“ଆମ ଗାଁରେ ଝିଅମାନେ ଆଦୌ ସୁରକ୍ଷିତ ନୁହଁନ୍ତି । ରାତି ଆଠଟା କି ନଅଟା ପରେ ସେମାନେ ଘର ଛାଡ଼ି ଯାଆନ୍ତି ନାହିଁ,” କହନ୍ତି ଶୁକ୍ଳା ଘୋଷ । ପଶ୍ଚିମ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ କୁଆପୁର ଗାଁ ସନ୍ଦର୍ଭରେ ସେ ଏହା କହନ୍ତି । “ଝିଅମାନେ ଭୟଭୀତ ଅବସ୍ଥାରେ ରହନ୍ତି । ହେଲେ, ସେମାନେ ମଧ୍ୟ ପ୍ରତିରୋଧ ଓ ପ୍ରତିବାଦର ଆବଶ୍ୟକତାକୁ ଅନୁଭବ କରନ୍ତି ।”

ଗତ ସପ୍ତାହରେ କୋଲକାତାର ଆର୍.ଜି.କର ହସପିଟାଲରେ ଜଣେ ପ୍ରଶିକ୍ଷାର୍ଥୀ ଯୁବ ଡାକ୍ତରଙ୍କୁ ନୃଶଂସ ଭାବରେ ଧର୍ଷଣ ପରେ ହତ୍ୟା କରାଯିବା ଘଟଣାର ପ୍ରତିବାଦ କରିବା ଲାଗି ସାରା ପଶ୍ଚିମବଙ୍ଗର ବିଭିନ୍ନ ଗାଁ ଓ ଛୋଟ ଛୋଟ ସହରରୁ ବହୁ ସଂଖ୍ୟାରେ ଆସିଥିବା ହଜାର ହଜାର କୃଷକ, କୃଷି ଶ୍ରମିକ ଏବଂ ଶ୍ରମିକଙ୍କ ସହିତ ସାମିଲ ହୋଇଥିଲେ ଘୋଷ ଏବଂ କୁଆପୁର ଗାଁର ଝିଅମାନେ ।

୨୦୨୪ ସେପଟେମ୍ବର ୨୧ ତାରିଖ ଦିନ କେନ୍ଦ୍ରୀୟ କୋଲକାତାର କଲେଜ ଷ୍ଟ୍ରୀଟରୁ ବାହାରିଥିବା ଏହି ପ୍ରତିବାଦ ପଦଯାତ୍ରା, ସେଠାରୁ ପ୍ରାୟ ୩.୫ କିଲୋମିଟର ଦୂର ଶ୍ୟାମବଜାର ଆଡ଼କୁ ଆଗେଇବା ଆରମ୍ଭ କରିଥିଲା ।

ପ୍ରତିବାଦକାରୀଙ୍କ ବିଭିନ୍ନ ଦାବିରେ ସାମିଲ ଥିଲା ତୁରନ୍ତ ନ୍ୟାୟ ପ୍ରଦାନ, ଅପରାଧୀମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି, କୋଲକାତା ପୋଲିସ କମିଶନରଙ୍କ ଇସ୍ତଫା (ପ୍ରତିବାଦକାରୀ ଡାକ୍ତରମାନେ ମଧ୍ୟ ଏହି ଦାବି କରିଥିଲେ ଏବଂ ସରକାର ଏହାକୁ ଗ୍ରହଣ କରିନେଇଥିଲେ), ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଏବଂ ଗୃହ ଓ ପାର୍ବତ୍ୟ କ୍ଷେତ୍ର ବ୍ୟାପାର ବିଭାଗ ଦାୟିତ୍ୱକୁ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା।

PHOTO • Sarbajaya Bhattacharya
PHOTO • Sarbajaya Bhattacharya

ବାମ : ସମ ନ୍ୱି ତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) କର୍ମୀମାନଙ୍କର ପଶ୍ଚିମ ମେଦିନୀପୁର ଜିଲ୍ଲା ସଂପାଦକ ଶୁ କ୍ଳା ଘୋଷ କହନ୍ତି ଯେ ତାଙ୍କ ଗାଁ କୁଆପୁରରେ ଝିଅମାନେ ସୁରକ୍ଷିତ ଅନୁଭବ କରନ୍ତି ନାହିଁ । ଡାହାଣ : ପ୍ରତିବାଦ ପଦଯାତ୍ରାରେ ଭାଗ ନେବାକୁ ଆସିଛନ୍ତି ହୁଗୁଳି ଅନ୍ତର୍ଗତ ନାକୁନ୍ଦାର ମିତା ରାୟ

ତି ଳୋତ୍ତମା ତୋମାର ନାମ, ଜୁଡଛେ ସହର ଜୁଡଛେ ଗ୍ରାମ (ତିଳୋତ୍ତମା ତୁମରି ନାମ, ଏକାଠି ହେଉଛନ୍ତି ସହର ଓ ଗ୍ରାମ)! ସେହି ୩୧ ବର୍ଷୀୟା ମୃତ ଯୁବତୀଙ୍କୁ ଏ ନଗରୀ ଦେଇଥିବା ନାଁ ହେଉଛି ତିଳୋତ୍ତମା । ଏହା ଦେବୀ ଦୁର୍ଗାଙ୍କର ଅନ୍ୟ ଏକ ନାମ ଏହାର ଅର୍ଥ ସର୍ବଶ୍ରେଷ୍ଠ କଣିକାର ସମାହାରରେ ଗଠିତ ମହିଳା । ଏହା ମଧ୍ୟ କୋଲକାତା ନଗରୀ ପାଇଁ ଉଦ୍ଦିଷ୍ଟ ଏକ ଗୁଣବାଚକ ପଦ ।

ଶୁକ୍ଳା କହି ଚାଲନ୍ତି, “ମହିଳାମାନଙ୍କୁ ସୁରକ୍ଷିତ ଅନୁଭବ କରିବା ଦିଗରେ ସାହାଯ୍ୟ କରିବା ଦାୟିତ୍ୱ ପୋଲିସ ଓ କର୍ତ୍ତୃପକ୍ଷଙ୍କର। “ସେମାନେ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଯଦି ଝିଅମାନେ ଅନୁଭବ କରିବେ, ତାହେଲେ ସେମାନେ କିଭଳି ନିଜକୁ ସୁରକ୍ଷିତ ଅନୁଭବ କରିବେ ?” ବୋଲି ପ୍ରଶ୍ନ କରନ୍ତି ପଶ୍ଚିମ ମେଦିନୀପୁର ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) କର୍ମୀମାନଙ୍କର ଜିଲ୍ଲା ସଂପାଦିକା ଜଣକ ।

“ସେମାନେ (ସରକାର) ଆମ ଭଳି କୃଷି ଶ୍ରମିକଙ୍କ ସୁରକ୍ଷା ଲାଗି କ’ଣ କରିଛନ୍ତି?” ପ୍ରତିବାଦକାରୀ ମିତା ରାୟ ପଚାରନ୍ତି । “ଗାଁରେ ଝିଅମାନେ ରାତିରେ ବାହାରକୁ ଯିବାକୁ ଡରୁଛନ୍ତି । ସେଥିପାଇଁ ମୁଁ ଏଠାକୁ ଆସିଛି । ମହିଳା ଓ ଝିଅମାନଙ୍କର ସୁରକ୍ଷାଲାଗି ଆମକୁ ଲଢ଼ିବାକୁ ପଡ଼ିବ ।” ରାୟ ହେଉଛନ୍ତି ହୁଗୁଳି (‘ହୁଗଲି’ ବୋଲି ମଧ୍ୟ ବନାନ କରାଯାଏ) ଜିଲ୍ଲା ନାକୁନ୍ଦା ଗାଁର ଜଣେ କୃଷି ଶ୍ରମିକ ।

ଏହି ୪୫ ବର୍ଷୀୟା ମହିଳା ଜଣକ କହନ୍ତି ଯେ, ଖୋଲା ପଡ଼ିଆରେ ଶୌଚ ହେବା ଅପେକ୍ଷା ଘରେ ପକ୍କା ଶୌଚାଳୟ କରିବାକୁ ସେ ଅଧିକ ପସନ୍ଦ କରିବେ । ମିତାଙ୍କର ଦୁଇ ବିଘା ଚାଷଜମି ରହିଛି । ଏଥିରେ ସେ ଆଳୁ, ଧାନ ଏବଂ ରାଶି ଚାଷ କରନ୍ତି । କିନ୍ତୁ ଅଳ୍ପ ଦିନ ତଳର ବନ୍ୟାରେ ତାଙ୍କର ସବୁ ଫସଲ ନଷ୍ଟ ହୋଇଯାଇଛି । “ଆମକୁ କୌଣସି ପ୍ରକାର ସହାୟତା ମିଳିନାହିଁ,” କୃଷି ଶ୍ରମିକ ଭାବରେ ଦିନକୁ ୧୪  ଘଣ୍ଟା କାମ କରି ୨୫୦ ଟଙ୍କା ରୋଜଗାର କରୁଥିବା ମିତା କହନ୍ତି । ସେ ତାଙ୍କ କାନ୍ଧରେ ଭାରତୀୟ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ଲାଲ ପତାକା ଧରି ଚାଲିଛନ୍ତି । ସେ ତାଙ୍କ ସ୍ୱାମୀଙ୍କୁ ହରାଇଛନ୍ତି, ହେଲେ ବିଧବା ଭତ୍ତା ପାଆନ୍ତି ନାହିଁ । ଅବଶ୍ୟ ସେ ତୃଣମୂଳ କଂଗ୍ରେସ ନେତୃତ୍ୱାଧୀନ ସରକାର ପରିଚାଳିତ ଅନ୍ୟତମ ଆଗଧାଡ଼ିର କାର୍ଯ୍ୟକ୍ରମ ‘ଲକ୍ଷ୍ମୀର ଭଣ୍ଡାର’ ଜରିଆରେ ୧,୦୦୦ ଟଙ୍କା ପାଆନ୍ତି । କିନ୍ତୁ ଏହା ତାଙ୍କ ପରିବାର ଚଳାଇବା ଲାଗି ପର୍ଯ୍ୟାପ୍ତ ନୁହେଁ ।

PHOTO • Sarbajaya Bhattacharya
PHOTO • Sarbajaya Bhattacharya

କୋଲକାତାର ନ୍ୟାସନାଲ ମେଡିକାଲ କଲେଜ ଏବଂ ହସପିଟାଲ କାନ୍ଥରେ ଅଙ୍କିତ ଏକ ଚିତ୍ର

PHOTO • Sarbajaya Bhattacharya
PHOTO • Sarbajaya Bhattacharya

ବାମ : ନ୍ୟାସନାଲ ମେଡିକାଲ କଲେଜ ଏବଂ ହସପିଟାଲ କାନ୍ଥରେ ଅଙ୍କିତ ଏକ ଚିତ୍ର କହେ, ‘ରାଷ୍ଟ୍ର ଜଣେ ଧର୍ଷଣକାରୀକୁ ଘଣ୍ଟ ଘୋଡ଼ାଏ, ତେଣୁ ରାଷ୍ଟ୍ର ହିଁ ଧର୍ଷଣକାରୀ’ । ଡାହାଣ: ‘ପିତୃତନ୍ତ୍ର ନିପାତ ହେଉ’

*****

“ମୁଁ ଏଠାକୁ ଆସିଛି, କାରଣ ମୁଁ ଜଣେ ମହିଳା ।”

କାମ କରି କରି ନିଜର ସାରା ଜୀବନ ବିତାଇ ଦେଇଛନ୍ତି ମାଲଦା ଜିଲ୍ଲାର କୃଷି ଶ୍ରମିକ ବାନୁ ବେୱା । କର୍ମଜୀବୀ ମହିଳାମାନଙ୍କର ଅଧିକାର ପାଇଁ ସଂଘର୍ଷ କରିବାକୁ ସଂକଳ୍ପବଦ୍ଧ ହୋଇ ତାଙ୍କ ଜିଲ୍ଲାରୁ ଆସି ଏଠାରେ ରୁଣ୍ଡ ହୋଇଥିବା ଅନ୍ୟ କେତେକ ମହିଳାଙ୍କ ସହିତ ଠିଆ ହୋଇଛନ୍ତି ଏହି ୬୩ ବର୍ଷୀୟା ଜଣକ ।

“ମହିଳାମାନେ ରାତିରେ କାମ କରିବାକୁ ସକ୍ଷମ ହେବା ଉଚିତ,” ନମିତା ମାହାତୋ କହନ୍ତି । ହସପିଟାଲର ମହିଳା କର୍ମଚାରୀମାନଙ୍କୁ ରାତିରେ କାମ କରିବାକୁ ଦିଆଯିବ ନାହିଁ ବୋଲି ସରକାର ଦେଇଥିବା ନିର୍ଦ୍ଦେଶ ସନ୍ଦର୍ଭରେ ସେ ଏହା କହନ୍ତି । ଏହି ମାମଲାର ନିରୀକ୍ଷଣ କରୁଥିବା ସୁପ୍ରିମ କୋର୍ଟ ମଧ୍ୟ ସରକାରଙ୍କ ଏହି ନିର୍ଦ୍ଦେଶକୁ ସମାଲୋଚନା କରିଛନ୍ତି ।

ବୟସର ପଚାଶ ଦଶକରେ ଉପନୀତ ନମିତା, ପୁରୁଲିୟା (‘ପୁରୁଲିଆ’ ବୋଲି ମଧ୍ୟ ବନାନ କରାଯାଏ) ଜିଲ୍ଲାରୁ ଆସିଥିବା ଦଳେ ମହିଳାଙ୍କ ସହିତ କଲେଜ ଛକର ଫାଟକ ସମ୍ମୁଖରେ ଠିଆ ହୋଇଛନ୍ତି । କୋଲକାତାର ଏହି ବ୍ୟସ୍ତବହୁଳ ଅଞ୍ଚଳରେ ରହିଛି ତିନିଟି ବିଶ୍ୱବିଦ୍ୟାଳୟ, କେତେକ ସ୍କୁଲ, ଅନେକ ବହି ଦୋକାନ ଓ ଭଣ୍ଡାର ଏବଂ ‘ଇଣ୍ଡିଆନ୍ କଫି ହାଉସ୍’ ।

ଗୌରାଙ୍ଗଡ଼ି ଗାଁରୁ ଆସିଥିବା ନମିତା, କୁର୍ମୀ (ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ) ସଂପ୍ରଦାୟର ଏବଂ ସେ ଜଣେ ଠିକାଦାରଙ୍କ ଅଧୀନରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରି ଦିନକୁ ୩୦୦ରୁ ୩୫୦ ଟଙ୍କା ରୋଜଗାର କରନ୍ତି । “ମୁଁ ଲୋକଙ୍କ ଘରର ଝରକା ଓ ଦୁଆର ଏବଂ ଗ୍ରୀଲରେ ରଙ୍ଗ ଦିଏ,” ସେ କହନ୍ତି । ସେ ଜଣେ ବିଧବା ଏବଂ ସରକାରଙ୍କ ପାଖରୁ ଭତ୍ତା ପାଆନ୍ତି ।

PHOTO • Sarbajaya Bhattacharya
PHOTO • Sarbajaya Bhattacharya

ବାମ : ମାଲଦାର ଜଣେ କୃଷି ଶ୍ରମିକ ବାନୁ ବେୱା (ସବୁଜ ଶାଢ଼ି ପିନ୍ଧିଛନ୍ତି) କହନ୍ତି, ‘ମୁଁ ଏଠାକୁ ଆସିଛି, କାରଣ ମୁଁ ଜଣେ ମହିଳା ।’ ଡାହାଣ: ପୁରୁଲିଆର ଜଣେ ଦିନ ମଜୁରିଆ ନମିତା ମାହାତୋ (ଗୋଲାପି ଶାଢ଼ି ପିନ୍ଧିଛନ୍ତି) କହନ୍ତି ଯେ କର୍ମସ୍ଥଳୀରେ ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଠିକାଦାରଙ୍କ ଦାୟିତ୍ୱ

PHOTO • Sarbajaya Bhattacharya
PHOTO • Sarbajaya Bhattacharya

ବାମ : ନ୍ୟାୟ ଦାବିରେ ଜଣେ ଆନ୍ଦୋଳନକାରୀ ଗୋଟିଏ ଗୀତ ଗାଆନ୍ତି । ଡାହାଣ: ପଶ୍ଚିମବଙ୍ଗ କୃଷି ଶ୍ରମିକ ସଂଘର ସଭାପତି ତୁଷାର ଘୋଷ କହନ୍ତି, ‘ଆର୍.ଜି. କର ଘଟଣା ବିରୋଧରେ ଚାଲିଥିବା ପ୍ରତିବାଦରେ ଦୈନନ୍ଦିନ ଜୀବନରେ କର୍ମଜୀବୀ ମହିଳାଙ୍କ ସଂଘର୍ଷ ପ୍ରମୁଖ ସ୍ଥାନ ପାଇବା ଉଚିତ’

ଗୋଟିଏ ଲୁହା କାରଖାନାରେ କାମ କରୁଥିବା ତାଙ୍କ ପୁଅ, ଏବଂ ବୋହୂ ଓ ଜଣେ ନାତୁଣୀ ସହିତ ନମିତା ରହନ୍ତି । ତାଙ୍କ ନିଜ ଝିଅ ବିବାହିତା । “ଆପଣ ଜାଣନ୍ତି, ସେ ସବୁ ପରୀକ୍ଷା ଓ ସବୁ ସାକ୍ଷାତକାର ପାସ୍ କଲା, କିନ୍ତୁ ତା’ର ଚାକିରିରେ ଯୋଗ ଦେବା ଲାଗି ଚିଠି କେବେ ବି ଆସିଲା ନାହିଁ,”  ଅଭିଯୋଗ କରି ସେ କହନ୍ତି, “ଏ ସରକାର ଆମକୁ ଚାକିରି ଦେଇନାହିଁ ।” ଏହି ପରିବାର ବର୍ଷକୁ ଥରେ ସେମାନଙ୍କର ଏକ ବିଘା ଚାଷଜମିରେ ଧାନ ଚାଷ କରନ୍ତି ଏବଂ ତାଙ୍କ ଫସଲ ପାଇଁ ଜଳସେଚନ ନିମନ୍ତେ ବର୍ଷା ଉପରେ ନିର୍ଭର କରନ୍ତି ।

*****

ଆର୍.ଜି.କରରେ ଜଣେ ଯୁବ ଡାକ୍ତରଙ୍କୁ ତାଙ୍କ କର୍ମସ୍ଥଳୀରେ ଆକ୍ରମଣ ଓ ହତ୍ୟା କରିବା ମାମଲାରେ କର୍ମଜୀବୀ ମହିଳାଙ୍କ ଦୁଃଖ ଓ ଯାତନା ସାମନାକୁ ଆସିଛି । ଏଥିରେ ମତ୍ସ୍ୟଜୀବୀ ମହିଳା, ଇଟାଭାଟିରେ ଏବଂ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ କାର୍ଯ୍ୟରତ ମହିଳାଙ୍କ କ୍ଷେତ୍ରରେ ଶୌଚାଳୟର ଅଭାବ, ସେମାନଙ୍କ ଶିଶୁମାନଙ୍କର ଯତ୍ନ ଲାଗି ବ୍ୟବସ୍ଥା ନଥିବା ଏବଂ ଲିଙ୍ଗ ଭିତ୍ତିରେ ମଜୁରିରେ ଥିବା ବ୍ୟବଧାନ ଭଳି କେତେକ ସମସ୍ୟା ରହିଛି ବୋଲି କହନ୍ତି ପଶ୍ଚିମ ବଙ୍ଗ କୃଷି ଶ୍ରମିକ ସଂଘ ସଭାପତି ତୁଷାର ଘୋଷ । ସେ କହନ୍ତି, “ଆର୍.ଜି. କର ଘଟଣାର ପ୍ରତିବାଦରେ ନିତିଦିନିଆ ଜୀବନରେ କର୍ମଜୀବୀ ମହିଳାଙ୍କ ସଂଘର୍ଷ ମଧ୍ୟ ପ୍ରମୁଖ ସ୍ଥାନରେ ରହିବା ଉଚିତ ।”

୨୦୨୪ ଅଗଷ୍ଟ ୯ ତାରିଖର ଏହି ଘଟଣା ପରଠାରୁ ପଶ୍ଚିମବଙ୍ଗରେ ତୀବ୍ର ପ୍ରତିବାଦର ଧାରା ଲାଗି ରହିଛି । ନଗରୀରୁ ସହର ଏବଂ ଗାଁ ଯାଏଁ, ସବୁଠି, ରାତ୍ରୀକାଳୀନ ଏବଂ ସର୍ବସାଧାରଣ ସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ଦାବି କରି ବହୁସଂଖ୍ୟକ ମହିଳାଙ୍କ ସମେତ ସାଧାରଣ ଲୋକେ ରାସ୍ତାକୁ ବାହାରିଛନ୍ତି । ସାରା ରାଜ୍ୟରେ ଜୁନିଅର ଡାକ୍ତରମାନଙ୍କ ଆନ୍ଦୋଳନରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଲାଗି ରହିଥିବା ଦୁର୍ନୀତି, କ୍ଷମତାର ଅପବ୍ୟବହାର ଏବଂ ଭୟଭୀତ କରାଇବାର ଅପସଂସ୍କୃତି ଲୋକଲୋଚନକୁ ଆସିଛି । ଏବେ, ଏହି ଘଟଣାର ମାସକରୁ ଅଧିକ ସମୟ ପରେ ବି, ପ୍ରତିବାଦର ଧାରା ଶିଥିଳ ହେବାର କୌଣସି ସଂକେତ ଦୃଷ୍ଟିଗୋଚର ହେଉନାହିଁ ।

ଅନୁବାଦ : ଓଡ଼ିଶାଲାଇଭ୍‍

Sarbajaya Bhattacharya

সর্বজয়া ভট্টাচার্য বরিষ্ঠ সহকারী সম্পাদক হিসেবে পিপলস আর্কাইভ অফ রুরাল ইন্ডিয়ায় কর্মরত আছেন। দীর্ঘদিন যাবত বাংলা অনুবাদক হিসেবে কাজের অভিজ্ঞতাও আছে তাঁর। কলকাতা নিবাসী সর্ববজয়া শহরের ইতিহাস এবং ভ্রমণ সাহিত্যে সবিশেষ আগ্রহী।

Other stories by Sarbajaya Bhattacharya
Editor : Priti David

প্রীতি ডেভিড পারি-র কার্যনির্বাহী সম্পাদক। তিনি জঙ্গল, আদিবাসী জীবন, এবং জীবিকাসন্ধান বিষয়ে লেখেন। প্রীতি পারি-র শিক্ষা বিভাগের পুরোভাগে আছেন, এবং নানা স্কুল-কলেজের সঙ্গে যৌথ উদ্যোগে শ্রেণিকক্ষ ও পাঠক্রমে গ্রামীণ জীবন ও সমস্যা তুলে আনার কাজ করেন।

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE