ହାଇଦ୍ରାବାଦର ଏକ ଇଟା ଭାଟିକୁ ଆସିଥିବା ଉର୍ବଶୀ କହିଲେ, ‘‘ଆମକୁ ଯେଉଁ ଲୋକମାନେ ଏଠାକୁ ଆଣିଛନ୍ତି, ମୁଁ ସେମାନଙ୍କ ପାଇଁ ରୋଷେଇ କରୁଛି। ମୋ ସ୍ୱାମୀ ସେମାନଙ୍କ ସହ ଇଟା ତିଆରି କରୁଛନ୍ତି।’’

ଇଟା ଭାଟିରେ ୬୧ ବର୍ଷର ଡେଗୁ ଧରୁଆ ଏବଂ ୫୮ ବର୍ଷର ଉର୍ବଶୀ ଧରୁଆଙ୍କୁ ଦେଖି ଆମେ ଆଶ୍ଚର୍ଯ୍ୟ ହେଲୁ। ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଜିଲ୍ଲା ବେଲପାହାଡ଼ ଗ୍ରାମପଞ୍ଚାୟତର ପାଣ୍ଡ୍ରିଜୋର ଗାଁରୁ ଏହି ଦମ୍ପତି ଆସିଛନ୍ତି। ଦେଶର ଗରିବତମ ଅଞ୍ଚଳ ଭିତରୁ ଏହା ଅନ୍ୟତମ।

ପଶ୍ଚିମ ଓଡ଼ିଶାର ଲୋକ - ଯେଉଁ ବୃହତ ଅଞ୍ଚଳରୁ ମୁଁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରିପୋର୍ଟ ସଂଗ୍ରହ କରୁଛି - ସେମାନେ ପ୍ରାୟ ୫୦ ବର୍ଷରୁ ଅଧିକ ସମୟ ଧରି ଦେଶାନ୍ତରୀ ହେଉଛନ୍ତି। କ୍ଷୁଧା, ଅନାହାର ମୃତ୍ୟୁ ଏବଂ ଶିଶୁ ବିକ୍ରି ପାଇଁ ଏହି ଅଞ୍ଚଳର ଅପଖ୍ୟାତି ଥିଲା। ଏସବୁ ଦାରିଦ୍ର୍ୟ ଏବଂ ଯୋଜନାର ପରିଣାମ।

୧୯୬୬-୭୭ ରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ଲୋକଙ୍କୁ ଦେଶାନ୍ତର କରାଇଥିଲା। ୯୦ ଦଶକରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ଉତ୍କଟ ମରୁଡି ପରିସ୍ଥିତି ପୁଣି ଥରେ ଲୋକଙ୍କୁ ଦେଶାନ୍ତର କରାଇଥିଲା। ସେହି ସମୟରେ ଦେଖାଗଲା, ଯେଉଁମାନେ ଶାରୀରିକ କାମ କରିବାକୁ ସକ୍ଷମ ସେମାନେ ବାହାରକୁ କାମ ଖୋଜିବାକୁ ଚାଲିଗଲେ। ସେତେବେଳେ ଗାଁରେ କେବଳ ବୟସ୍କମାନେ ରହିଲେ।
PHOTO • Purusottam Thakur

ହାଇଦ୍ରାବାଦ ଭାଟିରେ କାମ କରୁଥିବା ଦେଶାନ୍ତରୀମାନଙ୍କ ( ବାମ ) ମଧ୍ୟରୁ ଅଧିକାଂଶ ଡେଗୁ ଧରୁଆ ଓ ତାଙ୍କ ସ୍ତ୍ରୀ ଉର୍ବଶୀ ଧରୁଆଙ୍କ ଠାରୁ ବୟସରେ ବହୁତ ସାନ।

ଅନେକ ଦଶନ୍ଧି ଧରି ଓଡ଼ିଶାର ଦେଶାନ୍ତରୀମାନଙ୍କୁ ନିରୀକ୍ଷଣ କରୁଥିବା ଆଇନଜୀବୀ ତଥା ମାନବାଧିକାର କର୍ମୀ ବିଷ୍ଣୁ ଶର୍ମା କହନ୍ତି, ‘‘ସେମାନେ ମାଟି ଛାଟି ଏଠାକୁ ଆସିବାର ଅନେକ କାରଣ ଅଛି। ଯେଉଁମାନେ ଗାଁ ଛାଡି ଆସୁଛନ୍ତି ସେମାନଙ୍କୁ କଠିନ କାମ କରିବାକୁ ପଡ଼ୁଛି। ଇଟା ଭାଟିଗୁଡ଼ିକରେ [ଯେଉଁଠି ଦେଶାନ୍ତରୀମାନେ କାମ ପାଆନ୍ତି] ଦିନ ଏବଂ ରାତିରେ କାମ କରିବାର ଆବଶ୍ୟକତା ଥାଏ। କିନ୍ତୁ ବୁଢା ଲୋକମାନେ କଠିନ ପରିଶ୍ରମ କରିବାକୁ ଅକ୍ଷମ। ବିଷ୍ଣୁ ଶର୍ମା ହେଉଛନ୍ତି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର। କଣ୍ଟାବାଞ୍ଜି ହେଉଛି ମୁଖ୍ୟ ରେଳଷ୍ଟେସନ୍ ଯେଉଁଠୁ ଲୋକମାନେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ଇଟା ଭାଟି ସମେତ ରାଜ୍ୟ ବାହାରର ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଟ୍ରେନ୍ ଧରନ୍ତି। ଶର୍ମା କହିଲେ, ‘‘ ତେଣୁ କୌଣସି (ଭାଟି) ମାଲିକ ଅଗ୍ରୀମ ଦିଅନ୍ତି ନାହିଁ [ବୟସ୍କ ଲୋକଙ୍କ ପାଇଁ]। ସେମାନେ ଘର ଜଗିବାକୁ ଗାଁରେ ରହି ଯାଆନ୍ତି, ପିଲାମାନେ ଖାଦ୍ୟ ଯୋଗାଡ଼ ପାଇଁ ବାହାରକୁ ଯାଆନ୍ତି। ଯେଉଁ ବୟସ୍କମାନଙ୍କର କେହି ନଥାନ୍ତି, ସେମାନଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡ଼େ। ’’

ତେବେ ୧୯୬୬ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦଶନ୍ଧି ଧରି ଲାଗି ରହିଥିବା ଏହି ନୈରାଶ୍ୟଜନକ ସ୍ଥିତିରେ କିଛିଟା ସୁଧାର ଆସିଛି। ଏହା ମୁଖ୍ୟତଃ ବାର୍ଦ୍ଧକ୍ୟ ଭତ୍ତା ଏବଂ ବିଧବା ଭତ୍ତା ଭଳି କେତେକ ସାମାଜିକ ସୁରକ୍ଷା ଯୋଜନା ପାଇଁ ହୋଇଛି। ଗତ ଏକ ଦଶନ୍ଧି ମଧ୍ୟରେ ନିହାତି ପକ୍ଷେ କୌଣସି ଅନାହାର ଜନିତ ମୃତ୍ୟୁର ନଜିର ନାହିଁ। ଏହା ୨ ଟଙ୍କିଆ ଚାଉଳ ପାଇଁ ସମ୍ଭବ ହୋଇପାରିଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଏହି ଯୋଜନା ୨୦୦୮ ଅଗଷ୍ଟ ମାସରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ପରେ ୨୦୧୩ ମସିହାରେ ଏହି ରିହାତି ଦର ୧ ଟଙ୍କାକୁ ହ୍ରାସ କରା ଯାଇଥିଲା (ଗୋଟିଏ ପରିବାର ପିଛା ମାସିକ ୨୫ କିଲୋ ପର୍ଯ୍ୟନ୍ତ)।

ତାହାଲେ କେଉଁ କାରଣ ଡେଗୁ ଧରୁଆ ଓ ଉର୍ବଷୀ ଧରୁଆଙ୍କୁ ହାଇଦ୍ରାବଦ ଆସି ଇଟା ଭାଟିରେ କାମ କରିବାକୁ ବାଧ୍ୟ କରିଛି? ଯେଉଁ ଦଶନ୍ଧିରେ ନୈରାଶ୍ୟଜନକ ସ୍ଥିତି ଥିଲା ସେ ସମୟରେ ମଧ୍ୟ ତାଙ୍କ ଭଳି ଲୋକ ଏଭଳି କଠିନ କାମ କରିବାକୁ ବାହାର ଆସି ନଥିଲେ।

PHOTO • Purusottam Thakur

ତାଙ୍କ ଦୁର୍ବଳ ସ୍ୱାସ୍ଥ୍ୟ ଏବଂ ଭାଟିରେ କଠିନ କାମ ଯୋଗୁ ଓଡ଼ିଶାର ବଲାଙ୍ଗିର ଜିଲ୍ଲାରୁ ଆସିଥିବା ଏହି ଦମ୍ପତି ନିଜର ନିଷ୍ପତ୍ତି ପାଇଁ ଅନୁତାପ କରୁଛନ୍ତି।

ଉର୍ବଶୀ କହିଲେ, ‘‘ଆମର ଦୁଇଟି ଝିଅ ସେମାନେ ବାହା ହୋଇଯାଇଛନ୍ତି। ଏବେ ଆମେ ନିସଙ୍ଗ .... ଆମେ ଭାଗଚାଷୀ [ଧାନ ଆଉ କପା ଚାଷ କରନ୍ତି, ଏବର୍ଷ ଫସଲ ଭଲ ହେଲାନି]। ଆମର ଦେଖାଶୁଣା କରିବାକୁ ସେଠି କେହି ନାହାନ୍ତି ....’’ ।

ଡେଗୁ କହିଲେ, ‘‘ବୟସ ଥିବାବେଳେ ଆମେ ଏହି ଭାଟିକୁ ଦୁଇଥର ଆସିଛୁ - ବହୁ ବର୍ଷ ପୂର୍ବରୁ। ବର୍ତ୍ତମାନ ଆମ ପରିସ୍ଥିତି ଏଠାକୁ ପୁଣି ଥରେ ଆସିବାକୁ ବାଧ୍ୟ କରିଛି। ଅତୀତରେ ଯେତେବେଳେ ମୁଁ ଏହି ଭାଟିକୁ କାମ କରିବାକୁ ଆସିଥିଲି, ସେତେବେଳେ ମୋତେ ସର୍ବାଧିକ ୫୦୦ ରୁ ୧୦୦୦ ହଜାର ଟଙ୍କା ଅଗ୍ରୀମ ମିଳିଥିଲା। ବର୍ତ୍ତମାନ ଜଣ ପିଛା ୨୦,୦୦୦ ଟଙ୍କାରୁ ଅଧିକ ଅଗ୍ରୀମ ମିଳୁଛି।’’ ଡେଗୁ କହିଲେ ତାଙ୍କୁ ଯେଉଁ ସଂପର୍କୀୟମାନେ ଏଠାକୁ ଆଣିଛନ୍ତି ସେମାନେ ଭାଟି ମାଲିକଠାରୁ ୨୦,୦୦୦ ଟଙ୍କା ଆଣିଛନ୍ତି କିନ୍ତୁ ତାଙ୍କୁ କେବଳ ୧୦,୦୦୦ ଟଙ୍କା ଦେଇଛନ୍ତି।

ସାଧାରଣତଃ ୫ ରୁ ୬ ମାସର କାମ ପାଇଁ ଏହି ଅଗ୍ରୀମ ଦିଆଯାଇଥାଏ - ଅମଳ ସରିବା ପରେ (ପ୍ରାୟ ଜାନୁଆରୀ-ଫେବ୍ରୁଆରୀ) ଗାଁମାନଙ୍କରୁ ଲୋକେ ଭାଟିକୁ ଆସିଥାନ୍ତି ଏବଂ ପ୍ରାୟ ଜୁନ୍ ମାସରେ ବର୍ଷା ଋତୁ ଆରମ୍ଭରେ ଫେରି ଯାଆନ୍ତି।

ଡେଗୁ କହିଲେ, ‘‘ଏଠାକୁ ଆସିବା ପରେ ବୟସ ଏବଂ ଖରାପ ସ୍ୱାସ୍ଥ୍ୟ ଯୋଗୁ ମୋ ମନ ବଦଳି ଯାଇଥିଲା। କଠିନ ପରିଶ୍ରମ ପଡ଼ୁଥିବାରୁ ଠିକାଦାରକୁ ଅଗ୍ରୀମ ଟଙ୍କା ଫେରାଇ ଦେଇ ଘରକୁ ଫେରି ଯିବାକୁ ଚାହିଁଥିଲି। କିନ୍ତୁ ଭାଟି ମାଲିକ ରାଜି ହେଲାନି। ମୋ ବଦଳ ଆଉ ଜଣଙ୍କୁ ଦେବାକୁ ମୋତେ କୁହାଗଲା। ଆମେ କୋଉଠୁ ଜଣଙ୍କୁ ପାଇବୁ? ତେଣୁ ଆମେ ଏଠି ସଂଘର୍ଷ କରୁଛୁ। ’’

PHOTO • Purusottam Thakur

ଶ୍ରମିକମାନେ ରହୁଥିବା ଅସ୍ଥାୟୀ ଦୁଇ ବଖୁରିଆ କୁଡ଼ିଆ। ଏ ବର୍ଷ ୬ ମାସ ପାଇଁ କାମ କରିବାକୁ ଅଗ୍ରୀମ ନେଇଥିବା କାରଣରୁ ଅନେକ ଏଠାରେ ଫାସରେ ପଡ଼ିଛନ୍ତି।

ଯେତେବେଳେ ସେ କହୁଥିଲେ, ସେତେବେ ଡେଗୁ ତାଙ୍କ ଗାଁରୁ ଆସିଥିବା କମ୍ ବୟସର ଶ୍ରମିକମାନଙ୍କୁ ଇଟା ଶୁଖାଇବା କାମରେ ସହଯୋଗ କରୁଥିଲେ, ଏବଂ ଭାଟି ପାଖରେ ଥିବା ଅସ୍ଥାୟୀ କୁଡ଼ିଆ ଭିତରେ ଶ୍ରମିକମାନଙ୍କ ପାଇଁ ଉର୍ବଶୀ ଖରାବେଳ ଖାଇବା ତିଆରି କରୁଥିଲେ - ଭାତ ଏବଂ ଗୋଟିଏ ପ୍ରକାରର ତରକାରୀ। ବହୁ ସମୟର କଥାବାର୍ତ୍ତା ପରେ ଧରୁଆ ଦମ୍ପତି ତାଙ୍କ ସମସ୍ୟା ସଂପର୍କରେ କହିଲେ।

ଏହା ପରେ ଆମେ ତେଲେଙ୍ଗାନାର ଆଉ କେତେକ ଭାଟି ବୁଲିଲୁ, କିନ୍ତୁ ଏବେ ବୟସର ଦମ୍ପତି କେଉଁଠି ନଥିଲେ। ଧରୁଆ ଦମ୍ପତିଙ୍କ ବିଷୟରେ ଶର୍ମା କହିଲେ, ‘‘ସେମାନେ ଖୁବ୍ ଦୁର୍ବଳ ଦେଖାଯାଉଛନ୍ତି, ଏବଂ ଜାଲରେ ଫସି ଯାଇଛନ୍ତି [ ଅଗ୍ରୀମ ନେଇଥିବାରୁ] । ଏହା ବହୁ ଦୁଃଖ ଦାୟକ ଏବଂ ଏହା ହିଁ ଦେଶାନ୍ତରର ବାସ୍ତବତା। ’’

ଓଡ଼ିଶାଲାଇଭ୍‍

Purusottam Thakur

Purusottam Thakur is a 2015 PARI Fellow. He is a journalist and documentary filmmaker. At present, he is working with the Azim Premji Foundation and writing stories for social change.

Other stories by Purusottam Thakur
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE