“ଏବେ ଏପ୍ରିକଟ୍‌ର ସ୍ୱାଦ ଭିନ୍ନ ହୋଇଯାଇଛି ।’’

“ମୋର ଆଣ୍ଠୁ ଉଚ୍ଚତା ପର୍ଯ୍ୟନ୍ତ ବରଫ ଜମି ରହୁଥିବା ମୋର ମନେ ଅଛି ।”

“ଆମେ ସବୁବେଳେ ବର୍ଷା ଦେଖି ଆସିଛୁ, କିନ୍ତୁ ଏହି ଭଳି କ୍ଷୟକ୍ଷତି କେବେ ନୁହେଁ । ଆମେମାନେ ଡରି ଯାଇଛୁ ।’’

“ସମୟ ପୂର୍ବରୁ ଗରମ ଅନୁଭୂତ ହେଉଛି ।’’

“ଏପରି କାହିଁକି ହେଉଛି ଆମେ ଜାଣିନୁ – ଆମେମାନେ ଅପ୍ରସ୍ତୁତ ଅଛୁ ।’’

“ହିମବାହଗୁଡିକ ପ୍ରାୟ ଏକ କିଲୋମିଟର୍‌ ପଛକୁ ଚାଲିଯାଇଛି ।’’

“ନିଃସନ୍ଦେହରେ କୁହାଯାଇ ପାରିବ ଯେ ଜଳବାୟୁରେ ପରିବର୍ତ୍ତନ ହେଉଛି ।”

ଲେହ ସହରଠାରୁ ନୁବ୍ରା ଉପତ୍ୟକାର ଗ୍ରାମଗୁଡିକ ପର୍ଯ୍ୟନ୍ତ ଓ ସବୁ ବର୍ଗ ଓ ଜୀବିକାର ଲୋକମାନଙ୍କ ମୁଖରୁ ପ୍ରକାଶିତ ଏଗୁଡିକ ହେଉଛି ସେମାନଙ୍କ ସମସ୍ୟାକୁ ବ୍ୟକ୍ତ କରୁଥିବା ସେହି ବାକ୍ୟ ଯାହାର ସମାଧାନ ସେମାନେ ଚାହୁଛନ୍ତି । ଗତ ଛଅ ବର୍ଷ ମଧ୍ୟରେ ହୋଇଥିବା ପ୍ରଳୟଙ୍କାରୀ ଆକସ୍ମିକ ବନ୍ୟା, କାଦୁଅ ଅତଡା ଖସିବା, ଭୂସ୍ଖଳନ ଓ ପ୍ରବଳ ବର୍ଷା ଯୋଗୁ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।

ଗୁଲାମ୍‌ ମହମ୍ମଦ, ସାୟୋକ୍‌ ଗେଷ୍ଟହାଉସ୍‌ର ମାଲିକ. ତୁର୍‌ତୁକ୍‌ ଗ୍ରାମ ଓ ଏହାର ପାଖ ଗ୍ରାମ ଚୁଲୁଙ୍ଗଖାରେ ଘଟୁଥିବା ଜଳବାୟୁ ପରିବର୍ତ୍ତନ ବିଷୟରେ ଜାଣିଛନ୍ତି । ସେ କୁହନ୍ତି : ‘‘ସମସ୍ୟା ହେଉଛି ଆମେମାନେ ଭବିଷ୍ୟତର ପରିବର୍ତ୍ତନର ସାମନା କରିବା ପାଇଁ ପୂର୍ବରୁ ଅପ୍ରସ୍ତୁତ ଥିଲୁ ଓ ବର୍ତ୍ତମାନ ମଧ୍ୟ ଅପ୍ରସ୍ତୁତ ଅଛୁ ।’’

ନୁବ୍ରା ହେଉଛି ଉଚ୍ଚ ପତନରେ ଅବସ୍ଥିତ ଏକ ଶୀତଳ ମରୁଭୂମି, ଯେଉଁଠାରେ ତାପମାତ୍ରା ଅତି ନିମ୍ନ ସ୍ତରକୁ ଖସି ଆସେ, ଖୁବ୍‌ କମ୍‌ ବର୍ଷା ହୋଇଥାଏ ଓ ସବୁବେଳେ ହିମବାହ ରହିଥାଏ । ତୁର୍‌ତୁକ୍‌ ଏହି ଅଞ୍ଚଳରେ ଏକ ପାହାଡର ଶୀର୍ଷରେ ଅବସ୍ଥିତ, ଯାହାକୁ ଘେରି ବିଶାଳକାୟ ପର୍ବତମାଳା ଓ ସାୟକ୍‌ ନଦୀ କୂଳେ କୂଳେ ସବୁଜ କ୍ଷେତଗୁଡିକ ରହିଛି । ଏକଦା ପୁରୁଣା ରେଶମ ରାସ୍ତାରେ ଯାଉଥିବା ଯାତ୍ରୀମାନଙ୍କ ପାଇଁ ବିଶ୍ରାମସ୍ଥଳି ହୋଇଥିବା ଏହି ଗ୍ରାମ ସମୁଦ୍ର ପତନଠାରୁ ୩୦୦୦ମିଟର୍‌ ଉଚ୍ଚରେ ଅବସ୍ଥିତ। ଭାରତ ଓ ପାକିସ୍ତାନ୍‌ ମଧ୍ୟରେ ଥିବା ସୀମାରେଖା ବା ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ (ଏଲ୍‌ଓସି) ଠାରୁ ଏହା ମାତ୍ର ୧୦ କିମି ଦୂରରେ ଅବସ୍ଥିତ ଓ ଲେହରୁ ଏଠାରେ ପହଞ୍ଚିବା ପାଇଁ ୮ଘଣ୍ଟା ସମୟ ଲାଗିଥାଏ ।

PHOTO • Sweta Daga

ଗୁଲାମ୍‌ ମହମ୍ମଦ (ବାମ) ଓ ମହମ୍ମଦ ଇବ୍ରାହିମ୍‌, ଗ୍ରାମ ମୁଖିଆ

ଏଲ୍‌ଓସିର ଖୁବ୍‌ ପାଖରେ ଥିବାରୁ, ଏହି ଅଞ୍ଚଳରେ ପର୍ଯ୍ୟଟନର ସୁବିଧା ନାହିଁ । ତେବେ ୨୦୧୦ ମସିହାରେ ସ୍ଥାନୀୟ ଲୋକମାନେ ବାରମ୍ବାର ଏଥିପାଇଁ ଦାବି କରିବାରୁ ପରିସ୍ଥିତି ବଦଳିଥିଲା – ସେହି ବର୍ଷ ଆକସ୍ମିକ ଭାବେ ବାଦଲଫଟା ବର୍ଷା ହେବା ଯୋଗୁ ଲେହରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା, ଯେଉଁଥିରେ ଶହଶହ ଲୋକ ମରିଯାଇଥିଲେ । ତୁର୍‌ତୁକ୍‌ରେ ମଧ୍ୟ ସେହି ବର୍ଷ ପ୍ରବଳ ବର୍ଷା ହୋଇଥିଲା ଓ ସେବେଠାରୁ ଏଠାରେ ଏହିପରି ଅସ୍ୱାଭାବିକ ଭାବେ ବର୍ଷା ହେବା ଜାରି ରହିଛି, ଯେଉଁଥିପାଇଁ ସମସ୍ତ ପ୍ରକାରର କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡୁଛି । “ବର୍ଷା ସମୟରେ ଆମମାନକୁ ଅନେକ କଷ୍ଟ ସହିବାକୁ ହୋଇଥିଲା” ବୋଲି କୁହନ୍ତି ଗ୍ରାମ (ମୁଖିଆ), ମହମ୍ମଦ ଇବ୍ରାହିମ୍‌। “ବର୍ଷା ପାଣି ଘର ଭିତରକୁ ପଶି ଯାଇଥିଲା ଓ ଗଚ୍ଛିତ କରି ରଖାଯାଇଥିବା ସବୁ ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଇଥିଲା, ଚାଷଜମି ସବୁ ଉଜୁଡି ଯାଇଥିଲା । ଆମେ ସରକାରୀ କର୍ମଚାରୀମାନଙ୍କ ପାଖକୁ ରିପୋର୍ଟ ପଠାଇ ଥିଲୁ କିନ୍ତୁ କିଛି ଲୋକ ଏବେ ମଧ୍ୟ ସହାୟତା ପାଇଁ ଅପେକ୍ଷା କରି ରହିଛନ୍ତି ।’’

ପୁରୁଣା ଘରସବୁ, ଯାହା କାଠ, ପଥର, କାଦୁଅ, ବ୍ରସ୍‌, ଘାସ ଓ ମାଟି ଆଦିର ସାତୋଟି ସ୍ତରକୁ ନେଇ ନିର୍ମିତ ହୋଇଛି, ତାହା ଭୀଷଣ ବର୍ଷାର ପ୍ରଭାବ ସମ୍ଭାଳିବା ପାଇଁ ସମର୍ଥ ନୁହେଁ । “ପୂର୍ବେ ଲୋକମାନେ ନିଜର ସମ୍ପତ୍ତି ପ୍ରଦର୍ଶନ କରିବା ପାଇଁ ଟିଣର ଛାତ ପକାଉଥିଲେ” ବୋଲି ଗୁଲାମ୍‌ ମହମ୍ମଦ କୁହନ୍ତି । ‘‘ବର୍ତ୍ତମାନ ଗୋଟିଏ ଟିଣର ଚାଦର ପାଇବା ପାଇଁ ତୁମକୁ ରାସ୍ତା ବାହାର କରିବାକୁ ହେବ କାରଣ ବର୍ଷା ଯୋଗୁ ତୁମମାନଙ୍କ ଘରର ବ୍ୟାପକ କ୍ଷୟକ୍ଷତିକୁ ସହିବା ତୁମମାନଙ୍କ ପକ୍ଷରେ କଷ୍ଟକର ହୋଇଯିବ ବିଶେଷକରି, ଆପ୍ରିକଟ୍‌ ଓ ଅନ୍ୟ ଫଳସବୁ ଶୁଖେଇବା ଋତୁରେ’’ ।

PHOTO • Sweta Daga

ନୂଆ ଟିଣ ଚାଦରର ସ୍ତର ସହିତ ଏକ ପୁରାତନ ବାଲ୍‌ଟି ଛାତ

ଇବ୍ରାହିମ୍‌ ଆସୁର୍‌, ଯିଏ ନିକଟବର୍ତ୍ତୀ ଟାଉନ୍‌ ଦିସ୍‌କିଟ୍‌ରେ କୃଷି ବିଭାଗରେ ଜଣେ ଏକ୍ସଟେନ୍‌ସନ୍‌ ଅଫିସର୍‌ ଭାବେ କାର୍ଯ୍ୟ କରନ୍ତି ଓ ତୁର୍‌ତୁକଠାରେ ଥିବା ଆସୁର୍‌ ଗେଷ୍ଟହାଉସ୍‌ର ମାଲିକମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ତାଙ୍କ ଅନୁସାରେ, ଏହି ପରିବର୍ତ୍ତନର ଅନ୍ୟାନ୍ୟ ନିଦର୍ଶନଗୁଡିକ ମଧ୍ୟ ରହିଛି : “ଗତ ୨୫ ବର୍ଷ ହେବ, ଫଳଗୁଡିକ ସମୟଠାରୁ ଆଗରୁ ପାଚିଯାଉଛି ଓ ଆମେମାନେ ୧୦ଦିନ ପୂର୍ବରୁ ବାର୍ଲି ଓ ବକ୍‌ହ୍ୱିଟ୍‌ ଅମଳ କରୁଛୁ । ତେବେ ସବୁଠାରୁ ବଡ ସମସ୍ୟା ହେଉଛି କେତେ ପରିମାଣର ବର୍ଷା ହେବ ବା ତୁଷାରପାତ ହେବ ତାହା ଆମେ ଜାଣିପାରୁନୁ ।

“ଜଳବାୟୁ ପରିବର୍ତ୍ତନ ହେଉଛି, ଏଥିରେ କିଛି ସନ୍ଦେହ ନାହିଁ” ବୋଲି ସୋନମ୍‌ ଲୋଟସ୍‌, କାଶ୍ମୀର୍‌ର ଶ୍ରୀନଗରସ୍ଥିତ ଭାରତୀୟ ଜଳବାୟୁ ବିଭାଗର ନିର୍ଦ୍ଦେଶକ କୁହନ୍ତି । “ପ୍ରକୃତି ଓ ମାନବ ଗତିବିଧି ମଧ୍ୟରେ ଏକ ଅସନ୍ତୁଳନ ପରିଲକ୍ଷିତ ହେଉଛି । ପଲିସି ନିର୍ମାତା ଯେଉଁ ସବୁ ଛୋଟ ଛୋଟ ପରିବର୍ତ୍ତନ ପ୍ରୟୋଗ କରୁଛନ୍ତି,  ତାହା ବିଳମ୍ବରେ ହେଉଛି । କିଛି ବଡ ଧରଣର ପଦକ୍ଷେପ ଗ୍ରହଣ କରିବା ହେଉଛି ଆମର ଆବଶ୍ୟକତା – ସମ୍ବଳଗୁଡିକର ପରିଚାଳନାଠାରୁ ଆରମ୍ଭ କରି ସଂରକ୍ଷଣ ପର୍ଯ୍ୟନ୍ତ, ସବୁକ୍ଷେତ୍ର ପାଇଁ ନୂତନ ନିୟମ’’ ।

ବାଙ୍ଗାଲୋର୍‌ର, ଭାରତୀୟ ବିଜ୍ଞାନ ସଂସ୍ଥାନର ଜୟରାମ୍‌ ଶ୍ରୀନିବାସନ୍‌, ଯିଏ ଜଳବାୟୁ ପରିବର୍ତ୍ତନ ଅଧ୍ୟୟନ କରିବା ପାଇଁ ଗଠିତ ହୋଇଥିବା ଇଣ୍ଟର୍‌ଗଭର୍ଣ୍ଣମେଣ୍ଟାଲ୍‌ ପ୍ୟାନେଲ୍‌ର ପିରିଓଡିକ୍‌ ରିପୋର୍ଟ ପ୍ରସ୍ତୁତକାରୀମାନଙ୍କ ମଧ୍ୟରେ ଜଣେ, ସେ ନିର୍ଦ୍ଦିଷ୍ଟତା ସହିତ କୁହନ୍ତି ଯେ, “ଏହା ହେଉଛି ପରିବର୍ତ୍ତନର ହାର ଯାହା ଚିନ୍ତାର ବିଷୟ ହୋଇଛି । ଡାଟାରୁ ଏହା ସ୍ପଷ୍ଟ ଯେ ୧୯୭୩ ଓ ୨୦୦୮ ମଧ୍ୟରେ, ଲାଦାଖ ଅଞ୍ଚଳର ତାପମାତ୍ରା ତିନି ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ଭାରତର ବାକି ସ୍ଥାନଗୁଡିକରେ ତାପମାତ୍ରା କେବଳ ୧ ଡିଗ୍ରୀ ବୃଦ୍ଧି ପାଇଛି । ଏହା ତୁଷାର ଓ ବର୍ଷା ଚକ୍ରକୁ ପ୍ରଭାବିତ କରୁଛି । ଯେତେବେଳେ ମରୁଭୂମିରେ ବର୍ଷା ହୁଏ – ଏହା ଅଳ୍ପ ସମୟ ପାଇଁ ହୋଇଥାଏ କିନ୍ତୁ ଭୀଷଣ ହୋଇଥାଏ- ଏହା ପ୍ରଳୟଙ୍କାରୀ ଅଟେ; ଏହାର ସୁପରିଚାଳନା କରିବା ପାଇଁ ଏହି ସବୁ ସ୍ଥାନରେ ଆବଶ୍ୟକ ସୁବିଧା ଉପଲବ୍ଧ ନାହିଁ ।’’

PHOTO • Sweta Daga

ତୁର୍‌ତୁକ୍‌ ‘ନାଳ’ ଇକୋଲୋଜି ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ

ତୁର୍‌ତୁକ୍‌, ଯାହା ୧୯୭୧ରେ ହୋଇଥିବା ଭାରତ-ପାକ୍‌ ଯୁଦ୍ଧରେ ଭାରତ ଅଧୀନକୁ ଆସିଥିଲା, ତାହା ତିନୋଟି ଅଂଶକୁ ନେଇ ଗଠିତ ହୋଇଛି – ଫାରୋଲ୍‌, ୟୋଲ୍‌ ଓ ଚୁତାଙ୍ଗ । ଏଠାରେ ବାଲ୍ଟି ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି, ଯେଉଁମାନଙ୍କ ସୀମାରେଖା– ବାଲ୍ଟିସ୍ଥାନ୍‌ – ପାକିସ୍ତାନ ଭିତରକୁ ସଂପ୍ରସାରିତ ହୋଇଛି । ୨୦୧୧ର ଜନଗଣନା ଅନୁସାରେ, ତୁର୍‌ତୁକରେ ପ୍ରାୟ ୪୦୦ ପରିବାର ରୁହନ୍ତି ।

ଭଙ୍ଗୁର ପାର୍ବତୀୟ ପରିବେଶ ସଂରକ୍ଷଣ କରିବା ପାଇଁ, ବାଲ୍ଟି ଲୋକମାନେ ଏକ ଜଟିଳ ଇକୋଲୋଜିକାଲ୍‌ ସିଷ୍ଟମ୍‌ ବିକଶିତ କରିଛନ୍ତି ଯେପରିକି କେନାଲ ମାଧ୍ୟମରେ ଜଳ ବଣ୍ଟନ କରିବା ଯାହା ଚୁମ୍ପା  ବା ଜଳ ଜଗୁଆଳି ସହିତ ସମ୍ପନ୍ନ ହୋଇଥାଏ, ଯାହାର କାମ ହେଉଛି ସମଭାବେ ଜଳ ବଣ୍ଟନ ନିଶ୍ଚିତ କରିବା । ପ୍ରତି ବର୍ଷ ଚୁମ୍ପା, ବୁଣିବା ଋତୁରେ ଯେଉଁ ଜମିଗୁଡିକରେ ପ୍ରଥମେ ଜଳ ପ୍ରବେଶ କରିଥାଏ, ତାହାକୁ ପରିବର୍ତ୍ତନ କରିଥାଏ । ସେମାନେ ଖାଦ୍ୟ ପଦାର୍ଥକୁ ଗଚ୍ଛିତ କରି ରଖିବା, ଗାଇଗୋରୁ ଚରାଇବା ସମୟ ଓ କ୍ଷୀର ବାଣ୍ଟିବା ସମୟ,  ବର୍ଜ୍ୟ ବ୍ୟବସ୍ଥା ଓ ଏପରିକି ପୋଲୋ ଟିମ୍‌ ଚୟନ କରିବା ପାଇଁ ମଧ୍ୟ ପ୍ରଣାଳୀ ବିକଶିତ କରିଛନ୍ତି!

PHOTO • Sweta Daga

ଜାକିର୍‌ ହୁସେନ୍‌, ଫାରୋଲ୍‌ର ଚୂମ୍ପା ।  ଡାହାଣ : ପ୍ରତ୍ୟେକ ଜମିରେ ବିଭାଜକ ସହିତ କେନାଲ୍‌ ପ୍ରଣାଳୀ

କିନ୍ତୁ ପୁରୁଣାକାଳିଆ ସେହି ପ୍ରଣାଳୀଗୁଡିକ ଆଉ କାମ କରୁନାହିଁ । ବର୍ତ୍ତମାନ, ପରିବେଶରେ ପରିବର୍ତ୍ତନ ହେବା ସହିତ, ଅର୍ଥନୀତି ଓ ସଂସ୍କୃତିରେ ମଧ୍ୟ ପରିବର୍ତ୍ତନ ଘଟିଛି । ଜାକିର୍‌ ହୁସେନ୍‌ ଫାରୋଲ୍‌ ପାଇଁ ଚୁମ୍ପା, ତୁର୍‌ତୁକ୍‌ର ଭବିଷ୍ୟତ ନେଇ ଚିନ୍ତିତ ଅଛନ୍ତି । “ବର୍ତ୍ତମାନ ଆଉ କେହି ମଧ୍ୟ କୃଷି କାମ କରିବାକୁ ଚାହୁଁନାହାନ୍ତି । ସମସ୍ତେ ଏକ ଗେଷ୍ଟହାଉସ୍‌ କରିବାକୁ ଇଚ୍ଛା କରୁଛନ୍ତି । କେହି ମଧ୍ୟ ଗାଈ ଓ ଛେଳି ପାଳନ କରିବାପାଇଁ ବା ସେମାନଙ୍କୁ ଚରେଇ ନେବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଆପଣ ଯଦି ପର୍ବତ ଚଢି ଆହୁରି ଉପରକୁ ଯିବେ, ତେବେ ସେଠାରେ ପ୍ଲାଷ୍ଟିକ୍‌ ଝରଣାର ପଥ ଅବରୋଧ କରୁଥିବା ଦେଖିବାକୁ ପାଇପାରିବେ । ମୁଁ ଏହି ବର୍ଷ ଆଉ ଚୂମ୍ପା ପଦବୀ ଗ୍ରହଣ କରିବାକୁ ଆଗ୍ରହୀ ନଥିଲି, ବହୁତ ପରିଶ୍ରମ କରିବାକୁ ପଡେ । ଗତ କିଛି ବର୍ଷ ଧରି, ତୁଷାରପାତର ପରିମାଣ ହ୍ରାସ ପାଇଥିବାରୁ, ମାର୍ଚ୍ଚମାସ ଯାହା ଆମ ପାଇଁ ବୁଣିବା ସମୟ ଅଟେ, ସେତେବେଳେ ଅଳ୍ପ ପରିମାଣର ଜଳ ଉପଲବ୍ଧ ହୋଇଥିଲା ଓ ଏଥିପାଇଁ ଲୋକମାନଙ୍କ ମଧ୍ୟରେ କନ୍ଦଳର ସୂତ୍ରପାତ ହେଉଥିଲା ।’’

ଆସନ୍ତା ବର୍ଷ ଆଉ ଦଶଟି ଗେଷ୍ଟହାଉସ୍‌ ଖୋଲିବା ସମ୍ଭାବନା ରହିଛି – ବର୍ତ୍ତମାନ ସେଠାରେ ପ୍ରାୟ ସାତଟି ଅଛି । ଏହି ସମ୍ପ୍ରଦାୟ ପାଇଁ, ପର୍ଯ୍ୟଟନ ହେଉଛି ଗ୍ରୀଷ୍ମ ମାସଗୁଡିକରେ ସ୍ଥାନୀୟ ଅର୍ଥନୀତିକୁ ତ୍ୱରିତ କରିବା ପାଇଁ ଏକ ପ୍ରୟାସ କିନ୍ତୁ ସାହାଯ୍ୟକାରୀଙ୍କ ଯୋଗୁ ସ୍ଥାନୀୟ ସଂସ୍କୃତିରେ ପରିବର୍ତ୍ତନ ଦେଖାଯାଉଛି ଯାହାଦ୍ୱାରା ଗ୍ରାମ ପ୍ରଭାବିତ ହେଉଛି । ବର୍ତ୍ତମାନ, ଯେତେବେଳେ କୌଣସି ପର୍ଯ୍ୟଟକ ସେହି ବାଟ ଦେଇ ଯାଆନ୍ତି, ବାଲ୍ଟି ପିଲାମାନେ ସେମାନଙ୍କୁ ଇଂରାଜୀ ଭାଷା ବା ଲଦାଖୀ ଭାଷାରେ ଅଭିବାଦନ ଜଣାନ୍ତି, ଯାହା ସେମାନେ ଭବିଷ୍ୟତରେ ନିଜ ବାପାମାଙ୍କ ଠାରୁ ଭିନ୍ନ ଏକ ତୁର୍‌ତୁକ୍‌କୁ ଜାଣିବାକୁ ପାଇବେ ବୋଲି ସୂଚିତ କରିଥାଏ ( ଯେଉଁମାନେ ବାଲ୍‌ତି ଭାଷା କହିଥାନ୍ତି) । କିନ୍ତୁ କୂଲ୍‌ସାଲ୍‌ ବାନୂ ବଂଗଚୂପା, ପଞ୍ଚାୟତର ଜଣେ ସଦସ୍ୟ ବା ସ୍ଥାନୀୟ କାଉନ୍‌ସିଲ୍‌, ଅଧିକ ସଂଖ୍ୟାରେ ଗେଷ୍ଟହାଉସ୍‌ ନିର୍ମାଣ କରିବା ପାଇଁ ଦୃଢ ନିଶ୍ଚିତ ଅଟନ୍ତି: “ଜମିରୁ ହେଉଥିବା ଆୟ ଆମ ପାଇଁ ଯଥେଷ୍ଟ ନୁହେଁ । ଆମକୁ ବେମାର ହେଲେ ବା ଶିକ୍ଷା ପାଇଁ ବା ଆମର ଘର ଏବଂ ଅନ୍ୟାନ୍ୟ ଜିନିଷଗୁଡିକ ପାଇଁ ନଗଦ ରାଶି ଆବଶ୍ୟକ ହୋଇଥାଏ।’’

ଗୁଲାମ୍‌ ମହମ୍ମଦ ଆହୁରି କୁହନ୍ତି, “ଆମେ ଏଠାରେ ସବୁକିଛି ତିଆରି କରୁଥିଲୁ । କିନ୍ତୁ ଲୋକମାନେ ଆଉ ସେ ସବୁ ଜିନିଷରେ ରୁଚି ରଖୁନାହାନ୍ତି । ଆମର ଖାଦ୍ୟ ସାଧାରଣ ବଣ୍ଟନ ପ୍ରଣାଳୀରେ ମିଳିଥାଏ ଓ ଆମର ପୋଷାକ ସବୁ ଆମେ ଦିସ୍‌କିତ୍‌ରୁ କିଣିଥାଉ ।’’

PHOTO • Sweta Daga

କୂଲ୍‌ସାମ୍‌ଜି ତାଙ୍କ ରୋଷେଇ ଘରେ ଏକ ‘ହମାଚାନିତୁ’-ବାଲ୍‌ତି ବିବାହିତା ସ୍ତ୍ରୀମାନଙ୍କର ଏକ ପାରମ୍ପରିକ ଓଢଣା ପକେଇଛନ୍ତି ।

ଭବିଷ୍ୟ କାଳ

ତୁର୍‌କୁତ୍‌ରେ ରହୁଥିବା ବୟସ୍କ ବ୍ୟକ୍ତିମାନେ ସେଠାରେ ହୋଇଥିବା ପରିବର୍ତ୍ତନର ପରିମାଣ ବିଷୟରେ ଜାଣିଛନ୍ତି । “ଆମର ଯୁବାବସ୍ଥାରେ ଆମେମାନେ ଯେତେବେଳେ ପର୍ବତ ଉପରକୁ ଯାଉଥିଲୁ, ସେତେବେଳେ ହିମବାହଗୁଡିକ ଆହୁରି ନିକଟରେ ଥିଲା,” ବୋଲି ମହମ୍ମଦ ଇଶୁପା କୁହନ୍ତି । “ସେଗୁଡିକ ବର୍ତ୍ତମାନ ପ୍ରାୟ ଏକ କିଲୋମିଟର୍‌ ପର୍ଯ୍ୟନ୍ତ ଅପସରି ଯାଇଛନ୍ତି । “ଅନ୍ୟଜଣେ ବୟସ୍କ ବ୍ୟକ୍ତି, ମହମ୍ମଦ ଇବ୍ରାହିମ୍‌ ମଧ୍ୟ କୁହନ୍ତି ଯେ,” ବର୍ତ୍ତମାନ ତୁଷାର ନାହିଁ, ତାହାହେଲେ ଆମେ ହିମବାହ କେଉଁଠାରୁ ପାଇବା?

ଡାକ୍ତର ସକିଲ୍‌ ରୋମ୍‌ସୁ, ଗ୍ଲାସିଓଲୋଜିଷ୍ଟ ଓ ଶ୍ରୀନଗର ସ୍ଥିତ ୟୁନିଭର୍ସିଟି ଅଫ୍‌ କାଶ୍ମୀରର ଆର୍ଥ ସାଇନ୍ସ ବିଭାଗର ମୁଖ୍ୟ, କୁହନ୍ତି, “ଗତ ୬୦ ବର୍ଷ ମଧ୍ୟରେ ଭାରତ ଆଡକୁ ରହିଥିବା ହିମାଳୟର ବିଭିନ୍ନ ଅଞ୍ଚଳରେ ହିମବାହର ପରିମାଣ ୨୦ ପ୍ରତିଶତ ହ୍ରାସ ପାଇଛି । ଆମର ହିମବାହଗୁଡିକ ସମ୍ପର୍କରେ ସେମିତି କିଛି ଦୃଢ ତଥ୍ୟ ଆମ ପାଖରେ ମହଜୁଦ ନଥିବାବେଳେ, ଜଳ ସମ୍ପଦର ଭବିଷ୍ୟତ ପାଇଁ ଏହାର ସାମୂହିକ ସନ୍ତୁଳନ ରକ୍ଷା କରିବାର ମହତ୍ତ୍ୱ ବର୍ତ୍ତମାନ ସରକାର ଅନୁଭବ କରିବାକୁ ଆରମ୍ଭ କଲେଣି ।’’

PHOTO • Sweta Daga

ବାଲ୍‌ତି ସମ୍ପ୍ରଦାୟର କିଛି ପୁରୁଷ । ବାମ ଆଡୁ : ଇବ୍ରାହିମ୍‌ ଆସୁର୍‌, ବସିଛନ୍ତି (ବାମରୁ ଡାହାଣ) : ଅବ୍‌ଦୁଲ୍‌ କାଦିର୍‌, ମହମ୍ମଦ ଇବ୍ରାହିମ୍‌, ଅଲ୍ଲୀ ମହମ୍ମଦ୍‌. ଠିଆ ହୋଇଛନ୍ତି (ବାମରୁ ଡାହାଣ) : ଅବ୍‌ଦୁଲ୍‌ କରୀମ୍‌, ମହମ୍ମଦ ହାସନ୍‌, ଗୁଲାମ୍‌ ମହମ୍ମଦ୍‌, ମହମ୍ମଦ୍‌ ଇଶୁପା

ସ୍ଥାନୀୟ ବାସିନ୍ଦାଙ୍କ ମନରେ ତିକ୍ତ ଭାବନା ଜାତ ହେବାର କରାଣ ହେଉଛି, ବିପର୍ଯ୍ୟୟ ବେଳେ ଲେହ ନିବାସୀଙ୍କୁ ଆବଶ୍ୟକ ସହାୟତା ମିଳିଥାଏ କିନ୍ତୁ ବିଶ୍ୱର ଏକ କୋଣରେ ଅବସ୍ଥିତ ଏହି ଛୋଟ ଗ୍ରାମ ଅଣଦେଖା ରହିଯାଏ । ୨୦୧୪ ଓ ୨୦୧୫ ମସିହାରେ ଯେତେବେଳେ ହଠାତ୍‌ ତୋଫାନ୍‌ ଆସିଲା ସେତେବେଳେ ବୋଗ୍‌ଡଂଗ, ଚୁଲୁଙ୍ଗଖା, ଟାଇଗର୍‌ ଓ ସୁମୁର୍‌ ପରି ଗ୍ରାମଗୁଡିକରେ ଅନେକ ଘର ଓ ଜମିସବୁ ନଷ୍ଟ ହୋଇଗଲା । ଚୁଲୁଙ୍ଗଖା ନିବାସୀମାନେ କୁହନ୍ତି ଯେ ସ୍ଥାନୀୟ କର୍ମଚାରୀମାନେ ପରିଦର୍ଶନରେ ଆସିଥିଲେ ସତ, କିନ୍ତୁ ଏବେ ମଧ୍ୟ ସେମାନେ ଆର୍ଥିକ ସହାୟତା ପାଇବା ପାଇଁ ଚାହିଁ ବସିଛନ୍ତି ।

ଦିସ୍‌କିତ୍‌ରେ, ନୁବୁରାସ୍ଥିତ ରାଜ୍ୟ ରେଭେନ୍ୟୁ ବିଭାଗର ହବିବୁଲ୍ଲା, କ୍ଷୟକ୍ଷତିର ପରିମାଣ ବିଷୟରେ ସୂଚନା ଦିଅନ୍ତି । ୨୦୧୪ରେ ନିବୁରା ଉପତ୍ୟକାରେ ଲୋକମାନଙ୍କ ଘର ଓ ଚାଷ ଜମି ନଷ୍ଟ ହେବା ଯୋଗୁ ହୋଇଥିବା କ୍ଷୟକ୍ଷତିର ପରିମାଣ ପ୍ରାୟ ୩ କୋଟି ହେବ ଓ ୨୦୧୫ରେ ଏହାର ପରିମାଣ ବୃଦ୍ଧି ପାଇ ୧୫ କୋଟିରେ ପହଞ୍ଚିଥିବା ସେ କୁହନ୍ତି । ଏହିପରି ଏକ ଅପ୍ରୀତିକର ଜଳବାୟୁ, ଯେଉଁଠାରେ ଆୟର ଅନ୍ୟ କୌଣସି ପନ୍ଥା ଉପଲବ୍ଧ ନାହିଁ, ସେଠାରେ ଏହିପରି କ୍ଷତି ନିଶ୍ଚିତ ଭାବେ କ୍ଷୁଦ୍ର ଚାଷୀ ଓ ଜମିମାଲିକଙ୍କୁ ଶକ୍ତିହୀନ କରିଦେବ ।

PHOTO • Sweta Daga

ଜମିର ମଧ୍ୟ ଭାଗ ଦେଇ ଭୂ-ସ୍ଖଳନ ହୋଇଥିଲା: ଏହି ଧ୍ୱଂସସ୍ତୁପ ଏକଦା କାର୍ଯ୍ୟ ହେଉଥିବା ଚାଷଜମି ଥିଲା

“ମୁଁ ଏଭଳି କ୍ଷତି ଆଗରୁ କେବେ ଦେଖିନଥିଲି,’’ ବୋଲି ଟାଇଗର୍‌ ଗ୍ରାମର ଗୋବା  ଜୁଲିକା ବାନୋ କୁହନ୍ତି । “ଜଣେ ଏପରି ରୋଗୀ ପରି, ଯିଏ ପ୍ରଥମେ ବେମାର ପଡିବା ବେଳେ ଯନ୍ତ୍ରଣା କିଭିଳି ସହ୍ୟ କରିପାରିବ ତାହା ଜାଣିନଥାଏ, ଠିକ୍‌ ସେପରି ଆମ ଗ୍ରାମରେ ମଧ୍ୟ ହୋଇଥିଲା । କଣ ଆସୁଛି ବା କାହିଁକି ଆସୁଛି ଓ ଆମେ ତାହାର ମୁକାବିଲା କିଭଳି ଭାବେ କରିପାରିବୁ ତାହା ଆମକୁ ଜଣା ନଥିଲା । କିନ୍ତୁ ଗୋଟିଏ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ହୋଇଥିବାରୁ, ଏହାର ମୁକାବିଲା ପାଇଁ ଆମ ସମସ୍ତଙ୍କୁ ଏକତ୍ରିତ ହେବାକୁ ହେବ ।

ତୁରତୁକ୍ ମଧ୍ୟଦେଇ ଚାଲିଚାଲି ଯିବାବେଳେ, କେଉଁ ସ୍ଥାନଟି ଅତି ସମ୍ବେଦନଶୀଳ, ଗୁଲାମ୍‌ ମହମ୍ମଦ୍‌ ସେହି ସ୍ଥାନକୁଗୁଡିକୁ ସୂଚିତ କରୁଥିଲେ, ଯେପରିକି ସେହି ସେତୁଟି ଯାହା ଗ୍ରାମର ଉଭୟ ପାଖକୁ ପରସ୍ପର ସହିତ ଯୋଡୁଛି । ଯଦି ଏଠାରେ ଭୂ-ସ୍ଖଳନ ହୁଏ, ତେବେ ତୁର୍‌ତୁକ୍‌ ନାଲାରୁ ଆସୁଥିବା ଜଳ ପ୍ରବାହରେ ପ୍ରତିବନ୍ଧକ ସୃଷ୍ଟି ହେବ ଓ ସମ୍ପୂର୍ଣ୍ଣ ଗ୍ରାମରେ  ବନ୍ୟା ପାଣି ମାଡିଯିବ ।

“ ଆମେ ପୂର୍ବରୁ ମଧ୍ୟ ଏହିପରି ସମସ୍ୟାର ସମ୍ମୁଖୀନ ହୋଇଛୁ, କିନ୍ତୁ ଏହିପରି ପରିସ୍ଥିତିରେ କଣ କରାଯାଇପାରିବ, ତାହା ଆମେ ବର୍ତ୍ତମାନ ମଧ୍ୟ ଜାଣିନୁ । ଆଶା କରୁଛି ମୋ ଜୀବନ କାଳରେ ମୋତେ ଏହିପରି ବିପଦର ସମ୍ମୁଖୀନ ହେବାକୁ ପଡିବ ନାହିଁ କିନ୍ତୁ ଭବିଷ୍ୟତ କଥା କିଏ କହିପାରିବ?”

ତୁର୍‌ତୁକ୍‌ରେ ଜଣେ ବୟସ୍କ ବ୍ୟକ୍ତି ସେଠାରେ ହେଉଥିବା ପରିବର୍ତ୍ତନ ବିଷୟରେ ବର୍ଣ୍ଣନା କରୁଛନ୍ତି

ଏହି ଆଲେଖ୍ୟ ଲେଖକଙ୍କୁ ପରିବେଶଭିତ୍ତିକ ସମ୍ୱାଦ ପରିବେଷଣ କରୁଥିବା ୱେବ୍‌ସାଇଟ୍‌ ଦି ଥାର୍ଡ ପୋଲ୍‌ ଓ ଆର୍ଥ ଜୋର୍ଣ୍ଣାଲିଜମ୍‌ ନେଟ୍‌ୱର୍କ. ସାମ୍ବାଦିକମାନଙ୍କ ଏକ ଭଲ୍ୟୁଣ୍ଟାରୀ, ଅନ୍ତରାଷ୍ଟ୍ରୀୟ ଗ୍ରୁପ୍‌ ଦ୍ୱାରା ଲେଖକଙ୍କୁ ପ୍ରଦାନ କରାଯାଇଥିବା ମିଡିଆ ଫେଲୋସିପ୍‌ ଆୱାର୍ଡର ଏକ ଅଂଶ ଭାବେ ଲେଖା ଯାଇଥିବା ।

ଗୁଲାମ ମହମ୍ମଦ୍‌, ଆସୁର୍‌ ପରିବାର ଓ ନେବୁରା ଉପତ୍ୟକାରେ ରହୁଥିବା ସମ୍ପ୍ରଦାୟକୁ ଅଶେଷ ଧନ୍ୟବାଦ ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Sweta Daga

Sweta Daga is a Bengaluru-based writer and photographer, and a 2015 PARI fellow. She works across multimedia platforms and writes on climate change, gender and social inequality.

Other stories by Sweta Daga