ମୋ ଘର ଇନ୍ଦିରା କଲୋନୀ ନାମକ ଏକ ଆଦିବାସୀ ଗ୍ରାମରେ ରହିଛି । ଏଠାରେ ଭିନ୍ନ ଭିନ୍ନ ଆଦିବାସୀ ସମ୍ପ୍ରଦାୟର ମୋଟ୍ ୨୫ ପରିବାର ରୁହନ୍ତି। ଆମ ଗାଁରେ ଏକ ପାଣି ଟାଙ୍କି ଏବଂ ଏକ ଶୌଚାଳୟ ନିର୍ମାଣ କରାଯାଇଛି ଏବଂ ପିଇବା ପାଣି ପାଇଁ ଗୋଟିଏ କୂଅ ଅଛି ।
ଗାଁର କିଛି ଲୋକଙ୍କ ପାଖରେ ଚାଷ ଉପଯୋଗୀ ଜମି ରହିଛି । ସେଥିରେ ସେମାନେ ଧାନ, ବାଇଗଣ, ମକା, ଝୁଲଣା, ଭେଣ୍ଡି, କଲରା, ଲାଉ ବ୍ୟତୀତ କୋଳଥ, କାନ୍ଦୁଲ ଭଳି ବିଭିନ୍ନ ପ୍ରକାରର ଡାଲି ଚାଷ କରିଥାନ୍ତି। ଅଧିକାଂଶ ଲୋକ ନିଜ ଆବଶ୍ୟକତାକୁ ଧ୍ୟାନରେ ରଖି ଧାନ ଚାଷ କରିଥାନ୍ତି। ଧାନ ଚାଷ ବର୍ଷା ଋତୁରେ ହୋଇଥାଏ।
ଫସଲ କାଟିବା ସମୟରେ ଆମେ ନିଜ ଖାଇବା ପାଇଁ କିଛି ଧାନ ରଖି ବାକି ଧାନକୁ ବଜାରରେ ବିକ୍ରି କରି ଦେଇଥାଉ। ଫସଲ ବିକ୍ରି କରି ଆମକୁ ଯେଉଁ ଟଙ୍କା ମିଳିଥାଏ ସେଥିରେ ସାର ଓ ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ ହୋଇଥିବା ଟଙ୍କାକୁ ବାଦ୍ ଦେବା ପରେ ବାକିତକ ଆମର ଆୟ ହୋଇଥାଏ।
ଆମ ଗାଁର କିଛି ଘର ନଡ଼ା ଛପରରେ ନିର୍ମିତ। ଏହା ଆମକୁ ଖରା, ବର୍ଷା ଓ ଶୀତରୁ ସୁରକ୍ଷା ଦେଇଥାଏ। ପ୍ରତି ବର୍ଷ କିମ୍ବା ଦୁଇ ବର୍ଷରେ ଥରେ ନଡ଼ା ଛପରକୁ ବଦଳାଇବାକୁ ପଡ଼ିଥାଏ। ଘର ମରାମତି ପାଇଁ ଆମେ ବଗୁଲି ଘାସ, ସାଲୁଆ, ବାଉଁଶ, ଲାହି ଏବଂ ଜଙ୍ଗଲର କାଠ ଉପଯୋଗ କରିଥାଉ।








