‘‘ଗୋଟିଏ ଛୋଟ ଭୁଲ ହେଲେ ଆପଣଙ୍କୁ କୋୟତା ସ୍ଥାନରେ ସତ୍ତୁର ମିଳିବ!’’ ରାଜେଶ ଚାଫେକରଙ୍କୁ କଂସେଇଙ୍କ ଛୁରୀ ଓ ଗୋଟିଏ ଦା’ ଭିତରେ ଫରକ ଜଣାଥିବ। ଜଣେ କୁଶଳୀ ଲୋହାର (କମାର) ଭାବେ ସେ ମହାରାଷ୍ଟ୍ରର ଆକଟଣ ଗାଁରେ ଥିବା ନିଜ କମାରଶାଳରେ ୧୦,୦୦୦ରୁ ଅଧିକ ଲୁହା ଯନ୍ତ୍ରପାତି ତିଆରି କରିଛନ୍ତି।

୫୨ ବର୍ଷ ବୟସ୍କ ରାଜେଶ ତାଙ୍କ ବାପା ଦତ୍ତାତ୍ରେୟ ଚାଫେକରଙ୍କଠାରୁ ଏହି କାମ ଶିଖିଛନ୍ତି ଏବଂ ସେ ପାଞ୍ଚାଲ ଲୋହାର ମାନଙ୍କ ଦୀର୍ଘ ଦିନର ବେଉସାକୁ ଆଗେଇ ନେଉଛନ୍ତି। ଜଣେ କମାର ଭାବେ ମହାରାଷ୍ଟ୍ରର କୃଷକ ସମାଜ ମଧ୍ୟରେ ତାଙ୍କର ବିଶେଷ ଲୋକପ୍ରିୟତା ରହିଛି। ‘‘ଲୋକମାନେ କୁହନ୍ତି, ‘ ଆକଟଣ ସେ ହି ହତ୍ୟାର୍‌ ଲେକେ ଆଓ ’ (କେବଳ ଆକଟଣରୁ ଯନ୍ତ୍ରପାତି ନେଇ ଆସ),’’ ବସଇ ତାଲୁକାର ଏହି ସପ୍ତମ ପିଢ଼ିର କମାର କହିଥାନ୍ତି। ସେ ୨୫ଟି ଭିନ୍ନ ଭିନ୍ନ ପ୍ରକାରର କୃଷି ଯନ୍ତ୍ରପାତି ତିଆରି କରିପାରିବେ।

ଡଙ୍ଗା ତିଆରିରେ ବ୍ୟବହୃତ ଏକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ତାସଣୀ ପାଇଁ ଅଧିକ ମାତ୍ରାରେ ଅର୍ଡର ଦେବାକୁ ଏଠାରୁ ୯୦ କିଲୋମିଟର ଦୂର ନଭୀ ମୁମ୍ବାଇର ଉରଣରୁ ଲୋକମାନେ ଆସୁଥିଲେ। ‘‘ଗିର୍‌ହାଇକ୍‌ (ଗ୍ରାହକ) ଆମ ଘରେ ଚାରି ଦିନ ରହୁଥିଲେ ଏବଂ ଆମେ ବିଭିନ୍ନ ଯନ୍ତ୍ରପାତି ତିଆରି କରିବା ସମୟରେ ସେଗୁଡ଼ିକୁ ଦେଖୁଥିଲେ,’’ ସେ ପୂର୍ବ କଥା ମନେ ପକାଇ କୁହନ୍ତି।

ଆକଟଣ ଗାଁର ସଂକୀର୍ଣ୍ଣ ଗଳିଗୁଡ଼ିକୁ ପାରମ୍ପରିକ ଭାବେ ଜାତି ଆଧାରିତ ବେଉସା ଅନୁଯାୟୀ ବିଭାଜିତ କରାଯାଇଛି: ସୋନାର (ବଣିଆ), ଲୋହାର୍‌ (କମାର), ସୂତାର୍‌ (ବଢ଼େଇ), ଚମ୍ଭାର (ମୋଚି) ଏବଂ କୁମ୍ଭାର (କୁମ୍ଭାର) ଆଦି। ଗାଁ ଲୋକମାନେ କୁହନ୍ତି ଯେ, ସେମାନେ ସବୁବେଳେ ଶିଳ୍ପକାରମାନଙ୍କର ପୂଜନୀୟ ଦେବତା ବିଶ୍ୱକର୍ମାଙ୍କୁ ସବୁବେଳେ ପୂଜା କରି ଆସୁଛନ୍ତି। ୨୦୦୮ ପରଠାରୁ ପାଞ୍ଚାଲ ଲୋହାର୍‌ମାନଙ୍କୁ ଯାଯାବର ଜନଜାତି ଭାବେ ତାଲିକାଭୁକ୍ତ କରାଯାଇଛି, ଏଥିପୂର୍ବରୁ ସେମାନେ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ଭାବେ ବର୍ଗୀକୃତ ହୋଇଥିଲେ।

ରାଜେଶ କୁହନ୍ତି ତାଙ୍କୁ ୧୯ ବର୍ଷ ବୟସ ହେବା ସମୟରେ ନିଜ ପରିବାରର କମାର ବେଉସାକୁ ଆଗେଇ ନେବା ଲାଗି ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା। ଏହା ପରିବର୍ତ୍ତେ ସେ ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ଷ୍ଟୋର୍‌ ଜଗିବା କାମ କରି ମାସିକ ୧,୨୦୦ ଟଙ୍କା ପାରିଶ୍ରମିକ ପାଉଥିଲେ । ହେଲେ ତାଙ୍କର ବଡ଼ ଯୌଥ ପରିବାରରେ ସମସ୍ୟା ଦେଖାଦେବା କାରଣରୁ ତାଙ୍କ ବାପା ବେକାର ହୋଇଗଲେ, ଫଳରେ ପରିବାରର ବଡ଼ ପୁଅ ହିସାବରେ ସେ ବାଧ୍ୟ ହୋଇ ପାରିବାରିକ ବେଉସାରେ ଯୋଗ ଦେଲେ।

Rajesh Chaphekar, a blacksmith in Vasai taluka's Actan village with a sickle (left) made by him.
PHOTO • Ritu Sharma
He learnt the craft from his father Dattatrey Chaphekar, whose photo he is holding (right)
PHOTO • Ritu Sharma

ବସଇ ତାଲୁକାର ଆକଟଣ ଗ୍ରାମର ଜଣେ କମାର ରାଜେଶ ଚାଫେକର ନିଜେ ତିଆରି କରିଥିବା ଏକ ଦା’ (ବାମ) ଧରି ଛିଡ଼ା ହୋଇଛନ୍ତି। ସେ ତାଙ୍କ ବାପା ଦତ୍ତାତ୍ରେୟ ଚାଫେକରଙ୍କଠାରୁ ଏହି କାମ ଶିଖିଥିଲେ ଯାହାଙ୍କ ଫଟୋ ସେ ଧରିଛନ୍ତି (ଡାହାଣ)

Rajesh's workshop (left) is close to the popular Actan cross (right), which leads to the lane where only lohars once lived
PHOTO • Ritu Sharma
Rajesh's workshop (left) is close to the popular Actan cross (right), which leads to the lane where only lohars once lived
PHOTO • Ritu Sharma

ରାଜେଶଙ୍କ କାର୍ଯ୍ୟଶାଳା (ବାମ) ପ୍ରସିଦ୍ଧ ଆକଟଣ ଛକ ନିକଟରେ ରହିଛି, ଏଇଠୁ ଯେଉଁ ଅଞ୍ଚଳକୁ ରାସ୍ତା ପଡ଼ିଛି ସେଠାରେ କେବଳ ଲୋହାରମାନେ ରୁହନ୍ତି

ଏବେ ତିନି ଦଶନ୍ଧି ପରେ ସେ ଜଣେ କୁଶଳୀ କମାରରେ ପରିଣତ ହୋଇଛନ୍ତି। ତାଙ୍କର କାର୍ଯ୍ୟ ଦିବସ ସକାଳ ୭ଟାରେ ଆରମ୍ଭ ହୋଇଥାଏ ଏବଂ ପରବର୍ତ୍ତୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ। ମଝିରେ ମଝିରେ ସେ ଚା’ ଜଳଖିଆ ପାଇଁ ବିଶ୍ରାମ ନିଅନ୍ତି। ଗୋଟିଏ ଦିନରେ ସେ ତିନୋଟି ଯନ୍ତ୍ରପାତି ତିଆରି କରିପାରିବେ। ତାଙ୍କ ଗ୍ରାହକଙ୍କ ମଧ୍ୟରେ ବସଇର ଭୁଇଗାଁରେ ଏବଂ ମୁମ୍ବାଇ ଗୋରାଇ ଗାଁରେ ରହୁଥିବା ବେନାପଟ୍ଟିର ଆଦିବାସୀ ଅଛନ୍ତି।

ତାଙ୍କ ଦ୍ୱାରା ପ୍ରସ୍ତୁତ ଯନ୍ତ୍ରପାତି ମଧ୍ୟରୁ କୋୟତା (ଛୋଟ ଦା’), ମୋର୍ଲି (ପରିବା ଓ ମାଂସ କାଟିବା ପାଇଁ ବ୍ୟବହୃତ ପନିକି) ଔତ (ହଳ), ତାସଣୀ (ଖୁରୁପି), କାତୀ (ମାଛ କଟା ଯନ୍ତ୍ରପାତି), ଚିମଟୀ (ଚିମୁଟା) ଏବଂ ସତ୍ତୁର (କଂସେଇର ମାଛ କଟା ଅସ୍ତ୍ର) ଅଧିକ ବିକ୍ରି ହୁଏ।

ରାଜେଶ ବରାଦ ଅନୁଯାୟୀ ଯନ୍ତ୍ରପାତି ମଧ୍ୟ ତିଆରି କରିଥାନ୍ତି କାରଣ, ‘‘ପ୍ରତ୍ୟେକ ଗାଁର ନିଜସ୍ୱ ଡିଜାଇନ୍‌ ଓ ଆବଶ୍ୟକତା ରହିଛି । ତାଡ଼ି ସଂଗ୍ରହକାରୀମାନେ ଗଛ ଚଢ଼ିବା ସମୟରେ ସେମାନେ କୋୟତା (ଛୋଟ ଦା’)କୁ ଚାପି ଧରିବା ପାଇଁ ମୋଟା ବେଣ୍ଟ ଥିବା ଯନ୍ତ୍ରପାତି ଆବଶ୍ୟକ କରନ୍ତି।’’ କଦଳୀ ଓ ନଡ଼ିଆ ଚାଷ କରୁଥିବା ଚାଷୀମାନେ ବର୍ଷ ସାରା ନିଜ ଯନ୍ତ୍ରପାତିକୁ ଧାର କରିବା ଓ ମରାମତି କରିବା ଲାଗି ପଠାଇଥା’ନ୍ତି।

‘‘ଏହା ବଦଳରେ ଆମକୁ ଉପହାର ମିଳିଥାଏ,’’ ସେ କୁହନ୍ତି। ଜଣେ ସ୍ଥାନୀୟ ଚାଷୀଙ୍କ କଟୁରୀକୁ ଭଲ ଭାବେ ଧାର କରି ଦେବା ପରେ ଖୁସି ହୋଇ ସେ ଦେଇଥିବା ସତେଜ ନଡ଼ିଆକୁ ରାଜେଶ ଦେଖାଇ ଦିଅନ୍ତି। ସେ ଆହୁରି କୁହନ୍ତି, ‘‘ଯେତେବେଳେ ମୁଁ କାତୀ (ମାଛ କାଟୁଥିବା ଯନ୍ତ୍ରପାତି) ମରାମତି କରିଥାଏ କୋଲି ଭାଇମାନେ ବେଳେବେଳେ ଆମ ପାଇଁ ଦିନର ସତେଜ ମାଛ ନେଇ ଆସନ୍ତି।’’

ତାଙ୍କୁ ପୁଣେର ୱାଘୋଲିରୁ ମଧ୍ୟ ବେଳେବେଳେ ଅର୍ଡର ମିଳିଥାଏ କାରଣ ସେହି ଅଞ୍ଚଳରେ ଖୁବ୍‌ କମ୍‌ କମାର ଅଛନ୍ତି। ‘‘ ତ୍ୟାଞ୍ଚେ ସତ୍ତୁର ଅସତାତ, ବକରେ କାପାୟଲା (ଛେଳି ମାଂସ କାଟିବା ପାଇଁ ସେମାନେ କଂସେଇ ଛୁରୀ ଅର୍ଡର ଦିଅନ୍ତି)

ଅଭିନବ କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା ରାଜେଶ, ଶୁଖିଲା ଟାଣ ନଡ଼ିଆକୁ ସହଜରେ କାଟିବା ପାଇଁ ଏକ ବିଶେଷ ଧରଣର କଟୁରୀ ତିଆରି କରିଛନ୍ତି। ‘‘ମୁଁ ପରୀକ୍ଷନିରୀକ୍ଷା ଜାରି ରଖିଥାଏ। କିନ୍ତୁ ମୁଁ ଆପଣଙ୍କୁ ଏହା ଦେଖାଇବି ନାହିଁ। ଏହା ମୋର ପେଟେଣ୍ଟ!’’ ସେ ସ୍ମିତ ହସି କୁହନ୍ତି ଏବଂ କୌଣସି ଫଟୋ ଉଠାଇବା ପାଇଁ ଅନୁମତି ଦିଅନ୍ତି ନାହିଁ ।

Rajesh can make more than 25 different types of tools (left), many of which he innovates for his customers (right) after understanding their requirements
PHOTO • Ritu Sharma
Rajesh can make more than 25 different types of tools (left), many of which he innovates for his customers (right) after understanding their requirements
PHOTO • Ritu Sharma

ରାଜେଶ ୨୫ ପ୍ରକାରର ଭିନ୍ନ ଭିନ୍ନ ଯନ୍ତ୍ରପାତି ତିଆରି କରିପାରିବେ, ଅଧିକାଂଶ ଯନ୍ତ୍ରପାତି କୁ ସେ ନିଜର ଗ୍ରାହକଙ୍କ ଆବଶ୍ୟକତା ଅନୁରୂପ ଡିଜାଇନ କରିଥାନ୍ତି (ଡାହାଣ)

Sonali Chaphekar, Rajesh's wife holds a traditional morli used to cut vegetables and fruits (left).
PHOTO • Ritu Sharma
For elderly women who can't sit on the floor, Rajesh has designed a compact morli that be attached to the kitchen platform (right)
PHOTO • Ritu Sharma

ରାଜେଶଙ୍କ ପତ୍ନୀ ସୋନାଲି ଚାଫେକର ଏକ ମୋର୍ଲି (ପନିକି)ଧରିଛନ୍ତି ଯାହାକୁ ଫଳ ଓ ପନିପରିବା କାଟିବା ଲାଗି ବ୍ୟବହାର କରାଯାଏ (ବାମ)। ଚଟାଣରେ ବସି ପାରୁନଥିବା ବୟସ୍କ ମହିଳାଙ୍କ ପାଇଁ ରାଜେଶ ଏକ ସୁଗଠିତ ମୋର୍ଲି ତିଆରି କରିଛନ୍ତି ଯାହାକୁ ରୋଷେଇ ଘର ସ୍ଲାବ୍‌ରେ ଲଗାଯାଇପାରିବ

ସବୁଠୁ ବିକ୍ରି ହେଉଥିବା ସରଞ୍ଜାମ ମଧ୍ୟରେ ମୋର୍ଲି (ପନିକି) ନାମକ ସୁଗଠିତ ଯନ୍ତ୍ରପାତି ରହିଛି ଯାହାକୁ ରୋଷେଇ ଘର ସ୍ଲାବ୍‌ରେ ଲଗାଇ ପନିପରିବା କାଟିବା ପାଇଁ ବ୍ୟବହାର କରାଯାଇପାରିବ। ତଳେ ବସି ପନିକିରେ କାଟି ପାରୁନଥିବା ବୟସ୍କ ମହିଳାଙ୍କ ପାଇଁ ଏହା ବିଶେଷ ଉପଯୋଗୀ ହୋଇଥାଏ।

ବର୍ଷା ଋତୁରେ ଚାଷୀମାନେ ସହରକୁ ଦିନ ମଜୁରି କାମ ପାଇଁ ଚାଲି ଯାଆନ୍ତି, ତେଣୁ ବିକ୍ରି କମିଯାଏ। ‘‘ବେଳେବେଳେ ମୋର ଦିନକୁ ୧୦୦ ଟଙ୍କା ରୋଜଗାର ହୁଏ ଓ ଆଉ କେବେ ମାତ୍ର ୧୦ ଟଙ୍କା। ବେଳେବେଳେ ମୁଁ ଗୋଟିଏ ଦିନରେ ୩,୦୦୦ କିମ୍ବା ୫,୦୦୦ ଟଙ୍କା ରୋଜଗାର କରେ ଏବଂ ପରଦିନ କିଛି ରୋଜଗାର ନଥାଏ। ମୁଁ ଆକଳନ କରିପାରିବି ନାହିଁ,’’ ନିଜ ରୋଜଗାର ବିଷୟରେ ସୂଚନା ଦେଇ ସେ କୁହନ୍ତି । ‘‘ ଗିର୍‌ହାଇକ୍‌ ଆଣି ମରଣ କଧି ୟେୟିଲ କାୟ ସାଂଗତା ୟେତଁ କା (ଗ୍ରାହକ ଓ ମୃତ୍ୟୁ କେବେ ଆପଣଙ୍କ ଦ୍ୱାରକୁ ଆସିବେ ଆପଣ କହିପାରିବେ କି)?’’

*****

ସବୁଦିନ ସକାଳ ପ୍ରାୟ ୯ଟା ବେଳେ ରାଜେଶ ନିଜର ଭଟ୍ଟି (ଭାଟି) ଜଳାଇଥା’ନ୍ତି।

ଯେଉଁଦିନ ପରୀ ସେଠାକୁ ଯାଇଥାଏ, ସେ ନିଜ ଭାଟି ଗରମ ହେବାକୁ ଅପେକ୍ଷା କରିଥା’ନ୍ତି, ଏହି ସମୟରେ ଜଣେ ସ୍ଥାନୀୟ ଲୋକ ଆସି ଆଳୁଟିଏ ବଢ଼ାଇ ଦିଅନ୍ତି। ସେମାନଙ୍କ ଭିତରେ କିଛି କଥାବାର୍ତ୍ତା ହୁଏ ନାହିଁ। ରାଜେଶ ଆଳୁଟିକୁ ନେଇ ଭାଟିର ଗୋଟିଏ ଭାଗରେ ପୋତି ଦିଅନ୍ତି। ‘‘ସେ କୋଇଲାରେ ପୋଡ଼ା ହୋଇଥିବା ଆଳୁ ଭଲ ପାଆନ୍ତି, ଗୋଟିଏ ଘଣ୍ଟା ପରେ ଆସି ସେ ଏହାକୁ ନେଇଯିବେ,’’ ରାଜେଶ ଆମକୁ କୁହନ୍ତି।

କିଛି ସମୟ ପରେ ଦିନର ପ୍ରଥମ ଗ୍ରାହକ ଆସନ୍ତି ଏବଂ ଧାର କରିବା ଲାଗି ଚାରିଟି ଦା’ ଦିଅନ୍ତି। କିଛି ସମୟ ରହି ସେ ପଚାରନ୍ତି, ‘‘ଏହା ଜରୁରି କି ନୁହେଁ?’’ ଗ୍ରାହକ ତାଙ୍କୁ ଆଶ୍ୱାସନା ଦେଇ କୁହନ୍ତି ଯେ, ଏହା ଜରୁରି ନୁହେଁ ଏବଂ କିଛି ଦିନ ପରେ ଆସି ସେ ଏହାକୁ ନେଇଯିବେ।

‘‘କ’ଣ କରିବି, ମୋତେ ପଚାରିବାକୁ ହେବ। ମୋ ସାଙ୍ଗରେ କେହି ନାହାନ୍ତି,’’ ରାଜେଶ କୁହନ୍ତି।

ଦିନର ଅର୍ଡର ଆସିବା ଆରମ୍ଭ ହେବା ସହିତ, ସେ ନିଜ ପାଇଁ ଆବଶ୍ୟକ କଞ୍ଚାମାଲ ଏକାଠି କରିବା ଆରମ୍ଭ କରି ଦିଅନ୍ତି। ଏହା ଜରୁରୀ କାରଣ ଥରେ ଭାଟି ଗରମ ହୋଇଗଲେ, ତାଙ୍କ ହାତ ପାଖରେ ସବୁ ଜିନିଷ ରହିବା ଜରୁରି। ସେ ଛଅରୁ ଆଠ କିଲୋଗ୍ରାମ କୋଇଲାକୁ ଏକ ପାତ୍ରରେ ଭରନ୍ତି ଏବଂ ନିଜର ଖାଲି ହାତରେ ପଥରଗୁଡ଼ିକୁ ଅଲଗା କରିବା ଆରମ୍ଭ କରି ଦିଅନ୍ତି। ସେ କୁହନ୍ତି, ‘‘ଛୋଟ ପଥର କୋଇଲା ଜଳିବାର ପ୍ରକ୍ରିୟାକୁ ଧିମେଇ ଦିଅନ୍ତି ଏବଂ ଭାଟିରେ ନିଆଁ ଜଳାଇବା ପୂର୍ବରୁ ସେଗୁଡ଼ିକୁ ବାହାର କରିବା ଜରୁରି ହୋଇଥାଏ।’’

Rajesh removing small stones from the coal (left).
PHOTO • Ritu Sharma
He adds small strands of wood shavings (right) to ignite the forge
PHOTO • Ritu Sharma

ରାଜେଶ କୋଇଲାରୁ ଛୋଟ ପଥର ଅଲଗା କରୁଛନ୍ତି (ବାମ)। ସେ ଭାଟିକୁ ଜଳାଇବା ପାଇଁ ଛୋଟ ଛୋଟ କାଠ ଛାଲି ପକାଉଛନ୍ତି (ଡାହାଣ)

The raw metal (left) is hammered and shaped on the airan (metal block). It is periodically placed inside the forge for ease of shaping
PHOTO • Ritu Sharma
The raw metal (left) is hammered and shaped on the airan (metal block). It is periodically placed inside the forge for ease of shaping
PHOTO • Ritu Sharma

କଞ୍ଚା ଧାତୁ (ଡାହାଣ)କୁ ହାତୁଡ଼ିରେ ପିଟି ଐରଣ (ଧାତବ ଢାଞ୍ଚା) ରୂପ ଦିଆଯାଏ। ସଠିକ ଆକାରରେ ପ୍ରସ୍ତୁତ କରିବା ପୂର୍ବରୁ ଯନ୍ତ୍ରପାତି ଗୁଡ଼ିକୁ ଅଳ୍ପ ଅଳ୍ପ ବ୍ୟବଧାନରେ ଭାଟିରେ ଶେକିବାକୁ ହୋଇଥାଏ

ଦକ୍ଷ କମାର ରାଜେଶ ଏହାପରେ ଦ୍ରୁତ ଗତିରେ କୋଇଲା ଉପରେ କାଠ ଛାଲି ପକାଇଥା’ନ୍ତି, ଯାହାଫଳରେ ଭାଟିରୁ ନିଆଁ ଲିଭିବ ନାହିଁ । ଗୋଟିଏ ଭାତା, ଯାହାକୁ ପୂର୍ବରୁ ଧମନୀ ବୋଲି କୁହାଯାଉଥିଲା, ଭାଟିର ନିଆଁକୁ ଜଳାଇ ରଖିବାରେ ସହାୟତା କରିଥାଏ। ଏହା ଭାଟିକୁ ଗରମ ରଖିବା ପାଇଁ ଅତିରିକ୍ତ ପବନ ଯୋଗାଇ ଦେବା ସହିତ ପବନ ମାର୍ଗକୁ ନିୟନ୍ତ୍ରଣ କରିଥାଏ।

ପ୍ରଥମେ ମୂଳ ଧାତୁକୁ ଭାଟିରେ ପାଞ୍ଚ ସାତ ମିନିଟ୍‌ ପର୍ଯ୍ୟନ୍ତ ଗରମ କରାଯାଏ। ଏହାପରେ ଗରମ ଚମକୁଥିବା ଧାତୁକୁ ଐରଣ (ଲୁହା ମୁଣ୍ଡା) ଉପରେ ରଖାଯାଏ। ଏହା ଲୁହାର ଏକ ବଡ଼ ଆଧାର ହୋଇଥାଏ। ତା’ପରେ ରାଜେଶ ଧାତୁକୁ ଉପରୁ ଓ ତଳୁ ଚିମୁଟାରେ ଧରି ଘନ (ହାତୁଡ଼ି)ରେ ଲଗାତାର ପିଟନ୍ତି, ‘‘ଧାତୁ ଥଣ୍ଡା ହେବା ପୂର୍ବରୁ ଏହି କାମ ଲଗାତାର କରିବାକୁ ହୋଇଥାଏ, ନଚେତ୍‌ ଏହାର ଆକାର ବିଗିଡ଼ିଯିବାର ଆଶଙ୍କା ରହିଥାଏ।’’

ରାଜେଶ ଗୋଟିଏ ଛୋଟ ହାତୁଡ଼ି ଏବଂ ତାଙ୍କ ପୁଅ ଓମ୍‌ ବଡ଼ ହାତୁଡ଼ି ଉପଯୋଗ କରିଥାନ୍ତି। ସେମାନେ ଅନେକ ଘଣ୍ଟା ପର୍ଯ୍ୟନ୍ତ ମିଳିତ ଭାବେ ଧାତୁକୁ ଗରମ କରିବା ଏବଂ ପିଟିବାର ଶ୍ରମସାପେକ୍ଷ କାମ କରିଥାନ୍ତି । ଏହାପରେ ସେମାନେ ମନମୁତାବକ ଆକୃତିର ଯନ୍ତ୍ରପାତି ତିଆରି କରିବାକୁ ସକ୍ଷମ ହୁଅନ୍ତି। ଥରେ ଯନ୍ତ୍ରପାତିର ଆକାର ପ୍ରସ୍ତୁତ ହୋଇଗଲେ, ମାନ୍ଦଲ (ଷ୍ଟିଲର ଏକ ଗୋଲାକାର ବୃତ୍ତ) ସହାୟତାରେ ଧାତୁ ଯନ୍ତ୍ରପାତିରେ କାଠ ବେଣ୍ଟ ଲଗାଯାଏ।

ଦ୍ୱିତୀୟ ପର୍ଯ୍ୟାୟ ହେଉଛି କଞ୍ଚା ଧାତୁକୁ ସମାନ କରିବା। ସେ ୮୦ ବର୍ଷ ପୁରୁଣା ଏକ ଗ୍ରାଇଣ୍ଡ ଷ୍ଟୋନ୍‌ (ଧାର କରିବା ପଥର) ବ୍ୟବହାର କରି ଯନ୍ତ୍ରପାତିରେ ଧାର ଦେଇଥା’ନ୍ତି। ରାଜେଶ ପିତାଙ୍କଠାରୁ ପାଇଥିବା ଏକ ମୋଗରୀ, ଏକ ଫାଇଲିଂ ଯନ୍ତ୍ରପାତି ବ୍ୟବହାର କରି ହସ୍ତନିର୍ମିତ ଯନ୍ତ୍ରପାତିକୁ ଅନ୍ତିମ ରୂପ ଦେଇଥା’ନ୍ତି।

ତାଙ୍କର କମାର ଶାଳରେ ପ୍ରାୟତଃ ସବୁବେଳେ ଧୂଆଁ ଭରି ରହିଥାଏ, କିନ୍ତୁ ଏଥିରେ ତାଙ୍କୁ କିଛି ଫରକ ପଡ଼ିନଥାଏ। ‘‘ମୋତେ ଗରମ ପସନ୍ଦ। ମଜ୍ଜା ଆତା ହୈ ମେରେକୋ (ମୋତେ ମଜା ଲାଗିଥାଏ)।’’ ଭାଟି ପାଖରେ ବସିବା ଅସହନୀୟ ହୋଇଥିବାରୁ, ସେ କିଛି କିଛି ସମୟ ବ୍ୟବଧାନରେ ନିଜ ପାଦରେ ପାଣି ସିଞ୍ଚନ କରନ୍ତି । ଏଥିରୁ ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥାଏ।

Left: Rajesh shaping his tools using a small hammer.
PHOTO • Ritu Sharma
Right: His son Om helps out in the workshop
PHOTO • Ritu Sharma

ବାମ : ରାଜେଶ ଗୋଟିଏ ଛୋଟ ହାତୁଡ଼ି ସହାୟତାରେ ତାଙ୍କ ଯନ୍ତ୍ରପାତି କୁ ଆକାର ଦେଉଛନ୍ତି । ଡାହାଣ : କମାର ଶାଳରେ ତାଙ୍କ ପୁଅ ସହାୟତା କରୁଛନ୍ତି

The veteran blacksmith is almost done shaping the sickle (left).
PHOTO • Ritu Sharma
The last step is to attach the maandal (steel circular ring) and wooden base to it (right)
PHOTO • Ritu Sharma

ଏହି କୁଶଳୀ କମାର ଗୋଟିଏ କଟୁରୀକୁ ପ୍ରାୟତଃ ଆକାର ଦେଇସାରିଛନ୍ତି (ବାମ)। ଏବେ ଶେଷ କାମ ହେଉଛି ଏଥିରେ ମାନ୍ଦଲ (ଷ୍ଟିଲ ଗୋଲାକୃତି ରିଙ୍ଗ) ଏବଂ କାଠର ବେଣ୍ଟ ଲଗାଇବା

ଜଣେ ସ୍ଥାନୀୟ ୟୁଟ୍ୟୁବରଙ୍କ ଦ୍ୱାରା ପ୍ରସ୍ତୁତ ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ବିଦେଶରେ ରହୁଥିବା ଭାରତୀୟଙ୍କଠାରୁ ଅର୍ଡର ମିଳିବା ଆରମ୍ଭ ହୋଇଛି। କିନ୍ତୁ ସେ ନିଜ ତିଆରି ଯନ୍ତ୍ରପାତିଗୁଡ଼ିକୁ ଏଥିପାଇଁ ପଠାଇପାରୁନାହାନ୍ତି, କାରଣ ସେଗୁଡ଼ିକ ଅସ୍ତ୍ରଶସ୍ତ୍ର ବର୍ଗରେ ଆସୁଛି। ଏବେ ଅଷ୍ଟ୍ରେଲିଆରୁ ଆସିଥିବା ଜଣେ ଗ୍ରାହକ ନିଜେ ତାଙ୍କ କମାର ଶାଳକୁ ଆସି ତାଙ୍କଠାରୁ କଂସେଇଙ୍କ ଛୁରୀ କିଣି ନେଇଥିଲେ।

ରାଜେଶଙ୍କର ପାଖରେ ନିଜସ୍ୱ ବିଶ୍ୱସ୍ତ ଗ୍ରାହକ ଅଛନ୍ତି, କିନ୍ତୁ ତାଙ୍କ ପାଇଁ ଅର୍ଡର ପୂରଣ କରିବା କଷ୍ଟକର ହୋଇପଡ଼ୁଛି, କାରଣ ତାଙ୍କୁ ସାହାଯ୍ୟ କରିବାକୁ କେହି ନାହାନ୍ତି। ‘‘ମୁଁ ନିଜ ଗ୍ରାହକମାନଙ୍କୁ କାଲି ଆସନ୍ତୁ ବୋଲି କହିପାରିବି ନାହିଁ,’’ ସେ କୁହନ୍ତି।

ତାଙ୍କ ସମାଜର ଅନେକ ଲୋକ ଉନ୍ନତ ରୋଜଗାର ସୁଯୋଗ ସନ୍ଧାନରେ ଏବେ ଠାଣେ ଏବଂ ମୁମ୍ବାଇ ଯାଇ ରହିଲେଣି। ରେଳବାଇରେ କାମ କରିବା କିମ୍ବା ଛୋଟମୋଟ ବ୍ୟବସାୟ କରିବାରେ ଉନ୍ନତ ରୋଜଗାର ସୁଯୋଗ ମିଳିଥାଏ: ‘‘ଯେହେତୁ ଆଉ ଚାଷ ଜମି ନାହିଁ, ଏବେ ଆମେ କ’ଣ କରିବୁ।’’ ରାଜେଶ ତିରିଶ ବର୍ଷ ତଳ କଥା ମନେ ପକାଇ କୁହନ୍ତି, ଯେତେବେଳେ ତାଙ୍କ ଗଳିରେ କମାରଙ୍କର ପ୍ରାୟ ୧୦ ରୁ ୧୨ଟି କମାର ଶାଳ ଥିଲା। ସେ କୁହନ୍ତି, ‘‘ ଆତା ଦୋନଚ ରାହିଲେ! (ଏବେ ମାତ୍ର ଦୁଇଟି ରହିଯାଇଛି!)’’ ରାଜେଶଙ୍କ ବ୍ୟତୀତ ତାଙ୍କ କକା ପୁଅ ଭାଇ ତାଙ୍କ ସମାଜରେ କାମ କରୁଥିବା ଏକମାତ୍ର କମାର ଅଟନ୍ତି।

ତାଙ୍କ ପତ୍ନୀ ସୋନାଲି ଜଣେ ଶିକ୍ଷୟିତ୍ରୀ ଏବଂ କମାର ବେଉସାକୁ ଜାରି ରଖିବା ଲାଗି ତାଙ୍କ ସ୍ୱାମୀଙ୍କ ନିଷ୍ପତ୍ତିକୁ ନେଇ ସେ ଗର୍ବ କରିଥା’ନ୍ତି। ‘‘ଆଜିର ଦିନରେ ସମସ୍ତେ ସହଜରେ ଅର୍ଥ ରୋଜଗାର କରିବାକୁ ଚାହୁଁଛନ୍ତି। ଭଟ୍ଟି ପାଖରେ ବସି କିଏ ଘନ (ହାତୁଡ଼ି ପିଟିବ?’’ ସେ ପଚାରନ୍ତି।

ତାଙ୍କର ୨୦ ବର୍ଷର ପୁଅ ଓମ୍‌ ଇଞ୍ଜିନିୟରିଂ ପଢ଼ୁଛି। ‘‘ମୁଁ ସବୁବେଳେ ସପ୍ତାହାନ୍ତରେ ମୋତେ ସାହାଯ୍ୟ କରିବା ପାଇଁ ତା’କୁ କହିଥାଏ; ଏହି କଳା ଲୁପ୍ତ ହେବା ଉଚିତ୍‌ ନୁହେଁ।’’ ରାଜେଶ ଏହା ମଧ୍ୟ ଚାହାନ୍ତି ଯେ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ତାଙ୍କର ଏହି ଯନ୍ତ୍ରପାତି ତିଆରି ବେଉସାକୁ ସାଇତି ରଖନ୍ତୁ। ‘‘ମୋ ପାଖରେ ମୋ ଜେଜେବାପା ଏବଂ ବାପାଙ୍କ ତିଆରି ଯନ୍ତ୍ରପାତି ସବୁ ସୁରକ୍ଷିତ ରହିଛି। ଆପଣ ପିଟିବା ଶୈଳୀକୁ ଦେଖି ସେହି ଯନ୍ତ୍ରପାତି କାହା ଦ୍ୱାରା ତିଆରି ହୋଇଛି ଜାଣିପାରିବେ। ପ୍ରତ୍ୟେକ କମାରଙ୍କ ହାତୁଡ଼ି ପିଟିବାର ଶୈଳୀ ଭିନ୍ନ ହୋଇଥାଏ।’’

The lohar adds final touches to the sickle (left) and puts it inside the forge (right)
PHOTO • Ritu Sharma
The lohar adds final touches to the sickle (left) and puts it inside the forge (right)
PHOTO • Ritu Sharma

ଲୋହାର ଏକ କଟୁରୀ (ବାମ)କୁ ଅନ୍ତିମ ରୂପ ଦେଉଛନ୍ତି ଏବଂ ତା’କୁ ଭାଟି (ଡାହାଣ) ଭିତରେ ରଖି ଦେଉଛନ୍ତି

Rajesh sharpens (left) and then files (right) the newly crafted tools before they are handed over to the customer
PHOTO • Ritu Sharma
Rajesh sharpens (left) and then files (right) the newly crafted tools before they are handed over to the customer
PHOTO • Ritu Sharma

ରାଜେଶ ନୂଆ କରି ତିଆରି ହୋଇଥିବା ଯନ୍ତ୍ରପାତି (ବାମ)କୁ ଧାର କରିବା ସହିତ ଫାଇଲ (ଡାହାଣ) ମାରୁଛନ୍ତି। ସମ୍ପୂର୍ଣ୍ଣ ଭାବେ ତିଆରି ହେବା ପରେ ଏଗୁଡ଼ିକୁ ଗ୍ରାହକମାନଙ୍କୁ ଦିଆଯିବ

ଭାଟିକୁ ଜଳାଇ ରଖିବା ଲାଗି କୋଇଲା କିଣିବା ବହୁ ଖର୍ଚ୍ଚ ବହୁଳ ହୋଇଗଲାଣି। କୋଲ୍‌ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ) ୨୦୨୩ରେ ହାଇ-ଗ୍ରେଡ୍‌ କୋଇଲା ମୂଲ୍ୟରେ ୮ ପ୍ରତିଶତ ବୃଦ୍ଧି କରିଥିଲା। ‘’୩୨ ବର୍ଷ ପୂର୍ବରୁ ମୁଁ ଯେତେବେଳେ ଏହି କାମ ଆରମ୍ଭ କରିଥିଲି, ଯେତେବେଳେ ଏହା କିଲୋପ୍ରତି ମାତ୍ର ୩ ଟଙ୍କାରେ ମିଳୁଥିଲା। ଆଜି ଏହାର ମୂଲ୍ୟ ବୃଦ୍ଧି ପାଇଁ କିଲୋପ୍ରତି ୫୭ ଟଙ୍କାରେ ପହଞ୍ଚିଲାଣି,’’ ସେ କହିଥାନ୍ତି।

ଦୈନିକ ବ୍ୟବହାର କରାଯାଉଥିବା କୋଇଲାର ଦାମ୍‌ ଉଠାଇବା ସବୁଠୁ ବଡ଼ ଆହ୍ୱାନ। ସେ ଗୋଟିଏ କଟୁରୀକୁ ୭୫୦ ଟଙ୍କାରେ ବିକ୍ରି କରନ୍ତି। ଗୋଟିଏ କଟୁରୀ ତିଆରି କରିବା ଲାଗି ତାଙ୍କୁ ପ୍ରାୟ ଛଅ କିଲୋଗ୍ରାମ କୋଇଲା ଏବଂ ଦୁଇରୁ ତିନି କିଲୋଗ୍ରାମ କଞ୍ଚା ଲୁହା ଦରକାର ହୁଏ, ଯାହାର ମୂଲ୍ୟ ୧୨୦-୧୪୦ ଟଙ୍କା। ଯନ୍ତ୍ରପାତିର କାଠ ବେଣ୍ଟ ଅଧିକ ମାତ୍ରାରେ କିଣିଲେ ଗୋଟାକୁ ୧୫ ଟଙ୍କା ପଡ଼ିଥାଏ, ନଚେତ୍‌ ଏହାର ଖୁଚୁରା ମୂଲ୍ୟ ୬୦ ଟଙ୍କା ହୋଇଥାଏ।

‘‘ଆପଣ ନିଜେ ହିସାବ କରି ଦେଖନ୍ତୁ ଯେ ମୋର କେତେ ଟଙ୍କା ବଞ୍ଚୁଥିବ?’’

କୋଇଲାର ବର୍ଦ୍ଧିତ ମୂଲ୍ୟ ବ୍ୟତୀତ, ଏହି ବେଉସା ସହ ଜଡ଼ିତ ଜୀବିକା ଅବଲମ୍ବନ କରୁଥିବା ଜନ ସମୁଦାୟଙ୍କ ସଂଖ୍ୟା କମିବା ମଧ୍ୟ ସମସ୍ୟା ସୃଷ୍ଟି କରୁଛି। ସେ କୁହନ୍ତି, ପୂର୍ବରୁ ବଢ଼େଇ ଓ କମାର ଦାମ୍‌ କମ୍‌ କରିବାରେ ପରସ୍ପରକୁ ସହାୟତା କରୁଥିଲେ। ‘‘ଆମେ ଖୈର କାଠ ବ୍ୟବହାର କରିଥାଉ, ଯାହାକି ଆଜିର ବବୁଲ ଠାରୁ ମଧ୍ୟ ଅଧିକ ମହଙ୍ଗା। ବଢ଼େଇମାନେ ଯେତେବେଳେ ଜଙ୍ଗଲକୁ ଯାଉଥିଲେ ଆମ ପାଇଁ ଏହି କାଠ ଆଣି ଆସୁଥିଲେ। ଏହା ବଦଳରେ ସେମାନଙ୍କ ବଳଦଗାଡ଼ି ଚକରେ ଦୃଢ଼ତା ପାଇଁ ଲାଗୁଥିବା ହବ୍‌ ବ୍ୟାଣ୍ଡ ଓ ବକ୍ସିଂ (ଲୁହା ଅଖ) ଲଗାଇବାରେ ଆମେ ସେମାନଙ୍କୁ ସହଯୋଗ କରୁଥିଲୁ। ଏହିପରି ଭାବେ ଆମେ ପରସ୍ପର ସହଯୋଗ କରୁଥିଲୁ।

Left: The blacksmiths would help carpenters by making the circular bands that hold the wheels of the bullock cart together.
PHOTO • Ritu Sharma
Right: Rajesh holding the finishing sickle made by him
PHOTO • Ritu Sharma

ବାମ : ବଢ଼େଇଙ୍କ ବଳଦ ଗାଡ଼ି ଚକକୁ ପରସ୍ପର ସହ ଯୋଡ଼ି ରଖୁଥିବା ଗୋଲାକାର ଅଖ ତିଆରି କରିବାରେ କମାରମାନେ ସାହାଯ୍ୟ କରୁଥିଲେ। ଡାହାଣ: ରାଜେଶ ତାଙ୍କ ଦ୍ୱାରା ତିଆରି ହୋଇଥିବା କଟୁରୀ ଧରିଛନ୍ତି

ନିଆଁ ଓ ଧାତୁରେ କାମ କରିବାରେ ବିପଦ ରହିଛି ଏବଂ ପ୍ରାୟତଃ ତାଙ୍କୁ ଆଘାତ ଲାଗିଥାଏ। ବଜାରରେ ସୁରକ୍ଷା ଯନ୍ତ୍ରପାତି ମିଳୁଛି, କିନ୍ତୁ ରାଜେଶ କୁହନ୍ତି, ସେଗୁଡ଼ିକୁ ପିନ୍ଧି ଗରମ ଭାଟି ଆଗରେ ବସିଲେ ଅସ୍ୱସ୍ତିକର ଲାଗିଥାଏ। ତାଙ୍କ ପତ୍ନୀ ସୋନାଲି ପୋଡ଼ା ଆଘାତକୁ ନେଇ ଚିନ୍ତିତ ହୋଇ କୁହନ୍ତି, ‘‘ଯନ୍ତ୍ରପାତି ତିଆରି କରିବା ସମୟରେ ତାଙ୍କ ହାତ ଅନେକ ସମୟରେ କଟି ଯାଇଛି। ଥରେ ସେ ତାଙ୍କ ପାଦକୁ ମଧ୍ୟ କାଟି ଦେଇଥିଲେ।

କିନ୍ତୁ ରାଜେଶ ଅଟକୁ ନାହାନ୍ତି। ‘‘ବସିଲେ ମୋତେ କାମ ମିଳିବ ନାହିଁ। ମୋତେ ଭଟ୍ଟି ପାଖରେ ବସିବାକୁ ହେବ। କୋୟଲା ଜଲାନା ହୈ ମେରେକୋ (ମୋତେ କୋଇଲା ଜାଳିବାକୁ ହେବ)।’’

ସେ ନିଜର ବହୁ ଦଶନ୍ଧି ପୁରୁଣା କମାର ବେଉସାକୁ ଜାରି ରଖିବାକୁ ଚାହୁଁଛନ୍ତି । ଏ ସମ୍ପର୍କରେ ସେ କୁହନ୍ତି, ‘‘ ଚଲତା ହୈ ଘର (ମୁଁ ମୋ ଘର ଚଳାଇବାକୁ ସକ୍ଷମ ହୋଇପାରୁଛି)।’’

ଅନୁବାଦ: ଓଡ଼ିଶାଲାଇଭ୍‍

Ritu Sharma

ঋতু শর্মা পারির লুপ্তপ্রায় ভাষা বিভাগের কনটেন্ট এডিটর। ভাষাবিদ্যায় এম.এ. ডিগ্রি আছে তাঁর, ভারতের কথ্য ভাষারগুলির পুনর্জাগরণ ও সংরক্ষণ নিয়ে কাজ করতে চান।

Other stories by Ritu Sharma
Jenis J Rumao

জেনিস জে রুমাও ভাষাচর্চায় আগ্রহী। সংস্কৃতি ও ভাষা নিয়ে হাতেকলমে গবেষণা করতে চান।

Other stories by Jenis J Rumao
Editor : Sanviti Iyer

সম্বিতি আইয়ার পিপল্‌স আর্কাইভ অফ রুরাল ইন্ডিয়ার কনটেন্ট কোঅর্ডিনেটর। স্কুলপড়ুয়াদের সঙ্গে কাজ করে তাদের ভারতের গ্রামসমাজ সম্পর্কে তথ্য নথিবদ্ধ করতে তথা নানা বিষয়ে খবর আহরণ করার প্রশিক্ষণেও সহায়কের ভূমিকা পালন করেন তিনি।

Other stories by Sanviti Iyer
Editor : Priti David

প্রীতি ডেভিড পারি-র কার্যনির্বাহী সম্পাদক। তিনি জঙ্গল, আদিবাসী জীবন, এবং জীবিকাসন্ধান বিষয়ে লেখেন। প্রীতি পারি-র শিক্ষা বিভাগের পুরোভাগে আছেন, এবং নানা স্কুল-কলেজের সঙ্গে যৌথ উদ্যোগে শ্রেণিকক্ষ ও পাঠক্রমে গ্রামীণ জীবন ও সমস্যা তুলে আনার কাজ করেন।

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE