ଚାରିଜଣ ସ୍କୁଲ ପିଲା ସେମାନଙ୍କର ପ୍ରଧାନଶିକ୍ଷକ ଯେଉଁଠାରେ କହିଥିଲେ ସେଠାରେ ଆଗ୍ରହର ସହ ବସି ରହିଥିଲେ। ସେମାନଙ୍କର ସ୍କଲାରସିପ୍ ସଙ୍କଟରେ ଥିଲା-ତାହା ସେମାନଙ୍କର ପ୍ରଦର୍ଶନ ବା ତାର ଅଭାବ ଯୋଗୁ ନଥିଲା। ପ୍ରଧାନଶିକ୍ଷକ ପିଲାମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସେଠାକୁ ପଠାଇଥିଲେ, ସେମାନଙ୍କୁ ଦଣ୍ଡିତ କରିବାକୁ ନୁହେଁ। ଏହା ସେମାନଙ୍କ ସ୍କୁଲର ଶ୍ରେଣୀଗୃହ ନଥିଲା। ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ସବୁଠୁ ଗରିବ ମଣ୍ଡଳ ଆମଦାଗୁରୁରେ କିଛି ନାଟକ ଆରମ୍ଭ ହେଉଥିଲା।
ଜାନୁଆରୀ ୧୬ ତାରିଖରେ ପରୀ ପକ୍ଷରୁ ଆମଦାଗୁରୁର ସରକାରୀ ପ୍ରାଇମେରୀ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଚାରିଜଣ ସ୍କୁଲ ଛାତ୍ର ଓ ଜଣେ ୧୦ ବର୍ଷୀୟ ଦଳିତ ଝିଅ ଜେ. ଇନ୍ଦୁଙ୍କ ସଂପର୍କରେ ଏକ ଆଲେଖ୍ୟ ପ୍ରକାଶିତ ହୋଇଥିଲା। ଏମାନେ ସମସ୍ତେ ଚଳିତବର୍ଷ ସେମାନଙ୍କର ସ୍କଲାରସିପ୍ ହରାଇବାକୁ ଯାଉଛନ୍ତି କାରଣ ସେମାନଙ୍କର ନାଁ ଆଧାର କାର୍ଡରେ ଭୁଲ ଭାବେ ଲେଖାଯାଇଛି। ଇନ୍ଦୁଙ୍କ ନାଁ ଆଧାର କାର୍ଡରେ ହିନ୍ଦୁ ବୋଲି ଦର୍ଶାଯାଇଥିବାବେଳେ ତାଙ୍କ ପରିବାର ପକ୍ଷରୁ ଏକ ତ୍ରୁଟି ସୁଧାର ପାଇଁ ଏକ ଆବେଦନ କରାଯାଇଥିଲା। ସେଥିରେ ମଧ୍ୟ ତାଙ୍କର ନାଁ ସମାନ ରହିଛି।







