html ‘ଆଜି ବଞ୍ଚାଇଥିବା ପ୍ରାଣୀଟିଏ ହିଁ ଆସନ୍ତାକାଲିର ଉପାର୍ଜିତ ପ୍ରାଣୀ’

ଦୂରରୁ ଦେଖି ଆପଣ କହିପାରିବେ ଯେ ଏହା ଏକ ଗାଁ ନୁହେଁ କି ମେଳା ପଡ଼ିଆବି ନୁହେଁ ।

ବାଉଁଶ ଓ ଟିଣରେ ତିଆରି ଅସ୍ଥାୟୀ ଘର ଭିତରେ ଧାଡ଼ି ଧାଡ଼ି ହୋଇ ରହିଥିବା ହଜାର ହଜାର ସଂଖ୍ୟକ ଗାଈ, ବଳଦ ଓ ମଇଁଷି କର୍କଶ ଶବ୍ଦ କରୁଛନ୍ତି ଏବଂ ହମ୍ବାରଡ଼ି ଛାଡୁଛନ୍ତି। ଶହ ଶହ ଲୋକଙ୍କ ଧାଁଧପଡ଼ ଭିତରେ ପଶୁଖାଦ୍ୟ ବୋଝେଇ ଟ୍ରକ୍‌ଗୁଡ଼ିକ ଲଗାତର ଯା’ଆସ କରୁଛନ୍ତି ।

ଗୋବର ଗଦା ଭିତର ଦେଇ ଆପଣ ରାସ୍ତା ଖୋଜିବା ବେଳେ ପବନରେ ବ୍ୟାପି ରହିଥାଏ ମିଥେନ୍‌ର ଦୁର୍ଗନ୍ଧ।

ସ୍ୱାଗତ-ଯଦି ତାହା ହିଁ ଠିକ୍‌ ଶବ୍ଦ-ମହାରାଷ୍ଟ୍ରର ଅନ୍ୟତମ ବୃହତ୍ତମ “ଗୃହପାଳିତ ପଶୁ ଶିବିର”କୁ ସ୍ୱାଗତ। ଯାହାକି ଏକ ମେଳା ପଡ଼ିଆ ଭଳି ବିସ୍ତାରିତ ଏବଂ ଯେଉଁଠି ଗହଳିଚହଳି ଲାଗି ରହିଛି। ହେଲେ ମେଳା ଭଳି ରଙ୍ଗ ନାହିଁ କି ଆନନ୍ଦ ନାହିଁ ।

PHOTO • Jaideep Hardikar

ବୀଡ୍‌ ସହରଠାରୁ ଅନତି ଦୂର ପାଲବନ୍‌ର ଶିବିରରେ ଧାଡ଼ି ଧାଡ଼ି ହୋଇଥିବା ଟିଣ ଓ ବାଉଁଶ ତିଆରି ଘରଗୁଡ଼ିକରେ ୫,୦୦୦ରୁ ଅଧିକ ଗୃହପାଳିତ ପଶୁଙ୍କୁ ରଖାଯାଇଛି 

କିନ୍ତୁ ମରୁଡ଼ିଗ୍ରସ୍ତ ମରାଠୱାଡ଼ାର ପାଲ୍‌ବନ୍‌ ଗାଁଠାରୁ ପ୍ରାୟ ଏକ କିଲୋମିଟର ଦୂର ଏହି ୧୦୦ ଏକର ପରିମିତ ଜମିରେ ଯାହା ପ୍ରଚୁର ପରିମାଣରେ ରହିଛି, ତାହା ହେଲା ଧୈର୍ଯ୍ୟ ।

ଗୃହପାଳିତ ପଶୁଙ୍କ ରହିବା ପାଇଁ ମାଗଣା ଘର, ପାଣି ଓ ପଶୁଖାଦ୍ୟ ଏବଂ ସେମାନଙ୍କ ପାଇଁ ମାଗଣା ମଧ୍ୟାହ୍ନ ଭୋଜନ ଆଶାରେ ଦୂର ଏବଂ ନିକଟ ଗାଁଗୁଡ଼ିକରୁ ଗୃହପାଳିତ ପଶୁଙ୍କୁ ଧରି ଆସିଥିବା ଶହ ଶହ ଲୋକଙ୍କ ଭିତରୁ ଜଣେ, ୨୮ ବର୍ଷୀୟ ବିଷ୍ଣୁ ବାଗ୍‌ଲାନେଙ୍କ କଥାରୁ ଏହା ପ୍ରତିଫଳିତ। କ୍ରମାଗତ ମରୁଡ଼ି ଯୋଗୁଁ ମାଟି ଶୁଖି ଯାଇଥିବା ଏବଂ ଜମି ପଡ଼ିଆ ପଡ଼ିଥିବା ସମୟରେ ରାଜ୍ୟ ସରକାରଙ୍କ ସହାୟତାରେ ଏକ ଅଣ-ସରକାରୀ ସଂସ୍ଥା ଏ ସବୁ ଯୋଗାଇ ଦିଏ ।

ତାପମାନ ୪୫ ଡିଗ୍ରୀ ଛୁଇଁବାକୁ ଯାଉଥିବା ବେଳେ, ତାଙ୍କର ୨୦ଟି ପାଳିତ ପଶୁଙ୍କ ମଧ୍ୟରୁ ଗୋଟିକ ଉପରେ ମଗ୍‌ରୁ ପାଣିଛାଟୁ ଛାଟୁ ବିଷ୍ଣୁ କହନ୍ତି, “ଦିନରେ ବହୁ ଥର ମୁଁ ନିଜକୁ ନିଜେ ହାର୍‌ ନ ମାନିବାକୁ କହେ’’। ‘‘ଆଉ ଅଧିକ କେଇଟା ମାସ ପାଇଁ ପଡ଼ି ରହିବା କଥା ।”

ଏଥର ଭଲ ବର୍ଷା ହେବ ବୋଲି ସେ ଆଶା ରଖିଛନ୍ତି ।

ମରାଠୱାଡ଼ା ଲଗାତର ଚତୁର୍ଥ ଥର ପାଇଁ ମୌସୁମୀ ବର୍ଷା ନହେବା ପରେ, ସେପ୍ଟେମ୍ବରରୁ ଏଠାରେ ରହିଆସୁଛନ୍ତି ବିଷ୍ଣୁ ଏବଂ ତାଙ୍କ ବାପା, ୬୪ ବର୍ଷୀୟ ରଘୁନାଥ ବାଗ୍‌ଲାନେ। ପୁଅ,ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ପାଳିତ ପଶୁମାନଙ୍କର ଦେଖାରଖା କରନ୍ତି ଏବଂ ବାପା, ରାତ୍ରୀଭୋଜନ ପରେ ରାତିରେ ଗୋଶାଳାରେ ଶୋଇବାକୁ ଆସନ୍ତି ।

ଅନେକ ସମୟରେ, ପାଞ୍ଚ କିଲୋମିଟର ଦୂର କାକାଧିରେ ଗାଁରେ ଥିବା ସେମାନଙ୍କ ଘରୁ ପରିବାରର ମହିଳାମାନେ ଆସନ୍ତି। ସେମାନେ ସାଙ୍ଗରେ ଆଣିଥିବା ପିଲାମାନେ ସେଠାରେ ଡିଆଁଡେଇଁ କରି ଖେଳନ୍ତି। ବେଳେବେଳେ ନିକଟ ସଂପର୍କୀୟମାନେ ବି ସେଠାକୁ ଆସନ୍ତି ।

ଚାରା ଛାଓନିର ଏକ ଲମ୍ବା ଇତିହାସ

ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଏକ ସ୍ୱଳ୍ପକାଳୀନ ମରୁଡ଼ି ମୁକାବିଲା ବ୍ୟବସ୍ଥା ରୂପେ ଗୃହପାଳିତ ପଶୁ ଶିବିର କିମ୍ବା ଚାରା ଛାଓନିର ଏକ ଲମ୍ବା ଇତିହାସ ରହିଛି। ଶିବାଜୀଙ୍କ ଶାସନ କାଳ୧୭ଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା ବୋଲି ପ୍ରତୀୟମାନ ହୁଏ । ୨୦୧୧ରୁ ଏହା ମହାରାଷ୍ଟ୍ରର, ନିର୍ଦ୍ଦିଷ୍ଟ ଭାବେ ଏହାର ଶୁଷ୍କ କେନ୍ଦ୍ରୀୟ ଓ ପଶ୍ଚିମାଞ୍ଚଳର, ଗ୍ରୀଷ୍ମକାଳୀନ ଭୂଚିତ୍ରର ଅଂଶ ଭାବେ ରହିଆସିଛି।

କିନ୍ତୁ ଗତ ବର୍ଷ ସେମାନଙ୍କ ମଧ୍ୟରୁ କେତେକ ଶୀତଋତୁ ପର୍ଯ୍ୟନ୍ତ ଏମିତିକି ନୂଆ ବର୍ଷଯାଏ ଚାଲିଥିଲା ଏବଂ ଏବର୍ଷ ଖରାଦିନେ ବି ଚାଲିଛି।

ସାମାଜିକ ସଂଗଠନ କିମ୍ବା ଚିନି କଳଗୁଡ଼ିକ ମରୁଡ଼ି ଯୋଗୁଁ ପଡ଼ିଆ ପଡ଼ିଥିବା ଚାଷଜମିକୁ ଏସବୁ ଶିବିର ସ୍ଥାପନ ନିମନ୍ତେ ଲିଜ୍‌ରେ ଦିଅନ୍ତି ଏବଂ ରାଜ୍ୟ ସରକାର ଏବଂ ସଦିଚ୍ଛାକାମୀ ରାଜନୈତିକ ଦଳ ସହାୟତାରେ ଏଗୁଡ଼ିକର ପରିଚାଳନା କରନ୍ତି।

 ମହାରାଷ୍ଟ୍ରର ସର୍ବାଧିକ ମରୁଡ଼ି ପ୍ରପୀଡ଼ିତ ତିନିଟି ଜିଲ୍ଲା: ଲାଟୁର, ଓସ୍‌ମାନାବାଦ ଓ ବୀଡ୍‌ରେ ପ୍ରାୟ ୩୫୦ଟି ଗୃହପାଳିତ ପଶୁ ଶିବିରରେ ପାଖାପାଖି ୨୫୦,୦୦୦ ଗୃହପାଳିତ ପ୍ରାଣୀଙ୍କୁ ଆଶ୍ରୟ ଦିଆଯାଇଛି। ବୀଡ୍‌ରେ ଛୋଟ ବଡ଼ କରି ୨୬୫ଟି, ଓସ୍‌ମାନାବାଦରେ ୮୦ରୁ କିଛି ଅଧିକ ଏବଂ ଲାଟୁର୍‌ରେ ମାତ୍ର ଗୋଟିଏ ଶିବିର ରହିଛି ।

ବୀଡ୍‌ ସହରଠାରୁ ୧୫ କିଲୋମିଟର ଦୂର ପାଲ୍‌ବନ୍‌ରେ ଥିବା ଶିବିରରେ ୩୨ଟି ଗାଁର ପ୍ରାୟ ୩୦୦ କୃଷକଙ୍କର ଛୋଟ ବଡ଼ ମିଶି ପ୍ରାୟ ୫,୦୦୦ ଗୃହପାଳିତ ପଶୁ ରହିଛନ୍ତି।

PHOTO • Jaideep Hardikar

କେତେକ ଗୃହପାଳିତ ପଶୁଙ୍କ ମାଲିକ ଗାଁ ଓ ଶିବିର ଭିତରେ ଯିବାଆସିବା କରନ୍ତି । କିନ୍ତୁ ଆଉ କେତେକ ସବୁ ଜିନିଷପତ୍ର ଧରି ପଳାଇ ଆସିଛନ୍ତି। ସେମାନେ ଗୋଶାଳାରେ କିମ୍ବା ତମ୍ବୁରେ ଶୁଅନ୍ତି। ଆଉ କେତେକ ତ ସେମାନଙ୍କ ପିଲାମାନଙ୍କୁ ସାଙ୍ଗରେ ନେଇଆସିଛନ୍ତି

ଦୁଇ ବର୍ଷ ତଳେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ସ୍ଥାନୀୟ ନେତା ବିନାୟକ ମେତେଙ୍କ ସହଯୋଗୀ ରାଜେନ୍ଦ୍ର ମାସ୍‌କେଙ୍କ ପରିଚାଳିତ ଯଶବନ୍ତ ବହୁଦ୍ଦେଶିୟା ସେବାଭାବୀ ସଂସ୍ଥା ନାମକ ଏକ ବହୁମୁଖୀ ସମିତି ଦ୍ୱାରା ଏହା ପରିଚାଳିତ ।

୬୫ ଜଣ କର୍ମଚାରୀ କାର୍ଯ୍ୟରତ ଏହି ଶିବିରଟି ସୁପରିଚାଳିତ। ବିଷ୍ଣୁଙ୍କ ଭଳି ପ୍ରତି ବାସିନ୍ଦାଙ୍କୁ ଏକ ପରିଚୟ ପତ୍ର, ଦୈନିକ କୁପନ୍‌ ଏବଂ ତାଙ୍କ ଶେଡ୍ରେ ରହୁଥିବା ପ୍ରାଣୀମାନଙ୍କ ସଂଖ୍ୟା ଭିତ୍ତିରେ ପଶୁଖାଦ୍ୟର କୋଟା ପ୍ରଦାନ କରାଯାଇଛି। ଲୋକଭିଡ଼ ଓ ଠେଲାପେଲା ନହେବା ପାଇଁ ପଶୁଖାଦ୍ୟ ବଣ୍ଟନ ବେଳେ ଶିବିରର କାର୍ଯ୍ୟାଳୟ ତରଫରୁ ପ୍ରତ୍ୟେକ ଚାଷୀଙ୍କୁ ଏକ କ୍ରମିକ ସଂଖ୍ୟା ଦିଆଯାଏ ।

PHOTO • Jaideep Hardikar

ପାଲବନ୍‌ ଶିବିରରେ ତାଙ୍କ ପରିଚୟପତ୍ର ସହିତ ବିଷ୍ଣୁ ବାଗ୍‌ଲାନେ, ମାସ ମାସ ହେଲା ସେଠାରେ  ସେ ତାଙ୍କ ଗୃହପାଳିତ ପଶୁମାନଙ୍କୁ  ରଖି ଦେଖାରଖା କରୁଛନ୍ତି

କେତେକ ଗୃହପାଳିତ ପଶୁଙ୍କ ମାଲିକ ସେମାନଙ୍କ ଗାଁ ଓ ଶିବିର ଭିତରେ ଯିବାଆସିବା କରନ୍ତି; ବାକି ଅନ୍ୟମାନେ ସେମାନଙ୍କର ସମସ୍ତ ଜିନିଷପତ୍ର ସାଙ୍ଗରେ ନେଇ ପଳାଇ ଆସିଛନ୍ତି । ସେମାନେ ଗୋଶାଳାରେ କିମ୍ବା ତମ୍ବୁରେ ଶୁଅନ୍ତି ।

ଉଦାହରଣ ସ୍ୱରୂପ ସବିତା ମୁଣ୍ଡେ, ଛ’ ମାସ ତଳେ ତାଙ୍କ ସ୍ୱାମୀ, ଦୁଇ ପିଲା ଏବଂ ଚାରିଟି ଗାଈଙ୍କୁ ସାଙ୍ଗରେ ନେଇ ୬୦ କିଲୋମିଟର ଦୂର ଚିଖାଲବେଡ୍‌ ଗାଁରୁ ଆସିଥିଲେ । ସେ ପାଳିତ ପଶୁମାନଙ୍କର ଦେଖାରଖା କରନ୍ତି ଏବଂ ତାଙ୍କ ସ୍ୱାମୀ ସଚିନ୍‌ ଶିବିରରେ ଶ୍ରମିକ ଭାବେ କାମ କରନ୍ତି। ଗତ ମାସରେ ସେ କହିଲେ, “ମୌସୁମୀ ପହଞ୍ଚିବା ଯାଏ ଆମେ ଏଠାରେ ରହିବୁ।” (ମୌସୁମୀ ଏବେ ମରାଠୱାଡ଼ାରେ ପହଞ୍ଚିଲାଣି ।)

ଗାଁ ଭଳି, ଶିବିରର ନିଜସ୍ୱ ସାଂପ୍ରଦାୟିକ ଜୀବନଧାରା ବିକଶିତ ହୋଇଛି। ନିକଟରେ ଏଠାରେ ଏକ ସାମୂହିକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା, ଯେଉଁଥିରେ ସେଠାରେ ରହୁଥିବା ବିଭିନ୍ନ ପରିବାରର ୫୦ରୁ ଅଧିକ ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ସଂକଟ ଓ ଆହ୍ୱାନ

ଦିନକୁ ବଡ଼ ପ୍ରାଣୀ ପିଛା ୬୩ ଟଙ୍କା ଏବଂ ସାନ ପ୍ରାଣୀ ପିଛା ୩୦ ଟଙ୍କା ହିସାବରେ ସରକାର ଦିଅନ୍ତି। କିନ୍ତୁ ଶିବିରର ସୁପରଭାଇଜର୍‌ ସତୀଶ ଶେଲ୍‌କେ କହନ୍ତି ଯେ ଏହା ଖୁବ୍‌ କମ୍‌ ।

PHOTO • Jaideep Hardikar

ଶୁଷ୍କ ଗ୍ରୀଷ୍ମଋତୁରେ ପାଣି ଓ ପଶୁଖାଦ୍ୟ ଯୋଗାଡ଼ କରିବା ହିଁ ପାଲ୍‌ବନ ଗୃହପାଳିତ ପଶୁ ଶିବିରର ସୁପରଭାଇଜର ସତୀଶ ଶେଲ୍‌କେଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ 

ସେ କହନ୍ତି, “ଆମକୁ ଆମ ନିଜ ପାଣ୍ଠିରୁ ବହୁତ ଖର୍ଚ୍ଚ କରିବାକୁ ପଡ଼େ। କିନ୍ତୁ ଯଦି ଲୋକଙ୍କ ଦୁର୍ଦ୍ଦିନରେ ଆପଣ ପାଖରେ ଠିଆ ହେବେ, ସେମାନେ ବି ଆପଣଙ୍କ ପାଖରେ ଠିଆ ହେବେ।”

ଏଥର ଗ୍ରୀଷ୍ମଋତୁରେ ପାଣି ଓ ପଶୁଖାଦ୍ୟ (ଆଖୁ ଓ ସବୁଜ ପତ୍ର) ଖୋଜିବା ଶେଲ୍‌କେଙ୍କ ପାଇଁ ସବୁଠୁଁ ବଡ଼ ସମସ୍ୟା ହୋଇଛି।

ସେ କହନ୍ତି, “ଆମକୁ ପ୍ରତିଦିନ ୩ ଲକ୍ଷ ଲିଟର ପାଣି ଦରକାର। ଗୋଟିଏ ୧୨,୦୦୦ ଲିଟର ପାଣି ଥିବା ଟ୍ୟାଙ୍କର୍‌ ପାଇଁ ୧,୫୦୦ ଟଙ୍କା ଦେବାକୁ ପଡ଼େ। ତେଣୁ ଶିବିରରେ ପ୍ରତିଦିନ ୨୫ଟି ପାଣି ଟ୍ୟାଙ୍କର ପାଇଁ ୩୭,୫୦୦ ଟଙ୍କା ଖର୍ଚ୍ଚ ହୁଏ ।

ତା ସାଙ୍ଗକୁ ପଶୁଖାଦ୍ୟ ବାବଦ ଖର୍ଚ୍ଚ, ୪୦୦ ଲୋକଙ୍କ ପାଇଁ ମାଗଣା ମଧ୍ୟାହ୍ନ ଭୋଜନ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମିଶିଲେ ମାସିକ ଖର୍ଚ୍ଚ ପରିମାଣ କେଇ କୋଟିରେ ପହଞ୍ଚି ଯାଏ ବୋଲି ସେ କହନ୍ତି । “ଏହାର ଅଧିକାଂଶ ଭାଗ ଆମେ ଆମ ନିଜ ବ୍ୟବସାୟରୁ ଏବଂ ଚାନ୍ଦାରେ ମିଳୁଥିବା ଅର୍ଥରୁ ବହନ କରୁ।”

 

PHOTO • Jaideep Hardikar

ସବୁଦିନ ଶିବିରରେ ୪୦୦ଜଣଙ୍କ ପାଇଁ ମାଗଣା ଭୋଜନ ରନ୍ଧାଯାଏ

ପ୍ରଚୁର ଆଖୁଚାଷ ହେଉଥିବା ସତାରା, କୋହ୍ଲାପୁର ଏବଂ ଅହମଦନଗରରୁ ପାଲ୍‌ବନ୍‌ ଶିବିରକୁ ପଶୁଖାଦ୍ୟ ଅଣାଯାଏ ଏବଂ ସବୁଜ ପଶୁଖାଦ୍ୟ ଅନ୍ୟ ରାଜ୍ୟରୁ ଆସେ ।

ଶିବିରକୁ ପଶୁଖାଦ୍ୟ ଯୋଗାଉଥିବା ୬୭ ବର୍ଷୀୟ ଶ୍ରୀମନ୍ତ ଗୁର୍‌ସାଲେ କହନ୍ତି, “ଏ ବର୍ଷଟା ହିଁ ଖରାପ, କୋଉଠି ହେଲେ ପଶୁଖାଦ୍ୟ ନାହିଁ।’’ ‘‘ଆଖୁ ଅମଳ କମିଗଲେ ଆର ବର୍ଷକୁ ସେମାନଙ୍କର ଉତ୍ପାଦନ କମିଯିବା ଆଶଙ୍କାରେ ଚାଷୀମାନେ ଆଖୁଗଛ କାଟି ଆମକୁ ବିକିବା ଲାଗି ଚିନିକଳଗୁଡ଼ିକ ଅନୁମତି ଦେଉନାହାନ୍ତି।”

PHOTO • Jaideep Hardikar

ଆର ବର୍ଷକୁ ଉତ୍ପାଦନ କମିଯିବା ଆଶଙ୍କାରେ ଆଖୁଗଛ କାଟି ବିକିବା ଲାଗି ଚିନିକଳଗୁଡ଼ିକ ଚାଷୀମାନଙ୍କୁ  ଅନୁମତି ଦେଲେ ନାହିଁ । ଏହା ଯୋଗୁଁ ପଶୁଖାଦ୍ୟ ଖୋଜିବା ଅଧିକ କଷ୍ଟକର ହେଲା

ସେ ଆହୁରି କହନ୍ତି, “ପଶୁଖାଦ୍ୟ ଖୋଜିବା ଲାଗି ଆପଣ ଯେତେଦୂରକୁ ଯିବେ ସେତେ ଅଧିକ ଖର୍ଚ୍ଚ କରିବେ। ପରିବହନ ଖର୍ଚ୍ଚ ବଢ଼ିବ, ନଷ୍ଟପରିମାଣ ବି ବଢ଼ିବ ।”

୨୦୧୨-୧୩ରେ ମହାରାଷ୍ଟ୍ରର ମରାଠୱାଡ଼ା ଓ ରାଜ୍ୟର ପଶ୍ଚିମରେ ଥିବା ଗୃହପାଳିତ ପଶୁ ଶିବିରଗୁଡ଼ିକରେ ପ୍ରାୟ ଦଶ ଲକ୍ଷ ପ୍ରାଣୀ ରହିଥିଲେ। ଏ ବର୍ଷ ଏହି ଶିବିରଗୁଡ଼ିକ ମାତ୍ର ୩ଟି ଜିଲ୍ଲାରେ ସୀମିତ ରହିଥିବାରୁ ରାଜ୍ୟର ବିଜେପି ସରକାରକୁ ବିରୋଧୀ ଦଳ ଓ ସହଯୋଗୀ ଶିବସେନା ତୀବ୍ର ସମାଲୋଚନା କରିଥିଲେ ।

କିନ୍ତୁ ଅତୀତର ଦୁର୍ନୀତି ଏବଂ ତ୍ରୁଟିପୂର୍ଣ୍ଣ ପରିଚାଳନା ଅଭିଯୋଗ କାରଣରୁ ସରକାର ଅନେକଗୁଡ଼ିଏ ପଶୁଖାଦ୍ୟ ଶିବିରକୁ ସହାୟତା ଦେବାକୁ ଆଗ୍ରହୀ ନୁହଁନ୍ତି ।

ତେଣୁ, ଅଧିକାଂଶ ସ୍ଥାନରେ ଚାଷୀମାନେ ଗୃହପାଳିତ ପଶୁମାନଙ୍କର ଅଭାବୀ ବିକ୍ରି ପାଇଁ ବାଧ୍ୟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ଜଣେ ହେଲେ ବାବା ଯାଦବ, ଯିଏକି ପାଲବନ୍‌ଠାରୁ ୨୫୦ କିଲୋମିଟର ଦୂର ଲାଟୁର ଜିଲ୍ଲାର ଅମ୍ବେବାଡ଼ି ଗାଁରେ ଦେବନୀ ନାମକ ବ୍ୟୟବହୁଳ ପ୍ରଜାତିର ଗାଈ ପାଳନ କରନ୍ତି ଏବଂ ବିକ୍ରି କରନ୍ତି। ତାଙ୍କର ଗୋରୁଗାଈଙ୍କ ପ୍ରଜାତି ପାଇଁ ୪୫ ବର୍ଷୀୟ ଏହି ବ୍ୟକ୍ତି ଜଣକ ବହୁ ପୁରସ୍କାର ପାଇଛନ୍ତି। କିନ୍ତୁ ଏ ବର୍ଷ ସେ ନିଜ ଗାଈମାନଙ୍କୁ ଖାଇବାକୁ ଦେବାରେ ଅସମର୍ଥ । ତେଣୁ ପ୍ରାୟ ଏକ ଡଜନ ଗାଈଙ୍କୁ ସେ ପୁଣେରେ ଥିବା ଜଣେ ବନ୍ଧୁଙ୍କୁ ଦେବାକୁ ବାଧ୍ୟ ହୋଇଛନ୍ତି ।

ଯାଦବ କହନ୍ତି, “ପ୍ରତି ବର୍ଷ ମୁଁ ପ୍ରାୟ ଏକ ଡଜନ ଗାଈ ଓ ମଇଁଷି ବିକ୍ରି କରେ ଏବଂ ପ୍ରତି ପ୍ରାଣୀ ପିଛା ଖୁବ ଭଲ ମୂଲ୍ୟ ପାଏ । କିନ୍ତୁ ଏ ବର୍ଷର ମରୁଡ଼ି, ଅତି କମ୍‌ରେ ଆଉ ଦୁଇ ବର୍ଷ (ବାଛୁରୀ ପୋଷି ଗାଈ କରିବା ପାଇଁ ଲାଗୁଥିବା ସମୟ) ପାଇଁ ମତେ ବାଧିବ।’’

ଜାନୁଆରୀରୁ ଏପ୍ରିଲ ମଧ୍ୟରେ, ଅତି କମ୍‌ରେ ତାଙ୍କ ଗାଁର ଅଧା ପାଳିତ ପ୍ରାଣୀ ଖୁବ୍‌ କମ୍‌ ଦରରେ ବିକା ହୋଇଛନ୍ତି। କେତେକଙ୍କୁ ଅନ୍ୟ ରାଜ୍ୟର ଚାଷୀମାନେ କିଣିନେଇଛନ୍ତି ।

ବିଷ୍ଣୁ କହନ୍ତି ଯେ, ଖରାଦିନିଆ ଓ ଶୀତଦିନିଆ ଫସଲ ଉଜୁଡ଼ି ଯିବା ପରେ ତାଙ୍କର ୧୦ଟି ଗାଈ, ଦୁଇଟି ବଳଦ ଏବଂ ଆଠଟି ମଇଁଷିଙ୍କୁ ବଞ୍ଚାଇ ଦେଇଥିବାରୁ ସେ ପାଲବନ୍‌ ଶିବିର ସଂଗଠକମାନଙ୍କ ପାଖରେ ଋଣୀ ।

ଅନେକ ମରୁଡ଼ି ଦେଖିସାରିଲେଣି ଏହି ଯୁବ ଚାଷୀ ଜଣକ ଏବଂ ସେ ଜାଣନ୍ତି ଯେ ଏବେକାର ମରୁଡ଼ି ବି ଅନ୍ତିମ ହେବନାହିଁ । କିନ୍ତୁ ଏହି ମୁହୂର୍ତ୍ତରେ ତାଙ୍କ ଗୃହପାଳିତ ପ୍ରାଣୀମାନଙ୍କୁ ବଞ୍ଚାଇ ରଖିବା ତାଙ୍କର ଏକମାତ୍ର ଲକ୍ଷ୍ୟ ।

ସେ କହନ୍ତି, “ଆଜି ବଞ୍ଚାଇଥିବା ପ୍ରାଣୀଟିଏ’’ ହିଁ ‘‘ଆସନ୍ତାକାଲିର ଉପାର୍ଜିତ ପ୍ରାଣୀ ।”

ଏହି  କାହାଣୀ ମୂଳରୂପରେ ୨୧ଜୁନ୍‌ ୨୦୧୬ର ଦି ଟେଲିଗ୍ରାଫ୍‌ରେ ପ୍ରକାଶ ପାଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Jaideep Hardikar

Jaideep Hardikar is a Nagpur-based journalist and writer, and a PARI core team member.

Other stories by Jaideep Hardikar