“ପଶ୍ଚିମ ବଙ୍ଗର ଲୋକେ ଡୁଲି ତିଆରି କରିପାରନ୍ତି ନାହିଁ।”
ତାଙ୍କ ହାତ ତିଆରି ବିଶାଳକାୟ “ ଧାନ ଧୋରାର ଡୁଲି ” ସଂପର୍କରେ ସ୍ପଷ୍ଟ ସ୍ୱରରେ ଏହା କହନ୍ତି ବାବନ ମହତୋ। ଧାନ ସାଇତି ରଖିବାରେ ବ୍ୟବହୃତ ଏହି ଡୁଲିଗୁଡ଼ିକର ଉଚ୍ଚତା ଛଅ ଫୁଟ ଏବଂ ଓସାର ଚାରି ଫୁଟ ପର୍ଯ୍ୟନ୍ତ ହୋଇଥାଏ।
କାଳେ ପ୍ରଥମ ଥର ଶୁଣି ଆମେ ଏହି କାମକୁ ବୁଝି ନ ପାରିବୁ, ସେଭଳି ସମ୍ଭାବନାକୁ ପ୍ରତିହତ କରିବାକୁ ଯାଇ ପଡ଼ୋଶୀ ରାଜ୍ୟ ବିହାରର ଏହି କାରିଗର ଜଣକ ତାଙ୍କ କଥା ଆଗକୁ ବଢ଼ାନ୍ତି, “ ଡୁଲି ତିଆରି କରିବା ଏତେ ସହଜ ନୁହେଁ।” ଏହି କାମର ବିଭିନ୍ନ ପର୍ଯ୍ୟାୟ ସଂପର୍କରେ ସେ କହି ଚାଲନ୍ତି: “ଏଥିରେ କାନ୍ଦା ସାଧନା , କାମ୍ ସାଧନା , ତଲ୍ଲି ବିଠାନା , ଖଡ଼ା କରନା , ବୁନାଇ କରନା , ଟେରି ଚଢ଼ାନା (ଠିଆ ବାଗରେ ଏବଂ ଆଡ଼ ବାଗରେ ବାଉଁଶ ପାତିଆ ରଖିବା, ଗୋଲାକାର ଆଧାର ବିଛାଇବା, ଝୁଡ଼ିକୁ ଠିଆ କରାଇବା, ପୂରା ହେଲା ଯାଏଁ ବୁଣିବା ଏବଂ ଶେଷ ପର୍ଯ୍ୟାୟରେ ଛନ୍ଦ ଦେଇ ବୁଣିବା) ଭଳି କାମରୁ ଆରମ୍ଭ କରି ଅନେକ କାମ ରହିଛି।”
ଚାରି ଦଶନ୍ଧି ହେଲା ଏହି କାମ କରିଆସୁଛନ୍ତି ୫୨ ବର୍ଷୀୟ ବାବନ। “ପିଲାଟି ଦିନରୁ ମୋ ବାପାମାଆ ମୋତେ କେବଳ ଏହି କାମ ହିଁ ଶିଖାଇଛନ୍ତି। ସେମାନେ କେବଳ ଏହି କାମ କରୁଥିଲେ। ବିନ୍ଦ ସଂପ୍ରଦାୟର ସବୁ ଲୋକ ଡୁଲି ତିଆରି କରନ୍ତି। ସେମାନେ ମଧ୍ୟ ଟୋକରି (ଛୋଟ ଟୋକେଇ) ତିଆରି କରନ୍ତି, ମାଛ ଧରନ୍ତି ଏବଂ ଡଙ୍ଗା ବାହିବା କାମ କରନ୍ତି।”
ବାବନ ବିହାରର ବିନ୍ଦ ସଂପ୍ରଦାୟର ଏବଂ ଏହି ସଂପ୍ରଦାୟ ଅତି ପଛୁଆ ବର୍ଗ (ଇବିସି) ରୂପେ ରାଜ୍ୟରେ ତାଲିକାଭୁକ୍ତ (ଜାତି ଜନଗଣନା- ୨୦୨୨-୨୩)। ସେ କହନ୍ତି, ଅଧିକାଂଶ ଡୁଲି କାରିଗର ଏହି ବିନ୍ଦ ସଂପ୍ରଦାୟର ହୋଇଥିଲେ ହେଁ କାମୁ ଓ ହଲୱାଇ ସଂପ୍ରଦାୟର (ସେମାନେ ମଧ୍ୟ ଅତି ପଛୁଆ ବର୍ଗ ତାଲିଭାଭୁକ୍ତ) ଲୋକେ ମଧ୍ୟ ଏହା କରନ୍ତି। ଦଶନ୍ଧି ଦଶନ୍ଧି ଧରି ବିନ୍ଦ ସଂପ୍ରଦାୟର ଅତି ନିକଟରେ ରହିବା ଫଳରେ ସେମାନେ ଏହି କାରିଗରୀ କୌଶଳ ଶିଖିଯାଇଛନ୍ତି।
“ମୁଁ ମୋ ହାତ ମାପରେ ଅଟକଳ କରି କାମ କରେ। ମୋର ଦୁଇ ଆଖି ବନ୍ଦ ଥିଲେ କିମ୍ବା ବାହାରେ ପୂରା ଅନ୍ଧାର ହୋଇଥିଲେ ବି ମୋ ଦୁଇ ହାତର ଅଭିଜ୍ଞତା ମୋତେ ଆଗେଇ ନେବା ପାଇଁ ଯଥେଷ୍ଟ ହୋଇଥାଏ,” ସେ କହନ୍ତି।
ଭିନ୍ନ ଭିନ୍ନ ପ୍ରକାର ବାଉଁଶକୁ ଚିରି ୧୦୪ଟି ନରମ ପାତିଆ ତିଆରିରୁ ତାଙ୍କ କାମ ଆରମ୍ଭ ହୁଏ ଏବଂ ଏହି କାମ ଲାଗି ଖୁବ୍ କର୍ମଦକ୍ଷତା ଆବଶ୍ୟକ ହୋଇଥାଏ। ତା’ ପରେ ସଠିକ୍ ହିସାବ କରି ସେ ବାଉଁଶରେ ଗୋଲାକାର ଆଧାର ଲାଗି ଢାଞ୍ଚା ପ୍ରସ୍ତୁତ କରନ୍ତି, ଯାହାର ବ୍ୟାସ “ ଛେ ୟା ସାତ୍ ହାଥ (ମୋଟାମୋଟି ୯ରୁ ୧୦ ଫୁଟ୍) ହୋଇଥାଏ ଏବଂ ଏହା ଝୁଡ଼ିର ସମ୍ଭାବିତ ଆକାର ଉପରେ ନିର୍ଭର କରିଥାଏ। ଗୋଟିଏ ‘ ହାଥ୍ ’ ମାପ ହେଉଛି ମଝି ଆଙ୍ଗୁଠିର ଅଗରୁ କହୁଣୀ ପର୍ଯ୍ୟନ୍ତ କାରିଗରଙ୍କ ହାତର ଦୈର୍ଘ୍ୟ। ସାରା ଭାରତର ବିଭିନ୍ନ ସ୍ଥାନରେ ଏହି ମାପ ଉପଯୋଗ କରି କାରିଗରମାନେ କାମ କରିଥାଆନ୍ତି ଏବଂ ଏହା ମୋଟାମୋଟି ୧୮ ଇଞ୍ଚ ଲମ୍ବା ହୋଇଥାଏ।
ଆଲିପୁରଦୁଆର ଜିଲ୍ଲା (ପୂର୍ବରୁ ଜଲପାଇଗୁଡ଼ି)ରେ ବାବନଙ୍କ ସହିତ ‘ପରୀ’ର କଥାବାର୍ତ୍ତା ହୋଇଥିଲା। ବିହାରର ଭଗୱାନୀ ଛପରାରେ ଥିବା ତାଙ୍କ ଘର ପାଖରୁ ଏହା ୬୦୦ କିଲୋମିଟର ଦୂର। ପ୍ରତି ବର୍ଷ କାମ କରିବା ପାଇଁ ସେ ଉତ୍ତର ପଶ୍ଚିମ ବଙ୍ଗର ଏହି ସମତଳ ଅଞ୍ଚଳକୁ ଯାତ୍ରା କରିଥାଆନ୍ତି ଏବଂ କାର୍ତ୍ତିକ (ଅକ୍ଟୋବର-ନଭେମ୍ବର) ମାସରେ ଖରିଫ ଧାନ ଅମଳ ଲାଗି ପ୍ରସ୍ତୁତ ହୋଇଥିବା ବେଳରେ ପହଞ୍ଚନ୍ତି। ପରବର୍ତ୍ତୀ ଦୁଇ ମାସ ପାଇଁ ସେ ସେଠାରେ ରହି ଡୁଲି ତିଆରି ଓ ବିକ୍ରି କରନ୍ତି।
ସେ ଏକା ନୁହଁନ୍ତି। “ପଶ୍ଚିମ ବଙ୍ଗର ଆଲିପୁରଦୁଆର ଏବଂ କୁଚ୍ବିହାର ଜିଲ୍ଲାର ସବୁ ହାଟରେ (ସାପ୍ତାହିକ ବଜାର) ଆମ ଭଗୱାନୀ ଛପରା ଗାଁରୁ ଆସିଥିବା ଡୁଲି କାରିଗରମାନେ ରହିଥାଆନ୍ତି,” ପୂରନ ଶାହା କହନ୍ତି। ସେ ମଧ୍ୟ ଜଣେ ଡୁଲି କାରିଗର ଏବଂ ପ୍ରତି ବର୍ଷ ବିହାରରୁ କୁଚ୍ବିହାର ଜିଲ୍ଲାର ଖାଗରାବାଡ଼ି ସହରର ଡୋଡ଼ିଆର ହାଟକୁ ଆସନ୍ତି। ଏହି କାମ ପାଇଁ ଏଠାକୁ ଆସୁଥିବା ଅଧିକାଂଶ କାରିଗର ପାଞ୍ଚରୁ ଦଶ ଜଣିଆ ଦଳ ଗଠନ କରି ରହିଥାଆନ୍ତି। ସେମାନେ ଗୋଟିଏ ହାଟକୁ ବାଛି ନିଅନ୍ତି ଏବଂ ସେଠାରେ ଅସ୍ଥାୟୀ ତମ୍ବୁ ପକାଇ ରହନ୍ତି।
ପ୍ରଥମ ଥର ପାଇଁ ପଶ୍ଚିମ ବଙ୍ଗକୁ ଆସିବା ସମୟରେ ବାବନଙ୍କୁ ୧୩ ବର୍ଷ ବୟସ ହୋଇଥିଲା। ସେ ତାଙ୍କ ଗୁରୁ ରାମ ପରବେଶ ମହତୋଙ୍କ ସହିତ ଆସିଥିଲେ। “ମୁଁ ମୋ ଗୁରୁଙ୍କ ସହିତ ୧୫ ବର୍ଷ କାଳ ଯା’ଆସ କରିଥିଲି। ତା’ପରେ ହିଁ ମୁଁ ଏହାକୁ ( ଡୁଲି ତିଆରି କାମକୁ) ପୂରାପୂରି ବୁଝିବାରେ ସମର୍ଥ ହେଲି,” ଡୁଲି କାରିଗର ପରିବାରରୁ ଆସିଥିବା ବାବନ କହନ୍ତି।
*****
ବିଛଣାରୁ ଉଠି ନିଆଁ ଜଳାଇବା ପାଖରୁ ହିଁ ବାବନଙ୍କ ଗୋଟିଏ ଦିନର କାମ ଆରମ୍ଭ ହୁଏ। ପ୍ରବଳ ଥଣ୍ଡା କାରଣରୁ ଅସ୍ଥାୟୀ ଘର ଭିତରେ ଶୋଇବା କଷ୍ଟକର ହୋଇଥାଏ ଏବଂ ତେଣୁ, ସେ ବାହାରକୁ ଆସି ରାସ୍ତାକଡ଼ରେ ନିଆଁ ଜଳାଇ ପାଖରେ ବସନ୍ତି। “ପ୍ରତିଦିନ ମୁଁ ଭୋର ୩ଟାରୁ ଉଠେ। ରାତିରେ ମୋତେ ଥଣ୍ଡା ଲାଗେ। ଥଣ୍ଡା କାରଣରୁ ମୁଁ ବିଛଣା ଛାଡ଼ି ବାହାରକୁ ଆସି ନିଆଁ ଜଳାଏ ଏବଂ ତା’ ପାଖରେ ବସି ପଡ଼େ।” ଘଣ୍ଟାଏ ପରେ ସେ କାମ ଆରମ୍ଭ କରନ୍ତି ଏବଂ ବାହାରେ ଅନ୍ଧାର ହୋଇଥିଲେ ହେଁ ରାସ୍ତାକଡ଼ର ମିଞ୍ଜିମିଞ୍ଜି ଆଲୁଅ କାମ ଆରମ୍ଭ କରିବାକୁ ତାଙ୍କ ପାଇଁ ପର୍ଯ୍ୟାପ୍ତ ହୋଇଥାଏ।
ସେ କହନ୍ତି ଯେ, ଠିକ୍ ପ୍ରକାରର ବାଉଁଶ ବାଛିବା ହେଉଛି ଡୁଲି ଝୁଡ଼ି ତିଆରି ପ୍ରକ୍ରିୟାର ମୂଳକଥା। “ଏହି କାମ ପାଇଁ ଗୋଟିଏ ତିନି ବର୍ଷ ପୁରୁଣା ବାଉଁଶ ହିଁ ସବୁଠାରୁ ଭଲ। କାରଣ ଏହାକୁ ସହଜରେ ଚିରି ହେବ ଏବଂ ଏହାର ଉପଯୁକ୍ତ ମୋଟେଇ ଥାଏ,” ବାବନ କହନ୍ତି।
ବାଉଁଶର ଗୋଲାକାର ଆଧାର ଲାଗି ଢାଞ୍ଚା ପ୍ରସ୍ତୁତି କରିବାକୁ ହିସାବ କରିବା ସବୁଠାରୁ କଷ୍ଟ କାମ ଏବଂ ଏଥିପାଇଁ ସେ ଯେଉଁ ଉପକରଣ ବ୍ୟବହାର କରନ୍ତି ତାହା ହେଲା ‘ ଦାଓ ’ (ଦାଆ)। ପରବର୍ତ୍ତୀ ୧୫ ଘଣ୍ଟା ଧରି ସେ କାମ କରନ୍ତି ଏବଂ କେବଳ ଖାଇବା ଏବଂ ବିଡ଼ି ପିଇବା ଲାଗି ଯାହା ବିରତି ନିଅନ୍ତି।
ଗୋଟିଏ ସାଧାରଣ ଡୁଲିର ଉଚ୍ଚତା ୫ ଫୁଟ୍ ଏବଂ ବ୍ୟାସ ୪ ଫୁଟ୍ ହୋଇଥାଏ। ତାଙ୍କ ପୁଅର ସହାୟତା ନେଇ ବାବନ ଦିନକରେ ଦୁଇଟି ଡୁଲି ତିଆରି କରିପାରନ୍ତି ଏବଂ ସୋମବାର ଦିନ ଆଲିପୁରଦୁଆର ଜିଲ୍ଲା ଅନ୍ତର୍ଗତ ମଥୁରାର ସାପ୍ତାହିକ ହାଟରେ ଏହାକୁ ବିକ୍ରି କରନ୍ତି। “ହାଟକୁ ଗଲା ବେଳେ ମୁଁ ସାଙ୍ଗରେ ଭିନ୍ନ ଭିନ୍ନ ଆକାରର ଡୁଲି ନେଇଥାଏ: ଯେଉଁଗୁଡ଼ିକରେ କି ୧୦ ମାଣ, ୧୫ ମାଣ , ୨୦ ମାଣ , ୨୫ ମାଣ ଧାନ ରଖାଯାଇପାରିବ।” ଗୋଟିଏ “ ମାଣ ” ୪୦ କିଲୋଗ୍ରାମ ସହିତ ସମାନ। ତେଣୁ ୧୦ ମାଣ ର ଡୁଲି ରେ ୪୦୦ କିଲୋଗ୍ରାମ ଧାନ ରହିପାରିବ। ଗ୍ରାହକମାନେ ରଖିବାକୁ ଚାହୁଁଥିବା ଧାନର ଓଜନ ଭିତ୍ତିରେ ସେମାନଙ୍କ ଆବଶ୍ୟକତା ଅନୁସାରେ ବାବନ ଭିନ୍ନ ଭିନ୍ନ ଆକାରର ଡୁଲି ତିଆରି କରନ୍ତି । ଧାନ ପରିମାଣ ଅନୁସାରେ ଡୁଲି ର ଆକାର ୫ରୁ ୮ ଫୁଟ୍ ଉଚ୍ଚତାର ହୋଇଥାଏ।
ପିଲାଦିନେ ମୋ ବାପାମାଆ ମୋତେ କେବଳ ଡୁଲି ତିଆରି ଶିଖାଇଥିଲେ। ସେମାନେ ମଧ୍ୟ କେବଳ ଏହି କାମ ହିଁ କରୁଥିଲେ
“ଅମଳ ଋତୁ ଆରମ୍ଭ ହେଲେ, ଆମେ ଗୋଟିଏ ଗୋଟିଏ ଡୁଲି ପିଛା ୬୦୦ରୁ ୮୦୦ ଟଙ୍କା ପାଇଥାଉ। ଋତୁ ସରି ଆସିବା ବେଳକୁ ଚାହିଦା କମିଯାଏ ଏବଂ ମୁଁ ସେହି ଏକା ଜିନିଷକୁ ଶସ୍ତାରେ ବିକ୍ରି କରେ। ଅଧିକ ୫୦ ଟଙ୍କା ମିଳିଲେ ମୁଁ ଏହି ଝୁଡ଼ିକୁ ଘରେ ପହଞ୍ଚାଇ ଦିଏ,” ସେ କହନ୍ତି।
ଗୋଟିଏ ଡୁଲି ର ଓଜନ ଆଠ କିଲୋଗ୍ରାମ ଏବଂ ବାବନ ତିନି ତିନିଟି ଡୁଲି କୁ (ପ୍ରାୟ ୨୫ କିଲୋ ଓଜନ) ତାଙ୍କ ମୁଣ୍ଡରେ ବୋହି ନେଇପାରନ୍ତି। “କେବେ କେମିତି ମୁଁ କ’ଣ ୨୫ କିଲୋ ଓଜନର ବୋଝକୁ ମୁଣ୍ଡରେ ବୋହି ନେଇପାରିବିନି ?” ସେ ପଚାରନ୍ତି, ଏବଂ ଏହା ଏତେ ବଡ଼ କାମ ନୁହେଁ ବୋଲି କହନ୍ତି।
ସେ ତାଙ୍କ ଦୋକାନ ବସାଇଥିବା ସାପ୍ତାହିକ ହାଟ ଭିତର ଦେଇ ଚାଲି ଚାଲି ଗଲା ବେଳେ ବିହାରରୁ ଆସିଥିବା ସାଥୀ ଗାଁ ଲୋକମାନଙ୍କୁ ଚାହିଁ ଅଭିବାଦନ ଢଙ୍ଗରେ ମୁଣ୍ଡ ହଲାନ୍ତି ଏବଂ ତାଙ୍କ ସଂପ୍ରଦାୟର ଲୋକଙ୍କ ଦୋକାନଗୁଡ଼ିକୁ ଦେଖାଇ ଦିଅନ୍ତି। ସେ ମଧ୍ୟ ସେମାନଙ୍କୁ ସହାୟତା କରିଥିବା ସ୍ଥାନୀୟ ବଙ୍ଗାଳି ଲୋକଙ୍କୁ ଅଭିବାଦନ ଜଣାନ୍ତି। “ ସବ୍ ଜାନ ପହଚାନ କେ ହୈଁ । (ଏଠାକାର ସମସ୍ତେ ପରିଚିତ ଲୋକ), ସେ କହନ୍ତି। ସେ ଆହୁରି କହନ୍ତି, “ମୋ ପାଖରେ ପଇସାଟିଏ ନଥିଲେ ବି ମୁଁ ଯଦି ଚାଉଳ, ଡାଲି ଏବଂ ରୁଟି ଖୋଜୁଥାଏ, ସେମାନେ ମୋତେ ଏ ସବୁ ଦେଇ ଦିଅନ୍ତି। ମୋ ପାଖରେ ପଇସା ଥାଉ କି ନଥାଉ।”
ତାଙ୍କର ଏହି ଯାଯାବର ଜୀବନ ଶୈଳୀ ବଳରେ ସେ ନିଜ ମାତୃଭାଷା ଭୋଜପୁରୀ ବ୍ୟତୀତ ଅନ୍ୟ ଭାଷାରେ ବି ଅନର୍ଗଳ କହିପାରନ୍ତି। ସେ ହିନ୍ଦୀ, ବଙ୍ଗାଳୀ ଏବଂ ଆସାମୀ ଭାଷା କହିପାରନ୍ତି ଏବଂ ଆଲିପୁରଦୁଆର ଜିଲ୍ଲାର (ପୂର୍ବରୁ ଜଲପାଇଗୁଡ଼ି ଜିଲ୍ଲା) ଦକ୍ଷିଣ ଚକୁଆଖେତି ଅଞ୍ଚଳରେ ବସବାସ କରୁଥିବା ମେଚ ସଂପ୍ରଦାୟର ମେଚିୟା ଭାଷା ବି ବୁଝି ପାରନ୍ତି।
ସେ କହନ୍ତି ଯେ, ସେ ୧୦ ଟଙ୍କାରେ ମଦ କିଣି ପିଅନ୍ତି, କାରଣ, “ଦିନ ଯାକର କଠିନ ପରିଶ୍ରମ ଯୋଗୁଁ ମୋର ଦେହ ଦରଜ ହୁଏ। ଏହି ନିଶାପାଣି ସହଜରେ ଯନ୍ତ୍ରଣାର ଉପଶମ କରିଥାଏ।”
ତାଙ୍କ ସାଥୀ ବିହାରୀମାନେ ଏକାଠି ରହୁଥିଲେ ହେଁ ବାବନ ଏକା ରହିବାକୁ ପସନ୍ଦ କରନ୍ତି: “ମୁଁ ଯଦି ୫୦ ଟଙ୍କାର ଖାଇବି ଏବଂ ମୋ ପାଖରେ ଅନ୍ୟମାନେ ଥିବେ ସେମାନେ କହିବେ, ‘ମୋ ଭାଗ ଦିଅ !’ ସେଥିପାଇଁ ମୁଁ ଏକା ଏକା ଖାଇବାକୁ, ଏକା ଏକା ରହିବାକୁ ପସନ୍ଦ କରେ। ଏମିତି ହେଲେ ମୁଁ ଯାହା ଖାଏ, ତାହା ମୋର, ମୁଁ ଯାହା ରୋଜଗାର କରେ. ତାହା ବି ମୋର।”
ତାଙ୍କ କହିବା କଥା ଯେ ବିହାରରେ ବିନ୍ଦ ସଂପ୍ରଦାୟର ଲୋକଙ୍କ ପାଇଁ ଜୀବିକା ଅର୍ଜନର ସୁଯୋଗ ଖୁବ୍ କମ ଏବଂ ତେଣୁ ସେମାନେ ପିଢ଼ି ପରେ ପିଢ଼ି ଧରି ପ୍ରବାସନକୁ ଆଦରି ନେଇଛନ୍ତି। ବାବନଙ୍କ ୩୦ ବର୍ଷର ପୁଅ ଅର୍ଜୁନ ମହତୋ ମଧ୍ୟ ପିଲାଦିନେ ତାଙ୍କ ସହିତ ଯାତ୍ରା କରୁଥିଲେ। ଏବେ ସେ ମୁମ୍ବାଇରେ ଜଣେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଛନ୍ତି। “ଆମ ନିଜ ରାଜ୍ୟ ବିହାରରେ ନିଶ୍ଚିତ ରୋଜଗାରର ପର୍ଯ୍ୟାପ୍ତ ସୁଯୋଗ ନାହିଁ। ବାଲି ଖୋଳିବା ହିଁ ଏଠାକାର ଏକମାତ୍ର ଶିଳ୍ପ.. ଏବଂ ବିହାରର ସମସ୍ତେ ତ ତା’ ଉପରେ ନିର୍ଭର କରିପାରିବେ ନାହିଁ।”
ବାବନଙ୍କ ଆଠ ଜଣ ପିଲାଙ୍କ ମଧ୍ୟରୁ ସବା ସାନ ଚନ୍ଦନ ଏ ବର୍ଷ (୨୦୨୩) ତାଙ୍କ ସହିତ ଆସିଛନ୍ତି। ରାସ୍ତାକଡ଼ରେ ଅନେକ ଚା’ ବଗିଚା ଦେଇ ପଶ୍ଚିମ ବଙ୍ଗରୁ ଆସାମ ଯାଏଁ ଯାଇଥିବା ୧୭ ନମ୍ବର ଜାତୀୟ ରାଜପଥ ନିକଟରେ ସେମାନେ ଗୋଟିଏ ଅସ୍ଥାୟୀ ଘର କରିଛନ୍ତି। ସେମାନଙ୍କର ଏହି ଘରଟି ପ୍ରକୃତରେ ଏକ ଗ୍ୟାରେଜ, ଯାହା ତିନି ପାଖରୁ ତାରପୁଲିନରେ ଘେରା ହୋଇଛି ଏବଂ ଉପରେ ଟିଣ ଛାତ ରହିଛି। ଭିତରେ ଗୋଟିଏ ମାଟି ଚୁଲ୍ଲା (ଚୁଲି), ଗୋଟିଏ ବିଛଣା ଏବଂ ଡୁଲି ଝୁଡ଼ି ସାଇତି ରଖିବା ପାଇଁ କିଛି ଖାଲି ଜାଗା ବି ଅଛି।
ବାପା-ପୁଅ ଦୁହେଁ ରାସ୍ତାକଡ଼ରେ ଥିବା ଖାଲି ଜାଗାରେ ଝାଡ଼ା ଫେରନ୍ତି, ଗାଧୋଇବା ପାଇଁ ପାଖ ହ୍ୟାଣ୍ଡ ପମ୍ପରୁ ପାଣି ନିଅନ୍ତି। “ଏମିତି ସ୍ଥିତି ଦେଇ ରହିବାରେ ମୋର ସମସ୍ୟା ନାହିଁ। ମୈଁ ହମେଶା ଅପ୍ନେ କାମ କେ ସୁର ମେଁ ରହତା ହୁଁ (ମୁଁ ସବୁବେଳେ ମୋ କାମରେ ମଜି ରହିଥାଏ),” ବାବନ କହନ୍ତି। ସେହି ଘର ବାହାର ପଟରେ ସେ ଡୁଲି ତିଆରି କରନ୍ତି ଏବଂ ବିକ୍ରି କରନ୍ତି ଏବଂ ଭିତରେ ରନ୍ଧାରନ୍ଧି କରନ୍ତି ଏବଂ ଶୁଅନ୍ତି।
ଏହି ବାଉଁଶ କାରିଗର ଜଣକ କହନ୍ତି ଯେ, ଏ ଜାଗା ଛାଡ଼ି ଘରକୁ ଫେରିବା ସମୟ ଆସିଲେ ଏଠାରୁ ବିଦାୟ ନେବା କଷ୍ଟକର ହୋଇଥାଏ। “ ମା ’ , ମୋ ଘର ମାଲିକାଣୀ, ତାଙ୍କ ବଗିଚାରୁ ଆଣି ବିଡ଼ାଏ ତେଜ ପତ୍ତା (ତେଜପତ୍ର) ଆମ ଘରକୁ ନେବା ଲାଗି ବାନ୍ଧି ଦେଇଛନ୍ତି।”
*****
ବଜାରରେ ଧାନ ରଖିବା ଲାଗି ପ୍ଲାଷ୍ଟିକ୍ ବସ୍ତା ମିଳିବା ସହିତ ଧାନ ସାଇତି ରଖିବା ପ୍ରକ୍ରିୟା ବଦଳୁଥିବା କାରଣରୁ ଏହି ଡୁଲି କାରିଗରମାନଙ୍କ ଜୀବିକା ପ୍ରଭାବିତ ହୋଇଛି। ବିହାରରୁ ଆସିଥିବା ଦଳେ ଡୁଲି କାରିଗର ‘ପରୀ’କୁ କହନ୍ତି, “ଗତ ପାଞ୍ଚ ବର୍ଷ ଭିତରେ ଏ ଅଞ୍ଚଳରେ ଅନେକ ଧାନ ମିଲ୍ ଗଢ଼ି ଉଠିଥିବାରୁ ଆମ କାମ ଉପରେ ଏହାର ପ୍ରଭାବ ପଡ଼ିଛି। ପୂର୍ବ ଭଳି ଘରେ ସାଇତି ନ ରଖି, ଚାଷୀମାନେ ସିଧାସଳଖ ଜମିରୁ ମିଲକୁ ଧାନ ବିକ୍ରି କରିଦେଉଛନ୍ତି। ଲୋକେ ବି ଧାନ ରଖିବା ଲାଗି ଅଧିକରୁ ଅଧିକ ପ୍ଲାଷ୍ଟିକ ବସ୍ତା ବ୍ୟବହାର କରିଲେଣି।”
ହୁଏତ ସେମାନେ ଛୋଟ ଆକାରର ଅନ୍ୟ ଟୋକେଇ ( ଟୋକରି ) କରି ପାରନ୍ତେ। କିନ୍ତୁ ସେମାନେ ଏହି ଟୋକେଇ କରୁଥିବା ସ୍ଥାନୀୟ ଲୋକମାନଙ୍କ ସହିତ ଶାନ୍ତିରେ ରହିବାକୁ ଚାହାଁନ୍ତି। ସ୍ଥାନୀୟ କାରିଗରମାନେ ସେମାନଙ୍କୁ ଅନୁରୋଧ କରିଛନ୍ତି କି “ ଦେଖୋ ଭାଇ, ୟେ ମତ୍ ବନାଓ, ଅପନା ବଡ଼ା ୱାଲା ଡୁଲି ବନାଓ... ହମ୍ ଲୋଗୋଁ କା ପେଟ୍ ମେଁ ଲାତ୍ ମତ୍ ମାରୋ (ଦେଖ ଭାଇ, ଛୋଟ ଛୋଟ ଟୋକେଇ ତିଆରି କରନାହିଁ। ତୁମେ ତୁମର ବଡ଼ ବଡ଼ ଝୁଡ଼ି ତିଆରି କର। ଆମଠାରୁ ଆମ ଜୀବିକା ଛଡ଼ାଇ ନିଅ ନାହିଁ’)।
କୁଚ ବିହାର ଏବଂ ଆଲିପୁରଦୁଆର ଜିଲ୍ଲାର ବିଭିନ୍ନ ହାଟରେ ଏକ ବସ୍ତା (ପ୍ଲାଷ୍ଟିକ ମୁଣା) ଏକ ପିସ୍କୁ ୨୦ଟଙ୍କାରେ ମିଳୁଥିବା ବେଳେ ମାତ୍ର ଗୋଟିଏ ଡୁଲି ର ଦାମ ୬୦୦ରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଗୋଟିଏ ବସ୍ତାରେ ୪୦ କିଲୋ ଚାଉଳ ରଖାଯାଇପାରୁଥିବା ବେଳେ ଗୋଟିଏ ସାଧାରଣ ଡୁଲି ରେ ୫୦୦ କିଲୋ ଚାଉଳ ରହିପାରେ।
ସୁଶୀଳା ରାୟ ଜଣେ ଧାନ ଚାଷୀ ଏବଂ ସେ ଡୁଲି କୁ ପସନ୍ଦ କରନ୍ତି। ଆଲିପୁରଦୁଆରର ଦକ୍ଷିଣ ଚକୁଆଖେତି ଗାଁର ଏହି ୫୦ ବର୍ଷୀୟା ଚାଷୀ କହନ୍ତି, “ଆମେ ଯଦି ପ୍ଲାଷ୍ଟିକ୍ ବସ୍ତାରେ ଧାନ ରଖୁ, ତେବେ ସେଥିରେ କଳା କଳା ପୋକ (ଚାଉଳଖିଆ ପୋକ) ଲାଗି ଯାଆନ୍ତି। ତେଣୁ, ଆମେ ଡୁଲି ବ୍ୟବହାର କରୁ। ଆମେ ସାରା ବର୍ଷ ପାଇଁ ନିଜେ ରାନ୍ଧି ଖାଇବା ଲାଗି ବହୁ ପରିମାଣର ଚାଉଳ ଏଥିରେ ସାଇତି ରଖୁ।”
ସାରା ଦେଶରେ ଚାଉଳ ଉତ୍ପାଦନରେ ପଶ୍ଚିମ ବଙ୍ଗ ପ୍ରଥମ ( ଭାରତର ମୋଟ ଚାଉଳ ଉତ୍ପାଦନର ୧୩ ପ୍ରତିଶତ)। କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୧-୨୨ରେ ବାର୍ଷିକ ମୋଟ ୧୬.୭୬ ନିୟୁତ ଟନ୍ ଚାଉଳ ଉତ୍ପାଦିତ ହୋଇଥିଲା।
*****
ଅକ୍ଟୋବର ମଧ୍ୟ ଭାଗରୁ ଡିସେମ୍ବର ଯାଏଁ ପଶ୍ଚିମ ବଙ୍ଗରେ ବିତାଇ ଦିଅନ୍ତି ବାବନ ଏବଂ ତା’ ପରେ କିଛି ଦିନର ବିରତି ନେବା ଲାଗି ବିହାରରେ ନିଜ ଘରକୁ ଫେରି ଯାଆନ୍ତି। ଫେବ୍ରୁଆରୀ ଆସିଲେ, ସେ ପୁଣି ଆସାମର ଚା’ ବଗିଚା ଅଭିମୁଖେ ଘରୁ ବାହାରି ଯାଆନ୍ତି ଏବଂ ଚା’ ପତ୍ର ତୋଳା ଋତୁରେ ସେଠାରେ ଛଅରୁ ଆଠ ମାସ ବିତାଇ ଦିଅନ୍ତି। “ଆସାମରେ ଏମିତି ଜାଗା ନାହିଁ, ଯେଉଁଠିକି ମୁଁ ଯାଇନାହିଁ... ଦିବ୍ରୁଗଡ଼, ତେଜପୁର, ତିନସୁକିଆ, ଗୋଲାଘାଟ, ଜୋରହାଟ, ଗୁଆହାଟୀ,” ଏମିତି ବଡ଼ ବଡ଼ ସହର ଓ ନଗରର ନାଁ କହନ୍ତି ସେ।
ଆସାମରେ ସେ ବାଉଁଶର ଯେଉଁ ଝୁଡ଼ି ତିଆରି କରନ୍ତି ସେଗୁଡ଼ିକୁ ଢୋକୋ କୁହାଯାଏ। ଡୁଲି ତୁଳନାରେ ଢୋକୋ ର ଉଚ୍ଚତା ଖୁବ୍ କମ୍- ମାତ୍ର ତିନି ଫୁଟ୍। ଚା’ ଗଛରୁ ପତ୍ର ତୋଳିବାକୁ ଏହା ବ୍ୟବହୃତ ହୁଏ। ସେ ମାସକରେ ଏମିତିକା ୪୦୦ ଝୁଡ଼ି ତିଆରି କରନ୍ତି ଏବଂ ପ୍ରାୟତଃ ଏଥିପାଇଁ ତାଙ୍କୁ ଚା’ ବଗିଚା ତରଫରୁ ବରାଦ ମିଳିଥାଏ ଏବଂ ସେମାନେ ତାଙ୍କ ରହିବା ବ୍ୟବସ୍ଥା ସହିତ କାମ ପାଇଁ ବାଉଁଶ ଯୋଗାଇ ଦିଅନ୍ତି।
“ ବାଂଶ କାମ କିୟା, ଗୋବର କା କାମ କିୟା, ମାଟି କା କାମ କିୟା, ଖେତି ମେଁ କାମ କିୟା, ଆଇସ୍ କ୍ରିମ୍ କା ଭି କାମ କିୟା ... (ଜୀବିକା ପାଇଁ ମୁଁ ବାଉଁଶ କାମ କରିଛି, ଗୋବରରେ କାମ କରିଛି, ମାଟି କାଦୁଅରେ କାମ କରିଛି, ଚାଷଜମିରେ କାମ କରିଛି ଏବଂ ଏମିତି କି ଆଇସ୍ କ୍ରିମ ବି ବିକିଛି।)” ବର୍ଷ ଯାକର ତାଙ୍କ କାମ ସଂପର୍କରେ କହନ୍ତି ବହୁମୁଖୀ ପ୍ରତିଭାର ଅଧିକାରୀ ବାବନ।
ଆସାମରେ ଝୁଡ଼ି ତିଆରି କରିବାକୁ ପର୍ଯ୍ୟାପ୍ତ ବରାଦ ନ ମିଳିଲେ ସେ ରାଜସ୍ଥାନ ଓ ଦିଲ୍ଲୀ ଆଡ଼କୁ ବୁଲି ପଳାନ୍ତି ଏବଂ ସେଠାରେ ବୁଲା ବିକାଳି ଭାବରେ ଆଇସ କ୍ରିମ ବିକ୍ରି କରନ୍ତି। ତାଙ୍କ ଗାଁର ଅନ୍ୟ କେତେକ ଲୋକେ ସେଠାରେ ଏହି କାମ କରୁଥାଆନ୍ତି ଏବଂ ଦରକାର ସମୟରେ ସେ ସେମାନଙ୍କ ଦଳରେ ଯାଇ ମିଶି ଯାଆନ୍ତି। “ରାଜସ୍ଥାନ, ଦିଲ୍ଲୀ, ଆସାମ, ବେଙ୍ଗଲ- ଏହି ସବୁ ଜାଗାରେ ହିଁ ମୋର ପୂରା ଜୀବନ ବିତିଗଲା,” ସେ କହନ୍ତି।
ଦଶନ୍ଧି ଦଶନ୍ଧି ଧରି ଜଣେ କାରିଗର ଭାବେ କାମ କରିବା ସତ୍ତ୍ୱେ ହସ୍ତଶିଳ୍ପ ଉନ୍ନୟନ କମିଶନରଙ୍କ (ବୟନ ଶିଳ୍ପ ମନ୍ତ୍ରାଳୟ ପରିଚାଳିତ) କାର୍ଯ୍ୟାଳୟରେ ବାବନଙ୍କ ନାମ ପଞ୍ଜୀକୃତ ହୋଇନାହିଁ କି ତାଙ୍କୁ କାରିଗର ପରିଚୟ ପତ୍ର ମିଳିନାହିଁ। ଏହି ପରିଚୟ ପତ୍ର ବଳରେ ଜଣେ କାରିଗରଙ୍କର ଆନୁଷ୍ଠାନିକ ପରିଚୟ ସ୍ଥାପିତ ହୋଇଥାଏ ଏବଂ ତାଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ରୂପେ ସାମିଲ କରାଯିବା ସହିତ ସରକାରୀ ଋଣ, ଅବସରକାଳୀନ ଭତ୍ତା ମିଳିବା ସହିତ ତାଙ୍କ କାରିଗରୀକୁ ସ୍ୱୀକୃତି ସ୍ୱରୂପ ପୁରସ୍କାର ଲାଗି ସେ ଯୋଗ୍ୟ ବିବେଚିତ ହୁଅନ୍ତି ଏବଂ ତାଙ୍କ ଦକ୍ଷତା ବିକାଶ ଦିଗରେ ଏବଂ ଭିତ୍ତିଭୂମି କ୍ଷେତ୍ରରେ ସହାୟତା ମିଳିଥାଏ।
“ଆମ (କାରିଗରମାନଙ୍କ) ଭଳି ଅନେକ ଅଛନ୍ତି, ହେଲେ ଗରିବଙ୍କ କଥା କିଏ ବୁଝୁଛି? ସମସ୍ତେ ନିଜ ନିଜର ପକେଟ୍ ଗରମ କରିବାରେ ବ୍ୟସ୍ତ,” ବାବନ କହନ୍ତି। ବ୍ୟାଙ୍କରେ ତାଙ୍କ ନିଜର ଜମାଖାତାଟିଏ ବି ନାହିଁ। “ମୁଁ ମୋର ଆଠଟି ପିଲାଙ୍କୁ ବଡ଼ କରିଛି। ଏବେ, ଯେତେ ଦିନ ଯାଏଁ ଦେହରେ ବଳ ଅଛି, ମୁଁ ରୋଜଗାର କରି ଖାଇବି। ଏହାଠୁ ଅଧିକ ମୋର ଆଉ କ’ଣ ଦରକାର? ମୁଁ ବା (ଆଉ) କ’ଣ କରିପାରିବି ?”
ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମ୍ଏମ୍ଏଫ୍)ର ଏକ ଫେଲୋସିପ୍ ସହାୟତାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ଅନୁବାଦ : ଓଡ଼ିଶାଲାଇଭ୍