ବାଲାସାହେବ ଲୋଂଢ଼େ ଆଦୌ କଳ୍ପନା କରି ନଥିଲେ ଯେ, ୨୦ ବର୍ଷରୁ ଅଧିକ ସମୟ ତଳେ ସେ ନେଇଥିବା ଏକ ନିଷ୍ପତ୍ତିର ପରିଣତି ତାଙ୍କୁ ଆଜି ଭୋଗିବାକୁ ପଡ଼ିବ। ମହାରାଷ୍ଟ୍ରର ପୁନେ ଜିଲ୍ଲା ଅନ୍ତର୍ଗତ ଫୁରସୁଙ୍ଗି ନାମକ ଛୋଟିଆ ସହରରେ, ଗୋଟିଏ ନାମମାତ୍ର ଚାଷୀ ପରିବାରରେ ଜନ୍ମ ନେଇଥିବା ଲୋଂଢ଼େ ପିଲାଟି ଦିନରୁ ହିଁ ତାଙ୍କ ଚାଷଜମିରେ କାମ ଆରମ୍ଭ କରିଥିଲେ। ସେମାନେ ଏଥିରେ ମୁଖ୍ୟତଃ କପା ଚାଷ କରୁଥିଲେ। ତାଙ୍କୁ ବୟସ ୧୮ ବର୍ଷ ହେବା ପରେ, ଡ୍ରାଇଭର ଭାବରେ କାମ କରି ନିଜର ରୋଜଗାର ବଢ଼ାଇବାକୁ ସେ ସ୍ଥିର କଲେ।
“ମୋର ଜଣେ ବନ୍ଧୁ ମୋତେ ଗୋରୁଗାଈ ପରିବହନ ବ୍ୟବସାୟ କରୁଥିବା ଗୋଟିଏ ମୁସଲମାନ ପରିବାର ସହିତ ଚିହ୍ନା କରାଇ ଦେଲେ,” ୪୮ ବର୍ଷୀୟ ଲୋଂଢ଼େ କହନ୍ତି। “ସେମାନେ ଡ୍ରାଇଭର ଦରକାର କରୁଥିଲେ, ତେଣୁ ମୁଁ ସେହି କାମ ଆରମ୍ଭ କଲି।”
ଲୋଂଢ଼େ ଥିଲେ ଜଣେ ଉଦ୍ୟମୀ ଯୁବକ ଏବଂ ଏହି ବ୍ୟବସାୟକୁ ସେ ଖୁବ ମନଧ୍ୟାନ ଦେଇ ଅନୁଧ୍ୟାନ କରିଥିଲେ। ପ୍ରାୟ ଗୋଟିଏ ଦଶନ୍ଧି ପରେ, ଲୋଂଢ଼େକୁ ଲାଗିଲା ଯେ, ଏଥିରେ ସେ ବହୁତ କିଛି ଶିଖିସାରିଛନ୍ତି ଏବଂ ଯଥେଷ୍ଟ ସଞ୍ଚୟ ମଧ୍ୟ କରିସାରିଛନ୍ତି।
“ମୁଁ ୮ ଲକ୍ଷ ଟଙ୍କା ଦେଇ ଗୋଟିଏ ପୁରୁଣା ଟ୍ରକ୍ କିଣିଲି ଏବଂ ତା’ ପରେ ବି ମୋ ପାଖରେ ଆହୁରି ୨ ଲକ୍ଷ ଟଙ୍କା ପୁଞ୍ଜି ଥିଲା,” ସେ କହନ୍ତି। “୧୦ ବର୍ଷ ଭିତରେ ବଜାରର ଅନେକ ଚାଷୀ ଓ ବ୍ୟବସାୟୀଙ୍କ ସହିତ ମୋର ସଂପର୍କ ଗଢ଼ି ଉଠିଥିଲା।”
ଲୋଂଢ଼େଙ୍କ ଉଦ୍ୟମ ଫଳପ୍ରଦ ହେଲା। ଫସଲର ବିକ୍ରି ମୂଲ୍ୟ ହ୍ରାସ, ଦରଦାମ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ କାରଣରୁ ଯେତେବେଳେ ଚାଷକାମରେ କ୍ଷତି ହେଉଥିଲା, ସେତେବେଳେ ଲୋଂଢ଼େଙ୍କ ଏହି ବ୍ୟବସାୟରୁ ହିଁ ତାଙ୍କ ପରିବାର ଚଳୁଥିଲା।
ତାଙ୍କ କାମ ଥିଲା ବେଶ୍ ସରଳ: ବିକିବାକୁ ଚାହୁଁଥିବା ଚାଷୀଙ୍କ ପାଖରୁ ଗୋରୁଗାଈ ନେଇ ବିଭିନ୍ନ ଗାଁର ସାପ୍ତାହିକ ହାଟରେ ପହଞ୍ଚାଇବା ଏବଂ ସେଠାରେ ସେମାନଙ୍କୁ କୌଣସି କଂସେଇଖାନାକୁ କିମ୍ବା ସେମାନଙ୍କୁ ନେବା ପାଇଁ ଚାହୁଁଥିବା ଅନ୍ୟ ଚାଷୀମାନଙ୍କୁ ବିକ୍ରି କରି ସେ ବାବଦ କମିଶନ ପାଇବା। ୨୦୧୪ରେ, ସେ ଏହି ବ୍ୟବସାୟ ଆରମ୍ଭ କରିବାର ପ୍ରାୟ ଦଶ ବର୍ଷ ପରେ, ତାଙ୍କର ଏହି କାରବାର ବଢ଼ାଇବାକୁ ସେ ଆଉ ଗୋଟିଏ ଟ୍ରକ୍ କିଣିଲେ।
ଲୋଂଢ଼େଙ୍କ କହିବା ଅନୁସାରେ, ସେତେବେଳେ ପେଟ୍ରୋଲ, ଗାଡ଼ିର ରକ୍ଷଣାବେକ୍ଷଣ ଏବଂ ଡ୍ରାଇଭରଙ୍କ ଦରମା ବାବଦ ଖର୍ଚ୍ଚ ବାଦ୍ ଦେଇ ତାଙ୍କର ମାସିକ ରୋଜଗାର ପ୍ରାୟ ୧ ଲକ୍ଷ ଟଙ୍କା ଆଖପାଖରେ ରହୁଥିଲା। ମୁସଲମାନ କୁରେଶୀ ସଂପ୍ରଦାୟର ଏକାଧିପତ୍ୟ ରହିଥିବା ଏହି କାରବାରକୁ ଆଦରି ନେଇଥିବା ଅଳ୍ପ କେଇ ଜଣ ହିନ୍ଦୁଙ୍କ ମଧ୍ୟରୁ ସେ ଥିଲେ ଜଣେ। କିନ୍ତୁ ଏଥିରେ ତାଙ୍କୁ କିଛି ଫରକ ପଡୁ ନଥିଲା। “ସେମାନେ ଉଦାରତାର ସହିତ ମୋତେ ସେମାନଙ୍କର ସମ୍ଭାବ୍ୟ ଗ୍ରାହକ ଓ କାରବାର ବିଷୟରେ କହୁଥିଲେ,” ସେ କହନ୍ତି। “ମୁଁ ଭାବିଲି, ମୋର ଏହି ବ୍ୟବସାୟ ଜମି ଯାଇଛି।”
ହେଲେ ୨୦୧୪ରେ, ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତାକୁ ଆସିଲା ଏବଂ ଗୋ-ସୁରକ୍ଷା ଅଭିଯାନ ଜୋର୍ ଧରିଲା। ଭାରତର ବିଭିନ୍ନ ସ୍ଥାନରେ ଗୋ ସୁରକ୍ଷା ସଂପର୍କିତ ଅଭିଯାନ ସମୟରେ ହିଂସା ଏବଂ ଲୋକ ଭିଡ଼ ଭିତ୍ତିକ ବର୍ବରତା ନଜରକୁ ଆସିଲା। ଏହି ସବୁ ହିଂସାକାଣ୍ଡରେ ହିନ୍ଦୁ ରାଷ୍ଟ୍ରବାଦୀମାନେ ଅଣ-ହିନ୍ଦୁମାନଙ୍କୁ, ମୁଖ୍ୟତଃ ମୁସଲମାନମାନଙ୍କୁ ଆକ୍ରମଣ କଲେ। ହିନ୍ଦୁ ଧର୍ମରେ ଗାଈର ସ୍ଥାନ ପବିତ୍ର ଏବଂ ଗାଈମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନାଁରେ ଏହି ଆକ୍ରମଣ ସଂଘଟିତ ହେଲା।
୨୦୧୯ରେ ହ୍ୟୁମାନ ରାଇଟ୍ସ ୱାଚ୍ ନାମକ ନ୍ୟୁୟର୍କର ଏକ ମାନବିକ ଅଧିକାର ସଂସ୍ଥାର ରିପୋର୍ଟ ଅନୁସାରେ, ୨୦୧୫ ମେ’ ମାସରୁ ୨୦୧୮ ଡିସେମ୍ବର ଭିତରେ ଭାରତରେ ୧୦୦ରୁ ଅଧିକ ଗୋମାଂସ-ସଂକ୍ରାନ୍ତ ଆକ୍ରମଣ ସଂଘଟିତ ହୋଇଥିଲା ଏବଂ ଏଥିରେ ୨୮୦ ଜଣ ଆହତ ହେବା ସହିତ ୪୪ ଜଣ ପ୍ରାଣ ହରାଇଥିଲେ- ମୃତାହତଙ୍କ ମଧ୍ୟରେ ସଂଖ୍ୟାଧିକ ଥିଲେ ମୁସଲମାନ।
୨୦୧୭ରେ, ଇଣ୍ଡିଆସ୍ପେଣ୍ଡ ନାମକ ଏକ ଡାଟା ୱେବ୍ସାଇଟ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ, ୨୦୧୦ରୁ ଗୋ ସୁରକ୍ଷା ସଂପର୍କିତ ଘଟଣାବଳୀରେ ସଂଘଟିତ ସାମୂହିକ ଆକ୍ରମଣରେ ମୃତ୍ୟୁର ବିଶ୍ଳେଷଣ କରାଯାଇଥିଲା। ଏଥିରୁ ଜଣାଯାଇଥିଲା ଯେ ଏଭଳି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୮୬ ପ୍ରତିଶତ ମୁସଲମାନ ଏବଂ ମୋଦି କ୍ଷମତାକୁ ଆସିବା ପରେ ହିଁ ଏଭଳି ୯୭ ପ୍ରତିଶତ ଆକ୍ରମଣ ଘଟିଥିଲା। ଏବେ ଏହି ୱେବ୍ସାଇଟ୍ ଏଭଳି ଘଟଣାର ଖବର ରଖିବା ବନ୍ଦ କରିସାରିଛି।
ଲୋଂଢ଼େ କହନ୍ତି ଯେ, ଲୋକଙ୍କୁ ଜୀବନରେ ମାରି ଦେବାର ଧମକ ଦେବା ଭଳି ଘଟଣା ସମେତ ଏଭଳି ହିଂସାକାଣ୍ଡ ସଂଖ୍ୟା ଗତ ତିନି ବର୍ଷରେ ବୃଦ୍ଧି ପାଇଛି। ଦିନ ଥିଲା, ସେ ମାସକୁ ୧ ଲକ୍ଷ ଟଙ୍କା ରୋଜଗାର କରୁଥିଲେ, କିନ୍ତୁ ଏବେ ଲୋଂଢ଼େ, ଗତ ତିନି ବର୍ଷରେ ୩୦ ଲକ୍ଷ ଟଙ୍କା କ୍ଷତି ସହିଲେଣି। ସେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ଏବଂ ତାଙ୍କ ଡ୍ରାଇଭରମାନଙ୍କ ସୁରକ୍ଷା ପ୍ରତି ବିପଦ ଆଶଙ୍କାରେ ରହୁଛନ୍ତି।
“ଏହା ଏକ ଦୁଃସ୍ବପ୍ନ,” ସେ କହନ୍ତି।
*****
୨୦୨୩ ମସିହା ସେପ୍ଟେମ୍ବର ୨୧ରେ, ୧୬ଟି ମଇଁଷି ବୋଝେଇ ହୋଇଥିବା ଲୋଂଢ଼େଙ୍କ ଦୁଇଟି ଟ୍ରକ୍ ପୁନେର ଏକ ବଜାର ଅଭିମୁଖେ ଯାଉଥିଲା। ଏଠାରୁ ପ୍ରାୟ ଅଧ ଘଣ୍ଟାର ବାଟ ଦୂର, କାଟରାଜ ନାମକ ଛୋଟ ସହର ନିକଟରେ ଗୋ-ସୁରକ୍ଷା ଅଭିଯାନର ସଦସ୍ୟ ବା “ ଗୋ ରକ୍ଷକ ”ମାନେ ଟ୍ରକ୍ ଦୁଇଟିକୁ ଅଟକାଇଲେ।
ମହାରାଷ୍ଟ୍ରରେ ୧୯୭୬ ମସିହାରୁ ଗୋହତ୍ୟା ଉପରେ ନିଷେଧାଦେଶ ଲାଗୁ କରାଯାଇଛି। ୨୦୧୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ଏହାକୁ ସଂପ୍ରସାରିତ କରାଇ ଷଣ୍ଢ ଓ ବଳଦ କ୍ଷେତ୍ରରେ ମଧ୍ୟ ଲାଗୁ କରାଇଥିଲେ। ହେଲେ, ଏହି ନିଷେଧାଦେଶ ମଇଁଷିଙ୍କ କ୍ଷେତ୍ରରେ ଲାଗୁ କରାଯାଇ ନଥିଲା ଏବଂ ଲୋଂଢ଼େଙ୍କ ଟ୍ରକ୍ରେ ମଇଁଷି ହିଁ ନିଆଯାଉଥିଲା।
“ତଥାପି, ଦୁଇ ଡ୍ରାଇଭରଙ୍କ ସହିତ ମାରଧର କରାଯାଇଥିଲା, ଚାପୁଡ଼ା ମରାଯାଇଥିଲା ଏବଂ ଅଶ୍ଳୀଳ ଭାଷାରେ ଗାଳି ଦିଆଯାଇଥିଲା,” ଲୋଂଢ଼େ କହନ୍ତି। “ସେମାନଙ୍କ ମଧ୍ୟରୁ ଜଣେ ହିନ୍ଦୁ ଏବଂ ଅନ୍ୟ ଜଣକ ମୁସଲମାନ ଥିଲେ। ମୋ ପାଖରେ ଆଇନ ଅନୁସାରେ ଆବଶ୍ୟକ ସବୁ ଅନୁମତି ପତ୍ର ରହିଛି। ତଥାପି ମୋ ଟ୍ରକ୍ ଦୁଇଟିକୁ ଜବତ କରାଯାଇଥିଲା ଏବଂ ଥାନାକୁ ନିଆଯାଇଥିଲା।”
‘ଗୋରୁଗାଈ ବୋଝେଇ ଟ୍ରକ୍ ଚଲାଇବାରେ ଜୀବନ ଚାଲିଯିବାର ଆଶଙ୍କା ରହିଛି। ଏଥିରେ ମାନସିକ ଚାପ ଖୁବ୍ ବେଶି। ଏହି ଗୁଣ୍ଡା-ରାଜ୍ ଗ୍ରାମାଞ୍ଚଳର ଅର୍ଥନୀତିକୁ ନଷ୍ଟ କରିଦେଲାଣି। ଯେଉଁମାନେ ଆଇନ ଶୃଙ୍ଖଳାକୁ ବ୍ୟାହତ କରୁଛନ୍ତି, ସେମାନଙ୍କର ହିଁ ବିକାଶ ହେଉଛି'
ଅଳ୍ପ ଜାଗାରେ ଠେସାଠେସି କରି ଅଧିକ ସଂଖ୍ୟକ ମଇଁଷିଙ୍କୁ ଟ୍ରକ୍ରେ ନିଆଯାଉଥିଲା ଏବଂ ସେମାନଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା ନଥିଲା ବୋଲି ଦର୍ଶାଇ ପଶୁମାନଙ୍କ ପ୍ରତି ନିଷ୍ଠୁରତା ପ୍ରତିରୋଧ ଆଇନ, ୧୯୬୦ , ଅନୁସାରେ ପୁନେ ସିଟି ପୋଲିସ ଲୋଂଢ଼େ ଓ ତାଙ୍କର ଦୁଇ ଡ୍ରାଇଭରଙ୍କ ନାଁରେ ଅଭିଯୋଗ ଦାୟର କରିଥିଲା। “ଗୋ-ସୁରକ୍ଷାକାରୀମାନେ ଆକ୍ରମଣ କରୁଥିଲେ ଏବଂ ପୋଲିସ ସେମାନଙ୍କୁ ଅଟକାଉ ନଥିଲା,” ଲୋଂଢ଼େ କହନ୍ତି। “ଏହା କେବଳ ହଇରାଣ କରିବାର ଏକ ଉପାୟ ମାତ୍ର।”
ଲୋଂଢ଼େଙ୍କ ମଇଁଷିମାନଙ୍କୁ ପୁନେର ମୱାଲ ତାଲୁକା ଅନ୍ତର୍ଗତ ଧାମାନେ ଗାଁରେ ଥିବା ଏକ ଗୋଶାଳାକୁ ପଠାଇ ଦିଆଗଲା ଏବଂ ସେମାନଙ୍କୁ ଉଦ୍ଧାର କରିବା ଲାଗି ସେ ଆଇନଗତ ବାଟରେ ଯିବାକୁ ବାଧ୍ୟ ହେଲେ। ତାଙ୍କର ପାଖାପାଖି ୬.୫ ଲକ୍ଷ ଟଙ୍କା ବାଜିରେ ଲାଗିଥିଲା। ସେ ଏଠୁ ସେଠିକି ଧାଇଁବାରେ ଲାଗିଲେ ଏବଂ ଜଣେ ଭଲ ଓକିଲଙ୍କ ପରାମର୍ଶ ବି ନେଲେ।
ଦୁଇ ମାସ ପରେ, ୨୦୨୩ ନଭେମ୍ବର ୨୪ ତାରିଖ ଦିନ ପୁନେର ଶିବାଜୀ ନଗର ଦୌରା ଜଜ୍ଙ୍କ କୋର୍ଟ ରାୟ ଶୁଣାଇଲେ। ଗୋ-ରକ୍ଷକମାନେ ତାଙ୍କ ମଇଁଷିମାନଙ୍କୁ ଫେରାଇ ଦେବା ଲାଗି ବିଚାରପତିଙ୍କ ଆଦେଶ ଶୁଣି ଲୋଂଢ଼େ ଆଶ୍ୱସ୍ତ ହେଲେ। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଥାନାକୁ ଦିଆଗଲା।
ଦୁର୍ଭାଗ୍ୟବଶତଃ, ଲୋଂଢ଼େଙ୍କର ଏହି ଆଶ୍ୱସ୍ତି ମାତ୍ର କିଛି ସମୟ ପାଇଁ ରହିଲା। ଅଦାଲତ ତାଙ୍କ ସପକ୍ଷରେ ରାୟ ଦେବାର ପାଞ୍ଚ ମାସ ବିତିଯିବା ପରେ ବି ସେ ତାଙ୍କ ମଇଁଷିମାନଙ୍କୁ ଫେରି ପାଇନାହାନ୍ତି।
“ଅଦାଲତଙ୍କ ନିର୍ଦ୍ଦେଶ ପାଇବାର ଦୁଇ ଦିନ ପରେ, ପୋଲିସ ପାଖରୁ ମୁଁ ମୋ ଟ୍ରକ୍ ଦୁଇଟିକୁ ଫେରି ପାଇଲି,” ସେ କହନ୍ତି। “ଟ୍ରକ୍ ନ ଥିବାରୁ ସେହି ସମୟ ମଧ୍ୟରେ ମୁଁ କୌଣସି କାମ କରିପାରି ନଥିଲି। କିନ୍ତୁ, ତା’ପରେ ଯାହା ଘଟିଲା, ତାହା ଆହୁରି ନୈରାଶ୍ୟଜନକ।”
“ଅଦାଲତଙ୍କ ଆଦେଶ ବଳରେ ମୁଁ ମୋ ଟ୍ରକ୍ ଦୁଇଟି ଫେରି ପାଇଲି ସିନା, କିନ୍ତୁ ତା’ପରେ ଆସିଲା ହତାଶାର ଅନୁଭୂତି,” ଲୋଂଢ଼େ ମନେ ପକାଇ କହନ୍ତି। ସେ ତାଙ୍କ ମଇଁଷିମାନଙ୍କୁ ଆଣିବା ଲାଗି ସନ୍ତ ତୁକାରାମ ମହାରାଜ ଗୋଶାଳାକୁ ଗଲେ। ଗୋଶାଳା ଦାୟିତ୍ୱରେ ଥିବା ରୂପେଶ ଗାରାଡ଼େ ତାଙ୍କୁ ତା’ପରଦିନ ଆସିବା ଲାଗି କହିଲେ।
ପରବର୍ତ୍ତୀ ସମୟରେ, ଭିନ୍ନ ଭିନ୍ନ ଦିନରେ ବିଭିନ୍ନ ଆଳରେ ତାଙ୍କୁ ହଇରାଣ କରାଗଲା। ଗାରାଡ଼େ କହିଲେ, ମଇଁଷିମାନଙ୍କୁ ଛାଡ଼ିବା ପୂର୍ବରୁ ସେମାନଙ୍କର ଡାକ୍ତରୀ ପରୀକ୍ଷା ଲାଗି ଜଣେ ଡାକ୍ତର ମିଳୁନାହାନ୍ତି। ଆଉ କିଛି ଦିନ ପରେ, ଗୋଶାଳା ଦାୟିତ୍ୱରେ ଥିବା ବ୍ୟକ୍ତି ଜଣକ ଉପର କୋର୍ଟରୁ ଏକ ରହିତାଦେଶ ନେଇ ଆସିଲେ- ଯେଉଁଥିରେ ଦୌରା ଜଜ୍ଙ୍କ ଆଦେଶକୁ ଖାରଜ କରାଯାଇଥିଲା। ଲୋଂଢ଼େ କହନ୍ତି, ଏଥିରୁ ସ୍ପଷ୍ଟ ହେଉଥିଲା ଯେ, ଗାରାଡ଼େ ମଇଁଷିମାନଙ୍କୁ ନ ଫେରାଇବା ଲାଗି ସମୟ ଗଡ଼ାଇ ଚାଲିଛନ୍ତି। “ଆଉ ପୋଲିସ ତାଙ୍କର ସବୁ କଥାରେ ହଁ ଭରି ଚାଲିଥିଲା। ଏହା ହାସ୍ୟାସ୍ପଦ ଥିଲା।”
ପୁନେ ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା କୁରେଶୀ ସଂପ୍ରଦାୟର ବ୍ୟକ୍ତିମାନଙ୍କ ସହିତ ଆଲୋଚନାରୁ ଜଣାପଡ଼େ ଯେ, ଏହା କୌଣସି ତ୍ରୁଟିବିଚ୍ୟୁତି କାରଣରୁ ନୁହେଁ, ବରଂ ଏହା ଥିଲା ଗୋ-ରକ୍ଷକମାନଙ୍କର କାମ କରିବାର ଢଙ୍ଗ। ଅନେକ ବ୍ୟବସାୟୀ ଏହିଭଳି କ୍ଷତି ସହିଛନ୍ତି। ଗୋରୁଗାଈଙ୍କ ଅବସ୍ଥା କଥା ଚିନ୍ତା କରି ସେମାନଙ୍କୁ ଅଟକ ରଖାଯାଉଛି ବୋଲି ଗୋ-ରକ୍ଷକମାନେ କହୁଥିବା ବେଳେ କୁରେଶୀ ସଂପ୍ରଦାୟ ଏଥିରେ ସନ୍ଦେହ ପ୍ରକଟ କରନ୍ତି।
“ଯଦି ଏହି ଗୋରକ୍ଷକମାନେ ଗୃହପାଳିତ ପ୍ରାଣୀମାନଙ୍କ ପାଇଁ ଏତେ ଚିନ୍ତିତ, ତେବେ ସେମାନେ ଚାଷୀମାନଙ୍କୁ କାହିଁକି କିଛି କହୁନାହାନ୍ତି?” ପୁନେର ଜଣେ ୫୨ ବର୍ଷୀୟ ବ୍ୟବସାୟୀ ସମୀର କୁରେଶୀ ପଚାରନ୍ତି। “ସେମାନେ ହିଁ ଏହାକୁ ବିକ୍ରି କରିଦେଉଛନ୍ତି। ଆମେ କେବଳ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବାଆଣିବା କରୁ। ମୁସଲମାନମାନଙ୍କୁ ଭୟଭୀତ କରାଇବା ହିଁ ଏହା ପଛର ପ୍ରକୃତ କାରଣ।”
୨୦୨୩ ଅଗଷ୍ଟରେ ସମୀରଙ୍କର ଏହିଭଳି ଏକ ଅନୁଭୂତି ହୋଇଥିଲା। ସେତେବେଳେ ତାଙ୍କ ଟ୍ରକ୍କୁ ଅଟକ ରଖାଯାଇଥିଲା। ମାସକ ପରେ, ଅଦାଲତ ତାଙ୍କ ସପକ୍ଷରେ ଦେଇଥିବା ନିର୍ଦ୍ଦେଶନାମା ଧରି ସେ ତାଙ୍କ ଗାଡ଼ି ମୁକୁଳାଇବା ଲାଗି ପୁରନ୍ଧର ତାଲୁକା ଅନ୍ତର୍ଗତ ଜେନ୍ଦେୱାଡ଼ି ଗାଁର ଗୋଶାଳାକୁ ଗଲେ।
“କିନ୍ତୁ ମୁଁ ଯେତେବେଳେ ସେହି ସ୍ଥାନରେ ପହଞ୍ଚିଲି, ମୋର କୌଣସି ପଶୁଙ୍କୁ ଦେଖି ପାରିଲିନି,” ସମୀର କହନ୍ତି। “ମୋର ପାଞ୍ଚଟି ମଇଁଷି ଓ ୧୧ଟି ବାଛୁରୀ ଥିଲେ ଏବଂ ସେମାନଙ୍କର ମୂଲ୍ୟ ୧.୬ ଲକ୍ଷ ଟଙ୍କା।”
କାଳେ କେହି ଜଣେ ଆସି ତାଙ୍କର ହଜିଯାଇଥିବା ମଇଁଷିମାନଙ୍କର ଖବର ଦେବେ ବୋଲି ଭାବି ଭାବି ଅପରାହ୍ଣ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ, ଧୈର୍ଯ୍ୟର ସହିତ ଅପେକ୍ଷା କଲେ ସମୀର। ଶେଷରେ, ପୋଲିସ ଅଫିସର ଜଣକ ତା’ପର ଦିନ ପୁଣି ଆସିବାକୁ କହି ତାଙ୍କୁ ଫେରିଯିବାକୁ ବାଧ୍ୟ କଲେ। “ପୋଲିସ ସେମାନଙ୍କୁ ପ୍ରଶ୍ନ ପଚାରିବାକୁ ଭୟ କରୁଥିଲା,” ସମୀର କହନ୍ତି। “ତା ପରଦିନ ମୁଁ ଆସିବା ବେଳକୁ ଗୋ-ରକ୍ଷକମାନେ ଏକ ରହିତାଦେଶ ଧରି ପ୍ରସ୍ତୁତ ହୋଇ ରହିଥିଲେ।”
ମାନସିକ ଚାପରେ ତ ରହିବେ, ତା’ସାଙ୍ଗକୁ ଯେତିକି ଟଙ୍କାର ମଇଁଷି ତା’ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିବାର ଆଶଙ୍କା କରି ଅଦାଲତରେ ମକଦ୍ଦମା ଲଢ଼ିବା ଛାଡ଼ି ଦେଲେ ସମୀର। “କିନ୍ତୁ ମୁଁ ଜାଣିବାକୁ ଚାହେଁ ଯେ, ଜବତ କରିବା ପରେ ସେହି ଗୃହପାଳିତ ପଶୁମାନଙ୍କୁ ସେମାନେ କ’ଣ କରନ୍ତି ?” ସେ ପଚାରନ୍ତି। “ମୋର ପଶୁମାନେ କୁଆଡ଼େ ଗଲେ? ଏଭଳି ଘଟଣା ଦେଖିବାରେ ମୁଁ ଏକା ନୁହେଁ। ଗୋ-ରକ୍ଷକମାନେ ଜବତ କରିବା ପରେ ସେମାନଙ୍କର ଗୃହପାଳିତ ପଶୁମାନେ ଉଭାନ୍ ହୋଇଯାଉଥିବା କଥା ମୋର ଅନେକ ବନ୍ଧୁ ଦେଖିଛନ୍ତି। ସେମାନେ କ’ଣ ସେମାନଙ୍କୁ ବିକ୍ରି କରିଦେଉଛନ୍ତି? ଏହା ପଛରେ କ’ଣ ଏକ ସଂଗଠିତ ଷଡ଼ଯନ୍ତ୍ର ରହିଛି?”
ବ୍ୟବସାୟୀମାନଙ୍କ କହିବା କଥା ଯେ, କେବେ କେମିତି ଯଦି ଗୋ-ରକ୍ଷକମାନେ ଜବତ କରିଥିବା ପଶୁଧନକୁ ଛାଡ଼ି ଦିଅନ୍ତି, ତେବେ ଅଦାଲତରେ ମାମଲା ଚାଲିଥିବା ସମୟରେ ପଶୁମାନଙ୍କର ଦେଖାରଖା ବାବଦ ଖର୍ଚ୍ଚ ଦେବାକୁ କହିଥାଆନ୍ତି। ପୁନେର ଆଉ ଜଣେ ବ୍ୟବସାୟୀ, ୨୮ ବର୍ଷୀୟ ଶାହନୱାଜ କୁରେଶୀ କହନ୍ତି, ଗୋ-ରକ୍ଷକମାନେ ପ୍ରତି ଗୃହପାଳିତ ପଶୁ ପିଛା ଦିନକୁ ୫୦ ଟଙ୍କା ହିସାବରେ ଟଙ୍କା ମାଗନ୍ତି। “ତା’ର ଅର୍ଥ, ଯଦି ସେମାନେ ୧୫ଟି ଗୋରୁଗାଈଙ୍କୁ ଦୁଇ ମାସ ପାଇଁ ରଖନ୍ତି, ତେବେ ଆମକୁ ୪୫,୦୦୦ ଟଙ୍କା ଦେବାକୁ ପଡ଼ିବ,” ସେ କହନ୍ତି। “ବର୍ଷ ବର୍ଷ ହେଲା ଆମେ ଏହି ବ୍ୟବସାୟ କରିଆସୁଛୁ। ଏତେ ଟଙ୍କା ମାଗିବା ଅତି ଅଯୌକ୍ତିକ ଏବଂ ଏହା ବେଆଇନ ଟଙ୍କା ଆଦାୟରୁ କିଛି କମ ନୁହେଁ।”
ପୁନେ ଜିଲ୍ଲାର ଏକ ଛୋଟ ସହର ସାସୱଡ଼ରେ ଗୋରୁଗାଈ ନେଇ ଯାଉଥିବା ଗୋଟିଏ ଟ୍ରକ୍ର ଡ୍ରାଇଭରଙ୍କୁ ମାଡ଼ ମରାଯାଉଥିବା ଘଟଣା ଦେଖିଥିଲେ ସୁମିତ ଗାୱଡ଼େ ନାମକ ଜଣେ ୧୪ ବର୍ଷର କିଶୋର। ଏହି ଘଟଣା ଘଟିଥିଲା ୨୦୧୪ରେ।
“ମୋ ଦେହରେ ଶିହରଣ ଖେଳିଗଲା,” ଗାୱଡ଼େ କହନ୍ତି। “ମୁଁ (ମଧ୍ୟ) ଏହା କରିବା କଥା ବୋଲି ଭାବିଲି।”
ପଶ୍ଚିମ ମହାରାଷ୍ଟ୍ରର ଯେଉଁ ଅଞ୍ଚଳରେ ପୁନେ ଜିଲ୍ଲା ଅବସ୍ଥିତ, ସେଠାରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି ୮୮ ବର୍ଷୀୟ ସମ୍ଭାଜୀ ଭିଡ଼େ , ଜଣେ ଉଗ୍ର ହିନ୍ଦୁ ରାଷ୍ଟ୍ରବାଦୀ। ଅତୀତରେ ସେ ଛୋଟପିଲାମାନଙ୍କୁ ଭୁଲ ବାଟରେ ଯିବା ଲାଗି ପ୍ରବର୍ତ୍ତାଇବା ସହିତ ବୀର ମହାରାଜା ଶିବାଜୀଙ୍କ ଉତ୍ତରାଧିକାରର ଅପବ୍ୟବହାର କରୁଥିବାର ନଜିର ରହିଛି। ଏବଂ ଏ ସବୁ କେବଳ ମୁସଲମାନ ବିରୋଧୀ କଥାର ପ୍ରସାର ଲାଗି ଉଦ୍ଦିଷ୍ଟ ଥିଲା।
“ମୁଁ ତାଙ୍କର ଅନେକ ଭାଷଣ ଶୁଣିଛି। ସେଥିରେ ସେ କହନ୍ତି କେମିତି ମୋଗଲମାନଙ୍କୁ ଶିବାଜୀ ପରାସ୍ତ କରିଥିଲେ”, କହନ୍ତି ଗାୱଡ଼େ। “ସେ ଲୋକଙ୍କୁ ହିନ୍ଦୁ ଧର୍ମ ବିଷୟରେ ଏବଂ ନିଜକୁ ସୁରକ୍ଷିତ ରଖିବାର ଆବଶ୍ୟକତା ବିଷୟରେ ଶିକ୍ଷା ଦିଅନ୍ତି।”
୧୪ ବର୍ଷର ଜଣେ ଅପରିପକ୍ୱ ବୟସର କିଶୋରଙ୍କ ମନରେ ଶକ୍ତି ଭରି ଦେଇଥିଲା ଭିଡ଼େଙ୍କ ଭାଷଣ। ଗାୱଡ଼େ କହନ୍ତି, ଗୋ-ସୁରକ୍ଷା ସଂପର୍କିତ କାର୍ଯ୍ୟକଳାପକୁ ଖୁବ୍ ନିକଟରୁ ଦେଖି ତାଙ୍କ ମନରେ ଉତ୍ତେଜନା ଭରିଯାଇଥିଲା। ସେ ଭିଡ଼େଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବ ପ୍ରତିଷ୍ଠାନ ହିନ୍ଦୁସ୍ଥାନ ନାମକ ଏକ ସଂଗଠନର ଜଣେ ନେତା ପଣ୍ଡିତ ମୋଡ଼କଙ୍କ ସଂସ୍ପର୍ଶରେ ଆସିଲେ।
ସାସୱଡ଼ରେ ରହୁଥିବା ମୋଡ଼କ ପୁନେର ଜଣେ ବିଶିଷ୍ଟ ହିନ୍ଦୁ ରାଷ୍ଟ୍ରବାଦୀ ନେତା ଏବଂ ଏବେ ବିଜେପି ସହିତ ତାଙ୍କର ଘନିଷ୍ଠ ସଂପର୍କ ରହିଛି। ସାସ୍ୱଡ଼ ଓ ଏହାର ଆଖପାଖ ଅଞ୍ଚଳର ଗୋ-ରକ୍ଷକମାନେ ମୋଡ଼କଙ୍କ ଆଦେଶ ପାଳନ କରନ୍ତି।
ଆଜିକୁ ଦଶ ବର୍ଷ ହେଲା ଗାୱଡ଼େ ମୋଡ଼କଙ୍କ ପାଇଁ କାମ କରିଆସୁଛନ୍ତି ଏବଂ ସେ ଏହି ଲକ୍ଷ୍ୟ ହାସଲ ଦିଗରେ ଅଙ୍ଗୀକାରବଦ୍ଧ। “ରାତି ୧୦ଟା ୩୦ରୁ ଆମର ଯାଞ୍ଚ ଅଭିଯାନ ଆରମ୍ଭ ହୁଏ ଏବଂ ଭୋର ଚାରିଟା ଯାଏଁ ଚାଲେ,” ସେ କହନ୍ତି। “କିଛି ସନ୍ଦେହ ହେଲେ ଆମେ ଟ୍ରକ୍କୁ ଅଟକାଉ। ଆମେ ଡ୍ରାଇଭରଙ୍କୁ ଜେରା କରୁ ଏବଂ ଥାନାକୁ ନେଇଯାଉ। ପୋଲିସ ସବୁବେଳେ ଆମକୁ ସହଯୋଗ ଦେଇଆସିଛି।”
ଦିନବେଳା ଗାୱଡ଼େ କୋଠାବାଡ଼ି ନିର୍ମାଣ କାମ କରନ୍ତି। କିନ୍ତୁ, ସେ କହନ୍ତି, ଜଣେ “ ଗୌ-ରକ୍ଷକ ” ହେବା ଦିନଠାରୁ ଆଖପାଖର ଲୋକେ ତାଙ୍କ ପ୍ରତି ସମ୍ମାନଜନକ ବ୍ୟବହାର ପ୍ରଦର୍ଶନ ଆରମ୍ଭ କରିଛନ୍ତି। “ମୁଁ ପଇସା ପାଇଁ ଏହା କରେ ନାହିଁ,” ସେ ସ୍ପଷ୍ଟ କରିଦିଅନ୍ତି। “ଆମେ ଆମ ଜୀବନକୁ ବାଜି ଲଗାଉ ଏବଂ ଆମ ଚାରିପାଖେ ରହିଥିବା ହିନ୍ଦୁମାନେ ତାହାକୁ ସ୍ୱୀକାର କରନ୍ତି।”
ଯେଉଁ ତାଲୁକାରେ ସାସୱଡ଼ ଗାଁ ପଡ଼େ, କେବଳ ସେହି ପୁରନ୍ଧର ତାଲୁକାରେ, ପ୍ରାୟ ୧୫୦ ଗୋ-ରକ୍ଷକ ଅଛନ୍ତି ବୋଲି ଗାୱଡ଼େ କହନ୍ତି। “ଆମ ଲୋକେ ସବୁ ଗାଁରେ ଅଛନ୍ତି ଏବଂ ଜଣେ ଅନ୍ୟ ଜଣକ ସହ ସଂପର୍କ ରଖିଛନ୍ତି,” ସେ କହନ୍ତି। “ସେମାନେ ହୁଏତ ଗୋ-ସୁରକ୍ଷା ଅଭିଯାନରେ ସାମିଲ ହୋଇ ନପାରନ୍ତି, କିନ୍ତୁ କୌଣସି ସନ୍ଦେହଜନକ ଟ୍ରକ୍ ଦେଖିଲେ ସେମାନେ ସାଙ୍ଗେ ସାଙ୍ଗେ ଖବର ଦିଅନ୍ତି।”
ଗାଈ ଗ୍ରାମାଞ୍ଚଳ ଅର୍ଥନୀତିର କେନ୍ଦ୍ରସ୍ଥଳରେ ରହିଆସିଛି। ବର୍ଷ ବର୍ଷ ଧରି, ଚାଷୀମାନେ ସେମାନଙ୍କ ଗୋରୁଗାଈଙ୍କୁ ବୀମା ରୂପେ ବ୍ୟବହାର କରିଆସିଛନ୍ତି। ବିବାହ, ଔଷଧପତ୍ର ଖର୍ଚ୍ଚ କିମ୍ବା ଆଗାମୀ ଫସଲ ଋତୁରେ ବିନିଯୋଗ ଲାଗି ତାତ୍କାଳିକ ଧନରାଶି ପାଇବାରେ ପଶୁଧନ ହିଁ ସେମାନଙ୍କୁ ସହାୟତା କରିଆସିଛି।
ହେଲେ, ଗୋ-ସୁରକ୍ଷା ଅଭିଯାନ କର୍ମୀ ଗୋଷ୍ଠୀମାନଙ୍କର ବ୍ୟାପକ ଉପସ୍ଥିତି ତାହାକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଛି। ବର୍ଷକୁ ବର୍ଷ ସେମାନଙ୍କ କାର୍ଯ୍ୟକଳାପ ଉଗ୍ର ରୂପ ନେବା ସହିତ ସଂଖ୍ୟାରେ ସେମାନଙ୍କର ଶକ୍ତି ବଢ଼ିବାରେ ଲାଗିଛି। ସଂପ୍ରତି, ଶିବ ପ୍ରତିଷ୍ଠାନ ହିନ୍ଦୁସ୍ଥାନ ବ୍ୟତୀତ, ଆଉ ଚାରିଟି ହିନ୍ଦୁ ରାଷ୍ଟ୍ରବାଦୀ ଗୋଷ୍ଠୀ ଗଢ଼ି ଉଠିଛି- ବଜରଙ୍ଗ ଦଳ, ହିନ୍ଦୁ ରାଷ୍ଟ୍ର ସେନା, ସମସ୍ତ ହିନ୍ଦୁ ଆଗାଡ଼ି ଏବଂ ହୋୟ ହିନ୍ଦୁ ସେନା। ଏହି ସବୁ ସଂଗଠନର ଇତିହାସରେ ରହିଛି ରକ୍ତାକ୍ତ ହିଂସାକାଣ୍ଡ ଏବଂ ଏମାନେ ଏବେ କେବଳ ପୁନେ ଜିଲ୍ଲାରେ ସକ୍ରିୟ ଅଛନ୍ତି।
ଗାୱଡ଼େ କହନ୍ତି, “ବାସ୍ତବ କ୍ଷେତ୍ରରେ ଏହି କର୍ମୀମାନେ ପରସ୍ପର ପାଇଁ କାମ କରନ୍ତି। ଗଠନ ଶୈଳୀ ହିଁ ସେମିତି ଖାପ ଖୁଆଇ ଚଳିବା ଭଳି। ଆମର ଉଦ୍ଦେଶ୍ୟ ସମାନ ହୋଇଥିବାରୁ ଆମେ ପରସ୍ପରକୁ ସାହାଯ୍ୟ କରୁ।”
ଗାୱଡ଼େ କହନ୍ତି ଯେ, କେବଳ ପୁରନ୍ଧରରେ ପ୍ରତି ମାସରେ ଗୋ-ରକ୍ଷକମାନେ ପ୍ରାୟ ପାଞ୍ଚଟି ଟ୍ରକ୍ ଅଟକାଇ ଯାଞ୍ଚ କରନ୍ତି। ଏହି ସବୁ ଭିନ୍ନ ଭିନ୍ନ ଗୋଷ୍ଠୀର ସଦସ୍ୟମାନେ ଅତି କମ୍ରେ ପୁନେର ସାତଟି ତାଲୁକାରେ ସକ୍ରିୟ ରହିଛନ୍ତି। ତା’ର ଅର୍ଥ ମାସକୁ ୩୫ଟି ଟ୍ରକ୍, କିମ୍ବା ବର୍ଷକୁ ୪୦୦।
ଗଣିତ ବତାଇ ଦିଏ।
କୁରେଶୀ ସଂପ୍ରଦାୟର ବରିଷ୍ଠ ସଦସ୍ୟମାନଙ୍କ ଆକଳନ ଅନୁସାରେ କେବଳ ୨୦୨୩ ମସିହାରେ ସେମାନଙ୍କର ୪୦୦ରୁ ୪୫୦ଟି ଗାଡ଼ି ଜବତ କରାଯାଇଥିଲା- ପ୍ରତି ଗାଡ଼ିରେ ଅତି କମ୍ରେ ୨ ଲକ୍ଷ ଟଙ୍କା ମୂଲ୍ୟର ପଶୁଧନ ରହିଥିଲା। ନିହାତି ରକ୍ଷଣଶୀଳ ଭାବେ ହିସାବ କଲେ ବି ମହାରାଷ୍ଟ୍ରର ମୋଟ ୩୬ଟି ଜିଲ୍ଲା ମଧ୍ୟରୁ କେବଳ ଗୋଟିକରେ ଗୋ-ରକ୍ଷକମାନଙ୍କ ଯୋଗୁଁ ସେମାନଙ୍କର ୮ କୋଟି ଟଙ୍କା କ୍ଷତି ହୋଇଛି। ଏହା ଫଳରେ କୁରେଶୀ ସଂପ୍ରଦାୟ ସେମାନଙ୍କର ଜୀବିକା ପରିତ୍ୟାଗ ଦିଗରେ ବିଚାର କରିବାକୁ ବାଧ୍ୟ ହୋଇଛନ୍ତି।
“ଆମେ କେବେହେଲେ ଆଇନକୁ ନିଜ ହାତକୁ ନେଉନାହିଁ,” ଗାୱଡ଼େ ଦାବି କରନ୍ତି। “ଆମେ ସବୁବେଳେ ନିୟମ ପୁସ୍ତିକା ଅନୁସାରେ କାମ କରୁ।”
ହେଲେ, ଏଭଳି ଗୋ-ସୁରକ୍ଷା ଅଭିଯାନର ରୋଷର ଶିକାର ହୋଇଥିବା ଟ୍ରକ୍ ଡ୍ରାଇଭରମାନଙ୍କ ମୁହଁରୁ ପୂରା ଓଲଟା କଥା ଶୁଣିବାକୁ ମିଳେ।
*****
୨୦୨୩ ମସିହା ପ୍ରାରମ୍ଭରେ, ୨୫ଟି ମଇଁଷି ନେଇ ଯାଉଥିବା ଶବିର ମୌଲାନିଙ୍କ ଗୋଟିଏ ଟ୍ରକ୍କୁ ସାସୱଡ଼ ନିକଟରେ ଗୋ-ରକ୍ଷକମାନେ ଅଟକାଇଲେ। ଏବେ ବି ସେହି ଭୟଙ୍କର ରାତିର କଥା ମନେ ପକେଇ ସେ ଶିହରି ଉଠନ୍ତି।
“ମୁଁ ଭାବିଲି ସେହି ରାତିରେ ସେମାନେ ମୋତେ ବାଡ଼େଇ ବାଡ଼େଇ ମାରିଦେବେ,” ପୁନେର ଉତ୍ତର ଦିଗରେ ପ୍ରାୟ ଦୁଇ ଘଣ୍ଟାର ବାଟ ଦୂର ସାତାର ଜିଲ୍ଲାର ଭାଡ଼ଲେ ଗାଁ ବାସିନ୍ଦା ୪୩ ବର୍ଷୀୟ ମୌଲାନି କହନ୍ତି। “ମୋତେ ସେମାନେ ଗାଳି ଦେଲେ ଏବଂ ନିର୍ଘାତ ପିଟିଲେ। ମୁଁ କେବଳ ଜଣେ ଡ୍ରାଇଭର ବୋଲି ସେମାନଙ୍କୁ କହିବାକୁ ଚେଷ୍ଟା କଲି, କିନ୍ତୁ ସେମାନେ ତାହା ଶୁଣିଲେନି।”
ଆହତ ଅବସ୍ଥାରେ ମୌଲାନିଙ୍କୁ ଥାନାକୁ ନିଆଗଲା ଏବଂ ସେଠାରେ ତାଙ୍କ ବିରୋଧରେ ପଶୁମାନଙ୍କ ପ୍ରତି ନିଷ୍ଠୁରତା ଆଇନ ଅନୁସାରେ ଅଭିଯୋଗ ଦାୟର କରାଗଲା। ତାଙ୍କୁ ମାଡ଼ ମାରିଥିବା ଲୋକମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। “ଗୋ-ସୁରକ୍ଷା ସଂଗଠନର କର୍ମୀମାନେ ମୋ ଟ୍ରକ୍ରୁ ନଗଦ ୨୦,୦୦୦ ଟଙ୍କା ଲୁଟି ନେଇଥିଲେ,” ସେ କହନ୍ତି। “ମୁଁ ପୋଲିସକୁ ବୁଝାଇବାକୁ ଚେଷ୍ଟା କଲି। ଆରମ୍ଭରୁ ସେମାନେ ମୋ କଥା ଶୁଣିଲେ। କିନ୍ତୁ, ତା’ପରେ ମୋଡ଼କ ତାଙ୍କ କାର୍ରେ ଆସି ପହଞ୍ଚିଲେ ଏବଂ ପୋଲିସ ତାଙ୍କ ନିର୍ଦ୍ଦେଶ ଅନୁସାରେ ସବୁ କାମ କରିବାରେ ଲାଗିଲା।”
ମାସକୁ ୧୫,୦୦୦ ଟଙ୍କା ରୋଜଗାର କରୁଥିବା ମୌଲାନି ମାସକ ପରେ ତାଙ୍କ ମାଲିକଙ୍କ ଟ୍ରକ୍କୁ ଉଦ୍ଧାର କରିବାରେ ସକ୍ଷମ ହେଲେ। କିନ୍ତୁ ଟ୍ରକ୍ରେ ଥିବା ପଶୁଧନ ଏ ପର୍ଯ୍ୟନ୍ତ ଗୋ-ରକ୍ଷକମାନଙ୍କ ପାଖରେ ଅଛି। “ଆମେ ଯଦି କିଛି ବେଆଇନ କାମ କରିଛୁ, ତେବେ ପୋଲିସ ଆମକୁ ଦଣ୍ଡ ଦେଉ,” ସେ କହନ୍ତି। “କିନ୍ତୁ, କେଉଁ ଅଧିକାର ବଳରେ ସେମାନେ ଆମକୁ ରାସ୍ତାରେ ପିଟିବେ?”
ଏବେ ପ୍ରତି ଥର ମୌଲାନି ଘରୁ ବାହାରକୁ ଗଲା ପରେ, ତାଙ୍କ ପତ୍ନୀ, ୪୦ ବର୍ଷୀୟା ସମୀନା ଶୋଇ ପାରନ୍ତି ନାହିଁ। ସେ ତାଙ୍କୁ ପ୍ରତି ଅଧ ଘଣ୍ଟାରେ ଥରେ ଫୋନ୍ କରୁଥାଆନ୍ତି। କେବଳ ଏତିକି ନିଶ୍ଚିତ କରିବାକୁ ଯେ ସେ ବଞ୍ଚିଛନ୍ତି। “ଆପଣ ତାଙ୍କୁ ଦୋଷ ଦେଇପାରିବେନି,” ସେ କହନ୍ତି। “ମୁଁ ଏହି କାମ ଛାଡ଼ିବାକୁ ଚାହେଁ । କିନ୍ତୁ ଏହି କାମକୁ ହିଁ ମୁଁ ମୋ ଜୀବନ ସାରା କରିଆସିଛି। ମୋ ଘରେ ଦୁଇଟି ପିଲା ଓ ଅସୁସ୍ଥ ମାଆ ଅଛନ୍ତି। ଘର ଚଳାଇବା ଲାଗି ମୋର ପଇସା ଦରକାର।”
ମୌଲାନିଙ୍କ ମାମଲା ଭଳି ଅନେକ ମାମଲା ପରିଚାଳନା କରିଥିବା ସାତାରାର ଜଣେ ଓକିଲ ସର୍ଫରାଜ ସୟାଦ କହନ୍ତି ଯେ, ଗୋ-ରକ୍ଷକମାନେ ଅଟକାଉଥିବା ଟ୍ରକ୍ଗୁଡ଼ିକରୁ ସବୁବେଳେ ଟଙ୍କା ଲୁଟି ନିଅନ୍ତି ଏବଂ ଡ୍ରାଇଭରମାନଙ୍କୁ ନିର୍ଦ୍ଦୟ ଭାବରେ ପିଟନ୍ତି। “କିନ୍ତୁ ଏ ସଂପର୍କରେ ଏତଲାଟିଏ ବି ଦାୟର ହୁଏ ନାହିଁ,” ସେ କହନ୍ତି। “ଏଠାରେ କାହିଁ କେଉ କାଳରୁ ଗୃହପାଳିତ ପଶୁ ପରିବହନ କାରବାର ଚଳିଆସୁଛି ଏବଂ ପଶ୍ଟିମ ମହାରାଷ୍ଟ୍ର ଅଞ୍ଚଳର ସବୁ ବଜାର ଅତି ଜଣାଶୁଣା ବଜାର। ସେମାନେ ସମସ୍ତେ ସେହି ସମାନ ରାଜପଥରେ ଯା’ଆସ କରୁଥିବାରୁ ଟ୍ରକ୍ଗୁଡ଼ିକୁ ଠାବ କରିବା ଏବଂ ଡ୍ରାଇଭରମାନଙ୍କୁ ହଇରାଣ କରିବା ସେମାନଙ୍କ ପକ୍ଷରେ ଆଦୌ କଷ୍ଟକର ନୁହେଁ।”
ଲୋଂଢ଼େ କହନ୍ତି ଯେ, ଡ୍ରାଇଭର ନିଯୁକ୍ତି ଦେବା ଦିନକୁ ଦିନ କଷ୍ଟକର ହେବାରେ ଲାଗିଛି। “ଯଦିବା ସେଥିରେ ମଜୁରି କମ୍ ଏବଂ ସବୁଦିନ କାମ ମିଳେନାହିଁ, ତଥାପି ଅନେକ ଡ୍ରାଇଭର ଶ୍ରମିକ ରୂପେ କାମ କରିବାକୁ ପସନ୍ଦ କଲେଣି,” ସେ କହନ୍ତି। “ଗୃହପାଳିତ ପଶୁ ବୋଝେଇ ଟ୍ରକ୍ ଚଳାଇ ଯିବା ମାନେ ନିଜ ଜୀବନକୁ ବିପନ୍ନ କରିବା। ଏଥିରେ ମାନସିକ ଚାପ ବି ଖୁବ୍ ବେଶି। ଏହି ଗୁଣ୍ଡା-ରାଜ୍ ଗ୍ରାମାଞ୍ଚଳର ଅର୍ଥନୀତିକୁ ନଷ୍ଟ କରିଦେଲାଣି।”
ଆଜିକାଲି, ପଶୁଧନ ବିକିଲେ ଚାଷୀମାନଙ୍କୁ କମ୍ ପଇସା ମିଳୁଛି ବୋଲି ସେ କହନ୍ତି। ବେପାରୀମାନେ କ୍ଷତି ସହୁଛନ୍ତି ଏବଂ ଡ୍ରାଇଭର ଅଭାବରୁ ଅତ୍ୟଧିକ ଚାପରେ ରହିଥିବା ଶ୍ରମ ବଜାର ନିମ୍ନମୁଖୀ ହେବାରେ ଲାଗିଛି।
“ଯେଉଁମାନେ ଆଇନ ଶୃଙ୍ଖଳା ସ୍ଥିତିରେ ବ୍ୟାଘାତ ସୃଷ୍ଟି କରୁଛନ୍ତି କେବଳ ସେହିମାନଙ୍କର ହିଁ ବିକାଶ ହେଉଛି।”
ଅନୁବାଦ: ଓଡ଼ିଶାଲାଇଭ୍