‘‘ଜଳସ୍ତର ବଢ଼ିଲେ, ଭୟରେ ଆମ ଅନ୍ତରାତ୍ମା ଥରିଉଠେ,’’ ହରେଶ୍ୱର ଦାସ କୁହନ୍ତି । ଆସାମ ବଗ୍ରିବାରୀର ବାସିନ୍ଦା ହରେଶ୍ୱର କୁହନ୍ତି, ବର୍ଷା ଋତୁରେ ନିକଟସ୍ଥ ପୁଠିମାରୀ ନଦୀର ଜଳସ୍ତର ବଢ଼ିଲେ ଗାଁ ଲୋକଙ୍କୁ ସର୍ବଦା ସତର୍କ ରହିବାକୁ ପଡ଼ିଥାଏ କାରଣ ବନ୍ୟା ଜଳ ଗାଁରେ ଥିବା ସେମାନଙ୍କ ଘର ଓ ଫସଲକୁ ସମ୍ପୂର୍ଣ୍ଣ ଧୋଇ ନେବାର ଆଶଙ୍କା ରହିଥାଏ।
‘‘ବର୍ଷା ହେଲେ ଆମକୁ ନିଜ ଆସବାବପତ୍ର ବାନ୍ଧି ପ୍ରସ୍ତୁତ ରହିବାକୁ ପଡ଼େ। ଗତବର୍ଷ ବନ୍ୟାରେ ଦୁଇଟି କଚ୍ଚା ଘର ଭାଙ୍ଗି ଯାଇଥିଲା। ପୁଣିଥରେ ବାଉଁଶ ଓ ମାଟି ଦେଇ ନୂଆ କାନ୍ଥ ତିଆରି ହେଲା,’’ ତାଙ୍କ ପତ୍ନୀ ସାବିତ୍ରୀ କୁହନ୍ତି ।
ନିରଦା ଦାସ କୁହନ୍ତି, ‘‘ମୁଁ ଟିଭିକୁ (ଏବେ ଖରାପ ହୋଇଯାଇଛି) ବସ୍ତାରେ ଭର୍ତ୍ତି କରି ଛାତ ଉପରେ ରଖି ଦେଇଛି।’’ ଗତ ବନ୍ୟାରେ ମଧ୍ୟ ପୂର୍ବରୁ ଥିବା ଟେଲିଭିଜନ ନଷ୍ଟ ହୋଇଯାଇଥିଲା।
୧୬ ଜୁନ୍, ୨୦୨୩ ରାତିର କଥା। ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ଗତବର୍ଷ ଧୋଇଯାଇଥିବା ନଦୀବନ୍ଧର ଗୋଟିଏ ଭାଗକୁ ମରାମତି କରିବା ଲାଗି ଗାଁ ଲୋକମାନେ ବାଲିବସ୍ତା ପକାଉଥାନ୍ତି। ଦୁଇ ଦିନ ବିତିଗଲା, କିନ୍ତୁ ବର୍ଷା କମିବାର ନାଁ ଧରୁନଥାଏ। ବଗ୍ରିବାରୀ ଏବଂ ଏହା ପାଖରେ ଥିବା ଗାଁ ଢେପାରଗାଓଁ, ମାଦୋଇକାଟା, ନିଜ୍ କୌରବାହା, ଖାଣ୍ଡିକର, ବିହାପଡ଼ା ଓ ଲହାପଡ଼ାର ବାସିନ୍ଦା ସତର୍କ ଥାଆନ୍ତି । ନଦୀବନ୍ଧର ଦୁର୍ବଳ ଭାଗ ପୁଣିଥରେ ଭାଙ୍ଗିଯିବାର ଆଶଙ୍କା ରହିଥାଏ।
ସୌଭାଗ୍ୟବଶତଃ, ଚାରି ଦିନ ପରେ ବର୍ଷା ସାମାନ୍ୟ କମିଲା ଏବଂ ଜଳସ୍ତର ମଧ୍ୟ ହ୍ରାସ ପାଇଲା।
‘‘ନଦୀ ବନ୍ଧ ଭାଙ୍ଗିଲେ ପାଣି ବୋମା ଫୁଟିଲା ଭଳି ଲାଗେ। ନିଜ ମାର୍ଗରେ ଆସୁଥିବା ସବୁକିଛିକୁ ଏହା ନଷ୍ଟ କରି ଦେଇଥାଏ,’’ ସ୍ଥାନୀୟ ଶିକ୍ଷକ ହରେଶ୍ୱର ଦାସ କୁହନ୍ତି । ବର୍ତ୍ତମାନ ଅବସର ନେଇ ସାରିଥିବା ଏହି ୮୫ ବର୍ଷ ବୟସ୍କ ଶିକ୍ଷକ କେ. ବି. ଦେଉଳକୁଚି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅହମିୟା ଭାଷାସାହିତ୍ୟ ପଢ଼ାଉଛନ୍ତି ।
ତାଙ୍କର ଦୃଢ଼ ମତ ହେଲା, ୧୯୬୫ ମସିହାରେ ନିର୍ମାଣ ହୋଇଥିବା ନଦୀ ବନ୍ଧ ଭଲ କରିବା ଅପେକ୍ଷା ବେଶି କ୍ଷତି କରୁଛି, ‘‘ଫସଲ ଭୂମିକୁ ଉର୍ବର କରିବା ପରିବର୍ତ୍ତେ ବୁଡ଼ାଇ ଦେଉଛି।’’
ପ୍ରତିବର୍ଷ ବନ୍ୟା ଆସୁଥିବା ବ୍ରହ୍ମପୁତ୍ର ନଦୀ ଠାରୁ ୫୦ କିଲୋମିଟର ଦୂରରେ ପୁଠିମାରୀ ନଦୀ ରହିଛି ଏବଂ ବଗ୍ରିବାରୀ ଏହାର ତଟବର୍ତ୍ତୀ ଗ୍ରାମ। ବର୍ଷା ଦିନେ ଗାଁ ଲୋକମାନେ ବନ୍ୟା ଜଳସ୍ତର ବଢ଼ିବା ଆଶଙ୍କାରେ ରାତି ରାତି ଅନିଦ୍ରା ରହିଥାନ୍ତି। ବାକ୍ସା ଜିଲ୍ଲାରେ ଥିବା ଏକ ଗାଁର ଯୁବ ବାସିନ୍ଦାମାନେ ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ସାରା ରାତି ଅନିଦ୍ରା ରୁହନ୍ତି । ବନ୍ଧ ପାଖରେ ବନ୍ୟ ଜଳସ୍ତର ଉପରେ ସେମାନଙ୍କ ନଜର ଥାଏ। ‘‘ବର୍ଷକୁ ପାଞ୍ଚ ମାସ ଆମେ ବନ୍ୟା ମୁକାବିଲା କରି କିମ୍ବା ବନ୍ୟା ଆସିବାର ଭୟରେ ଦିନ କାଟିଥାଉ,’’ ହରେଶ୍ୱର କହିଥାନ୍ତି ।
ଗାଁର ଆଉ ଜଣେ ବାସିନ୍ଦା ଯୋଗମାୟା ଦାସ କୁହନ୍ତି, ‘‘ଗତ କିଛି ଦଶନ୍ଧି ହେବ ପ୍ରାୟ ଗୋଟିଏ ବର୍ଷ ଛାଡ଼ି ପରବର୍ଷ ସମାନ ସ୍ଥାନରେ ନଦୀ ବନ୍ଧ ଭାଙ୍ଗୁଛି ।’’ ବୋଧହୁଏ ଏହି କାରଣରୁ ନିକଟରେ ଅତୁଲ ଦାସଙ୍କ ପୁଅ ହୀରକଜ୍ୟୋତି ଆସାମ ପୁଲିସର ନିରସ୍ତ୍ର ଶାଖାରେ ଜଣେ କନେଷ୍ଟବଳ ଭାବେ ଯୋଗ ଦେଇଛି । ନଦୀବନ୍ଧ ନିର୍ମାଣ ଓ ମରାମତିରେ ତାଙ୍କର ଆଉ ବିଶ୍ୱାସ ନାହିଁ ।
‘‘ନଦୀବନ୍ଧ ସୁନର କୋନି ପୋରା ହାହ (ସୁନା ଅଣ୍ଡା ଦେଉଥିବା ବତକ) ଭଳି,’’ ୫୩ ବର୍ଷ ବୟସ୍କ ଅତୁଲ କୁହନ୍ତି । ‘‘ପ୍ରତିବର୍ଷ ବନ୍ଧ ଭାଙ୍ଗିଯାଏ। ଦଳ ଓ ସଂଗଠନମାନେ ଆସନ୍ତି। ଠିକାଦାର ପୁଣି ବନ୍ଧ ନିର୍ମାଣ କରେ। କିନ୍ତୁ ବନ୍ୟା ହେଲେ ପୁଣି ତାହା ଭାଙ୍ଗିଯାଏ।’’ ସେ ଆହୁରି କୁହନ୍ତି, ଯେତେବେଳେ ସ୍ଥାନୀୟ ଯୁବକମାନେ ଭଲ ମରାମତି ପାଇଁ ଦାବି କରନ୍ତି, ‘‘ପୁଲିସ ସେମାନଙ୍କୁ ଧମକ ଦେଇଥାଏ ଏବଂ ସେମାନଙ୍କୁ ନିରବ ରହିବାକୁ ବାଧ୍ୟ କରିଥାଏ।’’
ବଗ୍ରିବାରୀର ଚାଷ ଜମି, ରାସ୍ତା ଓ ଘର ଲୋକଙ୍କ ଯନ୍ତ୍ରଣାର କାହାଣୀ କହିଥାଏ। ଏହି ସମସ୍ୟା ନିକଟ ଭବିଷ୍ୟତରେ ଦୂର ହେବ ବୋଲି କିଛି ଆଶା ଦେଖାଯାଉନାହିଁ । ପୁଠିମାରୀ ନଦୀର ହାଇଡ୍ରୋଗ୍ରାଫିକ୍ ସର୍ବେକ୍ଷଣ ଉପରେ ଭାରତୀୟ ଅନ୍ତର୍ଦେଶୀୟ ଜଳମାର୍ଗ ପ୍ରାଧିକରଣର ୨୦୧୫ର ଏକ ରିପୋର୍ଟରେ ଦର୍ଶାଯାଇଛି ‘‘ନଦୀବନ୍ଧ ନିର୍ମାଣ ଓ ମରାମତି ଏକ ସ୍ଥାୟୀ ବ୍ୟାପାର ପାଲଟିଛି।’’
*****
୨୦୨୨ରେ ସେମାନଙ୍କ ଘର ବନ୍ୟା ଜଳରେ ବୁଡ଼ି ଯିବା କାରଣରୁ ଯୋଗମାୟା ଦାସ ଏବଂ ତାଙ୍କ ସ୍ୱାମୀ ଶମ୍ଭୁରାମଙ୍କୁ ଆଠ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ନିଜ ଝରକା ଧରି ଲାଖି ରହିବାକୁ ପଡ଼ିଥିଲା। ସେହି ରାତିରେ ବନ୍ୟା ପାଣି ଯେତେବେଳେ ସେମାନଙ୍କ ବେକ ପାଖରେ ପହଞ୍ଚିଗଲା, ସ୍ୱାମୀସ୍ତ୍ରୀ ଉଭୟ କଚ୍ଚା ଘର ଛାଡ଼ି ପାଖରେ ଥିବା ସେମାନଙ୍କର ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) କୋଠାକୁ ଚାଲିଯାଇଥିଲେ। ବନ୍ୟାପାଣି ସେହି ପକ୍କା ଘରକୁ ମଧ୍ୟ ବୁଡ଼ାଇ ଦେଲା ଏବଂ ଝରକା ସେମାନଙ୍କ ବଞ୍ଚିବା ପାଇଁ ଏକମାତ୍ର ଆଶା ଥିଲା।
‘‘ତାହା ଏକ ଦୁଃସ୍ୱପ୍ନ ଥିଲା,’’ ଯୋଗମାୟା କୁହନ୍ତି, ସେହି ଅନ୍ଧାର ରାତିର ଭୟ ଏବେ ବି ତାଙ୍କ ମୁହଁରେ ସ୍ପଷ୍ଟ ଭାବେ ଦେଖାଯାଉଥାଏ।
ବନ୍ୟାରେ ନଷ୍ଟ ହୋଇଯାଇଥିବା ସେମାନଙ୍କ ଘର କବାଟ ପାଖରେ ଛିଡ଼ା ହୋଇ ଯୋଗମାୟା (ବୟସ ୪୦ ପାଖାପାଖି ହେବ) ୧୬ ଜୁନ୍ ୨୦୨୨ର ସେହି ରାତିକୁ ନେଇ ନିଜ ତିକ୍ତ ଅନୁଭୂତିକୁ ସ୍ମରଣ କରିଥାନ୍ତି। ‘‘ପାଣି କମିଯିବ ଓ ବନ୍ଧ ଭାଙ୍ଗିବ ନାହିଁ ବୋଲି ମୋ ସ୍ୱାମୀ ମୋତେ ବାରମ୍ବାର ଆଶ୍ୱାସନା ଦେଉଥିଲେ। ମୁଁ ଡରିଯାଇଥିଲି, କିନ୍ତୁ ମୁଁ ଶୋଇପଡ଼ିଥିଲି। ହଠାତ୍ ଏକ ପୋକ କାମୁଡ଼ାରେ ମୋର ନିଦ ଭାଙ୍ଗିଗଲା, ଦେଖିଲା ବେଳକୁ ଖଟ ପ୍ରାୟତଃ ବନ୍ୟା ପାଣିରେ ଭାସୁଥିଲା,’’ ସେ କୁହନ୍ତି।
ଗାଁର ଅଧିକାଂଶ ବାସିନ୍ଦାଙ୍କ ଭଳି ଏହି ଦମ୍ପତି କୋଚ-ରାଜବଂଶୀ ସମୁଦାୟର ହୋଇଥିବା ବେଳେ ବ୍ରହ୍ମପୁତ୍ରର ଶାଖା ନଦୀ ପୁଠିମାରୀର ମୁଖ୍ୟ ଉତ୍ତର ତଟ ଠାରୁ ପ୍ରାୟ ୨୦୦ ମିଟର ଦୂରରେ ସେମାନେ ରହିଥାନ୍ତି।
ସେମାନଙ୍କ ପାଇଁ ତାହା ଥିଲା ଏକ କଠିନ ପରୀକ୍ଷାର ସମୟ। ସେ ବିଷୟରେ ବର୍ଣ୍ଣନା କରି ଯୋଗମାୟା କୁହନ୍ତି, ‘‘ଅନ୍ଧାରରେ ମୁଁ କିଛି ଦେଖିପାରୁନଥିଲି। ଆମେ ଝରକାକୁ ଧରିବାରେ ସକ୍ଷମ ହୋଇଥିଲୁ। ପୂର୍ବରୁ ବନ୍ୟା ଆସିଥିଲା, କିନ୍ତୁ ଏତେ ପାଣି ମୁଁ ମୋ ଜୀବନରେ କେବେ ଦେଖିନଥିଲି। ମୋ ଚାରିପାଖରେ ପୋକଜୋକ ଓ ସାପ ସାଲୁବାଲୁ ହେଉଥିବାର ମୁଁ ଅନୁଭବ କରିପାରୁଥିଲି। ମୁଁ ମୋ ସ୍ୱାମୀଙ୍କୁ ଚାହିଁ ରହିଥିଲି ଏବଂ ଝରକା ଚଉକାଠକୁ ପାରୁପର୍ଯ୍ୟନ୍ତ ଭିଡ଼ି ଧରିଥିଲି ।’’ ରାତି ପ୍ରାୟ ୨ଟା ୪୫ରୁ ସେମାନଙ୍କର ଏହି ବିପଦପୂର୍ଣ୍ଣ ସମୟ ଆରମ୍ଭ ହୋଇଥିଲା। ଶେଷରେ ଦିନ ୧୧ଟା ବେଳେ ଉଦ୍ଧାରକାରୀ ଦଳ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା।
ଗତ କିଛି ଦଶନ୍ଧି ହେବ ପ୍ରାୟ ଗୋଟିଏ ବର୍ଷ ଛାଡ଼ି ପରବର୍ଷ ସମାନ ସ୍ଥାନରେ ନଦୀ ବନ୍ଧ (ପୁଠିମାରୀ ନଦୀ ଉପରେ ଥିବା) ଭାଙ୍ଗୁଛି
ବାରମ୍ବାର ଘର ତିଆରି କରିବା ଜନିତ ବାର୍ଷିକ ଖର୍ଚ୍ଚରେ ସର୍ବହରା ହୋଇଯାଇଥିବା ଗାଁ ଲୋକମାନେ ବନ୍ୟା ଓ ଚଳିତ ବର୍ଷର ଲଗାଣ ବର୍ଷା ପରେ ନିଜ ଘର ତିଆରି କରିବାକୁ ଆଉ ଇଚ୍ଛାପ୍ରକାଶ କରୁନାହାନ୍ତି। ବନ୍ୟାରେ ଘର ହରାଇବା କିମ୍ବା ଘର ପାଖକୁ ଫେରିଯିବା ଲାଗି ଅଧିକ ଭୟଭୀତ ହୋଇପଡ଼ିଥିବା କାରଣରୁ କିଛି ପରିବାର ଏବେ ନଦୀବନ୍ଧ ଉପରେ ଅସ୍ଥାୟୀ ତମ୍ବୁ ଟାଣି ରହୁଛନ୍ତି।
ମାଧବୀ ଦାସ (୪୨) ଏବଂ ତାଙ୍କ ସ୍ୱାମୀ ଦାଣ୍ଡେଶ୍ୱର ଦାସ (୫୩) ଗତ ବନ୍ୟାରେ ନଷ୍ଟ ହୋଇଯାଇଥିବା ସେମାନଙ୍କ ଘର ମରାମତି କରିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ସେମାନେ ସେଠାରେ ଶାନ୍ତିରେ ରହିପାରୁନାହାନ୍ତି। ‘‘ପାଣି ବଢ଼ିଲେ, ଆମେ ନଦୀ ବନ୍ଧକୁ ଚାଲି ଆସିଥାଉ। ଏଥର ଆମେ ଜୀବନକୁ ବାଜି ଲଗାଇବାକୁ ଚାହୁଁନାହୁଁ,’’ ମାଧବୀ କୁହନ୍ତି।
ଯେଉଁମାନେ ନଦୀ ବନ୍ଧରେ ରହୁଛନ୍ତି, ସେମାନଙ୍କ ପାଇଁ ପିଇବା ପାଣି ପାଇବା ଏକ ବଡ଼ ସମସ୍ୟା। ମାଧବୀ କୁହନ୍ତି ଯେ ବନ୍ୟା ପରେ ଅଧିକାଂଶ ନଳକୂପ ବାଲିରେ ପୋତି ହୋଇଯାଇଥିଲା। ଆମକୁ ବାଲ୍ଟିରେ ଭର୍ତ୍ତି ହୋଇଥିବା ଖାଲି ପ୍ଲାଷ୍ଟିକ ବୋତଲ ଦେଖାଇ ସେ କୁହନ୍ତି, ‘‘ପାଣିରେ ଅଧିକ ଆଇରନ୍ ବାହାରୁଛି। ଆମେ ନଳକୂଅ ପାଖରେ ପାଣିକୁ ଛାଣିଥାଉ ଏବଂ ବୋତଲ ଓ ବାଲଟିରେ ପାଣି ନେଇ ବନ୍ଧ ଉପରକୁ ଆସୁ।’’
‘‘ଏଠାରେ ଚାଷ କରିବା କିମ୍ବା ଘର ତିଆରି କରିବାର କୌଣସି ଅର୍ଥ ନାହିଁ । ବନ୍ୟା ବାରମ୍ବାର ସବୁକିଛି ଧୋଇ ନେଇଯାଉଛି’’, ଅତୁଲଙ୍କ ପତ୍ନୀ ନିରଦା ଦାସ କୁହନ୍ତି। ‘‘ଆମେ ଦୁଇ ଥର ଟିଭି କିଣି ସାରିଛୁ । ଦୁଇଟି ଯାକ ବନ୍ୟାରେ ନଷ୍ଟ ହୋଇଯାଇଛି,’’ ସେମାନଙ୍କ ବାରଣ୍ଡାରେ ଥିବା ବାଉଁଶ ଖୁଣ୍ଟରେ ଡେରି ହୋଇ ସେ କୁହନ୍ତି।
୭୩୯ ଜନସଂଖ୍ୟା (୨୦୧୧ ଜନଗଣନା) ବିଶିଷ୍ଟ ବଗ୍ରିବାରୀ ବାସିନ୍ଦାଙ୍କର ମୁଖ୍ୟ ବେଉସା ହେଉଛି ଚାଷ। କିନ୍ତୁ ତାହା ବଦଳିଯାଇଛି କାରଣ ବନ୍ୟା ଏବଂ ପାଣି ଛାଡ଼ିଯିବା ପରେ ବାଲିଚର ମାଡ଼ିଯିବା କାରଣରୁ ଚାଷ କାମ ଅସମ୍ଭବ ହୋଇପଡ଼ିଛି।
*****
‘‘ଅଧିକ ଚାଷ ଉପଯୋଗୀ ଜମି ପାଇବା ଆଶାରେ ଆମ ବାପା ଏଠାକୁ ଆସିଥିଲେ,’’ ହରେଶ୍ୱର କୁହନ୍ତି । ସେ ଛୋଟ ହୋଇଥିବା ବେଳେ ତାଙ୍କ ମାତାପିତା କାମରୂପ ଜିଲ୍ଲାର ଗୁଇୟା ଗ୍ରାମରୁ ଏଠାକୁ ଚାଲି ଆସିଥିଲେ। ବଗ୍ରିବାରୀରେ ନଦୀର ଉପର ମୁଣ୍ଡରେ ତାଙ୍କ ପରିବାର ରହିଥିଲା। ‘‘ଏହି ଘଞ୍ଚ ସବୁଜ କ୍ଷେତ୍ରରେ ଖୁବ କମ୍ ଲୋକ ରହୁଥିଲେ। ସେମାନେ (ବଡ଼ ଲୋକମାନେ) ନିଜ ଇଚ୍ଛା ମୁତାବକ ବଣବୁଦା କାଟି ଚାଷ ପାଇଁ ଯେତେ ଆବଶ୍ୟକ ଜମି ସଫା କରି ଦେଇଥିଲେ। କିନ୍ତୁ ଏବେ, ଆମ ପାଖରେ ଜମି ଥିଲେ ମଧ୍ୟ ଆମେ ଚାଷ କରିପାରୁନାହୁଁ,’’ ସେ ସୂଚନା ଦେଇଥାନ୍ତି।
ଗତ ବର୍ଷ (୨୦୨୨) ହରେଶ୍ୱର ଧାନ ବିହନ ବୁଣିଥିଲେ ଏବଂ ଜମିରେ ରୋଇବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ବନ୍ୟା ମାଡ଼ି ଆସିଥିଲା। ତାଙ୍କର ପ୍ରାୟ ଆଠ ବିଘା (ପାଖାପାଖି ୨.୬ ଏକର) ଜମି ବନ୍ୟା ଜଳରେ ବୁଡ଼ିଯାଇଥିଲା ଏବଂ ରୋଇବା ପୂର୍ବରୁ ତଳି ସବୁ ସଢ଼ିଯାଇଥିଲା।
‘‘ଏଥର ମଧ୍ୟ, ମୁଁ କିଛି ବିହନ ବୁଣିଛି, କିନ୍ତୁ ବନ୍ୟା ଜଳ ସବୁକିଛି ନଷ୍ଟ ହୋଇଗଲା। ମୁଁ ଆଉ ଚାଷ କରିବି ନାହିଁ,’’ ଦୁଃଖର ସହିତ ହରେଶ୍ୱର କୁହନ୍ତି । ଚଳିତ ବର୍ଷ ଜୁନ ମାସରେ ଲଗାଣ ବର୍ଷା ସେମାନଙ୍କ ବାଡ଼ିବଗିଚାରେ ଥିବା ଲଙ୍କା, କାଙ୍କଡ଼ ଓ ଅନ୍ୟାନ୍ୟ ଗଛକୁ ନଷ୍ଟ କରି ଦେଇଥିଲା।
ଚାଷ ଛାଡ଼ି ଦେଇଥିବା ଗାଁର ଆହୁରି ଅନେକ ପରିବାର ମଧ୍ୟରୁ ସମିନ୍ଦ୍ର ଦାସଙ୍କ ପରିବାର ଅନ୍ୟତମ। ‘‘ଆମ ପାଖରେ ୧୦ ବିଘା (୩.୩ ଏକର) ଚାଷ ଜମି ଥିଲା। ଆଜି ସେ ଜମିର କିଛି ଚିହ୍ନବର୍ଣ୍ଣ ନାହିଁ, ସବୁକିଛି ମୋଟା ବାଲି ଆସ୍ତରଣ ତଳେ ଚାପି ହୋଇଯାଇଛି,’ ସମିନ୍ଦ୍ର କୁହନ୍ତି। ‘‘ଏଥର, ପ୍ରବଳ ବର୍ଷା କାରଣରୁ, ଠିକ୍ ଆମ ଘର ପଛପଟେ ନଦୀବନ୍ଧରୁ ପାଣି ଗଳୁଛି’’, ୫୩ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣଙ୍କ କୁହନ୍ତି । ‘‘ନଈରେ ପାଣି ବଢ଼ିଲେ ଆମେ ତମ୍ବୁ (ବାଉଁଶ ଖୁଣ୍ଟ ଓ ତାର୍ପଲିନରେ ତିଆରି ହୋଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀ) ତଳକୁ ଚାଲି ଆସୁ।’’
ଯୋଗମାୟା ଓ ଶମ୍ଭୁରାମଙ୍କ ପରିବାର ପାଖରେ ତିନି ବିଘା (ପ୍ରାୟ ଗୋଟିଏ ଏକର) ଚାଷ ଜମି ଥିଲା ଯେଉଁଠି ସେମାନେ ଧାନ ଓ କେବେକେବେ ସୋରିଷ ଚାଷ କରୁଥିଲେ। ଯୋଗମାୟା ୨୨ ବର୍ଷ ତଳେ ସେମାନଙ୍କ ବାହାଘର ସମୟ କଥା ମନେ ପକାଇ କୁହନ୍ତି, ଗୌହାଟୀ ଠାରୁ ୫୦ କିଲୋମିଟର ଦୂରରେ ଥିବା ଏହି ଗ୍ରାମ ସେତେବେଳେ ଘଞ୍ଚ ଶସ୍ୟପୂର୍ଣ୍ଣ ଅଞ୍ଚଳ ଥିଲା। ଏବେ ସେଠାରେ ଖାଲି ବାଲିଗଦା ରହିଛି ।
ଚାଷ ଜମି ମରୁଭୂମି ପାଲଟିଯିବା ପରେ, ଶମ୍ଭୁରାମ ଚାଷ କାମ ଛାଡ଼ି ଅନ୍ୟ କାମ ଖୋଜିଲେ। ବଗ୍ରିବାରୀରେ ଅନ୍ୟମାନଙ୍କ ଭଳି ସେ ମଧ୍ୟ ଜଣେ ଦିନ ମଜୁରିଆ ଶ୍ରମିକ ପାଲଟିଯାଇଥିଲେ। ଏବେ ସେ ପଡ଼ୋଶୀ ଗ୍ରାମରେ ଛୋଟମୋଟ କାମ କରି ଦିନକୁ ୩୫୦ ଟଙ୍କା ମଜୁରି ଆୟ କରୁଛନ୍ତି । ‘‘ସେ ଚାଷ କରିବାକୁ ଭଲ ପାଆନ୍ତି,’’ ଯୋଗମାୟା କୁହନ୍ତି।
କିନ୍ତୁ କାମ ସବୁବେଳେ ମିଳୁନାହିଁ । ଯୋଗମାୟା ଘରୋଇ କାମ କରି ଦିନକୁ ପ୍ରାୟ ୧୦୦ରୁ ୧୫୦ ଟଙ୍କା ଆୟ କରିଥାନ୍ତି। ଏକଦା ସେ ଜମିରେ ଧାନ ତଳି ରୋଇବା କାମ କରୁଥିଲେ। ବେଳେବେଳେ ସେ ଅନ୍ୟମାନଙ୍କ ଚାଷ ଜମିରେ କାମ କରି କିଛି ଅତିରିକ୍ତ ଟଙ୍କା ମଧ୍ୟ ରୋଜଗାର କରୁଥିଲେ। ଚାଷ କାମ ଛଡ଼ା ଯୋଗମାୟାଙ୍କୁ ବୁଣା କାମ ମଧ୍ୟ ଆସେ। ତାଙ୍କର ନିଜସ୍ୱ ତନ୍ତ ରହିଛି ଏବଂ ସେ ଗାମୁସା (ହାତ ବୁଣା ଗାମୁଛା) ଏବଂ ଚାଦୋର (ଆସାମୀ ମହିଳାମାନେ ଗୁଡ଼ାଇ ପିନ୍ଧୁଥିବା ପୋଷାକ) ବୁଣି ମଧ୍ୟ କିଛି ଟଙ୍କା ରୋଜଗାର କରିଥାନ୍ତି ।
ଚାଷ ଆଉ ଲାଭଜନକ ବିକଳ୍ପ ହୋଇ ରହିନାହିଁ, ଏହି କାରଣରୁ ସେ ତନ୍ତ ଉପରେ ଅଧିକ ନିର୍ଭର କରୁଛନ୍ତି । କିନ୍ତୁ ସେଥିରେ ମଧ୍ୟ ନଈ ଶତ୍ରୁ ସାଜିଛି। ‘‘ଗତ ବର୍ଷ ପର୍ଯ୍ୟନ୍ତ ମୁଁ ଆଧିୟା ରେ (ମୋଟ ଉତ୍ପାଦର ଅଧା ମାଲିକଙ୍କୁ ଦେବା ଲାଗି ଚୁକ୍ତିନାମା) ବୁଣୁଥିଲି,’’ ଯୋଗମାୟା କୁହନ୍ତି, ‘‘କିନ୍ତୁ ଏବେ ସେହି ତନ୍ତର କେବଳ ଢାଞ୍ଚା ରହିଛି । ବନ୍ୟା ପାଣି ସୂତା, ସୂତାକଣ୍ଡା ସବୁକିଛି ଭାସି ଯାଇଥିଲା।’’
କାମ ଅଭାବ ଏବଂ ଅନିଶ୍ଚିତ ଆୟ କାରଣରୁ ସେ ନିଜ ପୁଅ ରାଜୀବ (୧୫)ର ପାଠପଢ଼ା ଖର୍ଚ୍ଚ ତୁଲାଇବାକୁ ସକ୍ଷମ ହୋଇପାରୁନାହାନ୍ତି ବୋଲି ଯୋଗମାୟା କୁହନ୍ତି। ରାଜୀବ ଏବେ କୌର ବାହ ନବମିଲାନ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଛି।
*****
ପୁଠିମାରୀ ନଦୀରେ ବାରମ୍ବାର ଆସୁଥିବା ବନ୍ୟା ଓ ଜଳପ୍ଳାବନ ଅତୁଲ ଦାସଙ୍କ ପରିବାରକୁ ଅସ୍ତବ୍ୟସ୍ତ କରି ଦେଇଛି। ‘‘ମୁଁ ୩.୫ ବିଘା (୧.୧ ଏକର) ଜମିରେ କଦଳୀ ଏବଂ ଗୋଟିଏ ବିଘା (୦.୩୩ ଏକର) ଜମିରେ ଲେମ୍ବୁ ଚାଷ କରିଥିଲି। ଗୋଟିଏ ବିଘା ଜମିରେ, ମୁଁ କଖାରୁ ଓ ପାଣିକଖାରୁ ଚାଷ କରିଥିଲି। ଚଳିତ ଥର ବନ୍ୟା ପାଣି ଆସିଲା ଓ ସବୁ ଫସଲ ନଷ୍ଟ ହୋଇଗଲା,’’ ଅତୁଲ କୁହନ୍ତି। କିଛି ସପ୍ତାହ ପରେ, ଦୁଇ ତୃତୀୟାଂଶ ଫସଲ ପୁନର୍ଜୀବିତ ହୋଇପାରିଲା।
ଅତୁଲଙ୍କ କହିବା ଅନୁଯାୟୀ, ଖରାପ ରାସ୍ତା କାରଣରୁ ଗାଁର ବହୁ ଲୋକଙ୍କୁ ଚାଷ କାମ ଛାଡ଼ିବାକୁ ପଡ଼ିଥିଲା। ଯେଉଁମାନେ ନିଜ ଉତ୍ପାଦ ବିକ୍ରି କରିବାକୁ ଚାହୁଁଥିଲେ, ନଦୀବନ୍ଧ ଭାଙ୍ଗିବା ଯୋଗୁ ରାସ୍ତା ନଷ୍ଟ ହୋଇଯିବା ଫଳରେ ସେମାନଙ୍କ ପାଇଁ ଯାତ୍ରା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି ।
‘‘ମୁଁ ଆମ ଉତ୍ପାଦିତ ସାମଗ୍ରୀକୁ ରାଙ୍ଗିଆ ଓ ଗୌହାଟୀକୁ ନେଇଯାଏ,’’ ଅତୁଲ କୁହନ୍ତି। ‘‘ଏପରି ଏକ ସମୟ ଥିଲା ଯେତେବେଳେ ମୁଁ କଦଳୀ ଓ ଲେମ୍ବୁ ଭଳି ଆମ କୃଷି ଉତ୍ପାଦକୁ ରାତିରେ ଭ୍ୟାନରେ ଲଦୁଥିଲି। ପରଦିନ ସକାଳ ପ୍ରାୟ ୫ଟା ସମୟରେ, ମୁଁ ଗୌହାଟୀର ଫ୍ୟାନ୍ସୀ ବଜାରରେ ପହଞ୍ଚୁଥିଲି ଏବଂ ସେହିଦିନ ସକାଳ ଆଠଟା ସୁଦ୍ଧା ଘରକୁ ଫେରି ଆସୁଥିଲି।’’ କିନ୍ତୁ ଗତ ବନ୍ୟା ପରେ ଏହା ମଧ୍ୟ ଅସମ୍ଭବ ହୋଇପଡ଼ିଛି ।
‘‘ମୁଁ ଆମ ଉତ୍ପାଦକୁ ବିକ୍ରି କରିବା ପାଇଁ ଡଙ୍ଗାରେ ଧୂଲାବାରୀକୁ ମଧ୍ୟ ନେଇ ଯାଉଥିଲି। କିନ୍ତୁ ମୁଁ କ’ଣ କହିପାରିବି! ୨୦୦୧ ପରଠାରୁ ଅନେକ ବାର ନଦୀ ବନ୍ଧ ଭାଙ୍ଗି ଯାଇଛି । ୨୦୨୨ ବନ୍ୟା ପରେ, ମରାମତି ପାଇଁ ପାଞ୍ଚ ମାସ ଲାଗିଥିଲା,’’ ଅତୁଲ କୁହନ୍ତି।
‘‘ବନ୍ୟା ସବୁକିଛି ନଷ୍ଟ କରି ଦେଇଛି,’’ ଅତୁଲଙ୍କ ମା’ ପ୍ରଭାବାଳା ଦାସ ନଦୀ ବନ୍ଧ ଭାଙ୍ଗିବା କାରଣରୁ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତିକୁ ମନେ ପକାଇ ଦୁଃଖର ସହିତ କରିଥାନ୍ତି ।
ତେବେ, ଆମେ ଯେତେବେଳେ ସେମାନଙ୍କ ଠାରୁ ବିଦାୟ ନେଇ ନଦୀବନ୍ଧ ଉପରକୁ ଚଢ଼ିଲୁ, ତାଙ୍କ ପୁଅ ଆମ ଆଡ଼କୁ ଚାହିଁ ହସି ହସି କହିଲେ, ‘‘ଗତ ଥର ମଧ୍ୟ ଆପଣ ବନ୍ୟା ସମୟରେ ଆମ ପାଖକୁ ଆସିଥିଲେ। କେବେ ଏକ ଭଲ ଦିନରେ ଆସନ୍ତୁ ନା,’’ ସେ କୁହନ୍ତି, ‘‘ମୁଁ ଆପଣଙ୍କୁ ଆମ ଜମିରୁ ପନିପରିବା ଦେବି।’’
ଅନୁବାଦ : ଓଡ଼ିଶାଲାଇଭ୍