ଆଜିକୁ ୩୦ ବର୍ଷ ତଳେ ଶେଷ ଥର ପାଇଁ ପଟ୍ଟୁ ବୁଣିଥିଲେ ଅବଦୁଲ କୁମାର ମାଗ୍ରେ। ଶେଷ ପିଢ଼ିର ଏହି ଉଲ୍ କପଡ଼ା ବୁଣାକାରମାନଙ୍କ ମଧ୍ୟରୁ ସେ ଜଣେ। କାଶ୍ମୀରର ହାଡ଼ଥରା ଶୀତ ଋତୁରେ, ତାପମାତ୍ରା ଯେତେବେଳେ ମାଇନସ୍ ୨୦ ଡିଗ୍ରୀରୁ ବି ତଳକୁ ଖସିଯାଏ, ସେତେବେଳେ ଏହି ଉଲ୍ ପୋଷାକ ହିଁ ସେଠାକାର ପ୍ରବଳ ଥଣ୍ଡାର ମୁକାବିଲା କରିଥାଏ।
ଏହି ୮୨ ବର୍ଷୀୟ ବୁଣାକାର କହନ୍ତି, “ଗୋଟିଏ ଦିନରେ ମୁଁ ୧୧ ମିଟର କପଡ଼ା ବୁଣୁଥିଲି।” ଏବେ ତାଙ୍କ ଆଖିକୁ ଭଲ ଭାବରେ ଦିଶୁନାହିଁ। ରାସ୍ତା ଖୋଜିବା ଲାଗି ଗୋଟିଏ ହାତରେ କାନ୍ଥରେ ଭରା ଦେଇ ସାବଧାନତାର ସହିତ କୋଠରି ଭିତରେ ଧୀରେ ଧୀରେ ଆଗକୁ ବଢ଼ନ୍ତି ସେ। “ମୋତେ ପ୍ରାୟ ୫୦ ବର୍ଷ ହୋଇଥିବା ବେଳେ ଅତ୍ୟଧିକ ବୁଣାକାମର ଚାପରେ ମୋର ଦୃଷ୍ଟିଶକ୍ତି ଦୁର୍ବଳ ହେବାରେ ଲାଗିଲା।”
ଅବଦୁଲ ବାନ୍ଦିପୁର ଜିଲ୍ଲାର ଦାୱର ଗାଁରେ ରହନ୍ତି। ହାବ୍ବା ଖାତୁନ ପାହାଡ଼ ଶିଖରରୁ ଦେଖାଯାଏ ଏହି ଗାଁ। ବାନ୍ଦିପୁର ଜିଲ୍ଲାର ଲୋକସଂଖ୍ୟା ୪,୨୫୩ (୨୦୧୧ ଜନଗଣନା)। ସେ ଆମକୁ କହନ୍ତି ଯେ, ଆଜିକାଲି ଆଉ ସକ୍ରିୟ ପଟ୍ଟୁ କାରିଗର ନାହାନ୍ତି, କିନ୍ତୁ, “ପ୍ରାୟ ଗୋଟିଏ ଦଶନ୍ଧି ତଳେ ଗାଁର ସବୁ ପରିବାରରେ ପୋଷାକପତ୍ର ବୁଣା ହେଉଥିଲା, ଯାହାକୁ ସେମାନେ ଗ୍ରୀଷ୍ମ ଓ ବସନ୍ତ ଋତୁରେ ବିକୁଥିଲେ।”
ଶ୍ରୀନଗର ଏବଂ ଅନ୍ୟାନ୍ୟ କେତେକ ରାଜ୍ୟରେ ବିକ୍ରି କରିବା ପାଇଁ ଅବଦୁଲ ଓ ତାଙ୍କ ପରିବାର ଯେଉଁ ସବୁ ପୋଷାକ ତିଆରି କରୁଥିଲେ ସେଥିରେ ଥିଲା ଫେରାନ୍ (ପାରମ୍ପରିକ ଗାଉନ୍ ଭଳି ଶରୀରର ଉପର ଭାଗରେ ପିନ୍ଧାଯାଉଥିବା ପୋଷାକ), ଦୁପଥି (କମ୍ବଳ), ମୋଜା ଓ ଗ୍ଲୋଭ୍ସ।
କିନ୍ତୁ, ନିଜ କାରିଗରୀ ପ୍ରତି ଅବଦୁଲଙ୍କ ଅନୁରାଗ ସତ୍ତ୍ୱେ, ଆଜିକାଲି ଏଥିରୁ ଜୀବନଯାପନ କରିବା ସହଜ ନୁହେଁ। କାରଣ ଏଥିପାଇଁ ଆବଶ୍ୟକ କଞ୍ଚାମାଲ, ଉଲ୍ ସହଜରେ ମିଳୁନାହିଁ। ଆଗରୁ ଅବଦୁଲଙ୍କ ଭଳି ବୁଣାକାରମାନେ ମେଣ୍ଢା ପାଳୁଥିଲେ ଏବଂ ସେମାନଙ୍କ ଶରୀରରୁ ପଟ୍ଟୁ ବୁଣା ପାଇଁ ଉଲ ପାଇଯାଉଥିଲେ। ତାଙ୍କ କହିବା ଅନୁସାରେ, ପ୍ରାୟ ୨୦ ବର୍ଷ ତଳେ, ଶସ୍ତାରେ ଓ ସହଜରେ ଉଲ୍ ମିଳିଯାଉଥିଲା। କାରଣ, ତାଙ୍କ ପରିବାର ୪୦ରୁ ୪୫ଟି ମେଣ୍ଢା ପାଳିଥିଲେ। ସେଦିନର କଥାକୁ ମନେ ପକାଇ ସେ କହନ୍ତି, “ଆମେ ସେତେବେଳେ ଭଲ ଲାଭ କରୁଥିଲୁ।” ଏବେ ତାଙ୍କ ପରିବାର ପାଖରେ ମାତ୍ର ଛଅଟି ମେଣ୍ଢା ଅଛନ୍ତି।
ବାନ୍ଦିପୁର ଜିଲ୍ଲାର ତୁଲୈଲ ଉପତ୍ୟକାରେ ଅବସ୍ଥିତ ଡାଙ୍ଗି ଥାଲ ଗାଁରେ ରହନ୍ତି ହବିବୁଲ୍ଲା ଶେଖ ଏବଂ ତାଙ୍କ ପରିବାର। ପ୍ରାୟ ଦଶ ବର୍ଷ ତଳେ ସେମାନେ ପଟ୍ଟୁ କାରବାର ଛାଡ଼ି ଦେଇଥିଲେ। ହବିବୁଲ୍ଲା କହନ୍ତି, “ଆଗରୁ ମେଣ୍ଢା ପାଳିବାର ରୀତି ଥିଲା। ପ୍ରତି ପରିବାର ପାଖରେ ୧୫-୨୦ଟି ମେଣ୍ଢା ଥିଲେ ଏବଂ ସେମାନେ ପରିବାର ସହିତ, ତଳ ମହଲାରେ, ରହୁଥିଲେ।”
ହେଲେ ସେ ସବୁ ବଦଳିଗଲାଣି ବୋଲି କହନ୍ତି ୭୦ ବର୍ଷୀୟ ଗୁଲାମ କାଦିର ଲୋନ୍। ସେହି ବାନ୍ଦିପୁର ଜିଲ୍ଲାର ଅଚୁରା ଚୌରୱାନ୍ (ଶାହ ପୋରା ନାମରେ ବି ପରିଚିତ) ଗାଁରେ ରହୁଥିବା ଆଉ ଜଣେ ସକ୍ରିୟ ବୁଣାକାର। “ଗତ ଦଶ ବର୍ଷରେ ଗୁରେଜର ଜଳବାୟୁ ବି ବଦଳି ଯାଇଛି। ଆଜିକାଲି ଅସହ୍ୟ ଶୀତ ହେଉଛି। ଏହା ଫଳରେ ମେଣ୍ଢାମାନଙ୍କର ମୁଖ୍ୟ ଖାଦ୍ୟ ଘାସ ବଢୁନାହିଁ। ତେଣୁ ଲୋକେ ବଡ଼ ବଡ଼ ମେଣ୍ଢା ପଲ ପାଳିବା ବନ୍ଦ କରିଦେଲେଣି।”
*****
ପ୍ରଥମେ ପଟ୍ଟୁ ବୁଣିବା ଆରମ୍ଭ କରିବା ସମୟରେ ଅବଦୁଲ କୁମାରଙ୍କ ବୟସ ଥିଲା ୨୫ ବର୍ଷ। ସେ କହନ୍ତି, “ମୁଁ ମୋ ବାପାଙ୍କୁ ସାହାଯ୍ୟ କରୁଥିଲି ଏବଂ ସମୟକ୍ରମେ ଏହି କାରିଗରୀରେ ଦକ୍ଷତା ହାସଲ କଲି।” ତାଙ୍କ ପରିବାରରେ ବଂଶାନୁକ୍ରମିକ ଭାବରେ ଏହି କାରିଗରୀକୁ ଆପଣେଇ ନିଆଯାଇଛି। ହେଲେ ତାଙ୍କର ତିନି ପୁଅ ମଧ୍ୟରୁ କେହି ହେଲେ ଏହାକୁ ଗ୍ରହଣ କରିନାହାନ୍ତି। ଏ ସଂପର୍କରେ ବୁଝାଇବାକୁ ଯାଇ ସେ କହନ୍ତି, “ପଟ୍ଟୁ ମେ ଆଜ୍ ଭି ଉତ୍ନି ହି ମେହନତ ହୈ ଜିତ୍ନି ପହେଲେ ଥି, ମଗର ଅବ ମୁନାଫା ନା ହୋନେ କେ ବରାବର ହୈ। (ପଟ୍ଟୁରେ ଆଜି ବି ସେତିକି ପରିଶ୍ରମ ଦରକାର ହେଉଛି, ଯେତିକି ଆଗରୁ ହେଉଥିଲା, କିନ୍ତୁ ଏଥିରେ ଲାଭ ଆଦୌ ନାହିଁ ବୋଲି କହିଲେ ଚଳେ)।”
ଅବଦୁଲ ଯେବେ ବୁଣାକାମ ଆରମ୍ଭ କରିଥିଲେ ସେତେବେଳେ ଗୋଟିଏ ମିଟର ପଟ୍ଟୁ ୧୦୦ ଟଙ୍କାରେ ବିକ୍ରି ହେଉଥିଲା। କାଳକ୍ରମେ ଏହି ଦର ଯାହା ବଢ଼ିଛି। ଆଜିକାଲି ଗୋଟିଏ ମିଟରର ଦର ୭,୦୦୦ ଟଙ୍କା। ହେଲେ, ବ୍ୟବହାରଯୋଗ୍ୟ ଉତ୍ପାଦର ଦର ଏତେ ବଢ଼ିଥିବା ସତ୍ତ୍ୱେ ବୁଣାକାରମାନଙ୍କ ଲାଭ ନାଁକୁ ମାତ୍ର ରହିଛି। କାରଣ, ପଟ୍ଟୁ ବିକ୍ରିରୁ ବାର୍ଷିକ ଆୟ ତୁଳନାରେ ମେଣ୍ଢା ପାଳିବା ବାବଦ ବାର୍ଷିକ ଖର୍ଚ୍ଚ ଲଗାତାର ବଢ଼ିବାରେ ଲାଗିଛି।
ଅବଦୁଲ କହନ୍ତି, “ପଟ୍ଟୁ ବୁଣା କାମ ନିର୍ଭୁଲ ଭାବରେ କରିବାକୁ ପଡ଼େ। ମାତ୍ର ଗୋଟିଏ ସୂତା ଭୁଲ ଜାଗାରେ ରହିଗଲେ ପୂରା କପଡ଼ା ଏପଟସେପଟ ହୋଇଯାଏ। ପୁଣି ଥରେ ମୂଳରୁ କାମ ଆରମ୍ଭ କରିବାକୁ ହୁଏ। କିନ୍ତୁ, ଏହି କଠିନ ପରିଶ୍ରମର ମୂଲ୍ୟ ବି ରହିଛି। ଗୁରେଜ ଭଳି ପ୍ରବଳ ଥଣ୍ଡା ପଡୁଥିବା ଅଞ୍ଚଳରେ ଏହି ପୋଷାକରୁ ମିଳୁଥିବା ଅସାଧାରଣ ଉଷ୍ମତା ହିଁ ଏହାର ଯଥାର୍ଥତା ପ୍ରତିପାଦିତ କରିଥାଏ।”
ଉଲ୍କୁ ସୂତାରେ ପରିଣତ କରିବା ଲାଗି କାରିଗରମାନେ ପ୍ରାୟ ହାତେ ଲମ୍ବର ଗୋଟିଏ ଚାକ୍କୁ ବା କାଠରେ ତିଆରି ତାକୁଡ଼ି ବ୍ୟବହାର କରନ୍ତି। ଏହି ତାକୁଡ଼ି ଉଭୟ ପଟକୁ କ୍ରମଶଃ ଅଣଓସାରିଆ ହୋଇ ଦୁଇ ମୁଣ୍ଡ ମୁନିଆଁ ହୋଇଥାଏ। ଏଥିରୁ କଟାଯାଉଥିବା ସୂତାକୁ ନେଇ ଗୋଟିଏ ତନ୍ତରେ କପଡ଼ା ବୁଣାଯାଏ। ସ୍ଥାନୀୟ ଭାଷାରେ ଏହି ତନ୍ତକୁ ୱାନ୍ କୁହାଯାଏ।
ପଟ୍ଟୁ କପଡ଼ା ତିଆରି କରିବା ଜଣିକିଆ ଲୋକର କାମ ନୁହେଁ। ପ୍ରାୟତଃ ଏହି ପ୍ରକ୍ରିୟାରେ ପରିବାରର ସବୁ ସଦସ୍ୟଙ୍କ ଅବଦାନ ରହିଥାଏ। ସାଧାରଣତଃ ପୁରୁଷମାନେ ମେଣ୍ଢା ଶରୀରରୁ ଉଲ୍ ବାହାର କରନ୍ତି ଏବଂ ମହିଳାମାନେ ଏହି ଉଲକୁ କାଟି ସୂତାରେ ପରିଣତ କରନ୍ତି। ଅନୱର ଲୋନ୍ କହନ୍ତି, “ସେମାନେ ସବୁଠାରୁ କଷ୍ଟକର କାମ କରନ୍ତି। ତା ସହିତ ଘରକାମ ବି ଦେଖନ୍ତି।” ୱାନ୍ ବା ତନ୍ତ ଚଳାଇବା ସାଧାରଣତଃ ପରିବାରର ପୁରୁଷମାନଙ୍କ କାମ ରୂପେ ବିବେଚିତ ହୋଇଥାଏ।
ଏହି ଉପତ୍ୟକାରେ ରହୁଥିବା ଅଳ୍ପ କେତେକ ପଟ୍ଟୁ ବୁଣାକାରମାନଙ୍କ ମଧ୍ୟରୁ ଜଣେ ହେଲେ ୮୫ ବର୍ଷୀୟା ଜୁନି ବେଗମ୍ ଏବଂ ସେ ଦାର୍ଦ- ଶିନ୍ ସଂପ୍ରଦାୟର। ସ୍ଥାନୀୟ ଶିନା ଭାଷାରେ ସେ କହନ୍ତି, “ମୋତେ କେବଳ ଏହି ଗୋଟିକ କାରିଗରୀ ହିଁ ଜଣା।” ତାଙ୍କର ୩୬ ବର୍ଷୀୟ ପୁଅ ଇସ୍ତିୟାକ୍ ଲୋନ୍ ଜଣେ କୃଷକ, ଏବଂ ମାଆଙ୍କ କଥାକୁ ସେ ଆମ ପାଇଁ ଅନୁବାଦ କରିଦିଅନ୍ତି।
“ଆଜିକାଲି ପଟ୍ଟୁ କାରବାର ବନ୍ଦ ହୋଇଗଲାଣି। ତଥାପି ମୁଁ ଖୋୟୀ (ମହିଳାମାନେ ମୁଣ୍ଡରେ ପିନ୍ଧୁଥିବା ଏକ ପାରମ୍ପରିକ ଟୋପି) ଭଳି କେତେକ ସାମଗ୍ରୀ କେଇ ମାସରେ ଥରେ ତିଆରି କରେ।” ନିଜ ନାତିକୁ କୋଳରେ ଧରି ଗୋଟିଏ ତାକୁଡ଼ିରେ କେମିତି ମେଣ୍ଢା ଉଲ୍ରୁ ସୂତା କାଟିବାକୁ ହୁଏ ତାହା ଦେଖାଇ ଦିଅନ୍ତି ଜୁନି। ମେଣ୍ଢା ଉଲ୍କୁ ଶିନା ଭାଷାରେ କହନ୍ତି ପାଶ୍। ସେ କହନ୍ତି, “ମୁଁ ମୋ ମାଆଙ୍କ ପାଖରୁ ଏହି କଳା ଶିଖିଲି। ଏହି ସମଗ୍ର ପ୍ରକ୍ରିୟା ମୋତେ ଭଲ ଲାଗେ। ମୋ ହାତ ଚାଲୁଥିବା ଯାଏ ମୁଁ ଏହି କାମ କରି ଚାଲିଥିବି।”
ଗୁରେଜ ଉପତ୍ୟକାରେ ରହୁଥିବା ପଟ୍ଟୁ କାରିଗରମାନେ ଦାର୍ଦ-ଶିନ (ଦାର୍ଦ ନାଁରେ ବି ପରିଚିତ) ସଂପ୍ରଦାୟର। ଜାମ୍ମୁ ଓ କାଶ୍ମୀରରେ ଏହା ଅଧିସୂଚିତ ଜନଜାତି ରୂପେ ତାଲିକାଭୁକ୍ତ। ଏହି ଉପତ୍ୟକା ଦେଇ ସମାନ୍ତରାଳ ଭାବରେ ରହିଥିବା ନିୟନ୍ତ୍ରଣ ରେଖା ହିଁ ସେମାନଙ୍କୁ ବିଭାଜିତ କରେ ଏବଂ ଉଭୟ ପଟେ ଏହି ପାରମ୍ପରିକ ପଟ୍ଟୁ ବୁଣା କାମ ଚାଲିଥାଏ। କିନ୍ତୁ ସେମାନଙ୍କର ଦୁଃଖ ଏତିକି ଯେ, ସରକାରୀ ସହାୟତା ଅଭାବରୁ ଏବଂ ପ୍ରବାସନ କାରଣରୁ ଏହାର ଚାହିଦା କମିବାରେ ଲାଗିଛି।
*****
ଦାୱରର ପୂର୍ବ ଦିଗରେ ପ୍ରାୟ ୪୦ କିଲୋମିଟର ଦୂର ବାଦୁଆବ ଗାଁରେ ରହନ୍ତି ନବେ ବର୍ଷରୁ ଅଧିକ ବୟସର ବୁଣାକାର ଅନୱର ଲୋନ୍। ୧୫ ବର୍ଷ ତଳେ ସେ ତିଆରି କରିଥିବା ଗୋଟିଏ ପଟ୍ଟୁ କମ୍ବଳକୁ ମେଲାଇ ଧରି ସେ କହନ୍ତି, “ସକାଳ ଆଠଟାରେ ମୁଁ କାମ ଆରମ୍ଭ କରୁଥିଲି ଏବଂ ସନ୍ଧ୍ୟା ଚାରିଟାରେ ଶେଷ କରୁଥିଲି। ପରେ ମୋ ବୟସ ବଢ଼ିଗଲା ଏବଂ ମୁଁ ମାତ୍ର ତିନିରୁ ଚାରି ଘଣ୍ଟା ଯାହା କାମ କରିପାରିଲି।” ଗୋଟିଏ ମିଟର କପଡ଼ା ବୁଣିବା ପାଇଁ ଅନୱରଙ୍କୁ ମୋଟାମୋଟି ପୂରା ଦିନଟିଏ କାମ କରିବାକୁ ପଡ଼ିଥାଏ।
ପ୍ରାୟ ଚାରି ଦଶନ୍ଧି ତଳେ ଅନୱର ପଟ୍ଟୁ ବିକିବା ଆରମ୍ଭ କରିଥିଲେ। “ଏଠାକାର ବଜାର ସହିତ ଗୁରେଜ ବାହାରେ ବି ଚାହିଦା ଥିବାରୁ ମୋ ବ୍ୟବସାୟ ଚାଲିବାରେ ଲାଗିଲା। ଗୁରେଜ ବୁଲିବାକୁ ଆସୁଥିବା ଅନେକ ବିଦେଶୀ ପର୍ଯ୍ୟଟକଙ୍କୁ ମୁଁ ପଟ୍ଟୁ ବିକ୍ରି କରିଛି।”
ଅଚୁରା ଚୌରୱାନ (କିମ୍ବା ଶାହ ପୋରା) ଗାଁରେ ଅନେକ ଲୋକ ଏହି ପଟ୍ଟୁ ବ୍ୟବସାୟକୁ ଛାଡ଼ି ସାରିଲେଣି। ଅଥଚ ଏହି ପରମ୍ପରାକୁ ଉତ୍ସାହର ସହିତ ଉଜ୍ଜୀବିତ ରଖିଛନ୍ତି ଦୁଇ ଭାଇ- ୭୦ ବର୍ଷୀୟ ଗୁଲାମ କାଦିର ଲୋନ ଏବଂ ୭୧ ବର୍ଷୀୟ ଅବଦୁଲ କାଦିର ଲୋନ। ଏମିତି କି ଶୀତର ପ୍ରକୋପ ଶିଖର ଛୁଇଁଥିବା ବେଳେ, ଯେତେବେଳେ କାଶ୍ମୀରର ଅନ୍ୟ ଭାଗରୁ ଏହି ଉପତ୍ୟକା ବିଚ୍ଛିନ୍ନ ହୋଇଯାଏ ଏବଂ ଅଧିକାଂଶ ପରିବାର ପାହାଡ଼ ଉପରୁ ତଳକୁ ପଳାଇ ଯାଆନ୍ତି, ସେତେବେଳେ ବି ଏହି ଦୁଇ ଭାଇ ଏହିଠାରେ ରହି ବୁଣାକାମ କରୁଥାଆନ୍ତି।
ଗୁଲାମ କହନ୍ତି, “ଠିକ୍ କେତେ ବୟସରେ ମୁଁ ବୁଣାକାମ ଆରମ୍ଭ କଲି ମନେ ପକେଇ ପାରିବିନି, କିନ୍ତୁ ମୁଁ ଖୁବ୍ ଛୋଟ ଥିଲି। ଚାରଖାନା ଏବଂ ଚଶ୍ମେ-ଏ-ବୁଲ୍ବୁଲ୍ ଭଳି ବହୁ ଜିନିଷ ଆମେ ତିଆରି କରୁଥିଲୁ। ”
ଚାରଖାନା ହେଉଛି ଚାରିକୋଣିଆ କୋଠରି ଥିବା ଏକ ଶୈଳୀ ଏବଂ ଚଶ୍ମେ-ଏ-ବୁଲ୍ବୁଲ୍ ହେଉଛି ବୁଲବୁଲ ପକ୍ଷୀର ଆଖି ସଦୃଶ ଏକ ସୂକ୍ଷ୍ମ ବୁଣାକାମ। ଖୁବ୍ ଯତ୍ନର ସହିତ ବୁଣାଯାଇଥିବା ଏହି ପଟ୍ଟୁ ବୁଣାକାମ ମେସିନ୍ ତିଆରି କପଡ଼ା ତୁଳନାରେ ଖଦଖଦଡ଼ିଆ।
ଗୁଲାମ କହନ୍ତି, “ୱକ୍ତ କେ ସାଥ୍ ପହନାୱେ କା ହିସାବ ଭି ବଦଲ ଗୟା (ସମୟ ସହିତ ଲୁଗାପଟାର ଫେସନ୍ ବି ବଦଳିଗଲାଣି), କିନ୍ତୁ ପଟ୍ଟୁ ଏବେ ବି ଠିକ୍ ସେମିତି ଅଛି, ଯେମିତି ୩୦ ବର୍ଷ ତଳେ ଥିଲା।” ହୁଏତ ବର୍ଷକୁ ଥରେ ଦୋକାନ ବସାଉଥିବା ସ୍ଥାନୀୟ ଲୋକଙ୍କୁ ଏହା ବିକି କେବେ କେମିତି କିଛିଟା ଲାଭ ପାଇଯାଆନ୍ତି ବୋଲି କହନ୍ତି ଦୁଇଭାଇ।
ଅବଦୁଲ କାଦିର କହନ୍ତି ଯେ, ଏହି କାରିଗରୀ ଶିଖିବା ପାଇଁ ଦରକାରୀ ସାମର୍ଥ୍ୟ ଏବଂ ଧୈର୍ଯ୍ୟ ଯୁବ ପିଢ଼ି ପାଖରେ ନାହିଁ। ଦୁଃଖର ସହିତ ସେ କହନ୍ତି, “ମୁଁ ଭାବୁଛି ଆଗାମୀ ୧୦ ବର୍ଷରେ ପଟ୍ଟୁ ସ୍ଥିତି ହରାଇବ। ଏଥିପାଇଁ ନୂଆ ଆଶା ଏବଂ ଅଭିନବ ଚିନ୍ତାଧାରା ଆବଶ୍ୟକ ଏବଂ ଏହା କେବଳ ସରକାରୀ ହସ୍ତକ୍ଷେପ ବଳରେ ହିଁ ସମ୍ଭବ ହେବ।’’
ଦାୱର ବଜାରରେ ତେଜରାତି ଦୋକାନ ଚଳାଉଥିବା ଅବଦୁଲ କୁମାରଙ୍କ ପୁଅ ରେହମାନ କହନ୍ତି ଯେ, ବୁଣାକାମ ଆଉ ଏକ ଫଳପ୍ରଦ ବିକଳ୍ପ ପନ୍ଥା ହୋଇ ରହିନାହିଁ। ସେ କହନ୍ତି, “ଏଥିରେ ଉଦ୍ୟମ ତୁଳନାରେ ଲାଭ ନାହିଁ। ଆଜିକାଲି ଲୋକଙ୍କ ପାଖରେ ରୋଜଗାରର ଅନେକ ଉପାୟ ରହିଛି। ପହଲେ ୟା ତୋ ପଟ୍ଟୁ ଥା ୟା ଜମିନ୍ଦାରୀ (ପୂର୍ବରୁ ହୁଏତ ପଟ୍ଟୁ ଥିଲା, ନ ହେଲେ ଜମିର ମାଲିକାନା)।”
ଦୁର୍ଗମ ଏବଂ ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ସରକାରୀ କର୍ତ୍ତୃପକ୍ଷଙ୍କ ନଜର ଆଢୁଆଳରେ ରହିଛି ଗୁରେଜ ଉପତ୍ୟକା। କିନ୍ତୁ ନୂତନ ପରିକଳ୍ପନା ବଳରେ ଏହି ଅବଲୁପ୍ତପ୍ରାୟ କଳାକୁ ନୂତନ ଜୀବନ ପ୍ରଦାନ କରାଯାଇପାରିବ ଏବଂ ଏ ଅଞ୍ଚଳର ଲୋକଙ୍କ ପାଇଁ ଏହା ଏକ ସ୍ଥାୟୀ ଉପାର୍ଜନର ଉତ୍ସ ହୋଇପାରିବ ବୋଲି ଆଶା ପ୍ରକାଶ କରନ୍ତି ଏଠାକାର ବୁଣାକାରମାନେ।
ଅନୁବାଦ: ଓଡ଼ିଶାଲାଇଭ୍