାସକ, ଯିଏ ନିଜକୁ ସୁରକ୍ଷିତ କରିବା ପାଇଁ ନିଜ ଭଉଣୀର ସନ୍ତାନମାନଙ୍କ ସମେତ ଅନେକ ଶିଶୁଙ୍କୁ ହତ୍ୟା କରିଥିଲେ

ଗୋରଖ: ଜଣେ ୧୩ଶ ଶତାବ୍ଦୀର ନେତା ଏବଂ ନାଥ ଭାବରେ ଜଣାଶୁଣା ଏକ ସନ୍ୟାସ ଶୃଙ୍ଖଳର ପ୍ରତିଷ୍ଠାତା । ତାଙ୍କ ପାଇଁ ସମର୍ପିତ କବିତାଗୁଡ଼ିକ ‘ଗୋରଖ ବାଣୀ’ ଭାବରେ ଜଣାଶୁଣା

ରାପ୍ତି: ଉତ୍ତରପ୍ରଦେଶର ପୂର୍ବାଞ୍ଚଳରେ ପ୍ରବାହିତ ଏକ ନଦୀ ଯାହାର କୂଳରେ ଗୋରଖପୁର ଅବସ୍ଥିତ

କବିର୍‌: ୧୫ଶ ଶତାବ୍ଦୀର ଜଣେ ସୁଫି କବି-ସନ୍ଥ

ଏହି ଦଳଗତ ଉଦ୍ୟମ ପ୍ରତି ଉଲ୍ଲେଖଯୋଗ୍ୟ ଯୋଗଦାନ ନିମନ୍ତେ ଆମେ ସ୍ମିତା ଖତୋରଙ୍କୁ ଧନ୍ୟବାଦ ଦେଉଛୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Poems and Text : Devesh

Devesh is a poet, journalist, filmmaker and translator. He is the Translations Editor, Hindi, at the People’s Archive of Rural India.

Other stories by Devesh
Paintings : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE