୧୯୫୨ ମସିହାରେ ଭାରତ ସରକାର ଏହି ଆଇନ ପ୍ରତ୍ୟାହାର କଲେ ଏବଂ ଜନଜାତିଗୁଡ଼ିକୁ ଚିହ୍ନଟରୁ ମୁକ୍ତ କରାଗଲା । ଏବେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଅନୂସୂଚିତ ଜାତି, କେତେକଙ୍କୁ ଅନୂସୂଚିତ ଜନଜାତି ଏବଂ କେତେକଙ୍କୁ ଅନ୍ୟ ପଛୁଆ ବର୍ଗ ଶ୍ରେଣୀରେ ସାମିଲ କରାଯାଇଛି ।
୨୦୧୧ ମସିହା ଜନଗଣନା ଅନୁଯାୟୀ, ମହାରାଷ୍ଟ୍ରରେ ୨୨୩,୫୨୭ ଜଣ ପାର୍ଦ୍ଧି ବାସ କରନ୍ତି । ଏହା ବ୍ୟତୀତ ଏହି ଜନଜାତିର କିଛି ଲୋକ ଛତିଶଗଡ଼ , ଗୁଜରାଟ, କର୍ଣ୍ଣାଟକ ଏବଂ ମଧ୍ୟ ପ୍ରଦେଶରେ ବାସ କରୁଛନ୍ତି । ପାର୍ଦ୍ଧିମାନଙ୍କ ମଧ୍ୟରେ ଅନେକ ଉପଜାତି ମଧ୍ୟ ଅଛି । ଏହା ମୁଖ୍ୟତଃ ସେମାନଙ୍କ ବୃତ୍ତି ଏବଂ ଅନ୍ୟାନ୍ୟ ବର୍ଣ୍ଣନାକାରୀଙ୍କ ନାମ ଅନୁଯାୟୀ ହୋଇଥାଏ । ଏମାନଙ୍କ ମଧ୍ୟରେ ଅଛନ୍ତି ପାଲ୍ ପାର୍ଦ୍ଧି(ଯେଉଁମାନେ ତମ୍ବୁରେ ରୁହନ୍ତି), ଭୀଲ୍ ପାର୍ଦ୍ଧି( ଯେଉଁମାନେ ଆଗ୍ନେୟାସ୍ତ୍ର ଉପଯୋଗ କରନ୍ତି) ଏବଂ ଫାନସେ ପାର୍ଦ୍ଧି( ଯେଉଁମାନେ ଶୀକାର କଲାବେଳେ ଫାଶ ବ୍ୟବହାର କରନ୍ତି) ।
ଭାରତର ପାଖାପାଖି ପ୍ରାୟ ୧୫୦୦ ଯାଯାବର ଏବଂ ଅର୍ଦ୍ଧ ଯାଯାବର ଏବଂ ଭାରତର ଚିହ୍ନଟ ଯାଯାବର ଓ ଅର୍ଦ୍ଧ ଯାଯାବର ଜନଜାତିଙ୍କ ନିମନ୍ତେ ଉଦ୍ଦିଷ୍ଟ ଜାତୀୟ କମିଶନଙ୍କ ଦ୍ୱାରା ସୂଚୀବଦ୍ଧ ୧୯୮ ଟି ଜନଜାତି ମଧ୍ୟରୁ ପାର୍ଦ୍ଧିମାନେ ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ ସୁବିଧାରୁ ସବୁଠାରୁ ଅଧିକ ବଞ୍ଚିତ ସମୂହ। ସେମାନଙ୍କୁ ଆଜି ବି ଅପରାଧ ପ୍ରବଣ ବୋଲି ବିବେଚନା କରାଯାଇ ବଦନାମ୍ କରାଯାଉଛି ।
ସୁନିତା କୁହନ୍ତି , “ଆମେ ଆଜିବି ଅପରାଧୀ ଭାବରେ ଚିହ୍ନଟ । ଗାଁରେ କିଛି ବି ଅପରାଧ ଘଟିଲେ ପୋଲିସ୍ ସାଧାରଣତଃ ପାର୍ଦ୍ଧିମାନଙ୍କୁ ଦୋଷ ଦିଏ କାରଣ ସେମାନଙ୍କୁ ଦୋଷ ଦେବା ସହଜ । ଏବେ ଆପଣ ଯେମିତି ଦେଖିଲେ ପାର୍ଦ୍ଧିମାନଙ୍କ ବିରୋଧରେ ନିର୍ଯ୍ୟାତନା ଖୁବ୍ ଗମ୍ଭୀର । କିନ୍ତୁ ଆମ ବିରୋଧରେ ଥିବା ବଦନାମ ଏବେ ବି ଶେଷ ହୋଇନି ।”
ସୁନିତା କ୍ରମେ ପାର୍ଦ୍ଧିମାନଙ୍କ ଅଧିକାର ପାଇଁ ସଂଘର୍ଷ କରୁଥିବା ବ୍ୟକ୍ତି ଭାବରେ ଜଣାଶୁଣା ହୋଇଛନ୍ତି । କିନ୍ତୁ ଏହା ତାଙ୍କ ପାଇଁ ଏକ ଦୀର୍ଘ ଯାତ୍ରା ।
ପୁନେ ଜିଳ୍ଲାର ଶିରୁର୍ ତାଲୁକାର ଅମ୍ବାଲେ ଗ୍ରାମରେ ତାଙ୍କ ଜିଲ୍ଲା ପରିଷଦ ସ୍କୁଲରେ ସେ ମଧ୍ୟ ଉତ୍ପୀଡ଼ନର ଶୀକାର ହୋଇଥିଲେ । ସେଠାରେ ସେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । “ମୋ ଜନଜାତି ସମୂହ ପାଇଁ ସମସ୍ତେ ଖୁବ୍ ଚିଡ଼ାଉଥିଲେ ମତେ । ମୁଁ ଭାବୁଥିଲି ସେମାନେ ମୋ ସହ ଏପରି କାହିଁକି କରୁଛନ୍ତି ।”
ସୁନୀତାଙ୍କ ପିତା ଏକନାଥ କେବେ କେବେ ଗୋଧି, କୁକ୍କୁଟ, ଠେକୁଆ ଓ ଅନ୍ୟ ଛୋଟ ଜୀବ ଖାଦ୍ୟ ପାଇଁ ଶୀକାର କରୁଥିଲେ । ତାଙ୍କ ମା’ ଶାନ୍ତାବାଇ ବଡ଼ ଭଉଣୀ ଅନୀତାଙ୍କ ସହ ଖାଦ୍ୟ ପାଇଁ ଭିକ ମାଗୁଥିଲେ । ସେମାନଙ୍କ ସାନଭାଇ ଅବିନାଶ ଘରେ ରହୁଥିଲେ । ସେ କୁହନ୍ତି, “ ଅଧକାଂଶ ସମୟ ଆମେ ଭୋକିଲା ରହୁଥିଲୁ । ମୋର ମନେ ଅଛି ସ୍କୁଲରେ ଆମକୁ ଦୁଗ୍ଧ ମିଳୁଥିଲା । ମୁଁ ପେଟ ଭର୍ତ୍ତି କରି ପିଇଦିଏ । କାରଣ ଘରକୁ ଫେରିବା ବେଳକୁ ଖାଇବା ପାଇଁ ଘରେ କିଛି ନଥିବ । ଆମ ଶିକ୍ଷକ ଖୁବ୍ ଭଲ ଲୋକ ଥିଲେ । ମୁଁ ଯେତେ ଦୁଗ୍ଧ ଚାହୁଁଥିଲି ସେ ଦେଉଥିଲେ । ସେ ପାର୍ଦ୍ଧିମାନଙ୍କ ସ୍ଥିତି ଜାଣିଥିଲେ ।” ଭିକ୍ଷାରୁ ମିଳୁଥିବା ଖାଦ୍ୟ ଚାରିଜଣିଆ ପରିବାର ପାଇଁ କେବେବି ଯଥେଷ୍ଟ ହୁଏନି । ଆମେ ଭକ୍ରି (ଏକ ପ୍ରକାର ରୋଟି ) ଦେଖିବାକୁ ବି ପାଉନଥିଲୁ ।