“ଖୁବ୍‌ ଭଲ ହୁଅନ୍ତା, ଯଦି ବର୍ଷା ଦିନ ଆସିବା ପୂର୍ବରୁ ଆମେ ଗ୍ରାମସଭା କୋଠାର ମରାମତି କରିପାରନ୍ତେ,” ଲୁପୁଙ୍ଗପାଟ ଗାଁ ଲୋକଙ୍କୁ ସମ୍ବୋଧନ କରି କହନ୍ତି ସରିତା ଆସୁର।

କିଛି ସମୟ ତଳେ, ଗାଁର ମୁଖ୍ୟ ରାସ୍ତାରେ ଜଣେ ଢୋଲବାଦକ ଏ କଥା ଘୋଷଣା କରିବା ପରେ ପରେ, ଏଇ ମାତ୍ର ଆରମ୍ଭ ହୋଇଛି ଗ୍ରାମସଭା। ନିଜ ନିଜ ଘରୁ ବାହାରି ଗାଁର ପୁରୁଷ ଓ ମହିଳାମାନେ ଗ୍ରାମସଭା ସଚିବାଳୟରେ ଏକତ୍ର ହୋଇଛନ୍ତି। ସଚିବାଳୟ କହିଲେ ଦୁଇଟି କୋଠରି ବିଶିଷ୍ଟ ଘରଟିଏ, ଯାହାର ମରାମତି ପାଇଁ ଏବେ ପାଣ୍ଠି ଲୋଡୁଛନ୍ତି ସରିତା।

ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ଅନ୍ତର୍ଗତ ଏହି ଗାଁର ଲୋକେ ତୁରନ୍ତ ରାଜି ହୋଇଯାଆନ୍ତି ଏବଂ ସରିତାଙ୍କ ପ୍ରସ୍ତାବ ଗୃହୀତ ହୁଏ।

ପରବର୍ତ୍ତୀ ସମୟରେ ଏହି ପୂର୍ବତନ ଜାତୀୟ ହକି ଖେଳାଳି ସରିତା ଏହି ରିପୋର୍ଟରଙ୍କୁ କହନ୍ତି, “ଏବେ ଆମେ ଜାଣିସାରିଲୁଣି ଯେ, ଆମ ନିଜ ସମସ୍ୟାର ସମାଧାନ ଦାୟିତ୍ୱ ଆମ ନିଜର, ଏବଂ ଗ୍ରାମସଭା ହିଁ ଆମ ଗାଁର ଉନ୍ନତି କରିପାରିବ। ଏହା ହିଁ ଆମ ସମସ୍ତଙ୍କୁ, ବିଶେଷତଃ ମହିଳାମାନଙ୍କୁ, କ୍ଷମତା ପ୍ରଦାନ କରିଛି।”

Left: Sarita Asur outside the gram sabha secretariat of Lupungpat village.
PHOTO • Purusottam Thakur
PHOTO • Purusottam Thakur

ବାମ : ଲୁପୁଙ୍ଗପାଟ ଗାଁର ଗ୍ରାମସଭା ସଚିବାଳୟ ବାହାରେ ସରିତା ଆସୁର ଡାହାଣ : ଗ୍ରାମସଭାରେ ଜଳଯୋଗାଣ ସୁରକ୍ଷା, ଶିକ୍ଷା, ଏବଂ ସ୍ୱାସ୍ଥ୍ୟସେବା ସଂପର୍କିତ ପ୍ରସଙ୍ଗରେ ଆଲୋଚନା କରାଯାଏ

ଆଜିକାଲି ଗୁମଲା ଜିଲ୍ଲା ଲୁପୁଙ୍ଗପାଟ ଗାଁର ଏହି ସକ୍ରିୟ ଗ୍ରାମସଭା ଝାଡ଼ଖଣ୍ଡର ଏକ ଚର୍ଚ୍ଚିତ ବିଷୟ। ଜିଲ୍ଲା ସଦର ମହକୁମାଠାରୁ ଏହି ଗାଁକୁ ଗାଡ଼ିରେ ଗଲେ ଘଣ୍ଟାକରୁ ଅଧିକ ସମୟ ଲାଗେ। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୧୬୫ କିଲୋମିଟର ଦୂରରେ ଅବସ୍ଥିତ ଏହି ଦୁର୍ଗମ ଗାଁରେ ପହଞ୍ଚିବା ଏତେ ସହଜ ନୁହେଁ। ଜଙ୍ଗଲ ମଝିରେ ଅବସ୍ଥିତ ଏହି ଗାଁକୁ ଯିବା ପାଇଁ ପାହାଡ଼ଟିଏ ଚଢ଼ିବାକୁ ପଡ଼େ ଏବଂ ସେଥିରୁ କଚ୍ଚା ରାସ୍ତା ଦେଇ ତଳକୁ ଓହ୍ଲାଇଲେ ଯାଇ ଗାଁରେ ପହଞ୍ଚି ହୁଏ। ସରକାରୀ ପରିବହନ ବିଭାଗର ବଡ଼ ବଡ଼ ବସ୍‌ ସହଜରେ ମିଳେ ନାହିଁ ସତ, ହେଲେ, ଅଟୋ ଏବଂ ଅନ୍ୟାନ୍ୟ ଛୋଟ ଛୋଟ ଗାଡ଼ି ମିଳିଯାଏ। ଯଦିଚ ତାହା ବି ଅନେକ ସମୟରେ ମିଳେନାହିଁ।

ଗାଁରେ ଆସୁର ସଂପ୍ରଦାୟର ପ୍ରାୟ ୧୦୦ଟି ପରିବାର ରହନ୍ତି। ଏହି ସଂପ୍ରଦାୟ ପିଭିଟିଜି (ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ)ତାଲିକାଭୁକ୍ତ।ଗୁମଲାକୁ ବାଦ୍‌ ଦେଲେ, ଝାଡ଼ଖଣ୍ଡର ଲୋହାରଡ଼ାଗା, ପାଲାମୁ ଏବଂ ଲାଟେହାର ପ୍ରଭୃତି ଜିଲ୍ଲାରେ ଏହି ଜନଜାତି ବସବାସ କରନ୍ତି ଏବଂ ରାଜ୍ୟରେ ସେମାନଙ୍କ ମୋଟ ଜନସଂଖ୍ୟା ୨୨,୪୫୯ ( ଭାରତରେ ଅନୁସୂଚିତ ଜନଜାତିଙ୍କ ପରିସଂଖ୍ୟାନଗତ ସ୍ଥିତି-୨୦୧୩ )।

ମୋଟାମୋଟି ଗାଁର ଅଧା ଲୋକ ସାକ୍ଷର ହୋଇଥିଲେ ହେଁ ଗ୍ରାମସଭାର କାର୍ଯ୍ୟ ବିବରଣୀକୁ ନଥିଭୁକ୍ତ କରାଯାଇଥାଏ। ସେଠାକାର ଜଣେ ପ୍ରତିଭାଶାଳୀ ଯୁବନେତା ଏବଂ ପୂର୍ବତନ ଫୁଟବଲ ଖେଳାଳି ସଞ୍ଚିତ ଆସୁର କହନ୍ତି, “ସବୁ କିଛି କାଗଜପତ୍ରରେ ହୁଏ। କାର୍ଯ୍ୟସୂଚୀ ପ୍ରସ୍ତୁତ ହୁଏ ଏବଂ ଲୋକଙ୍କ ସମସ୍ୟା ଜଡ଼ିତ ପ୍ରସଙ୍ଗ ଉଠାଇ ଆମେ ଆଲୋଚନା କରୁ।”  ଲିଙ୍ଗଗତ ସମାନତା ଦିଗରେ ପ୍ରଚଳିତ ଧାରା ଉପରେ ଗୁରୁତ୍ୱ ଆରୋପ କରି ସେ ଆହୁରି କହନ୍ତି, “ଗ୍ରାମସଭା ଉଭୟ ପୁରୁଷ ଓ ମହିଳାମାନଙ୍କର”।

ପୂର୍ବରୁ ଗ୍ରାମସଭାରେ କେବଳ ପୁରୁଷମାନେ ଉପସ୍ଥିତ ରହୁଥିଲେ ବୋଲି ସରିତା ସୂଚାଇ ଦିଅନ୍ତି। ଏହି ପୂର୍ବତନ ଜାତୀୟ ହକି ଖେଳାଳି କହନ୍ତି, “ସେଠାରେ କ’ଣ ଆଲୋଚନା ହେଉଥିଲା ସେକଥା (ଆମେ) ମହିଳାମାନେ ଜାଣି ପାରୁ ନଥିଲେ।” ବୈଠକରେ ମୁଖ୍ୟତଃ ଗାଁର ଭିନ୍ନ ଭିନ୍ନ ପରିବାର ମଧ୍ୟରେ ଲାଗିଥିବା ଝଗଡ଼ାର ସମାଧାନ ଉପରେ ଧ୍ୟାନ ଦିଆଯାଉଥିଲା।

କଥା ଯୋଡ଼ି ଖୁସିରେ ସରିତା କହନ୍ତି, “ହେଲେ ଏବେ ଆଉ ସେ କଥା ନାହିଁ। ଆମେ ଗାଁର ଗ୍ରାମସଭାରେ ଭାଗ ନେଉଛୁ ଏବଂ ପ୍ରତିଟି ପ୍ରସଙ୍ଗରେ ଆଲୋଚନା କରୁଛୁ, ଏବଂ ନିଷ୍ପତ୍ତି ନେବା ସମୟରେ ଆମ ମତାମତକୁ ବିଚାର କରାଯାଉଛି।”

Gram sabha meetings are attended by all, irrespective age, gender and status
PHOTO • Purusottam Thakur
Right: Earlier the village depended on this natural stream of water, and women had to travel daily to collect water for their homes
PHOTO • Purusottam Thakur

ବୟସ, ଲିଙ୍ଗ ଏବଂ ସାମାଜିକ ସ୍ଥିତି ନିର୍ବିଶେଷରେ ସମସ୍ତେ ଗ୍ରାମସଭାରେ ଯୋଗ ଦିଅନ୍ତି। ଡାହାଣ: ପୂର୍ବରୁ ଗାଁ ଲୋକେ ଏହି ପ୍ରାକୃତିକ ଝରଣାର ପାଣି ଉପରେ ନିର୍ଭର କରି ଚଳୁଥିଲେ ଏବଂ ପାଣି ଆଣିବା ପାଇଁ ପ୍ରତିଦିନ ମହିଳାମାନଙ୍କୁ ଘରୁ ଚାଲି ଚାଲି ଯିବାକୁ ପଡୁଥିଲା

Water is an important issue in Lupungpat, and one that the gram sabha has looked into. A n old well (left) and an important source of water in the village
PHOTO • Purusottam Thakur
Water is an important issue in Lupungpat, and one that the gram sabha has looked into. A n old well (left) and an important source of water in the village
PHOTO • Purusottam Thakur

ଲୁପୁଙ୍ଗପାଟର ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ପାଣି ଏବଂ ଗ୍ରାମସଭାରେ ଏହି ପ୍ରସଙ୍ଗର ବିଚାର କରାଯାଇଛି। ଗୋଟିଏ ପୁରୁଣା କୂଅ (ବାମ) ଏବଂ ଗାଁର ଏକ ଗୁରୁତ୍ୱପୂର୍ଣ୍ଣ ଜଳଉତ୍ସ

ଗାଁର ଅନ୍ୟ କେତେକ ବାସିନ୍ଦା କହନ୍ତି, ସେମାନେ କେବଳ ଯେ ଗ୍ରାମସଭାରେ ଅଂଶଗ୍ରହଣ କରିଛନ୍ତି ତାହା ନୁହେଁ, ବରଂ ଏହା ମାଧ୍ୟମରେ କେତେକ ମୌଳିକ ସମସ୍ୟାର ସମାଧାନ ମଧ୍ୟ କରିପାରିଛନ୍ତି। ବେନେଡିକ୍ଟ ଆସୁର କହନ୍ତି, “ଆମେ ଆମ ପାଣି ସମସ୍ୟାର ସମାଧାନ କରିପାରିଛୁ। ଆଗରୁ ପାଣି ଆଣିବା ଲାଗି ଗାଁର ମହିଳାମାନଙ୍କୁ ବହୁ ଦୂର ଯିବାକୁ ପଡୁଥିଲା। ଏବେ ଗାଁର ରାସ୍ତା କଡ଼ରେ ହିଁ ପାଣି ଯୋଗାଇ ଦିଆଯାଉଛି। ଆଗରୁ ଆମେ ଖାଦ୍ୟ ସାମଗ୍ରୀ ଆଣିବା ଲାଗି ଭିନ୍ନ ଭିନ୍ନ ଗାଁକୁ ଯାଉଥିଲୁ। ଏବେ ଏହା ଆମ ନିକଟରେ ପହଞ୍ଚିଛି।” ସେ କହନ୍ତି, “କେବଳ ସେତିକି ନୁହେଁ, ଆମ ଗାଁକୁ ଆମେ ଖଣି ଅଞ୍ଚଳ ପରିସରରୁ ମଧ୍ୟ ରକ୍ଷା କରିପାରିଛୁ।”

ପୁରୁଣା ଦିନର କଥା ମନେ ପକାନ୍ତି ଗାଁ ଲୋକେ। କେମିତି କେତେକ ବାହାର ଲୋକ ଆସି ବକ୍‌ସାଇଟ୍‌ ଖଣି ଖୋଳିବା ପାଇଁ ଜଙ୍ଗଲ ଭିତରେ ସର୍ଭେ କରୁଛନ୍ତି ବୋଲି ଗାଁ ଲୋକଙ୍କୁ ଲାଗିଲା ଏବଂ କେମିତି ଗାଁ ଭିତରେ ଲୋକଙ୍କୁ ସତର୍କ କରାଇ ଦିଆଯିବା ପରେ ଲୋକେ ଏକତ୍ର ହେଲେ ଏବଂ ସେମାନଙ୍କୁ ଘଉଡ଼ାଇ ଦେଲେ।

ଗ୍ରାମସଭା କମିଟି ସହିତ ଲୁପୁଙ୍ଗପାଟ ଗାଁ ଲୋକେ ଆଉ ସାତଟି କମିଟି ଗଠନ କରିଛନ୍ତି। ସେଗୁଡ଼ିକ ହେଲା- ଏକ ମୌଳିକ ଭିତ୍ତିଭୂମି କମିଟି, ଜନସଂପଦ କମିଟି, କୃଷି କମିଟି, ସ୍ୱାସ୍ଥ୍ୟ କମିଟି, ଗ୍ରାମ ରକ୍ଷା କମିଟି, ଶିକ୍ଷା କମିଟି ଏବଂ ସତର୍କତା କମିଟି।

ଏ ସଂପର୍କରେ ବୁଝାଇବାକୁ ଯାଇ ଗ୍ରାମସଭାର ଜଣେ ସଦସ୍ୟ ଖ୍ରୀଷ୍ଟୋଫର କହନ୍ତି, “ପ୍ରତିଟି କମିଟି ନିଜ ପରିସରଭୁକ୍ତ ପ୍ରସଙ୍ଗରେ ଆଲୋଚନା କରନ୍ତି ଏବଂ ହିତାଧିକାରୀ ଚୟନ ପ୍ରକ୍ରିୟା ସ୍ଥିର କରନ୍ତି। ତା’ପରେ ସେମାନେ ସେମାନଙ୍କ ନିଷ୍ପତ୍ତିକୁ ମୌଳିକ ଭିତ୍ତିଭୂମି କମିଟିକୁ ପଠାଇ ଦିଅନ୍ତି ଏବଂ ସେମାନେ ଏହାକୁ ଗ୍ରାମ ବିକାଶ କମିଟିକୁ ପଠାଇ ଦିଅନ୍ତି।” ଅଜିମ ପ୍ରେମଜୀ ଫାଉଣ୍ଡେସନ ପରିଚାଳିତ ‘ସେଣ୍ଟର ଫର୍‌ ଡେଭଲପ୍‌ମେଣ୍ଟ’ର ମୁଖ୍ୟ ପ୍ରଫେସର ଅଶୋକ ସରକାର କହନ୍ତି, “ଆମେ ଯଦି ଗ୍ରାମୀଣ ଅଞ୍ଚଳରେ ଗଣତାନ୍ତ୍ରିକ ପଦ୍ଧତିକୁ ସଶକ୍ତ କରିବା, ତେବେ ଲୋକ କଲ୍ୟାଣକାରୀ ଯୋଜନା ଏବଂ ସାମାଜିକ ନ୍ୟାୟ ସ୍ଥାପିତ ହୋଇପାରିବ।”

ଗାଁର ସବୁ ଲୋକଙ୍କ ପାଇଁ ଗ୍ରାମସଭା କମିଟିର ଦ୍ୱାର ଖୋଲା ରହୁଥିବାରୁ, ସେମାନେ ନିଜେ ନିଷ୍ପତ୍ତି ନିଅନ୍ତି ଏବଂ ଏହାକୁ ଗାଁର ମୁଖିଆ ଏବଂ ୱାର୍ଡମେମ୍ବରଙ୍କ ଜରିଆରେ ଚାଇଁପୁର ବ୍ଲକ୍‌ ଅଫିସ୍‌ରେ ପହଞ୍ଚାଇ ଦିଆଯାଏ।

Left: Educating their children is an important priority. A group of girls walking to school from the village.
PHOTO • Purusottam Thakur
Right: Inside Lupungpat village
PHOTO • Purusottam Thakur

ବାମ: ସେମାନଙ୍କ ପିଲାମାନଙ୍କୁ ଶିକ୍ଷାଦାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା। ଗାଁର ଦଳେ ଝିଅ ଚାଲି ଚାଲି ସ୍କୁଲକୁ ଯାଉଛନ୍ତି। ଡାହାଣ: ଲୁପୁଙ୍ଗପାଟ ଗାଁ ଭିତର

ଗୁମଲା ଜିଲ୍ଲା ଚାଇଁପୁର ବ୍ଲକ୍‌ର ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଡକ୍ଟର ଶିଶିର କୁମାର ସିଂହ କହନ୍ତି, “ସାମାଜିକ ଭତ୍ତା, ଖାଦ୍ୟ ନିରାପତ୍ତା ଏବଂ ଖାଉଟି କାର୍ଡ ସଂପର୍କିତ ଯୋଜନା ଭଳି ଯେ କୌଣସି ଯୋଜନା ହେଉନା କାହିଁକି ସବୁ କିଛି ଗ୍ରାମସଭାରେ ଅନୁମୋଦିତ ହେବା ପରେ ହିଁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହୋଇଥାଏ।”

କୋଭିଡ୍‌-୧୯ ପ୍ରକୋପ ସମୟରେ ଗାଁର ଅନେକ ପ୍ରବାସୀ ଶ୍ରମିକ ନିଜ ନିଜ ଘରକୁ ଫେରିଥିଲେ ଏବଂ ସେତେବେଳେ ଗ୍ରାମସଭା ହିଁ ସେମାନଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର (ସଚିବାଳୟ) ଗଠନ କରିବା ସହିତ ବିଭିନ୍ନ ନାଗରିକ ସମାଜ ସହାୟତାରେ ସେମାନଙ୍କୁ ଖାଦ୍ୟ, ପାଣି ଏବଂ ଔଷଧପତ୍ର ଯୋଗାଇ ଦେଇଥିଲା।

ସ୍କୁଲରୁ ବାହାର କରିଦିଆଯାଇଥିବା ଅମାନିଆ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ନିମନ୍ତେ ଗ୍ରାମ ସଭା ପରିଚାଳିତ ଗ୍ରାମ ଶିକ୍ଷା କମିଟି ଏକ ସ୍ୱତନ୍ତ୍ର ଉପାୟ ବାହାର କଲେ। ଏ ସଂପର୍କରେ ବୁଝାଇ ଦେବାକୁ ଖ୍ରୀଷ୍ଟୋଫର ଆସୁର କହନ୍ତି, “ସେମାନଙ୍କ ସାଙ୍ଗରେ ରହି ପାଠ ପଢ଼ାଇବା ନିମନ୍ତେ ଆମେ ଗ୍ରାମର ଜଣେ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ଦେବାକୁ ସ୍ଥିର କଲୁ। ପ୍ରତି ଛାତ୍ରଛାତ୍ରୀଙ୍କ ପରିବାର ପକ୍ଷରୁ ସେହି ଯୁବକଙ୍କୁ ଜଣ ପିଛା ଦିନକୁ ମାତ୍ର ଏକ ଟଙ୍କା ଲେଖାଏଁ ଦିଆଗଲା।”

ଖ୍ରୀଷ୍ଟୋଫର କହନ୍ତି, “ପୂର୍ବରୁ ଗ୍ରାମସଭା ନାଁରେ ବ୍ଲକ୍‌ ଅଧିକାରୀମାନେ ଗୋଟିଏ ରେଜିଷ୍ଟର ନେଇ ଗାଁକୁ ଆସୁଥିଲେ, ଏବଂ ଗାଁରେ କାର୍ଯ୍ୟକାରୀ ହେବାକୁ ଥିବା ସରକାରୀ ଯୋଜନା, ଯୋଜନାର ହିତାଧିକାରୀ ପ୍ରଭୃତି ଲେଖିବା ପରେ ରେଜିଷ୍ଟର ସାଙ୍ଗରେ ନେଇ ଫେରିଯାଉଥିଲେ।” ଏହା ଫଳରେ ବହୁ ଯୋଗ୍ୟ ହିତାଧିକାରୀ ଅନେକ ସାମାଜିକ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଥିଲେ।

ସେହି ସମସ୍ତ ଧାରାକୁ ବଦଳାଇ ଦେଇଛି ଲୁପୁଙ୍ଗପାଟର ଗ୍ରାମସଭା।

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

পুরুষোত্তম ঠাকুর ২০১৫ সালের পারি ফেলো। তিনি একজন সাংবাদিক এবং তথ্যচিত্র নির্মাতা। বর্তমানে আজিম প্রেমজী ফাউন্ডেশনে কর্মরত পুরুষোত্তম সমাজ বদলের গল্প লেখায় নিযুক্ত আছেন।

Other stories by পুরুষোত্তম ঠাকুর
Editor : Priti David

প্রীতি ডেভিড পারি-র কার্যনির্বাহী সম্পাদক। তিনি জঙ্গল, আদিবাসী জীবন, এবং জীবিকাসন্ধান বিষয়ে লেখেন। প্রীতি পারি-র শিক্ষা বিভাগের পুরোভাগে আছেন, এবং নানা স্কুল-কলেজের সঙ্গে যৌথ উদ্যোগে শ্রেণিকক্ষ ও পাঠক্রমে গ্রামীণ জীবন ও সমস্যা তুলে আনার কাজ করেন।

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE