“ହାତୀମାନେ ବହୁତ ଥର ମୋତେ ଗୋଡେଇଛନ୍ତି, କିନ୍ତୁ ମୁଁ କେବେ ଆହତ ହୋଇନାହିଁ”, ହସିକି କହନ୍ତି ରବି କୁମାର ନେତମ।

୨୫-ବର୍ଷୀୟ ଏହି ଗୋଣ୍ଡ ଆଦିବାସୀ ଜଣକ ଆର୍ଶୀକହ୍ନାର କ୍ଷେତ୍ରର ଜଙ୍ଗଲ ରାସ୍ତାରେ ଚାଲନ୍ତି। ଛତିଶଗଡ଼ର ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରେ ହାତୀମାନଙ୍କ ଠାବକାରୀ ଭାବେ ହାତୀଙ୍କ ମଳ ଓ ପାଦ ଚିହ୍ନକୁ ଦେଖିଦେଖି ସେମାନଙ୍କୁ କିପରି ଠାବ କରାଯାଏ ତାହା ତାଙ୍କୁ ଜଣା।

“ମୁଁ ଜଙ୍ଗଲରେ ଜନ୍ମ ହେଇ ବଢ଼ିଛି। ଏସବୁ ଜାଣିବା ପାଇଁ ମତେ ସ୍କୁଲ ଯିବା ଦରକାର ନାହିଁ”, କହନ୍ତି ଧାମତରି ଜିଲ୍ଲା ଅନ୍ତର୍ଗତ ତେନାହି ଗାଁର ରବି। ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ  ପଢ଼ିଲା ପରେ ସେ ଏହି କାମ ଆରମ୍ଭ କରିବା ପୂର୍ବରୁ ଜଙ୍ଗଲ ବିଭାଗରେ ଚାରି ବର୍ଷ ତଳେ ଜଣେ ଅଗ୍ନି ସୁରକ୍ଷା କର୍ମୀ ରୂପେ କାମ ଆରମ୍ଭ କରିଥିଲେ।

ଠାବକାରୀମାନେ ଆମକୁ ଜଙ୍ଗଲ ଭିତରକୁ ନେଇଗଲା ବେଳେ କେବଳ କୀଟ ପତଙ୍ଗଙ୍କ ହାଲ୍‌କା ଝିଇଁ ଝିଇଁ ଶବ୍ଦ ଏବଂ ଶାଳ (ସୋରିଆ ରୋବସ୍ତା) ଓ ଶାଗୁଆନ (ଟେକଟୋନା ଗ୍ରାଣ୍ଡିସ) ଗଛ ପତ୍ର ଫାଙ୍କରେ ପବନର ସିଇଁ ସିଇଁ ଶବ୍ଦ ଶୁଭୁଥିଲା। ମଝିରେ ମଝିରେ ଚଢ଼େଇଙ୍କ କୁହାଟ କିମ୍ବା ଗଛ ଡାଳ ପରସ୍ପର ସହ ଘଷି ହେବାର ଶବ୍ଦ ଶୁଣିବାକୁ ମିଳୁଥିଲା। ହାତୀ ଠାବକାରୀମାନଙ୍କୁ  ଶୁଣା ଯାଉଥିବା ଶବ୍ଦ ଓ ଦେଖା ଯାଉଥିବା ସଙ୍କେତ ପ୍ରତି ଧ୍ୟାନ ଦେବା ଦରକାର ଥିଲା।

PHOTO • Prajjwal Thakur
PHOTO • Prajjwal Thakur

ବାମରେ: 'ମୁଁ ଜଙ୍ଗଲରେ ଜନ୍ମ ହେଇ ବଢ଼ିଛି', କହନ୍ତି ଜଣେ ହାତୀ ଠାବକାରୀ ଭାବେ କାମ କରୁଥିବା ରବି କୁମାର ନେତମ,  'ଏସବୁ ଜାଣିବା ପାଇଁ ମତେ ସ୍କୁଲ ଯିବା ଦରକାର ନାହିଁ'। ଡାହାଣରେ: ଆର୍ଶୀକହ୍ନାର ଜଙ୍ଗଲ କ୍ଷେତ୍ରରେ କ୍ୟାମ୍ପ କରିଥିବା ଗୋଟିଏ ହାତୀ ଠାବକାରୀ ଦଳ। ସେଠାରୁ ମାତ୍ର ୩୦୦ ମିଟର ଦୂରରେ ହାତୀମାନେ ଅଛନ୍ତି

ହାତୀମାନେ ଅଳ୍ପ ଦିନ ହେଲା ଏହି ଜଙ୍ଗଲକୁ ଆସିଛନ୍ତି। ସେମାନେ ତିନି ବର୍ଷ ତଳେ ଓଡିଶାରୁ ଆସିଲେ। ସେମାନେ ଜଙ୍ଗଲ ଅଧିକାରୀମାନଙ୍କ ଭିତରେ ସିକାସର ହାତୀ ଗୋଠ ଭାବେ ପରିଚିତ ଓ ୨୦ଟି କରି ଦୁଇଟି ଦଳରେ ବିଭକ୍ତ। “ଗୋଟିଏ ଦଳ ଗରିବନ୍ଦ ଆଡ଼େ ଯାଇଛନ୍ତି”, କହନ୍ତି ଦେଓଦତ୍ତ ତରମ ଓ ଅନ୍ୟ ଦଳଟି ଉପରେ ସ୍ଥାନୀୟ ଲୋକମାନେ ଆଖି ରଖିଛନ୍ତି। ୫୫-ବର୍ଷୀୟ ଦେଓଦତ୍ତ ଜଣେ ଗାର୍ଡ ଭାବେ ଜଙ୍ଗଲ ସେବା ଚାକିରୀରେ ଯୋଗ ଦେଇଥିଲେ ଓ ବର୍ତ୍ତମାନ ଜଣେ ଫରେଷ୍ଟ ରେଞ୍ଜର ଭାବେ କାମ କରୁଛନ୍ତି। ୩୫ ବର୍ଷର ଅନୁଭୂତି ଆଧାରରେ ସେ ଜଙ୍ଗଲକୁ ଓତଃପ୍ରୋତ ଭାବେ ଜାଣନ୍ତି।

“ଜଙ୍ଗଲ ଭିତରେ ଏକାଧିକ ଜଳାଶୟ ଓ କେତେକ ବନ୍ଧ ଥିବାରୁ ଏହି କ୍ଷେତ୍ରରେ ପ୍ରଚୁର ପାଣି ଅଛି”, ଏହି ଅଞ୍ଚଳକୁ କାହିଁକି ବଡ଼ ଜନ୍ତୁମାନେ ପସନ୍ଦ କରନ୍ତି ତା’ର କାରଣ ଜଣାଇବାକୁ କହନ୍ତି ଦେଓଦତ୍ତ। ମହୁଲ ଗଛର ଫଳ ପରି ହାତୀମାନେ ପସନ୍ଦ କରୁଥିବା ଖାଦ୍ୟ ଏହି ଜଙ୍ଗଲରେ ଭରିହେଇ ରହିଛି। ମଣିଷମାନଙ୍କ ହସ୍ତକ୍ଷେପ ମଧ୍ୟ ଏଠାରେ ନାହିଁ। “ଏଠାକାର ଜଙ୍ଗଲ ଅତି ଘଞ୍ଚ ଓ ଖଣି ଖୋଳା କାମ ହେଉ ନାହିଁ। ଏହିସବୁ କାରଣରୁ ହାତୀମାନଙ୍କ ରହିବା ପାଇଁ ଏହି କ୍ଷେତ୍ର ବେଶ୍‌ ପ୍ରକୃଷ୍ଟ”, ଦେଓଦତ୍ତ ମତ ଦିଅନ୍ତି।

ସାରା ବର୍ଷ ହାତୀ ଠାବକାରୀମାନେ ଦିନ ଓ ରାତିରେ ଦୁଇଟି ପର୍ଯ୍ୟାୟରେ ପାଦରେ ଚାଲି ଚାଲି ହାତୀମାନଙ୍କୁ ଠାବ କରନ୍ତି ଓ ସେମାନଙ୍କ ଚଳପ୍ରଚଳ ଜାଣିବା ପାଇଁ ଗାଁଗୁଡିକୁ ମଧ୍ୟ ଯାଆନ୍ତି। ସେମାନଙ୍କ ଦୃଷ୍ଟିକୁ ଆସୁଥିବା ଖବରକୁ ଲାଇଭ ଭାବେ ହାତୀ ଠାବ ବା ଏଲିଫାଣ୍ଟ ଟ୍ରାକର ଆପ୍‌ରେ ତତ୍କାଳ ଜଣାଇଥାଆନ୍ତି।

PHOTO • Prajjwal Thakur
PHOTO • Prajjwal Thakur

ବାମରେ: ଫରେଷ୍ଟ ରେଞ୍ଜର ଦେଓଦତ୍ତ ତରାମ ହାତୀମାନଙ୍କୁ କେମିତି ସେମାନଙ୍କ ପାଦ ଚିହ୍ନରୁ ଠାବ କରାଯାଏ ତାହା ବୁଝାଉଛନ୍ତି। ଡାହାଣରେ: ନାଥୁରାମ ନେତମ ହାତୀ ମଳକୁ ଅନୁଧ୍ୟାନ କରୁଛନ୍ତି

PHOTO • Prajjwal Thakur
PHOTO • Prajjwal Thakur

ବାମରେ: ହାତୀ ଠାବକାରୀମାନେ ତଦାରଖ ଯାତ୍ରା କାଳରେ। ଡାହାଣରେ: ଠାବକାରୀମାନଙ୍କୁ ଆପ୍‌ରେ ଡାଟା ଅପଲୋଡ କରିବାକୁ ପଡ଼େ ଓ ସେମାନେ ଲୋକମାନଙ୍କୁ ସତର୍କ କରାନ୍ତି ଓ ହ୍ୱାଟସଆପ୍‌ରେ ରିପୋର୍ଟ ପଠାନ୍ତି

“ଏହି ଆପ୍ଲିକେସନକୁ ସଂଯୁକ୍ତ ଭାବେ ଏଫଏମଆଇଏସ (ଫରେଷ୍ଟ ମ୍ୟାନେଜମେଣ୍ଟ ଇନଫରମେସନ ସିଷ୍ଟମ) ଓ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ହାତୀମାନେ ରହିଥିବା ୧୦ କିମି ପରିସୀମା ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ପାଇଁ ଏହି ଖବର ଯୋଗାଇ ଦିଆଯାଏ”, କହନ୍ତି ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟର ଡେପୁଟି ଡାଇରେକ୍ଟର ବରୁଣ କୁମାର ଜୈନ।

ହାତୀ ଠାବକାରୀ ଦଳଙ୍କର କାର୍ଯ୍ୟ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ନଥାଏ ଓ ସେମାନେ ମାସିକ ୧୫୦୦/- ଟଙ୍କା ଚୁକ୍ତିରେ ଓ କ୍ଷୟ କ୍ଷତି ପାଇଁ କୌଣସି ବୀମା ନଥାଇ କାମ କରନ୍ତି। “ଯଦି ହାତୀମାନେ ରାତିରେ ଆସିବେ, ମୁଁ ଏ ଅଞ୍ଚଳର ସୁରକ୍ଷାକର୍ମୀ ହୋଇଥିବାରୁ ଆମକୁ ମଧ୍ୟ ରାତିରେ ଆସିବାକୁ ହେବ। ଏହା ମୋର ଦାୟିତ୍ଵ”, କହନ୍ତି ଗୋଣ୍ଡ ଆଦିବାସୀ ଗୋଷ୍ଠୀର ୪୦-ବର୍ଷୀୟ ଫରେଷ୍ଟ ଗାର୍ଡ ନାରାୟଣ ସିଂ ଧ୍ରୁବ।

“ହାତୀମାନେ ଅପରାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଶୁଅନ୍ତି”, ସେ କହିବା ଜାରି ରଖନ୍ତି, “ତା’ ପରେ ‘ମୁଖ୍ୟ ହାତୀ’ (ଦନ୍ତା) ପୁଙ୍ଗଆ ଫୁଙ୍କେ ଓ ଗୋଠ ପୁଣି ଚାଲିବା ଆରମ୍ଭ କରନ୍ତି। ଯଦି କୌଣସି ମଣିଷଙ୍କୁ ଦେଖନ୍ତି ହାତୀମାନେ ଅନ୍ୟଙ୍କୁ ସତର୍କ ସୂଚନା ଦିଅନ୍ତି”। ଏହା ମଧ୍ୟ ଠାବକାରୀମାନଙ୍କୁ ହାତୀମାନେ ଆଖପାଖରେ ଅଛନ୍ତି ବୋଲି ସତର୍କ କରିଦିଏ। “ମୁଁ ହାତୀମାନଙ୍କ ବିଷୟରେ ଅଧ୍ୟୟନ କରିନାହିଁ। ଯାହା ଯେତିକି ମୁଁ ଜାଣିଛି ତାହା କେବଳ ହାତୀ ଠାବକାରୀ ଭାବେ କାମ କରିବା ଅନୁଭୁତିରୁ ହିଁ ଶିଖିଛି”, କହନ୍ତି ଧ୍ରୁବ।

“ଯଦି ହାତୀମାନେ ଦିନକୁ ୨୫ ରୁ ୩୦ କିମି ଚାଲନ୍ତି, ତେବେ ତାହା ଦଣ୍ଡ ପାଇଲା ପରି ଲାଗେ”, କହନ୍ତି ନାଥୁରାମ। ସେ ତିନିଟି ପିଲାଙ୍କ ବାପା ଓ ଜଙ୍ଗଲ ଭିତରେ ଥିବା ପଡ଼ା ଗାଁରେ ଗୋଟିଏ ଦୁଇ-ବଖୁରିଆ କଚ୍ଚା ଘରେ ରହନ୍ତି। ସେ ଆଗରୁ ଜଙ୍ଗଲ ବିଭାଗରେ ଜଣେ ଅଗ୍ନି ପର୍ଯ୍ୟବେକ୍ଷକ ଭାବେ କାମ କରୁଥିଲେ, କିନ୍ତୁ ଦୁଇ ବର୍ଷ ତଳେ ହାତୀ ଠାବକାରୀ କାର୍ଯ୍ୟ କରିବା ଆରମ୍ଭ କଲେ।

PHOTO • Prajjwal Thakur
PHOTO • Prajjwal Thakur

ବାମରେ: ଜଣେ ଫରେଷ୍ଟ ଗାର୍ଡ ଓ ହାତୀ ଠାବକାରୀ ଭାବେ କାମ କରୁଥିବା ନାରାୟଣ ସିଂ ଧ୍ରୁବ କହନ୍ତି, 'ଯଦି ହାତୀମାନେ ରାତିରେ ଆସିବେ, ଆମକୁ ମଧ୍ୟ ଆସିବାକୁ ପଡ଼ିବ'। ଡାହାଣରେ: ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥେନାହି ଗାଁର ଲୋକମାନେ। ହାତୀମାନେ ସେମାନଙ୍କ ଫସଲ ନଷ୍ଟ କରି ଦେଇଛନ୍ତି

*****

ରାତିରେ ଯେତେବେଳେ ଠାବକାରୀମାନେ ସତର୍କ କରାଇ ଦିଅନ୍ତି, ଗାଁ ଲୋକେ ନିଦରୁ ଉଠି ଯାଇ ଦେଖନ୍ତି ତ ହାତୀମାନେ ସେମାନଙ୍କ ଜମିରେ ଚରୁଥାନ୍ତି। ପିଲା ଓ ଯୁବକମାନେ ନିରାପଦ ଦୁରତ୍ଵରେ ଠିଆହୋଇ ସେମାନଙ୍କ ଫ୍ଲାସଲାଇଟର ଆଲୁଅରେ ବିରାଟକାୟ ଜନ୍ତୁମାନଙ୍କୁ ଦେଖୁଥାନ୍ତି।

ଗ୍ରାମବାସୀମାନେ ସାଧାରଣତଃ ଖାଦ୍ୟ ସନ୍ଧାନରେ ଧାନ ଖେତକୁ ରାତିରେ ଚରିବାକୁ ଆସୁଥିବା ହାତୀମାନଙ୍କୁ ଦୂରେଇ ରଖିବା ପାଇଁ ସାରା ରାତି ନିଆଁ ଜଳେଇ ରଖନ୍ତି। କେତେକ ଗାଁର ଲୋକେ ଜଙ୍ଗଲ ଭିତରେ ନିଆଁ ଜାଳି ଅନିଦ୍ରାରେ ବସି ରହି ଜଗନ୍ତି, କିନ୍ତୁ ହାତୀଗୋଠ ଦାଉରୁ ସେମାନଙ୍କ ଫସଲକୁ ସୁରକ୍ଷିତ ରଖିବାକୁ ସମର୍ଥ ହୁଅନ୍ତିନି।

“ହାତୀମାନେ ଯେତେବେଳେ ପ୍ରଥମେ ଏଠାକୁ ଆସିଲେ, ଜଙ୍ଗଲ ବିଭାଗ କର୍ମଚାରୀମାନେ ସେତେବେଳେ ଖୁସିରେ ହାତୀମାନଙ୍କୁ ଆଖୁ, ବନ୍ଧାକୋବି, କଦଳୀ ଆଦି ଫଳମୂଳ ଓ ପନିପରିବା ଇତ୍ୟାଦି ଖାଇବାକୁ ଦେଲେ”, କହନ୍ତି ଥେନାହି ଗାଁର ନୋହର ଲାଲ ନାଗ। ନୋହରଙ୍କ ପରି ଅନ୍ୟ କେତେକ ଗ୍ରାମବାସୀମାନେ ମଧ୍ୟ ସେହି ଖୁସିରେ ସାମିଲେ ହେଲେ ନାହିଁ ଓ ସେମାନଙ୍କ ଫସଲ କ୍ଷତି ହେବାର ଆଶଙ୍କାରେ ଚିନ୍ତିତ ହେଲେ।

PHOTO • Prajjwal Thakur
PHOTO • Prajjwal Thakur

ବାମ ଓ ଡାହାଣରେ: ଥେନାହିରେ ହାତୀମାନେ କରିଥିବା କ୍ଷୟକ୍ଷତି

ପରଦିନ ସକାଳେ ଯେତେବେଳେ ‘ପରୀ’ ପକ୍ଷରୁ ଆମେ ଯାଇ ଥେନାହି ଗାଁରେ ପହଞ୍ଚିଲୁ ହାତୀମାନେ କରିଥିବା ହାନି ଦେଖିବାକୁ ପାଇଲୁ। ନୂଆ ବୁଣା ହେଇଥିବା ଜମିକୁ ସେମାନେ ବିଧ୍ଵସ୍ତ କରି ଦେଇଥିଲେ ଓ ଗଛର ଗଣ୍ଡିରେ ସେମାନେ ଯେଉଁଠାରେ ସେମାନଙ୍କ ପଛ ଘଷିଥିଲେ ସେଠାରେ କାଦୁଅ ବୋଳି ହେଇଥିଲା।

ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟର ଡେପୁଟି ଡାଇରେକ୍ଟର ବରୁଣ କୁମାର ଜୈନଙ୍କ ସୂଚନା ଅନୁଯାୟୀ ସରକାରଙ୍କ ପକ୍ଷରୁ ପ୍ରତି ଏକର ଧ୍ଵସ୍ତ ଜମି ବାବଦରେ ୨୨,୨୪୯ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନିକ ‘ଧାରା’ ଭିତରେ ତାହାକୁ ଠିକ୍‌ ରୂପେ ଦିଆ ଯିବନାହିଁ ବୋଲି ଭାବନ୍ତି। “ଆମେ ଏବେ କରିବୁ କ’ଣ?”, ସେମାନେ ପଚାରନ୍ତି, “ଯାହା କରିବେ ସେଇ ଜଙ୍ଗଲ ଅଧିକାରୀମାନେ କରିବେ, କିନ୍ତୁ ଆମେ ଏଠାରେ ହାତୀମାନେ ରହନ୍ତୁ ବୋଲି ଚାହୁଁନାହୁଁ”।

ଅନୁବାଦ: ଓଡ଼ିଶାଲାଇଭ୍‍

Prajjwal Thakur

প্রজ্জ্বল ঠাকুর আজিম প্রেমজী বিশ্ববিদ্যালয়ে স্নাতকস্তরের ছাত্র।

Other stories by Prajjwal Thakur
Editor : Sarbajaya Bhattacharya

সর্বজয়া ভট্টাচার্য বরিষ্ঠ সহকারী সম্পাদক হিসেবে পিপলস আর্কাইভ অফ রুরাল ইন্ডিয়ায় কর্মরত আছেন। দীর্ঘদিন যাবত বাংলা অনুবাদক হিসেবে কাজের অভিজ্ঞতাও আছে তাঁর। কলকাতা নিবাসী সর্ববজয়া শহরের ইতিহাস এবং ভ্রমণ সাহিত্যে সবিশেষ আগ্রহী।

Other stories by Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE