ପ୍ରଥମେ ଅଭାବୀ ବର୍ଷା ଏବଂ ପରେ ଅଦିନିଆ ବର୍ଷା ଚତ୍ରା ଦେବୀଙ୍କ ଫସଲ ନଷ୍ଟ କରିଦେଲା । ରାଜସ୍ଥାନ କରୌଲୀ ଜିଲ୍ଲାର ଖିରଖିରୀ ଗାଁର ୪୫ ବର୍ଷୀୟ ଚାଷୀ କୁହନ୍ତି, “ଆମେ ବାଜରା [ପର୍ଲ ମିଲେଟ] ଚାଷ କରିଥିଲୁ ଏବଂ ଏହା ଭଲ ଭାବରେ ବଢୁଥିଲା। କିନ୍ତୁ ଯେତେବେଳେ ଆମ ଚାଷ ଜମିକୁ ପାଣି ଆବଶ୍ୟକ ପଡୁଥିଲା, ବର୍ଷା ହୋଇନଥିଲା । ତା’ପରେ ଅମଳ ସମୟରେ ବର୍ଷା ହୋଇ ଫସଲ ନଷ୍ଟ କରିଦେଲା ।’’
କରୌଲୀର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଏବଂ ଅଧିକାଂଶ ବାସିନ୍ଦା କୃଷକ କିମ୍ବା କୃଷି ଶ୍ରମିକ (ଜନଗଣନା ୨୦୧୧) ଅନୁଯାୟୀ । ଐତିହାସିକ ଭାବେ ରାଜ୍ୟରେ ଜଳାଭାବ ରହିଆସିଛି ଏବଂ କୃଷି ପ୍ରାୟତଃ ବର୍ଷାଜଳ ଉପରେ ନିର୍ଭର କରେ।
ମୀନା ସମୁଦାୟର ଜଣେ ସଦସ୍ୟ (ରାଜ୍ୟରେ ଓବିସି ତାଲିକାଭୁକ୍ତ) ଚତ୍ରା ଦେବୀ କହିଛନ୍ତି ଯେ ଗତ ୧୦ ବର୍ଷରେ ସେ ବୃଷ୍ଟିପାତର ପରିବର୍ତ୍ତନକୁ ଲକ୍ଷ୍ୟ କରିଛନ୍ତି । ରାଜସ୍ଥାନ ହେଉଛି ଭାରତର ବୃହତ୍ତମ ରାଜ୍ୟ (କ୍ଷେତ୍ରଫଳ ଅନୁଯାୟୀ) ଏବଂ ଜନସଂଖ୍ୟାର ୭୦ ପ୍ରତିଶତ ଲୋକ ଜୀବିକା ନିର୍ବାହ ପାଇଁ କୃଷି ଏବଂ ପଶୁପାଳନ ଉପରେ ନିର୍ଭର କରନ୍ତି ।
ବୃଷ୍ଟିପାତର ପାର୍ଟନ ବଦଳି ଯିବାରୁ ଖିରଖିରୀର କୃଷକମାନେ ଜୀବିକା ପାଇଁ ଦୁଗ୍ଧ ବିକ୍ରୟ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ପାଗର ପରିବର୍ତ୍ତନ ପଶୁଧନର ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଉଛି, ଫଳରେ ସେମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଚତ୍ରା ଦେବୀ କୁହନ୍ତି, ‘‘ମୋର ଗାଈ ଗତ ୫-୧୦ ଦିନ ହେଲା ଠିକ୍ ଭାବରେ ଖାଦ୍ୟ ଖାଇନାହିଁ ।
ଖିରଖିରୀ ଗାଁରେ ଥିବା ମହାତ୍ମା ଗାନ୍ଧୀ ସିନିୟର ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ୪୮ ବର୍ଷୀୟ ଅନୁପ ସିଂ ମୀନା ଭବିଷ୍ୟତକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । କହିଛନ୍ତି, “ଯେତେବେଳେ ମୁଁ ମୋ ଗାଁର ଭବିଷ୍ୟତ କଳ୍ପନା କରେ, ମୌସୁମୀ ଉପରେ ନିର୍ଭରଶୀଳ କୃଷି ଅନେକ ପରିବର୍ତ୍ତନ ଦେଖିବ। ଭବିଷ୍ୟତ ମୋତେ ଅତ୍ୟନ୍ତ ଅନ୍ଧକାରମୟ ଲାଗୁଛି।”
ଖିରଖିରୀରେ ନିର୍ମିତ ଏହି ଫଲ୍ମ, ସେହିମାନଙ୍କ କଥା କହୁଛି, ଯେଉଁମାନେ ଜମି ଉପରେ ନିର୍ଭର କରନ୍ତି ଏବଂ ପାଣିପାଗର ପାର୍ଟନ ଲଗାତାର ଅନିଶ୍ଚିତ ହେବା କାରଣରୁ ସେମାନେ ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେଉଛନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍