ଚାରିଜଣ ସ୍କୁଲ ପିଲା ସେମାନଙ୍କର ପ୍ରଧାନଶିକ୍ଷକ ଯେଉଁଠାରେ କହିଥିଲେ ସେଠାରେ ଆଗ୍ରହର ସହ ବସି ରହିଥିଲେ। ସେମାନଙ୍କର ସ୍କଲାରସିପ୍ ସଙ୍କଟରେ ଥିଲା-ତାହା ସେମାନଙ୍କର ପ୍ରଦର୍ଶନ ବା ତାର ଅଭାବ ଯୋଗୁ ନଥିଲା। ପ୍ରଧାନଶିକ୍ଷକ ପିଲାମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସେଠାକୁ ପଠାଇଥିଲେ, ସେମାନଙ୍କୁ ଦଣ୍ଡିତ କରିବାକୁ ନୁହେଁ। ଏହା ସେମାନଙ୍କ ସ୍କୁଲର ଶ୍ରେଣୀଗୃହ ନଥିଲା। ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ସବୁଠୁ ଗରିବ ମଣ୍ଡଳ ଆମଦାଗୁରୁରେ କିଛି ନାଟକ ଆରମ୍ଭ ହେଉଥିଲା।

ଜାନୁଆରୀ ୧୬ ତାରିଖରେ ପରୀ ପକ୍ଷରୁ ଆମଦାଗୁରୁର ସରକାରୀ ପ୍ରାଇମେରୀ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଚାରିଜଣ ସ୍କୁଲ ଛାତ୍ର ଓ ଜଣେ ୧୦ ବର୍ଷୀୟ ଦଳିତ ଝିଅ ଜେ. ଇନ୍ଦୁଙ୍କ ସଂପର୍କରେ ଏକ ଆଲେଖ୍ୟ ପ୍ରକାଶିତ ହୋଇଥିଲା। ଏମାନେ ସମସ୍ତେ ଚଳିତବର୍ଷ ସେମାନଙ୍କର ସ୍କଲାରସିପ୍ ହରାଇବାକୁ ଯାଉଛନ୍ତି କାରଣ ସେମାନଙ୍କର ନାଁ ଆଧାର କାର୍ଡରେ ଭୁଲ ଭାବେ ଲେଖାଯାଇଛି। ଇନ୍ଦୁଙ୍କ ନାଁ ଆଧାର କାର୍ଡରେ ହିନ୍ଦୁ ବୋଲି ଦର୍ଶାଯାଇଥିବାବେଳେ ତାଙ୍କ ପରିବାର ପକ୍ଷରୁ ଏକ ତ୍ରୁଟି ସୁଧାର ପାଇଁ ଏକ ଆବେଦନ କରାଯାଇଥିଲା। ସେଥିରେ ମଧ୍ୟ ତାଙ୍କର ନାଁ ସମାନ ରହିଛି।

A man writing at a desk in a classroom surrounded by two young boys and a girl
PHOTO • Rahul M.
Three young boys and a young girl in their school uniforms walking through an open area
PHOTO • Rahul M.

ପ୍ରଧାନଶିକ୍ଷକ ଏସ୍.ରୋଶିୟା ପିଲାମାନଙ୍କୁ ଠିକ୍ ସାର୍ଟିଫିକେଟ୍ ଦେଲେ: ସେଥିସହିତ ପିଲାମାନେ ସ୍ଥାନୀୟ ‘ଆଟ ୟୋର ସର୍ଭିସ’ କେନ୍ଦ୍ରକୁ ଗଲେ।

ଏହାଯୋଗୁ ଇନ୍ଦୁଙ୍କ ନାଁରେ ଏକ ବ୍ୟାଙ୍କ ଏକାଉଣ୍ଟ ଖୋଲିବା ପାଇଁ ତାଙ୍କ ସ୍କୁଲକୁ ଅସୁବିଧା ହେଲା-କାରଣ ବ୍ୟାଙ୍କ ଏକାଉଣ୍ଟ ଖୋଲିବା ପାଇଁ ତାଙ୍କ ନାଁ ସହ ମେଳ ଖାଉଥିବା ଏକ ଆଧାର କାର୍ଡ ଆବଶ୍ୟକ। ଅନ୍ୟ ଚାରିଜଣ ଛାତ୍ର (ତିନିଜଣ ଦଳିତ, ଜଣେ ମୁସଲିମ) ମଧ୍ୟ ସମାନ ଅବସ୍ଥା ଭୋଗୁଥିଲେ। ଆନ୍ଧ୍ରପ୍ରଦେଶରେ ଅନୁସୂଚୀତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ପଞ୍ଚମ ଶ୍ରେଣୀ ପରେ ବାର୍ଷିକ ୧,୨୦୦ ଟଙ୍କା ସ୍କଲାରସିପ୍ ଆକାରରେ ଦିଆଯାଇଥାଏ।

ପରୀରେ ଏ ସଂପର୍କରେ ଏକ ଆଲେଖ୍ୟ ପ୍ରକାଶିତ ହେବା ପରେ ହାଇଦ୍ରାବାଦରେ ଥିବା ୟୁଆଇଡିଏଆଇ (ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ) ର ଆଞ୍ଚଳିକ ଅଫିସରୁ ଜଣେ ଅଧିକାରୀ ଆମଦାଗୁରୁର ଆଧାର ଅପରେଟର କେ ନାଗେନ୍ଦ୍ରଙ୍କ ସହ କଥା ହେଲେ। ନାଗେନ୍ଦ୍ର ସ୍କୁଲର ପ୍ରଧାନଶିକ୍ଷକ ଏସ୍ ରୋଶିୟା (ସେ ମଧ୍ୟ ଜଣେ ଦଳିତ) ଙ୍କ ସହ ସଂପର୍କ କଲେ ଏବଂ କହିଲେ ସେମାନେ ଯଦି ସମ୍ଭବପର ତା’ ହେଲେ ଘଣ୍ଟାଏ ମଧ୍ୟରେ ଆଧାର କାର୍ଡର ତ୍ରୁଟି ସୁଧାରିବାକୁୁ ଚାହୁଁଛନ୍ତି। ରୋଶିୟା ତାଙ୍କୁ କହିଲେ ପିଲାମାନେ ପୋଙ୍ଗଲ ପାଇଁ ଛୁଟିରେ ଯାଇଥିବାରୁ ସ୍କୁଲ ବନ୍ଦ ଅଛି। ତେବେ ସେ ନାଗେନ୍ଦ୍ରଙ୍କୁ ପ୍ରତିଶ୍ରୁତି ଦେଲେ ଯେ ସେ ଛାତ୍ରଛାତ୍ରୀମାନଙ୍କୁ ମି ସେବା କେନ୍ଦ୍ର (‘ଆଟ ୟୋର ସର୍ଭିସ୍’ ସେଣ୍ଟର) କୁ ଛୁଟି ପରେ ପଠାଇବେ।

A man sitting at an office desk surrounded by three young boys and a girl wearing school uniforms
PHOTO • Rahul M.

ଅପରେଟର କେ. ନାଗେନ୍ଦ୍ର ସ୍କୁଲ ପିଲାମାନଙ୍କର ବାଓମେଟ୍ରିକ୍ ଡାଟାକୁ ପୁଣି ରେକର୍ଡ କରୁଛନ୍ତି।

ଜାନୁଆରୀ ୨୨ ତାରିଖରେ ସ୍କୁଲ ଖୋଲିବା ପରେ  ରୋଶିୟା ବ୍ୟାଙ୍କ ଏକାଉଣ୍ଟ ନଥିବା ପାଞ୍ଚଜଣ ଛାତ୍ରଛାତ୍ରୀଙ୍କୁ ଡାକିଲେ। ସେମାନଙ୍କ ମଧ୍ୟରୁ ଜଣେ ବି. ଆନିଫ୍ (ଯାହାଙ୍କର ଆଧାର କାର୍ଡ ତ୍ରୁଟି ସୁଧାର ହେବା ପରେ ମଧ୍ୟ ଆନିଫେ ଏବଂ ଆନେଫ୍ ଲେଖାହୋଇଥିଲା) କହିଲେ ତାଙ୍କର ପରିବାର ଛୁଟି ପୂର୍ବରୁ ତ୍ରୁଟିସୁଧାର ପାଇଁ ଆବେଦନ କରିଥିଲେ। ଏହାପରେ ରୋଶିୟା ଇନ୍ଦୁଙ୍କ ସମେତ ଅନ୍ୟ ଚାରିଜଣଙ୍କୁ ସ୍କୁଲର ଡକ୍ୟୁମେଣ୍ଟ ରଖାଯାଇଥିବା କୋଠରୀକୁ ଡାକିଲେ, ଉପସ୍ଥାନ ଖାତା ଦେଖି ସେମାନଙ୍କର ସଠିକ୍ ବିବରଣୀକୁ ନୂଆ ସ୍କୁଲ ସାର୍ଟିଫିକେଟରେ ଲେଖିଲେ। ନାଗେନ୍ଦ୍ର ସେହି ସାର୍ଟିଫିକେଟକୁ ତାଙ୍କର ମି ସେବା କେନ୍ଦ୍ରର ଆଧାର ସର୍ଭରରେ ଅପଲୋଡ୍ କରିବେ।

ତା’ପରେ ଜାନୁଆରୀ ୨୩ ତାରିଖ ସକାଳେ ସେହି ଚାରିଜଣ ପିଲା ଆମଦାଗୁରୁର ମି ସେବା କେନ୍ଦ୍ରକୁ ଗଲେ। ସେଠାରେ ନାଗେନ୍ଦ୍ର ସେମାନଙ୍କ ନାଁ ଓ ଜନ୍ମତାରିଖକୁ ଠିକ୍ କରିବା ପାଇଁ ୱେବସାଇଟ ଖୋଲିବାବେଳେ ଏମାନେ ବସିରହି ଅପେକ୍ଷା କଲେ। କମ୍ପୁ୍ୟଟରରେ ଅସୁବିଧା ଯୋଗୁ ଅନେକ ପିଲା ବାୟୋମେଟ୍ରିକ୍ସକୁ ଅପଡେଟ୍ କରିବା ସମୟରେ ସେମାନଙ୍କର ଜନ୍ମତାରିଖ ଜାନୁଆରୀ ୧ ରହିଥିଲା।

ଅପରେଟର ପିଲାମାନଙ୍କୁ ପଚାରିଲେ, "ତୁମେମାନେ ତୁମର ବାପା ମା’ଙ୍କର ମୋବାଇଲ ନମ୍ବର ଜାଣିଛ? ତାହା ପୁଣି ଥରେ ଆଧାର କାର୍ଡକୁ ପ୍ରିଣ୍ଟ କରିବାବେଳେ ଓଟିପି [ୱାନ୍ ଟାଇମ୍ ପାସୱାର୍ଡ] ପାଇଁ ଆବଶ୍ୟକ।" ଇନ୍ଦୁ ତାଙ୍କ କାକାଙ୍କର ମୋବାଇଲ ନମ୍ବର ଜାଣିଥିଲେ ଏବଂ ସେ ତାକୁ ଅପରେଟରଙ୍କୁ ଦେଲେ। ଅନ୍ୟ ଦୁଇଜଣ ପିଲା (ଯାଁଳା ଭାଇ) ସେମାନଙ୍କର ବାପାମା’ଙ୍କର ନମ୍ବର ଦେଲେ। ଚତୁର୍ଥ ପିଲାଜଣକ ସେହି ଦିନ ତାଙ୍କ ଆଧାର କାର୍ଡର ଆଣିବାକୁ ଭୁଲିଯାଇଥିଲେ। ତେଣୁ ତାଙ୍କ କାର୍ଡର ତ୍ରୁଟି ସୁଧାର ପଡ଼ି ରହଛି।

A man sitting at a desk in an office taking a photograph of a young girl in a school uniform. She is holding her Aadhaar card.
PHOTO • Rahul M.
A man sitting at a desk in an office taking the biometrics of a young girl in a school uniform.
PHOTO • Rahul M.

ବାୟୋମେଟ୍ରିକ୍ ସ୍କାନ ପରେ ଇନ୍ଦୁଙ୍କୁ ଏକ ହାତଲେଖା ରସିଦ୍ ଦିଆଗଲା। ତାଙ୍କର ତଥ୍ୟକୁ କାଗଜପତ୍ରରେ ଲେଖି ରଖାଗଲା ଏବଂ ପରେ ତାହା ଆଧାର ୱେବସାଇଟରେ ଅପଲୋଡ ହେବ।

ଇନ୍ଦୁଙ୍କର ସବିଶେଷ ବିବରଣୀ ନେବାପରେ ନାଗେନ୍ଦ୍ର ତାଙ୍କୁ ପ୍ରିଣ୍ଟ ହୋଇଥିବା ଏକ ଆକନଲେଜମେଣ୍ଟ ଦେଇପାରିଲେ ନାହିଁ, ତେଣୁ ସେ ତାଙ୍କୁ ଏକ ହାତଲେଖା ରସିଦ୍ ଦେଲେ। ନାଗେନ୍ଦ୍ର କହିଲେ, "ପ୍ରିଣ୍ଟର କାମ କରୁନାହିଁ।" ତଥ୍ୟ ବା ଡାଟା ଅପଡେଟ୍ ହେବାପାଇଁ ଏକ ସପ୍ତାହ ଲାଗିବ। "ମୁଁ ସେହି ସ୍କାନ ହୋଇଥିବା ତଥ୍ୟକୁ ଏବେ ଯାଏ ଆଧାର ୱେବସାଇଟରେ ଅପଲୋଡ୍ କରିନାହିଁ। ଫାଇଲଗୁଡ଼ିକ ମୋର ଲାପଟପରେ ସୁରକ୍ଷିତ ହୋଇ ଅଛି," ସେ କହିଲେ। ଆଉ ଜଣେ ଅପରେଟର ପୁଣିଥରେ ସେହି ତଥ୍ୟକୁ ଯାଞ୍ଚ କରିବାର ଥିଲା ଏବଂ ନାଗେନ୍ଦ୍ରଙ୍କୁ ତାଙ୍କର ଲାପଟପ୍ ନେଇ ପରେ ସେହି ଅପରେଟରଙ୍କ ନିକଟକୁ ଯିବାକୁ ଥିଲା।

ପ୍ରଧାନଶିକ୍ଷକ ରୋଶେୟା କହିଲେ, "ସ୍କଲାରସିପର ଦାୟିତ୍ୱରେ ଥିବା ଲୋକ କହୁଛନ୍ତି ଯେ, ବ୍ୟାଙ୍କରେ ସମସ୍ୟା ରହିଛି (ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ସର୍ଭରରେ) ଏବଂ କେହି ଆସନ୍ତା ମାସର ୩ ତାରିଖ ଯାଏ ଏକାଉଣ୍ଟ ଖୋଲିପାରିବେ ନାହିଁ। କିନ୍ତୁ ଆଧାର କାର୍ଡ ଅପଡେଟ୍ ହେଉଥିବା ଯୋଗୁ ଏହି ପାଞ୍ଚଜଣ ପିଲା ସେମାନଙ୍କର ସ୍କଲାରସିପ୍ ପାଇବେ ବୋଲି ସେ ଦୃଢ଼ ଅଛନ୍ତି।" ରୋଶେୟାଙ୍କ ଅନୁସାରେ "ବ୍ୟାଙ୍କ୍ ଏକାଉଣ୍ଟ ଖୋଲିବା ପରେ ସ୍କଲାରସିପ୍ ପାଇଁ ନାମ ପଞ୍ଜିକରଣ ହେବା ମାତ୍ର ଘଣ୍ଟାକର କାମ। ଚଳିତବର୍ଷ ପିଲାମାନେ ନିଶ୍ଚିତ ଭାବେ ସେମାନଙ୍କର ସ୍କଲାରସିପ୍ ପାଇବେ।"

ଯେତେବେଳେ ବହୁ ସଂଖ୍ୟକ ଲୋକଙ୍କ ଆଧାରରେ ତ୍ରୁଟି ହେଉଛି, ସେତେବେଳେ ଏଭଳି ତ୍ୱରିତ ପ୍ରତିକ୍ରିୟାର କାରଣ କଣ? ଏ ସଂପର୍କରେ ଜଣେ ପୂର୍ବତନ କଲେଜ ଅଧ୍ୟକ୍ଷ ଏବଂ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ପ୍ରତିଷ୍ଠିତ ଏକ ସଂସ୍ଥା ମାନବାଧିକାର ଫୋରମ୍ର କେନ୍ଦ୍ରୀୟ ସମନ୍ୱୟ କମିଟିର ସଦସ୍ୟ ଏ ଚନ୍ଦ୍ରଶେଖର କହନ୍ତି, "ଏହି ପ୍ରସଙ୍ଗର ସମ୍ବେଦନଶୀଳତା ଓ ସୁପ୍ରିମକୋର୍ଟରେ ହେଉଥିବା ମାମଲା ଯୋଗୁ ଅଧିକାରୀମାନେ ହୁଏତ ଏତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। ସେମାନେ (ଅଧିକାରୀମାନେ) ଏବେ ବି ବ୍ୟବସ୍ଥା ଉପରେ ଲୋକଙ୍କର ବିଶ୍ୱାସ ରଖିବାକୁ ଚାହୁଁଛନ୍ତି। ତେଣୁ ଯଦି ଆଧାର ବ୍ୟବସ୍ଥାରେ ଏକଲକ୍ଷ ମାମଲା ରହିଛି ଏବଂ ସେମାନେ ୧୦,୦୦୦ ମାମଲାରେ ତ୍ରୁଟି ସୁଧାର କରୁଛନ୍ତି ତା" ହେଲେ ଲୋକମାନେ କିଛି ଆଶ୍ୱାସନା ପାଇବେ। ସେମାନେ ଗୋଟିଏ ସ୍ତରରେ ଏହି କାମ କରୁଛନ୍ତି, କିନ୍ତୁ ଅନ୍ୟ ପଟେ ସେମାନେ ପ୍ରକୃତ ସ୍ଥିତି ବି ଜାଣିଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍

Rahul M.

Rahul M. is an independent journalist based in Anantapur, Andhra Pradesh, and a 2017 PARI Fellow.

Other stories by Rahul M.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE