ସାରୁ ନିଜ ଘର ବାହାରେ ଆମ୍ବ ଗଛ ତଳେ ମନଦୁଃଖରେ ବସିଛନ୍ତି। କୋଳରେ ଅସ୍ଥିର ହୋଇ ଖେଳୁଛି ତାଙ୍କର କୁନି ପୁଅ। ଏବେ ଯାଏଁ ସେ ମା କ୍ଷୀର ଛାଡ଼ିନି। ସାରୁ କହିଲେ, "ଏବେ ସମୟ ହୋଇଗଲାଣି, ଯେକୌଣସି ଦିନ ମୋର ପିରିୟଡ୍ସ ହେବ। ସେତେବେଳେ ମୋତେ କୁର୍ମା ଘର କୁ ଯିବାକୁ ପଡ଼ିବ।" ସତକୁ ସତ ‘ପିରିୟଡ୍ ହଟ୍’, ଯାହାକୁ କୁର୍ମା ଘର କୁହାଯାଏ, ସେଠାରେ ଋତୁସ୍ରାବ ସମୟରେ ତାଙ୍କୁ ୪-୫ ଦିନ ରହିବାକୁ ପଡ଼ିବ।
ଏହି ଆସନ୍ନ ପ୍ରାୟ ଘଟଣା ସାରୁଙ୍କୁ (ତାଙ୍କର ପ୍ରକୃତ ନାମ ନୁହେଁ) ଚିନ୍ତିତ କରି ପକାଇଲାଣି। ସେ ନିଜ ନଅ ମାସର ପୁଅକୁ ଶାନ୍ତ କରିବାକୁ ଚେଷ୍ଟା କରୁ କରୁ କହନ୍ତି, “ କୁର୍ମା ଘରେ ଅଣନିଶ୍ୱାସୀ ଲାଗେ। ମୋ ପିଲାଙ୍କଠୁ ଦୂରରେ ରହି ମୁଁ ସେଠି ଶୋଇ ପାରେନି।” ତାଙ୍କର ଆଉ ଗୋଟିଏ ଝିଅ ବି ଅଛି, କୋମଲ୍ (ତାର ପ୍ରକୃତ ନାମ ନୁହେଁ), ତାକୁ ସାଢ଼େ ତିନି ବର୍ଷ ଏବଂ ସେ ନର୍ସରୀ ସ୍କୁଲରେ ପଢ଼ୁଛି। “ତା’ର ବି ପାଳି [ମାସିକ ଋତୁସ୍ରାବ] ଦିନେ ଆରମ୍ଭ ହେବ; ଏହା ଭାବି ମୋତେ ଡର ଲାଗୁଛି,” କହନ୍ତି ୩୦ ବର୍ଷର ସାରୁ। ତାଙ୍କ ଝିଅକୁ ବି ମାଡିଆ ଜନଜାତିର ପରମ୍ପରା ମାନିବାକୁ ପଡ଼ିବ ବୋଲି ବ୍ୟସ୍ତ ହୋଇ ପଡ଼ନ୍ତି ସାରୁ।
ସାରୁଙ୍କ ଗାଁରେ ଚାରୋଟି କୁର୍ମା ଘର ଅଛି - ତାଙ୍କ ଘରଠାରୁ ୧୦୦ ମିଟରରୁ କମ୍ ଦୂରରେ ଗୋଟିଏ ଅଛି। ସେହି ଘରଗୁଡ଼ିକୁ ବର୍ତ୍ତମାନ ଗାଁର ୨୭ ଜଣ କିଶୋରୀ ଏବଂ ମହିଳାମାନେ ବ୍ୟବହାର କରୁଛନ୍ତି। “ମୁଁ ମୋର ମା’ ଏବଂ ତାଙ୍କ ମା’ କୁର୍ମା ଘରକୁ ଯାଉଥିବାର ଦେଖି ବଡ଼ ହୋଇଛି। ବର୍ତ୍ତମାନ ମୁଁ ଏହାକୁ ବ୍ୟବହାର କରୁଛି। କିନ୍ତୁ ମୁଁ ଚାହେଁ ନାହିଁ ଯେ କୋମଲ୍ ବି ଏହି ପ୍ରଥାର ଶିକାର ହେଉ,” କହନ୍ତି ସାରୁ।
ମାଡ଼ିଆ, ଏକ ଆଦିବାସୀ ଜନଜାତି, ଋତୁସ୍ରାବ ହେଉଥିବା ମହିଳାମାନଙ୍କୁ ଅଶୁଦ୍ଧ ଏବଂ ଅସ୍ପୃଶ୍ୟ ବୋଲି ମନେ କରନ୍ତି ଏବଂ ଯେତେବେଳେ ସେମାନଙ୍କର ଋତୁସ୍ରାବ ହୁଏ, ସେତେବେଳେ ସେମାନଙ୍କୁ ଦୂରକୁ ପଠାଇ ଦିଅନ୍ତି। ସାରୁ କହନ୍ତି, “ମୁଁ ୧୩ ବର୍ଷ ବୟସରୁ କୁର୍ମା ଘର କୁ ଯାଉଛି।” ସେ ସେତେବେଳେ ମହାରାଷ୍ଟ୍ରର ଗାଡଚିରୋଲି ଜିଲ୍ଲାର ପୂର୍ବ ଭାଗରେ ବର୍ତ୍ତମାନର ଘରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଏକ ଗାଁରେ ତାଙ୍କ ବାପାଙ୍କ ଘରେ ଥିଲେ।
ଗତ ୧୮ ବର୍ଷ ମଧ୍ୟରେ, ସାରୁ ତାଙ୍କ ଜୀବନର ପ୍ରାୟ ୧୦୦୦ ଦିନ - ପ୍ରତି ମାସରେ ପ୍ରାୟ ପାଞ୍ଚ ଦିନ – ଏଭଳି ଏକ କୁଡ଼ିଆ ଘରେ ବିତାଇଛନ୍ତି ଯେଉଁଠି ବାଥରୁମ୍ ନାହିଁ, ପାଇପ୍ ପାଣି ଜଳ ନାହିଁ, ବିଦ୍ୟୁତ୍ ନାହିଁ, ଖଟ ନାହିଁ କି ପଙ୍ଖା ନାହିଁ। “ଏହା ଭିତର ଅନ୍ଧାର ଏବଂ ରାତିରେ ବହୁତ ଡର ଲାଗେ। ମୋତେ ଲାଗେ ସତେ ଯେମିତି ଅନ୍ଧକାର ମୋତେ ଖାଇଦେବ,” ସେ କହନ୍ତି। "ମୋତେ ଲାଗେ ଯେମିତି ଜୋର୍ ରେ ଦୌଡ଼ି ମୋ ଘରକୁ ପଳେଇବି ଏବଂ ମୋ ପିଲାମାନଙ୍କୁ ମୋ ଛାତିରେ କୁଣ୍ଢେଇ ଧରିବି... କିନ୍ତୁ ମୁଁ ସେମିତି କରିପାରିବି ନାହିଁ।"
କୁର୍ମା ଘର ଭିତରେ - ଯାହା ତାଙ୍କ ଗାଁର ଅନ୍ୟ ମହିଳାମାନେ ମଧ୍ୟ ବ୍ୟବହାର କରନ୍ତି - ସାରୁ ଏକ ପରିଷ୍କାର କୋଠରୀ, ପୀଡ଼ା ହେଉଥିବା ଶରୀରକୁ ବିଶ୍ରାମ ଦେବା ପାଇଁ ଏକ କୋମଳ ଶେଯ ଏବଂ ପ୍ରିୟଜନଙ୍କ ଭଲପାଇବାର ଉଷ୍ମତା ଥିବା ଏକ କମ୍ବଳ ପାଇବା ପାଇଁ ଇଚ୍ଛା କରନ୍ତି। କିନ୍ତୁ ଝାଟି ମାଟି, ବାଉଁଶ, ଝିଙ୍କରରେ ତିଆରି ଭଙ୍ଗା କୁର୍ମା ଘରକୁ ପଶୁ ପଶୁ ମନ ଉଦାସ ହୋଇଯାଏ। ଏମିତିକି ଯେଉଁ ଚଟାଣରେ ସେ ଶୁଅନ୍ତି ତାହା ସମାନ ନଥାଏ। “ସେମାନେ [ସ୍ୱାମୀ କିମ୍ବା ଶାଶୁ] ପଠାଉଥିବା ଏକ ବେଡସିଟ୍ ତଳେ ବିଛାଇ ମୁଁ ଶୁଏ। ମୋର ପିଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ହୁଏ ଏବଂ ପେଟ କାଟେ। ଗୋଟିଏ ପତଳା ବେଡସିଟ୍ ଉପରେ ଶୋଇବା ଆଦୌ ଆରାମଦାୟକ ନୁହେଁ,” ସେ କହନ୍ତି।
ନିଜ ପିଲାମାନଙ୍କଠାରୁ ଦୂରରେ ରହିବା ଯୋଗୁଁ ସାରୁଙ୍କ କଷ୍ଟ ଯନ୍ତ୍ରଣା ବହୁଗୁଣ ବଢ଼ିଯାଏ। ସେ କହନ୍ତି, "ମୋ ନିଜ ଲୋକମାନେ ବି ମୋର ଦୁଃଖ ବୁଝି ପାରନ୍ତି ନାହିଁ, ସେଥିପାଇଁ ମନରେ ବହୁତ କଷ୍ଟ ହୁଏ।”
ମହିଳାମାନଙ୍କର ମାସିକ ଋତୁସ୍ରାବ ଆଗରୁ ଏବଂ ଋତୁସ୍ରାବ ସମୟରେ ସେମାନଙ୍କର ଚିନ୍ତା, ମାନସିକ ଚାପ ଏବଂ ଉଦାସୀନତା ଭଳି ମାନସିକ ଲକ୍ଷଣଗୁଡ଼ିକ ବଢ଼ିଯାଏ ବୋଲି ମୁମ୍ବାଇର ସାଇକୋଥେରାପିଷ୍ଟ ଡକ୍ଟର ସ୍ୱାତୀ ଦୀପକ କୁହନ୍ତି। “ଗମ୍ଭୀରତା ଭିନ୍ନ ଭିନ୍ନ ମହିଳାଙ୍କଠାରେ ଭିନ୍ନ ଭିନ୍ନ ହୋଇଥାଏ। ଉପଯୁକ୍ତ ଯତ୍ନ ନ ନେଲେ ସ୍ଥିତି ଅଧିକ ଖରାପ ହୋଇପାରେ,” ସେ କହିଛନ୍ତି। “ମହିଳାମାନେ ସେହି ସମୟରେ ନିଜ ପରିବାରରୁ ସ୍ନେହ ଏବଂ ଯତ୍ନ ନେବା ଜରୁରୀ। ଭେଦଭାବ ଏବଂ ଏକାପଣ ଦୁଃଖଦାୟକ ହୋଇଥାଏ।”
ମାଡ଼ିଆ ସମ୍ପ୍ରଦାୟର ମହିଳାମାନେ ଋତୁସ୍ରାବ ସମୟରେ ବ୍ୟବହାର କରୁଥିବା କପଡ଼ା ଏବଂ ପ୍ୟାଡ୍ ଘରେ ରଖିବାକୁ ମଧ୍ୟ ଅନୁମତି ନ ଥାଏ। ସାରୁ କୁହନ୍ତି, “ଆମେ ସମସ୍ତେ ସେସବୁ କୁର୍ମା ଘରେ ରଖୁ।” ବ୍ୟବହୃତ ଲୁଗା, ସାୟାରୁ କପଡ଼ା ଚିରି ଋତୁସ୍ରାବ ସମୟରେ ବ୍ୟବହାର କରାଯାଏ। ପ୍ଲାଷ୍ଟିକ୍ ବ୍ୟାଗରେ ସେଗୁଡ଼ିକ ଭର୍ତ୍ତି କରି କୁର୍ମା ଘରର କାନ୍ଥ ଖୋଲରେ ରଖାଯାଏ କିମ୍ୱା ବାଉଁଶରେ ଟଙ୍ଗା ଯାଏ। “ସେହୁ କୁଡ଼ିଆର ଚାରିପାଖରେ ଝିଟିପିଟି ଏବଂ ମୂଷା ବୁଲୁଛନ୍ତି ଏବଂ ସେମାନେ ଏହି କପଡ଼ା ଉପରେ ବସନ୍ତି।” ଦୂଷିତ କପଡ଼ା ଯୋଗୁଁ କୁଣ୍ଡାଇ ହୁଏ ଏବଂ ସଂକ୍ରମଣର ଆଶଙ୍କା ଥାଏ।
ସେଇ ଘରେ ଗୋଟେ ହେଲେ ଝରକା ନାହିଁ, ଏବଂ ପବନ ଯାଆସ କରୁନି ବୋଲି ଘର ଭିତରେ କପଡ଼ା ଗନ୍ଧ ହୁଏ। ସାରୁ କହନ୍ତି, “ବର୍ଷାରେ ଏଇ ଅବସ୍ଥା ଅଧିକ ଖରାପ ହୋଇଯାଏ।” ସେ ଆହୁରି ମଧ୍ୟ କହିଛନ୍ତି, “ ବର୍ଷା ଦିନେ ମୁଁ [ସାନିଟାରୀ] ପ୍ୟାଡ୍ ବ୍ୟବହାର କରେ କାରଣ କପଡ଼ା ଭଲ ଭାବରେ ଶୁଖେ ନାହିଁ। ସାରୁ ୨୦ ଟି ପ୍ୟାଡ୍ ଥିବା ପ୍ୟାକ୍ ୯୦ ଟଙ୍କା ଦେଇ କିଣନ୍ତି। ଏଥିରେ ଦୁଇ ମାସ ତାଙ୍କର କାମ ଚଳିଯାଏ।
ସେ ଯେଉଁ କୁର୍ମା ଘରକୁ ଯାଆନ୍ତି ତାହା ଅତିକମ୍ରେ ୨୦ ବର୍ଷ ପୁରୁଣା। କିନ୍ତୁ କେହି ଏହାର ଦେଖାଶୁଣା କରନ୍ତି ନାହିଁ। ଛାତର ବାଉଁଶ ଢାଞ୍ଚା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଉଛି। ମାଟି କାନ୍ଥରେ ଫାଟ ହେଇ ଗଲାଣି। “ତେଣୁ ଆପଣ କଳ୍ପନା କରିପାରୁଥିବେ ଯେ ଏହି କୁଡ଼ିଆଟି କେତେ ପୁରୁଣା। କୌଣସି ପୁରୁଷ ଏହାକୁ ମରାମତି କରିବାକୁ ଚାହୁଁ ନାହାନ୍ତି କାରଣ ଏହା ଋତୁସ୍ରାବ ହେଉଥିବା ମହିଳାମାନଙ୍କ ଦ୍ୱାରା ଦୂଷିତ, ” କହନ୍ତି ସାରୁ। ଯେ କୌଣସି ମରାମତି କାମ ମହିଳାମାନଙ୍କୁ ନିଜେ କରିବାକୁ ପଡ଼େ।
*****
ସାରୁ ଋତୁସ୍ରାବ ସମୟରେ ଅଲଗା ରହିବାଠାରୁ ବାଦ ହୋଇନାହାଁନ୍ତି ଯଦିଓ ଗତ ଚାରି ବର୍ଷ ହେଲା ସେ ଜଣେ ଜନସ୍ୱାସ୍ଥ୍ୟ କର୍ମୀ - ଜଣେ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟକର୍ମୀ। ସେ କହନ୍ତି, "ମୁଁ ଜଣେ ଆଶା କର୍ମୀ, କିନ୍ତୁ ବର୍ଷ ବର୍ଷ ଧରି ମୁଁ ଏଠାରେ ମହିଳା ଏବଂ ପୁରୁଷମାନଙ୍କ ମାନସିକତା ପରିବର୍ତ୍ତନ କରିପାରିଲି ନାହିଁ। ମାସିକ ଋତୁସ୍ରାବ ବିଷୟରେ ଅନ୍ଧବିଶ୍ୱାସ ହେଉଛି ମୂଳ କାରଣ ଯେଉଁଥିପାଇଁ ଲୋକମାନେ ଏହି ପ୍ରଥାରେ ବିଶ୍ୱାସ କରୁଛନ୍ତି ବୋଲି ସାରୁ ସ୍ପଷ୍ଟ କରିଛନ୍ତି। ବୟସ୍କ ଲୋକମାନେ କହନ୍ତି ଯେ ଏହା [ଘରେ ଋତୁସ୍ରାବ କରୁଥିବା ମହିଳା] ଗ୍ରାମଦେବୀ ଙ୍କୁ କ୍ରୋଧିତ କରିବ ଏବଂ ସମଗ୍ର ଗାଁ ଆମ ଈଷ୍ଟଦେବୀଙ୍କ କୋପର ଶିକାର ହେବ।” ତାଙ୍କ ସ୍ୱାମୀ କଲେଜରୁ ସ୍ନାତକ ପାସ୍ କରିଛନ୍ତି, କିନ୍ତୁ ସେ ମଧ୍ୟ କୁର୍ମା ପ୍ରଥାକୁ ସମର୍ଥନ କରନ୍ତି।
କୁର୍ମା ପ୍ରଥା ନ ମାନିଲେ ଦଣ୍ଡ ହେଉଛି ଗୋଟିଏ କୁକୁଡ଼ା କିମ୍ବା ଛେଳି, ଯାହା ଗ୍ରାମଦେବତୀଙ୍କୁ ବଳି ଦିଆଯାଏ। ଆକାର ଉପରେ ନିର୍ଭର କରି ଗୋଟିଏ ଛେଳିର ମୂଲ୍ୟ ୪, ୦୦୦-୫, ୦୦୦ ଟଙ୍କା ଭିତରେ ହୋଇପାରେ।, ସାରୁ କହନ୍ତି।
ବିଡମ୍ବନାର ବିଷୟ, ଯଦିଓ ତାଙ୍କ ଋତୁସ୍ରାବ ଚାଲିଥିବାବେଳେ ସେ ଘରେ ରହିପାରନ୍ତି ନାହିଁ, କିନ୍ତୁ ସେହି ଦିନମାନଙ୍କରେ ପରିବାରର ଜମିରେ କାମ ଏବଂ ପଶୁପାଳନ କରିବାରେ କିଛି ବାରଣ କରାଯାଏ ନାହିଁ। ତାଙ୍କ ପରିବାରର ଦୁଇ ଏକର ବର୍ଷାଜଳ ସେଚିତ ଚାଷ ଜମି ଅଛି, ଯେଉଁଠାରେ ସେମାନେ ଜିଲ୍ଲାର ମୁଖ୍ୟ ଫସଲ ଧାନ ଚାଷ କରନ୍ତି। “ମୁଁ ଯେ ବିଶ୍ରାମ ନିଏ ତାହା ନୁହେଁ। ମୁଁ ଘର ବାହାରେ କାମ କରେ; ଏବଂ ଏହା କଷ୍ଟଦାୟକ,” ସେ କୁହନ୍ତି। ସେ ଏହାକୁ ଛଳନା ବୋଲି କହିଛନ୍ତି, “କିନ୍ତୁ ଏହାକୁ ରୋକିବା ପାଇଁ କ’ଣ କରାଯାଇପାରିବ? ମୁଁ ଜାଣି ନାହିଁ।"
ତାଙ୍କ ଆଶା କାମ ମାଧ୍ୟମରେ ସାରୁ ମାସକୁ ୨, ୦୦୦- ୨, ୫୦୦ ଟଙ୍କା ରୋଜଗାର କରନ୍ତି। କିନ୍ତୁ, ଦେଶର ଅନ୍ୟ ଆଶା କର୍ମୀମାନଙ୍କ ପରି ସେ ମଧ୍ୟ ତାଙ୍କ ପ୍ରାପ୍ୟ ଠିକ୍ ସମୟରେ ପାଆନ୍ତି ନାହିଁ। ପଢ଼ନ୍ତୁ: ଅସୁସ୍ଥତା ଏବଂ ସୁସ୍ଥତା ସମୟରେ ଗାଁର ଯତ୍ନ । ସେ କହନ୍ତି, “ମୋ ବ୍ୟାଙ୍କ ଆକାଉଣ୍ଟକୁ ୩-୪ ମାସରେ ଥରେ ଟଙ୍କା ଆସେ।”
ସାରୁ ଏବଂ ଅନ୍ୟମାନଙ୍କ ପାଇଁ ଏହି ପ୍ରଥା ଏକ ବୋଝ ଭଳି। ଦେଶର ଅତ୍ୟଧିକ ପଛୁଆ ଜିଲ୍ଲା ମଧ୍ୟରୁ ଅନ୍ୟତମ ଗଡ଼ଚିରୋଲିର ଅଧିକାଂଶ ଗ୍ରାମରେ ପୁରୁଣା କୁର୍ମା ପ୍ରଥା ପ୍ରଚଳିତ ହେଉଛି। ମାଡ଼ିଆ ସମେତ ଏଠାରେ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟର ଜନସଂଖ୍ୟା ଜିଲ୍ଲାର ମୋଟ ଜନସଂଖ୍ୟାର ୩୯ ପ୍ରତିଶତ। ଏହାର ପ୍ରାୟ ୭୬ ପ୍ରତିଶତ ଜମି ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ଏବଂ ପ୍ରାଶାସନିକ ଦୃଷ୍ଟିରୁ ଜିଲ୍ଲାକୁ ‘ପଛୁଆ’ ଶ୍ରେଣୀଭୁକ୍ତ କରାଯାଇଛି। ନିଷିଦ୍ଧ ମାଓବାଦୀ ଗୋଷ୍ଠୀର କ୍ୟାଡରମାନେ ଏଠାରେ ସକ୍ରିୟ ଥିବାରୁ ସୁରକ୍ଷା ବାହିନୀ ପାହାଡ଼ ଅଞ୍ଚଳରେ ଅଧିକ ପାଟ୍ରୋଲିଂ କରୁଛନ୍ତି।
ଗଡ଼ଚିରୋଲି ଜିଲ୍ଲାରେ କୁର୍ମା ପ୍ରଥା ମାନୁଥିବା ଗାଁଗୁଡ଼ିକର ସଂଖ୍ୟା ସମ୍ୱନ୍ଧୀୟ କୌଣସି ଦସ୍ତାବିଜ ଉପଲବ୍ଧ ନାହିଁ। ୨୦୧୬ ମସିହାରୁ ଗଡ଼ଚିରୋଲିର ଭାମ୍ରାଗଡ଼ ତାଲୁକାରେ କାର୍ଯ୍ୟ କରିଆସୁଥିବା ପୁଣେର ଏକ ବେସରକାରୀ ସଂସ୍ଥାର ପ୍ରତିଷ୍ଠାତା ସଚିନ ଆଶା ସୁଭାଷ କୁହନ୍ତି, “ଏହି ପ୍ରଥା ମାନୁଥିବା ୨୦ ଟି ଗାଁରେ ସଚେତନତା ସୃଷ୍ଟି କରିବାରେ ଆମେ ସକ୍ଷମ ହୋଇଛୁ।” ସମାଜବନ୍ଧର ସ୍ୱେଚ୍ଛାସେବୀମାନେ ଆଦିବାସୀ ମହିଳାମାନଙ୍କ ମଧ୍ୟରେ ମାସିକ ଋତୁସ୍ରାବର ବିଜ୍ଞାନ, ସ୍ୱଚ୍ଛତା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। କୁର୍ମା ଘର ଯୋଗୁଁ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବା ସମ୍ପର୍କରେ ବୟସ୍କ ପୁରୁଷ ଏବଂ ମହିଳାମାନଙ୍କୁ ମଧ୍ୟ ସଚେତନ କରୁଛନ୍ତି।
ଏହା ବହୁତ କଷ୍ଟକର ଥିଲା ବୋଲି ସଚିନ୍ ସ୍ୱୀକାର କରିଛନ୍ତି। ସେମାନଙ୍କର ସଚେତନତା ଅଭିଯାନ ଏବଂ କର୍ମଶାଳା ପାଇଁ ଦୃଢ଼ ବିରୋଧ କରାଯାଇଥିଲା। “ହଠାତ୍ କୁର୍ମା ପ୍ରଥା ବନ୍ଦ କରିବାକୁ ସେମାନଙ୍କୁ କହିବା ସେତେଟା ସହଜ ନୁହେଁ। ସେମାନଙ୍କ ମତରେ, ଏହା ସେମାନଙ୍କର ସଂସ୍କୃତିର ଏକ ଅଂଶ ଏବଂ ବାହାର ଲୋକ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ।” ଭୁମିୟା ଏବଂ ପର୍ମା, ମୁଖିଆ ଏବଂ ପ୍ରଧାନ ପୁରୋହିତଙ୍କ ଭଳି ପ୍ରଭାବଶାଳୀ ବ୍ୟକ୍ତିମାନେ ଆମ ଦଳକୁ ଚେତାବନୀ ଦେଇଛନ୍ତି। ସଚିନ କହିଛନ୍ତି, “ଆମେ ସେମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛୁ, କାରଣ କୌଣସି ନିଷ୍ପତ୍ତିରେ ମହିଳାମାନଙ୍କ ମତାମତ ଉପରେ ଗୁରୁତ୍ୱ ଦିଆଯାଉ ନାହିଁ।”
ବହୁ ଦିନର ଚେଷ୍ଟା ପରେ, ସଚିନ ଏବଂ ତାଙ୍କ ସହଯୋଗୀ ସ୍ୱେଚ୍ଛାସେବୀମାନେ କିଛି ଭୁମିୟାଙ୍କୁ କୁର୍ମା ଘରେ ବିଦ୍ୟୁତ୍, ଜଳ, ଟେବୁଲ୍ ଫ୍ୟାନ୍ ଏବଂ ଖଟ ଯୋଗାଇବା ପାଇଁ ବୁଝାଇବାରେ ସକ୍ଷମ ହୋଇଛନ୍ତି। ମହିଳାମାନଙ୍କୁ ସେମାନଙ୍କ କପଡ଼ା ପ୍ୟାଡକୁ ଘରେ, ସିଲ୍ ଟ୍ରଙ୍କରେ ରଖିବାକୁ ଦିଆଯାଉ ବୋଲି ସେମାନଙ୍କ ସହମତି ମଧ୍ୟ ହାସଲ କରିଛନ୍ତି। “କିଛି ଭୁମିୟା ଲିଖିତ ପ୍ରତିଶ୍ରୁତି ଦେଇ ରାଜି ହୋଇଛନ୍ତି। କିନ୍ତୁ କୁର୍ମା ଘରକୁ ଯିବାକୁ ଚାହୁଁନଥିବା ମହିଳାଙ୍କୁ ଅଲଗା ନ ରଖିବାକୁ ସେମାନଙ୍କୁ ରାଜି କରାଇବାକୁ ବହୁ ସମୟ ଲାଗିବ,” ସେ କୁହନ୍ତି।
*****
ବେଜୁରରେ ପାର୍ବତୀ ୧୦ x ୧୦ ଫୁଟ କୁର୍ମା ଘରେ ନିଜ ଶେଯ ପ୍ରସ୍ତୁତ କରୁଛନ୍ତି। “ମୋତେ ଏଠି ରହିବାକୁ ଭଲ ଲାଗେନି,” ଡରି ଡରି କହନ୍ତି ଏହି ୧୭ ବର୍ଷୀୟା କିଶୋରୀ। ୩୫ ଟି ପରିବାର ଏବଂ ୨୦୦ ରୁ କମ୍ ଲୋକ ରହୁଥିବା ବେଜୁର ଭାମ୍ରାଗଡ଼ ତାଲୁକାର ଏକ ଛୋଟ ଗାଁ। ତେବେ ସେଠାକାର ମହିଳାମାନଙ୍କ କହିବା ଅନୁସାରେ ଗାଁରେ ନଅଟି ଋତୁସ୍ରାବ କୁଡ଼ିଆ ଘର ଅଛି।
ଯେତେବେଳେ ପାର୍ବତୀ କୁର୍ମା ଘରରେ ରହନ୍ତି, ତାଙ୍କର ଏକାମାତ୍ର ସାନ୍ତ୍ୱନା ହେଉଛି ରାତିରେ କାନ୍ଥରେ ଥିବା ଏକ ଫାଟ ଦେଇ ଘର ଭିତରେ ପଡ଼ୁଥିବା ଜହ୍ନଆଲୁଅ। “ମୁଁ ଅଧାରାତିରେ ହଠାତ୍ ଉଠିପଡ଼େ। ଜଙ୍ଗଲରୁ ପଶୁମାନଙ୍କ ଭୟଙ୍କର ଶବ୍ଦ ଶୁଣି ବହୁତ ଡର ଲାଗେ,” ସେ କୁହନ୍ତି।
ବିଦ୍ୟୁତ୍ ସଂଯୋଗ ଥିବା ଏକ ମହଲା ବିଶିଷ୍ଟ ସୁନିର୍ମିତ ତାଙ୍କ ଘର କୁର୍ମା ଘରଠାରୁ ମାତ୍ର ୨୦୦ ମିଟର ଦୂର। “ମୋ ନିଜ ଘରେ ମୋତେ ସୁରକ୍ଷିତ ଲାଗେ, ଏଠାରେ ନୁହେଁ। କିନ୍ତୁ ମୋର ବାପାମାଆ ଏହି ପ୍ରଥା ଭାଙ୍ଗିବାକୁ ଡରୁଛନ୍ତି,” ଦୀର୍ଘ ନିଶ୍ୱାସ ଛାଡ଼ି କହନ୍ତି ପାର୍ବତୀ। “ଆଉ କିଛି ବାଟ ନାହିଁ। ଗାଁର ପୁରୁଷମାନେ ଏହି ନିୟମକୁ ନେଇ ବହୁତ କଠୋର।”
ପାର୍ବତୀ ବେଜୁରଠାରୁ ୫୦ କିଲୋମିଟର ଦୂରରେ ଥିବା ଗଡ଼ଚିରୋଲିର ଏଟାପାଲି ତାଲୁକାରେ ଥିବା ଭଗବନ୍ତରାଓ ଆର୍ଟ ଆଣ୍ଡ ସାଇନ୍ସ କଲେଜର ଏକାଦଶ ଶ୍ରେଣୀର ଛାତ୍ର। ସେ ସେଠାରେ ଏକ ହଷ୍ଟେଲରେ ରୁହନ୍ତି ଏବଂ ଛୁଟିଦିନରେ ଘରକୁ ଆସନ୍ତି। ସେ କୁହନ୍ତି, "ମୋତେ ଘରକୁ ଆସିବାକୁ ଇଚ୍ଛା ହୁଏନି। ଖରାଦିନେ ଏଠି ବହୁତ ଗରମ ହୁଏ ଏବଂ ଏହି ଛୋଟ କୁଡ଼ିଆ ଘରେ ରାତିସାରେ ମୁଁ ଝାଳରେ ଭିଜେ।”
ମହିଳାମାନେ କୁର୍ମା ଘର ରେ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେସବୁ ମଧ୍ୟରୁ ସବୁଠାରୁ ବେଶୀ କଷ୍ଟଦାୟକ ହେଉଛି ଶୌଚାଳୟ ଏବଂ ପାଣିର ଅଭାବ। ଶୌଚ ପାଇଁ ପାର୍ବତୀଙ୍କୁ କୁଡ଼ିଆ ପଛରେ ଥିବା ବୁଦା ଭିତରକୁ ଯିବାକୁ ପଡ଼େ। “ରାତିରେ ଏହା ପୂରା ଅନ୍ଧାର ଥାଏ ଏବଂ ଏକୁଟିଆ ଯିବା ନିରାପଦ ନୁହେଁ। ଦିନବେଳେ ସେହି ବାଟେ କିଏ ଯାଆସ କଲାବେଳେ ଆମକୁ ସତର୍କ ରହିବାକୁ ପଡ଼େ,” ସେ କୁହନ୍ତି। ପାର୍ବତୀଙ୍କ ଘରୁ କେହି ସଫା କରିବା ଏବଂ ଧୋଇବା ପାଇଁ ଗୋଟିଏ ବାଲ୍ଟି ପାଣି ଆଣି ଦିଅନ୍ତି। ଏବଂ ପିଇବା ପାଣିକୁ ଏକ ଷ୍ଟିଲ୍ ମାଠିଆ ରେ ରଖାଯାଏ। ସେ କୁହନ୍ତି, "କିନ୍ତୁ ମୁଁ ଗାଧୋଇ ପାରେନି।”
ସେ କୁଡ଼ିଆ ବାହାରେ ମାଟିର ଏକ ଚୁଲି ରେ ରାନ୍ଧନ୍ତି। ଅନ୍ଧାରରେ ରାନ୍ଧିବା ସହଜ ନୁହେଁ ବୋଲି ସେ କୁହନ୍ତି। “ଘରେ, ଆମେ ଲଙ୍କାଗୁଣ୍ଡ ଏବଂ ଲୁଣ ପକାଇ ସୁଆଦିଆ ଖାଦ୍ୟ ଖାଉ। ବେଳେବେଳେ ଛେଳି ମାଂସ, ଚିକେନ୍, ନଦୀ ମାଛ…।” ପାର୍ବତୀ ତାଙ୍କ ପସନ୍ଦିଆ ଖାଦ୍ୟର ନାଁ ସବୁ କହି ଚାଲନ୍ତି। ଋତୁସ୍ରାବ ବେଳେ ମଧ୍ୟ ସେ ସେସବୁ ଖାଆନ୍ତି, କିନ୍ତୁ ଫରକ୍ ହେଉଛି ତାଙ୍କୁ କମ୍ ସାମଗ୍ରୀରେ ନିଜେ ରାନ୍ଧିବାକୁ ପଡ଼େ। ପାର୍ବତୀ କୁହନ୍ତି, “ସେହି ଦିନମାନଙ୍କରେ ଘରୁ ପଠାଯାଇଥିବା ଅଲଗା ବାସନ ବ୍ୟବହାର କରିବାକୁ ପଡ଼େ।”
କୁର୍ମା ଘରେ ଥିବାବେଳେ ସାଙ୍ଗ, ପଡ଼ୋଶୀ କିମ୍ବା ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିବା ପାଇଁ ଅନୁମତି ମିଳେ ନାହିଁ। ପାର୍ବତୀ ପ୍ରତିବନ୍ଧକଗୁଡ଼ିକର ତାଲିକା ବର୍ଣ୍ଣନା କରି କୁହନ୍ତି, "ଦିନରେ କୁଡ଼ିଆରୁ ବାହାରିବାକୁ, କି ଗାଁରେ ବୁଲିବାକୁ, କିମ୍ବା କାହା ସହ କଥାବାର୍ତ୍ତା କରିବାକୁ ଦିଆଯାଏ ନାହିଁ ।"
*****
ମାସିକ ଋତୁସ୍ରାବ ହେଉଥିବା ମହିଳାମାନଙ୍କୁ ଅପରିଷ୍କାର ମନେ କରିବା ଏବଂ ସେମାନଙ୍କୁ ଅଲଗା ରଖିବାର ପ୍ରଥା ଯୋଗୁଁ ଭାମ୍ରାଗଡ଼ରେ ଦୁର୍ଘଟଣା ଏବଂ ମୃତ୍ୟୁ ଭଳି ଘଟଣା ଘଟୁଛି। ଭାମ୍ରାଗଡ଼ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଆର୍. ଏସ୍ ଚୌହାନ୍ କହିଛନ୍ତି, “ଗତ ପାଞ୍ଚ ବର୍ଷ ମଧ୍ୟରେ, କୁର୍ମା ଘରେ ରହଣି ସମୟରେ ସାପ ଏବଂ କଙ୍କଡ଼ାବିଛା କାମୁଡ଼ାରେ ଚାରି ଜଣ ମହିଳା ମୃତ୍ୟୁ ବରଣ କରିଛନ୍ତି।” ଶ୍ରୀଯୁକ୍ତ ଚୌହାନ୍ ରାଜ୍ୟ ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରତିନିଧିତ୍ୱ କରୁଛନ୍ତି।
ଭୁଶୁଡ଼ି ପଡ଼ିଥିବା କୁର୍ମା ଘରଗୁଡ଼ିକର ବିକଳ୍ପ ଭାବରେ ୨୦୧୯ ରେ ଜିଲ୍ଲା ପ୍ରଶାସନ ଦ୍ୱାରା ସାତୋଟି ‘ଘର’ ନିର୍ମାଣ କରାଯାଇଥିଲା ବୋଲି ଚୌହାନ୍ କହିଛନ୍ତି। ପ୍ରତ୍ୟେକ ଘରେ ଏକ ସମୟରେ ଋତୁସ୍ରାବ କରୁଥିବା ୧୦ ଜଣ ମହିଳା ରହିପାରିବେ। ବୃତ୍ତାକାର ଆକୃତିର ଘରଗୁଡ଼ିକରେ ବାୟୁ ଚଳାଚଳ ପାଇଁ ଝରକା ଅଛି; ସେଗୁଡ଼ିକରେ ଗାଧୁଆ ଘର ଏବଂ ଖଟ, ଏବଂ ପାଣି ଏବଂ ବିଦ୍ୟୁତ୍ ସଂଯୋଗ ସୁବିଧା ରହିବ।
ଜୁନ୍ ୨୦୨୨ ରେ, ଏକ ସରକାରୀ ପ୍ରେସ ବିବୃତ୍ତିରେ ଦର୍ଶାଯାଇଛି ଯେ କେନ୍ଦ୍ର ସରକାରଙ୍କର ଆର୍ଥିକ ଏବଂ ୟୁନିସେଫ୍, ମହାରାଷ୍ଟ୍ରର ବୈଷୟିକ ସହାୟତାରେ ଗଡ଼ଚିରୋଲିରେ କୁର୍ମା ଘରଗୁଡ଼ିକ ସ୍ଥାନରେ ୨୩ ଟି ‘ ମହିଳା ବିଶ୍ରାମ କେନ୍ଦ୍ର ’ ବା ମହିଳା ବିଶବା କେନ୍ଦ୍ର ନିର୍ମାଣ କରାଯାଇଛି। ଏହି ବିବୃତ୍ତିରେ କୁହାଯାଇଛି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ୪୦୦ କେନ୍ଦ୍ର ନିର୍ମାଣ ପାଇଁ ଯୋଜନା କରାଯାଉଛି।
କିନ୍ତୁ ଯେତେବେଳେ ମେ ୨୦୨୩ ରେ ପରୀ ଭାମ୍ରାଗଡ଼ର କ୍ରିଶନାର୍, କିୟାର ଏବଂ କୁମାରଗୁଡ଼ା ଗ୍ରାମରେ ତିନିଟି ସରକାରୀ ନିର୍ମିତ କୁର୍ମା ଘର ପରିଦର୍ଶନ କରିଥିଲା - ସେଗୁଡ଼ିକ ଅର୍ଦ୍ଧନିର୍ମିତ ଥିଲା ଏବଂ ବାସଯୋଗ୍ୟ ନ ଥିଲା। ସାତଟି କୁର୍ମା ଘର ମଧ୍ୟରୁ କୌଣସିଟି କାର୍ଯ୍ୟକ୍ଷମ ଅଛି କି ନାହିଁ ତାହା ସିଡିପିଓ ଚୌହାନ୍ ନିଶ୍ଚିତ କରି କରିପାରି ନାହାନ୍ତି, “ସଠିକ୍ କହିବା କଷ୍ଟକର। ହଁ, ରକ୍ଷଣାବେକ୍ଷଣ ଖରାପ। ମୁଁ ସେଗୁଡ଼ିକ ମଧ୍ୟରୁ ଦୁଇଟିକୁ ଖରାପ ଅବସ୍ଥାରେ ଦେଖିଛି। କେତେକ ସ୍ଥାନରେ ଅର୍ଥ ଅଭାବରୁ ଏହା ଅସମ୍ପୂର୍ଣ୍ଣ ରହିଛି।”
ପ୍ରଶ୍ନ ହେଉଛି, କୁର୍ମା ପ୍ରଥାକୁ ହଟାଇବା ପାଇଁ ଏପରି ଏକ ବିକଳ୍ପ କିପରି ସାହାଯ୍ୟ କରିବ? ସମାଜବନ୍ଧର ସଚିନ ଆଶା ସୁଭାଷ କୁହନ୍ତି, ଏହାକୁ ମୂଳରୁ ବିଲୋପ କରାଯିବା ଆବଶ୍ୟକ। “ସରକାରୀ କୁର୍ମା ଘର ସମାଧାନ ନୁହେଁ। ଦେଖିବାକୁ ଗଲେ ଏହା ଗୋଟିଏ ପ୍ରକାରର ପ୍ରୋତ୍ସାହନ ଅଟେ। ”
ଋତୁସ୍ରାବକାଳୀନ ପୃଥକୀକରଣ ଭାରତୀୟ ସମ୍ବିଧାନର ଧାରା ୧୭ କୁ ଉଲ୍ଲଂଘନ କରେ, ଯାହା କୌଣସି ଉପାୟରେ ଅସ୍ପୃଶ୍ୟତାକୁ ବାରଣ କରେ। ଭାରତୀୟ ଯୁବ ଆଇନଜୀବୀ ସଂଘ ବନାମ କେରଳ ରାଜ୍ୟ ମାମଲାରେ ୨୦୧୮ ରେ ନିଜ ରାୟରେ ସୁପ୍ରିମକୋର୍ଟ କହିଛନ୍ତି : “ଋତୁସ୍ରାବ ସ୍ଥିତିକୁ ଆଧାର କରି ମହିଳାମାନଙ୍କୁ ସାମାଜିକ ବହିଷ୍କାର କରିବା ଅସ୍ପୃଶ୍ୟତାର ଏକ ରୂପ, ଯାହା ସାମ୍ବିଧାନିକ ମୂଲ୍ୟବୋଧ ପାଇଁ ଏକ ଅଭିଶାପ ଅଟେ। ବ୍ୟକ୍ତିବିଶେଷଙ୍କୁ କଳଙ୍କିତ କରୁଥିବା ‘ଶୁଦ୍ଧତା ଏବଂ ପ୍ରଦୂଷଣ’ ଚିନ୍ତାଧାରାର ସାମ୍ବିଧାନିକ ବ୍ୟବସ୍ଥାରେ କୌଣସି ସ୍ଥାନ ନାହିଁ।
ତେବେ, ଭେଦଭାବ ପ୍ରଥା ପିତୃପୁରୁଷଙ୍କ ଅମଳରୁ ଚାଲି ଆସୁଛି।
“ଏହା ଭଗବାନଙ୍କ କଥା। ଆମର ଈଶ୍ୱର ଚାହାଁନ୍ତି ଯେ ଆମେ [ପ୍ରଥା] ଅନୁସରଣ କରିବା ଉଚିତ, ଏବଂ ଯଦି ଆମେ ଅବମାନନା କରୁ, ତେବେ ଏହାର ପରିଣାମ ଭୋଗିବୁ,” କହନ୍ତି ଭାମ୍ରାଗଡ଼ ତାଲୁକାର ଗୋଲାଗୁଡ଼ା ଗାଁର ପର୍ମା ବା ମୁଖ୍ୟ ପୁରୋହିତ ଲକ୍ଷ୍ମଣ ହୋୟାମି। “ଆମର ବହୁତ ଅସୁବିଧା ହେବ ଏବଂ ଲୋକମାନେ କ୍ଷତି ସହିବେ। ରୋଗ ବୃଦ୍ଧି ପାଇବ। ଆମର ମେଣ୍ଢା ଓ କୁକୁଡ଼ା ମରିଯିବେ… ଏହା ଆମର ପରମ୍ପରା। ଆମେ ଏହାକୁ ମାନିବା ବନ୍ଦ କରିପାରିବୁ ନାହିଁ, ଏବଂ ମରୁଡ଼ି, ବନ୍ୟା କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଦଣ୍ଡିତ ହେବାର ଭୟରେ ରହିପାରିବୁ ନାହିଁ। ଏହି ପରମ୍ପରା ସର୍ବଦା ଜାରି ରହିବ…, ” ସେ ଦୃଢ଼ଭାବରେ କହନ୍ତି।
ଯଦିଓ ହୋୟାମିଙ୍କ ପରି ଅନେକେ କୁର୍ମା ପ୍ରଥା ଜାରି ରଖିବାକୁ ଜିଦ୍ ଧରିଛନ୍ତି, କ୍ରିଶନାର୍ ଗାଁର ୨୦ ବର୍ଷର ଅଶ୍ୱିନୀ ଭେଲାଞ୍ଜେଙ୍କ ପରି କିଛି ଯୁବତୀ ସେହି ପଦାଙ୍କ ଅନୁସରଣ ନ କରିବାକୁ ସଂକଳ୍ପବଦ୍ଧ। “ମୁଁ କୁର୍ମା ନ ମାନିବା ସର୍ତ୍ତରେ ବିବାହ କରିଥିଲି। ଏହା ବନ୍ଦ ହେବା ଉଚିତ,” ୨୦୨୧ମସିହାରେ ଦ୍ୱାଦଶ ଶ୍ରେଣୀ ଶେଷ କରିଥିବା ଅଶ୍ୱିନୀ କୁହନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ସେ ୨୨ ବର୍ଷ ବୟସ୍କ ଅଶୋକଙ୍କୁ ଏହି ସର୍ତ୍ତ ଗ୍ରହଣ କରିବା ପରେ ହିଁ ବିବାହ କରିଥିଲେ।
ଅଶ୍ୱିନୀ ୧୪ ବର୍ଷ ବୟସରୁ କୁର୍ମା ପ୍ରଥା ମାନୁଥିଲେ। ସେ କୁହନ୍ତି, "ମୁଁ ମୋର ବାପାମାଆଙ୍କ ସହ ଯୁକ୍ତିତର୍କ କରୁଥିଲି, କିନ୍ତୁ ସାମାଜିକ ଚାପ ଯୋଗୁଁ ସେମାନେ ଅସହାୟ ଥିଲେ।" ତାଙ୍କ ବିବାହ ପରେ ଅଶ୍ୱିନୀ ତାଙ୍କ ଋତୁସ୍ରାବ ଦିନଗୁଡ଼ିକ ଘରର ବାରଣ୍ଡାରେ ବିତାଇଥାନ୍ତି। ସେ ତାଙ୍କ ପରିବାରକୁ କରାଯାଉଥିବା ସମସ୍ତ ସମାଲୋଚନାକୁ ଅଣଦେଖା କରି ପ୍ରଥା ସହିତ ଲଢ଼େଇ ଜାରି ରଖିଛନ୍ତି। “ମୁଁ କୁର୍ମା ଘରରୁ ବାରଣ୍ଡା ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିଛି," ଅଶ୍ୱିନୀ କୁହନ୍ତି। “ଶୀଘ୍ର ମୁଁ ଋତୁସ୍ରାବ ବେଳେ ଘର ଭିତରେ ରହିବି। ମୁଁ ନିଶ୍ଚିତ ଭାବେ ମୋ ଘରେ ପରିବର୍ତ୍ତନ ଆଣିବି।”
ଅନୁବାଦ: ଓଡ଼ିଶାଲାଇଭ୍