କୋଲ୍ଲିଡ଼ମ ନଦୀର ବାଲୁକାମୟ କୂଳରେ ଅନ୍ଧକାର ଘନୀଭୂତ ହୋଇ ଆସୁଥିବା ବେଳେ, ଶ୍ରୀରଙ୍ଗମ ନିକଟ ତାଙ୍କ ରାଶି କ୍ଷେତଠାରୁ ପ୍ରାୟ ୧୦ ମିନିଟ୍‌ର ବାଟ ଦୂରରେ ଥିବା ଏହି ନଦୀକୂଳରେ ମୋତେ ତାଙ୍କ ଜୀବନର ଅନେକ କାହାଣୀ ଶୁଣାନ୍ତି ଚାଷୀ ବାଡିବେଲନ୍‌।୧୯୭୮ରେ ସେ ଜନ୍ମ ନେବାର ୧୨ ଦିନ ପରେ ବନ୍ୟାରେ ଫୁଲି ଉଠିଥିବା ଏହି ନଦୀର କାହାଣୀ। ତାଙ୍କ ଗାଁର କାହାଣୀ, ଯେଉଁଠି ସମସ୍ତେ ୟେଲ୍ଲୁ (ରାଶି ମଞ୍ଜି) ଚାଷ କରନ୍ତି, ଯାହାକୁ ପେଡ଼ି ମହୁ ରଙ୍ଗର ସୁଗନ୍ଧଯୁକ୍ତ ତେଲ ବାହାର କରାଯାଏ। କେମିତି ସେ ନଈରେ ଭାସୁଥିବା ଦୁଇଟି କଦଳୀ ଗଛକୁ ଧରି ପହଁରି ଶିଖିଲେ ଏବଂ କେମିତି ସେ ଆଉ ଏକ ବଡ଼ ନଦୀ- କାବେରୀ କୂଳରେ ରହୁଥିବା ପ୍ରିୟାଙ୍କ ପ୍ରେମରେ ପଡ଼ିଗଲେ, ଆଉ କେମିତି ତାଙ୍କ ବାପାଙ୍କ ଆପତ୍ତି ସତ୍ତ୍ୱେ ତାଙ୍କୁ ବାହା ହେଲେ। ଆଉ କେମିତି ତାଙ୍କ ଦେଢ଼ ଏକର ଜମିରେ ସେ ଚାଷ କରନ୍ତି ଧାନ, ଆଖୁ, ବିରି ଏବଂ ରାଶି...

ପ୍ରଥମ ତିନିଟି ଫସଲରୁ କିଛି ଟଙ୍କା ରୋଜଗାର ହୁଏ। “ଆମେ ସେହି ରୋଜଗାର ଅର୍ଥକୁ ଧାନ ଓ ଆଖୁ ଚାଷରେ ବିନିଯୋଗ କରୁ ଏବଂ ଅନ୍ୟ ଅର୍ଥରେଆମେ ପୁଣି ସେହି ଟଙ୍କା ଦେଇ ଜମିରେ ହଳ କରିଦେଉ,” ବାଡ଼ିବେଲନ୍‌ କହନ୍ତି। ତେଲ ପାଇବା ପାଇଁ ରାଶି ବା ତାମିଲ ଭାଷାରେ ୟେଲ୍ଲୁ ଚାଷ କରାଯାଏ। ରାଶି ମଞ୍ଜିଗୁଡ଼ିକୁ କାଠ ଘଣାରେ ଚାପି ସେଥିରୁ ନଲ୍ଲେନାଇ (ରାଶି ବା ତିଳ ତେଲ) ବାହାର କରାଯାଏ ଏବଂ ଏକ ବଡ଼ ପାତ୍ରରେ ରଖାଯାଏ। “ଆମେ ଏହାକୁ ରାନ୍ଧିବା ଏବଂ ଆଚାର କରିବା ଲାଗି ବ୍ୟବହାର କରୁ, ପ୍ରିୟା କହନ୍ତି, “ଆଉ ହଁ ସେ (ବାଡ଼ିବେଲନ) ଏଥିରେ ସବୁଦିନ କୁଳୁକୁଞ୍ଚା କରନ୍ତି।” ବାଡ଼ିବେଲନ୍‌ ହସି ଦିଅନ୍ତି। ସେ କହନ୍ତି, “ଆଉ ତେଲ ଲଗାଇ ଗାଧୋଇବାକୁ ମୁଁ ଭଲ ପାଏ!”

ଏମିତି ଅନେକ କଥାକୁ ବାଡ଼ିବେଲନ ଭଲ ପାଆନ୍ତି। ସେ ସବୁଗୁଡ଼ିକ ଛୋଟମୋଟ ଖୁସିର କଥା। ଯେମିତି କି ପିଲାବେଳେ ନଈରେ ମାଛ ଧରିବା; ସାଙ୍ଗମାନଙ୍କ ସହ ମିଶି ସେହି ତାଜା ମାଛକୁ ପୋଡ଼ି ଖାଇବା; ଗାଁ ସରପଞ୍ଚଙ୍କ ଘରେ ଥିବା ଗାଁର ଏକମାତ୍ର ଟେଲିଭିଜନ ଦେଖିବା। “କାହିଁ, ମୁଁ ଟିଭି ଦେଖିବାକୁ ଖୁବ୍‌ ଭଲ ପାଉଥିଲି। ଏମିତି କି ମୁଁ ଏହା ଠିକ୍‌ରେ କାମ କରୁ ନଥିବା ବେଳେ ଏଥିରୁ ବାହାରୁଥିବା ‘ଅଇଁଇଁ’ ସ୍ୱରକୁ ବି ଶୁଣୁଥିଲି !”

କିନ୍ତୁ, ଦିନର ଆଲୁଅ ଭଳି ଧୀରେ ଧୀରେ ନିଷ୍ପ୍ରଭ ହୋଇଯାଇଛି ସେହି ଗୋଲାପୀ ଅତୀତର ସ୍ମୃତି। “ଏବେ ଆଉ କେବଳ ସେହି ଜମି ଉପରେ ନିର୍ଭର କରିହେବ ନାହିଁ,” ବାଡ଼ିବେଲନ୍‌ କହନ୍ତି, “ମୁଁ ଟ୍ୟାକ୍‌ସି ଚଲାଉଛି ବୋଲି ଆମେ ଚଳାଇ ନେଉଛୁ।” ସେ ଆମକୁ ତାଙ୍କ ‘ଟୋୟୋଟା ଇଟିଅସ୍‌’କାର୍‌ରେ ଶ୍ରୀରଙ୍ଗମ୍‌ ତାଲୁକ ଅନ୍ତର୍ଗତ ତିରୁବାଲାରସୋଲାଇର ତାଙ୍କ ଘରୁ ଏହି ନଈକୂଳକୁ ଆଣିଥିଲେ। ଏହି କାର୍‌କୁ ସେ ଏକ ଘରୋଇ ସଂସ୍ଥାରୁ ଋଣ ନେଇ କିଣିଥିଲେ। ଏ ବାବଦରେ ମାସକୁ ୨୫,୦୦୦ ଟଙ୍କାର ମୋଟା ଅର୍ଥ ପରିଶୋଧ କରିବାକୁ ପଡୁଛି। ଏହି ଦମ୍ପତିଙ୍କ କହିବା ଅନୁସାରେ ଅର୍ଥ ପାଇଁ ସବୁବେଳେ ସଂଘର୍ଷ କରିବାକୁ ପଡ଼େ।କେବେକେବେ, ଜଟିଳ ପରିସ୍ଥିତିରୁ ମୁକୁଳିବା ପାଇଁ ସୁନା ବି ବନ୍ଧା ପକାଇବାକୁ ପଡୁଛି। ଦୀର୍ଘଶ୍ୱାସ ଛାଡ଼ି ବାଡିବେଲନ୍‌ କହନ୍ତି, “ଦେଖନ୍ତୁ, ଆମ ଭଳି ଲୋକ ଯଦି ବ୍ୟାଙ୍କରୁ ଋଣ ନେଇ ଘର କରିବାକୁ ଚାହିଁବେ, ଆମର ୧୦ହଳ ଚପଲ ଘୋରି ନଷ୍ଟ ହୋଇଯିବ। ସେମାନେ ଆମକୁ ସେତିକି ଥର ଦୌଡ଼ାଇବେ!”

ଆକାଶ ଏବେ ଏକ ତୈଳଚିତ୍ର ଭଳି ଦିଶୁଥିଲା: ଗୋଲାପୀ ଏବଂ ନୀଳ ଏବଂ କଳା ରଙ୍ଗରେ। କାହିଁ କେଉଁଠୁ ମୟୂରର ଡାକ ଶୁଭିଲା। ବାଡ଼ିବେଲନ କହନ୍ତି, “ନଈରେ ଜଳଓଧ ଅଛନ୍ତି।” ଅନତି ଦୂରରେ ଛୋଟ ପିଲାମାନେ ପାଣି ଭିତରକୁ ଲମ୍ଫ ମାରି ଓଧ ଭଳି ଫୁର୍ତ୍ତି ଦେଖାଇଖେଳୁଥାଆନ୍ତି। “ଦିନେ ମୁଁ ବି ଏମିତି କରୁଥିଲି, ଆମର ଏଠାରେ ଅଲଗା କିଛି ମନୋରଞ୍ଜନର ବାଟ ନାହିଁ !”

Vadivelan and Priya (left) on the banks of Kollidam river at sunset, 10 minutes from their sesame fields (right) in Tiruchirappalli district of Tamil Nadu
PHOTO • M. Palani Kumar
Vadivelan and Priya (left) on the banks of Kollidam river at sunset, 10 minutes from their sesame fields (right) in Tiruchirappalli district of Tamil Nadu
PHOTO • M. Palani Kumar

ତାମିଲନାଡୁ ତିରୁଚିରାପଲ୍ଲୀ ଜିଲ୍ଲାର କୋଲ୍ଲିଡମ୍‌ ନଦୀକୂଳରେ ସୂର୍ଯ୍ୟାସ୍ତ ସମୟରେ ବାଡ଼ିବେଲନ ଏବଂ ପ୍ରିୟା (ବାମ), ତାଙ୍କ ରାଶି କ୍ଷେତ (ଡାହାଣ) ପାଖରୁ ୧୦ ମିନିଟ୍‌ର ବାଟ ଦୂରରେ

ବାଡ଼ିବେଲନ୍‌ ନଦୀକୁ ପୂଜା ମଧ୍ୟ କରନ୍ତି।“ପ୍ରତି ବର୍ଷ ଆଦି ପେରୁକ୍କୁ ରେ – ତାମିଲ ଆଦି ମାସର ୧୮ଶ ଦିନରେ- ଆମେ କାବେରୀ ନଦୀକୂଳକୁ ଯାଉ। ସେଠାରେ ନଡ଼ିଆ ଭାଙ୍ଗି,କର୍ପୂର ଜଳାଉ ଏବଂ ଫୁଲ ଓ ପ୍ରାର୍ଥନା ଅର୍ପଣ କରୁ।” ସତେ ଯେମିତି ଏହି ପୂଜା ବଦଳରେ ହିଁ କାବେରୀ ଓ କୋଲ୍ଲିଡ଼ମ (କୋଲେରୁନ୍‌) ଦୁଇ ନଦୀ, ତାମିଲନାଡୁ ତିରୁଚିରାପଲ୍ଲୀ (ତ୍ରିଚି ଭାବରେ ମଧ୍ୟ ଉଚ୍ଚାରିତ)ଜିଲ୍ଲାର ସେମାନଙ୍କ କ୍ଷେତର ଲାଳନପାଳନ କରନ୍ତି, ଯାହା କି ସେମାନେ ପ୍ରାୟ ୨,୦୦୦ ବର୍ଷ ହେଲା କରିଆସିଛନ୍ତି।

*****

“ସିଝା ଛୁଇଁ, ରାଶି ଲଡୁ, ମାଂସ ମିଶ୍ରିତଚାଉଳ,
ଫୁଲ, ଧୂପ ଏବଂ ସଦ୍ୟ ରନ୍ଧା ଭାତ ଅର୍ପଣ କରି
ଦଳଦଳ ମହିଳା ହାତ ଧରାଧରି ହୋଇ ନାଚନ୍ତି
ବୟସ୍କା ଓ ମାର୍ଜିତ ମହିଳାମାନେ ଆଶୀର୍ବଚନରେ କହନ୍ତି
“ଆମ ରାଜାଙ୍କର ଏହି ମହାନ ଭୂମିରୁ
ଅପସରି ଯାଉ କ୍ଷୁଧା, ରୋଗ ଏବଂ ଶତ୍ରୁତା;
ବର୍ଷା ସହିତପ୍ରାଚୁର୍ଯ୍ୟର ଧାରା ବହୁଥାଉ”

ଖ୍ରୀଷ୍ଟାବ୍ଦ ୨ୟ ଶତାବ୍ଦୀରେ ଲିଖିତ ତାମିଲ ମହାକାବ୍ୟ ‘ଶିଲାପତିକାରମ୍‌’ରୁ ଏହି ପ୍ରାର୍ଥନା ରୀତିନୀତି ଉଦ୍ଧୃତ। “ଏହା ଆଜିର ତାମିଲନାଡୁରେ ଅନୁସୃତ ରୀତିନୀତି ସହିତ ପ୍ରାୟ ସମାନ” ବୋଲି ଚେନ୍ତିଲ ନାଦମ୍‌ ତାଙ୍କ ବ୍ଲଗ୍‌, ‘ଓଲ୍‌ଡ ତାମିଲ ପୋଏଟ୍ରି’ବା ‘ପୁରାତନ ତାମିଲ କବିତା’ରେଲେଖିଛନ୍ତି। (କବିତା: ଇନ୍ଦିରା ବିଜବେ,ଧାଡ଼ି ୬୮ରୁ-୭୫)

ୟେଲ୍ଲୁ (ରାଶି) ଉଭୟ ପୁରାତନ ଏବଂ ସାଧାରଣ ବସ୍ତୁ। ଏବଂ ଏମିତି ଏକ ଫସଲ, ଯାହାର ଭିନ୍ନ ଭିନ୍ନ, ଏବଂ ରୋଚକ ଉପଯୋଗ ରହିଛି। ନାଲ୍ଲେନାଇ ନାଁରେ ପରିଚିତ ରାଶି ତେଲ ଦକ୍ଷିଣ ଭାରତର ଏକ ଲୋକପ୍ରିୟ ରନ୍ଧନ ତେଲ। ଏବଂ ଏହାର ମଞ୍ଜି ବା ଖସାବି ଅନେକ ଦେଶୀ ଓ ବିଦେଶୀ ମିଷ୍ଟାନ୍ନ ପ୍ରସ୍ତୁତିରେ ବ୍ୟବହୃତ ହୁଏ। ଧଳା କିମ୍ବା କଳା ରଙ୍ଗର ଏହି ଛୋଟ ଛୋଟ ଦାନାଗୁଡ଼ିକ ଯେ କୌଣସି ବ୍ୟଞ୍ଜନକୁ ମଜାଦାର କରିଥାଏ ଏବଂ ଏହା ମଧ୍ୟ ରୀତିନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଥାଏ। ନିର୍ଦ୍ଦିଷ୍ଟ ଭାବରେ ପୂର୍ବପୁରୁଷଙ୍କ ସୁମରଣା ଓ ପୂଜାର୍ଚ୍ଚନା ରୀତିନୀତିରେ ଏହାର ସ୍ଥାନ ସ୍ୱତନ୍ତ୍ର।

ରାଶି ମଞ୍ଜିର୫୦ ପ୍ରତିଶତ ତେଲ, ୨୫ ପ୍ରତିଶତ ପୁଷ୍ଟିସାର ଏବଂ ୧୫ ପ୍ରତିଶତ ଶ୍ୱେତସାର ରହିଛି। ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌)ର ରାଶି ଏବଂ ଅଳସୀ ଶୀର୍ଷକ ଏକ ପ୍ରକଳ୍ପ ରିପୋର୍ଟରେ ଦର୍ଶାଯାଇଛି ଯେ, “ଏହା ଶକ୍ତିର ଏକ ଭଣ୍ଡାର ଏବଂ ଭିଟାମିନ୍‌ ‘ଇ’, ‘ଏ’ ଏବଂ ‘ବି କଂପ୍ଲେକ୍‌ସ’ ସହିତ କ୍ୟାଲସିୟମ, ଫସ୍‌ଫରସ୍‌, ଆଇରନ୍‌, କପର, ମ୍ୟାଗ୍‌ନେସିୟମ, ଜିଙ୍କ ଏବଂ ପଟାସିୟମ୍‌ ଭଳି ଖଣିଜରେ ଭରପୂର’। ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ରାଶି ପେଡ଼ା ହୋଇ ସେଥିରୁ ତେଲ ବାହାରିଯିବା ପରେ ବଳକା ଖଦାକୁ -ତାମିଲରେ ୟେଲୁ ପୁନାକୁ - ଗୃହପାଳିତ ପ୍ରାଣୀଙ୍କୁ ଖାଇବାକୁ ଦିଆଯାଏ।

Ellu (sesame) is both ancient and commonplace with various uses – as nallenai (sesame oil), as seeds used in desserts and savoury dishes, and as an important part of rituals. Sesame seeds drying behind the oil press in Srirangam.
PHOTO • M. Palani Kumar

ୟେଲ୍ଲୁ (ରାଶି) ଉଭୟ ପୁରାତନ ଏବଂ ସାଧାରଣ ଫସଲ ତଥା ଏହା ଭିନ୍ନ ଭିନ୍ନ ଭାବରେ ବ୍ୟବହୃତ ହୁଏ- ଯେମିତି କି ନାଲ୍ଲେନାଇ (ରାଶି ତେଲ) ଭାବରେ, ବିଭିନ୍ନ ମିଷ୍ଟାନ୍ନ ଏବଂ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତିରେ ଏବଂ ପାରମ୍ପରିକ ରୀତିନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ। ଶ୍ରୀରଙ୍ଗମର ତେଲ ମିଲ୍‌ ପଛପଟେ ରାଶି ମଞ୍ଜି ଶୁଖୁଛି

Freshly pressed sesame oil (left) sits in the sun until it clears. The de-oiled cake, ellu punaaku (right) is sold as feed for livestock
PHOTO • M. Palani Kumar
Freshly pressed sesame oil (left) sits in the sun until it clears. The de-oiled cake, ellu punaaku (right) is sold as feed for livestock.
PHOTO • M. Palani Kumar

ତାଜା ତାଜା ପେଷା ହୋଇଥିବା ରାଶି ତେଲ (ବାମ) ସ୍ୱଚ୍ଛ ହେଲା ଯାଏ ଖରାରେ ରହେ। ତେଲ ବାହାରିଯାଇଥିବା ଖାଦ, ୟେଲ୍ଲୁ ପୁନାକୁ (ଡାହାଣ) ଗୃହପାଳିତ ପଶୁଙ୍କ ଖାଦ୍ୟ ଭାବରେ ବିକ୍ରି କରାଯାଏ

‘ରାଶି (ସିସାମମ୍‌ ଇଣ୍ଡିକମ୍‌ ଏଲ୍‌.) ହେଉଛି ସର୍ବପୁରାତନ ସ୍ୱଦେଶୀ ତୈଳବୀଜ ଫସଲ ଏବଂ ଭାରତରେ ଏହାର ଚାଷ ସଂପର୍କରେ ସବୁଠାରୁ ଲମ୍ବା ଇତିହାସ ରହିଛି।’ ଭାରତୀୟ କୃଷି ଗବେଷଣା ପରିଷଦ ପକ୍ଷରୁ ପ୍ରକାଶିତ ‘ଦି ହ୍ୟାଣ୍ଡବୁକ୍‌ ଅଫ୍‌ ଏଗ୍ରିକଲ୍‌ଚର୍‌’ରେ ଆହୁରି ଉଲ୍ଲେଖ ରହିଛି ଯେ, ସାରା ପୃଥିବୀରେ ରାଶି ଉତ୍ପାଦନରେ ଭାରତ ପ୍ରଥମ। ଏହି ଚାଷ କରାଯାଉଥିବା ସାରା ବିଶ୍ୱର ୨୪ ପ୍ରତିଶତ ଜମି ଭାରତରେ ରହିଛି। ଏଥିରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ସାରା ପୃଥିବୀର ତୈଳବୀଜ ଚାଷ ଅଞ୍ଚଳର ୧୨ରୁ ୧୫ ପ୍ରତିଶତ ଭାରତରେ ରହିଛି, ଏବଂ ଏଥିରୁ ବିଶ୍ୱସ୍ତରରେ ୭ରୁ ୮ ପ୍ରତିଶତ ଅମଳ ହୁଏ ଏବଂ ୯ରୁ ୧୦ ପ୍ରତିଶତ ବ୍ୟବହାର କରାଯାଏ।

ହେଲେ, ଏହା ଏକ ଆଧୁନିକ ଘଟଣା ନୁହେଁ ବୋଲି କହନ୍ତି କେ.ଟି. ଅଚାୟା। ବହୂ ପୂର୍ବରୁ ଏହାର ରପ୍ତାନୀ ସଂପର୍କରେ ଅନେକ ତଥ୍ୟ ଓ ପ୍ରମାଣ ରହିଛି ବୋଲି ସେ ତାଙ୍କର ଅନ୍ୟତମ ଶ୍ରେଷ୍ଠ ପୁସ୍ତକ ‘ ଇଣ୍ଡିଆନ୍‌ ଫୁଡ୍‌, ଏ ହିଷ୍ଟୋରିକାଲ କମ୍ପାନିଅନ୍‌ ’ରେ ସେ ଉଲ୍ଲେଖ କରିଛନ୍ତି।

ଦକ୍ଷିଣ ଭାରତର ବିଭିନ୍ନ ବନ୍ଦରରୁ ବିଦେଶକୁ ରାଶି ରପ୍ତାନୀ ୧ମ ଖ୍ରୀଷ୍ଟାବ୍ଦରୁ ହୋଇଆସୁଥିଲା ବୋଲି ଐତିହାସିକ ବର୍ଣ୍ଣନା ରହିଛି। ଜଣେ ଅଜ୍ଞାତ ଗ୍ରୀକ୍‌ ଭାଷାଭାଷୀ ମିଶରୀୟ ନାବିକଙ୍କ ନିଜସ୍ୱ ଅନୁଭୂତି ସଂପର୍କରେ ଲିଖିତ ‘ ଦ ପେରିପ୍ଲସ୍‌ ମାରିସ୍‌ ଏରିଥ୍ରାଇ ’ (ଏରିଥ୍ରୀଆନ ସାଗର ପରିକ୍ରମା) ଶୀର୍ଷକ ପୁସ୍ତକରେ ସେ ସମୟରେ ଏହାର ବାଣିଜ୍ୟ ସଂପର୍କରେ ଅନେକ ଉପାଦେୟ ଓ ବିସ୍ତୃତ ତଥ୍ୟ ରହିଛି। ସେ ଲେଖିଛନ୍ତି, ସେ ସମୟରେ ବିଦେଶକୁ ଯେଉଁସବୁ ମୂଲ୍ୟବାନ ପଦାର୍ଥ ରପ୍ତାନୀ କରାଯାଉଥିଲା, ସେଥିରେ ହାତୀଦାନ୍ତ ଓ ମଲମଲ କପଡ଼ା ସମେତ ରାଶି ତେଲ ଓ ସୁନା ରହିଥିଲା ଏବଂ ବର୍ତ୍ତମାନର ତାମିଲ ନାଡୁର ପଶ୍ଚିମ ଭାଗରେ ଅବସ୍ଥିତ କୋଙ୍ଗୁନାଡୁରୁ ଏହି ଦୁଇଟି ବସ୍ତୁ ଅଣାଯାଉଥିଲା। ସୁନା ସହିତ ଏହାର ଯୋଡ଼ି ଗଠନରୁ ହିଁ ସେ ସମୟରେ ରାଶି ତେଲର ସ୍ଥିତି ସଂପର୍କରେ ସଂକେତ ମିଳେ।

ଅଚାୟା ଉଲ୍ଲେଖ କରିଛନ୍ତି ଯେ ସେ ସମୟରେ ସ୍ଥାନୀୟ ବାଣିଜ୍ୟିକ କାରବାର ବେଶ ସମୃଦ୍ଧ ଥିଲା। ମାନ୍‌କୁଡ଼ି ମରୁତାନାରଙ୍କ ଦ୍ୱାରା ଲିଖିତ ମଦୁରାଇକାଞ୍ଚି ପୁସ୍ତକରେ ପ୍ରକାଶିତ ମଦୁରାଇ ସହରର ଏକ ଚିତ୍ରରୁ ସେ ସମୟର ହାଟ ବଜାରରେ ଉତ୍ସାହର ବାତାବରଣ ସ୍ପଷ୍ଟ ପରିଲକ୍ଷିତ ହୁଏ: ‘ବସ୍ତା ବସ୍ତା ଗୋଲମରିଚ ସହିତ ଧାନ, ବାଜରା, ଚଣା, ମଟର ଏବଂ ରାଶି ମଞ୍ଜି ଭଳି ଷୋହଳ ପ୍ରକାର ଶସ୍ୟର ବସ୍ତା ସେ ସମୟର ଶସ୍ୟ ବ୍ୟବସାୟୀମାନଙ୍କର ବସତିରେ ଜମା ହୋଇ ରହୁଥିଲା।’

ରାଶି ତେଲ ପଛରେ ରାଜକୀୟ ପୃଷ୍ଠପୋଷକତା ରହିଥିଲା। ଅଚାୟାଙ୍କ ବହି ଇଣ୍ଡିଆନ ଫୁଡ୍‌ ରେ ଉଲ୍ଲେଖ କରାଯାଇଛି ଯେ, ପାଖାପାଖି ୧୫୨୦ ମସିହାରେ ଡୋମିଙ୍ଗୋ ପେସ୍‌ ନାମକ ଜଣେ ପର୍ତ୍ତୃଗାଲର ବ୍ୟବସାୟୀ ଅନେକ ବର୍ଷ କାଳ ବିଜୟନଗରରେ ରହିଥିଲେ। ରାଜା କ୍ରିଷ୍ଣଦେବରାୟଙ୍କ ସଂପର୍କରେ ମଧ୍ୟ ପେସ୍‌ ଲେଖିଛନ୍ତି।

“ଖରା ପଡ଼ିବା ଆଗରୁ ରାଜା ଗୋଟିଏ ବଡ଼ ଗିଲାସର ତିନି-ଚତୁର୍ଥାଂଶ ଭର୍ତ୍ତି ରାଶି ତେଲ ପିଇବାରେ ଅଭ୍ୟସ୍ତ ଥିଲେ ଏବଂ ନିଜ ଦେହରେ ମଧ୍ୟ ସେହି ତେଲ ଲଗାଉଥିଲେ; ସେ ଅଣ୍ଟାରେ ଛୋଟ କପଡ଼ାଟିଏ ଗୁଡ଼ାଇ ହାତରେ ବହୁ ପରିମାଣର ଓଜନ ଉଠାଉଥିଲେ, ଏବଂ ତା’ପରେ ନିଜେ ନିଜେ ଖଣ୍ଡା ବୁଲାଇବା ଅଭ୍ୟାସ କରୁଥିଲେ ଏବଂ ତାଙ୍କ ଦେହର ଝାଳ ସହିତ ତେଲ ବୋହିଯିବା ପର୍ଯ୍ୟନ୍ତ ଅଭ୍ୟାସ କରୁଥିଲେ।”

Sesame flowers and pods in Priya's field (left). She pops open a pod to reveal the tiny sesame seeds inside (right)
PHOTO • Aparna Karthikeyan
Sesame flowers and pods in Priya's field (left). She pops open a pod to reveal the tiny sesame seeds inside (right)
PHOTO • M. Palani Kumar

ପ୍ରିୟାଙ୍କ କ୍ଷେତରେ ରାଶି ଫୁଲ ଏବଂ କୋଷା (ବାମ)। ସେ ଗୋଟିଏ କୋଷା ଖୋଲି ତା ଭିତରୁ ଛୋଟ ଛୋଟ ରାଶି ମଞ୍ଜି ବାହାର କରନ୍ତି (ଡାହାଣ)

Priya holding up a handful of sesame seeds that have just been harvested
PHOTO • M. Palani Kumar

ସଦ୍ୟ ଅମଳ କରାଯାଇଥିବା ପୋଷେ ରାଶି ମଞ୍ଜି ଧରିଛନ୍ତି ପ୍ରିୟା

ବାଡ଼ିବେଲନଙ୍କ ବାପା ପଲାନିବେଲ ହୁଏତ ଏହାକୁ ଖୁବ୍‌ ପସନ୍ଦ କରିଥାଆନ୍ତେ। ବିଭିନ୍ନ ଦିଗରୁ ଦେଖିବାକୁ ଗଲେ ସେ ଖେଳକୁଦକୁ ଖୁବ୍‌ ଭଲ ପାଉଥିଲେ। “ସେ ତାଙ୍କ ଶରୀରର ବିଶେଷ ଯତ୍ନ ନେଉଥିଲେ। ସେ ପଥର (ଭାର) ଉଠାଉଥିଲେ, ନଡ଼ିଆ ବଗିଚାରେ କୁସ୍ତି ଶିଖାଉଥିଲେ। ସେ ମଧ୍ୟ ଖୁବ୍‌ ଭଲ ଭାବରେ ଶିଲାମବମ୍‌ (ସଂଗ୍ରାମ ସାହିତ୍ୟରେ ବର୍ଣ୍ଣିତ ତାମିଲ ନାଡୁର ପ୍ରାଚୀନ ସମରକଳା) ଜାଣିଥିଲେ।

ତାଙ୍କ ପରିବାର କେବଳ କ୍ଷେତରୁ ଅମଳ ହେଉଥିବା ରାଶି ତେଲ ବ୍ୟବହାର କରୁଥିଲେ ଏବଂ କେବେ କେମିତି ନଡ଼ିଆ ତେଲ ମଧ୍ୟ ବ୍ୟବହାର କରୁଥିଲେ। ଉଭୟ ତେଲକୁ ବଡ଼ ବଡ଼ ପାତ୍ରରେ ରଖାଯାଉଥିଲା। “ମୋର ଭଲ ଭାବରେ ମନେ ଅଛି ଯେ ମୋ ବାପା ଗୋଟିଏ ରାଲେ ସାଇକେଲ ଚଲାଉଥିଲେ, ଏବଂ ଏଥିରେ ବସ୍ତା ବସ୍ତା ବିରି ରଖି ତ୍ରିଚିର ଗାନ୍ଧି ମାର୍କେଟକୁ ଯାଉଥିଲେ। ଫେରିଲା ବେଳେ ସେ ସାଙ୍ଗରେ ଲଙ୍କା, ସୋରିଷ, ଗୋଲମରିଚ ଏବଂ ତେନ୍ତୁଳି ଆଣି ଆସୁଥିଲେ। ଏହା ଥିଲା ଜିନିଷ ବଦଳରେ ଜିନିଷ ଦିଆନିଆ କାରବାର ଭଳି। ଏବଂ ରନ୍ଧାଘରେ ବର୍ଷକ ପାଇଁ ସାମଗ୍ରୀ ଜମା ହୋଇଯାଉଥିଲା!”

*****

୨୦୦୫ରେ ବାଡ଼ିବେଲନ ଓ ପ୍ରିୟା ବିବାହ କରିଥିଲେ। ତ୍ରିଚିର ବାୟୁଲୁର ମୁରୁଗାନ୍‌ ମନ୍ଦିରରେ ସେମାନଙ୍କ ବିବାହ ସଂପନ୍ନ ହୋଇଥିଲା। ବାଡ଼ିବେଲନ୍‌ କହନ୍ତି, “ମୋ ବାପା ଆସି ନଥିଲେ। ସେ ଏହି ବିବାହରେ ରାଜି ନଥିଲେ। ଯେତେବେଳେ ଗାଁକୁ ଆସିଥିବା ମୋର ସାଙ୍ଗମାନେ ଆମ ସଂପର୍କୀୟମାନଙ୍କୁ ସାଙ୍ଗରେ ଆଣିବାକୁ ଯାଇ ମୋ ବାପାଙ୍କୁ ଭେଟିଲେ ଆଉ ସେ ଆସିବେ କି ବୋଲି ତାଙ୍କୁ ପଚାରି ବସିଲେ, ସ୍ଥିତି ଆହୁରି ବିଗିଡ଼ିଗଲା। ସେ ଭୀଷଣ ରାଗିଗଲେ!” କହୁ କହୁ ହସି ପକାନ୍ତି ବାଡ଼ିବେଲନ୍‌।

ଆମେ ସେହି ଦମ୍ପତିଙ୍କ ଘରେ ବସିଥିଲୁ। ତାଙ୍କ ହଲ୍‌ରେ, ଭଗବାନଙ୍କ ଚିତ୍ରରେ ଭର୍ତ୍ତି ଗୋଟିଏ ଥାକ ପାଖରେ। କାନ୍ଥରେ ତାଙ୍କ ପରିବାର ଲୋକଙ୍କ କେତେକ ଫଟୋ ଲାଗିଥିଲା। ସେଲ୍‌ଫି ସହିତ ଛୁଟିଦିନର ଫଟୋ ଓ କେତେକ ପ୍ରତିକୃତି ଥିଲା। ତା ପାଖରେ ଗୋଟିଏ ଟେଲିଭିଜନ ଥିଲା। ଯେତେବେଳେ ବି ସମୟ ମିଳୁଥିଲା ପ୍ରିୟା ତା ସହିତ ସମୟ କାଟୁଥିଲେ। ଆମେ ଯାଇଥିବା ସମୟରେ ତାଙ୍କର ପିଲା ଦୁହେଁ ସ୍କୁଲ୍‌କୁ ଯାଇଥିଲେ। ଆମକୁ ସ୍ୱାଗତ କରିବାକୁ ତାଙ୍କ କୁକୁର ଆସି ପହଞ୍ଚେ ଏବଂ ବାଡ଼ିବେଲନ କହନ୍ତି, “ତା ନାଁ ଜୁଲି। ସେ ଖୁବ୍‌ ସୁନ୍ଦର।” ମୁଁ ତାକୁ ଆଦର କରେ। “ଏଇଟା ଅଣ୍ଡିରା ପିଲାଟା।” ବାଡ଼ିବେଲନ୍‌ ଅଳ୍ପ ହସନ୍ତି। ଜୁଲି ମନଦୁଃଖରେ ବାହାରକୁ ଚାଲିଯାଏ।

ପ୍ରିୟା ଆମକୁ ଖାଇବାକୁ ଡାକନ୍ତି। ସେ ଆଜି ଭୋଜି କରିବା ଭଳି ରାନ୍ଧିଛନ୍ତି, ତା ସହିତ ବଡ଼ାଇ ଏବଂ ପାୟସମ୍‌ ସେ ଗୋଟିଏ କଦଳୀ ପତ୍ରରେ ଖାଇବାକୁ ପରଶି ଦିଅନ୍ତି। ବେଶ ସୁସ୍ୱାଦୁ ଭୋଜନ। ଏବଂ ମସଲାଯୁକ୍ତ।

Left: Priya inspecting her sesame plants.
PHOTO • M. Palani Kumar
Right: The couple, Vadivelan and Priya in their sugarcane field.
PHOTO • M. Palani Kumar

ବାମ: ପ୍ରିୟା ତାଙ୍କ ରାଶି ଗଛଗୁଡ଼ିକୁ ପରୀକ୍ଷା କରୁଛନ୍ତି। ଡାହାଣ:ନିଜ ଆଖୁ କିଆରିରେ ଦମ୍ପତି, ବାଡ଼ିବେଲନ ଏବଂ ପ୍ରିୟା

ନିଦରେ ଶୋଇ ନଯିବା ପାଇଁ ଆମେ ବ୍ୟବସାୟ ସଂପର୍କରେ କଥାବାର୍ତ୍ତା କରୁ। ରାଶି ଚାଷ କ’ଣ କେମିତି ଲାଗେ? ବାଡ଼ିବେଲନ କହନ୍ତି, “ହତାଶ କଲା ଭଳି।” ସବୁ ଚାଷବାସ ହିଁ ସେମିତି, ସେ କହନ୍ତି, “ଏଥିରୁ ଲାଭ ଖୁବ୍‌ କମ ମିଳେ। ଚାଷରେ ଲାଗୁଥିବା ଖର୍ଚ୍ଚ ବଢ଼ିବାରେ ଲାଗିଛି। ୟୁରିଆରେ ଖର୍ଚ୍ଚ ବହୁତ ବେଶୀ, ଅନ୍ୟ ସବୁ ସାରରେ ବି। ତା’ ପରେ ଆମସୁ ଜମି ହଳ କରିବାକୁ ପଡ଼େ, ରାଶି ମଞ୍ଜି ବୁଣିବାକୁ ପଡ଼େ। ମଝିରେ ପାଣି ଯିବାକୁ ବାଟ ରଖି ଆମକୁ ଧାଡ଼ି ଧାଡ଼ି ଗଛ ଲଗାଇବାକୁ ହୁଏ। ଏବଂ କେବଳ ସୂର୍ଯ୍ୟାସ୍ତ ପରେ ହିଁ ଆମେ ଜମିରେ ପାଣି ମଡ଼ାଉ।”

ମଞ୍ଜି ବୁଣିବାର ତୃତୀୟ ସପ୍ତାହ ପାଖାପାଖି ଠିକ୍‌ ଭାବରେ ପାଣି ଦେବାକୁ ପଡ଼େ। ନିଜ ହାତକୁ ଭୂମିରୁ ନଅ କି ଦଶ ଇଞ୍ଚ ଉପରକୁ ଉଠାଇ ପ୍ରିୟା ଆମକୁ ବୁଝାଇ ଦିଅନ୍ତି ଯେ ସେତେବେଳକୁ ଗଛଗୁଡ଼ିକ ଏତିକି ଉଚ୍ଚ ହୋଇସାରିଥିବ। “ତା’ପରେ ଏହା ଶୀଘ୍ର ଶୀଘ୍ର ବଢ଼େ। ପଞ୍ଚମ ସପ୍ତାହରେ ଜମିରୁ ଅନାବନା ଗଛ ବାଛି, ୟୁରିଆ ଦିଆହୁଏ ଏବଂ ପ୍ରାୟ ପ୍ରତି ଦଶ ଦିନରେ ଥରେ କରି ପାଣି ମଡ଼ାଇବାକୁ ପଡ଼େ। ଯଦି ଭଲ ଖରା ପଡ଼େ, ତେବେ ଭଲ ଅମଳ ହୁଏ।”

ବାଡ଼ିବେଲନ କାମକୁ ଯାଇଥିବା ବେଳେ ପ୍ରିୟା କ୍ଷେତ ଉପରେ ନଜର ରଖନ୍ତି। ବର୍ଷର ଯେ କୌଣସି ସମୟରେ ବି ସେମାନଙ୍କର ଏହି ଦେଢ଼ ଏକର ଜମିରେ ଅତି କମ୍‌ରେ ଦୁଇଟି ଫସଲ ଚାଷ କରାଯାଇଥାଏ। ସେ ତାଙ୍କ ଘରକାମ ସାରନ୍ତି, ପିଲାମାନଙ୍କୁ ସ୍କୁଲ ପଠାନ୍ତି, ନିଜ ପାଇଁ ମଧ୍ୟାହ୍ନ ଭୋଜନ ପ୍ୟାକ୍‌ କରି ସାଇକେଲରେ ଯାଇ କ୍ଷେତରେ କାମ କରୁଥିବା ଶ୍ରମିକମାନଙ୍କ ସହ ଯୋଗ ଦିଅନ୍ତି। “ସକାଳ ୧୦ଟାରେ ସମସ୍ତଙ୍କ ପାଇଁ ଚା’ କିଣିବାକୁ ପଡ଼େ। ମଧ୍ୟାହ୍ନ ଭୋଜନ ପରେ, ଚା’ ସହିତ ପାଲାକାରମ୍‌ (ଜଳଖିଆ) ଦେବାକୁ ହୁଏ। ଏଥିରେ ସାଧାରଣତଃ ସୁୟାମ୍‌ (ମିଠା) ଏବଂ ଉରୁଲାଇ ବୋଣ୍ଡା (ଏକ ସୁସ୍ୱାଦୁ ଖାଦ୍ୟ) ମିଳେ।” ସେ କାମରେ ଅନବରତ ଲାଗି ରହନ୍ତି. ନିଅନ୍ତି, ଆଣନ୍ତି, ନଇଁ ପଡ଼ନ୍ତି, ଉଠାନ୍ତି, ରାନ୍ଧନ୍ତି, ଧୁଆଧୋଇ କରନ୍ତି...। ଆମେ ସେମାନଙ୍କର କ୍ଷେତ ଦେଖିବାକୁ ଯିବା ପୂର୍ବରୁ ସେ କହନ୍ତି, “ଟିକେ ଫଳରସ ପିଅନ୍ତୁ।”

*****

ୟେଲୁ ବାୟଲ, ରାଶି କ୍ଷେତ ଦେଖିବାକୁ ଖୁବ୍‌ ସୁନ୍ଦର। ଫୁଲଗୁଡ଼ିକ କୋମଳ, ପ୍ରାୟ ଅଳଙ୍କାର ଭଳି ଏବଂ ଗୋଲାପୀ ଓ ଧଳା ରଙ୍ଗର। ଦେଖିଲେ ମନେ ପଡ଼ିଯାଏ ସିଫନ୍‌ ଶାଢ଼ି ଏବଂ ଫ୍ରେଞ୍ଚ ମାନିକ୍ୟୁଅର। କୌଣସି ଦୃଷ୍ଟିରୁ ସେଇ ବହଳିଆ ଚିକିଟା ଦକ୍ଷିଣ ଭାରତୀୟ ରନ୍ଧାଘରର ପ୍ରମୁଖ ତେଲ ବୋଲି ଲାଗେ ନାହିଁ।

ରାଶି ଗଛଗୁଡ଼ିକ ଲମ୍ବା ଓ ସରୁ, ପତ୍ରଗୁଡ଼ିକ ଗାଢ଼ ସବୁଜ ରଙ୍ଗର। ଗଛର କାଣ୍ଡରେ ଅନେକ ସବୁଜ ରଙ୍ଗର ଗୋଟି ବା କୋଷା ଥାଏ। ପ୍ରତିଟି କୋଷା ବାଦାମ ଭଳି ବଡ଼ ଏବଂ ଆକାରରେ ଅଳେଇଚ ଭଳି। ଆମ ପାଇଁ ପ୍ରିୟା ସେଥିରୁ ଗୋଟିଏ ତୋଳି ଆଣନ୍ତି। ଭିତରେ ଅନେକ ପାଉଁଶିଆ ଧଳା ରଙ୍ଗର ରାଶି ମଞ୍ଜି ଥାଏ। ଗୋଟିଏ ଚାମଚ ତେଲ ପାଇବା ପାଇଁ ଏଥିରୁ କେତୋଟିକୁ ପେଡ଼ିବାକୁ ପଡ଼େ ତାହା କଳ୍ପନା କରିବା କଷ୍ଟକର। କାହିଁକି ନା ମାତ୍ର ଗୋଟିଏ ଇଡଲିରେ ସାଧାରଣତଃ ଅତି କମ୍‌ରେ ଦୁଇ ଚାମଚ ତେଲ ଏବଂ କିଛି ଇଡଲି ପୋଡ଼ି (ଶୁଖିଲା ଚଟଣି) ଥାଏ।

ଏବେ ଏସବୁ ଚିନ୍ତା କରିବା କଷ୍ଟକର କଥା, କାହିଁକି ନା ଏପ୍ରିଲ ମାସର ସୂର୍ଯ୍ୟଙ୍କ ପ୍ରକୋପ ବଢ଼ିବାରେ ଲାଗିଥାଏ। ପାଖ ତୋଟାରେ ଆମେ କିଛିଟା ଛାଇ ଖୋଜି ବସୁ। ଠିକ୍‌ ଏହି ଜାଗାରେ ମହିଳା କୃଷି ଶ୍ରମିକମାନେ ବି ବିଶ୍ରାମ ନିଅନ୍ତି ବୋଲି ବାଡ଼ିବେଲନ କହନ୍ତି। ସେମାନଙ୍କ ମଧ୍ୟରୁ ଅନେକ ତାଙ୍କ ପଡ଼ୋଶୀ ଗୋପାଳଙ୍କ ବିରି କ୍ଷେତରେ କଠିନ ପରିଶ୍ରମ କରନ୍ତି। ଦିନବେଳାର ସୂର୍ଯ୍ୟତାପରୁ ରକ୍ଷା ପାଇବା ଲାଗି ସେମାନେ ମୁଣ୍ଡରେ ସୂତା ତଉଲିଆ ଗୁଡ଼ାଇ ଥାଆନ୍ତି। ସେମାନେ ଅବିରତ ଭାବରେ କାମ କରନ୍ତି ଏବଂ କେବଳ ମଧ୍ୟାହ୍ନ ଭୋଜନ ଓ ଚା’ ପାଇଁ ଯାହା ବିରତି ନିଅନ୍ତି।

Left: Mariyaayi works as a labourer, and also sells tulasi garlands near the Srirangam temple.
PHOTO • M. Palani Kumar
Right: Vadivelan’s neighbour, S. Gopal participates in the sesame harvest
PHOTO • M. Palani Kumar

ବାମ: ମାରିୟାୟି ଜଣେ ଶ୍ରମିକ ଭାବେ କାମ କରନ୍ତି ଏବଂ ଶ୍ରୀରଙ୍ଗମ ମନ୍ଦିର ନିକଟରେ ତୁଳସୀ ମାଳ ବି ବିକନ୍ତି। ଡାହାଣ: ବାଡ଼ିବେଲନଙ୍କ ପଡ଼ୋଶୀ, ଏସ୍‌. ଗୋପାଲ ରାଶି ଅମଳ କାମରେ ଯୋଗ ଦିଅନ୍ତି

Women agricultural labourers weeding (left) in Gopal's field. They take a short break (right) for tea and snacks
PHOTO • M. Palani Kumar
Women agricultural labourers weeding (left) in Gopal's field. They take a short break (right) for tea and snacks.
PHOTO • M. Palani Kumar

ଗୋପାଲଙ୍କ କ୍ଷେତରେ (ବାମ) ବଛାବଛିରେ ଲାଗିଛନ୍ତି ମହିଳା କୃଷି ଶ୍ରମିକମାନେ। ଚା’ ଓ ଜଳଖିଆ ପାଇଁ ସେମାନେ (ଡାହାଣ) କିଛି ସମୟ ପାଇଁ ବିରତି ନିଅନ୍ତି

ସେମାନେ ସମସ୍ତେ ବୟସ୍କା ମହିଳା। ବୋଧହୁଏ ବୟସରେ ସବୁଠାରୁ ବଡ଼ ହେଉଛନ୍ତି ଭି.ମାରିୟାୟି, ସତୁରୀରୁ ଅଧିକ ବୟସର। ଯେତେବେଳେ ସେ କ୍ଷେତରେ ବଛାବଛି କିମ୍ବା ଚାରାରୋପଣ କିମ୍ବା ଅମଳ କାମ କରନ୍ତି ନାହିଁ, ସେତେବେଳେ ସେ ତୁଳସୀ ମାଳ ତିଆରି କରି ଶ୍ରୀରଙ୍ଗମ ମନ୍ଦିର ପାଖରେ ବିକ୍ରି କରନ୍ତି। ସେ ନମ୍ରତାର ସହ କଥା କହନ୍ତି। ସୂର୍ଯ୍ୟଙ୍କ ତାପ ବଢୁଥାଏ। ନିର୍ଦ୍ଦୟ ଭାବରେ...।

ବସ୍ତୁତଃ ଖରାକୁ ଖାତିର କରେନା ରାଶି ଗଛ। ଏହା ଆହୁରି ଅନେକ କଥାକୁ ବି ଖାତିର କରେନି। ବାଡିବେଲନଙ୍କ ପଡ଼ୋଶୀ ୬୫ ବର୍ଷୀୟ ଏସ୍‌.ଗୋପାଲ ମୋତେ କହନ୍ତି। ଏବଂ ତାଙ୍କ କଥାରେ ସମ୍ମତ ହୁଅନ୍ତି ବାଡ଼ିବେଲନ ଓ ପ୍ରିୟା। ତିନି ଜଣ ଯାକ ଚାଷୀ କୀଟନାଶକ ଓ ସ୍ପ୍ରେ ସଂପର୍କରେ ସେମିତି କିଛି କହନ୍ତିନି। ଖାଲି କଥା ପଡ଼ିଲେ ଯାହା କହି ଦେଇଥାଆନ୍ତି, ସେତିକି। ସେମାନେ ପାଣି ପାଇଁ ଚିନ୍ତା କରିବା କଥା ବି ଉଠାନ୍ତିନି। ରାଶି ଚାଷ ଅନେକ ଦୃଷ୍ଟିରୁ ବାଜରା ଚାଷ ଭଳି- ସହଜରେ ଗଛ ବଢ଼େ, ସେତେ ବେଶୀ ଯତ୍ନ ଦରକାର କରେନି। କେବଳ ଅଦିନିଆ ବର୍ଷା ହିଁ ଏହାର କ୍ଷତି କରିପାରେ।

ଆଉ ୨୦୨୨ରେ ଠିକ୍‌ ତାହା ହିଁ ହୋଇଥିଲା। “ବର୍ଷା ନହେବା ସମୟରେ ବର୍ଷା ହେଲା – ଜାନୁଆରୀ ଏବଂ ଫେବ୍ରୁଆରୀରେ, ଯେତେବେଳେ କି ଗଛଗୁଡ଼ିକ ଛୋଟ ଥିଲେ। ଗଛ ବଢ଼ିବାରେ ବାଧା ଉପୁଜିଲା,” ବାଡ଼ିବେଲନ କହନ୍ତି। ଏଥର ସେ କ୍ଷେତରୁ ଅମଳ କରିବାକୁ ଯାଉଥିଲେ, କିନ୍ତୁ କମ୍‌ ଫସଲ ମିଳିବ ବୋଲି ଆଶା କରୁଥିଲେ। “ଗତ ବର୍ଷ ଆମେ ଚାରା ଲଗାଇଥିବା ୩୦ ସେଣ୍ଟ୍‌ (ଏକରର ତିନି ଭାଗରୁ ଭାଗେ) ଜମିରୁ ୧୫୦ କିଲୋଗ୍ରାମ ପାଇଲୁ। ଏଥର, ୪୦ କିଲୋ ଟପିବ କି ନାହିଁ ବୋଲି ମୋର ସନ୍ଦେହ ହେଉଛି।”

ପତିପତ୍ନୀଙ୍କ ଆକଳନ ଅନୁସାରେ, ଏତିକି ପରିମାଣର ଅମଳ ତାଙ୍କର ବର୍ଷକର ତେଲ ଆବଶ୍ୟକତା ପୂରଣ କରିବା କଷ୍ଟକର ହେବ।“ ଆମେ ଥରକରେ ପ୍ରାୟ ୧୫ରୁ ୧୮ କିଲୋଗ୍ରାମ ହିସାବରେ ଥର ଥର କରି ମଞ୍ଜି ପେଡ଼ିଥାଉ। ଥରକରୁ ପ୍ରାୟ ସାତ କି ଆଠ ଲିଟର ତେଲ ମିଳିଥାଏ।ଅତି କମ୍‌ରେ ଆମର ଦୁଇଟି ଥର ପେଡ଼ିବା ଲାଗି ମଞ୍ଜି ଦରକାର,’ ପ୍ରିୟା ଆମକୁ ବୁଝାଇ ଦିଅନ୍ତି। ତହିଁ ଆର ଦିନ ଆମକୁ ଗୋଟିଏ ତେଲ କଳକୁ ନେଇଯିବେ ବୋଲି ବାଡ଼ିବେଲନ କଥା ଦିଅନ୍ତି। ହେଲେ ଏ ମଞ୍ଜି କଥା କ’ଣ ? କେମିତି ସେଗୁଡ଼ିକୁ ସଂଗ୍ରହ କରାଯାଏ ?

ସେ କଥା ଦେଖିବା ଲାଗି ସଦୟ ଗୋପାଳ ଆମକୁ ନିମନ୍ତ୍ରଣ କରନ୍ତି। ତାଙ୍କ ରାଶି କ୍ଷେତ କିଛି ଦୂରରେ ରହିଛି। ଗୋଟିଏ ଇଟାଭାଟି ପାଖରେ, ଯେଉଁଠି କି ଅନେକ ପ୍ରବାସୀ ପରିବାର ରହନ୍ତି ଏବଂ କାମ କରନ୍ତି, ଏବଂ ଇଟା ପିଛା ଗୋଟିଏ ଟଙ୍କା ହିସାବରେ ବିପୁଳ ରୋଜଗାର କରନ୍ତି। ଏହି ସ୍ଥାନରେ ହିଁ ସେମାନଙ୍କ ପିଲାମାନେ ବଡ଼ ହୁଅନ୍ତି (ଆଗକୁ ଯାଇ ଯେଉଁମାନେ ଛେଳି କି କୁକୁଡ଼ା ବଡ଼ କରନ୍ତି)। ସନ୍ଧ୍ୟାରେ ଇଟାଭାଟି ସଂପୂର୍ଣ୍ଣ ଶାନ୍ତ ଥାଏ। ଏବଂ ଆମ ସହାୟତା ପାଇଁ ଚାଲି ଚାଲି ଆସି ପହଞ୍ଚନ୍ତି ଇଟାଭାଟିର ଜଣେ ଶ୍ରମିକ ଏମ୍‌. ସିନିଆମ୍ମଲ।

Priya and Gopal shake the harvested sesame stalks (left) until the seeds fall out and collect on the tarpaulin sheet (right)
PHOTO • M. Palani Kumar
Priya and Gopal shake the harvested sesame stalks (left) until the seeds fall out and collect on the tarpaulin sheet (right)
PHOTO • M. Palani Kumar

ଅମଳ ପରେ ରାଶି ଗଛରୁ ରାଶି ମଞ୍ଜିକୁ ଅଲଗା କରିବା ପାଇଁ ଝାଡ଼ି ଦିଅନ୍ତି ପ୍ରିୟା ଓ ଗୋପାଲ (ବାମ) ଏବଂ ବାହାରୁଥିବା ରାଶି ମଞ୍ଜି ତାରପୁଲିନ ଚାଦର ଉପରେ ପଡ଼େ (ଡାହାଣ)

Sesame seeds collected in the winnow (left). Seeniammal (right)  a brick kiln worker, helps out with cleaning the sesame seeds to remove stalks and other impurities
PHOTO • M. Palani Kumar
Sesame seeds collected in the winnow (left). Seeniammal (right)  a brick kiln worker, helps out with cleaning the sesame seeds to remove stalks and other impurities
PHOTO • M. Palani Kumar

କୁଲାରେ ସଂଗୃହୀତ ରାଶି ମଞ୍ଜି (ବାମ)। ଇଟାଭାଟିର ଜଣେ ଶ୍ରମିକ ସିନ୍ନିଆମ୍ମଲ (ଡାହାଣ) ରାଶି ଗଛରୁ ମଞ୍ଜି ଅଲଗା କରି ପରିଷ୍କାର କରିବା କାମରେ ସାହାଯ୍ୟ କରନ୍ତି

ପ୍ରଥମେ ଗୋପାଳ ଅମଳ ହୋଇଥିବା ରାଶି ଗଛ ଗଦା ଉପରୁ ତାରପୁଲିନ ଆବରଣ ହଟାଇ ଦିଅନ୍ତି। ତାପମାତ୍ରା ସହିତ ଆର୍ଦ୍ରତା ବୃଦ୍ଧି ଯୋଗୁଁ ଏହାର ଭଲ ମଞ୍ଜି ବାହାରିବା ଲାଗି ଏଇ କିଛି ଦିନ ହେଲା ସେଗୁଡ଼ିକୁ ଏଠାରେ ଗଦା କରାଯାଉଥିଲା। ଜଣେ ବିଶେଷଜ୍ଞଙ୍କ ଭଳି ସିନିଆମ୍ମଲ ଗୋଟିଏ ବାଡ଼ି ଧରି ଗଦାରେ ଥିବା ଗଛଗୁଡ଼ିକୁ ଓଲଟପାଲଟ କରନ୍ତି। ରାଶି କୋଷାଗୁଡ଼ିକ ପାଚି ଯାଇଥିଲା ଏବଂ ମଞ୍ଜି ବାହାର କରିବା ଲାଗି ପ୍ରସ୍ତୁତ ହୋଇସାରିଥିଲା। ସେଗୁଡ଼ିକ ଫାଟି ଭିତରୁ ପାକଳ ମଞ୍ଜିଗୁଡ଼ିକ ବାହାରି ତଳେ ପଡ଼େ। ସେ ସେଗୁଡ଼ିକୁ ହାତରେ ଗୋଟେଇ ଆଣି ଛୋଟ ଛୋଟ ଗଦାରେ ରଖନ୍ତି। ଏବଂ ସବୁଗୁଡ଼ିକ ବିଡ଼ା ଖାଲି ହୋଇଯିବା ଯାଏ ଏହି ପ୍ରକ୍ରିୟା ଅବ୍ୟାହତ ରଖନ୍ତି।

ପ୍ରିୟା, ଗୋପାଳ ଓ ତାଙ୍କ ବୋହୂ ମିଶି ଗଦାରେ ଖାଲି ଗଛଗୁଡ଼ିକୁ ଆଣି ବିଡ଼ା ବାନ୍ଧି ଦିଅନ୍ତି। ଆଜିକାଲି ଆଉ ସେଗୁଡ଼ିକ ଜାଳେଣି ଭାବରେ କାମରେ ଲାଗୁ ନାହିଁ। ବାଡ଼ିବେଲନ ବୁଝାଇ ଦିଅନ୍ତି, “ମୋର ମନେ ଅଛି ଯେ ଏଗୁଡ଼ିକୁ ଧାନ ଉଷେଇଁବା ଲାଗି ଜଳା ଯାଉଥିଲା। କିନ୍ତୁ ଆଜିକାଲି ଧାନକଳରେ ସେ ସବୁ କରାଯାଉଛି। ରାଶିର ଏହି ଖାଲି ଗଛଗୁଡ଼ିକୁ ଖାଲି ପୋଡ଼ି ଦିଆଯାଉଛି।

କଥା ଆଗକୁ ବଢ଼ାଇ ଗୋପାଳ କହନ୍ତି ଯେ ପୁରୁଣା କାଳର ଅନେକ କଥା ଉଭେଇ ଗଲାଣି। ନିର୍ଦ୍ଦିଷ୍ଟ ଭାବରେ ସେ ଏଥିପାଇଁ ବିରକ୍ତ ହୁଅନ୍ତି ଯେ ସେ ସମୟର ଉୟିର ବେଲି (ଜୀବନ୍ତ ଗଛର ବାଡ଼ ଦେବା) ଆଉ ନାହିଁ। “ଆମେ ତାହା କରୁଥିବା ବେଳେ ବିଲୁଆମାନେ ବାଡ଼ କଡ଼ର ଗାତରେ ରହୁଥିଲେ। ଏବଂ ଆମ ଫସଲ ଖାଇବାକୁ ଆସୁଥିବା ପଶୁପକ୍ଷୀମାନେ ଦୂରେଇ ରହୁଥିଲେ। ଆଜିକାଲି ଆଉ ବିଲୁଆ ଦେଖିବାକୁ ମିଳୁନାହାନ୍ତି!” ସେ ଦୁଃଖରେ କହନ୍ତି।

“ପୂରା ସତକଥା”, ବାଡ଼ିବେଲନ ସମ୍ମତି ପ୍ରକାଶ କରନ୍ତି। “ଆଗରୁ ସବୁଆଡ଼େ ବିଲୁଆମାନେ ଥିଲେ। ମୁଁ ବାହା ହେବା ଆଗରୁ ଦିନେ ନଈକୂଳରୁ ଗୋଟିଏ ବିଲୁଆ ଛୁଆ ନେଇଆସିଥିଲି। ସେଇଟା ଏକପ୍ରକାର ଲୋମଶ କୁକୁର ବୋଲି ଭାବିଥିଲି। ମୋ ବାପା ତୁରନ୍ତ ମୋତେ କହିଲେ ଯେ ଏହା କିଛିଟା ଅଲଗା ଦିଶୁଛି। ସେଦିନ ରାତିରେ ଦଳେ ବଡ଼ ବିଲୁଆ ଆମ ଘର ପଛପଟେ ରଡ଼ି ଛାଡ଼ିଲେ। ମୁଁ ଫେରିଯାଇ ଯେଉଁଠାରୁ ସେ ଛୁଆକୁ ପାଇଥିଲି ସେହିଠାରେ ରଖିଦେଇ ଆସିଲି!”

ଆମେ କଥାବାର୍ତ୍ତା କରୁଥିବା ବେଳେ ସିନିଆମ୍ମଲ ଶୁଖିଲା ପତ୍ର ଓ କୁଟାକାଠି ମିଶିଥିବା ରାଶି ମଞ୍ଜିକୁ ଏକ କୁଲାରେ ରଖନ୍ତି। ଏହି କୁଲାକୁ ମୁଣ୍ଡ ଉପରକୁ ଟେକି ସେ ଦକ୍ଷତାର ସହିତ ଏହାକୁ ହଲାଇବାରେ ଲାଗନ୍ତି। ଏହି ପ୍ରକ୍ରିୟା ବେଶ ମନୋରମ ଏବଂ ସଶକ୍ତ। ଆଉ କୌଶଳପୂର୍ଣ୍ଣ ମଧ୍ୟ। କୁଲାରୁ ବର୍ଷା ହେଲା ଭଳି ରାଶି ତଳେ ପଡ଼େ, ସତେ ଯେମିତି ସଙ୍ଗୀତର ତାଳେ ତାଳେ।

Gopal's daughter-in-law cleans the seeds using a sieve (left) and later they both gather them into sacks (right).
PHOTO • M. Palani Kumar
Gopal's daughter-in-law cleans the seeds using a sieve (left) and later they both gather them into sacks (right).
PHOTO • M. Palani Kumar

ଗୋପାଲଙ୍କ ବୋହୂ ଚାଲୁଣିରେ ରାଶି ମଞ୍ଜିକୁ ଚଲେଇ ସଫା କରନ୍ତି (ବାମ) ଏବଂ ପରେ ସେ ଦୁହେଁ ମିଶି ସେଗୁଡ଼ିକୁ ବସ୍ତାରେ ଭରି ଦିଅନ୍ତି (ଡାହାଣ)

Priya helps gather the stalks (left). Gopal then carries it (right) to one side of the field. It will later be burnt
PHOTO • M. Palani Kumar
Priya helps gather the stalks (left). Gopal then carries it (right) to one side of the field. It will later be burnt.
PHOTO • M. Palani Kumar

ପ୍ରିୟା ରାଶିର ଗଛ ଏକାଠି କରିବାରେ ସାହାଯ୍ୟ କରନ୍ତି (ବାମ)। ତା’ପରେ ଗୋପାଲ ଏହାକୁ ନେଇ (ଡାହାଣ) କ୍ଷେତର ଗୋଟିଏ ପଟେ ରଖନ୍ତି। ପରେ ଏଗୁଡ଼ିକ ଜାଳି ଦିଆଯିବ

*****

ଶ୍ରୀରଙ୍ଗମର ଶ୍ରୀ ରଙ୍ଗା ମାରାଚେକ୍କୁ (କାଠ ଘଣା)ରେ ରେଡିଓରେ ବାଜୁଥିଲା ଏକ ପୁରୁଣା ତାମିଲ ଗୀତ। ମାଲିକ ଆର.ରାଜୁ କ୍ୟାଶ ରେଜିଷ୍ଟର ପଛରେ ବସିଥିଲେ। ରାଶି ପେଡ଼ି ହେବା ସହିତ ତେଲ ମିଲ୍‌ରୁ ଘର୍ରଘର୍ର ଶବ୍ଦ ବାହାରୁଥିଲା। ଷ୍ଟିଲର ବଡ଼ ବଡ଼ ପାତ୍ରରେ ଭରି ହୋଇଯାଉଥିଲା ସୁନେଲି ହଳଦିଆ ରଙ୍ଗର ତେଲ। ବାଡ଼ିପଟ ଅଗଣାରେ ଆହୁରି କେତେ ରାଶି ମଞ୍ଜି ଶୁଖୁଥିଲା।

“୧୮ କିଲୋ ରାଶି ମଞ୍ଜି ପେଡ଼ିବାକୁ ୧.୫ ଘଣ୍ଟା ଲାଗେ। ଆମେ ଏଥିରେ ଆଉ ୧.୫ କିଲୋ ତାଳ ଗୁଡ଼ ମିଶାଉ। ଏଥିରୁ ମୋଟ ପ୍ରାୟ ୮ ଲିଟର ତେଲ ବାହାରେ। ଷ୍ଟିଲ୍‌ର ମିଲରେ ଯେତିକି ବାହାରେ ତା’ଠାରୁ କିଛି କମ୍‌,” ରାଜୁ ଆମକୁ ବୁଝାଇ ଦିଅନ୍ତି। ଗୋଟିଏ କିଲୋ ତେଲ ପେଡ଼ିବାକୁ ସେ ଗ୍ରାହକଙ୍କ ପାଖରୁ ୩୦ ଟଙ୍କା ନିଅନ୍ତି। ଏବଂ ଏଭଳି କୋଲ୍‌ଡ ପ୍ରେସ୍‌ଡ ରାଶି ତେଲ ଲିଟର ପିଛା ୪୨୦ ଟଙ୍କାରେ ବିକ୍ରି କରନ୍ତି। “ଆମେ କେବଳ ଉତ୍କୃଷ୍ଟ ଗୁଣମାନର ରାଶି- ଯାହା ସିଧା ଚାଷୀମାନଙ୍କ ପାଖରୁ କିମ୍ବା ଗାନ୍ଧି ମାର୍କେଟରୁ କିଲୋ ପିଛା ୧୩୦ ଟଙ୍କା ଦରରେ ମିଳେ- ଆଣିଥାଉ ଏବଂ ତେଲର ସୁଗନ୍ଧ ବଢ଼ାଇବା ଲାଗି ସେଥିରେ କିଲୋ ପିଛା ୩୦୦ ଟଙ୍କାରେ କିଣା ଭଲ ଗୁଣମାନର ତାଳଗୁଡ଼ ମିଶାଉ।”

ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଭିତରେ ଏହି ମେସିନ୍‌ ଦିନକୁ ଚାରି ଥର ଚାଲେ ଏବଂ ତାଜା ତାଜା ବାହାରିଥିବା ତେଲ ପରିଷ୍କାର ହେଲା ଯାଏ ଖରାରେ ରଖାହୁଏ। ରାଶିରୁ ତେଲ ବାହାରି ଯିବା ପରେ ଯେଉଁ ଖାଦ ମୁଣ୍ଡା ( ୟେଲ୍ଲୁ ପୁନାକୁ ) ରହିଯାଏ, ସେଥିରେ ବି କିଛିଟା ତେଲିଆ ଅଂଶ ଥାଏ ଏବଂ ଚାଷୀମାନେ ଏହାକୁ ଗୃହପାଳିତ ପଶୁଙ୍କୁ ଦେବା ପାଇଁ କିଲୋଗ୍ରାମ ପିଛା ୩୫ ଟଙ୍କା ଦରରେ କିଣି ନିଅନ୍ତି।

ରାଜୁଙ୍କ କହିବା ଅନୁସାରେ, ଗୋଟିଏ ଏକର ରାଶିକୁ ଚାଷ, ଅମଳ, ସଫା କରିବା ଏବଂ ବସ୍ତାରେ ଭରିବା ପ୍ରଭୃତି ବାବଦରେ ସେ ୨୦,୦୦୦ ଟଙ୍କାରୁ କିଛିଟା ଅଧିକ ଖର୍ଚ୍ଚ କରନ୍ତି। ସାଧାରଣତଃ, ସେଥିରୁ ୩୦୦ କିଲୋରୁ ଅଧିକ ଅମଳ ହୁଏ। ଗୋଟିଏ ଏକର ଜମିରେ ଏହି ତିନି ମାସିଆ ଫସଲରୁ ସେ ୧୫,୦୦୦ରୁ ୧୭,୦୦୦ ଟଙ୍କା ଲାଭ କରନ୍ତି ବୋଲି ହିସାବ କରି କହନ୍ତି।

ଏବଂ ସେହିଠାରେ ହିଁ ସମସ୍ୟା ରହିଛି ବୋଲି କହନ୍ତି ବାଡ଼ିବେଲନ। “ଆପଣ ଜାଣନ୍ତି ଆମ ପରିଶ୍ରମରୁ କାହାର ଲାଭ ହୁଏ ? ବେପାରୀଙ୍କର। ଫସଲ କିଣିନେଲା ପରେ ସେମାନେ ଆମଠାରୁ ଯେଉଁ ଦରରେ ନେଇଥାଆନ୍ତି, ତା’ର ଦୁଇଗୁଣ ଦରରେ ବିକ୍ରି କରନ୍ତି,” ଅଭିଯୋଗ କରି ସେ କହନ୍ତି। “ଏଥିରେ ସେମାନେ କି ମୂଲ୍ୟବାନ ଦ୍ରବ୍ୟ ମିଶାନ୍ତି କି ?” ସେ ତାଙ୍କ ମୁଣ୍ଡ ହଲାନ୍ତି। “ସେଥିପାଇଁ ଆମେ ରାଶି ବିକ୍ରି କରୁନାହିଁ। ଆମେ ଆମ ଘର ପାଇଁ ଏହାକୁ ଚାଷ କରୁ, ନିଜ ଖାଇବା ପାଇଁ। ବାସ୍‌ ସେତିକି ଯଥେଷ୍ଟ ....।

The wooden press at Srirangam squeezes the golden yellow oil out of the sesame seeds
PHOTO • M. Palani Kumar
The wooden press at Srirangam squeezes the golden yellow oil out of the sesame seeds
PHOTO • M. Palani Kumar

ଶ୍ରୀରଙ୍ଗମରେ ଥିବା କାଠ ଘଣାରେ ପେଷି ରାଶି ମଞ୍ଜିରୁ ସୁନେଲି ହଳଦିଆ ରଙ୍ଗର ତେଲ ବାହାର କରାଯାଏ

Gandhi market in Trichy, Tamil Nadu where sesame and dals are bought from farmers and sold to dealers
PHOTO • M. Palani Kumar
Gandhi market in Trichy, Tamil Nadu where sesame and dals are bought from farmers and sold to dealers
PHOTO • M. Palani Kumar

ତାମିଲନାଡୁରେ ତ୍ରିଚିର ଗାନ୍ଧି ମାର୍କେଟ, ଯେଉଁଠାରେ ରାଶି ଓ ଡାଲି ଚାଷୀଙ୍କ ପାଖରୁ କିଣାଯାଏ ଏବଂ ବ୍ୟବସାୟୀମାନଙ୍କୁ ବିକ୍ରି କରାହୁଏ

ତ୍ରିଚିର ବ୍ୟସ୍ତବହୁଳ ଗାନ୍ଧି ମାର୍କେଟରେ, ରାଶି ଦୋକାନଗୁଡ଼ିକରେ ଗହଳଚହଳ ଲାଗି ରହିଥିଲା। ଚାଷୀମାନେ ବାହାରେ, ବିରି, ମୁଗ ଓ ରାଶି ବସ୍ତା ଉପରେ ବସି ରହିଥିଲେ। ବ୍ୟବସାୟୀମାନେ ସେମାନଙ୍କ ଜେଜେବାପାଙ୍କ ଅମଳରୁ ରହିଥିବା ଗୁମ୍ଫା ଭଳି ଦୋକାନ ଭିତରେ ବସିରହିଥିଲେ। ୪୫ ବର୍ଷୀୟ ପି.ସରବାନନ କହନ୍ତି ଯେ ଆମେ ସେଠାକୁ ଯେଉଁ ଦିନ ଯାଇଥିଲୁ, ସେଦିନ ଅଧିକ ବିରି କିଣାବିକା ପାଇଁ ଆସିଥିଲା। ମହିଳା ଓ ପୁରୁଷ ଶ୍ରମିକମାନେ ଚାଲୁଣିରେ ଚଲାଇ, ଓଜନ କରି ଡାଲିକୁ ପ୍ୟାକ୍‌ କରନ୍ତି। ସେ କହନ୍ତି, “ଏଠାରେ ରାଶି ଅମଳ ଏବେ ଏବେ ଆରମ୍ଭ ହୋଇଛି। ଅତି ଶୀଘ୍ର ବସ୍ତା ବସ୍ତା ରାଶି ଆସିବା ଆରମ୍ଭ ହୋଇଯିବ।”

ଯଦିଓ ଏହା ସବୁଠାରୁ ଭଲ ଫସଲ ଏବଂ କାରବାରର ଶୀର୍ଷ ସମୟ ବୋଲି କୁହାଯାଉଥିଲା, ତଥାପି ୫୫ ବର୍ଷୀୟ ଏସ୍‌.ଚନ୍ଦ୍ରଶେଖରନଙ୍କ ଆକଳନ ଅନୁସାରେ ତାଙ୍କ ବାପାଙ୍କ ଅମଳରେ ସେମାନେ ଯାହା ଦେଖିଥିଲେ, ଏହା ତା’ର ଚାରି ଭାଗରୁ ଭାଗେ ବି ନୁହେଁ। “ଜୁନ ମାସରେ, ପ୍ରତି ଦିନ ଗାନ୍ଧି ମାର୍କେଟକୁ ୨,୦୦୦ ୟେଲୁ ମୁତାଇ (ରାଶି ବସ୍ତା) ଆସୁଥିଲା। ଗତ କିଛି ବର୍ଷ ହେଲା, ଏହା ୫୦୦କୁ ଖସି ଆସିଛି। ଚାଷୀମାନେ ଏହି ଚାଷ ଛାଡୁଛନ୍ତି। ଏଥିରେ (ଏହି ଫସଲରେ) ଏତେ ବେଶୀ ପରିଶ୍ରମ କରିବାକୁ ପଡ଼େ। ଦର ଆଉ ବଢୁନାହିଁ। ଏହା କିଲୋ ପିଛା ୧୦୦ରୁ ୧୩୦ ଟଙ୍କା ରହୁଛି। ତେଣୁ ସେମାନେ ବିରି ଚାଷ ପ୍ରତି ମନ ବଳାଉଛନ୍ତି। ଏହାକୁ ମେସିନ ସହାୟତାରେ ଗୋଟିଏ ଦିନରେ ଅମଳ କରି ସେହି ଦିନ ହିଁ ବସ୍ତାରେ ଭର୍ତ୍ତି କରି ରଖାଯାଇପାରିବ।”

ହେଲେ, ତେଲ ଦର ବହୁତ ବେଶୀ ଅଛି ଏବଂ ଆହୁରି ବଢୁଛି ବୋଲି ମୁଁ କହେ। ଚାଷୀମାନଙ୍କୁ ଆହୁରି ଭଲ ଦର କାହିଁକି ମିଳୁନାହିଁ ? ଚନ୍ଦ୍ରଶେଖରନ ଉତ୍ତର ଦିଅନ୍ତି, “ଏହା ବଜାର ଉପରେ ନିର୍ଭର କରେ। ଚାହିଦା ଓ ଯୋଗାଣ ଉପରେ, ଅନ୍ୟ ରାଜ୍ୟରେ ହେଉଥିବା ଉତ୍ପାଦନ ଉପରେ, ବଡ଼ ବଡ଼ ତେଲ ମିଲ୍‌ ମାଲିକମାନେ ଜମା କରି ରଖୁଥିବା ତୈଳବୀଜ ଉପରେ।”

ସବୁଆଡ଼େ ସେଇ ଗୋଟିଏ କଥା। ସବୁ ଫସଲ ଆଉ ସବୁ ଜିନିଷ କ୍ଷେତ୍ରରେ। କାହା କାହା ପ୍ରତି ‘ବଜାର’ ସଦୟ ହେଉଛି ତ ଆଉ କାହା ପ୍ରତି ନିର୍ଦ୍ଦୟ ହେଉଛି। କେବେ କାହା ପଟରେ ସେ ରହୁଛି ସେ କଥା ବେଶ୍‌ ସ୍ପଷ୍ଟ...।

*****

ଆମଦାନୀ ଏବଂ ସ୍ଥାନଚ୍ୟୁତ ହେବା କ୍ଷେତ୍ରରେ ଖାଦ୍ୟୋପଯୋଗୀ ତୈଳ ଶିଳ୍ପର ଏକ ଲମ୍ବା ଏବଂ ଜଟିଳ ଇତିହାସ ରହିଛି: ଫସଲ ସହିତ ସାଂସ୍କୃତିକ ପ୍ରଥାର ଇତିହାସ। ଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍‌ନୋଲୋଜିର ସାମାଜିକ ବିଜ୍ଞାନ ଏବଂ ନୀତି ଅଧ୍ୟୟନ ବିଭାଗର ସହାୟକ ଅଧ୍ୟାପିକା ଡକ୍ଟର ରିଚା କୁମାର, ତାଙ୍କର ଏକ ଗବେଷଣା ପତ୍ରରେ ଦର୍ଶାଇଛନ୍ତି: “୧୯୭୬ ମସିହା ବେଳକୁ ଭାରତ ଏହାର ମୋଟ ଖାଦ୍ୟୋପଯୋଗୀ ତୈଳ ଆବଶ୍ୟକତାର ପ୍ରାୟ ୩୦ ପ୍ରତିଶତ ଆମଦାନୀ କରୁଥିଲା।” ଫ୍ରମ୍‌ ସେଲ୍‌ଫ ରିଲାଏନ୍‌ସ ଟୁ ଡିପନିଂ ଡିଷ୍ଟ୍ରେସ୍‌ ( ଆତ୍ମନିର୍ଭରଶୀଳତାରୁ ଗମ୍ଭୀର ସଂକଟ ପର୍ଯ୍ୟନ୍ତ ) ଶୀର୍ଷକ ଏହି ଗବେଷଣା ପତ୍ରରେ ଆହୁରି କୁହାଯାଇଥିଲା: ‘ଦୁଗ୍‌ଧ ଉତ୍ପାଦନକୁ ଦୁଇ ଗୁଣ କରିପାରିଥିବା ଦୁଗ୍‌ଧଜାତ ଦ୍ରବ୍ୟ ସମବାୟ ସମିତିର ସଫଳତାକୁ ସରକାର ଦୋହରାଇବାକୁ ଚାହୁଁଛନ୍ତି।”

Freshly pressed sesame oil (left). Various cold pressed oils (right) at the store in Srirangam
PHOTO • M. Palani Kumar
Freshly pressed sesame oil (left). Various cold pressed oils (right) at the store in Srirangam.
PHOTO • M. Palani Kumar

ସଦ୍ୟ ପେଡ଼ା ଯାଇଥିବା ରାଶି ତେଲ (ବାମ) ପେଡ଼ା ହେବା ପରେ ଶ୍ରୀରଙ୍ଗମର ଏକ ଦୋକାନରେ ରହିଥିବା ଭିନ୍ନ ଭିନ୍ନ ତେଲ

କିନ୍ତୁ, କୁମାର କହନ୍ତି, “ତୈଳବୀଜ କ୍ଷେତ୍ରରେ ପୀତ ବିପ୍ଳବ ସତ୍ତ୍ୱେ, ୧୯୯୦ ଦଶକର ମଧ୍ୟଭାଗ ଆରମ୍ଭରେ ଭାରତରେ ଖାଦ୍ୟୋପଯୋଗୀ ତୈଳର ଅଭାବ ଦିନକୁ ଦିନ ବଢୁଥିବା ଦେଖାଯାଇଥିଲା। କାରଣ, ଯେଉଁ ସବୁ ଜମିରେ ତୈଳବୀଜ-ମକାଜାତୀୟ-ଡାଲିଜାତୀୟ ଶସ୍ୟ ଚାଷ କରାଯାଉଥିଲା ସେଥିରେ ଗହମ, ଧାନ ଓ ଆଖୁ ଚାଷ କରାଗଲା ଏବଂ ଏଥିପାଇଁ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଦେବା ସହିତ ସରକାରୀ ଭାବେ ଶସ୍ୟ କିଣିବାକୁ ନିର୍ଭର ପ୍ରତିଶ୍ରୁତି ଦେଲେ। ଏହା ସାଙ୍ଗକୁ ୧୯୯୪ରେ ଖାଦ୍ୟୋପଯୋଗୀ ତୈଳ ଆମଦାନୀ ବ୍ୟବସ୍ଥାରେ ଉଦାରୀକରଣ ଯୋଗୁଁ ଇଣ୍ଡୋନେସିଆରୁ ତାଳ ତେଲ ଏବଂ ଆର୍ଜେଣ୍ଟିନାରୁ ସୋୟାବିନ ତେଲ ଭଳି ଶସ୍ତା ଖାଇବା ତେଲ ଆସି ଘରୋଇ ବଜାରରେ ଭର୍ତ୍ତି ହୋଇଗଲା।”

“ଖାଇବା ତେଲର ଶସ୍ତା ବିକଳ୍ପ ରୂପ ନେବା ସହିତ ତାଳ ତେଲ ଏବଂ ସୋୟାବିନ ତେଲ, ବିଶେଷତଃ ଖର୍ଚ୍ଚବହୁଳ ଘିଅ (କ୍ଲାରିଫାଏଡ୍‌ ବଟର)ର ଏକ ଲୋକପ୍ରିୟ ବିକଳ୍ପ ବନସ୍ପତି (ରିଫାଇନ୍‌ଡ, ହାଇଡ୍ରୋଜେନେଟେଡ ଭେଜିଟେବଲ ଶର୍ଟନିଂ) ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେଲା। ଏହି ବିକଳ୍ପଗୁଡ଼ିକ ଯୋଗୁଁ ସୋରିଷ, ରାଶି, ଅଳସୀ, ନଡ଼ିଆ ଏବଂ ଚିନାବାଦାମ ଭଳି ପାରମ୍ପରିକ ତୈଳବୀଜ ଏବଂ ତୈଳ ବଜାରରୁ ଅପସରି ଗଲେ ଏବଂ ଚାଷୀମାନେ ବି ଏସବୁ ଫସଲରେ ଲାଭ ନାହିଁ ବୋଲି ବିଚାର କଲେ,”  କୁମାର ଲେଖିଛନ୍ତି।

ଏବେ ଏହା ଏଭଳି ଏକ ସ୍ଥିତିରେ ପହଞ୍ଚିଛି ଯେ, ପେଟ୍ରୋଲିୟମ ଏବଂ ସୁନା ପରେ ଖାଦ୍ୟୋପଯୋଗୀ ତୈଳ ଭାରତର ତୃତୀୟ ସର୍ବାଧିକ ଆମଦାନୀ କରାଯାଉଥିବା ସାମଗ୍ରୀ ହୋଇଛି। ଏହା ମୋଟ କୃଷି ଆମଦାନୀର ୪୦ ଭାଗ ଏବଂ ମୋଟ ଆମଦାନୀର ୩ ଭାଗ ବୋଲି ୨୦୨୩ରେ ପ୍ରକାଶିତ ପୁସିଂ ଫର୍‌ ସେଲ୍‌ଫ ସଫିସିଏନ୍‌ସି ଇନ୍‌ ଏଡିବ୍‌ଲ ଅଏଲ୍‌ସ ଇନ୍‌ ଇଣ୍ଡିଆ ( ଖାଇବା ତେଲ କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ଉପରେ ଗୁରୁତ୍ୱ ) ଶୀର୍ଷକ ଏକ ଗବେଷଣା ପତ୍ରରେ ଦର୍ଶାଯାଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଦେଶରେ ବ୍ୟବହୃତ ମୋଟ ଖାଦ୍ୟୋପଯୋଗୀ ତୈଳର ପ୍ରାୟ ୬୦ ପ୍ରତିଶତ ଆବଶ୍ୟକତା ଆମଦାନୀ ଦ୍ୱାରା ପୂରଣ କରାଯାଉଛି।

*****

ବାଡ଼ିବେଲନଙ୍କ ଘର ଖର୍ଚ୍ଚର ଷାଠିଏ ପ୍ରତିଶତ ଟ୍ୟାକ୍‌ସିରୁ ତାଙ୍କ ରୋଜଗାରରୁ ଭରଣା ହୁଏ। ତାଙ୍କ ଗାଁଠୁ କିଛି ଆଗରେ କାବେରୀ ନଦୀ ଦୁଇ ଭାଗ ହୋଇଗଲା ଭଳି ବାଡ଼ିବେଲନଙ୍କ ସମୟ, ଏବଂ ତାଙ୍କ ଜୀବନ ବି- ଚାଷବାସ ଏବଂ ଟ୍ୟାକ୍‌ସି ଚଲାଇବା ଭଳି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଚାଷବାସ କଷ୍ଟକର ବୋଲି ସେ କହନ୍ତି। “ଏହାର ଫଳ ଅନିଶ୍ଚିତ ଏବଂ ଖର୍ଚ୍ଚ ବହୁତ।”

ସେ ଦିନବେଳା କାମ କରୁଥିବାରୁ (ଦୀର୍ଘ ସମୟ ପାଇଁ ଟ୍ୟାକ୍‌ସି ଚଲାନ୍ତି) ତାଙ୍କ ସ୍ତ୍ରୀଙ୍କୁ କ୍ଷେତରେ କାମ କରିବାକୁ ପଡ଼େ। ତା ସହିତ ଘରର ସବୁ କାମ ବି ଅଛି ଏବଂ ସେଥିରୁ ଅଧିକ ଭାଗ ସେ ହିଁ କରନ୍ତି। କେବେ କେମିତି ବାଡ଼ିବେଲନ ସେଥିରେ ସହାୟତା କରନ୍ତି। ବେଳେବେଳେ ରାତିରେ କ୍ଷେତକୁ ପାଣି ମଡ଼ାଇ ଦିଅନ୍ତି, ସମସ୍ତଙ୍କ କ୍ଷେତରେ ଫସଲ ପାଚି ଯାଇଥିବା ସମୟରେ ଅମଳ କରିବା ପାଇଁ ମେସିନ୍‌ଟିଏ ଯୋଗାଡ଼ କରିବାକୁ ଦିନ ଦିନ ଧରି ଏଣେ ତେଣେ ଦୌଡ଼ନ୍ତି। କ୍ଷେତରେ ଅତ୍ୟଧିକ ଶାରୀରିକ ଶ୍ରମ ଦରକାର କରୁଥିବା ଅନେକ କାମ ସେ ନିଜେ କରନ୍ତି। “କିନ୍ତୁ ଆଜିକାଲି, ମୁଁ ଯଦି କୋଦାଳରେ ମାଟି ହାଣେ ତେବେ ମୋ ପିଠିରେ ଯନ୍ତ୍ରଣା ହୁଏ ଏବଂ ମୁଁ କାର୍‌ ଚଲାଇ ପାରେନି।”

Women workers winnow (left) the freshly harvested black gram after which they clean and sort (right)
PHOTO • M. Palani Kumar
Women workers winnow (left) the freshly harvested black gram after which they clean and sort (right)
PHOTO • M. Palani Kumar

ସଦ୍ୟ ଅମଳ କରାଯାଇଥିବା ବିରିକୁ ମହିଳା ଶ୍ରମିକମାନେ କୁଲାରେ ଚଲାଇ ସଂଗ୍ରହ କରନ୍ତି (ବାମ) ଏବଂ ପରେ ସେଗୁଡ଼ିକୁ ବାଛି ସଫା କରି ରଖାଯାଏ (ଡାହାଣ)

ତେଣୁ ସେମାନେ ଶ୍ରମିକଙ୍କୁ କାମରେ ଲଗାନ୍ତି। ତା’ ବି ଯେତେବେଳେ ସେମାନେ ମିଳନ୍ତି। ବଛାବଛି ଏବଂ ଚାରା ରୋପଣ ଏବଂ ରାଶି ଝାଡ଼ିବା ପାଇଁ, ପ୍ରାୟତଃ ବୟସ୍କା ମହିଳାମାନେ ଆସି କାମ କରନ୍ତି।

ବିରି ଚାଷ ବି ଏକାଭଳି କଷ୍ଟକର। “ଠିକ୍‌ ଅମଳ ହେବା ପୂର୍ବରୁ ଏବଂ ପରେ ବର୍ଷା ହେଲା। ବିରିକୁ ଶୁଖିଲା ରଖିବା ପାଇଁ ମୋତେ ନାକେଦମ୍‌ ହେବାକୁ ପଡ଼ିଲା।” ସେ ତାଙ୍କର ଏହି କଷ୍ଟକର ସମୟ କଥା ବର୍ଣ୍ଣନା କରିବା ବେଳେ ଏ ଦିଗରେ ତାଙ୍କ ଉଦ୍ୟମ ଅଦ୍ଭୁତ ଧରଣର ମନେହୁଏ। ଏହି କାରଣରୁ ହିଁ ମୁଁ ମୋ ଇଡଲି ଏବଂ ଦୋସାଇ ରେ ଉଲୁଣ୍ଡୁ(ବିରି)କୁ ଆହୁରି ଅଧିକ ସମ୍ମାନ ଦିଏ।

“ବୟସର କୋଡ଼ିଏ ଦଶକରେ ମୁଁ ଗୋଟିଏ ଟ୍ରକ୍‌ ଚଲାଉଥିଲି। ଏହାର ୧୪ଟି ଚକ ଥିଲା। ଆମେ ଦୁଇ ଜଣ ଡ୍ରାଇଭର ଥିଲୁ ଏବଂ ପାଳି କରି ଗାଡ଼ି ଚଲାଉଥିଲୁ। ଏମିତି ଆମେ ସାରା ଦେଶ ବୁଲିଛୁ। ଉତ୍ତର ପ୍ରଦେଶ, ଦିଲ୍ଲୀ, କାଶ୍ମୀର, ରାଜସ୍ଥାନ, ଗୁଜରାଟ...।” ସେ ସମୟରେ ସେମାନେ କ’ଣ ଖାଉଥିଲେ, କ’ଣ ପିଉଥିଲେ (ଓଟ କ୍ଷୀରର ଚା’, ରୋଟି ଆଉ ଦାଲ , ଅଣ୍ଡା ବୁର୍ଜି), କେଉଁଠି ଗାଧୋଉଥିଲେ (ନଈରେ, କିମ୍ବା ବେଳେବେଳେ, ଶ୍ରୀନଗର ଭଳି ଥଣ୍ଡା ଜାଗା ହେଲେ ଆଦୌ ଗାଧୋଉ ନଥିଲେ), ଗାଡ଼ି ଚଲାଇବା ବେଳେ ସେମାନେ କି ଗୀତ ସବୁ ଶୁଣୁଥିଲେ (“ଇଲାୟାରାଜାଙ୍କ ଗୀତ, ନିଶ୍ଚିତ ଭାବରେ କୁତୁ ପାଟୁ ଶୁଣି ଚାହିଁ ରହୁ!)। ସେ ସମୟର ବନ୍ଧୁତା, ଗପସପ ଏବଂ ଭୂତ ସଂପର୍କରେ ବି ସେ ଖୁସିରେ ମନେ ପକାନ୍ତି। “ଥରେ ରାତିରେ, ମୁଁ ପରିସ୍ରା କରିବାକୁ ଟ୍ରକ୍‌ରୁ ଓହ୍ଲାଇଥିଲି। ମୋ ମୁଣ୍ଡ ଉପରେ ଗୋଟିଏ କମ୍ବଳ ଥିଲା। ତା’ପରଦିନ ସକାଳେ ଅନ୍ୟମାନେ କହିଲେ କି ସେମାନେ ମୁଣ୍ଡ ଢାଙ୍କିଥିବା ଗୋଟିଏ ଭୂତ ଦେଖିଥିଲେ !” ଏବଂ ସେ ହସନ୍ତି।

ସାରା ଦେଶ ଟ୍ରକ୍‌ରେ ବୁଲିବା କାମ ସେ ଛାଡ଼ି ଦେଲେ। କାରଣ ଏହା ଯୋଗୁଁ ସେ ସପ୍ତାହ ସପ୍ତାହ ଧରି ଘରଠାରୁ ଦୂରରେ ରହୁଥିଲେ। ତାଙ୍କ ବିବାହ ପରେ ସେ ସେଠାରେ ଗାଡ଼ି ଚଳାଇଲେ ଏବଂ ଚାଷବାସ କଲେ। ବାଡ଼ିବେଲନ ଏବଂ ପ୍ରିୟାଙ୍କର ଦୁଇଟି ପିଲା ଅଛନ୍ତି – ଝିଅ ୧୦ମ ଶ୍ରେଣୀରେ ପଢ଼େ ଏବଂ ପୁଅ ସପ୍ତମ ଶ୍ରେଣୀରେ। ଭାବୁକ ସ୍ୱରରେ ସେ କହନ୍ତି, “ଆମେ ସେମାନଙ୍କୁ ସବୁ କିଛି ଦେବାକୁ ଚାହୁଁ, କିନ୍ତୁ ବୋଧହୁଏ ପିଲାବେଳେ ମୁଁ ବେଶୀ ଖୁସିରେ ଥିଲି।”

Vadivelan’s time is divided between farming and driving. Seen here (left)with his wife Priya in the shade of a nearby grove and with their children (right)
PHOTO • M. Palani Kumar
Vadivelan’s time is divided between farming and driving. Seen here (left)with his wife Priya in the shade of a nearby grove and with their children (right)
PHOTO • Aparna Karthikeyan

ଚାଷବାସ ଏବଂ ଗାଡ଼ି ଚଲାଇବାରେ ବାଡ଼ିବେଲନଙ୍କ ସମୟ ବାଣ୍ଟି ହୋଇଯାଇଛି। ଏଠାରେ ସେ ପାଖ ତୋଟାରେ (ବାମ) ସ୍ତ୍ରୀ ପ୍ରିୟାଙ୍କ ସହିତ ଏବଂ ଦୁହେଁ ସେମାନଙ୍କ ପିଲାମାନଙ୍କ ସହିତ (ଡାହାଣ)

ତାଙ୍କ ପିଲାବେଳର କଥା ବି ଏତେ ସହଜ ନୁହେଁ। “ସେ ସମୟରେ, କେହି ହେଲେ ପ୍ରକୃତରେ ଆମର ଦେଖାଶୁଣା କରୁ ନଥିଲେ, ଆପଣ ଜାଣନ୍ତି।” ସେ ମୋ ଆଡ଼କୁ ଚାହିଁ ଅଳ୍ପ ହସନ୍ତି। “ଆମେ ଖାଲି ଏମିତି ବଡ଼ ହୋଇଗଲୁ।” ନବମ ଶ୍ରେଣୀରେ ପଢ଼ିଲା ବେଳେ ସେ ପ୍ରଥମ ଥର ପାଇଁ ହଳେ ଚପଲ ପାଇଥିଲେ। ସେ ପର୍ଯ୍ୟନ୍ତ ସେ ଖାଲି ପାଦରେ ଯା’ଆସ କରୁଥିଲେ। ଅନେକ ସମୟରେ ସେ ତାଙ୍କ ଜେଜେମାଆ ବିଡ଼ା ବାନ୍ଧି ଥିବା ସବୁଜ ଘାସ ନେଇଯାଉଥିଲେ। ପଶୁଖାଦ୍ୟ ପାଇଁ ପ୍ରତି ବିଡ଼ା ୫୦ ପଇସାରେ ବିକ୍ରି ହେଉଥିଲା। ଦୀର୍ଘଶ୍ୱାସ ପକାଇ ସେ କହନ୍ତି, “ଏଥିରେ ବି କେତେକ ଲୋକ ମୂଲଚାଲ କରୁଥିଲେ!” ପରେ ସ୍କୁଲରୁ ମିଳିଥିବା ହାଫପ୍ୟାଣ୍ଟ ଓ ଗଞ୍ଜି ପିନ୍ଧି ସେ ସାଇକେଲରେ ବୁଲାବୁଲି କରୁଥିଲେ। “ସେଇଟା ତିନି ମାସ ଯାଏ ରହୁଥିଲା। ଆମ ଘରେ ବର୍ଷକୁ ଥରେ ଆମ ପାଇଁ ନୂଆ ଲୁଗାପଟା କିଣା ହେଉଥିଲା।”

ବହୁ କଷ୍ଟକର ସମୟ ଅତିକ୍ରମ କରି ଆସିଛନ୍ତି ବାଡ଼ିବେଲନ। ସେ ଖେଳକୁଦରେ ଭାଗ ନେଉଥିଲେ, ଦୌଡ଼ ପ୍ରତିଯୋଗିତାରେ ପୁରସ୍କାର ବି ଜିତିଥିଲେ। ସେ କବାଡି ଖେଳିଥିଲେ, ନଈରେ ପହଁରି ଥିଲେ, ସାଙ୍ଗମାନଙ୍କ ସହ ମଜା ମଜଲିସ୍‌ରେ ସମୟ କାଟିଥିଲେ, ଏବଂ ଘରେ, ସବୁଦିନ ରାତିରେ, ତାଙ୍କ ଆପ୍ପାୟି (ଜେଜେମାଆ) କହୁଥିବା କାହାଣୀ ଶୁଣିଥିଲେ। “କାହାଣୀ ଅଧାରୁ ମୁଁ ଶୋଇପଡ଼େ, ଏବଂ ପରଦିନ ରାତିରେ, ସେ ପୁଣି ସେଇ ଅଧାରୁ ହିଁ ଆରମ୍ଭ କରନ୍ତି। ସେ ଏତେ ସବୁ କାହାଣୀ ଜାଣିଥିଲେ, ରାଜାରାଣୀଙ୍କ କାହାଣୀ, ଭଗବାନଙ୍କର...।”

କିନ୍ତୁ ଯୁବାବସ୍ଥାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ବି ବାଡ଼ିବେଲନ ଭାଗ ନେଇପାରିଲେନି। କାରଣ, ତାଙ୍କ ପରିବାର ଆବଶ୍ୟକ ଖାଦ୍ୟପେୟ ଓ କ୍ରୀଡ଼ା ଉପକରଣ କିଣିପାରୁ ନଥିଲେ। ଘରେ ତାଙ୍କର ଖାଦ୍ୟ ଥିଲା ଜାଉ, ଚାଉଳ ଓ ଝୋଳ ଏବଂ ବେଳେବେଳେ ମାଂସ। ସ୍କୁଲରେ ତାଙ୍କୁ ମଧ୍ୟାହ୍ନ ଭୋଜନରେ ଉପମା ମିଳୁଥିଲା। ଆଉ ସନ୍ଧ୍ୟାର ‘ଜଳଖିଆ’ ହିସାବରେ ସେ ଲୁଣମିଶା ତୋରାଣୀ ପିଉଥିଲେ ବୋଲି ତାଙ୍କର ମନେ ଅଛି। ଜାଣିଶୁଣି ସେ ‘ଜଳଖିଆ’ ଶବ୍ଦ ଉପରେ ଜୋର ଦିଅନ୍ତି। ଆଜିକାଲି ସେ ତାଙ୍କ ପିଲାମାନଙ୍କୁ ପ୍ୟାକେଟ୍‌ରେ ଥିବା ଜଳଖିଆ ଦେଉଛନ୍ତି।

ତାଙ୍କ ପିଲାବେଳର କଠିନ ପରିଶ୍ରମରୁ ସେମାନଙ୍କୁ ସେ ଦୂରେଇ ରଖନ୍ତି। ଦ୍ୱିତୀୟ ଥର ପାଇଁ ମୁଁ ତାଙ୍କ ସହରକୁ ଯାଇଥିବା ବେଳେ କୋଲ୍ଲିଡମ୍‌ ନଦୀକୂଳରେ ତାଙ୍କ ସ୍ତ୍ରୀ ଓ ଝିଅ ବାଲି ଖୋଳୁଥିଲେ। ଛଅ ଇଞ୍ଚ ଖଣ୍ଡେ ଖୋଳିବା ପରେ ପାଣି ବାହାରିଲା। ପ୍ରିୟା କହନ୍ତି, “ଏହି ନଈରେ ଶୁଦ୍ଧ ପାଣି ଅଛି।” ସେ ବାଲିଗଦା ଭିତରେ ତାଙ୍କର ଗୋଟିଏ ହେୟାରପିନ୍‌କୁ ଲୁଚାଇ ଦିଅନ୍ତି ଏବଂ ତାଙ୍କ ଝିଅ ତାକୁ ଖୋଜେ। ବାଡ଼ିବେଲନ ଏବଂ ତାଙ୍କ ପୁଅ ନଈର ଅଗଭୀର ପାଣିରେ ଗାଧୋଉ ଥାଆନ୍ତି। ଯେତେଦୂର ଯାଏ ମୋ ଆଖି ପାଏ, କେବଳ ଆମେ ହିଁ ଯାହା ଏଠାରେ ଅଛୁ। ବାଲି ଉପରେ ଅନେକ ପଦଚିହ୍ନ, ଘରଫେରନ୍ତା ଗାଈମାନଙ୍କର। ନଈକୂଳର ଘାସ ହଲିଉଠେ। ଚାରିଆଡ଼େ ଖୋଲା ଜାଗା, କେବଳ ବିଶାଳ ହୋଇଥିବାରୁ ହିଁ ଏହା ସୁନ୍ଦର। “ଆପଣଙ୍କ ସହରରେ ଆପଣ ଏହା ପାଇବେନି,” ଘରକୁ ଫେରିବା ରାସ୍ତାରେ, ଆଗରେ ଚାଲୁ ଚାଲୁ ବାଡ଼ିବେଲନ କହନ୍ତି। ‘’ପାଇବେ କି?”

*****

ପରେ, ପୁଣି ଥରେ ଯେବେ ମୁଁ ସେ ନଈକୁ ଭେଟିଲି, ମୋତେ ଲାଗିଲା ମୁଁ ସହରରେ ହିଁ ଅଛି।ସେଇଟା ଏକ ସାମୟିକ ଆବେଗର କଥା। ତାହା ଥିଲା ୨୦୨୩ର ଅଗଷ୍ଟ ମାସ, ବାଡ଼ିବେଲନଙ୍କ ସହରକୁ ମୋର ପ୍ରଥମ ଗସ୍ତକୁ ବର୍ଷକରୁ ଅଧିକ ସମୟ ବିତିଯାଇଥିଲା। ମୁଁ ଏଠାକୁ ଆସିଛି ଆଦି ପେରୁକୁ ପାଇଁ, କାବେରୀ ନଦୀକୂଳରେ ପାଳିତ ଏକ ପର୍ବ। ଯେଉଁଠି ନଈକୂଳରେ ଇତିହାସ, ସଂସ୍କୃତି ଓ ପ୍ରଥାର ମହାମିଳନ ଘଟେ।

Vadivelan at a nearby dam on the Cauvery (left) and Priya at the Kollidam river bank (right)
PHOTO • Aparna Karthikeyan
Vadivelan at a nearby dam on the Cauvery (left) and Priya at the Kollidam river bank (right)
PHOTO • Aparna Karthikeyan

ନିକଟବର୍ତ୍ତୀ କାବେରୀ ନଦୀ ଉପରେ ଏକ ବନ୍ଧ ପାଖରେ ବାଡ଼ିବେଲନ (ବାମ) ଏବଂ କୋଲ୍ଲିଡମ୍‌ ନଈକୂଳରେ ପ୍ରିୟା (ଡାହାଣ)

The crowd at Amma Mandapam (left), a ghat on the Cauvery on the occasion of Aadi Perukku where the river (right) is worshipped with flowers, fruits, coconut, incense and camphor.
PHOTO • Aparna Karthikeyan
The crowd at Amma Mandapam (left), a ghat on the Cauvery on the occasion of Aadi Perukku where the river (right) is worshipped with flowers, fruits, coconut, incense and camphor.
PHOTO • Aparna Karthikeyan

କାବେରୀ ନଦୀର ଏକ ଘାଟ ଆମ୍ମା ମଣ୍ଡପମ (ବାମ) ପାଖରେ ଲୋକଭିଡ଼, ଆଦି ପେରୁକୁ ଉତ୍ସବ ପାଳନ ଅବସରରେ ଫୁଲ, ଫଳ, ନଡ଼ିଆ, ଧୂପକାଠି ଏବଂ କର୍ପୂର ଦେଇ ନଦୀକୁ (ଡାହାଣ) ପୂଜା କରାଯାଏ

“ଏଣିକି ଲୋକଙ୍କ ଭିଡ଼ ବଢ଼ିବ,” ଶ୍ରୀରଙ୍ଗମର ଏକ ଶାନ୍ତ ଗଳି ଭିତରେ କାର୍‌ ପାର୍କ କରୁ କରୁ ସତର୍କ କରାଇ ଦିଅନ୍ତି ବାଡ଼ିବେଲନ। ଆମେ ଆମ୍ମା ମଣ୍ଡପମ ଆଡ଼କୁ ଯାଉ। କାବେରୀ ନଦୀର ଏହି ଘାଟରେ ଯାତ୍ରୀଙ୍କ ଭିଡ଼ ଜମିଥାଏ। ସେତେବେଳକୁ ସକାଳ ମାତ୍ର ୮ଟା ୩୦, ଏବଂ ଲୋକଙ୍କ ଭିଡ଼ ବଢ଼ିଗଲାଣି। ନଦୀଘାଟର ପାହାଚରେ ପାଦ ରଖିବାକୁ ଜାଗା ନାହିଁ। ଲୋକମାନେ ନଦୀକୁ ଅର୍ପଣ କରିବା ଲାଗି କଦଳୀ ପତ୍ରରେ ନଡ଼ିଆ, କଦଳୀ ରଖିବା ସହିତ ସେଥିରେ ଧୂପକାଠି ଫୋଡ଼ି, ହଳଦୀରେ ଛୋଟ ଗଣେଶ ମୂର୍ତ୍ତି, ଫୁଲ, ଫଳ ଓ କର୍ପୂର ରଖି ସେଟାରେ ପହଞ୍ଚି ଗଲେଣି। ଉତ୍ସବ ମୁଖରିତ ପରିବେଶ, ଠିକ୍‌ ବିବାହ ଉତ୍ସବ ଭଳି, ହେଲେ ବଡ଼ ଧରଣର।

ନବ ବିବାହିତ ବରବଧୂମାନେ ଏବଂ ସେମାନଙ୍କ ପରିବାର ଲୋକେ ପୂଜକମାନଙ୍କୁ ଘେରି ଜମା ହୁଅନ୍ତି। ପୂଜକମାନେ ସେମାନଙ୍କ ଥାଳିରେ ଥିବା ସୂନା ଅଳଙ୍କାର (ମଙ୍ଗଳସୂତ୍ର)କୁ ନୂଆ ସୂତାରେ ଗୁନ୍ଥିବାରେ ସହାୟତା କରନ୍ତି। ତା’ ପରେ ସ୍ୱାମୀ ଓ ସ୍ତ୍ରୀ ପ୍ରାର୍ଥନା କରନ୍ତି ଏବଂ ବିବାହ ସମୟରୁ ସେମାନେ ସାଇତି ରଖିଥିବା ବରମାଳାକୁ ପାଣିରେ ଫିଙ୍ଗି ଦିଅନ୍ତି। ମହିଳାମାନେ ପରସ୍ପର ବେକରେ ହଳଦୀ ଲାଗିଥିବା ସୂତା ବାନ୍ଧି ଦିଅନ୍ତି। ସେମାନେ ବନ୍ଧୁ ଓ ପରିବାର ଲୋକଙ୍କୁ କୁଙ୍କୁମ ଓ ମିଠା ଦିଅନ୍ତି। କାବେରୀ ନଦୀ ଉପର ଦେଇଆସୁଥିବା ସୂର୍ଯ୍ୟଙ୍କ ସକାଳ କିରଣରେ ଝଲସି ଉଠୁଥାଏ ତ୍ରିଚିର ପ୍ରସିଦ୍ଧ ଗଣେଶ ମନ୍ଦିର, ଉଚି ପିଲ୍ଲାୟାର କୋଏଲ।

ଏବଂ ନିରବଚ୍ଛିନ୍ନ ଭାବେ ବହିଯାଉଥାଏ ସେହି ନଦୀ, ସାଙ୍ଗରେ ନେଇ ଅନେକ ପ୍ରାର୍ଥନା ଏବଂ କାମନା, କ୍ଷେତକୁ ଏବଂ ସ୍ୱପ୍ନକୁ ଦେଇ ଚାଲେ ଜଳଧାରା, ତାହା ହିଁ ତ ସେ କରିଆସିଛି, ହଜାର ହଜାର ବର୍ଷ ଧରି...।

ଫ୍ରମ୍‌ ସେଲ୍‌ଫ ରିଲାଏନ୍‌ସ ଟୁ ଡିପ୍‌ନିଂ ଡିଷ୍ଟ୍ରେସ୍‌ : ଦି ଆମ୍ବିଭାଲେନ୍‌ସ ଅଫ ଦି ୟେଲୋ ରିଭୋଲ୍ୟୁସନ ଇନ ଇଣ୍ଡିଆ ଶୀର୍ଷକ ତାଙ୍କ ଗବେଷଣା ପତ୍ର ର ତଥ୍ୟ ପ୍ରଦାନ ନିମନ୍ତେ କ୍ଟ ର ରିଚା କୁମାରଙ୍କୁ ଅନେକ ଅନେକ ଧନ୍ୟବାଦ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ପରିଚାଳିତ ରିସର୍ଚ୍ଚ ଫଣ୍ଡିଂ ପ୍ରୋଗ୍ରାମ୍‌- ୨୦୨୦ର ଅଂଶ ରୂପେ ଏହି ଗବେଷଣାତ୍ମକ ଅନୁଧ୍ୟାନ ନିମନ୍ତେ ପାଣ୍ଠି ଯୋଗାଇ ଦିଆଯାଇଛି

ଅନୁବାଦ : ଓଡ଼ିଶାଲାଇଭ୍‍

Aparna Karthikeyan

অপর্ণা কার্তিকেয়ন একজন স্বতন্ত্র সাংবাদিক, লেখক এবং পারি’র সিনিয়র ফেলো। তাঁর 'নাইন রুপিজ অ্যান আওয়ার' বইটি গ্রামীণ তামিলনাডুর হারিয়ে যেতে থাকা জীবিকাগুলিরর জলজ্যান্ত দস্তাবেজ। এছাড়াও শিশুদের জন্য পাঁচটি বই লিখেছেন তিনি। অপর্ণা তাঁর পরিবার ও সারমেয়কূলের সঙ্গে বসবাস করেন চেন্নাইয়ে।

Other stories by অপর্ণা কার্তিকেয়ন
Photographs : M. Palani Kumar

এম. পালানি কুমার পিপলস আর্কাইভ অফ রুরাল ইন্ডিয়ার স্টাফ ফটোগ্রাফার। তিনি শ্রমজীবী নারী ও প্রান্তবাসী মানুষের জীবন নথিবদ্ধ করতে বিশেষ ভাবে আগ্রহী। পালানি কুমার ২০২১ সালে অ্যামপ্লিফাই অনুদান ও ২০২০ সালে সম্যক দৃষ্টি এবং ফটো সাউথ এশিয়া গ্রান্ট পেয়েছেন। ২০২২ সালে তিনিই ছিলেন সর্বপ্রথম দয়ানিতা সিং-পারি ডকুমেন্টারি ফটোগ্রাফি পুরস্কার বিজেতা। এছাড়াও তামিলনাড়ুর স্বহস্তে বর্জ্য সাফাইকারীদের নিয়ে দিব্যা ভারতী পরিচালিত তথ্যচিত্র 'কাকুস'-এর (শৌচাগার) চিত্রগ্রহণ করেছেন পালানি।

Other stories by M. Palani Kumar
Editor : P. Sainath

পি. সাইনাথ পিপলস আর্কাইভ অফ রুরাল ইন্ডিয়ার প্রতিষ্ঠাতা সম্পাদক। বিগত কয়েক দশক ধরে তিনি গ্রামীণ ভারতবর্ষের অবস্থা নিয়ে সাংবাদিকতা করেছেন। তাঁর লেখা বিখ্যাত দুটি বই ‘এভরিবডি লাভস্ আ গুড ড্রাউট’ এবং 'দ্য লাস্ট হিরোজ: ফুট সোলজার্স অফ ইন্ডিয়ান ফ্রিডম'।

Other stories by পি. সাইনাথ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE