ପ୍ରତିଦିନ ଶଙ୍କରଦା ଗାଁରୁ ନିକଟସ୍ଥ ଧମତରି ସହରକୁ ପାଦରେ ଚାଲି ଚାଲି ଯାଆନ୍ତି ଭଗାଉଲି ସାହୁ। କାନ୍ଧରେ ଥାଏ ଦୁଇ ଗୋଛା ନଡ଼ା କିମ୍ବା ଘାସ, ତାହା ଋତୁ ଅନୁସାରେ। ଗୋଟିଏ ବାଡ଼ି ସାହାଯ୍ୟରେ ସେ ଘାସ ବା ନଡ଼ା ଗୋଛାକୁ ବାନ୍ଧି କାନ୍ଧରେ ଝୁଲେଇଥାନ୍ତି। ସେହି ବାଡ଼ିକୁ କନୱାର କହନ୍ତି। ଛତିଶଗଡ଼ର ରାଜଧାନୀ ରାୟପୁରଠାରୁ ୭୦ କିଲୋମିଟର ଦୂରରେ ଧମତରି ଅବସ୍ଥିତ। ଭଗାଉଲି ଏହି ଘାସ ଗୋଛାକୁ ଗୋଖାଦ୍ୟ ଭାବେ ବିକ୍ରି କରନ୍ତି। ଗାଈ ଗୋରୁ ପାଳିଥିବା ଲୋକ ତାଙ୍କ ଗ୍ରାହକ।

ବର୍ଷ ବର୍ଷ ଧରି ସେ ଏମିତି ଧମତରିକୁ ଯାଆସ କରୁଛନ୍ତି - ସପ୍ତାହରେ ୪ ଦିନ, ବେଳେବେଳେ ୬ ଦିନ। ସକାଳୁ ସକାଳୁ ପିଲାମାନେ ସାଇକେଲ ନେଇ ସ୍କୁଲକୁ ଯାଆନ୍ତି, ଶ୍ରମିକ, କାରିଗର ଏବଂ ନିର୍ମାଣ ଶ୍ରମିକମାନେ କାମ ଖୋଜିବା ପାଇଁ ବି ସହରମୁହାଁ ହୁଅନ୍ତି। ଏମାନଙ୍କ ସହ ଥାଆନ୍ତି ଭଗାଉଲି।

ଭଗାଉଲିଙ୍କୁ ଏବେ ୭୦। ଧମତରିରେ ପହଞ୍ଚିବାକୁ ତାଙ୍କୁ ପ୍ରାୟ ଏକ ଘଣ୍ଟା ଲାଗେ। ଧମତରି ଏଠାରୁ ୪.୫ କିଲୋମିଟର ଦୂର। ଧମତରିକୁ ସେ ଦୁଇ ଥର ଯିବା ଆସିବା କରନ୍ତି - ମୋଟ ୧୮ କିଲୋମିଟର। ଏହା ବାଦ ଚାଷୀଙ୍କଠାରୁ ନଡ଼ା କିଣିବା କିମ୍ବା କେନାଲ ପାଖରେ ବଢିଥିବା ଜଂଗଲୀ ଘାସ କାଟିବା ବା ଧାନ ବିଲରୁ ବା ରାସ୍ତାକଡ଼ରୁ ଘାସ କାଟିବା ପାଇଁ ତାଙ୍କୁ ଅଲଗା ସମୟ ଦେବାକୁ ପଡ଼େ।

PHOTO • Purusottam Thakur
 Dhaniram cycles
PHOTO • Purusottam Thakur

ଭଗାଉଲି କହନ୍ତି : ଆମେ ବହୁତ ଗରିବ ଲେକ ଆଉ ଏଇଥିରୁ ଅଳ୍ପ କିଛି ରୋଜଗାର କରୁ। ଡାହାଣ : ତାଙ୍କ ପୁଅ ଧନିରାମ ଦିନ ମଜୁରି କରିବାକୁ ସାଇକେଲ ନେଇ ଧମତରିକୁ ଯାଉଛନ୍ତି

ଏହି ରାସ୍ତାରେ ମୁଁ ତାଙ୍କୁ ବର୍ଷ ବର୍ଷ ହେଲା ଦେଖୁଛିା ସେତେବେଳେ ଦେଖୁଥିଲି, ଏବେ ବି ଦେଖୁଛି। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଏହି ବୟସରେ ସେ ଏଭଳି କଷ୍ଟକର କାମ କାହିଁକି କରୁଛନ୍ତି? ସେ କହିଲେ, ‘‘ଆମେ ବହୁତ ଗରିବ ଲୋକ ଆଉ ଯାହା ରୋଜଗାର କରୁଛୁ ଗଣ୍ଡେ ଖାଇବା ପାଇଁ। ଧମତରିରୁ ଫେରିବା ବେଳେ ଘର ପାଇଁ କିଛି ପରିବା କିଣି ଆଣେ।’’ ଆ​‌ମେ କିଛି ସମୟ ଏକାଠି ଚାଲିଲୁ, ତାଙ୍କ ଘର ପର୍ଯ୍ୟନ୍ତ ମୁଁ ତାଙ୍କୁ ବଳେଇ ଦେଲି। ବାଟରେ ସେ କହିଲେ, ‘‘ମୁଁ ଚାଷୀଙ୍କ ଠାରୁ ୪୦-୬୦ ଟଙ୍କାରେ ନଡ଼ା କିଣି ଧମତରିରେ ବିକ୍ରି କରେ।’’ ଦିନ ଶେଷରେ ଭଗାଉଲି ୮୦ ରୁ ୧୨୦ ଟଙ୍କା ଭିତରେ ରୋଜଗାର କରିଥାନ୍ତି।

ମୁଁ ତାଙ୍କୁ ପଚାରିଲି, ଆପଣ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି କି? ସେ କହିଲେ, ‘‘ହଁ, ମୁଁ ଓ ମୋ ସ୍ତ୍ରୀ ମାସକୁ ୩୫୦ ଟଙ୍କା ଲେଖାଏଁବାର୍ଦ୍ଧକ୍ୟ ଭତ୍ତା ପାଉଛୁ। କିନ୍ତୁ ନିୟମିତ ଭାବେ ମିଳୁନି। ବେଳେବେଳେ ଦୁଇ ମାସ କିମ୍ବା ଚାରି ମାସ ବିଳମ୍ବରେ ମିଳୁଛି।’’ ସେମାନେ ଗତ ୪ ବର୍ଷ ହେବ ଏହି ଟଙ୍କା ପାଉଛନ୍ତି।

PHOTO • Purusottam Thakur
 Bhagauli walks to sell the fodder in town
PHOTO • Purusottam Thakur

ବାମ : ଶଙ୍କରଦାରେ ଥିବା ତାଙ୍କ ପୈତୃକ ଘରକୁ ମାଟି ଆଉ ଇଟାରେ ଟିକେ ଉନ୍ନତ କରିଛନ୍ତି ଭଗାଉଲି। ଡାହଣ : ଗୋଖାଦ୍ୟ ବିକ୍ରି କରିବାକୁ ବର୍ଷ ବର୍ଷ ଧରି ସେ ଏହି ରାସ୍ତାରେ ଯାଉଛନ୍ତି।

ଅମେ ଯେତେବେଳେ ଭଗାଉଲିଙ୍କ ଘରେ ପହଞ୍ଚିଲୁ, ସେତେବେଳେ ତାଙ୍କ ପୁଅ ଧନୀରାମ ସାହୁ ସାଇକେଲ ଧରି ମଜୁରି ଖୋଜିବାକୁ ବାହାରିଥିଲେ। ଧମତରିର ମଧ୍ୟଭାଗକୁ ସେ ଯିବେ, ଯେଉଁଠିକୁ ଠିକାଦାରମାନେ ଶ୍ରମିକଙ୍କୁ ୨୫୦ ଟଙ୍କା ମଜୁରୀରେ ନେବାପାଇଁ ଆସିଥାନ୍ତି। ତାଙ୍କୁ ଯେତେବେଳେ ବୟସ ପଚାରିଲି, ସେ ତାଙ୍କ ବାପାଙ୍କ ଭଳି ଉତ୍ତର ଦେଲେ। କହିଲେ, ‘‘ମୁଁ ମୁର୍ଖ ଲୋକ, ମୋର ବୟସ କେତେ ସେ ହିସାବ ମୋ ପାଖରେ ନାହିଁ।’’ କେବଳ ଅନୁମାନ ଲଗାନ୍ତୁ। ତାଙ୍କ ବୟସ ପ୍ରାୟ ୩୦ ପାଖାପାଖି ହେବ। ସେ କେତେ ଦିନ କାମ କରନ୍ତି? ‘‘ଯଦି ସପ୍ତାହରେ ଦୁଇ କିମ୍ବା ତିନି ଦିନର କାମ ପାଇଲି ତାହାଲେ ଖୁବ ବେଶୀ।’’ ସମ୍ଭବତଃ ତାଙ୍କ ବାପା ପୁଅଠାରୁ ବେଶୀ କଠିନ ପରିଶ୍ରମ କରୁଛନ୍ତି।

ଭଗାଉଲିଙ୍କ ପତ୍ନୀ ସେଦିନ ସାହୁ ଘର କାମରେ ବ୍ୟସ୍ତ ଥିଲେ। ଧନୀରାମଙ୍କ ଦୁଇ ପୁଅଙ୍କୁ ସ୍କୁଲ ପଠାଇବାକୁ ପ୍ରସ୍ତୁତ କରୁଥିଲେ - ସେମାନେ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀରେ ପଢନ୍ତି। ତାଙ୍କର ଏଇ ଘର ତାଙ୍କ ବାପା ତିଆରି କରିଥିଲେ ନା ସେ ନିଜେ କରିଥିଲେ ବୋଲି ଭଗାଉଲିଙ୍କୁ ପଚାରିଲି। ସେ କହିଲେ, ‘‘ମୁଁ ତିଆରି କରିଛି। ଆମ ପୁରୁଣା ଘରଟି ମୋ ବାପା ମାଟିରେ ତିଆରି କରିଥିଲେ। ପରେ ଏହି ଘରକୁ ମୁଁ ମାଟି, କାଦୁଅ ଆଉ ଇଟାରେ ତିଆରି କରିଛି। ଭଗାଉଲି କହିଲେ, ତାଙ୍କ ବାପା ଜଣେ ଚାଷୀଙ୍କ ପାଇଁ ଗାଈ ଜଗୁଆଳି ଭାବେ କାମ କରୁଥିଲେ। ତାଙ୍କ ଝିଅ ବିବାହିତା। ସେ ତାଙ୍କ ଶାଶୁ ଘରେ ରହୁଛନ୍ତି।

School girls riding their cycles in town
PHOTO • Purusottam Thakur
hawkers and labourers going to town
PHOTO • Purusottam Thakur
Labourers travelling to town for work
PHOTO • Purusottam Thakur

ସକାଳ ସମୟରେ ଶଙ୍କରଦା - ଧମତରି ରାସ୍ତା ବ୍ୟସ୍ତବହୁଳ ରୁହେ। ନିତି ଦିନର ରୋଜଗାର ପାଇଁ ବୁଲା ବେପାରୀ ଓ ଶ୍ରମିକମାନେ ଏହି ରାସ୍ତା ଦେଇ ସହରକୁ ଯାଆନ୍ତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନେ ଘର ଖଣ୍ଡିଏ ପାଇପାରିବେ କି? ‘‘ଆମେ ଆବେଦନ କରିଛୁ। ଆମେ ପଞ୍ଚାୟତକୁ ବାହୁବାର ଯାଇଛୁ। ସରପଞ୍ଚ ଆଉ ଅନ୍ୟ ସଦସ୍ୟଙ୍କୁ ଅନୁରୋଧ କରିଛୁ, କିନ୍ତୁ କିଛି ଲାଭ ହୋଇନି। ତେଣୁ ବର୍ତ୍ତମାନ ସେ କଥା ମୁଁ ମନରୁ କାଢି ଦେଇଛି।’’

କିନ୍ତୁ, ସେ କହିଲେ, ସରକାର ‘‘ ବଡା ଅକାଳ (୧୯୬୫-୬୬ର ବଡ଼ ମରୁଡି)ବେଳେ ଗାଁ ଲୋକଙ୍କୁ ସହାୟତା କରିଥିଲେ। ସେତେବେଳେ ସେମାନେ ରାଜ୍ୟ ସରକାରଙ୍କଠାରୁ ଗହମ ଓ ଜୱର ପାଇଥିଲେ। ଭଗାଉଲି କହନ୍ତି, ଏଥିରେ ଜୀବନ ବଂଚି ଯାଇଥିଲା। ସେହିଭଳି ସାଭାନ (ବାଜରା) ଓ ଜଂଗଲୀ ଗଛ ମଚରିଆ ଭାଜି (ଏକ ପରିବା) ମଧ୍ୟ ବଂଚେଇ ଦେଇଥିଲା।

ତାଙ୍କ ପରିବାରର ଆଦୌ ଜମି ନାହିଁ - ଭଗାଉଲିଙ୍କ ବାପାଙ୍କର ନଥିଲା କି ତାଙ୍କ ପୁଅଙ୍କର ବି ନାହିଁ। ‘‘ଆମର ଏଇ ହାତଗୋଡ଼ ଛଡା ଆଉ କିଛି ନାହିଁ, ଏହା ହିଁ ମୋ ବାପାଙ୍କର ସଂପତ୍ତି ଥିଲା ଆଉ ଆମର ସଂପତ୍ତି ମଧ୍ୟ।’’

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Purusottam Thakur

Purusottam Thakur is a 2015 PARI Fellow. He is a journalist and documentary filmmaker. At present, he is working with the Azim Premji Foundation and writing stories for social change.

Other stories by Purusottam Thakur