ଆଜି, ପୁଣିଥରେ, ପିପୁଲ୍ସ ଆର୍କାଇଭ୍‌ ଅପ୍ ରୁରଲ ଇଣ୍ଡିଆ ଉଭୟ ବିଶ୍ୱ ଅନୁବାଦ ଦିବସ ପାଳନ କରୁଛି ଏବଂ ଆମର ଅନୁବାଦ ଟିମ୍‌ ଯେ କୌଣସି ସାମ୍ବାଦିକତା ୱେବସାଇଟ୍‌ ପାଇଁ ଶ୍ରେଷ୍ଠ ବୋଲି ଆମେ ବିଶ୍ୱାସ କରୁ। ମୁଁ ଏତିକି କହିପାରିବି – ଏବଂ ମୋର ତ୍ରୁଟି କେହି ସୁଧାରିଲେ ବରଂ ମୁଁ ଖୁସି ହେବି- ପରୀ ହେଉଛି ବିଶ୍ୱର ସବୁଠୁ ବଡ଼ ବହୁଭାଷୀ ସାମ୍ବାଦିକତା ୱେବସାଇଟ୍‌ । ପରୀ ୧୪ଟି ଭାଷାରେ ପ୍ରକାଶିତ ହେଉଛି ଏବଂ ଏଥିପାଇଁ ୧୭୦ ଜଣ ଅନୁବାଦକଙ୍କର ଏକ କୁଶଳୀ ଦଳ ଧନ୍ୟବାଦର ପାତ୍ର। ନିଶ୍ଚିତ ଭାବେ ଏମିତି କିଛି ଗଣମାଧ୍ୟମ ସଂସ୍ଥା ଅଛନ୍ତି ଯେଉଁମାନେ ୪୦ଟି ଭାଷାରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଦୃଢ଼ ଶ୍ରେଣୀବଦ୍ଧତା ରହିଛି। କେତେକ ଭାଷା ଅନ୍ୟ ଭାଷା ସହିତ ଉଣାଅଧିକେ ସମାନ ହୋଇଥାଏ।

ଆହୁରି, ଆମର ପ୍ରକାଶନ ନୀତି ‘ ପ୍ରତ୍ୟେକ ଭାରତୀୟ ଭାଷା ଆପଣଙ୍କର ଭାଷା’ ସିଦ୍ଧାନ୍ତ ଉପରେ ଆଧାରିତ। ଆଉ ଏହାର ଅର୍ଥ ହେଉଛି ଭାଷାଗୁଡ଼ିକ ମଧ୍ୟରେ ସମାନତା। ଯଦି କୌଣସି ବିଷୟବସ୍ତୁ ଗୋଟିଏ ଭାଷାରେ ଆସୁଛି, ତା’ହେଲେ ଏହା ସମସ୍ତ ୧୪ଟି ଭାଷାରେ ମଧ୍ୟ ପ୍ରକାଶିତ କରିବାକୁ ଆମେ ସୁନିଶ୍ଚିତ କରୁଛୁ । ଚଳିତ ବର୍ଷ ପରୀ ପରିବାର ସହ ଯୋଡ଼ି ହୋଇଛି ଛତିଶଗଡ଼ି ଭାଷା। ଆଗକୁ ଯୋଡ଼ି ହେବା ପାଇଁ ଆମ ଯୋଜନାରେ ରହିଛି ଭୋଜପୁରୀ ଭାଷା।

ଆମେ ବିଚାର କରୁ ଯେ, ସାମଗ୍ରିକ ଭାବରେ ଏକ ସମାଜ ପାଇଁ ଭାରତୀୟ ଭାଷାଗୁଡ଼ିକୁ ପ୍ରୋତ୍ସାହିତ କରିବା ଜରୁରି । ଏ ଦେଶର ଭାଷାଗତ ସମୃଦ୍ଧି ଏକ ପ୍ରାଚୀନ ଲୋକକଥାକୁ ଯଥାର୍ଥ ବୋଲି ପ୍ରମାଣିତ କରିଥାଏ, ତାହା ହେଉଛି, ଏଠାରେ ଯଦି ପ୍ରତି ତିନି କିମ୍ବା ଚାରି କିଲୋମିଟରରେ ପାଣିର ସ୍ୱାଦ ଭିନ୍ନ ତା’ହେଲେ ୧୨-୧୫ କିଲୋମିଟରରେ ଏକ ଭିନ୍ନ ଭାଷା ଶୁଣିବାକୁ ମିଳିଥାଏ।

କିନ୍ତୁ ତାହାକୁ ନେଇ ଆମେ ଆତ୍ମସନ୍ତୁଷ୍ଟ ହୋଇପାରିବା ନାହିଁ। ବିଶେଷ କରି ଏପରି ଏକ ସମୟରେ ଯେତେବେଳେ ଭାରତୀୟ ଜନଭାଷା ସର୍ବେକ୍ଷଣରୁ ଜଣାପଡ଼ିଥାଏ ଏ ଦେଶରେ ପ୍ରଚଳିତ ପ୍ରାୟ ୮୦୦ ଭାଷା ମଧ୍ୟରୁ ଗତ ୫୦ ବର୍ଷ ମଧ୍ୟରେ ୨୨୫ଟି ଭାଷା ଲୁପ୍ତ ହୋଇସାରିଲାଣି। ଏବେ ଏମିତି ଏକ ସମୟ ଯେତେବେଳେ ମିଳିତ ଜାତିସଂଘ ପକ୍ଷରୁ ଦାବି କରାଯାଇଛି ଯେ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ୯୦-୯୫ ପ୍ରତିଶତ କଥିତ ଭାଷା ବିଲୁପ୍ତ କିମ୍ବା ଗମ୍ଭୀର ଭାବେ ସଙ୍କଟଗ୍ରସ୍ତ ହୋଇଯିବ। ଏମିତି ଏକ ସମୟରେ ଆମେ ଶାନ୍ତିରେ ବସି ପାରିବା ନାହିଁ ଯେତେବେଳେ ସାରା ବିଶ୍ୱରେ ପ୍ରତି ୧୫ଦିନରେ ଗୋଟିଏ ଦେଶୀୟ ଭାଷା ଲୁପ୍ତ ହେଉଛି।

A team of PARI translators celebrates International Translation Day by diving into the diverse world that we inhabit through and beyond our languages

ଯେତେବେଳେ ଗୋଟିଏ ଭାଷା ଲୋପ ପାଇଥାଏ, ଆମ ସମାଜ, ଆମ ସଂସ୍କୃତି ଆମ ଇତିହାସର ଗୋଟିଏ ଭାଗ ଅସ୍ତିତ୍ୱ ହରାଇଥାଏ। ଏହା ସହିତ ସ୍ମୃତି, ସଙ୍ଗୀତ, ପୁରାଣ, ସଙ୍ଗୀତ, କାହାଣୀ, କଳା, ଶ୍ରୁତିର ଦୁନିଆ, ଜନମୁଖରେ ପ୍ରଚଳିତ ପରମ୍ପରା ଏବଂ ଜୀବନଶୈଳୀର ମୃତ୍ୟୁ ଘଟିଥାଏ। ଏହା ଏକ ସମୁଦାୟର ଦକ୍ଷତା ଏବଂ ଦୁନିଆ ସହ ସମ୍ପର୍କ, ଏହାର ପରିଚୟ ଓ ସମ୍ମାନକୁ କ୍ଷତିଗ୍ରସ୍ତ କରିଥାଏ।  ଏହା ଏକ ଦେଶ ଏବଂ ଏହାର ସାମଗ୍ରିକତାକୁ କ୍ଷତିଗ୍ରସ୍ତ କରିଥାଏ – ଏହାର ବିଲୁପ୍ତପ୍ରାୟ- ବିବିଧତାକୁ ନଷ୍ଟ କରିଦିଏ। ଆମର ଅଧିକାଂଶ ପରିବେଶ ପରିତନ୍ତ୍ର, ଜୀବନଜୀବିକା ଏବଂ ଗଣତନ୍ତ୍ର ଆଦି ଆମ ଭଷାର ଭବିଷ୍ୟତ ଉପରେ ନିର୍ଭର କରିଥାଏ। ସେମାନେ ଯେଉଁ ବିଶାଳ ବିବିଧତା ଆଣିଥାନ୍ତି ତାହା କେବେ ଅଧିକ ମୂଲ୍ୟବାନ ଲାଗିନଥାଏ। ତଥାପି ସେମାନଙ୍କର ସ୍ଥିତି କେବେ ବି ଅନିଶ୍ଚିତ ରହିନାହିଁ।

କାହାଣୀ, କବିତା ଓ ସଙ୍ଗୀତ ମାଧ୍ୟମରେ ପରୀ ଭାରତୀୟ ଭାଷାଗୁଡ଼ିକୁ ପାଳନ କରିଥାଏ। ଏଗୁଡ଼ିକର ଅନୁବାଦ ମାଧ୍ୟମରେ। ଗ୍ରାମୀଣ ଭାରତର ଉପାନ୍ତ ଭାଗରେ ରହୁଥିବା ତଥା ନିଜର ଏକ ଭିନ୍ନ ଭାଷା କହୁଥିବା ବଞ୍ଚିତ ସମୁଦାୟଙ୍କ ଠାରୁ ଆମକୁ ଅନେକ ସମ୍ପଦ ମିଳିଛି। ସମର୍ପିତ ଅନୁବାଦକମାନଙ୍କୁ ନେଇ ଆମ ଦଳ ଏସବୁକୁ ନୂଆ ଲିପି ଏବଂ କଥନରେ ସଜାଇ, ଅନେକ ନୂଆ ପରିଦୃଶ୍ୟରେ ତଥା ମୂଳ ସ୍ଥାନରୁ ବହୁ ଦୂର ପର୍ଯ୍ୟନ୍ତ ନେଇଯିବା କାର୍ଯ୍ୟ କରୁଛି। ଏହା ଭାରତୀୟ ଭାଷାରୁ ଇଂରାଜୀରେ ଏକତରଫା ଅନୁବାଦ ନୁହେଁ। ପରୀର ଭାଷାଗତ ଦୁନିଆ ବିବିଧତାର ଏକ ବଡ଼ ଦୃଷ୍ଟି ଚାରିପାଖରେ ବୁଲିଥାଏ।

ଆଜି ଆମର ଅନୁବାଦ ଦଳ, ଏ ଦେଶର ଆଶ୍ଚର୍ଯ୍ୟଜନକ ସମୃଦ୍ଧିର ଏକ କ୍ଷୁଦ୍ର ପ୍ରତିନିଧିତ୍ୱ କରୁଛି, ପ୍ରତ୍ୟେକ ଭାରତୀୟ ଭାଷା ମଧ୍ୟରୁ ଏକ ଛୋଟିଆ ରତ୍ନ ନେଇ ଆଗକୁ ଆସିଛି । ଆମେ ଏବେ : ଅହମୀୟା, ବଙ୍ଗଳା, ଛତିଶଗଡ଼ି, ହିନ୍ଦୀ, ଗୁଜରାଟୀ, କନ୍ନଡ଼, ମାଲାୟଲମ, ମରାଠି, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଊର୍ଦ୍ଦୁ ଭାଷାରେ କାମ କରୁଛୁ। ଆମର ଆଶା ଆପଣମାନେ ଏହି ଅନେକତାରେ ଏକତା, ବିବିଧତାରେ ଆନନ୍ଦକୁ ଉପଭୋଗ କରିବେ।

ଏଠାରେ ଓଡ଼ିଆ ଭାଷାରେ, ‘ସଭ୍ୟତାର ସୂର୍ଯ୍ୟୋଦୟ’ କବିତା ମାଧ୍ୟମରେ ବିଶ୍ୱନାଥ ନାୟକ ସୌହାର୍ଦ୍ଦ୍ୟ ଓ ସମାନତାର ବିଚାରକୁ ତ୍ୟାଗ କରୁଥିବା ସଭ୍ୟତାର ଧାରଣା ଉପରେ ପ୍ରଶ୍ନ କରିଛନ୍ତି।

ବିଶ୍ୱନାଥ ନାୟକ ଙ୍କ ନିଜ ସ୍ୱରରେ ଓଡ଼ିଆ କବିତା 'ସଭ୍ୟତାର ସୂର୍ଯ୍ୟୋଦୟ’ ଆବୃତ୍ତି ଶୁଣନ୍ତୁ



ସଭ୍ୟତାର ସୂର୍ଯ୍ୟୋଦୟ

ଭାଙ୍ଗିରୁଜି ଯାଉଥିବା ସହର
ଯେଉଁଠି ସ୍ୱପ୍ନ ସବୁ
ଗୋଡ଼ ଭାଙ୍ଗି ଠିଆ ହୁଅନ୍ତି
ସ୍ୱାର୍ଥର କଙ୍କାଳ ନେଇ
ସାଗୁଆ ଜିଭର ମୋହ
ଭୁମିରୁ ଭୂମା ହୁଏ ସଂକ୍ରମିତ
କେବଳ ସ୍ୱାର୍ଥ ପାଇଁ ।

ଅତିକ୍ରମଣ, ଜବରଦଖଲ
ହେଇ ଚାଲିଛି ସରକାରୀ ଜମି,
ବାଡ଼ି, ଘର, ଡିହଙ୍କ ସ୍ୱପ୍ନର
ଅସଜଡା ପ୍ରବୃତ୍ତି ନେଇ
ସଭ୍ୟତା ଠିଆ ହୋଇଛି
ହଳେପାଦ ନେଇ ରାଜଧାନୀର
ସଦର ମହକୁମାରେ।

ବସନ୍ତବିହାର, ଡିଫେନ୍ସ କଲୋନୀ
ଜାହାଙ୍ଗୀର ପୁରୀ, ସଲୀମପୁର,
ହେଉ ବା ଗୀତାକଲୋନୀ
ସବୁଠି ଚଢ଼ିବ ବୁଲଡୋଜର
କାଶ୍ମୀର ଠୁଁ ବସ୍ତର
ଲକ୍ଷ୍ନୌ ଠୁଁ ପ୍ରୟାଗରାଜ,
ସବୁଠି ତା ଆତଙ୍କୀ ହାହାକାର
ନିଲାମ ହେବ ଜବରଦଖଲକାରୀଙ୍କ
ଆମଦାନୀ ଝାଳ
ଏ ମାଟି ମାଗିବ ତାଙ୍କଠୁ
ଦେଶ ପାଇଁ ତ୍ୟାଗର ମୂଲ।

ଆଧାରକାର୍ଡ ଠିକଣାରେ
ଅବଶୋଷର ଜଖମ ନେଇ
ଦେଶର ସେଇ ନାଗରିକ
ମୁକ୍ତ ଅଧିକାରର ସ୍ୱପ୍ନ ନେଇ
ବଞ୍ଚିବ ନାହିଁ ନାହିଁର ବସ୍ତିରେ
ମୁଫତଖୋରୀ ଅଭାବୀ ଢଙ୍ଗ ନେଇ
ଉଠିବସିବ ଗାନ୍ଧୀବାଦୀ
ସାମାନତାର ଅଧିକାର।

ଭଗବାନ, ଆଲ୍ହା, ଇଶାମଶୀ
ବାଦପଡ଼ିବେନି ଭକ୍ତିରେ ଉତ୍ସର୍ଗ ହୋଇ
ବୁଲଡୋଜରର ଶ୍ରଦ୍ଧା ତାଙ୍କ
ଆଶୀର୍ବାଦ ନେଇ ଲେଖିବ
ଧ୍ୱଂସର ତାଣ୍ତବ ଦେଶର
ମାଟିକୁ ନିଲାମ କରୁଥିବା
ଠେକାଦାରଙ୍କ ଇଛା ଉପରେ।


ପୃଥ୍ୱୀରାଜ, ରଣଜୀତ, ବାଜିରାଓ,
ଚନ୍ଦ୍ରଗୁପ୍ତ, ଅଶୋକ ସମ୍ରାଟଙ୍କ
ହାତୀ ଘୋଡ଼ାଙ୍କ ପଟୁଆର
ଦେଖା ଯିବନି ସାମ୍ରାଜ୍ୟର ଇଛା ହୋଇ,
ଏ ସହରର ମାଟିତଳୁ
ଉଦ୍ଧାର ହେବନି ଲକ୍ଷ ଲକ୍ଷ
ସିଂହାସନ ବଳିଦାନର ଅକ୍ଷର ହୋଇ।

ଇନ୍ଦ୍ରପ୍ରସ୍ଥରୁ ଆଉ ଶୁଭିବନି
ମୁଗୁନୀ ପଥର ଭାଂଗିବାର ଶବ୍ଦ
ଜମା ମସଜିଦରୁ ଭାସିଆସିବନି
ମୌଲାନାର ବିକୃତ ସ୍ୱର
ଅମୀନାବାଗ୍ ରୁ ଶୁଣାଯିବନି
ସଂଖ୍ୟାଲଘୁମାନଙ୍କ ସାମ୍ବିଧାନିକ
ଅଧିକାର ପାଇଁ ମିଛ ଚିତ୍କାର।

ପଥର ଭାଙ୍ଗି ଇତିହାସକୁ
ରଙ୍ଗ ଲେପିବା ବନ୍ଦ ହେବ
ଦେଶଟିଏ ବଂଚିଛି ଏବେବି
ଭୂଗୋଳର ଭୋକିଲା ଆବେଗରେ
ତା ପାଇଁ ତା ମାଟିକୁ
ସ୍ୱପ୍ନର ମୀନାରଟିଏ
ଗଢ଼ିବାକୁ ତ ଦିଅ।

କାହିଁକି ନା
ଦେଶ କାଲି ଥିଲା, ଆଜି ଅଛି
କାଲିବି ତ ରହିଥିବ,
ତାକୁ ବି ତ ବଂଚିବାର ଅଛି
ସଭ୍ୟତାର ନୂଆ ସୂର୍ଯ୍ୟୋଦୟ ନେଇ
ବୀର ଭୋଗ୍ୟା ବସୁନ୍ଧରାର
ଅହ୍ୱାନ ହୋଇ।

କବି: ବିଶ୍ୱନାଥ ନାୟକ

ଉତ୍ସ: ରେବତୀ ପତ୍ରିକା (ସେପ୍ଟେମ୍ବର, ୨୦୨୨ ସଂଖ୍ୟା)

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath
Illustration : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE