ପ୍ରାୟ ୬୦ ବର୍ଷ ବୟସ୍କା ଗଙ୍ଗୁତାଇ ଚନ୍ଦର ୱାରଘଡ଼େ କହନ୍ତି, “ମୁଁ ମୋ ନାତିନାତୁଣୀଙ୍କ ପାଇଁ ଆସିଛି’’ । ‘‘ହୁଏତ ସେମାନଙ୍କର ଜୀବନକୁ ସୁଗମ କରିବା ଦିଗରେ ମୋର ଯାତ୍ରା ସହାୟକ ହେବ।”

ଅଧିସୂଚିତ ଜନଜାତି ମହାଦେବ କୋଲି ସଂପ୍ରଦାୟର ଗଙ୍ଗୁତାଇ ଜଣେ କୃଷି ଶ୍ରମିକ । ମହାରାଷ୍ଟ୍ରର ଆଦିବାସୀ ବହୁଳ ଉପକୂଳବର୍ତ୍ତୀ ଜିଲ୍ଲା ପାଲଘରର ମାଞ୍ଜୁଷି-ମେଟ୍‌ ଗାଁରେ ସେ ରହନ୍ତି ।

ନାସିକ୍‌ର ମୁମ୍ବାଇ ନାକା ବସ୍ ଷ୍ଟାଣ୍ଡ ପାଖ ପଡ଼ିଆରେ ଏକ ଗଛ ତଳେ ବସି ସେ ଓ ତାଙ୍କର ଅନ୍ୟ ଅନେକ ସାଥୀ ପଦଯାତ୍ରୀ  ସେମାନଙ୍କ ଦୁଃଖକଷ୍ଟ ଏବଂ ଏହା ଦୂର କରିବା ଦିଗରେ ସରକାର କୌଣସି ପଦକ୍ଷେପ ନେଉ ନ ଥିବା ସଂପର୍କରେ କହୁଥିଲେ ।

ଗଙ୍ଗୁତାଇ କହନ୍ତି, “ଆମେ ଆମ ନାଁରେ ଜମି ଚାହୁଁ ।” ଦଶନ୍ଧି ଦଶନ୍ଧି ଧରି ସେ ଓ ଅନ୍ୟ ଅନେକ ଲୋକ ବନ ବିଭାଗର ‘ମାଲିକାନା’ରେ ଥିବା ଚାଷଜମିରେ ଚାଷକାମ କରିଆସୁଛନ୍ତି । ଥାନେ, ପାଲଘର, ନାସିକ୍‌ ଏବଂ ଉତ୍ତର ଏବଂ ଉପକୂଳବର୍ତ୍ତୀ ମହାରାଷ୍ଟ୍ରର ଅନ୍ୟ କେତେକ ପଡ଼ୋଶୀ ଜିଲ୍ଲାର ହଜାର ହଜାର ପରିବାର,୨୦୦୬ର ଜଙ୍ଗଲ ଅଧିକାର ଆଇନ (FRA)ବଳରେ ଏହି ସବୁ ଜମିର ମାଲିକାନା ଦାବି କରିଆସୁଛନ୍ତି । ଏହା ଦ୍ୱାରା ସେମାନେ ସରକାରୀ ଯୋଜନାର ସୁବିଧା ଏବଂ ଆନୁଷ୍ଠାନିକ ଋଣ ମଧ୍ୟ ପାଇପାରିବେ । ଗତ ବର୍ଷର ଐତିହାସିକ ଦୀର୍ଘ ପଦଯାତ୍ରା ପରେ FRA ଲାଗୁ କରିବା ପାଇଁ ମହାରାଷ୍ଟ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ସତ, କିନ୍ତୁ ପୂରଣ କଲେ ନାହିଁ ।

ତାଙ୍କର ଏବଂ ତାଙ୍କ ଗାଁର ଅନ୍ୟମାନଙ୍କର ବିଭିନ୍ନ ସମସ୍ୟା ଉଲ୍ଲେଖ କରି ପାଲଘରର ଜଣେ ଯୁବ କୃଷକ ଏବଂ ସାମାଜିକ କର୍ମୀ ତାଇ ବେନ୍ଦର କହନ୍ତି, “ଆମେ ଏକ ଉତ୍ତମ ଭବିଷ୍ୟତ ଚାହୁଁଛୁ’’। ‘‘ଆମ ଅଞ୍ଚଳର ପାଣିକୁ ମୁମ୍ବଇ ଏବଂ ଅନ୍ୟାନ୍ୟ ସହରକୁ ପଠାଇ ଦିଆଯାଉଥିବାରୁ ଆମେ ତାହା ବିରୋଧରେ ମଧ୍ୟ ସଂଘର୍ଷ କରୁଛୁ।”

Women resting on the road during the march.
PHOTO • Jaideep Hardikar
Gangutai (left) and Anandibai (right) are both marching for the second time to Mumbai, demanding land rights and old age pension
PHOTO • Jaideep Hardikar

ଜମିଜମା ଅଧିକାର ଏବଂ ବାର୍ଦ୍ଧକ୍ୟ ଭତ୍ତା ଦାବିରେ ଦ୍ୱିତୀୟ ଥର ପାଇଁ ମୁମ୍ବାଇକୁ ପଦଯାତ୍ରା କରୁଛନ୍ତି ଗଙ୍ଗୁତାଇ (ବାମ) ଏବଂ ଆନନ୍ଦିବାଇ (ଡାହାଣ)

କାହିଁକି ସେମାନେ ଚାଷକାମ ଓ ମଜୁରି ଛାଡ଼ି, ଖୋଲା ଆକାଶ ତଳେ ରାତି ବିତାଇ, ରାସ୍ତାକଡ଼ରେ ଖାଦ୍ୟ ଖାଇ ଏତେ ଦୂର ଚାଲି ଚାଲି ଯାଉଛନ୍ତି ? ନାସିକ୍‌ ଜିଲ୍ଲା ଭେଲଗାଓଁର ପାଖାପାଖି ୭୦ ବର୍ଷର ଜଣେ ଆଦିବାସୀ କୃଷକ ହରି ଲାଲା ମୋରେ କହନ୍ତି, “ଆଶା!” । ତାଙ୍କ ସହ ସ୍ୱର ମିଳାଇ ଜଣେ କୃଷି ଶ୍ରମିକ ଗଙ୍ଗାଧର ପାୱାର କହନ୍ତି, “ଏହା ହିଁ ଆମ କଥା ଶୁଣାଇବାର ଏକମାତ୍ର ଉପାୟ ।”

ଗୁରୁବାର (ଫେବ୍ରୁଆରୀ୨୧) ସକାଳ ବେଳକୁ ଆନ୍ଦୋଳନକାରୀମାନଙ୍କ ପଦଯାତ୍ରା ଆରମ୍ଭ ହୋଇ ନଥାଏ । ପୂର୍ବ ରାତିରୁ ପଡ଼ିଆରେ ଏକାଠି ହୋଇ ମୁମ୍ବାଇ ଯାତ୍ରା ପାଇଁ ଅନୁମତିକୁ ଧୈର୍ଯ୍ୟର ସହ ଅପେକ୍ଷା କରି ରହିଥିବା କୃଷକମାନଙ୍କୁ ବହୁସଂଖ୍ୟକ ପୋଲିସ ଘେରିଯାଇଥିଲେ । ଅପରାହ୍‌ଣ ସୁଦ୍ଧା ଅନୁମତି ନ ମିଳିବାରୁ ଯାହା ଯେମିତି କରି କୃଷକମାନେ ଯାତ୍ରା ଆରମ୍ଭ କଲେ ।

ମୁମ୍ବାଇରେ ପହଞ୍ଚିବାକୁ ଗୋଟିଏ ସପ୍ତାହ ବା ତା’ଠାରୁ ଅଧିକ ଲାଗିବ (ଯେତେବେଳେ ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଯାଇଥିବ) ଏବଂ ପଦଯାତ୍ରା ପାଇଁ ସରକାରଙ୍କ ଅନୁମତି ସେମିତି ଅନିଶ୍ଚିତତା ଭିତରେ ଥାଏ । କିନ୍ତୁ ଗଙ୍ଗୁତାଇ ତାଙ୍କ ନିଷ୍ପତ୍ତିରେ ଅଟଳ । “ଆମେ ଚାଲିବୁ ।”

ସାରା ମହାରାଷ୍ଟ୍ରରୁ ଆସିଥିବା ଅନ୍ୟ ଅନେକ କ୍ଷୁଦ୍ରଚାଷୀ, କୃଷି ଶ୍ରମିକ ଏବଂ ଆଦିବାସୀ କୃଷକ ନାସିକ୍‌ରୁ ମୁମ୍ବାଇ ପର୍ଯ୍ୟନ୍ତ ୧୮୦ କିଲୋମିଟର ରାସ୍ତା ଚାଲିବାକୁ ଏବଂ ସରକାରଙ୍କୁ ସେମାନଙ୍କ ଦାବି ସଂପର୍କରେ ମନେ ପକାଇ ଦେବାକୁ ଚାହୁଁଥିଲେ । ଅନେକ ଆମକୁ କହିଥିଲେ ଯେ, ସେମାନେ ଅସନ୍ତୁଷ୍ଟ ଏବଂ ନିଜ କଥା ରଖିବାରେ ସରକାରଙ୍କ ଅସାମର୍ଥ୍ୟ ଯୋଗୁଁ ସେମାନଙ୍କର ମୋହଭଙ୍ଗ ହେଲାଣି ।

Disappointed by the government's inaction, farmers from over 20 districts in Maharashtra started on another long march from Nashik to Mumbai
PHOTO • Jaideep Hardikar

ସରକାରୀ ନିଷ୍କ୍ରିୟତା ଯୋଗୁଁ ଅସନ୍ତୁଷ୍ଟ ମହାରାଷ୍ଟ୍ରର ୨୦ରୁ ଅଧିକ ଜିଲ୍ଲାର କୃଷକମାନଙ୍କ ଦ୍ୱାରା ନାସିକ୍‌ରୁ ମୁମ୍ବାଇ ପର୍ଯ୍ୟନ୍ତ ଆଉ ଏକ ଦୀର୍ଘ ପଦଯାତ୍ରା ଆରମ୍ଭ

ଫେବ୍ରୁଆରୀ ୨୦, ବୁଧବାର ଅପରାହ୍‌ଣରେ ବିକ୍ଷୋଭକାରୀମାନେ ନାସିକ୍‌ରେ ଏକାଠି ହେବାରେ ଲାଗିଲେ । ମହାରାଷ୍ଟ୍ରର ନାସିକ୍‌, ଥାନେ, ପାଲଘର, ଦହାନୁ ପ୍ରଭୃତି ଜିଲ୍ଲାରୁ ସେମାନେ ଆସିଥିଲେ । ମରାଠୱାଡ଼ା ଏବଂ ମହାରାଷ୍ଟ୍ରର ଅନ୍ୟ ଭାଗରୁ ମଧ୍ୟ କେତେକ ଆସିଥିଲେ । ଅନ୍ୟମାନେ ରାସ୍ତାରେ ସେମାନଙ୍କ ସହ ଯୋଗ ଦେବେ ।

ବିଭିନ୍ନ ଜିଲ୍ଲାରୁ ଆସୁଥିବା ବିକ୍ଷୋଭକାରୀଙ୍କ ଦଳକୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା ବୋଲି ରିପୋର୍ଟ ମିଳିଥିଲା । ତଥାପି ସେମାନଙ୍କ ମଧ୍ୟରୁ ଅନେକ ନିର୍ବିଘ୍ନରେ ଆସିଥିଲେ ।

ବୁଧବାର ସନ୍ଧ୍ୟାରେ ଆୟୋଜିତ ସମବେତ କୃଷକମାନଙ୍କର ଏକ ସଭାରେ, ୨୦୧୯ଫେବ୍ରୁଆରୀ ୧୪ତାରିଖ ଦିନ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଜବାନମାନଙ୍କୁ ସମ୍ମାନ ଜଣାଇ ସେମାନେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରିଥିଲେ।

ଆନ୍ଦୋଳନର ନେତୃତ୍ୱ ନେଉଥିବା ଅଖିଳ ଭାରତ କିଷାନ ସଭା(AIKS)ର ରାଜ୍ୟ ସଂପାଦକ ଅଜିତ ନାୱଲେ କହନ୍ତି, “ପଦଯାତ୍ରୀଙ୍କ ସଂଖ୍ୟା ଗତ ବର୍ଷ (୨୦୧୮ ମାର୍ଚ୍ଚରେ ନାସିକ୍‌ରୁ ମୁମ୍ବାଇ ପର୍ଯ୍ୟନ୍ତ ଦୀର୍ଘ ପଦଯାତ୍ରା) ତୁଳନାରେ ଅଧିକ। ସରକାର କୌଣସି ଗୋଟିଏ ହେଲେ କଥା ରଖିଲେନି । ସମସ୍ତଙ୍କ କ୍ଷେତ୍ରରେ ଋଣଛାଡ଼ ଲାଗୁ କରିବା, ତୁରନ୍ତ ମରୁଡ଼ି ସହାୟତା ଦେବା ଏବଂ ଉପକୂଳବର୍ତ୍ତୀ ଏବଂ ଉତ୍ତର ମହାରାଷ୍ଟ୍ରର ଆଦିବାସୀ ପରିବାରମାନଙ୍କୁ ଜମିଜମା ଅଧିକାର ଦେବା ସମେତ ଅନ୍ୟ ଅନେକ ଦାବି ପୂରଣ ପାଇଁ ଦେଇଥିବା ପ୍ରତିଶ୍ରୁତିରୁ ଓହରିଗଲେ।”

'We want a better future', says Tai Bendar, as protesters from across Maharashtra gear up for the march
PHOTO • Jaideep Hardikar

ସାରା ମହାରାଷ୍ଟ୍ରର ଆନ୍ଦୋଳନକାରୀମାନେ ପଦଯାତ୍ରା ପାଇଁ  ପାଗ ଭିଡୁଥିବା ବେଳେ ତାଇ ବେନ୍ଦର କହନ୍ତି, “ଆମେ ଏକ ଉତ୍ତମ ଭବିଷ୍ୟତ ଚାହୁଁ”

ଅନ୍ୟ କେତେକ ଦାବି ମଧ୍ୟ ରହିଛି: ମନ୍ଦିରର ଦେବୋତ୍ତର ଜମି ଚାଷ କରୁଥିବା ଚାଷୀଙ୍କୁ ଜମିର ମାଲିକାନା ସ୍ୱତ୍ୱ ପ୍ରଦାନ, ବାର୍ଦ୍ଧକ୍ୟ ଭତ୍ତା ଏବ ଅନ୍ୟାନ୍ୟ ଭତ୍ତା ମାସିକ ୩,୦୦୦ ଟଙ୍କାକୁ ବୃଦ୍ଧି କରିବା, ବୁଲେଟ୍‌ ଟ୍ରେନ୍‌ ଏବଂ ନୂତନ ରାଜପଥ ପ୍ରକଳ୍ପ ଲାଗି ବଳପୂର୍ବକ ଜମି ଅଧିଗ୍ରହଣ ବନ୍ଦ କରିବା ଏବ ପୁରୁଣାକୁ ବଦଳାଇ ନୂଆ ଖାଉଟି କାର୍ଡ ଦେବା ।

ନାୱଲେ କହନ୍ତି, “ରାଜ୍ୟ ସରକାର ଏହି ପଦଯାତ୍ରାକୁ ରୋକିବା ଲାଗି ସବୁ ପ୍ରକାର ଉଦ୍ୟମ କରିଆସୁଛନ୍ତି’’। ‘‘ଅହମଦନଗର, ଥାନେ, ପାଲଘର ଏବଂ ଅନ୍ୟ କେତେକ ଅଞ୍ଚଳ ଭଳି ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନଙ୍କୁ ଅଟକ ରଖାଯାଇଛି, ଯେମିତିକି ସେମାନେ ମୁମ୍ବାଇକୁ ଯାତ୍ରା କରିପାରିବେନି ।”

ନାୱଲେ କହନ୍ତି ଯେ, ୨୦୧୯ଫେବ୍ରୁଆରୀ ମଧ୍ୟଭାଗରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କ ସହିତ ହୋଇଥିବା ଆଲୋଚନା ସେତେଟା ଫଳପ୍ରଦ ହେଲାନାହିଁ । ତେଣୁ AIKS ଏହି ପୂର୍ବ ନିର୍ଦ୍ଧାରିତ ପଦଯାତ୍ରା ହାତକୁ ନେଲା ।

ଦୀର୍ଘ କାଳ ହେଲା ଦୁଃଖକଷ୍ଟରେ ଦିନ କାଟୁଛନ୍ତି ମହାରାଷ୍ଟ୍ରର ଚାଷୀକୁଳ । ଏହା ସହିତ, ସେମାନେ ଭୟାବହ ମରୁଡ଼ିର ଶିକାର ହୋଇଛନ୍ତି ଏବଂ ଜଳାଭାବ ସ୍ଥିତି ଏ ବର୍ଷ ଅଧିକ ଖରାପ ହେବାକୁ ଯାଉଛି । ମହାରାଷ୍ଟ୍ରର ୧୫୦ରୁ ଅଧିକ ତାଲୁକା ମରୁଡ଼ି ପ୍ରପୀଡ଼ିତ ବୋଲି ଘୋଷଣା କରାଯାଇଛି ।

'Hope!' says Hari Lala More; that's what drives him and the other farmers to leave their homes and walk long distances in protest
PHOTO • Sanket Jain

ହରି ଲାଲା ମୋରେ କହନ୍ତି, ‘ଆଶା!’, ଯାହାକି ତାଙ୍କୁ ଏବଂ ଅନ୍ୟ କୃଷକମାନଙ୍କୁ ନିଜ ନିଜ ଘର ଛାଡ଼ି ପ୍ରତିବାଦ ଯାତ୍ରାରେ ବହୁ ଦୂର ଚାଲି ଚାଲି ଯିବାକୁ ପ୍ରେରିତ କରିଛି

ପରଭଣୀ ଜିଲ୍ଲା ଜିଣ୍ଟୁର ତାଲୁକାର କୃଷକ ଇଶ୍ୱର ଚଭନ କହନ୍ତି, “ସେଠାରେ କାମ ନାହିଁ କି ଫସଲ ନାହିଁ”। ମରାଠୱାଡ଼ାର ଅନ୍ୟ କୃଷକମାନଙ୍କ ସହ ସେ ପଦଯାତ୍ରାରେ ଯୋଗ ଦେବାକୁ ଆସିଛନ୍ତି। ସେମାନେ କହନ୍ତି ଯେ, ସେଠାରେ ତୁରନ୍ତ ମରୁଡ଼ି ସହାୟତା ଏବଂ ମଜୁରିଯୁକ୍ତ କାମ ଯୋଗାଇ ଦେବାର ଆବଶ୍ୟକତା ରହିଛି। ଈଶ୍ୱର ଆହୁରି କହନ୍ତି ଯେ, ୨୦୧୭ରେ ସରକାରଙ୍କ ଦ୍ୱାରା ଘୋଷିତ ଋଣଛାଡ଼ ତାଙ୍କୁ ଏ ପର୍ଯ୍ୟନ୍ତ ମିଳିନାହିଁ । ସେ କହନ୍ତି, “ଏ ବର୍ଷ ମୁଁ ବ୍ୟାଙ୍କରୁ ଫସଲ ପାଇଁ ଋଣ ବି ପାଇଲି ନାହିଁ ।”

ପଦଯାତ୍ରାରେ ଯୋଗ ଦେଇଥିବା ଯୁବ ବିକ୍ଷୋଭକାରୀମାନେ କାମ ଦାବି କରୁଥିବା ବେଳେ ବୟସ୍କମାନେ ଜୀବନ ଧାରଣ ପାଇଁ ଭତ୍ତା ଦାବି କରୁଛନ୍ତି । ମୋଖଡ଼ା ତାଲୁକାର ଆନନ୍ଦିବାଇ ନୱାଲେଙ୍କ ବୟସ ପ୍ରାୟ ୭୦, ହେଲେ ସେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ । ସେ କହନ୍ତି, “ମୋ ପରିବାରରେ କେହି ନାହାନ୍ତି । କିଛି ବର୍ଷ ତଳେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା; ମୋର ପିଲାଛୁଆ ନାହାନ୍ତି।” ବାର୍ଦ୍ଧକ୍ୟ ଭତ୍ତା ବାବଦ ରାଶି ବଢ଼ାଇବା ଏବଂ ସେ ବର୍ଷ ବର୍ଷ ଧରି ଚାଷ କରି ଆସୁଥିବା ଜଙ୍ଗଲ ଜମିର ମାଲିକାନା ଦେବା ଦାବିରେ ସେ ପଦଯାତ୍ରା କରୁଛନ୍ତି। ଗତ ବର୍ଷ ବି ଆନନ୍ଦିବାଇ ପଦଯାତ୍ରାରେ ମୁମ୍ବାଇ ଆସିଥିଲେ। କିନ୍ତୁ ତାଙ୍କ ଦାବିଗୁଡ଼ିକ ପୂରଣ ହୋଇନାହିଁ । ତେଣୁ ସେ କହିଲେ, “ମୁଁ ପୁଣି ଚାଲୁଛି ।”

ଥାନେ ଜିଲ୍ଲା ଶାହାପୁର ତାଲୁକା ଅନ୍ତର୍ଗତ ଅଘାଇ ଗାଁର ଯୁବ କୃଷକ ଏବଂ ଶ୍ରମିକ ରାଜେନ୍ଦ୍ର ଭାୱର ତାଙ୍କ ସାଙ୍ଗମାନଙ୍କ ସହ ଆସିଛନ୍ତି । ସମସ୍ତେ AIKSର ଟୋପି ପିନ୍ଧି ଓ ପତାକା ଧରି ବାହାରିଛନ୍ତି । ଗତ ବର୍ଷ ବି ସେ ନାସିକ୍‌ରୁ ମୁମ୍ବାଇ ଯାଏଁ ଚାଲିଥିଲେ । ସେ ମଧ୍ୟ କହନ୍ତି ଯେ ସରକାରଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇ ଦେବା ପାଇଁ ସେମାନେ ପୁଣି ଆସିଛନ୍ତି ।

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Jaideep Hardikar

Jaideep Hardikar is a Nagpur-based journalist and writer, and a PARI core team member.

Other stories by Jaideep Hardikar