“ଆମେ କରୋନା ବିଷୟରେ ଜାଣିଛୁ, କିନ୍ତୁ ଆମେ କାମ ବନ୍ଦ କରିପାରିବୁ ନାହିଁ। ଆମମାନଙ୍କୁ ଚାଷୀଙ୍କ ପାଇଁ କାମ କରିବାକୁ ପଡ଼ିବ। ଆମ ପାଇଁ ଓ ଚାଷୀଙ୍କ ପାଇଁ ଚାଷ ହିଁ ଏକମାତ୍ର ଆଶା। ଯଦି ଆମେ ଚାଷ କରିବୁ ନାହିଁ, ତା’ହେଲେ ବଞ୍ଚିବୁ କେମିତି?” କହିଥିଲେ ସୁଭଦ୍ରା ସାହୁ।

ସୁଭଦ୍ରା ଜଣେ ମହିଳା ଠିକାଦାର, ଯିଏକି ଛତିଶଗଡ଼ର ଧମତରୀ ସହରଠାରୁ ପାଖାପାଖି ପାଞ୍ଚ କିମି ଦୂର, ବଲିୟାରା ଗ୍ରାମରେ ଥିବା ୩୦ ଜଣ ମଜୁରିଆ ମହିଳାଙ୍କୁ ନେଇ ଏକ ଦଳର ନେତୃତ୍ୱ ନେଇଥାନ୍ତି।

ଦିନେ ଅପରାହ୍ଣରେ, ୨୦ ଜୁଲାଇ ପାଖାପାଖି, ଧାନ କ୍ଷେତ ନିକଟରେ ଏକ ରାସ୍ତା କଡ଼ରେ ଆମେ ସେମାନଙ୍କୁ ଭେଟିଲୁ, ଏକ ଟ୍ରାକ୍ଟର ସେମାନଙ୍କୁ ସେଠି ଛାଡ଼ି ଦେଇ ଯାଇଥିଲା। ସେମାନେ ଗୋଟିଏ କ୍ଷେତରୁ ଆର କ୍ଷେତକୁ କାମ କରିବା ଲାଗି ଯାଉଥିଲେ, ଏବଂ ତରବର ହେଉଥିଲେ- ସୂର୍ଯ୍ୟାସ୍ତ ପୂର୍ବରୁ ଧାନ ରୁଆ କାମ ସାରିବାର ଥିଲା।

“ଆମେ ଏକର ପ୍ରତି ୪୦୦୦ ଟଙ୍କା ଆୟ କରିଥାଉ”, ସୁଭଦ୍ରା କହିଥିଲେ। “ଏବଂ ଆମେ ସମସ୍ତେ ମିଶି ଗୋଟିଏ ଦିନରେ ଦୁଇ ଏକର ଜମିରେ ଧାନ ରୁଆ କାମ ସାରି ଦେଇଥାଉ।” ଅର୍ଥାତ ଶ୍ରମିକ ଦଳର ପ୍ରତ୍ୟେକ ମଜୁରିଆ ପାଖାପାଖି ୨୬୦ଟଙ୍କା ଦୈନିକ ମଜୁରି ପାଇଥାନ୍ତି।

ଖରିଫ ଋତୁରେ ଧାନ ରୁଆ ଚାଲିଛି, ଆମେ ଭେଟିବା ସମୟରେ, ତେଣୁ ପାଖାପାଖି ୨୦-୨୫ ଏକର ଧାନ ରୁଆ କାମ ସେମାନେ ସାରି ଦେଇଥିଲେ। ଏହି କାମ ଆହୁରି କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ।

woman working the farm
PHOTO • Purusottam Thakur

ସୁଭଦ୍ରା ସାହୁ, ବଲିୟାରା ଗ୍ରାମର ଜଣେ ଜଣେ ମହିଳା ଶ୍ରମିକ ଠିକାଦାର : ‘ଆମେ କାମ ନକଲେ ବଞ୍ଚିବୁ କେମିତି’

ଜୁଲାଇ ମଧ୍ୟ ଭାଗରେ, ଆଉ ଦିନେ, ଧମତରୀ ସହରଠାରୁ ପାଖାପାଖି ୧୫ କିମି ଦୂର, କୋଲିୟରି-ଖରେଙ୍ଗା ଗ୍ରାମ ସଡ଼କରେ, ଆମେ କୃଷି ଶ୍ରମିକମାନଙ୍କର ଆଉ ଏକ ଦଳକୁ ଭେଟିଲୁ। “ଯଦି ଆମେ କାମ କରିବୁ ନାହିଁ, ତା’ହେଲେ ଭୋକରେ ମରିଯିବୁ। ଆମେ (କୋଭିଡ-19 ବିପଦ କାରଣରୁ) ଘରେ ସୁରକ୍ଷିତ ରହିବାର ସୁଖ ଭୋଗିପାରିବୁ ନାହିଁ,” ଧମତରୀ ବ୍ଲକର ଖରେଙ୍ଗା ଗ୍ରାମର ଭୂଖିନ ସାହୁ କହିଥିଲେ। ସେ ୨୪ ଜଣ ଶ୍ରମିକଙ୍କୁ ନେଇ ଏକ ଦଳର ଠିକାଦାର ଅଟନ୍ତି। “ଆମେ ମଜୁରିଆ ଏବଂ ଆମ ପାଖରେ କେବଳ ହାତ-ଗୋଡ଼ ରହିଛି। କିନ୍ତୁ କାମ କରିବା ସମୟରେ ଆମେ ଶାରୀରିକ ଦୂରତା ବଜାୟ ରଖିଥାଉ…”।

ସେ ଓ ଅନ୍ୟ ମହିଳାମାନେ ରାସ୍ତାର ଉଭୟ ପାର୍ଶ୍ୱରେ ବସିଥିଲେ ଏବଂ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଓ ତରକାରୀ ଖାଉଥିଲେ, ଯାହାକୁ ସେମାନେ ଘରୁ ଆଣିଥିଲେ। ସେମାନେ ଭୋର ୪ଟାରେ ଉଠିଥାନ୍ତି, ଘରେ ଖାଇବା ପ୍ରସ୍ତୁତ କରିଥାନ୍ତି, ଘରର ସବୁ କାମ ଶେଷ କରିଥାନ୍ତି, ସକାଳୁ ଖାଇଥାନ୍ତି ଏବଂ ସକାଳ ୬ଟାରେ କ୍ଷେତରେ ପହଞ୍ଚିଯାଇଥାନ୍ତି। ୧୨ ଘଣ୍ଟା ପରେ ସନ୍ଧ୍ୟା ୬ଟାରେ ଘରକୁ ଫେରିଥାନ୍ତି। ପୁଣିଥରେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ଏବଂ ଅନ୍ୟ କାମ କରିଥାନ୍ତି, ଭୂଖିନ ନିଜର ଏବଂ ଅନ୍ୟ ମହିଳାମାନଙ୍କର ଦିନଚର୍ଯ୍ୟା ବିଷୟରେ କହିଥିଲେ।

“ଆମେ ପ୍ରତ୍ୟେକ ଦିନ ପାଖାପାଖି ଦୁଇ ଏକର ଜମିରେ ଧାନ ରୁଆ କାମ କରିଥାଉ, ଏବଂ ଏକର ପ୍ରତି ୩୫୦୦ ଟଙ୍କା ପାଇଥାଉ,” ଭୁଖିନ କହିଥିଲେ। ଶ୍ରମିକ ଦଳର ଏହି ଏକର ପ୍ରତି ଦର (ଚଳିତ ଋତୁରେ, ଧମତରୀରେ) ଭିନ୍ନ ଭିନ୍ନ ହୋଇଥାଏ, ୩୫୦୦ ଟଙ୍କା ଠାରୁ ନେଇ ୪୦୦୦ ଟଙ୍କା ପର୍ଯ୍ୟନ୍ତ, ଏବଂ ଏହା ମୂଲଚାଲ ଏବଂ ଦଳର ଶ୍ରମିକମାନଙ୍କ ସଂଖ୍ୟା ଉପରେ ନିର୍ଭର କରିଥାଏ।

କିଛି ବର୍ଷ ପୂର୍ବରୁ ଭୁଖିନଙ୍କ ସ୍ୱାମୀ ଶ୍ରମିକ ଭାବେ କାମ କରିବା ଲାଗି ଭୋପାଳ ଯାଇଥିଲେ ଏବଂ ଆଉ କେବେ ଫେରିନଥିଲେ। “ସେ ଆମକୁ ଗାଁରେ ଛାଡ଼ି ଦେଇଗଲେ। ସେ ଆମ ସହିତ ଯୋଗାଯୋଗରେ ନାହାନ୍ତି”, ସେ କହିଥିଲେ। ତାଙ୍କ ପୁଅ କଲେଜରେ ପଢ଼ୁଛି, ଏବଂ ଭୁଖିନଙ୍କର ଏକମାତ୍ର ରୋଜଗାରରେ ହିଁ ଦୁଇ ଜଣିଆ ପରିବାରର ଗୁଜୁରାଣ ମେଣ୍ଟିଥାଏ।

ସେହି ସଡ଼କରେ, ଆମେ କୃଷି ଶ୍ରମିକମାନଙ୍କର ଆଉ ଏକ ଦଳକୁ ଭେଟିଲୁ- ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଆଉ କିଛି ପୁରୁଷ ଥିଲେ-ସେମାନଙ୍କୁ ଧାନ ରୁଆ କାମ ପାଇଁ କ୍ଷେତକୁ ନିଆଯାଉଥିଲା। “ଏହା ଆମ ଜୀବିକାର ଉତ୍ସ। ସେଥିପାଇଁ ଆମକୁ କାମ କରିବାକୁ ପଡ଼ୁଛି। ଆମେ କାମ ନକଲେ, ଫସଲ କିଏ ଫଳାଇବ? ସମସ୍ତଙ୍କୁ ଖାଇବା ଲାଗି ଭୋଜନ ଆବଶ୍ୟକ”, ଧମତରୀ ବ୍ଲକର ଦରୀ ଗ୍ରାମର ମହିଳା ଶ୍ରମିକ ଠିକାଦାର ସବିତା ସାହୁ କହିଥିଲେ। “ଯଦି ଆମେ କରୋନାକୁ ଡରିବୁ, ଆମେ ବିଲକୁଲ କାମ କରିପାରିବୁ ନାହିଁ। ଆମ ପିଲାମାନଙ୍କୁ ଖାଇବାକୁ କିଏ ଦେବ? ତା’ଛଡ଼ା ଆମ କାମ ଏମିତି ଯେ ଆମେ ସେମିତିରେ ଦୂରତା (ଧାନ କ୍ଷେତରେ) ବଜାୟ ରଖି କାମ କରିଥାଉ।” ଜୁଲାଇ ମଧ୍ୟଭାଗରେ, ମୁଁ ଯେତେବେଳେ ସେମାନଙ୍କୁ ଭେଟିଲି, ସେତେବେଳେ ସବିତା ଏବଂ ତାଙ୍କର ଦଳର ୩୦ ଜଣ ମହିଳା ଏକର ପ୍ରତି ୩୬୦୦ ଟଙ୍କା ଦରରେ ଧାନ ରୁଆ କାମ ସାରି ଦେଇଥିଲେ।

Bhukhin Sahu from Karenga village tells me, 'We are labourers and we have only our hands and legs...'
PHOTO • Purusottam Thakur

ଖରେଙ୍ଗା ଗ୍ରାମର ଭୂଖିନ ସାହୁ ମୋତେ କହିଥିଲେ, ‘ଆମେ ମଜୁରିଆ ଓ ଆମ ପାଖରେ କେବଳ ହାତ-ଗୋଡ଼ ରହିଛି…’

“କିଛି କାମ (ଲକଡାଉନ ସମ୍ପୂର୍ଣ୍ଣ ଲାଗୁ ହେବା ସମୟରେ) ମିଳୁନଥିଲା। ସେତେବେଳେ ସବୁକିଛି ବନ୍ଦ ଥିଲା। ଏହାପରେ ଖରିଫ ଋତୁ ଆସିଲା ଏବଂ ଆମେମାନେ କାମକୁ ଫେରିଲୁ”, ଖରେଙ୍ଗା ଗ୍ରାମର କୃଷି ଶ୍ରମିକ ହିରୌଣ୍ଡି ସାହୁ କହିଥିଲେ।

ଧମତରୀ ଶ୍ରମ ବିଭାଗର ଜଣେ ଅଧିକାରୀ ମୋତେ କହିଥିଲେ ଯେ ଲକଡାଉନ ସମୟରେ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ପାଖାପାଖି ୧୭୦୦ ଲୋକ ଦେଶର ବିଭିନ୍ନ ଭାଗରୁ ଧମତରୀ ଜିଲ୍ଲାକୁ ଫେରିଆସିଥିଲେ। ଏମାନଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ଚାକିରି କରୁଥିବା ଲୋକ, ଏବଂ ୭୦୦ ପ୍ରବାସୀ ଶ୍ରମିକ ସାମିଲ ଥିଲେ। ଛତିଶଗଡ଼ରେ ବର୍ତ୍ତମାନ ସୁଦ୍ଧା ୧୦,୫୦୦ ମାମଲା ଚିହ୍ନଟ କରାଯାଇଛି। ଧମତରୀର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଡା. ଡି.କେ. ଟୁରେ ମୋତେ କହିଥିଲେ, ଜିଲ୍ଲାରେ ବର୍ତ୍ତମାନସୁଦ୍ଧା ୪୮ଟି କରୋନା ମାମଲା ଚିହ୍ନଟ କରାଯାଇଛି।

ହିରୌଣ୍ଡିର ଶ୍ରମିକ ଦଳରେ ଦରୀ ଗ୍ରାମର ଚନ୍ଦ୍ରିକା ସାହୁ ମଧ୍ୟ ସାମିଲ ଥିଲେ। ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଜଣେ କଲେଜରେ ଓ ଆଉ ଦୁଇ ଜଣ ୧୦ ଓ ୧୨ ଶ୍ରେଣୀରେ ପଢ଼ୁଛନ୍ତି। “ମୋ ସ୍ୱାମୀ ମଧ୍ୟ ଜଣେ ମଜୁରିଆ ଥିଲେ, କିନ୍ତୁ ଦିନେ ଦୁର୍ଘଟଣାରେ ତାଙ୍କର ଗୋଡ଼ ଭାଙ୍ଗିଗଲା”, ସେ କହିଥିଲେ। “ଏହାପରେ ସେ କାମ କରିପାରିଲେ ନାହିଁ ଏବଂ ତିନି ବର୍ଷ ପୂର୍ବରୁ ଆତ୍ମହତ୍ୟା କରିଦେଲେ”। ଚନ୍ଦ୍ରିକା ଓ ତାଙ୍କର ପିଲାମାନେ ସମ୍ପୂର୍ଣ୍ଣ ଭାବେ ତାଙ୍କ ରୋଜଗାରରେ ଚଳିଥାନ୍ତି। ତାଙ୍କୁ ବିଧବା ଭତ୍ତା ଆକାରରେ ୩୫୦ଟଙ୍କା ମାସିକ ମିଳିଥାଏ ଏବଂ ପରିବାର ପାଖରେ ବିପିଏଲ ରାସନ କାର୍ଡ ଅଛି।

ଆମେ ଯେତେ ଶ୍ରମିକମାନଙ୍କ ସହିତ କଥା ହେଲୁ, ସେମାନେ ସମସ୍ତେ କୋଭିଡ-19 ବିଷୟରେ ଜାଣିଥିଲେ, କେତେଜଣ କହିଲେ ସେମାନେ ଡରନ୍ତି ନାହିଁ, ଅନ୍ୟ କେତେଜଣ କହିଲେ କାମ କରିବା ସମୟରେ ସେମାନେ ପରସ୍ପର ଠାରୁ ଦୂରତା ବଜାୟ ରଖିଥାନ୍ତି, ସେଥିପାଇଁ ଏହା ଠିକ। “ଆମେ ସିଧାସଳଖ ସୂର୍ଯ୍ୟାଲୋକ ତଳେ କାମ କରିଥାଉ, ସେଥିପାଇଁ ଆମକୁ କରୋନା ହେବାର ସମ୍ଭାବନା କମ୍,” ସବିତାଙ୍କ ଦଳର ଜଣେ ପୁରୁଷ ମଜୁରିଆ, ଭୁଜବଳ ସାହୁ କହିଥିଲେ। “ଥରେ ସଂକ୍ରମିତ ହେଲେ, ଏହା ଆପଣଙ୍କର ଜୀବନ ନେଇଯିବ”, ସେ କହିଥିଲେ। “କିନ୍ତୁ ଆମେ ଏହାକୁ ଡରିନଥାଉ କାରଣ ଆମେ ମଜୁରିଆ”।

ସେ କହିଥିଲେ ଯେ ଧାନ ବୁଣା ଓ ରୁଆ ପାଖାପାଖି ୧୫ ଦିନ ପର୍ଯ୍ୟନ୍ତ ଚାଲିବ। “ଏହାପରେ କିଛି କାମ ନଥିବ”। ଜିଲ୍ଲାରେ କେବଳ ଧମତରୀ ଏବଂ କୁରୁଦ ବ୍ଲକରେ ଅଳ୍ପ ବହୁତ ଜଳସେଚନ ସୁବିଧା ରହିଛି। ସେଥିପାଇଁ ଏଠାକାର କୃଷକମାନେ ଦୁଇ ଥର ଧାନ ଚାଷ କରିଥାନ୍ତି। ଫଳରେ ଚାଷ କାମ ଦୁଇଟି ଋତୁରେ ଉପଲବ୍ଧ ହୋଇଥାଏ। “ଆମକୁ ଆହୁରି କାମ ଦରକାର”, ଭୁଜବଳ କୁହନ୍ତି।

Labourers from Baliyara village, not far from Dhamtari town, on their way to paddy fields to plant saplings
PHOTO • Purusottam Thakur

ଧମତରୀ ସହରଠାରୁ କିଛି ଦୂରରେ ଥିବା ବଲିୟାରା ଗ୍ରାମର ଶ୍ରମିକମାନେ ରୁଆ କାମ କରିବା ଲାଗି ଧାନ କ୍ଷେତ ଆଡ଼କୁ ଯାଉଛନ୍ତି

'Everyone needs food to eat', said Sabita Sahu', a contractor from Darri village. 'If we will fear corona, we will not able to work'
PHOTO • Purusottam Thakur

‘ସମସ୍ତଙ୍କ ପାଇଁ ଖାଦ୍ୟ ଦରକାର’, ଦରୀ ଗ୍ରାମର ଠିକାଦାର ସବିତା ସାହୁ କହିଥିଲେ। ‘ଯଦି ଆମେ କରୋନାକୁ ଡରିବୁ ତ’ କାମ କରିପାରିବୁ ନାହିଁ

'We earn 4,000 rupees per acre, and together manage to plant saplings on two acres every day'
PHOTO • Purusottam Thakur

‘ଆମେ ଏକର ପ୍ରତି ୪୦୦୦ ଟଙ୍କା ରୋଜଗାର କରିଥାଉ, ଏବଂ ସମସ୍ତେ ମିଶି ଦିନକୁ ଦୁଇ ଏକର ଜମିରେ ଧାନ ରୁଆ କାମ କରିଥାଉ।

That’s a daily wage of around Rs. 260 for each labourer in the group
PHOTO • Purusottam Thakur

ଦଳର ପ୍ରତ୍ୟେକ ମଜୁରିଆଙ୍କ ପାଇଁ ଦୈନିକ ପାଖାପାଖି ୨୬୦ ଟଙ୍କା ମଜୁରି ମିଳିଥାଏ

All the labourers we spoke too knew about Covid-19; some said they didn’t care, others said that while working they anyway stood at a distance from each other, so it was fine
PHOTO • Purusottam Thakur

ଆମେ ଯେତେ ସଂଖ୍ୟକ ମଜୁରିଆଙ୍କ ସହିତ କଥା ହେଲୁ, ସେମାନେ ସମସ୍ତେ କୋଭିଡ-19 ବିଷୟରେ ଜାଣନ୍ତି; କେତେକ କହିଲେ ସେମାନେ ଡରନ୍ତି ନାହିଁ, ଅନ୍ୟ କେତେଜଣ କହିଲେ ସେମାନେ ଏମିତି ବି କାମ କରିବା ସମୟରେ ପରସ୍ପରଠାରୁ ଦୂରତା ବଜାୟ ରଖିଥାନ୍ତି, ତେଣୁ ଏହା ଠିକ

The sowing and planting of paddy would continue for roughly 15 days (after we met the labourers in July)
PHOTO • Purusottam Thakur

ଧାନ ବୁଣା ଓ ରୁଆ କାମ ପାଖାପାଖି ୧୫ ଦିନ ପର୍ଯ୍ୟନ୍ତ ଜାରି ରହିବ (ଜୁଲାଇରେ ଆମେ ଯେତେବେଳେ ମଜୁରିଆମାନଙ୍କୁ ଭେଟିଲୁ, ଏହାପରେ)

Bhukhin Sahu and the others were sitting on the road and eating a lunch of rice, dal and sabzi, which they had brought from home. They wake up at 4 a.m., compete household tasks, have a morning meal and reach the field at around 6 a.m.
PHOTO • Purusottam Thakur

ଭୁଖିନ ସାହୁ ଓ ଅନ୍ୟ ମହିଳାମାନେ ରାସ୍ତା କଡ଼ରେ ବସିଥିଲେ ଏବଂ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଓ ତରକାରୀ ଖାଉଥିଲେ, ଯାହାକୁ ସେମାନେ ଘରୁ ଆଣିଥିଲେ। ସେମାନେ ଭୋର ୪ଟାରୁ ଉଠିଥାନ୍ତି, ଘରେ ଖାଇବା ତିଆରି କରିଥାନ୍ତି, ଘରେ ସବୁ କାମ ସାରିଥାନ୍ତି, ସକାଳେ ଖାଇଥାନ୍ତି ଏବଂ ସକାଳ ୬ଟାରୁ ଆସି କ୍ଷେତରେ ପହଞ୍ଚିଯାଇଥାନ୍ତି

That’s a daily wage of around Rs. 260 for each labourer in the group
PHOTO • Purusottam Thakur

ଏହାପରେ ୧୨ ଘଣ୍ଟା ପର୍ଯ୍ୟନ୍ତ କାମ ଚାଲିଥାଏ- ଏଠାରେ, କୃଷି ଶ୍ରମିକ ଧାନ ତଳିଗୁଡ଼ିକୁ କ୍ଷେତକୁ ନେଇ ଯାଉଛନ୍ତି- ସେମାନେ ସନ୍ଧ୍ୟା ୬ଟାରେ ଘରକୁ ଫେରିଥାନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

Purusottam Thakur is a 2015 PARI Fellow. He is a journalist and documentary filmmaker. At present, he is working with the Azim Premji Foundation and writing stories for social change.

Other stories by Purusottam Thakur
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE