ଉତ୍ତରାଖଣ୍ଡର ପାର୍ବତ୍ୟ ଜିଲ୍ଲାରେ ଫେବୃଆରୀ ୧୫ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳକୁ ମାଙ୍କଡ଼ମାନେ ପ୍ରଭାବିତ କରିପାରନ୍ତି। ଆସନ୍ତାକାଲି, ମାର୍ଚ୍ଚ ୧୧ରେ ଫଳ ପ୍ରକାଶ ପାଇବ ।

“ମାଙ୍କଡ଼ ଉପଦ୍ରବ ଆମ ଜୀବନକୁ ନଷ୍ଟ କରିଦେଲାଣି, କିନ୍ତୁ ରାଜନୈତିକ ଦଳଗୁଡ଼ିକ କେବଳ ଭୋଟ ମାଗୁଛନ୍ତି । ଯଦି ଆମେ ଭୋଟ ଦେଉନାହୁଁ, ସେମାନେ କହୁଛନ୍ତି, “ତୁମେ ଭୋଟ ଦେଲନାହିଁ, ତେଣୁ କିଛି ଅଭିଯୋଗ କରିପାରିବ ନାହିଁ,” ବୋଲି କୁହନ୍ତି ପୁରନ ଲାଲ ସିଂ ।

ତେଣୁ ଆଲମୋଡ଼ା ଜିଲ୍ଲାର ସୋମେଶ୍ୱର ବ୍ଲକରେ ଥିବା ଜଲ ଧଉଲାର ଗ୍ରାମରେ ଫେବୃଆରୀର ଏକ ଖରାଟିଆ ସକାଳେ ଯେତେବେଳେ ଅଧା କିମି ବ୍ୟବଧାନରେ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର ଶୋଭାଯାତ୍ରା କୋଳାହଳ କରି ଯାଉଥିଲା ଏହାର କିଛି ବି ପ୍ରଭାବ ପୁରନ ଲାଲ ଓ ତାଙ୍କ ପତ୍ନୀ ନନ୍ଦୀ ଦେବୀଙ୍କ ଉପରେ ପଡ଼ିନଥିଲା। ଉଭୟ କାର୍ଯ୍ୟ କରିବା ଜାରି ରଖିଥିଲେ ।

PHOTO • Arpita Chakrabarty

ଆଲମୋଡ଼ା ଜିଲ୍ଲା ସୋମେଶ୍ୱର ବ୍ଲକ୍ ଜଲ ଧଉଲାର ଗ୍ରାମର ନନ୍ଦୀ ଦେବୀ ଓ ପୁରନ ଲାଲ ସେମାନଙ୍କ ସୋରିଷ ଓ ଗହମ ଫସଲ ହରାଇ ଦେଇଛନ୍ତି ଏବଂ ଆଳୁ ଚାଷ ଆରମ୍ଭ କରିଛନ୍ତି

୫୦ ବର୍ଷରେ ଉପନୀତ ହୋଇଥିବା ଏହି ଦମ୍ପତି ଗତ ନଭେମ୍ବରରେ ସେମାନଙ୍କ ତିନି ଏକର ଜମିରେ ଗହମ ଓ ସୋରିଷ ଚାଷ କରିଥିଲେ। କିନ୍ତୁ ମାର୍ଚ୍ଚ-ଏପ୍ରିଲ ଫସଲ ଅମଳ ଋତୁ ଆରମ୍ଭ ହେବା ପୂର୍ବରୁ ମାଙ୍କଡ଼ମାନଙ୍କ ଦଳ ଆସି ପହଞ୍ଚି ସବୁ ଫସଲ ନଷ୍ଟ କରିଦେଇଥିଲେ। “ମାତ୍ର କିଛି ଗଛ ରହିଯାଇଥିଲା, ଏବଂ ସେଗୁଡ଼ିକ ସୋରିଷ ଅମଳ ପାଇଁ ଯଥେଷ୍ଟ ନୁହେଁ,” ବୋଲି ଅସନ୍ତୁଷ୍ଟ ନନ୍ଦୀ ଦେବୀ କୁହନ୍ତି। ସେ ଓ ତାଙ୍କ ସ୍ୱାମୀ ବର୍ତ୍ତମାନ ଆଳୁ ଚାଷ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି। “ଅତି କମ୍‌ରେ ଆମେ କିଛି ଖାଇବାକୁ ତ’ ପାଇବୁ...” ସେ କୁହନ୍ତି ।

ସୋମେଶ୍ୱର ଉପତ୍ୟାକା ଦେଇ କୋଶୀ ଓ ସାଇ ନଦୀ ପ୍ରବାହିତ ହେଉଛି। ଏଠାରେ ଉର୍ବର ଜମି ରହିଛି, କିନ୍ତୁ ଜଳସେଚନ ଓ ଉଠାଜଳସେଚନ ବ୍ୟବସ୍ଥା ଯଥେଷ୍ଟ ନୁହେଁ। ଏହାଛଡ଼ା ମାଙ୍କଡ଼ ଓ ଜଙ୍ଗଲୀ ବାରହା ପାର୍ବତ୍ୟ କୃଷିକୁ ନଷ୍ଟ କରି ଦେଇଥାନ୍ତି। ଗାଁ ଲୋକମାନେ କୁହନ୍ତି କିଛି ଗୋଟିଏ ଦଶନ୍ଧି ପୂର୍ବରୁ ମାଙ୍କଡ଼ମାନେ ସେତେଟା ସମସ୍ୟା ସୃଷ୍ଟି କରୁନଥିଲେ। କେବଳ କିଛି ମାଙ୍କଡ଼ କାଁ ଭାଁ ଆସୁଥିଲେ। କିନ୍ତୁ ସେମାନେ କୁହନ୍ତି ଯେ ଏମାନଙ୍କ ସଂଖ୍ୟା ଏବେ ବହୁଗୁଣିତ ହୋଇଯାଇଛି। କାରଣ ଉତ୍ତରାଖଣ୍ଡର ବିଭିନ୍ନ ସହରରେ ଥିବା ମାଙ୍କଡ଼ମାନଙ୍କୁ ଧରି ଆଣି ବନ ବିଭାଗ ପାର୍ବତ୍ୟ ଓ ଜଙ୍ଗଲ ନିକଟବର୍ତ୍ତୀ ଜିଲ୍ଲାରେ ଛାଡ଼ି ଦେଉଛି। ହରିଦ୍ୱାର ଜଙ୍ଗଲ ଡିଭିଜନ ଅନ୍ତର୍ଗତ ଚିଡିଆପୁରଠାରେ ୨୦୧୫ରୁ ରାଜ୍ୟର ଏକମାତ୍ର ମାଙ୍କଡ଼ ବନ୍ଧ୍ୟାକରଣ କେନ୍ଦ୍ର ରହିଛି ଏବଂ ଏଥିରେ କ୍ଷମତାଠାରୁ ଅଧିକ ମାଙ୍କଡ଼ଙ୍କ ବନ୍ଧ୍ୟାକରଣ କରାଯାଉଛି। ଇତିମଧ୍ୟରେ ବହୁସଂଖ୍ୟକ ମାଙ୍କଡ଼ ଆଲମୋଡ଼ା ଏବଂ ଅନ୍ୟ ପାର୍ବତ୍ୟ ଜିଲ୍ଲାଗୁଡ଼ିକୁ ଚାଲିଆସୁଛନ୍ତି। ସେମାନଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ନଥିବାରୁ ଗାଁରେ ଫସଲ ଖାଇ ନଷ୍ଟ କରିଦେଉଛନ୍ତି।

PHOTO • Arpita Chakrabarty

ବହୁସଂଖ୍ୟକ ମାଙ୍କଡ଼ ଉତ୍ତରାଖଣ୍ଡର ପାର୍ବତ୍ୟ ଜିଲ୍ଲାକୁ ଆସି ଫସଲ ଓ ସମ୍ପୂର୍ଣ୍ଣ ଚାଷ ଜମିକୁ ନଷ୍ଟ କରୁଛନ୍ତି

ଏହି ଭୋକିଲା ପ୍ରାଣୀଙ୍କ ଉପଦ୍ରବ ଏବଂ ଯଥେଷ୍ଟ ଜଳସେଚନ ସୁବିଧା ନଥିବା କାରଣରୁ ସୋମେଶ୍ୱର ଉପତ୍ୟାକାରେ ଏବେ ବହୁ ପରିମାଣର ଜମି ପଡ଼ିଆ ପଡ଼ୁଛି। ଉତ୍ତରାଖଣ୍ଡର ଅନ୍ୟ ଅଞ୍ଚଳରେ ମଧ୍ୟ ଏପରି ସମସ୍ୟା ଦେଖିବାକୁ ମିଳୁଛି। କୃଷି ସମସ୍ୟା ବ୍ୟତୀତ, ପାର୍ବତ୍ୟାଞ୍ଚଳରେ ନିଯୁକ୍ତିର ଅଭାବ, ସ୍କୁଲର ଅଭାବ ଓ ଚିକିତ୍ସା ସୁବିଧା ନଥିବା ଯୋଗୁଁ ଅଧିକାଂଶ ଲୋକ ସମତଳ ଅଞ୍ଚଳ କିମ୍ବା ରାଜ୍ୟବାହାରକୁ ଚାଲିଯାଉଛନ୍ତି।

ତେଣୁ ମାଙ୍କଡ଼ଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଉତ୍ତରାଖଣ୍ଡର ଗ୍ରାମଗୁଡ଼ିକ ଏବେ ଜନଶୂନ୍ୟ ହେବାରେ ଲାଗିଛି। ୨୦୧୧ ଜନଗଣନା ଅନୁଯାୟୀ ଆଲମୋଡ଼ାର ୧୦୫ଟି ଗ୍ରାମରେ କେହି ଲୋକ ରହୁନାହାନ୍ତି। ସେହିପରି ପୌରୀ ଗଡ଼ୱାଲ ଜିଲ୍ଲାର ୩୩୧ଟି ଗ୍ରାମ ମଧ୍ୟ ଜନଶୂନ୍ୟ ହୋଇଯାଇଛି। ଜନଗଣନା ତଥ୍ୟ ଅନୁଯାୟୀ, ରାଜ୍ୟର ମୋଟ ୧୬,୭୯୩ଟି ଗ୍ରାମ ମଧ୍ୟରୁ ୧୦୫୩ଟି ଗ୍ରାମ ଜନଶୂନ୍ୟ ହୋଇଯାଇଛି। ଅନ୍ୟପକ୍ଷରେ ୪୦୫ଟି ଗ୍ରାମରେ ୧୦ଜଣରୁ କମ ଲୋକ ଅଛନ୍ତି।

PHOTO • Arpita Chakrabarty

ସୋମେଶ୍ୱରରେ ତାଲା ପଡ଼ିଥିବା ଏକ ଘର ଓ ପଡ଼ିଆ ଜମି : ଉତ୍ତରାଖଣ୍ଡର ଏହି ଗ୍ରାମ ସମ୍ପୂର୍ଣ୍ଣ ଭାବେ ଜନଶୂନ୍ୟ ହୋଇପଡ଼ିଛି

କାଠ କାରିଗରୀ ହୋଇଥିବା ରାଜ୍ୟର ସଂଖ୍ୟାଧିକ କୁମାଓନୀ ଶୈଳୀର ଘରେ ଏବେ ତାଲା ପଡ଼ିଛି। ଛାତ ଖସପଡ଼ିଛି ଓ ଛପର ମଧ୍ୟ ନାହିଁ। ଘର ମାଲିକମାନେ ହଲଦ୍ୱାନୀ, ଡେରାଡୁନ ଓ ଦିଲ୍ଲୀ ଭଳି ସହରକୁ ଭଲରେ ରହିବା ପାଇଁ ଚାଲିଯାଉଛନ୍ତି। ଆଲମୋଡ଼ା ଜିଲ୍ଲାର ଅଧିକାଂଶ ବ୍ଲକ୍‌ରେ ଏବେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ରହୁଛନ୍ତି। ସେମାନେ ଏବେ ବୟସ୍କ ଓ ପିଲାଙ୍କ ସହିତ ଜନଶୂନ୍ୟ ଗ୍ରାମରେ ରହୁଛନ୍ତି। ଘରର ପୁରୁଷମାନେ ବଡ଼ ସହର ଓ ନଗରକୁ ଯାଇ ରୋଜଗାର କରୁଛନ୍ତି ଓ ଘରକୁ ପ୍ରତିମାସରେ ଚଳିବା ପାଇଁ ଟଙ୍କା ପଠାଉଛନ୍ତି।

ଆଲମୋଡ଼ା ଜିଲ୍ଲାର ଭାସିଆ ଚାନା ବ୍ଲକ୍‌ର ବାବୁରିୟା ନାୟଲର ତାଲା ପଡ଼ିଥିବା ଘର କଷ୍ଟ ଓ ନିରାଶାର କାହାଣୀ କହୁଛି। ଏହି ଗାଁକୁ ରାସ୍ତା ନାହିଁ କାରଣ ଏହା ବିନସାର ବନ୍ୟଜନ୍ତୁ ଅଭୟାରଣ୍ୟ ମଧ୍ୟରେ ରହିଛି। କିନ୍ତୁ ଏହି ଅଭୟାରଣ୍ୟରେ ଥିବା ହୋଟେଲଗୁଡ଼ିକୁ ରାସ୍ତା ରହିଛି। ଆଠ କିମି ପାହାଡ଼ ଚଢ଼ିବା ପରେ ଗାଁରେ ପହଞ୍ଚିହୁଏ । ଏଠାରେ ଥିବା ସରକାରୀ ସ୍କୁଲରେ କେବଳ ଚତୁର୍ଥ ଶ୍ରେଣୀରେ ୨ ଜଣ ଛାତ୍ର ପଢ଼ନ୍ତି। ଗାଁରେ କେବଳ ଏହି ଦୁଇ ଜଣ ଶିଶୁ ଅଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ବବୁରିୟା ଲାଲ ଗାଁରେ ୧୩୦ ଜଣ ଗ୍ରାମବାସୀ ଥିଲେ ଏବେ ଏମାନଙ୍କ ସଂଖ୍ୟା ୬୦କୁ ଖସିଆସିଛି, ବୋଲି ସ୍କୁଲର ଶିକ୍ଷକ ଚମ୍ପା ବିଷ୍ଟ କୁହନ୍ତି ।

PHOTO • Arpita Chakrabarty

ବବୁରିୟା ନାୟଲ ଗ୍ରାମରେ ତାଲା ପଡ଼ିଥିବା ଘର କଷ୍ଟ ଓ ନିରାଶାର କାହାଣୀ କହୁଛି: ସ୍କୁଲ ଶିକ୍ଷକ ଅନୁମାନ କରନ୍ତି ଯେ ଗାଁରେ ଏବେ ୬୦ ଜଣ ଲୋକ ଅଛନ୍ତି ଯେଉଁମାନେ ଫେବୃଆରୀ ୧୫ ନିର୍ବାଚନକୁ ବର୍ଜନ କରିଥିଲେ

PHOTO • Arpita Chakrabarty

ବବୁରିୟା ନାୟଲ ଗ୍ରାମରେ ପହଞ୍ଚିବାର ଅର୍ଥ ହେଉଛି ୮କିମି ପାହାଡ଼ ଚଢ଼ିବା;ଏହି ଗାଁକୁ କୌଣସି ରାସ୍ତା ନାହିଁ

ଫେବୃଆରୀ ୧୫ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନକୁ ବବୁରିୟା ନାୟଲ ଗ୍ରାମବାସୀ ବର୍ଜନ କରିଥିଲେ । “ସରକାର ଆମକୁ କୌଣସି ସାହାଯ୍ୟ କରୁନଥିବାରୁ ନିର୍ବାଚନରେ ଭାଗ ନେବାରେ ଲାଭ କ’ଣ ଅଛି?”, ବୋଲି ଗାଁର ଅଙ୍ଗନୱାଡ଼ି କର୍ମୀ ପୂଜା ମେହରା ପ୍ରଶ୍ନ କରନ୍ତି ।

ନିର୍ବାଚନ ପୂର୍ବରୁ ଆଲୋମୋଡ଼ାର ମହିଳାମାନେ ମାଙ୍କଡ଼ଙ୍କ ବିଷୟରେ ଅଭିଯୋଗ କରିବାକୁ ଯାଇଥିଲେ ଏବଂ ରାଜନୈତିକ ଦଳ ଓ ସରକାର ସେମାନଙ୍କ ଫସଲ ସୁରକ୍ଷା କରନ୍ତୁ ବୋଲି ଦାବି କରିଥିଲେ। ମହିଳା ଏକତା ପରିଷଦ ଅଧୀନରେ ୮୦ଟି ଗ୍ରାମର ୪ ହଜାରରୁ ଊର୍ଦ୍ଧ୍ୱ ମହିଳା ଘର ଘର ବୁଲି ସେମାନଙ୍କ ସମସ୍ୟା ଦୂର କରୁଥିବା ଦଳକୁ ଭୋଟ ଦେବାକୁ ନିବେଦନ କରିଥିଲେ।

ବନ୍ୟଜନ୍ତୁ କବଳରୁ ସେମାନଙ୍କ ଫସଲକୁ ସୁରକ୍ଷିତ ରଖିବା ପାଇଁ ସତ୍ୟପାଠ କଲେ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ମହିଳାମାନେ ଦାବି କରିଥିଲେ। କେବଳ ଜଣେ ପ୍ରାର୍ଥୀ ଉତ୍ତରାଖଣ୍ଡ କ୍ରାନ୍ତି ଦଳର ଦ୍ୱାରହାଟ ବିଧାନସଭା ଆସନର ପ୍ରାର୍ଥୀ ପୁଷ୍ପେଶ ତ୍ରିପାଠୀ ସତ୍ୟପାଠ କରି ଏହି ସମସ୍ୟାର ସମାଧାନ ପାଇଁ ଆଶ୍ୱାସନା ଦେଇଥିଲେ ।

“ମଣିଷ-ପଶୁ ଲଢ଼େଇ ଏକ ସାମାଜିକ ପ୍ରସଙ୍ଗ, କିନ୍ତୁ ଆମେ ଏହାକୁ ରାଜନୈତିକ ପ୍ରସଙ୍ଗ କରିବାକୁ ଚାହୁଁଛୁ। ଏଗୁଡ଼ିକ ବାସ୍ତବ ସମସ୍ୟା କାରଣ ଦିନରେ ମାଙ୍କଡ଼ ଓ ରାତିରେ ଜଙ୍ଗଲୀ ବାରହା ଆମର ଫସଲ ଖାଇଯାଉଛନ୍ତି। ଏହାଦ୍ୱାରା ମହିଳାମାନେ ସଂକଟ ଭୋଗୁଛନ୍ତି, କାରଣ ଗାଁରେ ପୁରୁଷମାନେ ଅନ୍ୟତ୍ର ଚାଲିଯାଉଛନ୍ତି ଏବଂ ମହିଳାମାନେ ଗାଁରେ ରହି ଚାଷବାସ ଦେଖୁଛନ୍ତି,” ବୋଲି କୁହନ୍ତି ମଧୁବାଲା କାଣ୍ଡପାଲ, ପରିଷଦର ଅଧ୍ୟକ୍ଷ।

PHOTO • Arpita Chakrabarty

ଆଲମୋଡ଼ାର ୮୦ଟି ଗ୍ରାମର ମହିଳାମାନେ ମହିଳା ଏକତା ପରିଷଦ ଗଠନ କରିଛନ୍ତି: ଦ୍ୱାରହାଟ ଏବଂ ଅନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେମାନେ ଫେବୃଆରୀ ୧୫ ପୂର୍ବରୁ ନିର୍ବାଚନ ସଚେତନତା ଅଭିଯାନ ଆରମ୍ଭ କରିଥିଲେ

“ଲୋକମାନେ ଅନ୍ୟତ୍ର ନଯାଇ କାହିଁକି ଏଠାରେ ରହିବେ,” ବୋଲି ପ୍ରଶ୍ନ କରନ୍ତି ସୋମେଶ୍ୱରର ଜଣେ ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ ଶଙ୍କର ବର୍ମା । ତାଙ୍କର ଦୁଇ ପୁଅ ଦିଲ୍ଲୀ ଓ ହଲଦ୍ୱାନୀରେ ରହୁଥିବାରୁ ସେ ଖୁସି । “ସହରରେ ସେମାନେ କଷ୍ଟରେ ରହୁଥିଲେ ମଧ୍ୟ ଭଲ ସ୍କୁଲ, ଭଲ ଡାକ୍ତର ଓ ଚାକିରି ସୁବିଧା ପାଉଛନ୍ତି” ।

ନନ୍ଦୀ ଦେବୀ ଓ ପୁରନ ଲାଲ’ଙ୍କ ବଡ଼ ପୁଅ ମଧ୍ୟ, ହୋଟେଲ ମ୍ୟାନେଜମେଣ୍ଟ ପଢ଼ିବା ପରେ ସୋମେଶ୍ୱରରୁ ୨୦୦ କିମି ଦୂର ଯଶପୁରର ଏକ ହୋଟେଲରେ ତାଲିମ ନେଉଛନ୍ତି। “ମୋ ସାନପୁଅ ଗାଁରେ ଅଛି, ବୋଧେ ଏବେ ଟିଭି ଦେଖୁଥିବ,” ପୁରନଲାଲ କୁହନ୍ତି। ସେ ଏବେ ସୋମେଶ୍ୱରର ଏକ ସରକାରୀ ଇଂଟର କଲେଜରେ କମ୍‌ ଦରମାରେ କାମ କରୁଛନ୍ତି ଏଥିରୁ କିଛି ଆୟ ହେଉଛି। “ସେ ଆମକୁ ଜମିରେ କିଛି ଚାଷ ନକରିବାକୁ କହୁଛି, କାରଣ ମାଙ୍କଡ଼ ସବୁ ନଷ୍ଟ କରିଦେଉଛନ୍ତି...”।

ତଥାପି, ମାର୍ଚ୍ଚ ପୂର୍ବରୁ ଯେତେବେଳେ ନିର୍ବାଚନର କୋଳାହଳ ଶୁଣିବାକୁ ମିଳୁଥିଲା ନନ୍ଦୀ ଦେବୀ ଓ ପୁରନ ଲାଲ ଆଳୁ ଚାଷ କରିବା ଲାଗି ପ୍ରସ୍ତୁତ ହେଉଥିଲେ। ମାର୍ଚ୍ଚ ୧୧ରେ ଉତ୍ତରାଖଣ୍ଡରେ କିଏ ସରକାର ଗଢ଼ିବ ବୋଲି ମୁଁ ପଚାରିଲି। “ନିର୍ବାଚନ ଆସୁଛି ଓ ଯାଉଛି, କିନ୍ତୁ ଆମର ଜୀବନ ବଦଳୁନାହିଁ, ବରଂ ଆହୁରି ଖରାପ ହେଉଛି,” ବୋଲି ପୁରନ ଲାଲ କୁହନ୍ତି। “ଯଦି ଆମ ଗାଁର ପରିବାର ଫେରି ଆସି ମାଙ୍କଡ଼ ଓ ବାରହା କବଳରୁ ଆମ ଫସଲକୁ ସୁରକ୍ଷା ଦିଅନ୍ତେ, ଆମେ ଆମର ଫସଲ ଓ ଜୀବନ ବଞ୍ଚାଇପାରନ୍ତୁ ।”

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Arpita Chakrabarty

Arpita Chakrabarty is a Kumaon-based freelance journalist and a 2017 PARI fellow.

Other stories by Arpita Chakrabarty