ସୁନୀତା ଭୁରକୁଟେଙ୍କ ମାତୃଭାଷା ହେଉଛି କୋଲାମୀ, କିନ୍ତୁ ଏହି କପା ଚାଷୀ ଜଣଙ୍କ ଅଧିକାଂଶ ଦିନ ମରାଠୀରେ କଥା ହୁଅନ୍ତି। ‘‘ଆମ କପା ବିକ୍ରି କରିବାକୁ ହେଲେ ଆମକୁ ବଜାର ଭାଷା ଜାଣିବାକୁ ହେବ,’’ ସେ କହିଥାନ୍ତି।
ମହାରାଷ୍ଟ୍ରର ୟବତମାଲ ଜିଲ୍ଲାରେ ରହୁଥିବା ତାଙ୍କର କୋଲାମ ଆଦିବାସୀ ପରିବାର ଘରେ ନିଜ ମାତୃଭାଷା କୋଲାମୀରେ କଥା ହୋଇଥା’ନ୍ତି। ସୁର୍ ଦେବୀ ପୋଡ଼ (ପଡ଼ା)ରେ ତାଙ୍କ ମାହେର (ବାପଘର)ରେ ତାଙ୍କର ଜେଜେବାପା ଓ ଜେଜେମା’ଙ୍କୁ କିଭଳି ସ୍ଥାନୀୟ ଭାଷା ମରାଠୀରେ କଥା ହେବାରେ ସମସ୍ୟା ହେଉଥିଲା ତାହା ସେ କହିଥା’ନ୍ତି। ‘‘ସେମାନେ କେବେ ସ୍କୁଲ ଯାଇନଥିଲେ, ସେମାନେ (ମରାଠୀରେ) ଖଣ୍ଡ ଖଣ୍ଡ ବାକ୍ୟରେ କଥା ହେବା ବେଳେ ଝୁଣ୍ଟୁଥିଲେ,’’ ସେ କୁହନ୍ତି।
କିନ୍ତୁ ପରିବାରର ଅଧିକରୁ ଅଧିକ ସଦସ୍ୟ କପା ବିକ୍ରି କରିବା ଲାଗି ସ୍ଥାନୀୟ ବଜାରକୁ ଯିବା ଆରମ୍ଭ କରିବା ପରେ ସେମାନେ ଭାଷା ଶିଖିନେଲେ। ଆଜି ଭୁଲଗଡ଼ ଗ୍ରାମରେ ଥିବା ଏହି ପଡ଼ ରେ ସମସ୍ତେ କୋଲାମ ଆଦିବାସୀ ହୋଇଥିଲେ ହେଁ ବହୁଭାଷୀ ପାଲଟିଯାଇଛନ୍ତି ଏବଂ ମରାଠୀ, ହିନ୍ଦୀରେ କିଛି ଭାଷା ଏବଂ ନିଶ୍ଚିତ ଭାବେ କୋଲାମୀରେ କଥା ହେଉଛନ୍ତି।
କୋଲାମୀ ଏକ ଦ୍ରାବିଡ଼ୀୟ ଭାଷା ଯାହା ମୁଖ୍ୟତଃ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼ରେ କଥିତ ହୋଇଥାଏ। ୟୁନେସ୍କୋର ଆଟଲାସ ଅଫ୍ ଦ ୱାଲ୍ଡସ୍ ଲାଙ୍ଗୁଏଜ୍ ଇନ୍ ଡେଞ୍ଜର୍ ମୁତାବକ, ଏହାକୁ ‘ନିଶ୍ଚିତ ଭାବେ ବିଲୁପ୍ତପ୍ରାୟ’ ଭାଷା ରୂପେ ବର୍ଗୀକରଣ କରାଯାଇଛି - ଏହା ଏପରି ଏକ ବର୍ଗୀକରଣ ଯାହା ଦର୍ଶାଇଥାଏ ଯେ ଏହାକୁ ଏବେ ପିଲାମାନଙ୍କୁ ମାତୃଭାଷା ରୂପେ କୁହାଯାଉ ନାହିଁ ।
‘‘ ପନ୍ ଆମଚି ଭାଷା କମି ହୋତ୍ ନାହି । ଆମହି ୱାପରତାତ (କିନ୍ତୁ ଆମ ଭାଷା ଲୋପ ପାଇଯାଉନାହିଁ, ଆମେ ଏହାକୁ ବ୍ୟବହାର କରୁଛୁ)!’’ ୪୦ ବର୍ଷ ବୟସ୍କା ସୁନୀତା ଯୁକ୍ତି ଦର୍ଶାଇଥା’ନ୍ତି।
ମହାରାଷ୍ଟ୍ରରେ କୋଲାମ ଆଦିବାସୀଙ୍କ ଜନସଂଖ୍ୟା ୧୯୪,୬୭୧ ଅଟେ (ଭାରତରେ ଅନୁସୂଚିତ ଜନଜାତି ପରିସଂଖ୍ୟାନ ପ୍ରୋଫାଇଲ, ୨୦୧୩ ), କିନ୍ତୁ ଜନଗଣନା ତଥ୍ୟରେ ଅଧାରୁ କମ୍ ଲୋକ କୋଲାମୀକୁ ନିଜ ମାତୃଭାଷା ଭାବେ ଉଲ୍ଲେଖ କରିଥିଲେ।
‘‘ଆମ ପିଲାମାନେ ସ୍କୁଲ ଗଲେ ମରାଠୀ ଶିଖନ୍ତି। ଏହା କୌଣସି କଷ୍ଟକର ଭାଷା ନୁହେଁ, କିନ୍ତୁ କୋଲାମୀ କଷ୍ଟକର।’’ ସେ ଆହୁରି କୁହନ୍ତି, ‘‘ବିଦ୍ୟାଳୟରେ କୌଣସି ମାଷ୍ଟର (ଶିକ୍ଷକ) ନାହାନ୍ତି ଯିଏ ଆମ ଭାଷା କହିପାରିବେ।’’ ସେ ମଧ୍ୟ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ମରାଠୀ ଭାଷାରେ ପାଠ ପଢ଼ିଥିଲେ, ଏହାପରେ ବାପାଙ୍କ ମୃତ୍ୟୁ ଯୋଗୁଁ ତାଙ୍କୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା।
ସୁନୀତା ନିଜର ତିନି ଏକର ଜମିରେ କପା ତୋଳୁଥିବା ସମୟରେ ପରୀ ତାଙ୍କୁ ଭେଟିଥିଲା। ‘‘ଫସଲ ଋତୁ ଶେଷ ହେବା ପୂର୍ବରୁ ମୁଁ ସେଗୁଡ଼ିକୁ ତୋଳି ନେବା ଦରକାର,’’ ସେ ଆମକୁ କହିଥିଲେ, ଧଳା ତୁଳାକୁ ଚୋପା ଭିତରୁ ବାହାର କରିବା ସମୟରେ ତାଙ୍କ ହାତ ସାମଞ୍ଜସ୍ୟ ସହିତ ଚାଲୁଥିବା ପ୍ରତୀୟମାନ ହୋଇଥାଏ। କିଛି ମିନିଟ ମଧ୍ୟରେ ତାଙ୍କର ଓଡ୍ଡି ଅଧା ଭରିଯାଇଥାଏ।
‘‘ଏଗୁଡ଼ିକ କାପସ୍ (ମରାଠୀରେ କପା) ର ବଳକା ରହିଥିବା ଶେଷ ଦୁଇଟି ତାସ୍ (ମରାଠୀ ଓ କୋଲାମୀରେ ଧାଡ଼ି) ଅଟେ,’’ ସୁନୀତା କୁହନ୍ତି । ସେ ନିଜ ଶାଢ଼ି ଉପରେ ଏକ ସାର୍ଟ ପିନ୍ଧିଛନ୍ତି କାରଣ ‘‘ଶୁଖିଲା ରେକ୍କା (କୋଲାମିରେ ଡେମ୍ଫ) ସବୁ ମୋ ଶାଢ଼ିରେ ଲାଗିଯାଏ ଏବଂ ତାହା ଚିରିଯାଏ।’’ ଡେମ୍ପ କପାର ସବୁଠୁ ବାହାର ଆବରଣ ହୋଇଥାଏ ଯାହାକି ଫୁଲକୁ ଧାରଣ କରିଥାଏ ଏବଂ ଗଡ୍ଡି ଜମିରେ ଦେଖାଯାଉଥିବା ଏକ ସାଧାରଣ କିସମର ଅବାଞ୍ଛିତ ତୃଣ ଅଟେ।’’
ଖରା ଦିନେ ତାପମାତ୍ରା ବଢ଼ିବା ସହିତ ସେ ଗୋଟିଏ ସେଲଙ୍ଗା ବାହାର କରନ୍ତି ଯାହାକି ଗୋଟିଏ ଛୋଟ ସୂତା କପଡ଼ା ଓ ଏହାକୁ ଅଂଶୁଘାତରୁ ରକ୍ଷା ପାଇବା ଲାଗି ପଗଡ଼ି ଭାବେ ବ୍ୟବହାର କରାଯାଏ। କିନ୍ତୁ ଜମିରେ କାମ କରିବାର ପୋଷାକ ଭିତରେ ଓଡ୍ଡି ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ଦିନ ସାରା କପା ତୋଳିବା ଲାଗି ସେ କାନ୍ଧରୁ ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଥିବା ଗୋଟିଏ ଲମ୍ବା କପଡ଼ା, ସାଧାରଣତଃ ଏକ ସୂତା ଶାଢ଼ି ବାନ୍ଧିଥା’ନ୍ତି। ମଝିରେ ମଝିରେ ସାମାନ୍ୟ ବିଶ୍ରାମ ନେଇ ସେ ସାତ ଘଣ୍ଟା ଧରି କାମ କରିଥା’ନ୍ତି, ବେଳେ ବେଳେ କିଛି ଇର୍ (କୋଲାମୀରେ ପାଣି) ପିଇବା ଲାଗି ସେ ନିକଟସ୍ଥ କୂଅ ପାଖକୁ ଯାଇଥା’ନ୍ତି।
ଅକ୍ଟୋବର ୨୦୨୩ରେ ଆରମ୍ଭ ହୋଇଥିବା ଋତୁ ଶେଷ (ଜାନୁଆରୀ ୨୦୨୪) ସୁଦ୍ଧା, ସୁନୀତା ୧,୫୦୦ କିଲୋଗ୍ରାମ କପା ଫସଲ ଅମଳ କରି ନେଇଥିଲେ। ‘‘କପା ଫସଲ ଅମଳ କରିବା କେବେ ବି ଏକ ଆହ୍ୱାନ ନଥିଲା। ମୁଁ ଗୋଟିଏ ଚାଷୀ ପରିବାରରୁ ଆସିଛି।’’
ତାଙ୍କୁ ପ୍ରାୟ ୨୦ ବର୍ଷ ହୋଇଥିବା ବେଳେ ସେ ବାହା ହୋଇ ଆସିଥିଲେ, କିନ୍ତୁ ୨୦୧୪ରେ ତାଙ୍କ ବାହାଘରର ୧୫ ବର୍ଷ ପରେ ତାଙ୍କର ସ୍ୱାମୀ ଆରପାରିକୁ ଚାଲି ଯାଇଥିଲେ। ‘‘ତିନି ଦିନ ଧରି ତାଙ୍କୁ ଜ୍ୱର ଲାଗି ରହିଥିଲା।’’ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବା ପରେ ସୁନୀତା ତାଙ୍କୁ ୟୱତମାଳରେ ଥିବା ଜିଲ୍ଲା ଡାକ୍ତରଖନାକୁ ନେଇ ଯାଇଥିଲେ। ‘‘ସବୁକିଛି ହଠାତ୍ ଘଟିଗଲା। ଆଜି ପର୍ଯ୍ୟନ୍ତ ମୁଁ ତାଙ୍କ ମୃତ୍ୟୁର କାରଣ ଜାଣିପାରିନାହିଁ।’’
ସୁନୀତା ଓ ଦୁଇ ପିଲାଙ୍କୁ ପଛରେ ଛାଡ଼ି ସେ ଚାଲିଗଲେ। ‘‘ମାଣୁସ୍ (ସ୍ୱାମୀ)ଙ୍କ ମୃତ୍ୟୁ ବେଳକୁ ଅର୍ପିତା ଓ ଆକାଶଙ୍କୁ ୧୦ ବର୍ଷ ସୁଦ୍ଧା ହୋଇନଥିଲା। ବେଳେବେଳେ ଏକାକୀ ଜମିକୁ ଯିବା ବେଳେ ମୋତେ ଡର ଲାଗିଥାଏ।’’ ମରାଠୀ ଭାଷାରେ ପ୍ରାଞ୍ଜଳ ଭାବେ କଥା ହେବା କାରଣରୁ ପାଖ ଜମିର ଚାଷୀ ବନ୍ଧୁଙ୍କ ବିଶ୍ୱାସ ଜିତିବାରେ ସେ ସଫଳ ହୋଇଥିବା ଭାବନ୍ତି। ‘‘ଆମେ ଜମିରେ କିମ୍ବା ବଜାରରେ ଥିବା ସମୟରେ, ଆମକୁ ସେମାନଙ୍କ ଭାଷାରେ କଥା ହେବାକୁ ପଡ଼ିଥାଏ, ନୁହେଁ କି? ସେମାନେ କ’ଣ ଆମ ମାତୃଭାଷା ବୁଝିବେ?’’ ସେ ପଚାରନ୍ତି ।
ଯଦି ସେ ଚାଷ କାମ ଜାରି ରଖିଲେ, କିନ୍ତୁ ଏହି ପୁରୁଷ ପ୍ରାଧାନ୍ୟ ବେଉସାରେ ତାଙ୍କର ଅଂଶଗ୍ରହଣକୁ ଅନେକ ଲୋକ ବିରୋଧ କରିଥିଲେ, ତେଣୁ ସେ ଏହାଠାରୁ ଦୂରେଇ ରହିଲେ। ‘‘ମୁଁ କେବଳ କପା ଅମଳ କରିଥାଏ, ଆକାଶ (ତାଙ୍କ ପୁଅ) ଏହାକୁ ବିକ୍ରି କରିଥାଏ।’’
ସୁନୀତା ଭୁରକୁଟେଙ୍କ ମାତୃଭାଷା କୋଲାମୀ, କିନ୍ତୁ ସେ ଅଧିକାଂଶ ସମୟରେ ମରାଠୀରେ କଥା ହୁଅନ୍ତି। ‘ଆମ କପା ବିକ୍ରି କରିବାକୁ ହେଲେ ଆମକୁ ବଜାର ଭାଷା ଶିଖିବାକୁ ହେବ,’ ସେ କୁହନ୍ତି
*****
କୋଲାମ ଆଦିବାସୀ ସମ୍ପ୍ରଦାୟକୁ ଅତି ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ (ପିପିଟିଜି) ଭାବେ ତାଲିକାଭୁକ୍ତ କରାଯାଇଛି, ଏମାନେ ମହାରାଷ୍ଟ୍ରର ତିନୋଟି ପିଭିଟିଜି ସମ୍ପ୍ରଦାୟ ମଧ୍ୟରୁ ଅନ୍ୟତମ। ସେମାନେ ମଧ୍ୟ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ରୁହନ୍ତି ।
ମହାରାଷ୍ଟ୍ରରେ ଏହି ସମ୍ପ୍ରଦାୟ ନିଜକୁ ‘କୋଲାୱର’ ବା ‘କୋଲା’ ବୋଲି କୁହନ୍ତି ଯାହାର ଅର୍ଥ ହେଉଛି ବାଉଁଶ ବା କାଠ ବାଡ଼ି। ସେମାନଙ୍କର ପାରମ୍ପରିକ ବେଉସା ହେଉଛି ବାଉଁଶରୁ ଝୁଡ଼ି, ଚଟେଇ, ଝାଡ଼ୁ ଓ ବିଞ୍ଚଣା ତିଆରି କରିବା।
ସୁନୀତା କୁହନ୍ତି, ‘‘ମୁଁ ଛୋଟ ହୋଇଥିବା ବେଳେ, ମୋ ଜେଜେବାପା ଓ ଜେଜେ ମା’ଙ୍କୁ ନିଜ ବ୍ୟବହାର ପାଇଁ ବେଦୁର (ବାଉଁଶ)ରେ ଭିନ୍ନ ଭିନ୍ନ ସାମଗ୍ରୀ ତିଆରି କରୁଥିବା ଦେଖିଛି।’’ ସେମାନେ ଜଙ୍ଗଲରୁ ଯେତିକି ଯେତିକି ସମତଳ ଭୂମି ଆଡ଼କୁ ସ୍ଥାନାନ୍ତରିତ ହେଲେ ଜଙ୍ଗଲ ଓ ଘର ଭିତରେ ଦୂରତା ଧୀରେ ଧୀରେ ବଢ଼ିବାରେ ଲାଗିଲା ଏବଂ, ‘‘ମୋ ବାପା ମା’ କେବେ ବି ଏହି କାମ ଶିଖିନଥିଲେ,’’ କିମ୍ବା ସେ ମଧ୍ୟ ଏହାକୁ ଶିଖିନାହାନ୍ତି।
କୃଷି ତାଙ୍କର ଜୀବିକା ଓ ସେ କୁହନ୍ତି, ‘‘ତେବେ ମୋ ପାଖରେ ନିଜର ଜମି ରହିଛି, କିନ୍ତୁ ଆଜି ମଧ୍ୟ ଯଦି ଫସଲ ନଷ୍ଟ ହୋଇଯାଏ, ତା’ହେଲେ ମୋତେ କାମ ପାଇଁ ଅନ୍ୟ କାହା ଜମିକୁ ଯିବାକୁ ପଡ଼ିବ,’’ କୋଲାମ ଜନଜାତିର ଅନ୍ୟ ଚାଷୀଙ୍କ ସ୍ଥିତି ମଧ୍ୟ ଏହିପରି। ଅଧିକାଂଶ ଚାଷୀ କୃଷି ଶ୍ରମିକ ଭାବେ ମଧ୍ୟ କାମ କରନ୍ତି ଏବଂ ନିଜ କୃଷି ଋଣ ପଇଠ କରିବା ଓ ଋଣ ପରିଶୋଧ କରିବା ଲାଗି ସଂଘର୍ଷ କରୁଛନ୍ତି। ସୁନୀତାଙ୍କ ମୁଣ୍ଡ ଉପରେ ଜୁନ ୨୦୨୩ର ବୁଣା ଋତୁରେ ସେ କରିଥିବା ୪୦,୦୦୦ ଟଙ୍କାର ଋଣ ବକେୟା ରହିଛି।
‘‘କପା ବିକ୍ରି କରିବା ପରେ, ଜୁନ ପର୍ଯ୍ୟନ୍ତ କୌଣସି କାମ ନଥାଏ। ମଇ ସବୁଠୁ କଷ୍ଟକର ମାସ,’’ ସେ କୁହନ୍ତି । ସେ ପ୍ରାୟ ୧,୫୦୦ କିଲୋଗ୍ରାମ କପା ଫସଲ ଅମଳ କରିଥିଲେ ଏବଂ କୁହନ୍ତି ଯେ କିଲୋଗ୍ରାମ ପିଛା ତାଙ୍କୁ ୬୨-୬୫ ଟଙ୍କା ମିଳିଥାଏ, ‘‘ଯାହା ମୋଟ୍ ପାଖାପାଖି ୯୩,୦୦୦ ଟଙ୍କା ହେବ ।’’ ସାହୁକାରକୁ ୨୦,୦୦୦ ଟଙ୍କାର ସୁଧ ପଇଠ କରିବା ପରେ, ‘‘ବର୍ଷ ସାରା ମୋ ପାଖରେ ଅତି ବେଶୀରେ ୩୫,୦୦୦ ଟଙ୍କା ବଞ୍ଚିଥାଏ।
ସ୍ଥାନୀୟ ବିକ୍ରେତା ତାଙ୍କୁ ଅଳ୍ପ ପରିମାଣରେ ଉଧାର ଦେଇଥାନ୍ତି, କିନ୍ତୁ ପ୍ରତିବର୍ଷ ମୌସୁମୀ ପୂର୍ବରୁ ତାଙ୍କୁ ଟଙ୍କା ସୁଝିବାକୁ ହୁଏ। ‘‘ଇସକା ୫୦୦ ଦୋ, ଉସକା ୫୦୦ ଦୋ ୟେ ସବ୍ କର୍ତେ କର୍ତେ ସବ ଖତମ! କୁଛ ଭି ନହିଁ ମିଲତା… ସାରେ ଦିନ କାମ କରୋ ଔର୍ ମରୋ! (ଆକୁ ୫୦୦ ତା’କୁ ୫୦୦ ଦେଇ… ଶେଷରେ କିଛି ବଞ୍ଚି ନଥାଏ। ଦିନ ସାରା କାମ କରି କରି ମର!),’’ ସେ ଚିନ୍ତାପୂର୍ଣ୍ଣ ହସ ହସି କୁହନ୍ତି ଏବଂ ଅନ୍ୟ ଆଡ଼େ ଦେଖନ୍ତି ।
ତିନି ବର୍ଷ ପୂର୍ବରୁ, ସୁନୀତା ରାସାୟନିକ ଛାଡ଼ି ଜୈବିକ କୃଷିକୁ ଗ୍ରହଣ କରିଛନ୍ତି । ‘‘ମୁଁ ମିଶ୍ର ପିକ୍ ଶେତି (ଆନ୍ତଃ-ଫସଲ/ମିଶ୍ରିତ ଫସଲ) ବିକଳ୍ପ ଚୟନ କରିଥିଲି।’’ ତାଙ୍କୁ ଗାଁରେ ମହିଳା ଚାଷୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ବିହନ ବ୍ୟାଙ୍କରୁ ମୁଙ୍ଗ୍ (ମୁଗ), ଉରଦ (ବିରି), ଜୋଆର୍ (ଯଅ), ବାଜରା, ତିଲ (ରାଶୀ), ମିଠା ମକା ଓ ତୁର୍ (ହରଡ଼) ବିହନ ମିଳିଥିଲା। ବାସ୍ତବରେ ଗତ ବର୍ଷ ମଇ ଓ ଜୁନ୍ ମାସରେ ସେ ଯେତେବେଳେ ବେକାର ହୋଇ ବସିଥିଲେ, ସେହି ସମୟରେ ହରଡ଼ ଓ ମୁଗ ଚାଷ ତାଙ୍କୁ ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇଥିଲା।
କିନ୍ତୁ ଗୋଟିଏ ସମସ୍ୟାର ସମାଧାନ ହେବା ମାତ୍ରେ ଆଉ ଗୋଟିଏ ଚାଲି ଆସିଥିଲା। ହରଡ଼ ଅମଳ ଭଲ ହୋଇଥିଲେ ମଧ୍ୟ ଅନ୍ୟ ଫସଲ ଭଲ ହୋଇନଥିଲା : ‘‘ବଣୁଆ ଘୁଷୁରି ଏହାକୁ ନଷ୍ଟ କରିଦେଲେ,’’ ସୁନୀତା କୁହନ୍ତି।
*****
ସୂର୍ଯ୍ୟାସ୍ତ ସମୟ ଆସିବାରୁ, ସୁନୀତା ତୋଳିଥିବା କପାକୁ ଗୋଟିଏ ମୁଡ଼ି (ଗୋଲ ଗଣ୍ଠିଲି)ରେ ବାନ୍ଧିବା ଆରମ୍ଭ କରନ୍ତି। ଦିନର ଲକ୍ଷ୍ୟ ସେ ହାସଲ କରିସାରିଛନ୍ତି । ଅବଶିଷ୍ଟ ଧାଡ଼ିରୁ ତାଙ୍କୁ ପ୍ରାୟ ଛଅ କିଲୋଗ୍ରାମ କପା ମିଳିଛି ।
କିନ୍ତୁ ଆଗାମୀ କାଲି ପାଇଁ ସେ ଆଗୁଆ ଏକ ଲକ୍ଷ୍ୟ ନିର୍ଦ୍ଧାରଣ କରି ନେଇଛନ୍ତି : ସାଇତି ରଖିଥିବା କପାରୁ କେସରା (କୋଲାମୀରେ ବର୍ଜ୍ୟବସ୍ତୁ) ଓ ଶୁଖିଲା ରେକ୍କା ବାହାର କରିବା। ଆଉ ତା’ପରେ ପରଦିନ ପାଇଁ ଲକ୍ଷ୍ୟ ହେଉଛି : ଏହାକୁ ବଜାର ପାଇଁ ପ୍ରସ୍ତୁତ କରି ରଖିବା।
‘‘ଅନ୍ୟ କିଛି ବିଷୟରେ ଚିନ୍ତା କରିବା ଲାଗି ସମୟ ନାହିଁ (ତାଙ୍କ ଜମି ବ୍ୟତୀତ),’’ କୋଲାମୀ ଭାଷା ବିଲୁପ୍ତ ହେବା ସମ୍ପର୍କରେ ମତ ଦେଇ ସେ କୁହନ୍ତି। ଯେତେବେଳେ ସୁନୀତା ଓ ତାଙ୍କର ସମ୍ପ୍ରଦାୟ ପ୍ରାଞ୍ଜଳ ଭାବେ ମରାଠୀ ଜାଣିନଥିଲେ, ‘‘ସମସ୍ତେ କହୁଥିଲେ, ‘ମରାଠୀ କୁହ! ମରାଠୀ କୁହ!’’’ ଆଉ ଏବେ ଯେତେବେଳେ ଭାଷା ଲୋପ ପାଇଗଲା, ‘‘ସମସ୍ତେ ଚାହୁଁଛନ୍ତି ଯେ ଆମେ କୋଲାମୀ କହୁ,’’ ସେ ହସି ହସି କୁହନ୍ତି।
“ଆମେ ଆମର ଭାଷା କହୁଛୁ। ଆମ ପିଲାମାନେ ମଧ୍ୟ କହୁଛନ୍ତି,’’ ସେ କହିଛନ୍ତି। “ଆମେ ଯେବେ ବାହାରକୁ ଯାଉ, ସେବେ ମରାଠୀରେ କଥା ହେଉ। ଆମେ ଘରକୁ ଫେରିଲେ, ଆମ ଭାଷାରେ କଥା ହୋଇଥାଉ।”
‘‘ଆପଲି ଭାଷା ଆପଲିଚ୍ ରାହିଲି ପାହିଜେ(ଆମ ଭାଷା ଆମର ହୋଇ ରହିବା ଉଚିତ୍)। କୋଲାମୀ କୋଲାମି ହୋଇ ଏବଂ ମରାଠୀ ମରାଠି ହୋଇ ରହିବା ଆବଶ୍ୟକ। ଏହା ହିଁ ଗୁରୁତ୍ୱପୂର୍ଣ୍ଣ।
ପ୍ରେରଣା ଗ୍ରାମ ବିକାଶ ସଂସ୍ଥା, ମାଧୁରୀ ଖଡ଼ସେ, ସାଇକିରଣ ଟେକାମ୍ ଏବଂ ଆଶା କରେବାଙ୍କୁ ରିପୋର୍ଟର ଧନ୍ୟବାଦ ଜ୍ଞାପନ କରୁଛନ୍ତି ।
ସଂକଟଗ୍ରସ୍ତ
ଭାଷା
କହୁଥିବା
ଲୋକଙ୍କ
ସ୍ୱର
ଓ
ଅଭିଜ୍ଞତା
ମାଧ୍ୟମରେ
ଦସ୍ତାବିଜକରଣ
କରିବା
ଲକ୍ଷ୍ୟ
ନେଇ
ପରୀର
ଲୁପ୍ତପ୍ରାୟ
ଭାଷା
ପ୍ରକଳ୍ପ
(
ଇଏଲପି
)
କାର୍ଯ୍ୟ
କରିଥାଏ
।
ଅନୁବାଦ : ଓଡ଼ିଶାଲାଇଭ୍