ନବ କୁମାର ମାଇତିଙ୍କ କାରଖାନାର ଚାରିଆଡ଼େ ବିକ୍ଷିପ୍ତ ଭାବରେ ପଡ଼ିରହିଛି ଅନେକ ବତକ ପର। ସଫା ପର, ମଇଳା ପର, ସମାନ ଭାବରେ କଟାଯାଇଥିବା ପର ଏବଂ ବିଭିନ୍ନ ଆକାରର ଓ ଭିନ୍ନ ଭିନ୍ନ ପ୍ରକାରର ଧଳା ରଙ୍ଗର ପର। ଖୋଲା ଝରକା ଦେଇ ବହିଆସୁଥିବା ହାଲକା ପବନ ପରଗୁଡ଼ିକୁ ଦୋହଲାଇ ଦେଉଛି, ବେଳେବେଳେ ପବନର ଭଉଁରୀରେ ସେଗୁଡ଼ିକ ଉପରକୁ ଉଠି ପୁଣି ତଳେ ପଡୁଛନ୍ତି।

ଆମେ ଅଛୁ ଉଲୁବେରିୟାରେ, ନବ କୁମାରଙ୍କ ତିନି ମହଲା ଘରର ତଳ ମହଲାରେ। କାରଖାନା ଭିତରୁ ଶୁଭୁଥିଲା କଇଁଚି ଚାଲିବାର ଏବଂ ଲୁହାର ବଡ଼ ବଡ଼ କଟାରୀରେ କଟା ହେବାର ଶବ୍ଦ। ଏହିଠାରେ ହିଁ ତିଆରି ହେଉଛି ଭାରତରେ ବ୍ୟାଡମିଣ୍ଟନ ଖେଳର ଶଟଲକକ୍‌। ବାହାରକୁ ପଠାଯିବା ପାଇଁ ପ୍ରସ୍ତୁତ ଶଟଲକକ୍‌ ବ୍ୟାରେଲ ଭିତରୁ ଗୋଟିଏକୁ ହାତରେ ଉଠାଇ ସେ ଆମକୁ ବୁଝାଇ ଦିଅନ୍ତି, “ଧଳା ବତକର ପର, ସିନ୍ଥେଟିକ୍‌ କିମ୍ବା କାଠର ଅର୍ଦ୍ଧଗୋଲାକୃତି ତଳଭାଗ ବା କର୍କ ବେସ୍‌, ନାଇଲନ୍‌ ମିଶା ସୂତା ଏବଂ ଅଠା ବ୍ୟବହାର କରି ତିଆରି ହୁଏ ଏହି ଶଟଲକକ୍‌।”

ସେଦିନ ଥିଲା ୨୦୨୩ ଅଗଷ୍ଟ ଶେଷ ଭାଗର ଏକ ସୋମବାର। ସକାଳ ୮ଟା ସମୟର ଟାଣ ଖରା ସାଙ୍ଗକୁ ଆର୍ଦ୍ର ବାୟୁମଣ୍ଡଳ। ସେତେବେଳ ସୁଦ୍ଧା ଆମେ ଜାଣି ନଥିଲୁ ଯେ, ଆଉ ପାଞ୍ଚ ମାସ ପରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିମାନେ ଦକ୍ଷିଣ କୋରିଆକୁ ୨୧-୧୮ ୨୧-୧୬ ପଏଣ୍ଟରେ ହରାଇ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବେ।

ଏଣେ ଉଲୁବେରିୟାରେ, କାରଖାନାର ଉତ୍ପାଦନ ବିଭାଗ ପ୍ରବେଶ ଦୁଆରରେ କାରିଗରମାନଙ୍କର ସ୍ଲିପର୍‌ ଓ ସାଇକେଲର ଲମ୍ବା ଲାଇନ୍‌ ଲାଗିଲାଣି। ଇସ୍ତ୍ରୀ କରା ହୋଇଥିବା ଈଷତ୍‌ ଲାଲ ରଙ୍ଗର ଶାର୍ଟ ଏବଂ ଔପଚାରିକ ପ୍ୟାଣ୍ଟ ପିନ୍ଧି ନବ କୁମାର ବି ଦିନର କାମ ଆରମ୍ଭ କରିବା ଲାଗି ପ୍ରସ୍ତୁତ ହେଲେଣି।

“ମୁଁ ୧୨ ବର୍ଷ ବୟସରୁ ହିଁ ଆମ ଗାଁ ବାନିବନର ଗୋଟିଏ କାରଖାନାରେ ହାଂସେର ପାଲକ (ବତକ ପର)ରେ ବ୍ୟାଡ୍‌ମିଣ୍ଟନ ବଲ୍‌ ତିଆରି କରିବା ଆରମ୍ଭ କରିଥିଲି,” ବୋଲି କହନ୍ତି ୬୧ ବର୍ଷୀୟ ନବ କୁମାର। ପ୍ରଥମେ ସେ ପରକୁ ଆକାର ଦେବା କାମରୁ ହିଁ ଏହି କାରିଗରୀ ଆରମ୍ଭ କରିଥିଲେ। ହାତରେ ଲୁହା କଇଁଚି ଧରି ସେ ତିନି ଇଞ୍ଚ ଲମ୍ବ ପରକୁ କାଟି ନିର୍ଦ୍ଧାରିତ ଆକାର ଦେଉଥିଲେ। ଏଠାକାର କାରିଗରମାନେ ଶଟଲ୍‌କକ୍‌କୁ ‘ବଲ୍’ ବୋଲି କହିଥାଆନ୍ତି।

ସେ କହନ୍ତି, “ପିରପୁର ଗାଁରେ ୧୯୨୦ ଦଶକରେ (ବଙ୍ଗଳାର) ପ୍ରଥମ ଫ୍ୟାକ୍ଟ୍ରି ସ୍ଥାପିତ ହୋଇଥିଲା। ନାଁ ଥିଲା ଜେ.ବୋଷ ଆଣ୍ଡ କମ୍ପାନୀ। କ୍ରମଶଃ ଜେ.ବୋଷରେ କାର୍ଯ୍ୟ କରୁଥିବା କାରିଗରମାନେ ଆଖପାଖ ଗାଁରେ ନିଜ ନିଜର କାରଖାନା ଖୋଲିଲେ। ଏହିଭଳି ଏକ କାରଖାନାରେ ମୁଁ ଏହି କାରିଗରୀ ଶିଖିଥିଲି।”

Naba Kumar has a workshop for making shuttlecocks in Jadurberia neighbourhood of Howrah district. He shows how feathers are trimmed using iron shears bolted at a distance of 3 inches . Shuttles are handcrafted with white duck feathers, a synthetic or wooden hemispherical cork base, nylon mixed with cotton thread and glue
PHOTO • Shruti Sharma
Naba Kumar has a workshop for making shuttlecocks in Jadurberia neighbourhood of Howrah district. He shows how feathers are trimmed using iron shears bolted at a distance of 3 inches . Shuttles are handcrafted with white duck feathers, a synthetic or wooden hemispherical cork base, nylon mixed with cotton thread and glue
PHOTO • Shruti Sharma

ହାଓଡ଼ା ଜିଲ୍ଲାର ଯଦୁରବେରିୟା ଅଞ୍ଚଳରେ ନବ କୁମାରଙ୍କର ଏକ ଶଟଲକକ୍‌ କାରଖାନା ଥିଲା। ଲୁହାର କଟାରୀରେ ୩ ଇଞ୍ଚ ଦୂରରେ ଅଟକି ରହିଥିବା ପରକୁ କିପରି କାଟିବାକୁ ହୁଏ, ସେ ତାହା ଦେଖାଉଛନ୍ତି। ଧଳା ବତକର ପର, ଗୋଟିଏ ସିନ୍ଥେଟିକ୍‌ କିମ୍ବା କାଠର ଅର୍ଦ୍ଧବୃତ୍ତାକାର ତଳଭାଗ ଏବଂ ନାଇଲନ ଓ ସୂତା ସହିତ ଅଠା ମିଶାଇ ହାତରେ ଶଟଲ୍‌ ତିଆରି କରାଯାଏ

୧୯୮୬ରେ, ଉଲୁବେରିୟାର ବାନିବନ ଗାଁ ଅନ୍ତର୍ଗତ ହାଟତଲାରେ ନବ କୁମାର ନିଜର କାରଖାନା ଆରମ୍ଭ କଲେ ଏବଂ ପରବର୍ତ୍ତୀ ସମୟରେ, ୧୯୯୭ରେ, ଯଦୁରବେରିୟା ଅଞ୍ଚଳରେ ଏବେକାର ନିଜ ଘର ସହିତ କାରଖାନା ତିଆରି କରି ସେଠାକୁ ଚାଲି ଆସିଲେ। ଏଠାରେ ସେ ଉତ୍ପାଦନର ତଦାରଖ କରନ୍ତି, କଞ୍ଚାମାଲ ଯୋଗାଣ ପରିଚାଳନା କରିବା ସହିତ ବିକ୍ରିବଟା କଥା ବି ବୁଝନ୍ତି ଏବଂ ସେ ମଧ୍ୟ ପର ବଛାବଛି କାମ ବି ନିଜେ କରନ୍ତି।

ବାନିବନ ଜଗଦୀଶପୁର, ବୃନ୍ଦାବନପୁର, ଉତ୍ତର ପୀରପୁର ଓ ବାନିବନ ସହିତ ଉଲୁବେରିୟା ପୌରାଞ୍ଚଳ ଏବଂ  ହାଓଡ଼ା ଜିଲ୍ଲାରେ ଗଢ଼ି ଉଠୁଥିବା ନୂଆ ନୂଆ କେତେକ ଅଞ୍ଚଳର (୨୦୧୧ ଜନଗଣନା) ତିନିଟି ମୁଖ୍ୟ ପଣ୍ୟଦ୍ରବ୍ୟ ମଧ୍ୟରେ ସ୍ଥାନ ପାଇଛି ଶଟଲକକ୍‌।

ନବ କୁମାର କହନ୍ତି, “୨୦୦୦ ଦଶକର ପ୍ରଥମ ଭାଗରେ ଉଲୁବେରିୟାରେ ପ୍ରାୟ ୧୦୦ଟି କାରଖାନା ଥିଲା। ଆଜିକାଲି ୫୦ରୁ କମ୍‌ ରହିଛି। ସେଥିରୁ ପ୍ରାୟ ୧୦ଟି ମୋ କାରଖାନା ଭଳି, ଯେଉଁଥିରେ ୧୦ରୁ ୧୨ ଜଣ କାରିଗର କାମ କରୁଛନ୍ତି।”

*****

ନବ କୁମାରଙ୍କ କାରଖାନାର ସାମନା ପଟରେ ରହିଛି ସିମେଣ୍ଟର ଅଗଣା ଏବଂ ସେଥିରେ ରହିଛି ଗୋଟିଏ ନଳକୂଅ, ଉନାନ (ଇଟା-ମାଟିର ଖୋଲା ଚୁଲି) ଏବଂ ଚଟାଣକୁ ଲାଗିଥିବା ଦୁଇଟି ହାଣ୍ଡି। ସେ କହନ୍ତି, “ଏହି ଜାଗାଟି ପର ଧୁଆଧୋଇ ପାଇଁ ଉଦ୍ଦିଷ୍ଟ, ଯାହାକି ଶଟଲ ତିଆରିର ପ୍ରଥମ କାମ।”

ସେଠାରେ କାର୍ଯ୍ୟରତ ଜଣେ କାରିଗର, ରଞ୍ଜିତ ମଣ୍ଡଳ, ୧୦,୦୦୦ଟି ବତକ ପରର ବିଡ଼ା ପ୍ରସ୍ତୁତ କରୁଛନ୍ତି। ୩୨ ବର୍ଷୀୟ ରଞ୍ଜିତ କହନ୍ତି, “ଉତ୍ତର ବେଙ୍ଗଲର କୁଚ୍‌ ବେହାର, ମୁର୍ଶିଦାବାଦ ଏବଂ ମାଲଦା ଏବଂ କେନ୍ଦ୍ରୀୟ ବେଙ୍ଗଲର ବୀରଭୂମ ଅଞ୍ଚଳରେ ପର ଯୋଗାଣକାରୀ ବ୍ୟବସାୟୀମାନେ ଅଛନ୍ତି। ଏଠାରେ ବି କେତେକ ସ୍ଥାନୀୟ ବେପାରୀ ଅଛନ୍ତି ସତ, ହେଲେ ସେମାନେ ଖୁବ୍‌ ଅଧିକ ଦରରେ ପର ବିକନ୍ତି।” ସେ ଏହି କାରଖାନାରେ ୧୫ ବର୍ଷ ହେଲା କାମ କରିଆସୁଛନ୍ତି ଏବଂ ଏବେ ସେ ଏଠାରେ ଉତ୍ପାଦନ ତଦାରଖ କରୁଛନ୍ତି।

୧,୦୦୦ଟି ଲେଖାଏଁ ପର ଥିବା ବିଡ଼ାରେ ପରଗୁଡ଼ିକ ବିକ୍ରି ହୁଏ ଏବଂ ସେଗୁଡ଼ିକର ଦର ଗୁଣମାନ ଉପରେ ନିର୍ଭର କରେ। ସଫା କରିବା ଲାଗି ସେଠାରେ ଗୋଟିଏ ହାଣ୍ଡିରେ ଗରମ ପାଣିରେ ଭିଜୁଥିବା ପରରୁ ଆଞ୍ଜୁଳାଏ ଉଠାଇ ଆଣି ରଞ୍ଜିତ କହନ୍ତି, “ଆଜିକାଲି ସବୁଠାରୁ ଭଲ ପରର ଦାମ ପ୍ରାୟ ୧,୨୦୦ ଟଙ୍କା। ଅର୍ଥାତ୍‌ ଗୋଟିଏ ଗୋଟିଏ ପରର ଦାମ ଏକ ଟଙ୍କା ୨୦ ପଇସା।”

Ranjit Mandal is washing white duck feathers, the first step in shuttlecock making
PHOTO • Shruti Sharma

ରଞ୍ଜିତ ମଣ୍ଡଳ ବତକର ପରଗୁଡ଼ିକୁ ଧୋଉଛନ୍ତି, ଏହା ହିଁ ଶଟଲକକ୍‌ ପ୍ରସ୍ତୁତିର ପ୍ରଥମ କାମ

Ranjit scrubs the feathers batch by batch in warm soapy water. 'The feathers on a shuttle have to be spotless white,' he says. On the terrace, the craftsman lays out a black square tarpaulin sheet and spreads the washed feathers evenly. Once they are dry, they will be ready to be crafted into shuttlecocks.
PHOTO • Shruti Sharma
Ranjit scrubs the feathers batch by batch in warm soapy water. 'The feathers on a shuttle have to be spotless white,' he says. On the terrace, the craftsman lays out a black square tarpaulin sheet and spreads the washed feathers evenly. Once they are dry, they will be ready to be crafted into shuttlecocks.
PHOTO • Shruti Sharma

ସାବୁନ ମିଶା ଗରମ ପାଣିରେ ବିଡ଼ା ପରେ ବିଡ଼ା କରି ପରଗୁଡ଼ିକୁ ଘଷି ସଫା କରନ୍ତି ରଞ୍ଜିତ। ସେ କହନ୍ତି, ‘ଶଟଲ୍‌ର ପରଗୁଡ଼ିକ ପୂରା ତୋଫା ଧଳା ହେବା ଆବଶ୍ୟକ।’ ଛାତ ଉପରେ ଏହି କାରିଗର ଜଣକ ଗୋଟିଏ କଳା ବର୍ଗାକାର ତାରପୁଲିନ ବିଛାଇ ସେଥିରେ ଧୁଆ ହୋଇଥିବା ପରଗୁଡ଼ିକୁ ସମାନ ଭାବରେ ବିଛାଇ ଦିଅନ୍ତି। ଶୁଖିଯିବା ପରେ ଏଗୁଡ଼ିକରୁ ହିଁ ଶଟଲକକ୍‌ ତିଆରି ହେବ

ଗୋଟିଏ ମଧ୍ୟମ ଆକାରର ଡେଗ୍‌ଚି (ଡେକ୍‌ଚି)ରେ ସେ ପାଣିରେ ସର୍ଫ ଏକ୍‌ସେଲ ଲୁଗାଧୁଆ ପାଉଡର ମିଶାଇ ଏହାକୁ କାଠ ଜଳୁଥିବା ଖୋଲା ଚୁଲିରେ ବସାଇ ଗରମ କରନ୍ତି। ସେ କହନ୍ତି, “ଶଟଲ୍‌ର ପରଗୁଡ଼ିକ ପୂରା ତୋଫା ଧଳା ହୋଇଥିବା ଦରକାର। ସେଗୁଡ଼ିକ ଗରମ ସାବୁନମିଶା ପାଣିରେ ଧୋଇଲେ ସବୁ ମଇଳା ବାହାରିଯାଏ।” ଆହୁରି ସେ କହନ୍ତି, “ଏଗୁଡ଼ିକୁ ବେଶୀ ଦିନ ଯାଏ ସାଇତି ରଖି ହେବନି, କାରଣ ଏଗୁଡ଼ିକ ସଢ଼ିବା ଆରମ୍ଭ ହୋଇଯିବ।”

ପରଗୁଡ଼ିକୁ ଘଷିବା ପରେ ସେଗୁଡ଼ିକୁ ବିଡ଼ା ବିଡ଼ା କରି ଅଣେଇ ହୋଇ ରହିଥିବା ଗୋଟିଏ ବାଉଁଶ ଝୁଡ଼ିରେ ରଖାଯାଏ। ସେଥିରେ ଲାଗିଥିବା ସାବୁନ ପାଣି ବାହାରି ଯିବା ପରେ ସେଗୁଡ଼ିକୁ ପୋଛି ଅଗଣାରେ ଥିବା ଆଉ ଗୋଟିଏ ହାଣ୍ଡିରେ ଶେଷ ଥର ପାଇଁ ଭିଜାଯାଏ। ରଞ୍ଜିତ କହନ୍ତି, “ଏହି ପୂରା ପ୍ରକ୍ରିୟାରେ ଦୁଇ ଘଣ୍ଟା ଲାଗେ।” ଏହା ସହିତ ୧୦,୦୦୦ ପର ଥିବା ଝୁଡ଼ିକୁ ଖରାରେ ଶୁଖାଇବା ପାଇଁ ସେ ଛାତ ଉପରକୁ ନେଇ ଯାଆନ୍ତି।

ସେ କହନ୍ତି, “ଏଥିରୁ ଅଧିକାଂଶ ପର ଆସିଥାଏ ବିଭିନ୍ନ ବତକ ଫାର୍ମରୁ ଏବଂ କଂସେଇଖାନାରୁ, ଯେଉଁଠି ମାଂସ ପାଇଁ ବତକକୁ ମାରିଦିଆଯାଥାଏ। କିନ୍ତୁ ଗାଁ ଗହଳିର କେତେକ ପରିବାର ମଧ୍ୟ ସେମାନଙ୍କ ପୋଷା ବତକ ଶରୀରରୁ ପ୍ରାକୃତିକ ଉପାୟରେ ଝଡ଼ି ପଡୁଥିବା ପରକୁ ରଖନ୍ତି ଏବଂ ବେପାରୀମାନଙ୍କୁ ବିକ୍ରି କରି ଦିଅନ୍ତି।”

ଛାତ ଉପରେ ରଞ୍ଜିତ ଗୋଟିଏ କଳା ବର୍ଗାକାର ତାରପୁଲିନ ବିଛାଇ ଦିଅନ୍ତି ଏବଂ ପବନରେ ଏହା ଉଡ଼ି ନଯିବା ପାଇଁ ଏହାର ଚାରି କୋଣରେ ଇଟାଖଣ୍ଡ ରଖି ଦିଅନ୍ତି। ଏହାରି ଉପରେ ସମାନ ଭାବରେ ପରଗୁଡ଼ିକୁ ବିଛାଇ ରଖି ସେ ଅନୁମାନ କରି କହନ୍ତି, “ଆଜି ଖୁବ୍‌ ଟାଣ ଖରା ହେଉଛି। ଘଣ୍ଟାକ ଭିତରେ ପରଗୁଡ଼ିକ ଶୁଖିଯିବ। ତା’ ପରେ ସେଗୁଡ଼ିକ ବ୍ୟାଡ୍‌ମିଣ୍ଟନ ବଲ୍‌ ତିଆରି ପାଇଁ ପ୍ରସ୍ତୁତ ହୋଇଯିବ।”

ଥରେ ପରଗୁଡ଼ିକ ଶୁଖିଯିବା ପରେ, ସେଗୁଡ଼ିକୁ ଗୋଟି ଗୋଟି କରି ପରୀକ୍ଷା କରାଯାଏ। ରଞ୍ଜିତ କହନ୍ତି, “ ବତକର କେଉଁ ପଟର ପର, ବାମ କିମ୍ବା ଡାହାଣ, ଏବଂ ମୂଳତଃ ଡେଣାର କେଉଁ ଭାଗରେ ସେଗୁଡ଼ିକ ରହିଥିଲା, ତାହାରି ଭିତ୍ତିରେ ଆମେ ସେଗୁଡ଼ିକୁ ଏକରୁ ଛଅ ପର୍ଯ୍ୟନ୍ତ ଗ୍ରେଡ୍‌ରେ ବାଛି ରଖୁ। ଗୋଟିଏ ଗୋଟିଏ ଡେଣାରୁ ମାତ୍ର ପାଞ୍ଚ କି ଛଅଟି ପର ଆମ ଦରକାର ମୁତାବକ କାମରେ ଲାଗିଥାଏ।”

ଗୋଟିଏ ଶଟଲ ୧୬ଟି ପରରୁ ତିଆରି ହୁଏ। ସେ ସବୁ ଗୋଟିଏ ପଟର ଡେଣାରୁ ଆସିଥିବା ଆବଶ୍ୟକ ଏବଂ ସେଗୁଡ଼ିକର ମଝିରେ ଥିବା କାଠି (ଶାଫ୍‌ଟ) ଏକାଭଳି ଶକ୍ତ ହୋଇଥିବ, ଏହାର ଉଭୟ ପଟେ ଥିବା ତନ୍ତୁ (ଭେନ୍‌)ର ମୋଟେଇ ଏବଂ ବକ୍ରତା (କର୍ଭେଚର) ଏକା ପ୍ରକାରର ହୋଇଥିବା ଆବଶ୍ୟକ। ତା’ ନହେଲେ ଏହା ପବନରେ ଦୋହଲିବ।”

ସେ ଆହୁରି କହନ୍ତି, “ଜଣେ ସାଧାରଣ ଲୋକ ପାଇଁ ସବୁ ପରଗୁଡ଼ିକ ସମାନ। କିନ୍ତୁ ଆମେ କେବଳ ଛୁଇଁ ଦେଇ ସେଗୁଡ଼ିକ ଭିତରେ ଥିବା ତଫାତ୍‌ କହିଦେଇପାରିବୁ।”

Left: Shankar Bera is sorting feathers into grades one to six. A shuttle is made of 16 feathers, all of which should be from the same wing-side of ducks, have similar shaft strength, thickness of vanes, and curvature.
PHOTO • Shruti Sharma
Right: Sanjib Bodak is holding two shuttles. The one in his left hand is made of feathers from the left wing of ducks and the one in his right hand is made of feathers from the right wing of ducks
PHOTO • Shruti Sharma

ବାମ: ଶଙ୍କର ବେରା ପରଗୁଡ଼ିକୁ ଏକରୁ ଛଅ ପର୍ଯ୍ୟନ୍ତ ଗ୍ରେଡ୍‌ ଅନୁସାରେ ବାଛି ରଖୁଛନ୍ତି। ୧୬ଟି ପରରୁ ଗୋଟିଏ ଶଟଲ ତିଆରି ହୁଏ। ସବୁଗୁଡ଼ିକ ବତକର ଗୋଟିଏ ପଟ ଡେଣାରୁ ଆସିଥିବା ଆବଶ୍ୟକ, ସେଗୁଡ଼ିକରେ ଥିବା ମଝିକାଠି ଏକାଭଳି ଶକ୍ତ, ଉଭୟ ପଟେ ଥିବା ତନ୍ତୁର ମୋଟେଇ ଏବଂ ବକ୍ରତା ଏକା ପ୍ରକାରର ହୋଇଥିବା ଆବଶ୍ୟକ।' ଡାହାଣ: ସଞ୍ଜୀବ ବୋଦକ ଦୁଇଟି ଶଟଲ୍‌ ଧରିଛନ୍ତି। ତାଙ୍କ ବାମ ହାତରେ ଥିବା ଶଟଲଟି ବତକର ବାମ ଡେଣାର ପରରୁ ଏବଂ ଡାହାଣ ହାତରେ ଥିବା ଶଟଲଟି ବତକର ଡାହାଣ ପଟ ଡେଣାର ପରରୁ ତିଆରି ହୋଇଛି

ଏଠାରେ ତିଆରି ହେଉଥିବା ଶଟଲକକ୍‌କୁ କୋଲକାତାର କେତେକ ସ୍ଥାନୀୟ ବ୍ୟାଡମିଣ୍ଟନ କ୍ଲବ୍‌ ସହିତ ପଶ୍ଚିମ ବଙ୍ଗ, ମିଜୋରାମ, ନାଗାଲାଣ୍ଡ ଏବଂ ପଣ୍ଡିଚେରୀର ପାଇକାରୀ ବିକ୍ରେତାମାନଙ୍କୁ ବିକ୍ରି କରାଯାଏ। ନବ କୁମାର କହନ୍ତି, “ବଡ଼ ବଡ଼ ମ୍ୟାଚ୍‌ରେ ବ୍ୟବହୃତ ଶଟଲକକ୍‌ର ସମଗ୍ର ବଜାରକୁ ଜାପାନର ୟୋନେକ୍‌ସ କମ୍ପାନୀ ଅକ୍ତିଆର କରି ରଖିଛି। ଏହି କମ୍ପାନୀ ରାଜହଂସର ପରରୁ ଶଟଲ ତିଆରି କରିଥାଏ। ଆମେ ସେହି ସ୍ତରରେ ପ୍ରତିଯୋଗିତା କରିପାରିବୁ ନାହିଁ। ଆମ ଶଟଲକକ୍‌ ଛୋଟମୋଟ ଖେଳରେ ଏବଂ ଖେଳ ଶିଖୁଥିବା ଖେଳାଳିଙ୍କ ଅଭ୍ୟାସ ପାଇଁ ବ୍ୟବହୃତ ହୁଏ।”

ଭାରତ ମଧ୍ୟ ଚୀନ୍‌, ହଂକଂ, ଜାପାନ, ସିଙ୍ଗାପୁର, ତାଇୱାନ ଏବଂ ବ୍ରିଟେନ୍‌ରୁ ଶଟଲକକ୍‌ ଆମଦାନୀ କରିଥାଏ। ଭାରତ ସରକାରଙ୍କ ନିୟନ୍ତ୍ରଣାଧୀନ ବାଣିଜ୍ୟିକ ତଥ୍ୟ ଏବଂ ପରିସଂଖ୍ୟାନ ମହା ନିର୍ଦ୍ଦେଶାଳୟ (ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ କମର୍ସିଆଲ ଇଣ୍ଟେଲିଜେନ୍‌ସ ଆଣ୍ଡ ଷ୍ଟାଟିଷ୍ଟିକ୍‌ସ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ରେ ଦର୍ଶାଯାଇଛି ଯେ, ୨୦୧୯ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ମାସ ଭିତରେ ଭାରତ ୧୨୨ କୋଟି ଟଙ୍କାର ଶଟଲକକ୍‌ ଆମଦାନୀ କରିଥିଲା। ନବ କୁମାର କହନ୍ତି, “ପ୍ରାୟତଃ ବ୍ୟାଡମିଣ୍ଟନ ଘର ଭିତରେ ଖେଳାଯାଉଥିବାରୁ ଶୀତଦିନେ ଏହାର ଚାହିଦା ବଢ଼ିଯାଏ।” ଆମର ଏହି କାରଖାନାରେ ବର୍ଷ ସାରା ଉତ୍ପାଦନ ହୁଏ କିନ୍ତୁ ସେପ୍‌ଟେମ୍ବର ମାସରୁ ଏହା ଉଲ୍ଲେଖନୀୟ ଭାବରେ ବଢ଼ିଯାଏ।

*****

ଦୁଇ କୋଠରିର ଚଟାଣରେ ବିଛା ହୋଇଥିବା ଚଟେଇ ଉପରେ ଚକା ପକେଇ ବସି କାମରେ ବ୍ୟସ୍ତ ରହନ୍ତି କାରିଗରମାନେ। ଏହି ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କୁ ଆଗକୁ ଝୁଙ୍କି ପଡ଼ିବାକୁ ହୁଏ। ସେମାନଙ୍କର ସ୍ଥିର ଦୃଷ୍ଟି ଏବଂ ଦକ୍ଷ ଆଙ୍ଗୁଠିର କାମରେ ସେତେବେଳେ ବାଧା ଉପୁଜେ, ଯେତେବେଳେ ଦଲକାଏ ପବନ ଘର ଭିତରକୁ ପଶି ଆସି ଶଟଲ ପ୍ରସ୍ତୁତିର ବିଭିନ୍ନ ସ୍ତରରେ ଥିବା ପରଗୁଡ଼ିକୁ ଅସ୍ତବ୍ୟସ୍ତ କରିପକାଏ।

ସବୁଦିନ ସକାଳେ ନବ କୁମାରଙ୍କ ପତ୍ନୀ, ୫୧ ବର୍ଷୀୟା କ୍ରିଷ୍ଣା ମାଇତି ସକାଳର ପୂଜା କରିବା ଅବସରରେ ସିଡ଼ି ଓହ୍ଲାଇ କାରଖାନାକୁ ଆସନ୍ତି। ନିରବରେ ମନ୍ତ୍ରୋଚ୍ଚାରଣ କରୁକରୁ ସେ ଦୁଇଟି ଯାକ କୋଠରିର ବିଭିନ୍ନ ଭାଗରେ ଜଳନ୍ତା ଧୂପକାଠି ବୁଲାଇ ଆଣନ୍ତି। ବିଳମ୍ବିତ ସକାଳୁଆ ପରିବେଶରେ ଭରିଯାଏ ଫୁଲର ସୁଗନ୍ଧ।

ତେଣେ ଘର ଭିତରେ ୬୩ ବର୍ଷୀୟ ଶଙ୍କର ବେରାଙ୍କ ପାଖରୁ ଆରମ୍ଭ ହୁଏ ଏହି ପ୍ରକ୍ରିୟା। ବର୍ଷେ ହେଲା ଏହି କାରଖାନାରେ କାମ କରିଆସୁଛନ୍ତି ଶଙ୍କର। ସେ ଥରକରେ ଗୋଟିଏ ପର ଉଠାନ୍ତି ଏବଂ ଏହାକୁ ଲୁହାର ବଡ଼ କଟାରୀରେ ପୂରାଇ ଦିଅନ୍ତି। ଏହାର ଧାରଠାରୁ ଠିକ୍‌ ତିନି ଇଞ୍ଚ ଦୂରରେ ଅଟକି ଯାଏ ପର। ସେ କହନ୍ତି, “ପ୍ରାୟ ଛଅରୁ ଦଶ ଇଞ୍ଚ ଲମ୍ବା ଏହି ପରଗୁଡ଼ିକୁ ସମାନ ମାପରେ କାଟିବାକୁ ହୁଏ।”

Left: Karigars performing highly specialised tasks.
PHOTO • Shruti Sharma
Right: 'The feathers which are approximately six to ten inches long are cut to uniform length,' says Shankar Bera
PHOTO • Shruti Sharma

ବାମ: କାରିଗରମାନେ ଯେଉଁ କାମ କରନ୍ତି ସେଥିରେ ବିଶେଷ ଦକ୍ଷତାର ଆବଶ୍ୟକତା ଥାଏ। ଡାହାଣ: ଶଙ୍କର ବେରା କହନ୍ତି, 'ପ୍ରାୟ ଛଅରୁ ଦଶ ଇଞ୍ଚ ଲମ୍ବା ଏହି ପରଗୁଡ଼ିକୁ ସମାନ ମାପରେ କାଟିବାକୁ ହୁଏ'

ଗୋଟିଏ ଛୋଟ ପ୍ଲାଷ୍ଟିକ୍‌ ଝୁଡ଼ିରେ ପରଗୁଡ଼ିକୁ କାଟି ରଖୁ ରଖୁ ଶଙ୍କର କହନ୍ତି, “ପରର ମଝି ଭାଗରେ ଥିବା କାଠିଟି ହିଁ ଏହାର ଶକ୍ତ ଭାଗ ଏବଂ ଏହାକୁ ଚାଞ୍ଛି ସମାନ ଭାଗ ବିଶିଷ୍ଟ କରିବାକୁ ପଡ଼େ। ଏଭଳି ୧୬ଟି ଭାଗକୁ ନେଇ ଗୋଟିଏ ଶଟଲ ତିଆରି ହୁଏ।” ପର ଭର୍ତ୍ତି ଝୁଡ଼ିଗୁଡ଼ିକୁ ସେ ଚାରି ଜଣ କାରିଗରଙ୍କୁ ଦେଇ ଦିଅନ୍ତି ଏବଂ ସେମାନେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ କରନ୍ତି।

ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟରେ ନିୟୋଜିତ କାରିଗରମାନେ ହେଲେ ପ୍ରହଲ୍ଲାଦ ପାଲ, ୩୫, ମଣ୍ଟୁ ପାର୍ଥ, ୪୨, ଭବାନୀ ଅଧିକାରୀ, ୫୦ ଏବଂ ଲିଖନ ମାଝୀ, ୬୦। ସେମାନେ ତିନି ଇଞ୍ଚ ଲମ୍ବା ପରଗୁଡ଼ିକୁ କାଟି ଆକାର ଦିଅନ୍ତି। ନିଜ ନିଜ କୋଳରେ ରଖିଥିବା ଏକ କାଠ ଟ୍ରେରେ ସେମାନେ ପରଗୁଡ଼ିକୁ ରଖନ୍ତି।

“ପରର ମଝି କାଠିଟିର ତଳଭାଗକୁ ପୂରା ପରିଷ୍କାର କରାଯାଏ ଏବଂ ଉପର ଭାଗକୁ କାଟି ଗୋଟିଏ ପଟ ବଙ୍କେଇ କରି ଏବଂ ଆରପଟକୁ ସିଧା କରି ରଖାଯାଏ,” ହାତରେ ଧରିଥିବା ଗୋଟିଏ କଇଁଚିରେ କାଟି ପ୍ରହଲ୍ଲାଦ ଆମକୁ ଏହା ଦେଖାଇ ଦିଅନ୍ତି। ଗୋଟିଏ ପରକୁ ନିର୍ଦ୍ଦିଷ୍ଟ ଆକାର ଦେବା ଲାଗି ତାଙ୍କୁ ପ୍ରାୟ ଛଅ ସେକେଣ୍ଡ ଲାଗେ। ପର କଟାଳି ଏବଂ ପରକୁ ଆକାର ଦେଉଥିବା କାରିଗରମାନେ ପ୍ରତି ୧,୦୦୦ ପର ପିଛା ୧୫୫ ଟଙ୍କା ରୋଜଗାର କରନ୍ତି। ଅନ୍ୟ ଭାଷାରେ ଗୋଟିଏ ଶଟଲକକ୍‌ ପିଛା ୨ ଟଙ୍କା ୪୫ ପଇସା ରୋଜଗାର କରନ୍ତି।

ନବକୁମାର କହନ୍ତି, “ପରଗୁଡ଼ିକର ଓଜନ ନ ଥାଇପାରେ, ହେଲେ ସେଥିରେ ଥିବା ମଝିକାଠିଟି ଟାଣ ଏବଂ ଶକ୍ତ। ତେଣୁ ପ୍ରତି ୧୦-୧୫ ଦିନରେ ଥରେ କଇଁଚିକୁ ଧାର କରିବା ପାଇଁ ଏଠାକାର କମାରଙ୍କ ପାଖକୁ ପଠାଇବାକୁ ହୁଏ।”

Left : Trimmed feathers are passed on to workers who will shape it.
PHOTO • Shruti Sharma
Right: Prahlad Pal shapes the feathers with pair of handheld iron scissors
PHOTO • Shruti Sharma

ବାମ: କଟା ହୋଇଥିବା ପରଗୁଡ଼ିକୁ ଆକାର ଦେବା ଲାଗି କାରିଗରଙ୍କୁ ଦିଆଯାଏ। ଡାହାଣ: ହାତରେ ଧରିଥିବା ଲୁହା କଇଁଚିରେ ପରଗୁଡ଼ିକୁ ଆକାର ଦିଅନ୍ତି ପ୍ରହଲ୍ଲାଦ ପାଲ

Montu Partha (left) along with Bhabani Adhikari and Likhan Majhi (right) shape the trimmed feathers
PHOTO • Shruti Sharma
Montu Partha (left) along with Bhabani Adhikari and Likhan Majhi (right) shape the trimmed feathers
PHOTO • Shruti Sharma

ମଣ୍ଟୁ ପାର୍ଥ (ବାମ)ଙ୍କ ସହିତ ଭବାନୀ ଅଧିକାରୀ ଏବଂ ଲିଖନ ମାଝୀ (ଡାହାଣ) କଟାଯାଇଥିବା ପରଗୁଡ଼ିକୁ ନିର୍ଦ୍ଦିଷ୍ଟ ଆକାର ଦିଅନ୍ତି

ଇତ୍ୟବସରରେ, ଶଟଲକକ୍‌ର ତଳଭାଗରେ ଲାଗୁଥିବା ଅର୍ଦ୍ଧଗୋଲାକୃତି କର୍କରେ ଛିଦ୍ର କରୁଥାଆନ୍ତି ୪୭ ବର୍ଷୀୟ ସଞ୍ଜୀବ ବୋଦକ। ଏହି କାମରେ ସେ ବ୍ୟବହାର କରୁଥିବା ହସ୍ତଚାଳିତ ଯନ୍ତ୍ରଟି ସମଗ୍ର ଉତ୍ପାଦନ ପ୍ରକ୍ରିୟାର ଏକମାତ୍ର ଯନ୍ତ୍ର। ହାତର ସ୍ଥିରତା ଏବଂ ନିର୍ଭୁଲ ଦୃଷ୍ଟିଶକ୍ତିର ଆବଶ୍ୟକତା ଥିବା ଏହି କାମରେ ସେ ପ୍ରତିଟି କର୍କରେ ସମାନ ଦୂରତା ରଖି ୧୬ଟି ଲେଖାଏଁ ଛିଦ୍ର କରନ୍ତି। ଛିଦ୍ର କରାଯାଇଥିବା ପ୍ରତିଟି କର୍କ ପିଛା ସେ ୩ ଟଙ୍କା ୨୦ ପଇସା ହିସାବରେ ରୋଜଗାର କରନ୍ତି।

ସଞ୍ଜୀବ କହନ୍ତି, “ଦୁଇ ପ୍ରକାରର କର୍କ ବେସ୍‌ ବା ଶଟଲକକ୍‌ର ତଳଭାଗ ରହିଛି। ସିନ୍ଥେଟିକ୍‌ ବେସ୍‌କୁ ଆମେ ମିରଟ କିମ୍ବା ଜଳନ୍ଧରରୁ ଏବଂ ପ୍ରାକୃତିକ ବେସ୍‌ ଚୀନ୍‌ରୁ ଆଣିଥାଉ। ପ୍ରାକୃତିକ କର୍କରେ ଉଚ୍ଚ ଗୁଣମାନର ପର ଲଗାଯାଏ।” ସେଗୁଡ଼ିକର ଦରରୁ ହିଁ ସେଥିରେ ଥିବା ପାର୍ଥକ୍ୟ ଜଣାପଡ଼ିଯାଏ। ସଞ୍ଜୀବ କହନ୍ତି, “ସିନ୍ଥେଟିକ୍‌ କର୍କ ଗୋଟିକୁ ଟଙ୍କାଟିଏ ପଡ଼ିଥାଏ, କିନ୍ତୁ ପ୍ରାକୃତିକ କର୍କ ଗୋଟିକର ମୂଲ୍ୟ ପ୍ରାୟ ପାଞ୍ଚ ଟଙ୍କା ହୋଇଥାଏ।”

କର୍କ ବେସ୍‌ରେ ଛିଦ୍ର କରାଯିବା ପରେ ନିର୍ଦ୍ଧାରିତ ଆକାରର ପରଗୁଡ଼ିକ ସହିତ ସେଗୁଡ଼ିକୁ ବରିଷ୍ଠ ଗ୍ରାଫ୍‌ଟିଂ ବିଶେଷଜ୍ଞ ୫୨ ବର୍ଷୀୟ ତାପସ ପଣ୍ଡିତ ଏବଂ ୬୦ ବର୍ଷୀୟ ଶ୍ୟାମସୁନ୍ଦର ଘରୋଇଙ୍କୁ ଦିଆଯାଏ। ସେମାନେ କର୍କର ଛିଦ୍ରରେ ପରଗୁଡ଼ିକ ପୂରାଇ ଏହାକୁ ଶଟଲକକ୍‌ର ରୂପ ଦିଅନ୍ତି ଏବଂ ଏହା ଏଠାକାର ସବୁଠାରୁ ସମ୍ମାନଜନକ କାମ।

ଗୋଟି ଗୋଟି କରି ପରଗୁଡ଼ିକୁ ହାତରେ ଧରି ସେମାନେ ତଳ ଭାଗରେ କିଛି ପ୍ରାକୃତିକ ଅଠା ଲଗାନ୍ତି ଏବଂ ଗୋଟିଏ ପରେ ଗୋଟିଏ କରି ଏଗୁଡ଼ିକୁ ଛିଦ୍ର ଭିତରେ ପୂରାଇ ଦିଅନ୍ତି। ଏ ସଂପର୍କରେ ବୁଝାଇବାକୁ ଯାଇ ନବ କୁମାର କହନ୍ତି, “ପର ସମ୍ବନ୍ଧିତ ପ୍ରତିଟି କାମ ବିଜ୍ଞାନସମ୍ମତ ଭାବରେ ହୁଏ। କୌଣସି ଗୋଟିଏ ପର୍ଯ୍ୟାୟରେ ଭୁଲ ହୋଇଗଲେ, ଶଟଲ୍‌ର ଫ୍ଲାଇଟ୍‌ (ଉଡ଼ାଣ), ରୋଟେସନ (ଆବର୍ତ୍ତନ) ଏବଂ ଡିରେକ୍‌ସନ (ଦିଗ) ପ୍ରଭାବିତ ହୋଇଥାଏ।”

ଗତ ୩୦ ବର୍ଷ ହେଲା ସେ କରିଆସୁଥିବା ଏହି ବିଶେଷ ଧରଣର କାମରେ ତାଙ୍କର ନିପୁଣତା ପ୍ରଦର୍ଶନ କରି ତାପସ କହନ୍ତି, “ପରଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ କୋଣରେ ଏବଂ ସମାନ ଭାବରେ ଗୋଟିଏ ଉପରେ ଆଉ ଗୋଟିଏକୁ ଚାପି ରଖିବାକୁ ହୁଏ। ଏହି କାମରେ ଗୋଟିଏ ଶୋନ୍ନା (ଛୋଟ ଚିମୁଟା ଭଳି ଉପକରଣ) ବ୍ୟବହାର କରାଯାଏ।” ସେମାନେ କେତୋଟି ଶଟଲ୍‌ ବ୍ୟାରେଲ୍‌ ପୂରଣ କଲେ, ତାହା ଉପରେ ତାଙ୍କର ଏବଂ ଶ୍ୟାମ ସୁନ୍ଦରଙ୍କର ମଜୁରି ନିର୍ଭର କରେ। ଗୋଟିଏ ବ୍ୟାରେଲରେ ୧୦ଟି ଶଟଲ ଥାଏ ଏବଂ ବ୍ୟାରେଲ ପିଛା ସେମାନେ ୧୫ ଟଙ୍କା ରୋଜଗାର କରନ୍ତି।

Left: The drilling machine is the only hand -operated machine in the entire process. Sanjib uses it to make 16 holes into the readymade cork bases.
PHOTO • Shruti Sharma
Right: The white cork bases are synthetic, and the slightly brown ones are natural.
PHOTO • Shruti Sharma

ବାମ: ପୂରା ପ୍ରକ୍ରିୟାରେ ବ୍ୟବହୃତ ଏକମାତ୍ର ଯନ୍ତ୍ର ହେଉଛି ଡ୍ରିଲିଂ ମେସିନ୍‌। ସଞ୍ଜୀବ ଏହାକୁ ବ୍ୟବହାର କରି ପ୍ରସ୍ତୁତ କର୍କ ବେସ୍‌ରେ ୧୬ଟି ଲେଖାଏଁ ଛିଦ୍ର କରିଥାଆନ୍ତି। ଡାହାଣ: ଧଳା ରଙ୍ଗର କର୍କ ବେସ୍‌ଗୁଡ଼ିକ ସିନ୍ଥେଟିକ୍‌ ଏବଂ ଈଷତ୍‌ ବାଦାମୀ ରଙ୍ଗର ବେସ୍‌ଗୁଡ଼ିକ ପ୍ରାକୃତିକ

Holding each feather by the quill, grafting expert Tapas Pandit dabs the bottom with a bit of natural glue. Using a shonna (tweezer), he fixes each feather into the drilled holes one by one, making them overlap.
PHOTO • Shruti Sharma
Holding each feather by the quill, grafting expert Tapas Pandit dabs the bottom with a bit of natural glue. Using a shonna (tweezer), he fixes each feather into the drilled holes one by one, making them overlap.
PHOTO • Shruti Sharma

ଗୋଟି ଗୋଟି କରି ପ୍ରତିଟି ପରକୁ ଧରି ତଳଭାଗରେ କିଛି ପ୍ରାକୃତିକ ଅଠା ଲଗାନ୍ତି ଗ୍ରାଫଟିଂ ବିଶେଷଜ୍ଞ ତାପସ ପଣ୍ଡିତ। ତା’ପରେ ଶୋନ୍ନା (ଛୋଟ ଚିମୁଟା ଭଳି ଉପକରଣ) ବ୍ୟବହାର କରି ଏଥିରେ କରାଯାଇଥିବା ଛିଦ୍ରରେ ଗୋଟିଏ ଉପରେ ଆଉ ଗୋଟିଏ କରି ପରକୁ ଲଗାଇ ଦିଅନ୍ତି

କର୍କର ବେସ୍‌ରେ ପରଗୁଡ଼ିକ ଲାଗି ସାରିବା ପରେ ଏହା ଗୋଟିଏ ଶଟଲକକ୍‌ର ପ୍ରାଥମିକ ଆକାର ନେଇଥାଏ। ତା’ପରେ ଏଥିରେ ସୂତା ବନ୍ଧେଇ କାମ କରିବା ଲାଗି ସେଗୁଡ଼ିକୁ ୪୨ ବର୍ଷୀୟ ତାରଖ କୟାଲଙ୍କୁ ଦିଆଯାଏ। “ଏହି ସୂତାଗୁଡ଼ିକ ସ୍ଥାନୀୟ ବଜାରରୁ କିଣାଯାଇଛି। ନାଇଲନ୍‌ ସହିତ କପାସୂତା ମିଶିଥିବାରୁ ଏହା ଅଧିକ ଶକ୍ତ ହୋଇଥାଏ,” ତାରଖ କହନ୍ତି। ସେ ତାଙ୍କ ହାତରେ ଗୋଟିଏ ଦଶ ଇଞ୍ଚ ଲମ୍ବା ସୂତା ଧରିଥିଲେ, ଯାହାର ଉଭୟ ମୁଣ୍ଡକୁ ଯୋଡ଼ି ତାଙ୍କର ଗୋଟିଏ ହାତରେ ଗଣ୍ଠି ପଡ଼ିଥିଲା ଏବଂ ଆର ହାତରେ ସେ କର୍କ ଓ ପର ଧରିଥିଲେ।

ଗୋଟିଏ ଉପରେ ଗୋଟିଏ କରି ୧୬ଟି ପରକୁ ଚାପି ରଖିବା ଲାଗି ତାଙ୍କୁ ମାତ୍ର ୩୫ ସେକେଣ୍ଡ ଲାଗେ। ତାରଖ କହିଲେ, “ଏହି ସୂତା ପର ମଝିରେ ଥିବା କାଠିକୁ ଧରି ରଖିବା ଲାଗି ବ୍ୟବହୃତ ହୁଏ ଏବଂ ଏହା ପରେ ଦୁଇଟି କାଠିକୁ ପରସ୍ପର ସହିତ ଯୋଡ଼ି ରଖିବା ଲାଗି ସୂତାକୁ ସେଥିରେ ଦୁଇ ଥର ଲେଖାଏଁ ଗୁଡ଼ାଇ ଦିଆଯାଏ।”

କାମ କରିବା ସମୟରେ ତାଙ୍କ ଦୁଇ ହାତର କଚଟି ଏତେ କ୍ଷୀପ୍ର ବେଗରେ ଚାଲିଥାଏ ଯେ ପ୍ରାୟ ଦେଖାଯାଏ ନାହିଁ। ତାରଖ ସୂତାରେ ଯେଉଁ ୧୬ଟି ଗଣ୍ଠି ପକାନ୍ତି ଏବଂ ୩୨ ଥର ଏହାକୁ ଗୁଡ଼ାଇ ଦିଅନ୍ତି ତାହା କେବଳ ସେ ଶେଷ ଗଣ୍ଠିଟି ପକାଇ  ସାରି କଇଁଚିରେ ଶଟଲ୍‌ର ବାହାରକୁ ବାହାରିଥିବା ଅତିରିକ୍ତ ସୂତା କାଟି ସାରିବା ପରେ ହିଁ ଦେଖାଯାଏ। ଏଭଳି ସେ ବାନ୍ଧୁଥିବା ପ୍ରତି ୧୦ଟି ଶଟଲ୍‌ ପିଛା ୧୧ ଟଙ୍କା ହିସାବରେ ରୋଜଗାର କରନ୍ତି।

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରତିଟି ଶଟଲକକ୍‌ର ପର ସଜ୍ଜା ଏବଂ ସୂତାର ସ୍ଥାନ ପରୀକ୍ଷା କରି ଦେଖନ୍ତି ୫୦ ବର୍ଷ ବୟସ୍କ ପ୍ରବାସ ଶାସମଲ। ଆବଶ୍ୟକତା ଅନୁସାରେ ସେ ସେଗୁଡ଼ିକୁ ଠିକ୍‌ କରି ନିଅନ୍ତି ଏବଂ ଗୋଟିଏ ପରେ ଗୋଟିଏ ବ୍ୟାରେଲରେ ଶଟଲକକ୍‌ ରଖି ପୁଣି ସଞ୍ଜୀବଙ୍କୁ ଦେଇ ଦିଅନ୍ତି। ଶଟଲକକ୍‌ର ଶକ୍ତି ବଢ଼ାଇବା ଲାଗି ସଞ୍ଜୀବ ସେଗୁଡ଼ିକରେ କୃତ୍ରିମ ଅଠା (ରେସିନ୍‌) ଏବଂ ଘନତ୍ୱ ବର୍ଦ୍ଧକ (ହାର୍ଡନର)ର ଏକ ମିଶ୍ରଣ ପ୍ରୟୋଗ କରନ୍ତି।

Left: After the feathers are grafted onto the cork bases, it takes the preliminary shape of a shuttle. Tarakh Koyal then knots each overlapping feather with a thread interspersed with double twists between shafts to bind it .
PHOTO • Shruti Sharma
Right: Prabash Shyashmal checks each shuttlecock for feather alignment and thread placement.
PHOTO • Shruti Sharma

ବାମ: କର୍କର ବେସ୍‌ରେ ପରଗୁଡ଼ିକ ଲାଗି ସାରିବା ପରେ ଏହା ଗୋଟିଏ ଶଟଲକକ୍‌ର ପ୍ରାଥମିକ ଆକାର ନେଇଥାଏ। ତା’ପରେ ତାରଖ କୟାଲ ଏଥିରେ ଗୋଟିଏ ଉପରେ ଗୋଟିଏ ଅବସ୍ଥାରେ ଥିବା ପରଗୁଡ଼ିକୁ ସୂତାରେ ବାନ୍ଧନ୍ତି ଏବଂ ଏହି ସୂତା କାଠି ସହିତ ଦୁଇ ଥର ଲେଖାଏଁ ଗୁଡ଼ା ହୋଇଥାଏ। ଡାହାଣ: ପରଗୁଡ଼ିକର ସଂଯୋଜନା ଏବଂ ବନ୍ଧା ହୋଇଥିବା ସୂତାର ସ୍ଥାନ ପରୀକ୍ଷା କରି ଦେଖନ୍ତି ପ୍ରବାସ ଶାସମଲ

Sanjib sticks the brand name on the rim of the cork of each shuttle
PHOTO • Shruti Sharma

ପ୍ରତି ଶଟଲ୍‌ର ତଳଭାଗ କର୍କରେ ବ୍ରାଣ୍ଡ ନାମ ଲେଖାଥିବା ପଟି ଲଗାନ୍ତି ସଞ୍ଜୀବ

ଶୁଖିଗଲା ପରେ, ଶଟଲଗୁଡ଼ିକରେ ବ୍ରାଣ୍ଡ ନାମ ଥିବା ପଟି ଲଗାଯାଏ। ଏହା ହେଉଛି କାମର ଚୂଡ଼ାନ୍ତ ପର୍ଯ୍ୟାୟ। “ଗୋଟିଏ ନୀଳ ରେଖା ଉପରେ ବ୍ରାଣ୍ଡ ନାଁ ଲେଖା ଥିବା ୨.୫ ଇଞ୍ଚ ଲମ୍ବର ପଟିକୁ ଆମେ ଏହାର ଗୋଲେଇ ଉପରେ ଏବଂ ପରରେ ଥିବା କାଠିଗୁଡ଼ିକର ତଳଭାଗରେ ଏକ ଗୋଲାକାର ଷ୍ଟିକର ଲଗାଇ ଦେଉ,” କହନ୍ତି ସଞ୍ଜୀବ। ସେ ଆହୁରି କହନ୍ତି, “ଏହା ପରେ ପ୍ରତି ଶଟଲକକ୍‌କୁ ଗୋଟି ଗୋଟି କରି ଓଜନ କରାଯାଏ ଏବଂ ସମାନ ଧରଣର ଶଟଲଗୁଡ଼ିକୁ ଗୋଟିଏ ବ୍ୟାରେଲରେ ରଖାଯାଏ।”

*****

୨୦୨୩ ଅଗଷ୍ଟ ମାସରେ ‘ପରୀ’ ସହିତ କଥାବାର୍ତ୍ତା କରି ନବ କୁମାର କହିଲେ, “ସାଇନା ନେହୱାଲ ଏବଂ ପି.ଭି.ସିନ୍ଧୁଙ୍କ ଯୋଗୁଁ ଆମ ପାଖରେ ଏବେ ତିନିଟି ଅଲିମ୍ପିକ୍‌ ପଦକ ଅଛି। ଦିନକୁ ଦିନ ବ୍ୟାଡ୍‌ମିଣ୍ଟନର ଲୋକପ୍ରିୟତା ବଢୁଛି। କିନ୍ତୁ ଆମର ଏଠି, ଉଲୁବେରିୟାରେ, ଛୋଟ ଛୋଟ ପିଲାମାନେ ବି ପର ଲଗାଇ ଫ୍ଲାଇଟ୍‌ କରିବା ଶିଖୁଥିଲେ ହେଁ ସେମାନଙ୍କ ଭବିଷ୍ୟତ ଖେଳାଳିମାନଙ୍କ ଭଳି ସୁରକ୍ଷିତ ରହିବ ବୋଲି ଭରସା ନାହିଁ।”

ପଶ୍ଚିମବଙ୍ଗ ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ନିର୍ଦ୍ଦେଶାଳୟ ପକ୍ଷରୁ ଉଲୁବେରିୟା ପୌରାଞ୍ଚଳକୁ ଶଟଲକକ୍‌ ନିର୍ମାଣ କ୍ଷେତ୍ର ରୂପେ ବର୍ଗଭୁକ୍ତ କରାଯାଇଛି। କିନ୍ତୁ, ନବ କୁମାର କହନ୍ତି, “ହେଲେ ଏଭଳି ଏକ କ୍ଷେତ୍ର ରୂପେ ଶ୍ରେଣୀଭୁକ୍ତ ହେବା ପରେ ବି କୌଣସି ପରିବର୍ତ୍ତନ ଘଟିନାହିଁ। ଏହା କେବଳ ଲୋକଦେଖାଣିଆ। ଆମେ ନିଜେ ନିଜ ହିସାବରେ ଆମ କାମ କଥା ବୁଝୁଛୁ।”

୨୦୨୦ ଜାନୁଆରୀରେ ଏଠାକାର ପର ନିର୍ମିତ ଶଟଲ୍‌ ଶିଳ୍ପ ଏଭଳି ଏକ ଅନପେକ୍ଷିତ ଶଟଲ୍‌ର ସମ୍ମୁଖୀନ ହେଲା ଯାହାକୁ, ବ୍ୟାଡ୍‌ମିଣ୍ଟନ ଭାଷାରେ, ନେଟ୍‌ ଉପର ଦେଇ ଫେରସ୍ତ ଦେଇ ହେବ ନାହିଁ। ଅନ୍ତର୍ଜାତୀୟ ସ୍ତରରେ ବ୍ୟାଡ୍‌ମିଣ୍ଟନ ପରିଚାଳନା କରୁଥିବା ବିଶ୍ୱ ବ୍ୟାଡ୍‌ମିଣ୍ଟନ ମହାସଂଘ କେବଳ ସିନ୍ଥେଟିକ୍‌ ପରରେ ତିଆରି ଶଟଲ୍‌କୁ ସବୁ ସ୍ତରର ଖେଳରେ ବ୍ୟବହାର କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କଲା। “ଆର୍ଥିକ ଏବଂ ପରିବେଶଗତ” ଏବଂ ଏହି କ୍ରୀଡ଼ାର “ଦୀର୍ଘକାଳୀନ ସ୍ଥାୟିତ୍ୱ” କାରଣରୁ ଏହି ଅନୁମୋଦନ ଦିଆଯାଇଥିବା କୁହାଯାଇଥିଲା। ପରବର୍ତ୍ତୀ ସମୟରେ, ଏହା ବ୍ୟାଡମିଣ୍ଟନ ଆଇନ ର ଉପଧାରା ୨.୧ରେ ଆନୁଷ୍ଠାନିକ ଭାବେ ସ୍ଥାନ ପାଇଲା। ଏବେ ଏଥିରେ ଉଲ୍ଲେଖ କରାଯାଇଛି ଯେ, “ଏହି ଶଟଲ୍‌ ପ୍ରାକୃତିକ ଏବଂ/କିମ୍ବା ସିନ୍ଥେଟିକ୍‌ ସାମଗ୍ରୀରୁ ତିଆରି ହୋଇଥିବ।”

Left: Ranjit and Sanjib paste brand name covers on shuttle barrels.
PHOTO • Shruti Sharma
After weighing the shuttles, Ranjit fills each barrel with 10 pieces.
PHOTO • Shruti Sharma

ବାମ: ରଞ୍ଜିତ ଏବଂ ସଞ୍ଜୀବ ଶଟଲ୍‌ ବ୍ୟାରେଲ ଉପରେ ବ୍ରାଣ୍ଡ ନାଁ ଥିବା କଭର ଲଗାନ୍ତି। ଡାହାଣ: ରଞ୍ଜିତ ଶଟଲଗୁଡ଼ିକୁ ଓଜନ କରି ପ୍ରତି ବ୍ୟାରେଲ୍‌ରେ ୧୦ଟି ଲେଖାଏଁ ରଖନ୍ତି

“ପ୍ଲାଷ୍ଟିକ୍‌ କିମ୍ବା ନାଇଲନ୍‌ କ’ଣ ପର ସାଙ୍ଗରେ ପ୍ରତିଯୋଗିତା କରିପାରିବେ? ଏ ଖେଳର କ’ଣ ହେବ ମୁଁ ଜାଣିନି, କିନ୍ତୁ ଯେତେବେଳେ ସାରା ବିଶ୍ବରେ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ସେତେବେଳେ ଆମେ ଆଉ କେତେ ଦିନ ତିଷ୍ଠି ରହିବୁ ବୋଲି ଆପଣ ଭାବୁଛନ୍ତି?” ପ୍ରଶ୍ନ ପଚାରନ୍ତି ନବ କୁମାର। “ସିନ୍ଥେଟିକ୍‌ ଶଟଲ ତିଆରି କରିବା ଲାଗି ଆମ ପାଖରେ ବୈଷୟିକ ଜ୍ଞାନକୌଶଳ ନାହିଁ କି ଦକ୍ଷତା ନାହିଁ।”

ସେ କହନ୍ତି, “ଆଜିକାଲିର ଅଧିକାଂଶ କାରିଗର ମଧ୍ୟବୟସ୍କ କିମ୍ବା ବରିଷ୍ଠ ନାଗରିକ ଏବଂ ସେମାନଙ୍କ ପାଖରେ ୩୦ ବର୍ଷ କିମ୍ବା ତା’ଠାରୁ ଅଧିକ ଅଭିଜ୍ଞତା ରହିଛି। ପରବର୍ତ୍ତୀ ପିଢ଼ି ଆଉ ଏହାକୁ ଜୀବିକା ଅର୍ଜନର ଏକ ବିକଳ୍ପ ରୂପେ ଗ୍ରହଣ କରିବ ନାହିଁ।” ନାମକୁ ମାତ୍ର ରୋଜଗାର ଏବଂ ପରରେ ସୂକ୍ଷ୍ମ କାମ ଶିଖିବାକୁ ଅନେକ ସମୟ ଲାଗୁଥିବା କାରଣରୁ ନୂତନ ପିଢ଼ି ଏହି କାମ ଶିଖିବାକୁ ଆସୁ ନାହାନ୍ତି।

ନବ କୁମାର କହନ୍ତି, “ସରକାର ଯଦି ଉତ୍ତମ ଗୁଣମାନର ପର ଯୋଗାଣକୁ ସୁଗମ କରିବା, ଏହାର ଦରଦାମ ନିୟନ୍ତ୍ରଣ ସହିତ ଏ ସଂପର୍କିତ ଆଧୁନିକ ଜ୍ଞାନକୌଶଳ ଯୋଗାଇ ଦେବା ଦିଗରେ ପଦକ୍ଷେପ ନ ନିଅନ୍ତି, ତେବେ ଏହି ଶିଳ୍ପ ସଂପୂର୍ଣ୍ଣ ରୂପେ ଲୋପ ପାଇଯିବାକୁ ବେଶୀ ଦିନ ଲାଗିବ ନାହିଁ।”

ଏହି ଲେଖା ପ୍ରସ୍ତୁତିରେ ଅଦ୍ରିଶ ମାଇତିଙ୍କ ଅମୂଲ୍ୟ ସହଯୋଗ ପାଇଁ ଏହି ରିପୋର୍ଟର ଧନ୍ୟବାଦ ଜ୍ଞାପନ କରନ୍ତି।

ଏହି ଲେଖା ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମ୍‌ଏମ୍‌ଏଫ୍‌) ପକ୍ଷରୁ ପ୍ରଦତ୍ତ ଏକ ଫେଲୋସିପ୍‌ ସହାୟତାରେ ପ୍ରସ୍ତୁତ ହୋଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Shruti Sharma

শ্রুতি শর্মা ২০২২-২৩ সালের এমএমএফ-পারি ফেলো। কলকাতার সেন্টার ফর স্টাডিজ ইন সোশ্যাল সায়েন্সেস-এ ভারতে ক্রীড়াসামগ্রী নির্মাণের সামাজিক ইতিহাস নিয়ে পিএইচডি গবেষণা করছেন।

Other stories by Shruti Sharma
Editor : Sarbajaya Bhattacharya

সর্বজয়া ভট্টাচার্য বরিষ্ঠ সহকারী সম্পাদক হিসেবে পিপলস আর্কাইভ অফ রুরাল ইন্ডিয়ায় কর্মরত আছেন। দীর্ঘদিন যাবত বাংলা অনুবাদক হিসেবে কাজের অভিজ্ঞতাও আছে তাঁর। কলকাতা নিবাসী সর্ববজয়া শহরের ইতিহাস এবং ভ্রমণ সাহিত্যে সবিশেষ আগ্রহী।

Other stories by Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE